ଚଉଷଠି ଯୋଗିନୀ ମନ୍ଦିର (ରାଣୀପୁର-ଝରିଆଲ)

Coordinates: 20°16′58″N 82°57′41″E / 20.2829009°N 82.961479°E / 20.2829009; 82.961479
ଉଇକିପିଡ଼ିଆ‌ରୁ
ଚଉଷଠି ଯୋଗିନୀ ମନ୍ଦିର
Religion
Sectବଜ୍ରଯାନ ବୌଦ୍ଧବାଦ, ହିନ୍ଦୁ ଧର୍ମ
Districtବଲାଙ୍ଗୀର ଜିଲ୍ଲା
ଦେବାଦେବୀଚଉଷଠି ଯୋଗିନୀ
Location
ସ୍ଥାନରାଣୀପୁର, ଝରିଆଲ
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°16′58″N 82°57′41″E / 20.2829009°N 82.961479°E / 20.2829009; 82.961479

ଚଉଷଠୀ ଯୋଗିନୀ ମନ୍ଦିର ଭାରତର ଏକ ବଜ୍ରଯାନହିନ୍ଦୁ ଯୋଗିନୀ ମନ୍ଦିର ଓ ଏହା ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ରାଣୀପୁର ଝରିଆଲଠାରେ ଅବସ୍ଥିତ । ଏଠାରେ ୬୪ ଜଣ ଯୋଗିନୀଙ୍କ ମୂର୍ତ୍ତି ବୃତ୍ତାକାରରେ ସ୍ଥାପିତ ଓ ଏହା ଓଡ଼ିଶାରେ ବଜ୍ରଯାନ ଓ ତନ୍ତ୍ର ସାଧନା କାଳର । ଏହି ମନ୍ଦିର ସର୍ବଭାରତୀୟ ସ୍ତରରେ ଚତୁର୍ଥ ଓ ଓଡ଼ିଶାରେ ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର ଛଡ଼ା ଦ୍ୱିତୀୟ । ଓଡ଼ିଶାର ଅନ୍ୟତମ ତନ୍ତ୍ରସାଧନା ପୀଠ ଭଦ୍ରକାଳୀ, ମଙ୍ଗଳା, ସାରଳା, ବିରଜା, ଚର୍ଚ୍ଚିକା ଆଦି ମଧ୍ୟରୁ ଏହା ଅନ୍ୟତମ । ଏହି ପୀଠରେ ବଜ୍ରଯାନ ବୌଦ୍ଧଯୁଗୀୟ ଶିଳ୍ପକଳା ଦେଖିବାକୁ ମିଳିଥାଏ ।

ଅବସ୍ଥିତି[ସମ୍ପାଦନା]

ଏହି ପୀଠ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର-ଝରିଆଲରେ ଅବସ୍ଥିତ ।[୧] ଏହା ଜିଲ୍ଲା ସଦର ମହକୁମା ବଲାଙ୍ଗୀର ସହର ଠାରୁ ୧୦୭ କି.ମି., ବଙ୍ଗୋମୁଣ୍ଡା ବ୍ଲକ ସଦରମହକୁମାଠାରୁ ୧୨ କି.ମି. ଓ ସିନ୍ଧେକେଲାଠାରୁ ୭ କି.ମି. ଦୂରରେ ରହିଛି ।[୨][୩] ନିକଟସ୍ଥ ବସ ରହିବା ସ୍ଥାନ ମୁଣ୍ଡପଦରରେ ଅବସ୍ଥିତ । ଝାରସୁଗୁଡ଼ା ବିମାନବନ୍ଦର ଏହାର ନିକଟତମ ବିମାନବନ୍ଦର ଓ ୧୭୯ କି.ମି. ଅବସ୍ଥିତ ଏବଂ ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୁର ଏଠାରୁ ୨୦୧ କି.ମି. ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ବର ଏଠାରୁ ୨୪୮କି.ମି. ଦୂରରେ ରହିଛି । ଟିଟିଲାଗଡ଼ ଏହି ସ୍ଥାନର ନିକଟତମ ରେଳଷ୍ଟେସନ ।[୪]

ଇତିହାସ[ସମ୍ପାଦନା]

ସପ୍ତମରୁ ନବମ ଶତାବ୍ଦୀ ମଧ୍ୟରେ ସୋମବଂଶୀ ରାଜାଙ୍କ ଶାସନ ସମୟରେ ରାଣୀପୁର ଝରିଆଲଠାରେ ଏକଦା ଏକ ତନ୍ତ୍ର ବିଶ୍ୱବିଦ୍ୟାଳୟ ରହିଥିଲା ଓ ଏଠାରେ ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟରୁ ତନ୍ତ୍ରସାଧକମାନେ ଆସି ସାଧନା କରୁଥିଲେ ବୋଲି ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ କୋଶଳ ଇତିହାସ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।[୨]

ସ୍ଥାପତ୍ୟକଳା[ସମ୍ପାଦନା]

ଏହି ପୀଠଟି ଏକ ଛୋଟ ପାହାଡ଼ ଉପରେ ବୃତ୍ତାକାରରେ ରହିଛି ।[୩] ଯୋଗିନୀ ପୀଠର ପ୍ରବେଶ ପଥରେ ଏକ ବିରାଟ ଚଟାଣ ରହିଛି ଓ ପଥର ଉପରେ ଛୋଟ ପଥରଖଣ୍ଡମାନ ଏକ ବ୍ୟୁହ ସଂରଚନା କଲାଭଳି କରାଯାଇଛି । ଏହାକୁ ଚକ୍ରବ୍ୟୁହ କୁହାଯାଏ । ଚକ୍ରବ୍ୟୁହର ଉପରି ଭାଗରେ ଶଙ୍ଖବ୍ୟୁହ ନାମରେ ଆଉ ଏକ ବ୍ୟୁହ ମଧ୍ୟ ରହିଛି । ବିଭିନ୍ନ ଅଙ୍ଗଭଙ୍ଗୀରେ ଓ କ୍ରମରେ ୬୪ ଜଣ ଯୋଗିନୀଙ୍କର ମୂର୍ତ୍ତି ରହିଥିବା ବେଳେ ମଧ୍ୟ ଭାଗରେ ତିନି ଶିର, ଅଷ୍ଟଭୂଜ ବିଶିଷ୍ଟ ତାଣ୍ଡବ ମୁଦ୍ରାରେ ଉର୍ଦ୍ଧ୍ୱ ଲିଙ୍ଗୀ ଶିବଙ୍କ ମୂର୍ତ୍ତି ରହିଛି । ମୂଳ ମନ୍ଦିର ନିକଟରେ ଛୋଟଛୋଟ ଶିଳାଖଣ୍ଡ ନିର୍ମିତ ଏକାଧିକ ମନ୍ଦିର ରହିଛି । ମୂଳ ପୀଠ ଆଗରେ ପଥର ଚଟାଣରେ ପାଞ୍ଚ ଏକରର ଏକ ପୋଖରୀ ରହିଛି ଏବଂ ତାହା ପାଖ ପାହାଡ଼ର ବାମ ପଟେ ଇଟାତିଆରି ଇନ୍ଦ୍ରଲାଠ ମନ୍ଦିର ଓ ଡାହାଣ ପଟେ ସୋମେଶ୍ୱର ମନ୍ଦିର ରହିଛି । ଏହି ପୀଠରେ ବଜ୍ରଯାନ ବୌଦ୍ଧଯୁଗୀୟ ଶିଳ୍ପକଳା ଦେଖିବାକୁ ମିଳିଥାଏ । ସମୟକ୍ରମେ ଓ ଅବହେଳାରୁ ପୀଠର କେତେକ ଯୋଗିନୀ ମୂର୍ତ୍ତି ଭାଙ୍ଗିରୁଜି ଯାଇଛି ଓ ପଥର ମୂର୍ତ୍ତି ଦେହରେ ମୁଲ୍ୟବାନ ଧାତୁ ରହିଥିବା ଭାବି କେତେକ ମୂର୍ତ୍ତି ଚୋରି ମଧ୍ୟ ହୋଇଛି । ନିକଟର ଝରିଆଲ ଗାଁରେ ଏକ ବିଶାଳ ଲମ୍ବା ପଥର ଖଣ୍ଡ ଏବଂ ଏକ ଅଧାଗଢ଼ା ମନ୍ଦିର ମଧ୍ୟ ରହିଛି । ସ୍ଥାନୀୟ ଲୋକମତରେ ରାଣୀପୁରରେ ୧୨୦ଟି ଛୋଟବଡ଼ ମନ୍ଦିର ରହିଥିଲା ଓ ପରେ ଅନେକ ଭାଙ୍ଗିରୁଜି ଏବେ ଏହାର ସଂଖ୍ୟା ୪୦କୁ କମିଯାଇଛି ।[୨]

ଲୋକବିଶ୍ୱାସ[ସମ୍ପାଦନା]

ଏଠାରେ ଥିବା ଚକ୍ରବ୍ୟୁହ ପୀଠକୁ ତନ୍ତ୍ର ସାଧନା ଶିକ୍ଷା ପାଇଁ ଆସୁଥିବା ଛାତ୍ରଙ୍କ ପ୍ରବେଶିକା ନିମନ୍ତେ ଥିବା ବିଶ୍ୱାସ ରହିଛି । ଏହି ବିଶ୍ୱାସ ମତେ ବିଦ୍ୟାଦାନ ପୂର୍ବରୁ ଛାତ୍ରମାନଙ୍କୁ ବ୍ୟୁହ ଭେଦ କରିବାକୁ ପଡ଼ୁଥିଲା ଓ ବ୍ୟୁହ ଭିତରେ ପଶି ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ କେବଳ ବ୍ୟୁହକୁ ଭେଦ କରିପାରୁଥିବା ଛାତ୍ରମାନେ ଶିକ୍ଷାଲାଭ ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ । ତେବେ ଏ ଜନଶ୍ରୁତି ବାବଦରେ କୌଣସି ପ୍ରମାଣିକ ତଥ୍ୟ ଏବେ ଆଉ ନାହିଁ ।[୨]

ବିଧି[ସମ୍ପାଦନା]

ଏହି ପୀଠ ଏକ ପୁରାତନ ବଜ୍ରଯାନ ଓ ତନ୍ତ୍ର ସାଧନା ପୀଠ ହୋଇଥିବାରୁ ଏଠାରେ ଓଡ଼ିଶା ତଥା ଭାରତର ଅନ୍ୟାନ୍ୟ ତନ୍ତ୍ର ସାଧନା ପୀଠ ଭଳି ତନ୍ତ୍ରସାଧକମାନେ ଯୋଗିନୀମାନଙ୍କ ସାଧନା କରିଥାନ୍ତି । ଏଠାରେ ୬୪ ଜଣ ଯୋଗିନୀଙ୍କ ସାଧନା କରାଯାଇଥାଏ ।[୨][୩][୪]

ଆଧାର[ସମ୍ପାଦନା]

  1. "ସଂସ୍କୃତି ଏବଂ ଐତିହ୍ୟ". ବଲାଙ୍ଗିର. Retrieved 28 February 2024.
  2. ୨.୦ ୨.୧ ୨.୨ ୨.୩ ୨.୪ "ତନ୍ତ୍ରବିଦ୍ୟାରେ ଚଉଷଠି ଯୋଗିନୀ : ରାଣୀପୁର-ଝରିଆଲ". prameya.com. ପ୍ରମେୟ. 11 October 2021. Retrieved 2024-02-28.
  3. ୩.୦ ୩.୧ ୩.୨ ହୋତା, ପଲ୍ଲବୀ (14 April 2021). "ଖାଲି ଇତିହାସର ପୃଷ୍ଠାନେ ନାଇଁ ରହିଯାଏତ ଐତିହାସିକ୍ ରାଣୀପୁର ଝରିଆଲ". ପହରା. Retrieved 2024-02-28.
  4. ୪.୦ ୪.୧ "ରାଣୀପୁର ଝରିଆଲ". ବଲାଙ୍ଗିର. Retrieved 2024-02-28.