ଦୁଦୁରା
ଧାତୁରା | |
---|---|
'ଦୁରୁରା' | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Solanales |
କୁଳ: | Solanaceae |
ପ୍ରଜାତି: | Datura |
ଜାତି: | D. Fastuosa |
ବାଇନୋମିଆଲ ନାମ | |
Datura Fastuosa Carolus Linnaeus
|
ଦୁଦୁରା ଏକ ଗୁଳ୍ମ ଜାତୀୟ ଊଦ୍ଭିଦ। ଗଛ, ନାଡ଼, ପତ୍ର, ଡେମ୍ଫ ଓ ଫୁଲର ରଙ୍ଗକୁ ନେଇ ଶୁକ୍ଳ ଓ କୃଷ୍ଣ ଭେଦରେ ମୁଖ୍ୟତଃ ଏହା ଦୁଇ ଜାତିର ହୋଇଥାଏ । କୃଷ୍ଣ ବା କଳା ଦୁଦୁରାର ବି ଆଉ ଏକ ଶ୍ରେଣୀ ରହିଛି ଯାହା ଦେଖିବାକୁ ଗାଢ଼ କଳା, ତାକୁ ତ୍ରିପୁରା କଳା ଦୁଦୁରା କୁହାଯାଏ । ଏ ଜାତିଟି ଦୁଦୁରାରେ ଶ୍ରେଷ୍ଠ ଓ ଉତ୍କୃଷ୍ଟ ବିଷ ଅଟେ। ଏହା ଛଡା କନକ ଧୁତୁରୀ ବୋଲି ଆଉ ଏକ ବିରଳ ଜାତିର ଦୁଦୁରା ମଧ୍ୟ ଦେଖାଯାଏ । ଏଇ ତିନି ଜାତିର ଦୁଦୁରା ଗୁଣରେ ସମାନ ହୋଇଥାଏ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ଧାତୁରା, ଦୁଦୁରା |
ସଂସ୍କୃତ | ଧୂର୍ତ୍ତ, ଧସ୍ତୁର, ଉନ୍ମତ୍ତ, ଶିବପ୍ରିୟ, କନକାହ୍ୱୟ, ମାତୁଳ, ମଦନ, କୀତବ, ଦେବିକା, ତୁରା, ମହାମେହୀ ଓ ଉପରଗଳ ଆଦି କୁହାଯାଏ। |
ହିନ୍ଦୀ | ଧାତୁରା |
ତେଲୁଗୁ | ଉନ୍ମେତ୍ତା ଚେଟ୍ଟୁ |
ବଙ୍ଗଳା | ଧସ୍ତୁର |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଉଷ୍ଣବୀର୍ଯ୍ୟ, ଗୁରୁ, ମୂର୍ଚ୍ଛାଜନକ । ମାତ୍ରା ଏକ ରତିରୁ ପାଞ୍ଚ ରତି।
ବ୍ୟବହାର
[ସମ୍ପାଦନା]ଏହାର ସର୍ବାଙ୍ଗ, ବିଶେଷ କରି ପତ୍ର ଔଷଧୀୟ କାମରେ ଲାଗେ । ଏହାର ବ୍ୟବହାର ଅତି ସାବଧାନତାର ସହ କରାଯିବା ଦରକାର, କାରଣ ଏହା ବିଷାକ୍ତ ଅଟେ । ଏହାର ବିଷ ଦେହରେ ପ୍ରବେଶ କଲେ, ଲୋକକୁ ପାଗଳ କରି ଦେଇପାରେ । ଏହାକୁ ଶୋଧନ ପରେ ବ୍ୟବହାର କରା ଯାଇଥାଏ । ଏହା ବର୍ଣ୍ଣକାରକ, ମତ୍ତକାରକ, ନିଦ୍ରାକାରକ, ଅଗ୍ନିମାନ୍ଦ୍ୟକାରକ, ପ୍ରଳାପ, କୁଷ୍ଠ, ବ୍ରଣ, ଜ୍ୱର, ଚର୍ମରୋଗ, ବିଷଦୋଷ, କୃମି, ଶୋଥପିତ୍ତ, ପିତ୍ତବିକାର, ଶ୍ଲେଷ୍ମ, ବାତପୀଡ଼ା ଓ ଶ୍ୱାସ ନିବାରକ ଅଟେ ।
କାନରୁ ପୂଜଗଡ଼ା ଓ କାନ ଭିତରର କ୍ଷତକୁ ଠିକ୍ କରିବାପାଇଁ କଳା ଦୁଦୁରାର ପତ୍ରର ରସକୁ ଟାଙ୍ଗଣା ଖଇ ଚୂର୍ଣ୍ଣ ସହିତ, ଅଥବା ରାଶି ତେଲ ସହିତ ମିଶାଇ ପ୍ରୟୋଗ କରାଯାଏ । ପତ୍ରକୁ ବାଟି ପାଦରେ ଲେପିଲେ ଘୋଳାବିନ୍ଧା ଓ ଅଧିକ ଝାଳ ଗଡ଼ିବା ନିବାରିତ ହୁଏ । କେଶର ଅକାଳ ପକ୍ୱତା ପାଇଁ କଳା ଦୁଦୁରା ପତ୍ର ରସ ସହିତ ଟଭାଲେମ୍ବୂ ରସର ପ୍ରୟୋଗ କରାଯାଏ । ଏହାର ମଞ୍ଜିଖାଇ କେହି ପାଗଳ ପରି ପ୍ରଳାପ କରୁଥିଲେ, କଞ୍ଚା ଗାଈଦୁଧ ସହିତ ଗାଈଘିଅ ମିଶାଇ ଦେଲେ, ଉପଶମ ହୁଏ । ଏହାଛଡା, ବଥ, ଛଉ, ବ୍ରଣ, ବିଇଞ୍ଚି, ଗୋଦର, ଏକଶିରା ଇତ୍ୟାଦିରେ ଏହାର ପ୍ରୟୋଗ ହୋଇଥାଏ । ଏହାର ପତ୍ର ରସରେ ସୋରିଷତେଲ ଲଗାଇ ନିଆଁରେ ସେକି ଫୁଲାସ୍ଥାନରେ ଲଗାଇଲେ ତାହା ପ୍ରଶମିତ ହୁଏ। ଏହାର ପତ୍ରର ରସ ଲେପନଦ୍ୱାରା ମୁଣ୍ଡଚନ୍ଦା, ବାତରକ୍ତ ଓ ଗାଲମୂଳ ପୀଡ଼ା ନିବାରିତ ହୋଇଥାଏ ।
ନିୟମିତ ଭାବେ ଏହାର ଫୁଲରେ ଶିବଙ୍କୁ ପୂଜାକଲେ, ଶିବ ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ରହିଛି।
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ