ସୋମ ବଂଶ
ଅଷ୍ଟମ ଶତାବ୍ଦୀର ଆଦ୍ୟ ଭାଗରେ ଯେତେବେଳେ ଭୌମ କର ରାଜବଂଶ ତୋଷାଳୀରେ ରାଜତ୍ୱ କଲେ, ତା'ର କିଛି କାଳ ଆଗରୁ ସପ୍ତମ ଶତାବ୍ଦୀର ଶେଷ ଆଡ଼କୁ ଦକ୍ଷିଣ କୋଶଳରେ ସୋମ ବଂଶର ଅଭ୍ୟୁତ୍ଥାନ ହେଲା । ଆଧୁନିକ ଛତିଶଗଡ଼ର ରାୟପୁର, ବିଳାସପୁର ଓ ରାୟଗଡ଼ର କିଛି ଅଂଶକୁ ନେଇ ସେତେବେଳେ ଦକ୍ଷିଣ କୋଶଳ ରାଜ୍ୟ ଗଠିତ ହୋଇଥିଲା । କାଳକ୍ରମେ ଏହି ବଂଶ ପଶ୍ଚିମ ଓଡ଼ିଶା ଦେଇ ଓଡ଼ିଶାର ଅଭ୍ୟନ୍ତରକୁ ରାଜ୍ୟ ବିସ୍ତାର କଲେ ଏବଂ ଓଡ଼ିଶାରେ ଥିବା କ୍ଷୁଦ୍ର ରାଜ୍ୟଗୁଡ଼ିକୁ ଅଧିକାରଭୁକ୍ତ କଲେ । ଭୌମମାନଙ୍କର ରାଜ୍ୟ ଧୀରେ ଧୀରେ ସୋମବଂଶୀମାନଙ୍କ କର୍ତ୍ତୃତ୍ୱକୁ ଗଲା । ଭୌମ ସାମନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ସୋମବଂଶୀମାନେ ଅଧିକାର କରିନେଇ ପ୍ରାକୃତିକ ଓଡ଼ିଶାର ବହୁ ଅଂଶକୁ ଏକଶାସନାଧୀନ କଲେ । ଦୀର୍ଘ ତିନି ଶତାବ୍ଦୀ ଧରି ସୋମବଂଶୀମାନେ ଓଡ଼ିଶାରେ ରାଜତ୍ୱ କଲେ ଏବଂ ସେଠାରେ ପ୍ରାୟ ଏକ ପ୍ରକାରର ରାଜନୀତି, ଶାସନ ଓ ସଂସ୍କୃତି ନିର୍ମାଣ କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ହାତୀଗୁମ୍ଫା ଶିଳାଲେଖ ଅନୁଯାୟୀ ଖାରବେଳଙ୍କ ସାମ୍ରାଜ୍ୟ ହୁଏତ ପ୍ରାଚୀନ କାଳର ଏକ ବିଶାଳ ରାଜ୍ୟ ଥିଲା । ମାତ୍ର ତା'ପରେ ସୋମବଂଶୀମାନେ ହିଁ ସମଗ୍ର ଓଡ଼ିଶାକୁ ଏକଶାସନାଧୀନ କଲେ ଓ ସେଠାରେ ଏକ ବିଶାଳ ସାମ୍ରାଜ୍ୟ ଗଠନ କଲେ । ସେତିକି ବିଶାଳ ରାଜ୍ୟ ଅତୀତରେ ଓଡ଼ିଶାରେ ଆଉ କେବେ ଗଠିତ ହୋଇ ନଥିଲା ।[୧]
ସୋମବଂଶୀଙ୍କ ଇତିହାସ
[ସମ୍ପାଦନା]ପ୍ରଥମେ, ସୋମବଂଶୀମାନେ ଦକ୍ଷିଣ କୋଶଳରେ ସୀମାବଦ୍ଧ ଥିଲେ । ଆଧୁନିକ ଛତିଶଗଡ଼ର ଶିରପୁର ଥିଲା ସେମାନଙ୍କର ରାଜଧାନୀ । ଦକ୍ଷିଣ କୋଶଳରେ ରାଜୁତି କରିବା ପୂର୍ବରୁ ସେମାନେ ପାଣ୍ଡୁବଂଶ ଭାବରେ ପରିଚିତ ଥିଲେ । ଶରଭପୁରୀୟଙ୍କ ଅଧୀନରେ ପ୍ରାଶାସନିକ ଅଧିକାରୀ ରୂପେ ରାଜନୀତି ଆରମ୍ଭ କରି କାଳକ୍ରମେ ସେମାନେ ରାଜପରିବାର ସହ ବିବାହ ସମ୍ବନ୍ଧ ସ୍ଥାପନ କରିଥିଲେ । ଏବଂ ସାମାଜିକ ଦୃଷ୍ଟିରୁ ଶରଭପୁରୀୟ ରାଜ ପରିବାର ସ୍ତରକୁ ଉନ୍ନୀତ ହେଲେ । କୁହାଯାଏ, ଶରଭପୁରୀୟ ବଂଶରେ ପୁତ୍ର ସନ୍ତାନ ନହେବାରୁ ପାଣ୍ଡୁବଂଶୀ ତିବରଦେବଙ୍କୁ ଶରଭପୁରୀୟ ରାଜସିଂହାସନ ପ୍ରାପ୍ତ ହେଲା ଏବଂ ଏହି ପ୍ରକ୍ରିୟାରେ ସୋମବଂଶୀମାନେ ରାଜବଂଶର ମର୍ଯ୍ୟାଦା ଲାଭ କଲେ । କାଳାଚୁରୀ ରାଜାମାନଙ୍କ ବାରମ୍ବାର ଆକ୍ରମଣଯୋଗୁଁ ଏହି ସମୟରେ ପାଣ୍ଡୁବଂଶୀ ନାମରେ ପରିଚିତ ସୋମବଂଶୀମାନେ ଉତ୍କଳ ଆଡ଼କୁ ଅଗ୍ରସର ହେଲେ ଏବଂ କାଳକ୍ରମେ ଓଡ଼ିଶାରେ ସ୍ଥାୟୀ ଭାବେ ରାଜ୍ୟ ପ୍ରତିଷ୍ଠା କଲେ ।[୧]
ସୋମବଂଶୀମାନେ ଆରମ୍ଭରେ ଯେତେବେଳେ ପାଣ୍ଡୁବଂଶୀ ଭାବରେ ପରିଚିତ ଥିଲେ, ସେତେବେଳେ ସେମାନଙ୍କ ମୋଟ ଶାସନ କାଳ ୭୦୦ରୁ ୮୧୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସୀମିତ ଥିଲା ବୋଲି ଅନୁମାନ କରାଯାଏ । ପାଣ୍ଡୁବଂଶୀ ଭାବରେ ସେମାନେ ଦକ୍ଷିଣ କୋଶଳରେ ରାଜତ୍ୱ କରୁଥିଲେ । ସେମାନଙ୍କର ବଂଶଧରମାନେ କ୍ରମାନ୍ୱୟରେ ହେଲେ ଚନ୍ଦ୍ରଗୁପ୍ତ, ହର୍ଷଗୁପ୍ତ ଓ ବାଳାର୍ଜୁନ । ବାଳାର୍ଜୁନ ଦୀର୍ଘ ୫୭ ବର୍ଷ ଧରି ରାଜ୍ୟ ଶାସନ କରି ଥିଲେ ଏବଂ ନିଜ ରାଜତ୍ୱ କାଳରେ ଅନେକ ଗୁଡ଼ିଏ ତାମ୍ରଶାସନ ପ୍ରଦାନ କରିଥିଲେ । ବାଳାର୍ଜୁନ ଶୈବଧର୍ମର ଉପାସକ ଥିଲେ ଏବଂ ତା' ସହିତ ବୌଦ୍ଧଧର୍ମର ପୃଷ୍ଠପୋଷକତା କରୁଥିଲେ ବୋଲି ତାମ୍ରଶାସନରୁ ଜଣାଯାଏ । ତାଙ୍କ ସମୟରେ ଶିରପୁରଠାରେ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା ।
ବାଳାର୍ଜୁନଙ୍କ ପରବର୍ତ୍ତୀ ପାଣ୍ଡୁବଂଶୀ ରାଜାମାନେ ନିଜକୁ ସୋମବଂଶୀ ବୋଲି ଅଭିହିତ କରିଥିଲେ । ନବମ ଶତାବ୍ଦୀର ମଧ୍ୟ ଭାଗରୁ (୮୫୦ ଖ୍ରୀଷ୍ଟାବ୍ଦରୁ) ଦ୍ୱାଦଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ (୧୧୦୦-୧୧୧୦ ଖ୍ରୀଷ୍ଟାବ୍ଦ) ସେମାନେ ଓଡ଼ିଶାରେ ରାଜତ୍ୱ କରିଥିଲେ । ନିଜ ନାମ ସହିତ ଅଭିଷେକ ନାମ 'ମହାଶିବଗୁପ୍ତ' ଓ 'ମହାଭବଗୁପ୍ତ' ପଦବୀ ଗ୍ରହଣ କରି ସେମାନେ ନିଜ ଗୌରବ ଓ ପରାକ୍ରମର ପରିଚୟ ଦେଇଥିଲେ । ସେମାନେ କାହାରି ସାମନ୍ତରାଜା ନ ଥିଲେ ।
ଦୀର୍ଘ ୨୬୦ ବର୍ଷ ଧରି ଓଡ଼ିଶାରେ ଶାସନ କରିଥିବା ସୋମବଂଶୀୟ ରାଜାମାନେ ହେଉଛନ୍ତି ।[୧]
ପ୍ରଥମ ଜନ୍ମେଜୟ(ଖ୍ରୀ:ଅ: ୮୮୨-୯୨୨) | |||||||||||||||||||||||||||
ପ୍ରଥମ ମହାଶିବ ଗୁପ୍ତ(ଖ୍ରୀ:ଅ: ୯୨୨-୯୫୫) | |||||||||||||||||||||||||||
ଭୀମରଥ ଦ୍ୱିତୀୟ ମହାଭବଗୁପ୍ତ(ଖ୍ରୀ:ଅ:୯୫୫-୯୮୫) | |||||||||||||||||||||||||||
ଧର୍ମରଥ ଦ୍ୱିତୀୟ ମହାଶିବଗୁପ୍ତ(ଖ୍ରୀ:ଅ:୯୮୦-୧୦୦୫) | |||||||||||||||||||||||||||
ନହୁଷ ତୃତୀୟ ମହାଭବଗୁପ୍ତ(ଖ୍ରୀ:ଅ:୧୦୦୫-୧୦୨୧) | |||||||||||||||||||||||||||
ଦ୍ୱିତୀୟ ଯଯାତି ଚଣ୍ଡିହର ଦ୍ୱିତୀୟ ମହାଶିବଗୁପ୍ତ(ଖ୍ରୀ:ଅ: ୧୦୨୫-୧୦୪୦) | |||||||||||||||||||||||||||
ଉଦ୍ୟୋତ କେଶରୀ ଚତୁର୍ଥ ମହାଭବଗୁପ୍ତ(ଖ୍ରୀ:ଅ:୧୦୪୦-୧୦୬୫) | |||||||||||||||||||||||||||
ଦ୍ୱିତୀୟ ଜନ୍ମେଜୟ ଚତୁର୍ଥ ମହାଶିବଗୁପ୍ତ(ଖ୍ରୀ:ଅ:୧୦୬୫-୧୦୮୫) | |||||||||||||||||||||||||||
ପୁରଞ୍ଜୟ ପଞ୍ଚମ ମହାଭବଗୁପ୍ତ(ଖ୍ରୀ:ଅ:୧୦୮୫-୧୧୦୦) | |||||||||||||||||||||||||||
କର୍ଣ୍ଣଦେବ ପଞ୍ଚମ ମହାଶିବଗୁପ୍ତ(ଖ୍ରୀ:ଅ:୧୧୦୦-୧୧୧୦) | |||||||||||||||||||||||||||
ସୋମବଂଶୀଙ୍କ କାର୍ଯ୍ୟ
[ସମ୍ପାଦନା]ଉତ୍ତର ଭାରତରୁ ବହୁ ସଂଖ୍ୟାରେ ବ୍ରାହ୍ମଣମାନଙ୍କୁ ଓଡ଼ିଶାରେ ବସତି ସ୍ଥାପନ କରିବାକୁ ସୁବିଧା ସୁଯୋଗ ଦେଇ ସେମାନେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା ବୃଦ୍ଧି କଲେ । ସାମାଜିକ ବର୍ଗୀକରଣ, ବ୍ରାହ୍ମଣ୍ୟ ଧର୍ମର ପ୍ରସାର ଓ ସାମ୍ରାଜ୍ୟ ବିସ୍ତାରର ପ୍ରକ୍ରିୟା ମଧ୍ୟରେ ଅନୁପୂରକତା ଦେଖିବାକୁ ମିଳିଲା । ଭୌମମାନଙ୍କ ସମୟରେ ପାର୍ବତ୍ୟାଞ୍ଚଳରେ ସ୍ଥାପିତ ମଣ୍ଡଳ ରାଜ୍ୟଗୁଡିକରେ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ମିଳିଥିଲା । ସୋମବଂଶୀମାନଙ୍କ ସମୟରେ ବାହାରୁ ସେମାନଙ୍କୁ ଅଣାଗଲା ।
ସୋମବଂଶୀ ରାଜାମାନେ ବିଭିନ୍ନ ସମୟରେ ସେମାନଙ୍କର ବିଜୟର ଧ୍ୱଜା ଉଡ଼ାଇବା ସହ ବିଭିନ୍ନ ସହର ଯଥା ସୁବର୍ଣ୍ଣପୁର, ବିନିତପୁର, ଯଯାତିନଗର ଆଦି ସ୍ଥାନମାନଙ୍କରେ ସେମାନଙ୍କର ରାଜାଧାନୀ କରିଥିଲେ । ସୋମବଂଶୀଙ୍କ ପ୍ରଥମ ରାଜା ଜନ୍ମେଞ୍ଜୟଙ୍କଦ୍ୱାରା ସୁବର୍ଣପୁରରରେ ତାଙ୍କର ରାଜଧାନୀ ପ୍ରତିଷ୍ଠା କରିଥିଲେ । ଏବଂ ପରେ ପରେ ସେ ନିଜର ଯୁଦ୍ଧଯାତ୍ରା ପାଇଁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିଥିଲେ । ରାଜତ୍ୱର ୩୪ତମ ବର୍ଷରେ ସେ ପୁଣି ସୁବର୍ଣ୍ଣପୁରକୁ ତାଙ୍କ ରାଜଧାନୀ ଉଠାଇ ଆଣିଥିଲେ । ମହାଶିବଗୁପ୍ତ ଯଯାତିଙ୍କ ସମୟରେ ଅଧିକ ଥର ରାଜଧାନୀ ସ୍ଥାନାନ୍ତର ହୋଇଥିବାର ଜଣାଯାଏ ।[୨]
ସୋମବଂଶୀ ରଜାମାନେ ଓଡ଼ିଶାରେ ବହୁତ ମନ୍ଦିର ନିର୍ମାଣ କରିଛନ୍ତି । ସେମବଂଶୀ ରାଜା ଯଯାତି ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପୁରୀରେ ୩୮ଟି ମନ୍ଦିର ନିର୍ମାଣ କରିଥିଲେ ବୋଲି ବିଶ୍ୱାସ କରାଯାଏ । ମନ୍ଦିରମାଳିନୀ ସହର ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟାରମ୍ଭ ମଧ୍ୟ ଯଯାତିଙ୍କଦ୍ୱାରା କରାଯାଇଥିଲା ।[୩] ଯଯାତି କେଶରୀ ମଧ୍ୟ ଯାଜପୁରରେ କିଛିଦିନ ତାଙ୍କର ରାଜଧାନୀ ସ୍ଥାପନ କରି ରଖିଥିଲେ ।[୪]
ସୋମବଂଶର ପତନ
[ସମ୍ପାଦନା]ଏକାଦଶ ଶତାବ୍ଦୀର ଶେଷ ବେଳକୁ ସୋମବଂଶୀ ରାଜ୍ୟ ଅତ୍ୟନ୍ତ ଦୁର୍ବଳ ହୋଇପଡିଲା । କାଳାଚୁରୀ, ଚୋଳ ଓ ଗୌଡ଼ମାନଙ୍କ ଅପେକ୍ଷା ସେମାନଙ୍କର ଅଧିକ ବଡ଼ ଶତ୍ରୁ ଭାବରେ ଉତ୍ତର ଗଙ୍ଗବଂଶ ବା ପରବର୍ତ୍ତୀ ଗଙ୍ଗବଂଶ ରାଜ୍ୟ ସମ୍ମୁଖକୁ ଆସିଲା । ଦିରଘାସି ଶିଳାଲେଖରୁ ଜଣାଯାଏ ଯେ ଗଙ୍ଗରାଜା ପ୍ରଥମ ରାଜରାଜ ଦେବେନ୍ଦ୍ର ବର୍ମାଙ୍କର ସେନାପତି ଖିମିଡି, ଓଡ୍ର ଓ କୋଶଳ ଆଦି ରାଜ୍ୟର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ । ସୋମବଂଶର ଶେଷ ରାଜା ଥିଲେ କର୍ଣ୍ଣଦେବ ପଞ୍ଚମ ମହାଶିବଗୁପ୍ତ । ରାଜତ୍ୱର ଷଷ୍ଠ ବର୍ଷରେ ସେ ରତ୍ନଗିରି ତାମ୍ର ଶାସନ ରାଜଧାନୀ ଯଯାତିନଗରଠାରୁ ପ୍ରଦାନ କରିଥିଲେ । ସେ ସିଂହାସନ ଆରୋହଣ କଲାବେଳକୁ ସୋମବଂଶୀ ରାଜ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଯାଏ ସୀମିତ ହୋଇ ଆସିିଥିଲା । ତାଙ୍କ ସମୟରେ ପାଳବଂଶର ରାଜା ରାମପାଳ ଉତ୍ତର ଦିଗରୁ ଏବଂ ଗଙ୍ଗରାଜା ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବ ଦକ୍ଷିଣ ଦିଗରୁ ସୋମବଂଶୀ ରାଜ୍ୟ ଉପରେ ଆକ୍ରମଣ କଲେ । ସମ୍ଭବତଃ ପାଳମାନେ କର୍ଣ୍ଣଦେବଙ୍କୁୁ ପରାସ୍ତ କରିଥିଲେ, କିନ୍ତୁ ଚୋଡଗଙ୍ଗଦେବ ତାଙ୍କୁ ସୁରକ୍ଷା ପ୍ରଦାନ କରି ପୁଣିରେ ସିଂହାସନରେ ବସାଇଥିଲେ । ମାତ୍ର ଚୋଡଗଙ୍ଗଦେବଙ୍କ ଅନୁକମ୍ପା ଲାଭ କରି କର୍ଣ୍ଣଦେବ ଗଙ୍ଗକର୍ତ୍ତୃତ୍ୱାଧୀନ ହୋଇ ପଡିଲେ । ଶେଷରେ ୧୧୧୨ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ ସୋମବଂଶୀ ରାଜ୍ୟକୁ ଅଧିକାର କରିନେଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ଆଚାର୍ଯ୍ୟ, ପ୍ରୀତୀଶ. ଓଡ଼ିଶା ଇତିହାସ. ଭୁବନେଶ୍ୱର: ଅାମ ଓଡ଼ିଶା. p. ୬୨. ISBN 81-89436-12-0.
- ↑ "The Somavamshis of Odisha". Indian History and Architecture. Archived from the original on 14 September 2016. Retrieved 26 July 2016.
{{cite web}}
:|first=
missing|last=
(help) - ↑ "History of Odisha/Medieval I (931 AD to 1467 AD)". Know India. Retrieved 26 July 2016.
- ↑ "Jajpur". Odisha 360. Archived from the original on 22 July 2016. Retrieved 26 July 2016.