ଲହଲାଙ୍ଗଳୀ
ଲହଲାଙ୍ଗଳୀ | |
---|---|
Gloriosa superba | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Monocots |
ଗଣ: | Liliales |
କୁଳ: | Colchicaceae |
ପ୍ରଜାତି: | Gloriosa L. |
Species | |
See text. |
ଲହଲାଙ୍ଗଳୀ, (ଅବା ଲାଙ୍ଗଳିଆ, ପଞ୍ଚାଙ୍ଗୁଳ, ମେହେରିଆ ଫୁଲ, ଗର୍ଭଘଟନ (ଲାଟିନ ନାମ Gloriosa superba Linn, ସଂସ୍କୃତ ନାମ ଲାଙ୍ଗଳୀ,କଳିହାରୀ,ଅଗ୍ନିଶିଖା,ଗର୍ଭନୁତ), ରସୋଣ (Liliaceae) କୁଳ (Familly)ର ଏକ ଗଛ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ଲହଲାଙ୍ଗଳୀ, ଲାଙ୍ଗଳିଆ, ପଞ୍ଚାଙ୍ଗୁଳ, ମେହେରିଆ ଫୁଲ, ଗର୍ଭଘଟନ |
ହିନ୍ଦୀ | କଳିହାରୀ |
ଅସିମୀୟା | ଉତଟଚଣ୍ଡାଳ |
କନ୍ନଡ଼ | ଅଗ୍ନିଶିଖେ |
ଗୁଜରାଟୀ | ଦୁଧିୟୋ ବଛନାଗ |
ତାମିଲ | କଲାପ୍ପୋଇ କି ଜଙ୍ଗୁ |
ତେଲୁଗୁ | ଆଦାବିନାଭି, ପୋତ୍ଥିଦୁମ୍ପା |
ପଞ୍ଜାବୀ | କରିୟାରୀ |
ବଙ୍ଗଳା | ଉଲଟଚଣ୍ଡାଳ, ବିଲାଙ୍ଗୁଳି |
ମରାଠି | କଲଲାୱି, ଖଡ୍ୟାନାଗ |
ମାଲୟାଲମ | ମେଦୋନି, ମାଥୋନ୍ନି |
ଉଦ୍ଭିଦ ସ୍ୱରୂପ
[ସମ୍ପାଦନା]ଏହା ଏକ ବହୁବର୍ଷାୟୁ, ବୃକ୍ଷାରୋହୀ ଲତା ଅଟେ । ଏହାର କାଣ୍ଡ ପତଳା ୨୦ ଫୁଟ ଯାଏଁ ଲମ୍ବା ଏବଂ ଏହା କନ୍ଦ ସଦୃଶ ମାଂସାଳ ବହୁ ବର୍ଷାୟୁ ଭୂତଳ କାଣ୍ଡରୁ ଉଦ୍ଗମ ହୋଇଥାଏ ।
- ଭୌମିକ କାଣ୍ଡ ହାଳାକାର, ବକ୍ର, ସ୍ଥାନ ସ୍ଥାନରେ ସଙ୍କୁଚିତ ପ୍ରାୟତଃ ୧ ଫୁଟ ଲମ୍ବା ଏବଂ ୧.୫ ଇଞ୍ଚ ବ୍ୟାସ, ଅଗ୍ର ଭାଗରେ ତୀକ୍ଷ୍ଣ ହୋଇଥାଏ ।
- ପତ୍ର –ପ୍ରାୟ ବୃନ୍ତ ରହିତ, ନଟ୍ୱାକ।ର-ଭାଲାକାର, ୬-୮ଇଞ୍ଚ ଲମ୍ବା ତଥା ଅଗ୍ରଭାଗରେ ସୂତା ସମାନ ହୋଇଥାଏ । ଏହି ସୁତ୍ରାକାର ପତ୍ର ଅଗ୍ରଭାଗଦ୍ୱାରା ଏହା ଅନ୍ୟ ବୃକ୍ଷ ଉପରେ ଚଢିଥାଏ ।
- ପୁଷ୍ପ- ଚିତ୍ତାକର୍ଷକ, ଏକକ କିମ୍ବା ଗୁଚ୍ଛ ଯୁକ୍ତ ମଧ୍ୟ ହୋଇପାରେ । ପରିପୁଷ୍ପର ପାଖୁଡା ୨-୩-ଇଞ୍ଚ ଲମ୍ବା,୧/୨ ଇଞ୍ଚ ପ୍ରସ୍ଥ, ତରଙ୍ଗିତଧାର, ମୂଳରେ ସବୁଜ କ୍ରମାନ୍ୱୟରେ ପିତ ବର୍ଣ୍ଣ ଶେଷରେ ରକ୍ତ ବର୍ଣ୍ଣ ହୋଇଥାଏ । ପୁଷ୍ପ ଦଣ୍ଡ ପ୍ରାୟ ୭ ଇଞ୍ଚ ଲମ୍ବା ।
- ଫଳ – ୨ଇଞ୍ଚ ଲମ୍ବା ଏବଂ ଗୋଲାକାର ବୀଜ ସମୂହରେ ଭରପୁର ଥାଏ ।
ପୁଷ୍ପ –ଫଳ ବର୍ଷା ଋତୁରେ ହୁଏ ଏବଂ ଶୀତ ଋତୁରେ ଏହାର ଲତା ଶୁଖିଯାଏ ।
- ମୂଳସ୍ତମ୍ଭ- ଆଳୁ ସମାନ, ବୃହତ, ମଧ୍ୟ ମଧ୍ୟରେ ସଂକୀର୍ଣ୍ଣ ।
ଭୌଗଳିକ ପ୍ରାପ୍ତି ସ୍ଥାନ
[ସମ୍ପାଦନା]ଏହା ସମଗ୍ର ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ, ମାଲୟ ଦ୍ୱିପ, ଫିଲିପାଇନ, ସମସ୍ତ ଭାରତରେ ଏହା ୬ ହଜାର ଫୁଟ (ସମୁଦ୍ର ପତନ ସ୍ତର ) ଯାଏଁ ଏବଂ ପଶ୍ଚିମ ଘାଟ ଯାଏଁ ବ୍ୟାପ୍ତ । ଜିମ୍ବାବ୍ୱେ ଦେଶର ଏହା ଜାତୀୟ ପୁଷ୍ପ ଏବଂ ଆମ ଭାରତର ତାମିଲନାଡୁ ରାଜ୍ୟର ଜାତୀୟ ପୁଷ୍ପ । ଆମ ଓଡ଼ିଶାରେ ଏହା କୃଷକମାନେ ହଲ ଲଙ୍ଗଳ ପୂଜା ଉଦ୍ଦେଶ୍ୟରେ ବ୍ୟବହାର କରିଥାନ୍ତି । ଭାରତରେ ଏହା ଏକ ଲୁପ୍ତ ପ୍ରାୟ ପ୍ରଜାତି ଭାବରେ ବିବେଚିତ ।
ରାସାୟନିକ ସଙ୍ଘଟନ
[ସମ୍ପାଦନା]- ଭୌମିକ କାଣ୍ଡ: କୋଲ୍ଚିସାଇନ୍, ଗ୍ଲୋରିସାଇନ, ଟାନୀନ, ସୁପେର୍ବାଇନ, ଚେଳିଡୋନିକ ଏସିଡ, ସାଲିସାଇକ୍ଲିକ ଏସିଡ, ସୁଗନ୍ଧିତ ତୈଳ ।
- ପୁଷ୍ପ: ଲୁଟେର୍ଲିନ, ଲୁମିକୋଲଚିସାଇନ
- ଭୂ ଉପରିସ୍ଥ କାଣ୍ଡ: କୋର୍ନିଜେରିନ
ଚିକିତ୍ସା ବିଜ୍ଞାନଦ୍ୱାରା ପ୍ରମାଣିତ ତଥ୍ୟ
[ସମ୍ପାଦନା]ଶୋଥହର,ବେଦନା ସ୍ଥାପକ ଗୁଣ –ଏହାର ଭୂମିଜ କନ୍ଦ ଯଦ୍ୟପି ବିଷାକ୍ତ, ଏଥିରେ ଯଥେଷ୍ଟ ପରିମାଣରେ ଶୋଥହର(anti-inflammatory), ବେଦନସ୍ଥାପକ (analgesic) ଏବଂ ଜ୍ୱରଘ୍ନ (febrifuge) ଗୁଣ ନିହିତ ରହିଛି ।
ବାତଜ୍ୱର (Rheumatism), ସନ୍ଧିବାତ(Arthritis), ରକ୍ତବାତ(Gout) ଇତ୍ୟାଦି ରୋଗରେ ଏହାକୁ ସଫଳ ଭାବରେ ବ୍ୟବହାର କରାଯାଇ ପାରେ । ଏହି ସମସ୍ତ ରୋଗରେ ଏହା ନିଶ୍ଚିତ ଭାବେ ପ୍ରଭାବି । ଗର୍ଭପାତ ଓ ଗର୍ଭାଶୟ ସଙ୍କୋଚକ ଗୁଣ – ଏହାର କନ୍ଦ ପ୍ରଭାବି ରୂପେ ଗର୍ଭପାତ କରାଇଥାଏ । ଏହା ଅତୀବ ଭାବେ ଗର୍ଭାଶୟକୁ ସଙ୍କୁଚିତ କରିଥାଏ ।
- ପତ୍ର ରସ ଗୁଣ: ପତ୍ର ସ୍ୱରସଦ୍ୱାରା ଉକୁଣି ମାରିବାର କ୍ଷମତା ରହିଥାଏ । ସ୍ୱରସର ବାହ୍ୟ ପ୍ରୟୋଗଦ୍ୱାରା ଅନେକ ଚର୍ମ ରୋଗ ଆରୋଗ୍ୟ ହୋଇ ପାରେ ।
- କର୍କଟ ଏବଂ ଅର୍ବୁଦ ପ୍ରତିରୋଧି: ଏଥିରେ ଥିବା ରସାୟନ କୋଲ୍ଚିସାଇନ କୋଷ ବିଭାଜନକୁ ପ୍ରତିହତ କରିଥାଏ ଏବଂ କ୍ରୋମୋଜୋମର ଟ୍ୟୁବୁଲିନ ତନ୍ତୁ ଗଠନ ହେବାକୁ ଦିଏନାହିଁ, ତେଣୁ ଏହା ଅର୍ବୁଦ ଏବଂ କର୍କଟ ରୋଗ ପାଇଁ ଏକ ସୁନିଶ୍ଚିତ ଔଷଧ ଭାବେ ବ୍ୟବହୃତ ହୋଇପାରେ।
- ଯକୃତ ବିଷମୟତା ପ୍ରତିରୋଧି: ଗବେଷଣାଗାର ପରୀକ୍ଷାରେ ପ୍ରମାଣିତ ହୋଇଛି ଯେ ଲହ ଲାଙ୍ଗଳୀ କନ୍ଦର ଜଳୀୟ ଆହରିତ ସତ୍ତ୍ୱ ପାରାସିଟାମଲ୍ ଜନିତ ଯକୃତ ବିଷମୟତାକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରି ପାରିଥାଏ ।
- ଜୀବାଣୁ ନାଶକ ଶକ୍ତି: ସଳ୍ମୋନେଲା ଟାଇଫି, ଏସ୍ଚେରେଚିଆ କୋଲାଇ, ପ୍ରୋଟିୟାସ ଭଲ୍ଗାରିସ ଇତ୍ୟାଦି ଜୀବାଣୁ ଜାତି ସମୂହକୁ ଏବଂ ଅସ୍ପେର୍ଜିଲସ ନାଇଜର ଏବଂ ମ୍ୟୁକର ଇତ୍ୟାଦି ବୀଜାଣୁ ସମୂହ ଗୁଡିକୁ ପ୍ରଭାବି ଭାବେ ମାରିବାର କ୍ଷମତା ଏହାର ସୁରା ଆହରିତ ସତ୍ୱରେ ନିହିତ ।
- ଘରୋଇ ବ୍ୟବହାର: ଏହାର ଚେର ଏବଂ କାଣ୍ଡ, କନ୍ଦକୁ ସର୍ପ ବିଷକୁ ପ୍ରତିହତ କରିବା ପାଇଁ ବ୍ୟବହାର କରାଯାଏ । ଏହାର କନ୍ଦକୁ ଦ୍ୱାର ଓ ଝରକା ମୁହଁରେ ରଖିବାଦ୍ୱାରା ବିଷାକ୍ତ ସର୍ପ ଗୃହ ମଧ୍ୟକୁ ପ୍ରବେଶ କରନ୍ତି ନାହିଁ ।
ଆୟୁର୍ବେଦ ମତରେ ଗୁଣ ଏବଂ ବ୍ୟବହାର
[ସମ୍ପାଦନା]ବିଶେଷତା | ଗୁଣ |
---|---|
ଗୁଣ | ଲଘୁ ,ତୀକ୍ଷ୍ଣ |
ରସ | କଟୁ,ତିକ୍ତ |
ବୀର୍ଯ୍ୟ | ଉଷ୍ଣ |
ବିପାକ | କଟୁ |
ପ୍ରଭାବ | ଗର୍ଭପାତନ |
ଦୋଷକର୍ମ
[ସମ୍ପାଦନା]- ଉଷ୍ଣ ବୀର୍ଯ୍ୟ ,କଫ ବାତ ଶାମକ
- ସଂସ୍ଥାନିକ କର୍ମ –ବାହ୍ୟ – ଏହାର ଲେପ ରକ୍ତୋତ୍କ୍ଳେଶକ ,କ୍ଷୋଭକ,କୃମିଘ୍ନ ତଥା ଗର୍ଭପାତନ କରାଏ । ଏହାକୁ ଶୋଥ,ବ୍ରଣ,ଗଣ୍ଡମାଳା,ଅର୍ଶ ,ଚର୍ମ ରୋଗ ତଥା ବୃଶ୍ଚିକ ,ସର୍ପ ଆଦି ଦଂଶନରେ ଲେପ କରାଯାଇ ଥାଏ । ଶରୀର ଭିତରେ କୌଣସି ଶଲ୍ୟ (ତୀର,କଣ୍ଟା) ପଶିଯାଇ ଥିଲେ ତ୍ୱଚାରେ ଲେପ କରିବାଦ୍ୱାରା ଏହା ବାହାରିଯାଇଥାଏ । ସୁଖ ପ୍ରସବ ପାଇଁ ଅପରାପାତନ ପାଇଁ ଏହାର କନ୍ଦର ଲେପକୁ ହାଥ ଏବଂ ପାଦର ଊର୍ଦ୍ଧ୍ୱ ପାର୍ଶ୍ୱରେ,ନାଭି ଏବଂ ବଂକ୍ଷଣ,ବସ୍ତିପ୍ରଦେଶରେ ଲେପ କରାଯାଏ । ଗର୍ଭ ନିଷ୍କାସନାର୍ଥ ଏହାର କନ୍ଦ ଯୋନିରେ ରଖାଯାଏ ।
- ଆଭ୍ୟନ୍ତର- ପାଚନ ସଂସ୍ଥାନ-ଅଳ୍ପ ମାତ୍ରାରେ ଏହା ଦୀପନ ,ପିତ୍ତସାରକ, କୃମିଘ୍ନ ଅଟେ । ଏହାର ଚୂର୍ଣ୍ଣ ଅଗ୍ନିମାନ୍ଦ୍ୟ ,ପିତ୍ତବିକାର ତଥା କୃମି ରୋଗରେ ପ୍ରୟୋଗ କରାଯାଏ । ଅଧିକ ମାତ୍ରାରେ –ରେଚକ ,ବାମକ ତଥା ଆମାଶୟରେ ତୀବ୍ର ଦାହ ଏବଂ କ୍ଷୋଭ ଉତ୍ପନ୍ନ କରାଏ ।
- ରକ୍ତବହ ସଂସ୍ଥାନ – ରକ୍ତ ରୋଧକ ,କୁଷ୍ଠ ରୋଗରେ ଦିଆଯାଏ ।
- ପ୍ରଜନନ ସଂସ୍ଥାନ – ଗର୍ଭାଶୟ ସଙ୍କୋଚକ , କଷ୍ଟ ପ୍ରସବରେ ଏବଂ ଗର୍ଭାନିଷ୍କାସନାର୍ଥ ଏହାର ଚୂର୍ଣ୍ଣ ପ୍ରୟୋଗ ହୁଏ ।
- ତାପକ୍ରମ- ବିଷମଜ୍ୱରଘ୍ନ ଅଟେ ।
- ସାତ୍ମୀକରଣ- ଅଳ୍ପ ମାତ୍ରାରେ ବାଲ୍ୟ ଏବଂ ରସାୟନ ଅଟେ ।
- ବିଷାକ୍ତ ପ୍ରଭାବ- ବମନ ,ବିରେଚନ ,ଉଦର ଶୂଳ ତଥା ହୃଦୟାବରୋଧଦ୍ୱାରା ମୃତ୍ୟୁ ହୁଏ ।
- ପ୍ରଯୋଜ୍ୟ ଅଙ୍ଗ – କନ୍ଦ
- ମାତ୍ରା- ୨୫୦-୫୦୦ ମିଲିଗ୍ରାମ
- ବିଶିଷ୍ଟ ଯୋଗ –କାସୀସାଦି ତୈଳ ,ଲାଙ୍ଗଳୀ ରସାୟନ ।
ଆଧାର
[ସମ୍ପାଦନା]- ଦ୍ରବ୍ୟଗୁଣ ବିଜ୍ଞାନ –ଖଣ୍ଡ-୨ ବରିଷ୍ଠ-ଅଧ୍ୟାପକ-ପ୍ରିୟବ୍ରତ ଶର୍ମା ,Dravyaguna-vijnana –VOL-II –proff. Priyavrata Sharma ,postgraduate institute of Indian medicines, B.H.U.Varnasi
- Ayurvedic pharmacopeia of India.
- Dr. Deepak Acharya, Garima Sancheti, Dr Anshu Shrivastava, Dr Sanjay Pawar, Rare Herb of Patalkot: Gloriosa superba. (2006-10-24)
- Disabled World[permanent dead link]
- Analgesic and anti-inflammatory activities of the hydroalcoholic extract from Gloriosa superba Linn-Jomy C John, Jennifer Fernandes, Tanaji Nandgude, Samir R Niphade, Alok Savla, Pradeep T Deshmukh Year : 2009 | Volume : 3 | Issue : 3 | Page : 215-219 IJGP
- Radha AKG, Siddha herbs exclusively used in skin diseases
- Kavina J, Gopi R* and R Panneerselvam- Gloriosa superba Linn – A Medicinally important plant -June, 2011 Drug Invention Today, 2011, 3(6), 69-71
- Indhumathi.T, DR.S.Mohandass- Hepatoprotective efficacy of Gloriosa superba against paracetamol treated experimental rats-An in vivo study-Vol - I , ISSUE - IX October 2011 : Biochemistry –Indian Stream of Research Journal .
- Shanmugam Hemaiswarya, Rathinam Raja, Chinnathambi ,Anbazhagan, Venkatesan Thiagarajan, Antimicrobial And Mutagenic Properties Of The Root Tubers Of Gloriosa Superba Linn. (Kalihari)- Pak. J. Bot., 41(1): 293-299 (2009).