ଶେୟାର ବଜାର

ଉଇକିପିଡ଼ିଆ ରୁ
Jump to navigation Jump to search

ଶେୟାର ବଜାର ହେଉଛି ଶେୟାର କ୍ରେତା ଏବଂ ବିକ୍ରେତାଙ୍କର ଏକ ପେଣ୍ଠଘର ଯେଉଁଠାରେ ଶେୟାରଗୁଡିକର (କୌଣସି ଉଦ୍ୟୋଗର ଅଂଶଧନ ବା ମାଲିକାନା) କାରବାର ହୋଇଥାଏ । ଶେୟାର ବଜାରର ଅନ୍ୟ ନାମଗୁଡ଼ିକ ହେଲା ପୁଞ୍ଜି ବଜାର, ଷ୍ଟକ୍ ମାର୍କେଟ ବା ଶେୟାର ମାର୍କେଟ

ମୁମ୍ବାଇରେ ସ୍ଥିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ଷ୍ଟକ୍ ଏକ୍ସଚେଞ୍ଜ[ସମ୍ପାଦନା]

ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ଏକ ନିର୍ଦ୍ଧିଷ୍ଟ ଜାଗା ଯେଉଁଠାରେ ଶେୟାର କିଣାବିକା ହୋଇଥାଏ । ଭାରତରେ ପାଖାପାଖି ୨୧ଟି ଷ୍ଟକ୍ ଏକ୍ସଚେଞ୍ଜ ଅଛି ।[୧] ତନ୍ମଧ୍ୟରୁ ଭୁବନେଶ୍ୱର ଷ୍ଟକ୍ ଏକ୍ସଚେଞ୍ଜ ଅନ୍ୟତମ ।[୨][୩] ଏହା ୫ ଜୁନ ୧୯୮୯ରେ ପ୍ରତିଷ୍ଠିତ ହୋଇଥିଲା । ଭାରତର ଦୁଇଟି ମୁଖ୍ୟ ଷ୍ଟକ୍ ଏକ୍ସଚେଞ୍ଜଗୁଡ଼ିକ ହେଲା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ

ଷ୍ଟକ୍ ଇଣ୍ଡେକ୍ସ[ସମ୍ପାଦନା]

ପ୍ରତି ଷ୍ଟକ୍ ଏକ୍ସଚେଞ୍ଜ ନିଜର କିଛି ବଛା ବଛା ଶେୟାରକୁ ନେଇ ଏକ ଇଣ୍ଡେକ୍ସ ବା ସୁଚକାଙ୍କ ପ୍ରସ୍ତୁତ କରିଥାନ୍ତି ତାହାକୁ ଷ୍ଟକ୍ ଇଣ୍ଡେକ୍ସ କୁହାଯାଇଥାଏ । ଏହି ସୁଚକାଙ୍କରୁ ଜଣାପଡ଼ିଥାଏ କି ଶେୟାର ବଜାରରେ କିଭଳି କିଣାବିକା ଚାଲୁଛି । ଉଦାହରଣ ସ୍ୱରୂପ ଆମେ ସେନସେକ୍ସକୁ ନେଇପାରିବା ।

ସେନସେକ୍ସ[ସମ୍ପାଦନା]

ସେନସେକ୍ସ ହେଉଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଷ୍ଟକ୍ ଇଣ୍ଡେକ୍ସ । ବଛା ବଛା ୩୦ଟି ଉଦ୍ୟୋଗର ଶେୟାରକୁ ନେଇ ସେନସେକ୍ସ ତିଆରି ହୋଇଛି । ନିବେଶକମାନେ ଏହି ସେନସେକ୍ସକୁ ଦେଖି ଶେୟାର ବଜାରର ଏବଂ ପରେ ଭାରତୀୟ ଅର୍ଥନୀତିର ପ୍ରଗତି ବିଷୟରେ ଜାଣିପାରନ୍ତି ।[୪]

କିଛି ଗୁରୁତ୍ୱପୂର୍ଣ୍ଣ ଜାଣିବା କଥା[ସମ୍ପାଦନା]

ଆସେଟ[ସମ୍ପାଦନା]

ଆସେଟ ବା ସମ୍ପତ୍ତି ହେଉଛି ଏକ ସମ୍ବଳ ଯାହା କୌଣସି ଏକ ବ୍ୟକ୍ତି, ଉଦ୍ୟୋଗ, ସଂସ୍ଥା କିମ୍ବା ଦେଶ ନିୟନ୍ତ୍ରଣ କରେ ବା ମାଲିକାନା ସାବ୍ୟସ୍ତ କରିଥାଏ ଏବଂ ଏହା ଭବିଷ୍ୟତରେ ଲାଭ ଦେଇଥାଏ । ଏହାର ବିପରୀତ ଶବ୍ଦକୁ ଲାୟାବିଲିଟି କୁହାଯାଇଥାଏ । ଉଦାହରଣ ସ୍ୱରୂପ ସୁନାରୁପା, ଜମି, ଟଙ୍କାପଇସା ଇତ୍ୟାଦି ହେଉଛି ଆସେଟ । ମାତ୍ର ଗାଡ଼ିମଟର, ଋଣ କରଜ, ସମସ୍ତ ପ୍ରଲୋଭନକାରୀ ଦ୍ରବ୍ୟ ଯଥା ହାତଘଡ଼ି, ଲାପଟପ, ମୋବାଇଲ ଇତ୍ୟାଦି ହେଉଛି ଲାୟାବିଲିଟି । ଅର୍ଥାତ ସାଧାରଣ ଭାଷାରେ କୌଣସି ବସ୍ତୁ ବା ବ୍ୟକ୍ତି ଯାହାର ବିକ୍ରିମୂଲ୍ୟ ଭବିଷ୍ୟତରେ ବୃଦ୍ଧି ଲାଭ କରିବ ତାହାକୁ ଆସେଟ କୁହାଯାଇଥାଏ ଅନ୍ୟପକ୍ଷରେ ମୋବାଇଲ କିଣୁ କିଣୁ ଏହାର ବିକ୍ରିମୂଲ୍ୟରେ ହ୍ରାସ ଦେଖାଯାଇଥାଏ, ତେଣୁ ଏହା ଲାୟାବିଲିଟି ଅଟେ ।[୫]

ଫନଯିବିଲିଟି[ସମ୍ପାଦନା]

ଗୋଟିଏ ଆର୍ଥିକ ଦ୍ରବ୍ୟର ଗୁଣ ଯାହାଦ୍ୱାରା ଏହା ଅନ୍ୟ କୌଣସି ସମାନ ପ୍ରକାରରର ଆର୍ଥିକ ଦ୍ରବ୍ୟସହ ଅଦଳବଦଳ କରିହୁଏ ତାହାକୁ ଫନଯିବିଲିଟି କୁହାଯାଇଥାଏ । ପ୍ରତ୍ୟେକ ଆସେଟ ଫନଯିବିଲ ହୋଇଥାଏ । ଉଦାହରଣ ସ୍ୱରୂପ ବାବୁଶାନ, ଅନୁଭବଙ୍କୁ ଗୋଟିଏ ୨୦୦୦ ଟଙ୍କା ନୋଟ ଉଧାର ଦେଲେ । ଏବେ ଅନୁଭବ ସେହି ୨୦୦୦ ଟଙ୍କାକୁ ଚାରୋଟି ୫୦୦ ଟଙ୍କିଆ ନୋଟକରି ବା ୨୦ଟି ୧୦୦ ଟଙ୍କିଆ ନୋଟ କରି ଫେରେଇପାରିବେ । ଏଠାରେ ୨୦୦୦ ଟଙ୍କାର ମୂଲ୍ୟ ଫନଯିବିଲ ଅଟେ । ଅନ୍ୟପକ୍ଷରେ ଧରନ୍ତୁ ଶିବାନୀ, ଭୂମିଙ୍କୁ ତାଙ୍କର କାର ଉଧାର ଦେଲେ । ଭୂମି ସେହି ମଡେଲର ଅନ୍ୟ ଏକ କାର ଶିବାନୀଙ୍କୁ ଫେରାଇ ପାରିବେ ନାହିଁ, କାରଣ କାର ଫନଯିବିଲ ନୁହେଁ । କାର ଫନଯିବିଲ ନୁହେଁ କିନ୍ତୁ ପେଟ୍ରୋଲ ଯାହାଦ୍ୱାରା କାର ଚାଲେ ତାହା ଫନଯିବିଲ ଅଟେ ।[୬]

ସିକ୍ୟୋରିଟି[ସମ୍ପାଦନା]

ସିକ୍ୟୋରିଟି (Security) ହେଉଛି ଏକ ଫନଯିବିଲ ଏବଂ ମୂଲଚାଲ ହୋଇପାରୁଥିବା ଆର୍ଥିକ ଦ୍ରବ୍ୟ ଯାହାର କିଛି ମୂଲ୍ୟ ଥାଏ । ଏହା ଶେୟାରଦ୍ୱାରା ଏକ କମ୍ପାନୀର ମାଲିକାନା ଜାହିର କରିବା ନିମିତ୍ତ ଉପଯୋଗ ହେଇପାରେ କିମ୍ବା ବଣ୍ଡଦ୍ୱାରା ସରକାରଙ୍କୁ ଧାର ଦେଇଥିବା ଗୋଟିଏ ଲୋକର ସମ୍ପର୍କକୁ ବୁଝାଇପରେ କିମ୍ବା ଅପ୍ସନଦ୍ୱାରା ମାଲିକାନା ବି ଦେଖାଇପାରେ । ସିକ୍ୟୋରିଟିରେ ହିଁ ଏହି ସବୁ ଶେୟାର, ବଣ୍ଡ, ଡେରିଭେଟିଭ ଆର୍ଥିକ ଦ୍ରବ୍ୟଗୁଡ଼ିକ ଅବସ୍ଥାପିତ ।[୭]


ଶେୟାର[ସମ୍ପାଦନା]

ଶେୟାର ହେଉଛି କୌଣସି ଏକ ଉଦ୍ୟୋଗ କିମ୍ବା ଆର୍ଥିକ ସମ୍ପତ୍ତିର ଏକ ମାଲିକାନା ଭାଗ ଯାହାକି ସେହି ସଂସ୍ଥାର ଲାଭରେ ସମାନ ପରିମାଣର ଅଂଶୀଦାର କରାଇଥାଏ । ମୁଖ୍ୟତଃ ଦୁଇ ପ୍ରକାରର ଶେୟାର ଅଛି ।[୮]

  1. ସାଧାରଣ ଶେୟାର
  2. ପ୍ରିଫରଡ ଶେୟାର[୯][୧୦]

ଟ୍ରେଡିଂ[ସମ୍ପାଦନା]

ଶେୟାର ବଜାରରେ ଶେୟାରର ଦାମ ବିକ୍ରେତା ଠାରୁ ନେଇ କ୍ରେତାକୁ ହସ୍ତାନ୍ତର କରିବାକୁ ଟ୍ରେଡିଂ ବା କିଣାବିକା କୁହାଯାଇଥାଏ । ଏହି ଟ୍ରେଡିଂ କରିବା ନିମିତ୍ତ ବ୍ୟାଙ୍କରେ ଯେପରି ସଞ୍ଚୟ ଖାତା ଖୋଲାଯାଏ ସେପରି ଟ୍ରେଡିଂ ଖାତା ଖୋଲିବା ଆବଶ୍ୟକ । ଏକ ସାଧାରଣ ଲୋକ କିପରି ଟ୍ରେଡିଂ ଖାତା ଖୋଲିପାରିବ, ତାହା ବିଷୟରେ ବିସ୍ତୃତରେ ଶେୟାର କିଣାବିକା କରିବେ କିପରି ବିଭାଗରେ ଲେଖାହୋଇଛି ।

ଡେରିଭେଟିଭ ଜିନିଷ[ସମ୍ପାଦନା]

ଡେରିଭେଟିଭ ହେଉଛି ଏକ ଆର୍ଥିକ ସିକ୍ୟୋରିଟି ଯାହାର ମୂଲ୍ୟ ଅନ୍ୟ କୌଣସି ଏକ ଆସେଟରୁ ବାହାର କରାଯାଇଥାଏ । ଡେରିଭେଟିଭ ସ୍ୱୟଂ ହେଉଛି ଦୁଇ ବା ତଦ୍ରୁଦ୍ଧ ପକ୍ଷ୍ୟ ମଧ୍ୟରେ ଏକ ପ୍ରକାର ରାଜିନାମା ଯାହା କୌଣସି ଏକ ଆସେଟର ମୂଲ୍ୟ ଉପରେ ହୋଇଥାଏ । ନିମ୍ନଲିଖିତ ଆସେଟ ଗୁଡ଼ିକୁ ଡେରିଭେଟିଭରେ ଉପଯୋଗ କରାଯାଇଥାଏ ଯଥା ଶେୟାର, ବଣ୍ଡ, ଡିବେଞ୍ଚର, କମୋଡିଟି, ମୁଦ୍ରା, ସୁଧହାର ଓ ବଜାର ସୁଚକାଙ୍କ ।[୧୧] ମୁଖ୍ୟତଃ ଚାରିପ୍ରକାରର ଡେରିଭେଟିଭ ଜିନିଷ ଅଛି ।[୧୨] ସେଗୁଡ଼ିକ ହେଲା:

  1. ଫରୱାର୍ଡ
  2. ଫ୍ୟୁଚର
  3. ଅପ୍ସନ
  4. ସ୍ୱାପ

ଫରୱାର୍ଡ[ସମ୍ପାଦନା]

ଏହା ହେଉଛି ସବୁଠାରୁ ସରଳ ଏବଂ ପୁରୁଣା ଡେରିଭେଟିଭ ଜିନିଷ । ଭବିଷ୍ୟତରେ କିଛି ଦ୍ରବ୍ୟ କିଣାବିକା କରିବାର ଚୁକ୍ତି ବା ରାଜିନାମାକୁ ଫରୱାର୍ଡ କୁହାଯାଇଥାଏ । ଏଠାରେ କେତେ ଟଙ୍କାରେ ଦ୍ରବ୍ୟ କିଣାବିକା ହେବ ତାହା ଭବିଷ୍ୟତ ସମୟରେ ହିଁ କିଣାବିକା ହେବ ସମୟରେ ନିର୍ଦ୍ଧାରଣ କରାଯାଇଥାଏ । କିଣାବିକା ହେବାକୁଥିବା ଦ୍ରବ୍ୟର ମୂଲ୍ୟର କମ ବେଶିନକରିବା ନିମିତ୍ତ ଏହି ଭଳି ଚୁକ୍ତି ସବୁ ସର୍ବ ସାଧାରଣରେ ପ୍ରକାଶ କରାଯାଏ ନାହିଁ ।

ଫ୍ୟୁଚର[ସମ୍ପାଦନା]

ଫ୍ୟୁଚର ଚୁକ୍ତିନାମା ଫରୱାର୍ଡ଼ ସହ ପ୍ରାୟ ସମାନ, ଏଠାରେ କେବଳ କିଣାବିକା ହେବାକୁ ଥିବା ଦ୍ରବ୍ୟର ମୂଲ୍ୟ ଆଗୁଆ ନିର୍ଦ୍ଧାରଣ କରାଯାଇଥାଏ । ଏହାଦ୍ୱାରା ଅଯଥା ଆଶଙ୍କାକୁ ଏଡ଼ାଇହୁଏ । ଯେହେତୁ ଦ୍ରବ୍ୟର ମୂଲ୍ୟ ଆଗୁଆ ନିର୍ଦ୍ଧାରଣ କରାଯାଏ, ତେଣୁ ଫ୍ୟୁଚର ଚୁକ୍ତିନାମା ଗୁଡିକୁ ଷ୍ଟକ ଏକ୍ସଚେଞ୍ଜରେ ଟ୍ରେଡିଂ କରିବା ନିମିତ୍ତ ପ୍ରକାଶ କରାଯାଇଥାଏ । ଫ୍ୟୁଚର ଚୁକ୍ତିନାମାରେ ଦୁଇପକ୍ଷ୍ୟ ନିଜମଧ୍ୟରେ ଚୁକ୍ତି ନକରି ଷ୍ଟକ ଏକ୍ସଚେଞ୍ଜ ସହ ଚୁକ୍ତି କରିଥାନ୍ତି ।[୧୨]

ଅପ୍ସନ[ସମ୍ପାଦନା]

ଉପର ଦୁଇ ଡେରିଭେଟିଭ ଜିନିଷରେ ନିର୍ଦ୍ଧାରିତ ଦିବସରେ କିଣାବିକା କରିବାନିମିତ୍ତ ଦୁଇ ପକ୍ଷ୍ୟ ବାଧ୍ୟ । ମାତ୍ର ଅପ୍ସନରେ ଗୋଟିଏ ପକ୍ଷ୍ୟ ଚାହିଁଲେ କିଛି କ୍ଷତିପୂରଣ ବା ପ୍ରିମିୟମ ଟଙ୍କା ଦେଇ ଚୁକ୍ତିରୁ ଓହରି ଯାଇପାରେ ।

ପାର୍ଥକ୍ୟ
ଫରୱାର୍ଡ଼ ଫ୍ୟୁଚର ଅପ୍ସନ
ଚୁକ୍ତିନାମା ସମୟରେ ହିଁ କିଣାବିକା ହୋଇଯାଏ କି ? ନାଁ, ଭବିଷ୍ୟତରେ ହୁଏ ନାଁ, ଭବିଷ୍ୟତରେ ହୁଏ ନାଁ, ଭବିଷ୍ୟତରେ ହୁଏ
ଚୁକ୍ତିନାମା ସମୟରେ କିଣାବିକା ମୂଲ୍ୟ ଧାର୍ଯ୍ୟ ହୋଇଥାଏ କି ? ନାଁ ହଁ ହଁ
ଷ୍ଟକ ଏକ୍ସଚେଞ୍ଜରେ ଏହି ଟ୍ରେଡିଂ ହୁଏ କି ? ନାଁ ହଁ ହଁ
କେତୋଟି ପକ୍ଷ୍ୟ ଏକ ଟ୍ରେଡିଂ ବା କିଣାବିକା ପଛରେ ରୁହନ୍ତି ?
ଚୁକ୍ତିନାମରୁ ଓହରିବା ସମ୍ଭବ କି ? ନାଁ ନାଁ ହଁ, କିଛି କ୍ଷତିପୂରଣ ଦେଇ ଚୁକ୍ତିନାମରୁ ବାହାରି ହବ

ବଜାରର ପ୍ରକାର[ସମ୍ପାଦନା]

ଶେୟାର ବଜାର ମୁଖ୍ୟତଃ ଦୁଇ ପ୍ରକାରର ଅଟେ । ପ୍ରାଥମିକ ଏବଂ ମାଧ୍ୟମିକ ବଜାର, ଯାହାକୁ ପ୍ରାଇମେରୀ ଓ ସେକେଣ୍ଡାରୀ ମାର୍କେଟ ଇଂରାଜୀରେ କୁହାଯାଏ ।

ପ୍ରାଥମିକ ବଜାର[ସମ୍ପାଦନା]

ଯେତେବେଳେ ଗୋଟିଏ ଉଦ୍ୟୋଗ ସର୍ବସାଧାରଣରେ ତାହାର ନୂଆ ଶେୟାର ବା ଷ୍ଟକ ବିକ୍ରୀକରେ ତାହା ପ୍ରାଥମିକ ବଜାରରେ ଅନୁଷ୍ଠିତ ହୋଇଥାଏ । [୧୩] ଏହା ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଇନିସିଆଲ ପବ୍ଲିକ ଅଫରିଂ (ଆଇ.ପି.ଓ.)ର ରୂପ ନେଇଥାଏ । କୌଣସି ଏକ ତୃତୀୟ ପକ୍ଷ୍ୟର ସହାୟତାରେ, କମ୍ପାନୀଟି ତା ନିଜ ବିଷୟରେ ନିବେଶକାରୀମାନଙ୍କ ନିମିତ୍ତ ଏକ ଲେଖା ପ୍ରସ୍ତୁତ କରିଥାଏ, ଯାହାକୁ ପ୍ରସପେକ୍ଟସ କୁହାଯାଇଥାଏ । ଏଥିରେ କମ୍ପାନୀରେ ନିବେଶ କରିଲେ ଭବିଷ୍ୟତରେ ଥିବା ସୁଯୋଗ, ମୂଲ୍ୟ, ଆଶଙ୍କା ଆଦି ବିଷୟରେ ବିସ୍ତୃତ ରୂପେ ଲେଖାହୋଇଥାଏ ।

ମାଧ୍ୟମିକ ବଜାର[ସମ୍ପାଦନା]

କମ୍ପାନୀଟି ତାହାର ଷ୍ଟକ ସର୍ବସାଧାରଣାଙ୍କୁ ବିକ୍ରି କରିଦେଲାପରେ, ସର୍ବସାଧାରଣ ନିଜ ନିଜ ଭିତରେ ଶେୟାର କିଣାବିକା ନିମିତ୍ତ ମାଧ୍ୟମିକ ବଜାର ଉପଯୋଗ କରିଥାନ୍ତି । ଏହି ବଜାରରେ ଷ୍ଟକ କିଣାବିକା କରୁଥିବା ନିବେଶକାରୀମାନେ ସିଧାସଳଖରୂପେ କମ୍ପାନୀ ସଂପର୍ଶରେ ଆସନ୍ତି ନାହିଁ । ଏହି ବଜାରରେ ମୁଖ୍ୟତଃ ଏକ ମଧ୍ୟସ୍ଥି ନିବେଶକାରୀଙ୍କୁ କିଣାବିକାରେ ସହାୟତା କରେ ଓ କିଛି କମିଶନ ରୋଜଗାର କରିଥାଏ ।[୧୩]

ଚେତାବନୀ[ସମ୍ପାଦନା]

ଶେୟାର ବଜାରରେ ନିବେଶ କରିବା କେତେଯେ ରିସ୍କି ବା ସଙ୍କଟାପର୍ଣ୍ଣ ତାହା ଜାଣିବା ନିମିତ୍ତ ଆମକୁ ବେଶୀ ଦୁରକୁ ଯିବାକୁ ପଡ଼ିବନି । ୧୯୯୨ରେ ହୋଇଥିବା ହର୍ଷଦ ମେହେଟା ସ୍କାମ[୧୪] ହେଉ, କି ୨୦୦୯ ମସିହା ସତ୍ୟମ ସ୍କାମ[୧୫] ହେଉ, କି ନିକଟରେ ଘଟିଥିବା କିଙ୍ଗଫିସର କମ୍ପାନୀ[୧୬] ଦେବାଳିଆ ହେଇଯିବା ସମାଚାର ହେଉ ଏସବୁ ଘଟଣାରୁ ସ୍ପଷ୍ଟ ପ୍ରମାଣିତ କି ଶେୟାର ବଜାରରେ ଜଣେ ଟ୍ରେଡର ଆଖିବୁଜି ନିଶ୍ଚେତ ହୋଇ ନିବେଶ କରିପାରିବେ ନାହିଁ । ବିଭିନ୍ନ କଟକଣା ସୁଦ୍ଧା ଏଭଳି ଘଟଣା ଘଟିଛି ଏବଂ ଆଗକୁ ଘଟିବ ମଧ୍ୟ, ଏସବୁକୁ ବଜାରରୁ ପୋଛି ହେବନାହିଁ । ମାତ୍ର ଏହାର ମାନେ ନୁହଁକି ଟ୍ରେଡର ହାର ମାନି ପୁଣି ସେହି ଚିରାଚରିତ ଏଫଡି ଜାବୁଡ଼ିକି ରହିଯିବେ । ଆଜିକାଲିକାର ବିଟକଏନ ଦୁନିଆରେ ଭଲ ଭାବରେ ସଜାଗ ରହି ଶେୟାର ବଜାରରେ ନିବେଶ କରିହେବ । କିଛି ଉପଦେଶ ନିମ୍ନରେ ପ୍ରଦାନ କରାଗଲା । [୧୭]

  • ଅନ୍ୟମାନଂକ କଥାରେ ଅନ୍ଧ ଭଳି ବିଶ୍ୱାସ ନକରି ନିଜେ ନିଜର ଗବେଷଣା କରି ନିବେଶ କରନ୍ତୁ ।
  • କୌଣସି ଚମତ୍କାର କାହାଣୀରେ ଭାବ ବିହ୍ୱଳିତ ନହୋଇଯାଇ ନମ୍ବରଗୁଡ଼ିକୁ ଦେଖନ୍ତୁ ।
  • ଯଦି ଆପଣଙ୍କୁ କଥାଟି ଅସମ୍ଭବ ମାନେ ହଉଛି ତେବେ ଏହା ସତରେ ସେୟା ହୋଇଥାଇପାରେ ।
  • ମନେରଖନ୍ତୁ ରାତାରାତି ଧନୀ ହୋଇଯିବା ଅର୍ଥ ରାତାରାତି ଗରିବ ହୋଇଯିବ ସହ ସମାନ ।
  • ନିଜର ସବୁତକ ଅଣ୍ଡା ଗୋଟିଏ ଝୁଡ଼ିରେ ନରଖି ଖେଳାଇ କରି ରଖନ୍ତୁ । ନିଜର ବିପତ୍ତିକୁ ଜଣକ ହାତରେ ଟେକି ନଦେଇ ଅନ୍ୟମାନଙ୍କୁ ମଧ୍ୟ ସୁଯୋଗ ଦିଅନ୍ତୁ ।
  • ଯେତିକି ଟଙ୍କା ଆପଣଙ୍କର ପାଣିରେ ପଡ଼ିଗଲେ ଚଳିବ, ସେତିକିହିଁ ନିବେଶ କରନ୍ତୁ । ଯେତିକି ହରିପାରିବେ ସେତିକି ଜିତିବା ନିମିତ୍ତ ଖେଳାନ୍ତୁ ।
  • ଭିଡ଼ଠୁ ଦୂରରେ ରୁହନ୍ତୁ । ସମସ୍ତେ ଯାହା କଲେ ଆପଣ ମଧ୍ୟ ସେଇଆ କରନ୍ତୁ ନାହିଁ । ଉପରଲିଖିତ ପ୍ରଥମ ବିନ୍ଦୁ ମନେରଖନ୍ତୁ ।
  • ଦ୍ୱିତୀୟ ଥର ଭାବନ୍ତୁ ।
  • କାହାଠାରୁ କିଛି ଉପଦେଶ ନିଅନ୍ତୁ ନାହିଁ । ଏଠାରୁ ମଧ୍ୟ ନୁହେଁ ।

ଶେୟାର ବଜାରରେ ନିବେଶ ନିମିତ୍ତ ଖାତାର ପ୍ରକାର[ସମ୍ପାଦନା]

ମୁଖ୍ୟତଃ ତିନିପ୍ରକାରର ଖାତାଦ୍ୱାରା ଶେୟାର ବଜାରରେ ନିବେଶ କରିହେବ । [୧୮]ସେଗୁଡିକ ହେଲା:

  1. ସଞ୍ଚୟ ଖାତା
  2. ଟ୍ରେଡିଂ ଖାତା
  3. ଡିମାଟ ଖାତା

ସଞ୍ଚୟ ଖାତା[ସମ୍ପାଦନା]

ସଞ୍ଚୟ ଖାତା ହେଉଛି ସାଧାରଣ ବ୍ୟାଙ୍କ ଖାତାଟିଏ ଯେଉଁଠାରେ ଜଣେ ଭାରତୀୟ ନାଗରିକ ଟଙ୍କାପଇସା ରଖନ୍ତି । ଏହି ସଞ୍ଚୟ ଖାତାଟିକୁ ଟ୍ରେଡିଂ ଖାତା ସହିତ ସଂଯୋଗ କରିବାକୁ ପଡ଼ିଥାଏ ।

ଟ୍ରେଡିଂ ଖାତା[ସମ୍ପାଦନା]

ଟ୍ରେଡିଂ ଖାତାରେ ଶେୟାର କିଣାବିକା ହୁଏ । ସଞ୍ଚୟ ଖାତା ଯୋଗ କରିବା ପରେ, ପ୍ରଥମେ ବା କିଛି ଦିନ ମଧ୍ୟରେ ଆବଶ୍ୟକୀୟ ପାଣ୍ଠି ଏହି ଟ୍ରେଡିଂ ଖାତାକୁ ପଠାଯାଏ, ପରେ ଶେୟାର କିଣା ହୁଏ । ସେହିପରି ଭାବେ ଶେୟାର ବିକ୍ରି ସମୟରେ ଶେୟାରର ବିକ୍ରି ମୂଲ୍ୟ ହିସାବରେ ଆପଣଙ୍କୁ ଟଙ୍କା ଯୋଡ଼ା ଯାଇଥିବା ସଞ୍ଚୟ ଖାତାକୁ ଫେରିଆସିବ ।[୧୯]


ଡିମାଟ ଖାତା[ସମ୍ପାଦନା]

ଡିମ୍ୟାଟରିଆଲାଇଜଡ ଖାତା ଏ ସଂକ୍ଷେପରେ ଡିମାଟ ଖାତା କହିଲେ ସେହି ଖାତା ଯେଉଁଥିରେ ଜଣେ ଟ୍ରେଡର ଶେୟାର ଇଲେକଟ୍ରୋନିକ୍ସ ହିସାବରେ ଜମା କରିଥାନ୍ତି । ଏହି ଖାତାରେ ଟ୍ରେଡର ଶେୟର କିଣାବିକା କରିପାରିବେ ନାହିଁ କେବଳ ଶେୟାର ଗୁଡ଼ିକ ଯେତେଦିନ ପାରିବେ ସମ୍ଭବ ରଖିପାରିବେ ।

ପାର୍ଥକ୍ୟ[ସମ୍ପାଦନା]

ଖାତା ମଧ୍ୟରେ ଥିବା ପାର୍ଥକ୍ୟ [୨୦]
ପାର୍ଥକ୍ୟର ଭିତ୍ତି ଡିମାଟ ଖାତା ଟ୍ରେଡିଂ ଖାତା
ଖାତା ଖୋଲିବା ନିମିତ୍ତ ଏସଇବିଆଇର (SEBI) ଅନୁମୋଦନ ଆବଶ୍ୟକ କି ? ହଁ ନାଁ
କିଣାବିକା କରିହେବ ? ନାଁ ହଁ
ବାର୍ଷିକ ରକ୍ଷଣାବେକ୍ଷଣ ପଇସା ପଡ଼େ କି ? ହଁ ନାଁ
ସଞ୍ଚୟ ଖାତା ସହ ସିଧାସଳଖ ଯୋଡ଼ି ହୋଇପାରିବ କି ? ନାଁ ହଁ

ଶେୟାର କିଣାବିକା କରିବେ କିପରି[ସମ୍ପାଦନା]

୨୦୧୭ ମସିହା ସେପ୍ଟେମ୍ବର ମାସରୁ ଭାରତରେ କିଭଳି ଶେୟାର କିଣାବିକା କରିବେ ତାହାର ପଦ୍ଧତି ନିମ୍ନରେ ଦିଆହେଲା:[୨୧]

ପ୍ୟାନ କାର୍ଡ଼ କିମ୍ବା ଆଧାର କାର୍ଡ଼[ସମ୍ପାଦନା]

ଶେୟାର ବଜାରରେ ନିବେଶ କରିବା ନିମିତ୍ତ ପ୍ୟାନ କାର୍ଡ଼ କିମ୍ବା ଆଧାର କାର୍ଡ଼ ଥିବା ଆବଶ୍ୟକ । ଏହା ଖାତା ଖୋଲିବା ସମୟରେ କେ.ୱାଇ.ସି. (Know Your Client) ନିମିତ୍ତ ଆବଶ୍ୟକ । ଏହାଛଡ଼ା ସରକାର ଛଅ ମାସର ବ୍ୟାଙ୍କରେ ଟଙ୍କା ଜମାଉଠା ଚିଠା (ଷ୍ଟେଟମେଣ୍ଟ) ଏବଂ ଏକ ରଦ୍ଧ କରାଯାଇଥିବା ଚେକବୁକ ମଧ୍ୟ ଦେବାକୁ ବାଧ୍ୟ କରିଛନ୍ତି । ଯେହେତୁ ବ୍ୟାଙ୍କ ଖାତା ହିସାବ ଦେବାକୁ ପଡ଼ିବ ତେଣୁ ପାଖରେ ସଞ୍ଚୟ ଖାତା ରହିବା ମଧ୍ୟ ଆବଶ୍ୟକ ।

ବ୍ରୋକର[ସମ୍ପାଦନା]

ଗୋଟିଏ ସାଧାରଣ ଭାରତୀୟ ନାଗରିକ ସିଧାସଳଖ ଶେୟାର କିଣାବିକା କରିପାରିବ ନାହିଁ, ଏଥିପାଇଁ ଏକ ତୃତୀୟ ପକ୍ଷ୍ୟ, ବ୍ରୋକର ଆବଶ୍ୟକ । ଗୋଟିଏ ବ୍ରୋକର ଜଣେ ଏସଇବିଆଇ(SEBI) ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି, କମ୍ପାନୀ କିମ୍ବା ଏଜେନ୍ସି ହୋଇପାରେ । ବ୍ରୋକରମାନେ ସେମାନଙ୍କର ସେବା ନିମିତ୍ତ କିଛି ମୂଲ୍ୟ ନେଇଥାନ୍ତି । ବିନା ବା ଅତିକମ ମୂଲ୍ୟରେ ମଧ୍ୟ କିଛି ବ୍ରୋକର ସେବା ପ୍ରଦାନ କରିଥାନ୍ତି ।

ଡିମାଟ ଖାତା[ସମ୍ପାଦନା]

ବ୍ରୋକର ମିଳିସାରିଲାପରେ ବ୍ରୋକର ସହାୟତାରେ ଡିମାଟ ଖାତା ଏବଂ ଟ୍ରେଡିଂ ଖାତା ଖୋଲିବାକୁ ପଡ଼ିଥାଏ ।

କିଣାବିକା[ସମ୍ପାଦନା]

କେତେ ପରିମାଣର, କେଉଁ ଦାମରେ ଓ କେବେ ଶେୟାର କିଣିବାକୁ ବା ବିକିବାକୁ ଚାହୁଁଛନ୍ତି ବ୍ରୋକରମାନେ ସୁବିଧାନୁସାରେ କିଣାବିକା କରିଥାନ୍ତି ।

ଆଧାର[ସମ୍ପାଦନା]

  1. https://en.wikipedia.org/wiki/List_of_South_Asian_stock_exchanges
  2. https://en.wikipedia.org/wiki/Bhubaneswar_Stock_Exchange
  3. https://economictimes.indiatimes.com/sebi-allows-bhubaneswar-stock-exchange-to-exit-bourse-business/articleshow/46177223.cms
  4. https://www.investopedia.com/terms/s/sensex.asp
  5. https://www.investopedia.com/terms/a/asset.asp
  6. https://www.investopedia.com/terms/f/fungibility.asp
  7. https://www.investopedia.com/terms/s/security.asp
  8. https://www.investopedia.com/ask/answers/difference-between-preferred-stock-and-common-stock/
  9. https://www.forbes.com/sites/michaelfoster/2017/09/23/the-best-and-worst-ways-to-buy-preferred-shares/#371070eb3128
  10. https://investinganswers.com/financial-dictionary/stock-market/preferred-shares-2277
  11. https://www.investopedia.com/terms/d/derivative.asp
  12. ୧୨.୦ ୧୨.୧ https://www.managementstudyguide.com/types-of-derivatives.htm
  13. ୧୩.୦ ୧୩.୧ https://www.investopedia.com/ask/answers/012615/whats-difference-between-primary-and-secondary-capital-markets.asp
  14. https://timesofindia.indiatimes.com/business/india-business/1992-securities-scam-senior-bank-officials-among-5-sentenced/articleshow/64894815.cms
  15. https://www.hindustantimes.com/business/satyam-scam-all-you-need-to-know-about-india-s-biggest-accounting-fraud/story-YTfHTZy9K6NvsW8PxIEEYL.html
  16. https://indianexpress.com/article/india/india-news-india/sunday-story-once-upon-a-time-there-was-a-king-vijay-mallya/
  17. http://learn.advfn.com/index.php?title=Warnings_for_New_Investors
  18. https://fyers.in/different-account-types-for-traders-in-the-indian-stock-market/
  19. https://www.basunivesh.com/2015/04/24/what-is-the-difference-between-demat-account-and-trading-account/
  20. https://keydifferences.com/difference-between-demat-and-trading-account.html
  21. https://economictimes.indiatimes.com/markets/stocks/news/how-can-i-invest-in-share-market/articleshow/59530915.cms