ସଦାନନ୍ଦ

ଉଇକିପିଡ଼ିଆ ରୁ
Jump to navigation Jump to search
ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା
ଜନ୍ମ ଓ ଜନ୍ମସ୍ଥାନ
ସଦାନନ୍ଦ ହୋତା (ସାଧୁଚରଣ ଦାସ)

୧୭୨୦
ଭିକାରିପଡ଼ା, ଶରଣକୂଳ, ନୟାଗଡ଼ ଜିଲ୍ଲା
ମୃତ୍ୟୁ୧୭୯୦
ଜାତୀୟତାଭାରତୀୟ
ଜୀବିକାକବି

କବି ସଦାନନ୍ଦ (୧୭୨୦-୧୭୯୦) ଜଣେ ବୈଷ୍ଣବ କବି ଥିଲେ । ସେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନାମରେ ଅଧିକ ପରିଚିତ । ସଦାନନ୍ଦ ନୟାଗଡ଼ ଜିଲ୍ଲା ସ୍ଥିତ ଶରଣକୂଳର ଭିକାରିପଠା ଶାସନରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ " ପରମାନନ୍ଦ " କିନ୍ତୁ ସେ "ପୁରୀଓତା" ନାମରେ ବିଶେଷ ଭାବରେ ପରିଚିତ । କବି ତାଙ୍କ ରଚନାବଳୀରେ "ପୁରୀଓତା" ତାଙ୍କ ପିତା ବୋଲି ଉଲ୍ଲେଖ କରିଛନ୍ତି । ମାତାଙ୍କ ନାମ "ଭବାନୀ ଦେବୀ " , ମାତା ତାଙ୍କୁ ସଦାନନ୍ଦ ବୋଲି ସମ୍ବୋଧନ କରୁ ଥିବାରୁ କବି ନିଜକୁ "ସଦାନନ୍ଦ" ବୋଲି ପରିଚୟ ଦେଇଛନ୍ତି । ଦୀକ୍ଷା ଗ୍ରହଣ କରି ସନ୍ୟାସ ନେବାପରେ ତାଙ୍କର ଗୁରୁ ପ୍ରଦତ୍ତ ନାମ ଥିଲା "ସାଧୁଚରଣ"। ଏହି ନାମରେ ମଧ୍ୟ ଅନେକ ଭଣତା ତାଙ୍କ ରଚନାରେ ଦେଖିବାକୁ ମିଳେ ।

ବାଲ୍ୟକାଳ[ସମ୍ପାଦନା]

କବି ସଦାନନ୍ଦ ୧୭୩୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଗବେଷକ ମାନେ ମତ ଦିଅନ୍ତି, ତେବେ ତାଙ୍କ ଜନ୍ମ ଉପରେ କୌଣସି ବିଧିବଦ୍ଧ ପ୍ରମାଣ ନାହିଁ । ସେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଶିକ୍ଷା, ଦୀକ୍ଷା, ଓ କାବ୍ୟଗୁରୁ ଥିଲେ । ଅଭିମନ୍ୟୁଙ୍କ ଠାରୁ ସେ ୧୮-୧୯ ବର୍ଷ ବଡ଼ ଥିଲେ ଏବଂ ଅଭିମନ୍ୟୁ ୧୭୫୭ ମସିହାରେ ଜନ୍ମ ନେଇଥିଲେ। " ଯୁଗଳ ରସାମୃତ ଲହରୀ" କାବ୍ୟ ଲେଖିବା ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା ବୋଲି ସେ ନିଜେ ସ୍ୱୀକାର କରିଛନ୍ତି। ତାଙ୍କର ଆଦ୍ୟନାମ ଥିଲା ସଦାନନ୍ଦ। ବୈଷ୍ଣବଧର୍ମ ଗ୍ରହଣ କରି ସେ ସାଧୁଚରଣ ଦାସ ନାମରେ ପରିଚିତ ହେଲେ ।

ବାଲ୍ୟକାଳରୁ ତାଙ୍କ କବି ପ୍ରତିଭାର ବିକାଶ ହୋଇଥିଲା । ବିଭିନ୍ନ ଭଜନ, ଜଣାଣ , ଚଉତିଶା, କୀର୍ତ୍ତନ/ କୀର୍ତନ ଆଦି ରଚନା କରି ସେ ଖ୍ୟାତି ଲାଭ କରିଥିଲେ । ଖୋର୍ଦ୍ଧା ରାଜା ଗଜପତି ବୀରକେଶରୀ ଦେବ ତାଙ୍କୁ "କବିସୂର୍ଯ୍ୟ ବ୍ରହ୍ମା" ଉପାଧିରେ ବିଭୂଷିତ କରିଥିଲେ । ତାଙ୍କ ପୁରୀ ଅବସ୍ଥାନ ସମୟରେ ରଚିତ ଭଜନ, ଜଣାଣ, କୀର୍ତ୍ତନ ଆଦି ଶୁଣି ତାଙ୍କ କବି ପ୍ରତିଭା ସମ୍ପର୍କରେ ଜ୍ଞାତ ହୋଇ ଏହି ସମ୍ମାନ ପ୍ରଦାନ କରିଥିଲେ ବୋଲି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ମତବ୍ୟକ୍ତ କରିଛନ୍ତି । ସେ ତାଙ୍କର ପ୍ରଥମ କାବ୍ୟ "ଲଲିତ ଲୋଚନା " ଓ "ମୋହନ ଲତା"ରେ ଏ ଉପାଧି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କାବ୍ୟ ରଚନା ପୂର୍ବରୁ ସେ ଓଡ଼ିଆ, ବଙ୍ଗଳା, ଖୁରୁଠା, ପାର୍ସି ଆଦି ଭାଷାରେ ଚଉପଦୀ, ଚଉତିଶା ଆଦି କ୍ଷୁଦ୍ର କ୍ଷୁଦ୍ର ରଚନା ମାନ କରି ସାରିଥିଲେ ।

ଗଜପତିଙ୍କ ଠାରୁ "କବିସୂର୍ଯ୍ୟ" ଉପାଧି ଲାଭ କରିବା ପରେ ମଧୁପୁର ଗଡ଼ରେ କିଛି କାଳ ଅବସ୍ଥାନ କରିଥିଲେ । ଗଡ଼ମଧୁପୁର ରାଜା ଘନଶ୍ୟାମ ନରେନ୍ଦ୍ର ତାଙ୍କୁ ୫୭ ଏକର ଜମି ଦାନ କରିଥିଲେ , ସେଠାରେ ସେ ଏକ ମଠ ସ୍ଥାପନ କରି ତାଙ୍କ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରି "ରସିକରା" ନାମରେ ପୂଜାର୍ଚ୍ଚନା କରୁଥିଲେ । ମଧୁପୁର ରାଜା ସେହି ମୂର୍ତ୍ତିକୁ ଚାହିଁବାରୁ , ନିର୍ଜନ ରାତିରେ ୨.୫ ଫୁଟ ଉଚ୍ଚ ପ୍ରସ୍ତର ମୂର୍ତ୍ତିଙ୍କୁ କାନ୍ଧରେ ବୋହି ଯାଜପୁରର ବାଲିଆରେ ପହଞ୍ଚି ଥିଲେ । ସେଠାକାର ଅପୁତ୍ରିକ ଜମିଦାର ଇନ୍ଦ୍ରଜିତଙ୍କ ଆଶ୍ରୟ ଲାଭ କରି ଯଜ୍ଞାନୁଷ୍ଠାନ କରିବାର ଫଳ ସ୍ୱରୂପ ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ଜନ୍ମ ହୋଇଥିଲା । ଅଭିମନ୍ୟୁଙ୍କର ଶିକ୍ଷା ଦୀକ୍ଷା ଭାର ସଦାନନ୍ଦଙ୍କ ଉପରେ ନ୍ୟସ୍ତ ଥିଲା । ଅଭିମନ୍ୟୁଙ୍କୁ ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ କରି ଶ୍ରୀରାଧା ଓ କୃଷ୍ଣଙ୍କର ଅବ୍ୟକ୍ତ ଲୀଳା ସମ୍ବନ୍ଧରେ ଶିକ୍ଷା ଦେଇଥିଲେ । ବାଲିଆରେ ଅବସ୍ଥାନ ସମୟରେ ସେ "ଯୁଗଳ ରସାମୃତ ଲହରୀ " କାବ୍ୟଟିକୁ ମଧ୍ୟ ସମାପ୍ତ କରିଥିଲେ । ଏହି କାବ୍ୟର ପ୍ରଭାବ ଅଭିମନ୍ୟୁଙ୍କ ସାହିତ୍ୟରେ ସ୍ପଷ୍ଟ ଜଣା ପଡେ । ଉକ୍ତ ସମୟରେ ତାଙ୍କୁ "ମହାକବି" ଉପାଧି ମଧ୍ୟ ମିଳି ଥିଲା ବୋଲି ତାଙ୍କର "ନିଷ୍ଠା ନୀଳମଣି" କାବ୍ୟର ମଙ୍ଗଳାଚରଣରେ ଉଲ୍ଲେଖ ଅଛି।

ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭାକୁ କବି ସ୍ୱୀକାର କରିଛନ୍ତି ସତ ମାତ୍ର ରଚନାରେ କୃଷ୍ଣ ପ୍ରେମ ନଥିବାରୁ ତାହାକୁ ସେ ଅଗ୍ରାହ୍ୟ କରିଛନ୍ତି । ଦୀନକୃଷ୍ଣଙ୍କ କାବ୍ୟରେ ସମ୍ପୂର୍ଣ୍ଣ କୃଷ୍ଣ ଲୀଳା ନଥିବା , ଆଉ ତତ୍କାଳୀନ ଅନ୍ୟମାନଙ୍କ କାବ୍ୟକୃତି ସଂସ୍କୃତ କାବ୍ୟ ଆଶ୍ରୟରେ ଲେଖା ଯାଇଥିବାରୁ ସେଗୁଡିକୁ ନାପସନ୍ଦ କରିଛନ୍ତି । ତାଙ୍କର ଅନେକ ସଂସ୍କୃତ ଅନୁବାଦ ମଧ୍ୟରୁ "ଭାଗବତ ଗୀତା " ଅନ୍ୟତମ ।

ବାଲିଆ ଅବସ୍ଥାନ କାଳରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସ୍ଥାନ ପରିତ୍ୟାଗ କରି କେନ୍ଦ୍ରାପଡ଼ାର ଚାନ୍ଦୋଳ ନିକଟ ପବିତ୍ରପଡ଼ା ସଂଲଗ୍ନ ଏକ ବିରାଟ ପ୍ରାନ୍ତର , ଯାହା ଡାବଳ ନାମରେ ନାମିତ ହେଲା, ସେଠାରେ ଅବସ୍ଥାନ କଲେ । ସାଧୁଙ୍କର ବିଭୁତି ଲୀଳା ପ୍ରକଟିତ ହେବା ପରେ ସ୍ଥାନୀୟ କାନୁନ୍‌ଗୋ ଜମିଦାର ସମଗ୍ର ପ୍ରାନ୍ତ ଓ ତତ୍‌ସଂଲଗ୍ନ ଜମି ତାଙ୍କୁ ଦାନ ଦେଇ ଥିଲେ । ଭିକ୍ଷା ଓ ଜମିଦାରଙ୍କ ସାହାଯ୍ୟରେ ସେଠାରେ ଏକ ମଠ ସ୍ଥାପନ କରି ରସିକରାଙ୍କ ସହିତ ଶ୍ରୀରାଧା ରାଣୀଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କଲେ । ପ୍ରକାଶ ଥାଉ କି ସେ ସମୟରେ ପବିତ୍ରପଡ଼ା ଏକ ପ୍ରାନ୍ତକୁ ବୁଝାଉଥିଲା , ପରେ ବନ୍ଦୋବସ୍ତ ସମୟରେ ଶ୍ରୀଧରପୁର, ପାର୍ବତୀପୁର, ନଛିପୁର, ଓ ଡାବଳ ଆଦି ଗ୍ରାମ/ ମୌଜାରେ ବିଭକ୍ତ ହେଲା । ପବିତ୍ରପଡ଼ା ଏକ ପବିତ୍ର ସ୍ଥାନ ବୋଲି ଶ୍ରୀ ଅଚ୍ୟୁତାନନ୍ଦ ତାଙ୍କ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ଏହି ମଠ ସ୍ଥାନୀୟ ଅଞ୍ଚଳରେ "ଗୁରୁ ମଠ" ରୂପେ ସ୍ୱୀକୃତ ।

ଗୁରୁ ପରମ୍ପରା[ସମ୍ପାଦନା]


ଶ୍ରୀ କୃଷ୍ଣ ଚୈତନ୍ୟ
ଶ୍ରୀ ଗଦାଧର ଗୋସ୍ୱାମୀ
ଶ୍ରୀ ଅନନ୍ତାଚାର୍ଯ୍ୟ ଗୋସ୍ୱାମୀ
ଶ୍ରୀ ରଘୁଗୋପାଳ ଗୋସ୍ୱାମୀ
ଶ୍ରୀ ଲକ୍ଷ୍ମୀପ୍ରିୟା ଦାସ
ଶ୍ରୀ ଗଙ୍ଗା ମାତାଜୀ
ଶ୍ରୀ ବନମାଳୀ ଦାସ ଗୋସ୍ୱାମୀ
ଶ୍ରୀ କିଶୋର ଦାସ
ଶ୍ରୀ ସାଧୁଚରଣ ଦାସ (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା)

ରଚନାବଳୀ[ସମ୍ପାଦନା]

କବି ତାଙ୍କ ଜୀବନ କାଳ ଭିତରେ ୨୩ଟି ଅମୂଲ୍ୟ କାବ୍ୟ ରଚନା କରିଛନ୍ତି, ଏହା ଛଡ଼ା ଆହୁରି ଅନେକ କ୍ଷୁଦ୍ର ଗୀତ କବିତା ମାନ ଅଛି । ଅସୁରେଶ୍ୱରର ସୁପ୍ରସିଦ୍ଧ ଶ୍ରୀରାମ ନବମୀ (ଦାଣ୍ଡ ଯାତ୍ରା)ର ନବଦିନାତ୍ମକ ଯାତ୍ରା ପାଇଁ ଦିନକୁ ୨୦ଟି ହିସାବରେ ମୈଥିଳୀ ହିନ୍ଦୀ , ବଙ୍ଗଳା, ଏବଂ ଓଡ଼ିଆ ଭାଷାରେ ଅନ୍ୟୁନ ୧୮୦ଟି ଗୀତ ରଚନା କରିଛନ୍ତି ବୋଲି ଗବେଷକଙ୍କ ମତ । ଏଥି ମଧ୍ୟରୁ ଅନେକ ଗୀତ ଏବେବି ବ୍ୟବହୃତ ହେଉଛି।

ବାର୍ଦ୍ଧକ୍ୟ ଉପନୀତ ହେବା ପୂର୍ବରୁ ସଦାନନ୍ଦ ୨୩ଟି କାବ୍ୟ, କେତୋଟି ଅନୁବାଦ ଓ ଅନେକ ଗୀତ କବିତାଦି ରଚନା କରିଥିଲେ । ତନ୍ମଧ୍ୟରୁ ପ୍ରଥମ ପ୍ରକାଶନ ହେଉଛି "ଯୁଗଳ ରସାମୃତ ଲହରୀ" (ହରନାଥ ପ୍ରେସ, କଟକ-୨), ଦ୍ୱିତୀୟ ପ୍ରକାଶନ "ପ୍ରେମ ତରଙ୍ଗିଣୀ" (ଶ୍ରୀ ରାଧାକୃଷ୍ଣ ବସୁ, ଶ୍ରୀ ରାହାସ ବିହାରୀ ମଠ) । ଅନ୍ୟାନ୍ୟ ଗ୍ରନ୍ଥାବଳି (ତାଳପତ୍ର ପୋଥି) ଓଡ଼ିଶା ରାଜ୍ୟ ସଂଗ୍ରହାଳୟ (ମ୍ୟୁଜିୟମ), ଉତ୍କଳ ବିଶ୍ୱବିଦ୍ୟାଳୟ, ଶ୍ରୀ ଅଚ୍ୟୁତାନନ୍ଦ ଗାଦି , ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଏବଂ ଅନ୍ୟ କେତେକ ବ୍ୟକ୍ତି ବିଶେଷଙ୍କ ପାଖରେ ରହିଥିବାର ସୂଚନା ମିଳେ ।

  • ଯୁଗଳ ରସାମୃତ ଲହରୀ
  • ଯୁଗଳ ରସାମୃତ ଚଉଁରି
  • ପ୍ରେମ କଳ୍ପଲତା
  • ପ୍ରେମ ଭଉଁରୀ
  • ପ୍ରେମ ତରଙ୍ଗିଣୀ
  • ନିଷ୍ଠା ନୀଳମଣି
  • ନାମ ଚିନ୍ତାମଣି
  • ଚୌର ଚିନ୍ତାମଣି
  • ମୋହନ ଲତା
  • ଲଳିତ ଲୋଚନା

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]