ଦୁଦୁରା

ଉଇକିପିଡ଼ିଆ ରୁ
Jump to navigation Jump to search
ଧାତୁରା
Datura inoxia1SHSU.jpg
DaturaMetel-plant.jpg
'ଦୁରୁରା'
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Solanales
କୁଳ: Solanaceae
ପ୍ରଜାତି: Datura
ଜାତି: D. Fastuosa
ବାଇନୋମିଆଲ ନାମ
Datura Fastuosa
Carolus Linnaeus

ଦୁଦୁରା ଏକ ଗୁଳ୍ମ ଜାତୀୟ ଊଦ୍ଭିଦ। ଗଛ, ନାଡ଼, ପତ୍ର, ଡେମ୍ଫ ଓ ଫୁଲର ରଙ୍ଗକୁ ନେଇ ଶୁକ୍ଳ ଓ କୃଷ୍ଣ ଭେଦରେ ମୁଖ୍ୟତଃ ଏହା ଦୁଇ ଜାତିର ହୋଇଥାଏ । କୃଷ୍ଣ ବା କଳା ଦୁଦୁରାର ବି ଆଉ ଏକ ଶ୍ରେଣୀ ରହିଛି ଯାହା ଦେଖିବାକୁ ଗାଢ଼ କଳା, ତାକୁ ତ୍ରିପୁରା କଳା ଦୁଦୁରା କୁହାଯାଏ । ଏ ଜାତିଟି ଦୁଦୁରାରେ ଶ୍ରେଷ୍ଠ ଓ ଉତ୍କୃଷ୍ଟ ବିଷ ଅଟେ। ଏହା ଛଡା କନକ ଧୁତୁରୀ ବୋଲି ଆଉ ଏକ ବିରଳ ଜାତିର ଦୁଦୁରା ମଧ୍ୟ ଦେଖାଯାଏ । ଏଇ ତିନି ଜାତିର ଦୁଦୁରା ଗୁଣରେ ସମାନ ହୋଇଥାଏ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଧାତୁରା, ଦୁଦୁରା
ସଂସ୍କୃତ ଧୂର୍ତ୍ତ, ଧସ୍ତୁର, ଉନ୍ମତ୍ତ, ଶିବପ୍ରିୟ, କନକାହ୍ୱୟ, ମାତୁଳ, ମଦନ, କୀତବ, ଦେବିକା, ତୁରା, ମହାମେହୀ ଓ ଉପରଗଳ ଆଦି କୁହାଯାଏ।
ହିନ୍ଦୀ ଧାତୁରା
ତେଲୁଗୁ ଉନ୍ମେତ୍ତା ଚେଟ୍ଟୁ
ବଙ୍ଗଳା ଧସ୍ତୁର

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଉଷ୍ଣବୀର୍ଯ୍ୟ, ଗୁରୁ, ମୂର୍ଚ୍ଛାଜନକ । ମାତ୍ରା ଏକ ରତିରୁ ପାଞ୍ଚ ରତି।

ବ୍ୟବହାର[ସମ୍ପାଦନା]

ଏହାର ସର୍ବାଙ୍ଗ, ବିଶେଷ କରି ପତ୍ର ଔଷଧୀୟ କାମରେ ଲାଗେ । ଏହାର ବ୍ୟବହାର ଅତି ସାବଧାନତାର ସହ କରାଯିବା ଦରକାର, କାରଣ ଏହା ବିଷାକ୍ତ ଅଟେ । ଏହାର ବିଷ ଦେହରେ ପ୍ରବେଶ କଲେ, ଲୋକକୁ ପାଗଳ କରି ଦେଇପାରେ । ଏହାକୁ ଶୋଧନ ପରେ ବ୍ୟବହାର କରା ଯାଇଥାଏ । ଏହା ବର୍ଣ୍ଣକାରକ, ମତ୍ତକାରକ, ନିଦ୍ରାକାରକ, ଅଗ୍ନିମାନ୍ଦ୍ୟକାରକ, ପ୍ରଳାପ, କୁଷ୍ଠ, ବ୍ରଣ, ଜ୍ୱର, ଚର୍ମରୋଗ, ବିଷଦୋଷ, କୃମି, ଶୋଥପିତ୍ତ, ପିତ୍ତବିକାର, ଶ୍ଲେଷ୍ମ, ବାତପୀଡ଼ା ଓ ଶ୍ୱାସ ନିବାରକ ଅଟେ ।

କାନରୁ ପୂଜଗଡ଼ା ଓ କାନ ଭିତରର କ୍ଷତକୁ ଠିକ୍ କରିବାପାଇଁ କଳା ଦୁଦୁରାର ପତ୍ରର ରସକୁ ଟାଙ୍ଗଣା ଖଇ ଚୂର୍ଣ୍ଣ ସହିତ, ଅଥବା ରାଶି ତେଲ ସହିତ ମିଶାଇ ପ୍ରୟୋଗ କରାଯାଏ । ପତ୍ରକୁ ବାଟି ପାଦରେ ଲେପିଲେ ଘୋଳାବିନ୍ଧା ଓ ଅଧିକ ଝାଳ ଗଡ଼ିବା ନିବାରିତ ହୁଏ । କେଶର ଅକାଳ ପକ୍ୱତା ପାଇଁ କଳା ଦୁଦୁରା ପତ୍ର ରସ ସହିତ ଟଭାଲେମ୍ବୂ ରସର ପ୍ରୟୋଗ କରାଯାଏ । ଏହାର ମଞ୍ଜିଖାଇ କେହି ପାଗଳ ପରି ପ୍ରଳାପ କରୁଥିଲେ, କଞ୍ଚା ଗାଈଦୁଧ ସହିତ ଗାଈଘିଅ ମିଶାଇ ଦେଲେ, ଉପଶମ ହୁଏ । ଏହାଛଡା, ବଥ, ଛଉ, ବ୍ରଣ, ବିଇଞ୍ଚି, ଗୋଦର, ଏକଶିରା ଇତ୍ୟାଦିରେ ଏହାର ପ୍ରୟୋଗ ହୋଇଥାଏ । ଏହାର ପତ୍ର ରସରେ ସୋରିଷତେଲ ଲଗାଇ ନିଆଁରେ ସେକି ଫୁଲାସ୍ଥାନରେ ଲଗାଇଲେ ତାହା ପ୍ରଶମିତ ହୁଏ। ଏହାର ପତ୍ରର ରସ ଲେପନଦ୍ୱାରା ମୁଣ୍ଡଚନ୍ଦା, ବାତରକ୍ତ ଓ ଗାଲମୂଳ ପୀଡା ନିବାରିତ ହୋଇଥାଏ ।

ନିୟମିତ ଭାବେ ଏହାର ଫୁଲରେ ଶିବଙ୍କୁ ପୂଜାକଲେ, ଶିବ ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ରହିଛି।

ବାହାର ଆଧାର[ସମ୍ପାଦନା]

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ