ସୋମ ବଂଶ

ଉଇକିପିଡ଼ିଆ ରୁ
Jump to navigation Jump to search

ଅଷ୍ଟମ ଶତାବ୍ଦୀର ଅାଦ୍ୟ ଭାଗରେ ଯେତେବେଳେ ଭୌମ କର ରାଜବଂଶ ତୋଷାଳୀରେ ରାଜତ୍ୱ କଲେ, ତା'ର କିଛି କାଳ ଅାଗରୁ ସପ୍ତମ ଶତାବ୍ଦୀର ଶେଷ ଅାଡ଼କୁ ଦକ୍ଷିଣ କୋଶଳରେ ସୋମ ବଂଶର ଅଭ୍ୟୁତ୍ଥାନ ହେଲା । ଅାଧୁନିକ ଛତିଶଗଡ଼ର ରାୟପୁର, ବିଳାସପୁର ଓ ରାୟଗଡ଼ର କିଛି ଅଂଶକୁ ନେଇ ସେତେବେଳେ ଦକ୍ଷିଣ କୋଶଳ ରାଜ୍ୟ ଗଠିତ ହୋଇଥିଲା । କାଳକ୍ରମେ ଏହି ବଂଶ ପଶ୍ଚିମ ଓଡ଼ିଶା ଦେଇ ଓଡ଼ିଶାର ଅଭ୍ୟନ୍ତରକୁ ରାଜ୍ୟ ବିସ୍ତାର କଲେ ଏବଂ ଓଡ଼ିଶାରେ ଥିବା କ୍ଷୁଦ୍ର ରାଜ୍ୟଗୁଡ଼ିକୁ ଅଧିକାରଭୁକ୍ତ କଲେ । ଭୌମମାନଙ୍କର ରାଜ୍ୟ ଧୀରେ ଧୀରେ ସୋମବଂଶୀମାନଙ୍କ କର୍ତ୍ତୃତ୍ୱକୁ ଗଲା । ଭୌମ ସାମନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ସୋମବଂଶୀମାନେ ଅଧିକାର କରିନେଇ ପ୍ରାକୃତିକ ଓଡ଼ିଶାର ବହୁ ଅଂଶକୁ ଏକଶାସନାଧୀନ କଲେ । ଦୀର୍ଘ ତିନି ଶତାବ୍ଦୀ ଧରି ସୋମବଂଶୀମାନେ ଓଡ଼ିଶାରେ ରାଜତ୍ୱ କଲେ ଏବଂ ସେଠାରେ ପ୍ରାୟ ଏକ ପ୍ରକାରର ରାଜନୀତି, ଶାସନ ଓ ସଂସ୍କୃତି ନିର୍ମାଣ କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ହାତୀଗୁମ୍ଫା ଶିଳାଲେଖ ଅନୁଯାୟୀ ଖାରବେଳଙ୍କ ସାମ୍ରାଜ୍ୟ ହୁଏତ ପ୍ରାଚୀନ କାଳର ଏକ ବିଶାଳ ରାଜ୍ୟ ଥିଲା । ମାତ୍ର ତା'ପରେ ସୋମବଂଶୀମାନେ ହିଁ ସମଗ୍ର ଓଡ଼ିଶାକୁ ଏକଶାସନାଧୀନ କଲେ ଓ ସେଠାରେ ଏକ ବିଶାଳ ସାମ୍ରାଜ୍ୟ ଗଠନ କଲେ । ସେତିକି ବିଶାଳ ରାଜ୍ୟ ଅତୀତରେ ଓଡ଼ିଶାରେ ଅାଉ କେବେ ଗଠିତ ହୋଇ ନଥିଲା ।[୧]

ସୋମ‌ବଂଶୀଙ୍କ ଇତିହାସ[ସମ୍ପାଦନା]

ପ୍ରଥମେ, ସୋମବଂଶୀମାନେ ଦକ୍ଷିଣ କୋଶଳରେ ସୀମାବଦ୍ଧ ଥିଲେ । ଅାଧୁନିକ ଛତିଶଗଡ଼ର ଶିରପୁର ଥିଲା ସେମାନଙ୍କର ରାଜଧାନୀ । ଦକ୍ଷିଣ କୋଶଳରେ ରାଜୁତି କରିବା ପୂର୍ବରୁ ସେମାନେ ପାଣ୍ଡୁବଂଶ ଭାବରେ ପରିଚିତ ଥିଲେ । ଶରଭପୁରୀୟଙ୍କ ଅଧୀନରେ ପ୍ରାଶାସନିକ ଅଧିକାରୀ ରୂପେ ରାଜନୀତି ଅାରମ୍ଭ କରି କାଳକ୍ରମେ ସେମାନେ ରାଜପରିବାର ସହ ବିବାହ ସମ୍ବନ୍ଧ ସ୍ଥାପନ କରିଥିଲେ । ଏବଂ ସାମାଜିକ ଦୃଷ୍ଟିରୁ ଶରଭପୁରୀୟ ରାଜ ପରିବାର ସ୍ତରକୁ ଉନ୍ନୀତ ହେଲେ । କୁହାଯାଏ, ଶରଭପୁରୀୟ ବଂଶରେ ପୁତ୍ର ସନ୍ତାନ ନହେବାରୁ ପାଣ୍ଡୁବଂଶୀ ତିବରଦେବଙ୍କୁ ଶରଭପୁରୀୟ ରାଜସିଂହାସନ ପ୍ରାପ୍ତ ହେଲା ଏବଂ ଏହି ପ୍ରକ୍ରିୟାରେ ସୋମବଂଶୀମାନେ ରାଜବଂଶର ମର୍ଯ୍ୟାଦା ଲାଭ କଲେ । କାଳାଚୁରୀ ରାଜାମାନଙ୍କ ବାରମ୍ବାର ଅାକ୍ରମଣଯୋଗୁଁ ଏହି ସମୟରେ ପାଣ୍ଡୁବଂଶୀ ନାମରେ ପରିଚିତ ସୋମବଂଶୀମାନେ ଉତ୍କଳ ଅାଡ଼କୁ ଅଗ୍ରସର ହେଲେ ଏବଂ କାଳକ୍ରମେ ଓଡ଼ିଶାରେ ସ୍ଥାୟୀ ଭାବେ ରାଜ୍ୟ ପ୍ରତିଷ୍ଠା କଲେ ।[୧]

ସୋମବଂଶୀମାନେ ଅାରମ୍ଭରେ ଯେତେବେଳେ ପାଣ୍ଡୁବଂଶୀ ଭାବରେ ପରିଚିତ ଥିଲେ, ସେତେବେଳେ ସେମାନଙ୍କ ମୋଟ ଶାସନ କାଳ ୭୦୦ରୁ ୮୧୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସୀମିତ ଥିଲା ବୋଲି ଅନୁମାନ କରାଯାଏ । ପାଣ୍ଡୁବଂଶୀ ଭାବରେ ସେମାନେ ଦକ୍ଷିଣ କୋଶଳରେ ରାଜତ୍ୱ କରୁଥିଲେ । ସେମାନଙ୍କର ବଂଶଧରମାନେ କ୍ରମାନ୍ୱୟରେ ହେଲେ ଚନ୍ଦ୍ରଗୁପ୍ତ, ହର୍ଷଗୁପ୍ତ ଓ ବାଳାର୍ଜୁନ । ବାଳାର୍ଜୁନ ଦୀର୍ଘ ୫୭ ବର୍ଷ ଧରି ରାଜ୍ୟ ଶାସନ କରି ଥିଲେ ଏବଂ ନିଜ ରାଜତ୍ୱ କାଳରେ ଅନେକ ଗୁଡ଼ିଏ ତାମ୍ରଶାସନ ପ୍ରଦାନ କରିଥିଲେ । ବାଳାର୍ଜୁନ ଶୈବଧର୍ମର ଉପାସକ ଥିଲେ ଏବଂ ତା' ସହିତ ବୌଦ୍ଧଧର୍ମର ପୃଷ୍ଠପୋଷକତା କରୁଥିଲେ ବୋଲି ତାମ୍ରଶାସନରୁ ଜଣାଯାଏ । ତାଙ୍କ ସମୟରେ ଶିରପୁରଠାରେ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା ।

ବାଳାର୍ଜୁନଙ୍କ ପରବର୍ତ୍ତୀ ପାଣ୍ଡୁବଂଶୀ ରାଜାମାନେ ନିଜକୁ ସୋମବଂଶୀ ବୋଲି ଅଭିହିତ କରିଥିଲେ । ନବମ ଶତାବ୍ଦୀର ମଧ୍ୟ ଭାଗରୁ (୮୫୦ ଖ୍ରୀଷ୍ଟାବ୍ଦରୁ) ଦ୍ୱାଦଶ ଶତାବ୍ଦୀର ଅାରମ୍ଭ ପର୍ଯ୍ୟନ୍ତ (୧୧୦୦-୧୧୧୦ ଖ୍ରୀଷ୍ଟାବ୍ଦ) ସେମାନେ ଓଡ଼ିଶାରେ ରାଜତ୍ୱ କରିଥିଲେ । ନିଜ ନାମ ସହିତ ଅଭିଷେକ ନାମ 'ମହାଶିବଗୁପ୍ତ' ଓ 'ମହାଭବଗୁପ୍ତ' ପଦବୀ ଗ୍ରହଣ କରି ସେମାନେ ନିଜ ଗୌରବ ଓ ପରାକ୍ରମର ପରିଚୟ ଦେଇଥିଲେ । ସେମାନେ କାହାରି ସାମନ୍ତରାଜା ନ ଥିଲେ ।

ସୋମବଂଶର ବଂଶାବଳୀ (ଖ୍ରୀ:ଅ: ୮୫୦-୧୧୧୦)[ସମ୍ପାଦନା]

ଦୀର୍ଘ ୨୬୦ ବର୍ଷ ଧରି ଓଡ଼ିଶାରେ ଶାସନ କରିଥିବା ସୋମ‌ବଂଶୀୟ ରାଜାମାନେ ହେଉଛନ୍ତି ।[୧]

 
 
 
 
 
 
 
 
 
 
ପ୍ରଥମ ଜନ୍ମେଜୟ(ଖ୍ରୀ:ଅ: ୮୮୨-୯୨୨)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ପ୍ରଥମ ମହାଶିବ ଗୁପ୍ତ(ଖ୍ରୀ:ଅ: ୯୨୨-୯୫୫)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଭୀମରଥ ଦ୍ୱିତୀୟ ମହାଭବଗୁପ୍ତ(ଖ୍ରୀ:ଅ:୯୫୫-୯୮୫)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଧର୍ମରଥ ଦ୍ୱିତୀୟ ମହାଶିବଗୁପ୍ତ(ଖ୍ରୀ:ଅ:୯୮୦-୧୦୦୫)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ନହୁଷ ତୃତୀୟ ମହାଭବଗୁପ୍ତ(ଖ୍ରୀ:ଅ:୧୦୦୫-୧୦୨୧)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଦ୍ୱିତୀୟ ଯଯାତି ଚଣ୍ଡିହର ଦ୍ୱିତୀୟ ମହାଶିବଗୁପ୍ତ(ଖ୍ରୀ:ଅ: ୧୦୨୫-୧୦୪୦)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଉଦ୍ୟୋତ କେଶରୀ ଚତୁର୍ଥ ମହାଭବଗୁପ୍ତ(ଖ୍ରୀ:ଅ:୧୦୪୦-୧୦୬୫)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଦ୍ୱିତୀୟ ଜନ୍ମେଜୟ ଚତୁର୍ଥ ମହାଶିବଗୁପ୍ତ(ଖ୍ରୀ:ଅ:୧୦୬୫-୧୦୮୫)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ପୁରଞ୍ଜୟ ପଞ୍ଚମ ମହାଭବଗୁପ୍ତ(ଖ୍ରୀ:ଅ:୧୦୮୫-୧୧୦୦)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
କର୍ଣ୍ଣଦେବ ପଞ୍ଚମ ମହାଶିବଗୁପ୍ତ(ଖ୍ରୀ:ଅ:୧୧୦୦-୧୧୧୦)

ସୋମବଂଶୀଙ୍କ କାର୍ଯ୍ୟ[ସମ୍ପାଦନା]

ଉତ୍ତର ଭାରତରୁ ବହୁ ସଂଖ୍ୟାରେ ବ୍ରାହ୍ମଣମାନଙ୍କୁ ଓଡ଼ିଶାରେ ବସତି ସ୍ଥାପନ କରିବାକୁ ସୁବିଧା ସୁଯୋଗ ଦେଇ ସେମାନେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା ବୃଦ୍ଧି କଲେ । ସାମାଜିକ ବର୍ଗୀକରଣ, ବ୍ରାହ୍ମଣ୍ୟ ଧର୍ମର ପ୍ରସାର ଓ ସାମ୍ରାଜ୍ୟ ବିସ୍ତାରର ପ୍ରକ୍ରିୟା ମଧ୍ୟରେ ଅନୁପୂରକତା ଦେଖିବାକୁ ମିଳିଲା । ଭୌମମାନଙ୍କ ସମୟରେ ପାର୍ବତ୍ୟାଞ୍ଚଳରେ ସ୍ଥାପିତ ମଣ୍ଡଳ ରାଜ୍ୟଗୁଡିକରେ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ମିଳିଥିଲା । ସୋମବଂଶୀମାନଙ୍କ ସମୟରେ ବାହାରୁ ସେମାନଙ୍କୁ ଅଣାଗଲା ।

ସୋମ‌ବଂଶୀ ରାଜାମାନେ ବିଭିନ୍ନ ସମୟରେ ସେମାନଙ୍କର ବିଜୟର ଧ୍ୱଜା ଉଡ଼ାଇବା ସ‌ହ ବିଭିନ୍ନ ସ‌ହର ଯଥା ସୁବର୍ଣ୍ଣପୁର, ବିନିତପୁର, ଯଯାତିନ‌ଗର ଆଦି ସ୍ଥାନମାନଙ୍କରେ ସେମାନଙ୍କର ରାଜାଧାନୀ କରିଥିଲେ । ସୋମ‌ବଂଶୀଙ୍କ ପ୍ରଥମ ରାଜା ଜନ୍ମେଞ୍ଜୟଙ୍କଦ୍ୱାରା ସୁବର୍ଣପୁରରରେ ତାଙ୍କର ରାଜଧାନୀ ପ୍ରତିଷ୍ଠା କରିଥିଲେ । ଏବଂ ପରେ ପରେ ସେ ନିଜର ଯୁଦ୍ଧଯାତ୍ରା ପାଇଁ ଅନ୍ୟସ୍ଥାନ‌କୁ ସ୍ଥାନାନ୍ତର କରିଥିଲେ । ରାଜତ୍ୱର ୩୪ତମ ବର୍ଷରେ ସେ ପୁଣି ସୁବର୍ଣ୍ଣପୁରକୁ ତାଙ୍କ ରାଜଧାନୀ ଉଠାଇ ଆଣିଥିଲେ । ମହାଶିବଗୁପ୍ତ ଯଯାତିଙ୍କ ସମୟରେ ଅଧିକ ଥର ରାଜଧାନୀ ସ୍ଥାନାନ୍ତର ହୋଇଥିବାର ଜଣାଯାଏ ।[୨]

ସୋମ‌ବଂଶୀ ରଜାମାନେ ଓଡ଼ିଶାରେ ବ‌ହୁତ ମନ୍ଦିର ନିର୍ମାଣ କରିଛନ୍ତି । ସେମ‌ବଂଶୀ ରାଜା ଯଯାତି ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପୁରୀରେ ୩୮ଟି ମନ୍ଦିର ନିର୍ମାଣ କରିଥିଲେ ବୋଲି ବିଶ୍ୱାସ କରାଯାଏ । ମନ୍ଦିରମାଳିନୀ ସ‌ହର ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟାରମ୍ଭ ମଧ୍ୟ ଯଯାତିଙ୍କଦ୍ୱାରା କରାଯାଇଥିଲା ।[୩] ଯଯାତି କେଶରୀ ମଧ୍ୟ ଯାଜପୁରରେ କିଛିଦିନ ତାଙ୍କର ରାଜଧାନୀ ସ୍ଥାପନ କରି ରଖିଥିଲେ ।[୪]

ସୋମ‌ବଂଶର ପତନ[ସମ୍ପାଦନା]

ଏକାଦଶ ଶତାବ୍ଦୀର ଶେଷ ବେଳକୁ ସୋମବଂଶୀ ରାଜ୍ୟ ଅତ୍ୟନ୍ତ ଦୁର୍ବଳ ହୋଇପଡିଲା । କାଳାଚୁରୀ, ଚୋଳ ଓ ଗୌଡ଼ମାନଙ୍କ ଅପେକ୍ଷା ସେମାନଙ୍କର ଅଧିକ ବଡ଼ ଶତ୍ରୁ ଭାବରେ ଉତ୍ତର ଗଙ୍ଗବଂଶ ବା ପରବର୍ତ୍ତୀ ଗଙ୍ଗବଂଶ ରାଜ୍ୟ ସମ୍ମୁଖକୁ ଅାସିଲା । ଦିରଘାସି ଶିଳାଲେଖରୁ ଜଣାଯାଏ ଯେ ଗଙ୍ଗରାଜା ପ୍ରଥମ ରାଜରାଜ ଦେବେନ୍ଦ୍ର ବର୍ମାଙ୍କର ସେନାପତି ଖିମିଡି, ଓଡ୍ର ଓ କୋଶଳ ଅାଦି ରାଜ୍ୟର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ । ସୋମବଂଶର ଶେଷ ରାଜା ଥିଲେ କର୍ଣ୍ଣଦେବ ପଞ୍ଚମ ମହାଶିବଗୁପ୍ତ । ରାଜତ୍ୱର ଷଷ୍ଠ ବର୍ଷରେ ସେ ରତ୍ନଗିରି ତାମ୍ର ଶାସନ ରାଜଧାନୀ ଯଯାତିନଗରଠାରୁ ପ୍ରଦାନ କରିଥିଲେ । ସେ ସିଂହାସନ ଅାରୋହଣ କଲାବେଳକୁ ସୋମବଂଶୀ ରାଜ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଯାଏ ସୀମିତ ହୋଇ ଅାସିିଥିଲା । ତାଙ୍କ ସମୟରେ ପାଳବଂଶର ରାଜା ରାମପାଳ ଉତ୍ତର ଦିଗରୁ ଏବଂ ଗଙ୍ଗରାଜା ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବ ଦକ୍ଷିଣ ଦିଗରୁ ସୋମବଂଶୀ ରାଜ୍ୟ ଉପରେ ଅାକ୍ରମଣ କଲେ । ସମ୍ଭବତଃ ପାଳମାନେ କର୍ଣ୍ଣଦେବଙ୍କୁୁ ପରାସ୍ତ କରିଥିଲେ, କିନ୍ତୁ ଚୋଡଗଙ୍ଗଦେବ ତାଙ୍କୁ ସୁରକ୍ଷା ପ୍ରଦାନ କରି ପୁଣିରେ ସିଂହାସନରେ ବସାଇଥିଲେ । ମାତ୍ର ଚୋଡଗଙ୍ଗଦେବଙ୍କ ଅନୁକମ୍ପା ଲାଭ କରି କର୍ଣ୍ଣଦେବ ଗଙ୍ଗକର୍ତ୍ତୃତ୍ୱାଧୀନ ହୋଇ ପଡିଲେ । ଶେଷରେ ୧୧୧୨ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ ସୋମବଂଶୀ ରାଜ୍ୟକୁ ଅଧିକାର କରିନେଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ଆଚାର୍ଯ୍ୟ, ପ୍ରୀତୀଶ. ଓଡ଼ିଶା ଇତିହାସ. ଭୁବନେଶ୍ୱର: ଅାମ ଓଡ଼ିଶା. p. ୬୨. ISBN 81-89436-12-0.
  2. "The Somavamshis of Odisha". Indian History and Architecture. Retrieved 26 July 2016. |first= missing |last= (help)
  3. "History of Odisha/Medieval I (931 AD to 1467 AD)". Know India. Retrieved 26 July 2016.
  4. "Jajpur". Odisha 360. Retrieved 26 July 2016.