ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର
ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର | |
---|---|
କାହା ନିମନ୍ତେ ପୁରସ୍କାର | ବିଜ୍ଞାନରେ ଅନୁସନ୍ଧାନ ନିମନ୍ତେ, ଭାରତ |
ଦାତା | ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ ଭାରତ ସରକାର |
ଅବସ୍ଥିତି | ବିଜ୍ଞାନ ଭବନ, ନୂଆ ଦିଲ୍ଲୀ |
ପ୍ରଥମ ପୁରସ୍କାର | ୧୯୫୮ |
ମୁଖ୍ୟ ୱେବସାଇଟ | ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ୱେବସାଇଟ |
ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର ଭାରତରେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଏକ ପୁରସ୍କାର । ଜୀବ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ତରଫରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ଏହା ଭାରତରେ ପ୍ରଦାନ କରାଯାଉଥିବା ସର୍ବଶ୍ରେଷ୍ଟ ବିଜ୍ଞାନ ପୁରସ୍କାର ।[୧][୨] ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦର ପ୍ରତିଷ୍ଠାତା ଶାନ୍ତି ସ୍ୱରୂପ ଭଟ୍ଟନାଗରଙ୍କ ନାମରେ ଏହି ପୁରସ୍କାର ନାମିତ ।[୩] ୧୯୫୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
୪୫ ବର୍ଷ ବୟସ ପର୍ଯ୍ୟନ୍ତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାରେ ନିୟୋଜିତ ଭାରତ ଯେକୌଣସି ନାଗରିକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି । ପୁରସ୍କାର ବର୍ଷର ପୂର୍ବ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କରାଯାଇଥିବା ଗବେଷଣା କାର୍ଯ୍ୟ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରରେ ଏକ ଉଦ୍ଧୃତି ଫଳକ ଏବଂ ନଗଦ ₹୫ ଲକ୍ଷ ପ୍ରଦାନ କରାଯାଏ ।[୪] ଏହାବ୍ୟତୀତ, ପ୍ରାପ୍ତକର୍ତ୍ତାମାନେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ମାସକୁ ₹୧୫,୦୦୦ ପାଇଥାନ୍ତି ।
ନାମାଙ୍କନ ଏବଂ ଚୟନ
[ସମ୍ପାଦନା]ପ୍ରାର୍ଥୀଙ୍କ ନାମ ସିଏସଆଇଆରର ପରିଚାଳନା ସଂସ୍ଥାର ସଦସ୍ୟ, ବିଭିନ୍ନ ବିଶ୍ୱବିଦ୍ୟାଳୟ କିମ୍ବା ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର କୁଳପତି ବା ପୂର୍ବତନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କଦ୍ୱାରା ପ୍ରସ୍ତାବିତ କରାଯାଏ । ପ୍ରତିବର୍ଷ ଗଠିତ ଉପଦେଷ୍ଟା ମଣ୍ଡଳିଦ୍ୱାରା ଚୟନ କରାଯାଇଥାଏ । ସଂପୃକ୍ତ ଉପଦେଷ୍ଟା ମଣ୍ଡଳି, ଜଣେ ପୂର୍ବତନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସମେତ ଅତି କମରେ ଛଅ ଜଣ ବିଷୟ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥାଏ । ଚୟନ ପାଇଁ ଅତିକମରେ ୨/୩ଜଣ ସଦସ୍ୟଙ୍କ ଅନୁମୋଦନ ଆବଶ୍ୟକ ହୋଇଥାଏ । ସମାନ କ୍ଷେତ୍ରରେ ସମାନ ଯୋଗ୍ୟତା ଥାଇ ଯଦି ଦୁଇଜଣଙ୍କ ନାମ ସୁପାରିଶ କରାଯାଏ, ତେବେ ଉଭୟଙ୍କୁ ପୁରସ୍କୃତ କରାଯାଏ ।[୪]
ପୁରସ୍କାର
[ସମ୍ପାଦନା]ସାତଟି ବିଭାଗରେ ପୁରସ୍କାର ଦିଆଯାଏ, ଯଥା:
- ଜୀବ ବିଜ୍ଞାନ
- ରାସାୟନ ବିଜ୍ଞାନ
- ପୃଥିବୀ, ବାୟୁମଣ୍ଡଳ, ମହାସାଗର ଏବଂ ଗ୍ରହ ବିଜ୍ଞାନ
- ଇଞ୍ଜିନିୟରିଂ
- ଗଣିତ
- ଡାକ୍ତରୀ ବିଜ୍ଞାନ
- ଭୌତିକ ବିଜ୍ଞାନ
ପ୍ରତ୍ୟେକ ବିଭାଗରେ ଏକାଧିକ ବିଜେତା ରହିପାରିବେ (ସର୍ବାଧିକ ୨ ବ୍ୟକ୍ତି) ।[୫] ୨୦୦୭ ମସିହା ପର୍ଯ୍ୟନ୍ତ ପୁରସ୍କାର ଟଙ୍କା ₹୨ ଲକ୍ଷ ଥିଲା ଏବଂ ୨୦୦୮ରେ ଏହାକୁ ₹୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା ।[୬]
ବିଷୟ ଉପସ୍ଥାପନା
[ସମ୍ପାଦନା]ପୁରସ୍କାର ପ୍ରାପ୍ତକର୍ତ୍ତାଙ୍କ ନାମ ପାରମ୍ପାରିକ ଭାବରେ ପ୍ରତ୍ୟେକ ସେପ୍ଟେମ୍ବର ମାସ ୨୬ ତାରିଖରେ ସିଏସଆଇଆରର ପ୍ରତିଷ୍ଠା ଦିବସରେ ମହାନିର୍ଦ୍ଦେଶକଙ୍କଦ୍ୱାରା ଘୋଷଣା କରାଯାଇଥାଏ ।[୭] ଏହି ପୁରସ୍କାର ଭାରତର ପ୍ରଧାନମନ୍ତ୍ରୀ ପ୍ରଦାନ କରନ୍ତି । ପୁରସ୍କାର ପ୍ରାପ୍ତ ବ୍ୟକ୍ତି ନିଜ ଗବେଷଣା ବିଷୟରେ ଏକ ବକ୍ତୃତା ପ୍ରଦାନ କରିଥାନ୍ତି ।[୪]
ପୁରସ୍କାରପ୍ରାପ୍ତ ଓଡ଼ିଆ ବୈଜ୍ଞାନିକ
[ସମ୍ପାଦନା]- ଜ୍ୟୋତିର୍ମୟୀ ଦାଶ - ୨୦୨୦
- ମଧୁସୂଦନ କାନୁନଗୋ - ୧୯୭୧
- ନବ କିଶୋର ରାୟ - ୧୯୮୩
- ବସନ୍ତ କୁମାର ସାହୁ - ୧୯୮୧
- କୁମାରେନ୍ଦ୍ର ମଲ୍ଲିକ - ୧୯୮୬
- ଉମା ଚରଣ ମହାନ୍ତି - ୧୯୯୩
- ଜ୍ୟୋତିରଞ୍ଜନ ଶ୍ରୀଚନ୍ଦନ ରାୟ - ୨୦୧୫
- ଗଦାଧର ମିଶ୍ର - ୨୦୦୧
- ସୁବ୍ରତ କୁମାର ପଣ୍ଡା - ୧୯୯୫
- ବେଦାଙ୍ଗଦାସ ମହାନ୍ତି - ୨୦୧୫
ଆଧାର
[ସମ୍ପାଦନା]- ↑ "SHANTI SWARUP BHATNAGAR AWARD FOR GENOMICS AND MOLECULAR WORK IN PULSES". ICRISAT. September 27, 2016. Archived from the original on May 27, 2021. Retrieved September 30, 2020.
- ↑ Press Trust of India (27 September 2000). "10 scientists nominated for Bhatnagar Awards". Indian Express. Archived from the original on 21 April 2003. Retrieved 17 August 2010.
- ↑ "From the awarding body Council of Scientific and Industrial Research (CSIR)". Archived from the original on 10 ଫେବୃଆରୀ 2012. Retrieved 14 ମଇ 2008.
- ↑ ୪.୦ ୪.୧ ୪.୨ CSIR. "Regulations Governing the Award of the Shanti Swarup Bhatnagar Prize For Science and Technology". csirhrdg.nic.in. Human Resource Development Group, Council of Scientific & Industrial Research. Archived from the original on 2016-04-02. Retrieved 2013-06-14.
- ↑ Press Trust of India (26 September 2012). "11 scientists selected for Shanti Swarup Bhatnagar Prize-2012". Business Standard. Business Standard Ltd. Retrieved 2013-06-14.
- ↑ PIB (26 September 2009). "Shanti Swarup Bhatnagar Awards 2009 announced". pib.nic.in. Press Information Bureau, Government of India. Retrieved 2013-06-14.
- ↑ "CSIR selects 10 scientists for prestigious Shanti Swarup Bhatnagar award". Times of India. Times of India. 2014-09-26.