ଓଡ଼ିଆ ଯୁବକ ପାଠାଗାର
ଓଡ଼ିଆ ଯୁବକ ପାଠାଗାର (ଇଂରାଜୀ: Manjusha Library) ଭାରତର ଆନ୍ଧ୍ରପ୍ରଦେଶରେ ଥିବା ମଞ୍ଜୁଷାସ୍ଥିତ ଏକ ଓଡ଼ିଆ ପାଠାଗାର । ଏହା ୧୯୦୭ ମସିହାରେ "ଯୁବ ପାଠାଗାର" ନାମରେ ତତ୍କାଳୀନ ମଞ୍ଜୁଷା ରାଜା ବାସୁଦେବ ରାଜମଣିଙ୍କ ପୃଷ୍ଠପୋଷକତାରେ ନରସିଂହ ମନ୍ଦିର ନିକଟରେ ପ୍ରତିଷ୍ଠିତ ହୋଇଥିଲା । ପରେ ଏହା "ଓଡ଼ିଆ ଯୁବକ ପାଠାଗାର" ନାମରେ ନାମିତ ହେଲା ।[୧]
ଇତିହାସ
[ସମ୍ପାଦନା]ପାଠାଗାରଟି ୧୯୦୭ ମସିହାରେ "ଯୁବ ପାଠାଗାର" ନାମରେ ମଞ୍ଜୁଷାର ତତ୍କାଳୀନ ରାଜା ବାସୁଦେବ ରାଜମଣିଙ୍କ ପୃଷ୍ଠପୋଷକତାରେ ନରସିଂହ ମନ୍ଦିର ନିକଟରେ ପ୍ରତିଷ୍ଠିତ ହୋଇଥିଲା । ପରବର୍ତ୍ତୀ କାଳରେ ଏହା "ଓଡ଼ିଆ ଯୁବକ ପାଠାଗାର" ନାମରେ ନାମିତ ହେଲା । ପାଠାଗାର ଅସ୍ଥାୟୀ ଭାବେ ବିଭିନ୍ନ ସ୍ଥାନରେ ପରିଚାଳିତ ହୋଇ ଶେଷରେ ରାଜାଙ୍କ ଦାନ ଯୋଗେ ମଞ୍ଜୁଷା ରାଜବାଟୀ ସମ୍ମୁଖରେ ଥିବା ଦୁଇ ବଖରା ଘରେ ପ୍ରତିଷ୍ଠା ଲାଭ କଲା । ସେତେବେଳେ ନରସିଂହ ପାଣିଗ୍ରାହୀ, ବୃନ୍ଦାବନ ତ୍ରିପାଠୀ, ଡା. ସତ୍ୟନାରାୟଣ ସାହୁ, ବାମଦେବ ପାଣିଗ୍ରାହୀ, ରାମପ୍ରସାଦ ଦାସ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଅବଦାନ ଯୋଗୁଁ ଏହି ପାଠାଗାରର କଳେବର ଓ ଆଦୃତି ବଢ଼ିଥିଲା । ପରେ ସେଠାର ରାଜା ନିବାସ ରାଜମଣି ରାଜଦେବଙ୍କ ସାହାଯ୍ୟରେ ପାଠାଗାରର ଉନ୍ନତି ହୋଇଥିଲା । ୧୯୩୦ ମସିହାରେ ତାଙ୍କ ଦେହାନ୍ତ ପରେ ତିଗିରିଆର ରାଜକୁମାର ଜଗନ୍ନାଥ ରାଜମଣି ରାଜଦେବ ସିଂହାସନ ଆରୋହଣ କରିବା ପରେ ସେ ପାଠାଗାରକୁ ଆଲମିରା, ସହସ୍ରାଧିକ ଗ୍ରନ୍ଥ, ତାଳପତ୍ର ପୋଥି ଦାନ କରି ପାଠାଗାର କଳେବର ବଢ଼ାଇଥିଲେ । ରାଜା ଜମିଦାରୀ ଉଚ୍ଛେଦ ପରେ ପାଠାଗାରର ପରିଚାଳନାରେ ତ୍ରୁଟି ଦେଖାଯାଇଥିଲା । ଆଥିର୍କ ଅନଟନ ହେତୁ ପାଠାଗାର ପରିଚାଳନାରେ ତ୍ରୁଟି ଘଟିବା ବେଳେ କିଛି ସ୍ନାନୀୟ ଯୁବକ ଓ ଅନ୍ୟାନ୍ୟ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଉଦ୍ୟମରେ ଘର ଘର ବୁଲି ଚାଉଳ, ଟଙ୍କା ଯୋଗାଡ଼ କରାଯାଇ ପାଠାଗାରକୁ ପୁଣି ସକ୍ରିୟ କରାଯାଇଥିଲା ।[୧]
ଉତ୍କଳ ସମ୍ମିଳନୀର ସହଯୋଗ
[ସମ୍ପାଦନା]୧୯୫୩ ମସିହାରେ ଉତ୍କଳ ସମ୍ମିଳନୀର ୫୦ତମ ଅଧିବେଶନ ରାଜପ୍ରାସାଦରେ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ପରେ ପାଠାଗାରଟିର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ୧୯୮୨ରେ ବିନାୟକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଯୁବ କର୍ମକର୍ତ୍ତାମାନେ ଏହାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପଞ୍ଜୀକୃତ କରାଇଥିଲେ । ଆନ୍ଧ୍ର କିମ୍ବା ଓଡ଼ିଶା ସରକାରଙ୍କଠାରୁ କୌଣସି ସାହାଯ୍ୟ ମିଳୁନଥିଲା । ବ୍ରହ୍ମପୁର ଉତ୍କଳ ପରିଷଦ ତରଫରୁ ବୃନ୍ଦାବନ ନାୟକ ଏବଂ ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପାଠାଗାର ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା, ଅଶୋକ କୁମାର ସାହୁ, ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରି ପଟ୍ଟନାୟକଙ୍କୁ ପାଠାଗାର ପାଇଁ ସହଯୋଗ ଅନୁରୋଧ କରିଥିଲେ । ତାଙ୍କଦ୍ୱାରା ମିଳିଥିବା ସାହାଯ୍ୟ ପାଠାଗାରର ପକ୍କା ଛାତ ନିର୍ମାଣରେ ସହାୟକ ହୋଇଥିଲା । ଏହାର କିଛି ବର୍ଷ ପରେ ବସନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ତରଫରୁ ଏକ ବଖରା ପଢ଼ାଘର ନିର୍ମାଣ ହୋଇଥିଲା ।[୧]
ସଂଗ୍ରହ
[ସମ୍ପାଦନା]ଓଡ଼ିଆ ଯୁବକ ପାଠାଗାରରେ ୨୦୧୪ ବେଳକୁ ବିଭିନ୍ନ ଭାଷାରେ ପ୍ରାୟ ପାଞ୍ଚହଜାର ବହି ଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ଶତାଧିକ ତାଳପତ୍ର ପୋଥି ଧୀରେ ଧୀରେ ନଷ୍ଟ ହୋଇଯାଉଛି । ରାଜା ରାମମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ତରଫରୁ ୨ବର୍ଷ ଧରି କିଛି ବହି ସାହାଯ୍ୟ ମିଳିବା ପରେ ତାହା ବନ୍ଦ ହୋଇଯାଇଛି । ସୁଦର୍ଶନ ଆଚାର୍ଯ୍ୟ, ଭରତ ପଣ୍ଡା, ବାଉରୀବନ୍ଧୁ କର, ଅଶ୍ୱିନୀ କୁମାର ପଣ୍ଡା, ବସନ୍ତ କୁମାର ପାଣିଗ୍ରାହୀ, ନିରଞ୍ଜନ ରଥ ଆଦି ବ୍ୟକ୍ତିବିଶେଷ ଓ ଉତ୍କଳ ସମ୍ମିଳନୀ, ଭଦ୍ରକ ଉତ୍କଳ ସାଂସ୍କୃତିକ ଶିବିର ଆଦି ଅନୁଷ୍ଠାନ ତରଫରୁ ବହିସବୁ ପାଠାଗାରକୁ ଦାନ କରାଯାଇଥିଲା । ୨୦୧୨ରେ ଶିବିର ତରଫରୁ ଏକବର୍ଷ ନିମନ୍ତେ ଏକବର୍ଷ ନିମନ୍ତେ ଦୈନିକ ସମାଜ ଏବଂ କିଛି ମାସିକ ପତ୍ରିକା ସାହାଯ୍ୟ କରାଯାଇଥିଲା । ଅଧୁନା ଆନ୍ଧ୍ରରେ ଥିବା ଓଡ଼ିଆ ଭାଷାଭାଷୀ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବହୁଳ ଗ୍ରାମର ବିଦ୍ୟାଳୟ ଓ ପାଠାଗାରଗୁଡ଼ିକ ବହି ଯୋଗାଇଥିଲେ । ଉତ୍କଳ ସମ୍ମିଳନୀ ତରଫରୁ ପାଠ୍ୟ ଉପକରଣ, ମାନଚିତ୍ର, ଗ୍ଲୋବ, ବହି, ଆଲମିରା ସହିତ ପିଲାଙ୍କ ବସିବା ପାଇଁ ଶ୍ରେଣୀକକ୍ଷ ପାଇଁ ଆର୍ଥିକ ସାହାଯ୍ୟ ମିଳିଥିଲା ।[୧]
ସାମାଜିକ ଅବଦାନ
[ସମ୍ପାଦନା]ପାଠାଗାରର ଉଦ୍ୟମ ହେତୁ ଓଡ଼ିଶା ଦିବସରେ ଓଡ଼ିଶା ସରକାରଙ୍କ ତରଫରୁ ଏହି ପାଠାଗାର ଏବଂ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ଥିବା ବାକି କେତେକ ଓଡ଼ିଆ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ, କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସହଯୋଗରେ ମଞ୍ଜୁଷାଠାରେ ଏକ ଦୂରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲେ । ପାଠାଗାରର କର୍ମକର୍ତ୍ତାଙ୍କ ଉଦ୍ୟମରେ କାହ୍ନୁଚରଣ ଲେଙ୍କା ଭାରତ ସରକାରଙ୍କ ରେଳ ବିଭାଗର ମନ୍ତ୍ରୀ ଥିବା ସମୟରେ ବିଶାଖାପାଟଣା-ହାଇଦ୍ରାବାଦ ଏକ୍ସପ୍ରେସକୁ ପଲାସା ପର୍ଯ୍ୟନ୍ତ ଲମ୍ବାଯାଇଥିଲା । ବ୍ରହ୍ମପୁର ସମାଜମଙ୍ଗଳ ସାଂସ୍କୃତିକ କେନ୍ଦ୍ର ତରଫରୁ ଏଠାରେ ବର୍ଷଟିଏ ଏଠାରେ ଓଡ଼ିଆ ପିଲାଙ୍କ ମଧ୍ୟରେ ଚିତ୍ରକଳା, ରଚନା ଲିଖନ, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ମଞ୍ଜୁଷା ଉଚ୍ଚବିଦ୍ୟାଳୟରେ ଓଡ଼ିଆ ପିଲାଙ୍କ ପାଇଁ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ ଓ ଚିନାଇଙ୍କ ଜରିଆରେ ଆନ୍ଧ୍ରସରକାରଙ୍କ ଉପରେ ଚାପ ପକାଇ ଓଡ଼ିଆ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି ।[୧]