ହିଙ୍ଗଳାଜ ଭବାନୀ ଶକ୍ତିପୀଠ

ଉଇକିପିଡ଼ିଆ ରୁ
Jump to navigation Jump to search
ହିଙ୍ଗଳାଜ ଭବାନୀ
ନାନୀ କି ମନ୍ଦିର
Hinglaj goddess at Hinglaj Mata Mandir
Hinglaj goddess at Hinglaj Mata Mandir
ହିଙ୍ଗଳାଜ ଭବାନୀ ନାନୀ କି ମନ୍ଦିର is located in Pakistan
ହିଙ୍ଗଳାଜ ଭବାନୀ ନାନୀ କି ମନ୍ଦିର
ହିଙ୍ଗଳାଜ ଭବାନୀ
ନାନୀ କି ମନ୍ଦିର
Location within Balochistan
ଭୌଗୋଳିକ ଅବସ୍ଥିତି
ଦିଗବାରେଣି 25.0°30′50″N 65.0°30′55″E / 25.51389°N 65.51528°E / 25.51389; 65.51528Coordinates: 25.0°30′50″N 65.0°30′55″E / 25.51389°N 65.51528°E / 25.51389; 65.51528
ଦେଶ ପାକିସ୍ଥାନ
ରାଜ୍ୟ ବେଲୁଚିସ୍ଥାନ
ଜିଲ୍ଲା ଲାସବେଲା ଜିଲ୍ଲା
ସ୍ଥାନ ହିଙ୍ଗଳାଜ
ପରମ୍ପରା
ମୁଖ୍ୟ ଆରାଧ୍ୟ ହିଙ୍ଗଳାଜ ଭବାନୀ
ମୁଖ୍ୟ ପର୍ବପର୍ବାଣୀ Four Day Theerth Yatra in April
ଇତିହାସ ଓ ପାଳନ
ୱେବସାଇଟ hinglajmata.com

ହିଙ୍ଗଳାଜ ଭବାନୀ ଶକ୍ତିପୀଠ, ଅଖଣ୍ଡ ଭାରତର ବେଲୁଚିସ୍ତାନ ନିକଟରେ ଥିବା ଏକ ପ୍ରାଚୀନ ଶକ୍ତିପୀଠ I ଏବେ ତାହା ପାକିସ୍ତାନରେ ଅବସ୍ଥିତ I ପୁରାଣ ମତରେ ୫୧ଗୋଟି ଶକ୍ତି ପୀଠ ମଧ୍ୟରୁ ଏହା ପ୍ରଥମପୀଠ I ତାହାକୁ ହିଙ୍ଗୁଳା ମନ୍ଦିର କୁହାନଯାଇ ହିଙ୍ଗଲାଜ ମନ୍ଦିର କୁହାଯାଉଛି I ହିଙ୍ଗଲାଜ ହିନ୍ଦୁ ମନ୍ଦିର ହେଲେ ସୁଦ୍ଧା ଇସଲାମ ଧର୍ମର ଲୋକମାନେ ଏହି ତୀର୍ଥସ୍ଥାନକୁ ସମ୍ମାନ ଦିଅନ୍ତି I ଏହିମନ୍ଦିର ପାକିସ୍ତାନୀ ହିନ୍ଦୁ ଓ ସିନ୍ଧିଙ୍କଦ୍ୱାରା ପରମ ସମ୍ମାନିତ ତୀର୍ଥସ୍ଥାନ I ମୁସଲମାନମାନେ ଏହାକୁ ନନୀ ମନ୍ଦିର ବା ନନୀଙ୍କ ହଜ୍ ବୋଲି କୁହନ୍ତି I ହିଙ୍ଗଲାଜ ତୀର୍ଥ ବହୁ ପୁରାତନ ଓ ଶାସ୍ତ୍ରସମ୍ମତ I ଏପରିକି ସିନ୍ଧୁ ନରେଶ ଜୟଦ୍ରଥ ଏଠାରେ ଦେବୀମନ୍ଦିର ନିର୍ମାଣ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣିତ ଅଛି I ୟୁରୋପର ୟୁନାନୀ ରାଜା ସିକନ୍ଦରଙ୍କ ଭାରତ ଆକ୍ରମଣକାଳରେ ଏହି ହିଙ୍ଗଲାଜ ପର୍ବତମାଳା ନିକଟରେ ବାଲିକୋର୍ଟ ଦୁର୍ଗର ରାଜା ବଳରାମଙ୍କ ସହିତ ଯୁଦ୍ଧ ହୋଇଥିଲା I ସମ୍ରାଟ ବିକ୍ରମାଦିତ୍ୟ ମଧ୍ୟ ଏହିସ୍ଥାନକୁ ତୀର୍ଥ କରିବାକୁ ଆସୁଥିଲେ I ମୋଗଲ ରାଜ୍ୟର ଅଧିକାରୀ ତୋଡର ମଲ୍ଲ, ବିହାରୀ ମଲ୍ଲ, ରାଜାଭିଜ୍ ସିଂହ, ରାଜା ମାଥୋ ସିଂହ ମଧ୍ୟ ହିଙ୍ଗରାଜ ତୀର୍ଥ ଭ୍ରମଣ କରିଛନ୍ତି I [୧]

ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଆଦ୍ୟାଶକ୍ତି ମହାକାଳୀଙ୍କର ଅନ୍ୟ ରୂପ ହେଉଛନ୍ତି ହିଙ୍ଗୁଳା I ସେ ହିଁ ଧୂମ୍ରବର୍ଣ୍ଣା ଧୂମାବତୀ I ଅଗ୍ନି ସ୍ୱରୂପିଣୀ ହିଙ୍ଗୁଳାଙ୍କ ସହିତ ମହାକାଳୀଙ୍କର ଐକ୍ୟ ଶାସ୍ତ୍ରସମ୍ମତ । ହିଙ୍ଗୁଳା ଆରାଧନା କେବଳ ଓଡ଼ିଶାରେ ନୁହେଁ ଭାରତୀୟ ଶକ୍ତି ଆରାଧନାରେ ମଧ୍ୟ ଏକ ବିଶେଷ ବିଶ୍ୱାସ ଓ ପ୍ରାଚୀନ ଶାକ୍ତ ପରମ୍ପରା I ଅଗ୍ନିଦେବୀ ହିଙ୍ଗୁଳାଙ୍କୁ ସର୍ବପ୍ରଥମେ ଆଦିମ ଅଧିବାସୀମାନେ ପୂଜା କରୁଥିଲେ ‌I ହିଙ୍ଗୁଳା ଶବ୍ଦଟି ମୁଣ୍ଡାରୀ ଭାଷାରୁ ଆସିଛି ବୋଲି ଗବେଷକମାନେ ମତ ଦିଅନ୍ତି I ଓଡ଼ିଶାର ତାଳଚେର, ବାମଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ହିଙ୍ଗୁଳା ଦେବୀଙ୍କ ପୂଜା କରାଯାଏ I କିନ୍ତୁ ତାଳଚେରର ଗୋପାଳପ୍ରସାଦରେ ଅଧିଷ୍ଠିତା ଦେବୀଙ୍କୁ ଓଡ଼ିଶାର ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଗ୍ରହଣ କରାଯାଇଛି I

ଶକ୍ତିପୀଠ[ସମ୍ପାଦନା]

ପୌରାଣିକ ଅନୁସାରେ ଏଠାରେ ଦକ୍ଷ ଯଜ୍ଞରେ ଦଗ୍ଧ ହୋଇଥିବା ସତୀଙ୍କର ବ୍ରହ୍ମରନ୍ଧ୍ର ପଡ଼ିଥିଲା I ଭୈରବୀଙ୍କ ନାମ ନୋଟ୍ଟରୀ ଓ ଭୈରବଙ୍କ ନାମ ଭୀମଲୋଚନ I ହିନ୍ଦୁମାନେ ଅର୍ଦ୍ଧଶକ୍ତି ଦେବୀ ରୂପେ ଏହି ପୀଠରେ ଉପାସନା କରୁଥିବା ବେଳେ ମୁସଲମାନ ଓ ଅନ୍ୟଧର୍ମର ଭାଇଭଉଣୀମାନେ ହିଙ୍ଗଲାଜ ମାତାଜୀ ବୋଲି କହନ୍ତି I

ଅବସ୍ଥିତି[ସମ୍ପାଦନା]

ବେଲୁଚିସ୍ତାନ ପ୍ରଦେଶର ଲ୍ୟାର ନାମକ ତହସିଲରେ କ୍ଷୀରଥର ପର୍ବତମାଳା ମଧ୍ୟରେ ହିଙ୍ଗଲାଜ ନାମକ ଗୁମ୍ଫା ଅଛି I ଏହି ଗୁମ୍ଫା ଥିବା ପାହାଡ ତଳେ ହିଙ୍ଗୋଳ ନଦୀ ପ୍ରବାହିତ I ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟର ଏହା ହେଉଛି ପ୍ରସିଦ୍ଧ ଓ ବୃହତ ତୀର୍ଥସ୍ଥାନ I କରାଚିରୁ ହିଙ୍ଗଲାଜ ଗୁମ୍ଫା ପ୍ରାୟ ୧୭୦ମାଇଲ I ବହୁ ଦୁର୍ଗମ ପଥ ଓ ଯାତ୍ରା ବି ବହୁ କଷ୍ଟକର I କରାଚିରୁ କ୍ୱେତା ପର୍ଯ୍ୟନ୍ତ ପ୍ରଶସ୍ତ ରାଜପଥ, ତା’ ପରେ ସଂକୀର୍ଣ୍ଣ ପଥ I ପଶ୍ଚିମ ଆଡୁ ଆସିଲେ ଲ୍ୟାରି ସହର ଦେଇ ଅଘୋରୀ ନଦୀ ପାର ହେବାକୁ ପଡେ I ସେଠାରୁ ନଦୀ ପାର ହେଲେ ଶେଷ ରହଣିସ୍ଥଳ ହେଉଛି ଆଶାପୁରା I ସେହି ରାସ୍ତା କଡେ କଡେ ପର୍ବତମାଳାମାନଙ୍କରେ ବିଭିନ୍ନ ତୀର୍ଥସ୍ଥାନ ଓ ଦେବଦେବୀଙ୍କର ମନ୍ଦିର ଦେଖିବାକୁ ମିଳେ I ଗଣେଶ, କାଳୀମାତା, ଗୋରେଖନାଥ, ଧୂନୀ, ବ୍ରହ୍ମକୁଣ୍ଡ, ତ୍ରିକୁଣ୍ଡ, ମହାକାଳୀ କୁଣ୍ଡ, ଗୁରୁ ନାନକ, ଖରାଓ, ରାମ ଦରୋଖା, ବେଥକ ଓ ଅନୀଳ କୁନ୍ତି ପ୍ରଭୃତି ଉପାସନା ସ୍ଥାନ I [୨][୩]

କିମ୍ବଦନ୍ତୀ[ସମ୍ପାଦନା]

ପୁରାଣରେ ଏହିସ୍ଥାନ ବିଷୟରେ ବିଭିନ୍ନ କିମ୍ବଦନ୍ତୀ ଅଛି I ତ୍ରେତୟା ଯୁଗରେ ପର୍ଶୁରାମ ଅବତାର ନେଇଥିଲେ I ସେହିସମୟରେ ଦଧିଚି ଋଷି ମଧ୍ୟ ଥିଲେ I ଦଧିଚି ମୁନି ଏକ ସୁନ୍ଦର ଆଖ୍ୟାନ ଅବତାରଣା କରିଛନ୍ତି I ସେତେବେଳେ ସେଠାରେ ତତରାମାଙ୍ଗେଲୀୟ ବଂଶର କିଛିଲୋକ ବାସ କରୁଥିଲେ I ସେମାନଙ୍କର ଜଣେ ରାଜା ଥିଲେ ଯାହାଙ୍କର ନାମ ବଚ୍ଛତର I ତାଙ୍କର ଦୁଇପୁତ୍ର ଥିଲେ I ଜଣଙ୍କର ନାମ ହିଙ୍ଗୋଳ ଓ ଅନ୍ୟଟିର ନାମ ସୁନ୍ଦର I ପୁରାଣ ଅନୁସାରେ ସେମାନେ ସୂର୍ଯ୍ୟବଂଶୀୟ I ସେମାନେ ସାହସୀ, ମାତ୍ର ନିଷ୍ଠୁର I ବିଳାସୀ ଜୀବନଯାପନ କରୁଥିଲେ I ସେମାନଙ୍କ ରାଜ୍ୟର ସୀମା ଚୀନକୁ ଲାଗିଥିଲା I ଚୀନର ରାଜା ଥିଲେ ଚନ୍ଦ୍ରବଂଶୀ କ୍ଷତ୍ରୀୟ I ସେ ଶିବ ଉପାସକ ଥିଲେ I ରାଜପୁତ୍ର ସୁନ୍ଦର ପଡୋଶୀ ରାଜ୍ୟ ଆକ୍ରମଣ କରି ହଜାର ହଜାର ଲୋକଙ୍କୁ ହତ୍ୟା କଲେ I ସମସ୍ତ ଧନରତ୍ନ ଲୁଟି ନେଇସାରିବା ପରେ ପୁଣି ଦେୟ ବାବଦକୁ ଅର୍ଥ ଦାବି କଲେ I ନିଷ୍ଠୁର ରାଜପୁତ୍ରଙ୍କ ଠାରୁ ରକ୍ଷା ପାଇବା ପାଇଁ ସେତେବେଳେ ପ୍ରଜାଗଣ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ I ସେମାନଙ୍କର ପ୍ରାର୍ଥନାରେ ପ୍ରସନ୍ନ ହୋଇ ଶିବଙ୍କ ଆଜ୍ଞାରେ ଗଣେଶ ତିନିଦିନ ମଧ୍ୟରେ ରାଜପୁତ୍ର ସୁନ୍ଦରକୁ ବଧ କଲେ I ସୁନ୍ଦରଙ୍କର ବଧପରେ ତାଙ୍କର ଭାଇ ହିଙ୍ଗୋଳ ଅତି ଭୟଙ୍କର ହୋଇ ଭାତୃ ମୃତ୍ୟୁର ପ୍ରତିଶୋଧ ପାଇଁ ଶପଥ ନେଲା I ହିଙ୍ଗୋଳ ଘୋର ତପସ୍ୟାକରି ବରପ୍ରାପ୍ତ ହେଲା ଯେ ତ୍ରିଭୁବନରେ କୌଣସି ପ୍ରାଣୀ ତାକୁ ବଧ କରିପାରିବେ ନାହିଁ I ମାତ୍ର ତା’ର ମୃତ୍ୟୁ ଏପରିସ୍ଥାନରେ ହେବ ଯେଉଁଠାରେ ସୂର୍ଯ୍ୟାଲୋକ ଯାତାୟାତ କରିପାରୁ ନଥିବ I ବର ପାଇ ହିଙ୍ଗୋଳ ଅନ୍ୟ ରାଜାମାନଙ୍କୁ ପରାସ୍ତ କରି ସମସ୍ତଙ୍କୁ ଭୟଭୀତ କରାଇ ରାଜତ୍ୱ କରିବାକୁ ଲାଗିଲା I ନିଜର ପରିଚୟ ସେ ରଖିଲା ହିଙ୍ଗୋଳ ଦେବ I ତା’ର ରାଜତ୍ୱ କାଳରେ ଲୋକମାନେ ବିବଶ ହୋଇ ଅଶେଷ ଦୁଃଖ ଭୋଗ କଲେ I ରାଜା ହିଙ୍ଗୋଳଙ୍କ କବଳରୁ ରକ୍ଷା ପାଇବା ପାଇଁ ଦେବୀମାତାଙ୍କ ମନ୍ଦିରରେ ବିରାଟ ଯଜ୍ଞର ଆୟୋଜନ ହେଲା I ଦେବୀମାତା ଆବିର୍ଭୂତା ହୋଇ ହିଙ୍ଗୋଳ ବଧ ନିମନ୍ତେ ଶପଥ ନେଲେ I ଦେବୀଙ୍କ କୋପରୁ ରକ୍ଷା ପାଇବା ପାଇଁ ହିଙ୍ଗୋଳ ପର୍ବତମାଳାର ଗୁମ୍ଫା ମଧ୍ୟରେ ଲୁଚିଲା I ହେଲେ ସେଠାକୁ ସୂର୍ଯ୍ୟକିରଣ ପ୍ରବେଶ କରିପାରୁ ନଥିଲା I ଦେବୀ ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କରି ତ୍ରିଶୂଳଦ୍ୱାରା ତାକୁ ବଧ କଲେ I ଜୀବନର ଶେଷ ମୁହୂର୍ତ୍ତରେ ହିଙ୍ଗୋଳ ପ୍ରାର୍ଥନା କଲା ଯେ, ଭବିଷ୍ୟତରେ ତା’ ନାମ ଅନୁସାରେ ସେହିସ୍ଥାନ ‘ହିଙ୍ଗୋଳ’ ତୀର୍ଥ ନାମରେ ନାମିତ ହେଉ I ତାହା ହିଁ ହେଲା I

ପୌରାଣିକ[ସମ୍ପାଦନା]

ପୁରାଣର ଅନ୍ୟ ଏକ ତତ୍ତ୍ୱ ଅନୁସାରେ ମହାଦେବଙ୍କ ପତ୍ନୀ ସତୀଙ୍କ ମୃତ ଶରୀରର ଭିନ୍ନଭିନ୍ନ ଖଣ୍ଡ ପଡ଼ିଥିବା ସ୍ଥାନ ଦେବୀପୀଠ ଭାବେ ପରିଗଣିତ I ସତ୍ୟ ଯୁଗରେ ଦକ୍ଷ ପ୍ରଜାପତି ଗୋଟିଏ ଯଜ୍ଞାନୁଷ୍ଠାନ କଲେ I କିନ୍ତୁ ସେଠାକୁ ଜାମାତା ମହାଦେବଙ୍କୁ ନିମନ୍ତ୍ରଣ କଲେନାହିଁ I ଦକ୍ଷକନ୍ୟା ତଥା ମହାଦେବଙ୍କ ପତ୍ନୀ ସତୀ ସ୍ୱାମୀଙ୍କ ବାରଣ ସତ୍ତ୍ୱେ ଯଜ୍ଞ ସ୍ଥଳକୁ ଗଲେ I ପ୍ରଜାପତି ଦକ୍ଷ ସତୀଙ୍କ ଆଗରେ ମହାଦେବଙ୍କୁ ଗାଳିଦେବାରୁ ସ୍ୱାମୀଙ୍କ ଅପମାନ ସହିନପାରି ସେହି ଯଜ୍ଞ କୁଣ୍ଡରେ ଝାସ ଦେଇ ସତୀ ପ୍ରାଣତ୍ୟାଗ କଲେ I ମହାଦେବ ଏକଥା ଜାଣିପାରି ଯଜ୍ଞସ୍ଥଳକୁ ଆସି କ୍ରୋଧିତ ହୋଇ ଦକ୍ଷ ଯଜ୍ଞକୁ ନଷ୍ଟ କରିଦେଲେ ଏବଂ ସତୀଙ୍କ ମୃତଦେହ କାନ୍ଧରେ ପକାଇ ତ୍ରିଭୁବନ ଭ୍ରମଣ କଲେ I ଏହା ଦେଖି ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରଦ୍ୱାରା ସତୀଙ୍କ ଦେହକୁ ଖଣ୍ଡ ଖଣ୍ଡ କରି ପକାଇଲେ I ସେହି ଅଂଶମାନ ବିଭିନ୍ନ ସ୍ଥାନରେ ପତିତ ହୋଇ ସେସବୁ ସ୍ଥାନ ୫୧ଟି ଶକ୍ତିପୀଠ ଓ ୨୬ଟି ଉପପୀଠ ଭାବେ ମହାତୀର୍ଥ ରୂପେ ପରିଗଣିତ ହେଲା I ପ୍ରତ୍ୟେକ ପୀଠରେ ଏକ ଭୈରବୀ ଓ ଏକ ଭୈରବ ଉଦ୍ଭଟ ହେଲେ I ସେହି ଅନୁସାରେ ଦେବୀଙ୍କ ମସ୍ତକ କନରାଜ ପର୍ବତ ଉପରେ ପଡ଼ିଲା, ଯାହାକି ଶକ୍ତିପୀଠ ହିଙ୍ଗଲାଜ ତୀର୍ଥ I [୪]

ଆଧାର[ସମ୍ପାଦନା]

  1. ଡକ୍ଟର ତ୍ରିନାଥ ପଟ୍ଟନାୟକ, ପ୍ରଗତିବାଦୀ, ପୃଷ୍ଠା - ୧୪, ରବିବାର ୨୧ ଏପ୍ରିଲ୨୦୧୩
  2. "In pictures: Hindus in Pakistan". Prayers offered. British Broadcasting Corporation. Retrieved 26 November 2012. 
  3. "Socio - Ecological and Economic Impacts of Hinglaj Mata Festival on Hingol National Park and its Resources". Scribd.com. Retrieved 27 November 2012. 
  4. Jones, Constance; Ryan, James D. (୨୦୦୭). Encyclopedia of Hinduism. Infobase Publishing. pp. ୪୦୧–୪୦୨. ISBN ୯୭୮୦୮୧୬୦୭୫୬୪୫. Retrieved ୧୪ November ୨୦୧୨. 

ଆହୁରି ପଢ଼ନ୍ତୁ[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]