ଭାରତର ନ୍ୟାୟୀକ ବ୍ୟବସ୍ଥା

ଉଇକିପିଡ଼ିଆ ରୁ
Jump to navigation Jump to search

ଭାରତ ହେଉଛି ବିଶ୍ୱର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ।[୧] ଗଣତନ୍ତ୍ରରେ ସରକାରର ୩ଟି ଅଙ୍ଗ ବା ଶାଖା ଥାଏ, ଯଥା ବ୍ୟବସ୍ଥାପକ ସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା । ବ୍ୟବସ୍ଥାପକ ସଭା ଆଇନ ପ୍ରଣୟନ କରୁଥିବାବେଳେ କାର୍ଯ୍ୟପାଳିକା ଏହାକୁ କାର୍ଯ୍ୟକାରୀ କରେ । ସେହିପରି ବିଚାରବିଭାଗ ଏହି ଆଇନ ଗୁଡିକର ତର୍ଜମା, ବ୍ୟାଖ୍ୟା ଓ ସମୀକ୍ଷା କରେ ତଥା ଦୋଷୀକୁ ଦଣ୍ଡବିଧାନ କରେ ।

HIERARCHY OF COURTS IN INDIA

ଭାରତୀୟ ସମ୍ବିଧାନ ଓ ନ୍ୟାୟୀକ ବ୍ୟବସ୍ଥା[ସମ୍ପାଦନା]

ଭାରତ ପରି ରାଷ୍ଟ୍ରସଂଘୀୟ ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି । ଭାରତରେ ବିଚାର ବିଭାଗ ଓ ନ୍ୟାୟ ପଦ୍ଧତି ପ୍ରଶାସନର ଏକ ପ୍ରଧାନ ଅଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କର ସ୍ୱାଧୀନତା ରହିଛି । ଭାରତୀୟ ବିଚାର ବିଭାଗର ଅନନ୍ୟ ବିଶେଷତ୍ୱ ହେଉଛି ଏହା ଏକ ଉତ୍ତମ ରୂପେ ଗଢାଯାଇଥିବା ଢଞ୍ଚାରେ କାର୍ଯ୍ୟ କରେ । ସମ୍ବିଧାନ ତଥା ଏହାର ପ୍ରାବଧାନ ଅନୁସାରେ କାର୍ଯ୍ୟକାରୀ ହୋଇଥିବା ସମସ୍ତ ବିଧିବିଧାନର ତର୍ଜମା କରନ୍ତି ବିଚାରପତି ମାନେ । ପାର୍ଲିଆମେଣ୍ଟର ସାର୍ବଭୌମତ୍ୱ ଥିଲେ ମଧ୍ୟ, ଭାରତରେ ନ୍ୟାୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।[୨]

ବିଚାରପତିମାନଙ୍କ ନିଯୁକ୍ତି ଓ ବଦଳି[ସମ୍ପାଦନା]

ପ୍ରାରମ୍ଭିକ ଅବସ୍ଥାରେ କେନ୍ଦ୍ର କ୍ୟାବିନେଟଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ବିଚାରପତିମାନଙ୍କ ନିଯୁକ୍ତି କରାଯାଉଥିଲା । ତେବେ, Supreme Court Advocates-on Record Association vs Union of India - 1993[୩] ମାମଲା ବଳରେ ନ୍ୟାୟତନ୍ତ୍ରଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ମଧ୍ୟ କାର୍ଯ୍ୟପାଳିକା ଆବଶ୍ୟକ ସ୍ଥଳେ ଅନୁପଯୁକ୍ତ ପ୍ରାର୍ଥିଙ୍କ ନାମ ବାଦ ଦେଇପାରିବେ ବୋଲି ଏକ ବେଶେଷ ଅଧିକାର ପ୍ରଦତ୍ତ ହେଲା । କେତେକଙ୍କ ମତରେ କାର୍ଯ୍ୟପାଳିକା ଏହି ବିଶେଷ ଅଧିକାରକୁ .ନ୍ୟାୟପୂର୍ଣ୍ଣ ଭାବେ ବିନିଯୋଗ କରିପାରିଲେ ନାହିଁ । [୪][୫][୬] ଫଳରେ ୧୯୯୮ ମସିହାର ଆଉ ଏକ ଫଇସଲା ପରେ ଏକ ନୂତନ ବ୍ୟବସ୍ଥାର ସୂତ୍ରପାତ ହେଲା । ବର୍ତ୍ତମାନ ଭାରତର ନ୍ୟାୟୀକ ବ୍ୟବସ୍ଥାରେ ଉଚ୍ଚତମ ତଥା ଉଚ୍ଚ ନ୍ୟାୟାଳୟଗୁଡିକରେ ବିଚାରପତିଙ୍କ ନିଯୁକ୍ତି ନିମିତ୍ତ କଲିଜିୟମ ବ୍ୟବସ୍ଥାର ପ୍ରଚଳନ ଅଛି । କଲିଜିୟମ ଅର୍ଥାତ ଉଚ୍ଚତମ ଅଦାଲତର ମୁଖ୍ୟ ନ୍ୟାୟାଧୀଶ ଏବଂ ଅନ୍ୟ ଚାରିଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟିଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ଭାରତର ରାଷ୍ଟ୍ରପତି ବିଚାରପତିମାନଙ୍କର ନିଯୁକ୍ତି କରିଥାଆନ୍ତି । ଏହି ପ୍ରକ୍ରିୟା ଉଚ୍ଚତମ ନ୍ୟାୟାଳୟର ନିମ୍ନ ତିନିଗୋଟି ଫଇସଲା ଉପରେ ଆଧାରିତ । ଏହା ମଧ୍ୟ ତିନି ନ୍ୟାୟାଧୀଶଙ୍କ ମାମଲା ବା Three Judges' Cases ନାମରେ ବେଶ ଜଣାଶୁଣା ।

  1. S. P. Gupta v. Union of India - 1982[୭] (also known as the Judges' Transfer case)
  2. Supreme Court Advocates-on Record Association vs Union of India - 1993[୩]
  3. In re Special Reference 1 of 1998[୮]

ପରବର୍ତ୍ତୀ ସମୟରେ ଭାରତ ସରକାର କଲିଜିୟମ୍ ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସମ୍ବିଧାନର ୯୯ତମ ସଂଶୋଧନଦ୍ୱାରା ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ବା 'National Judicial Appointments Commission (NJAC) Act' ସଂସଦରେ ଆଗତ କରିଥିଲେ । ଏହି ବିଲ ସଂସଦର ଉଭୟ ଗୃହରେ ପାରିତ ହେବାପରେ ୩୧ ଡିସେମ୍ବର ୨୦୧୪ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରି ଆଇନରେ ପରିଣତ ହେଲା । ତେବେ ଭାରତ ଉଚ୍ଚତମ ନ୍ୟାୟାଳୟ ଏହି ଅଧିନିୟମକୁ ଅସାମ୍ବିଧାନିକ ଦର୍ଶାଇ ୨୦୧୬ ମସିହାରେ ଖାରଜ କରିଦେବା ପରେ ବର୍ତ୍ତମାନ ପୁଣି କଲିଜିୟମ ବ୍ୟବସ୍ଥା ବଳବତ୍ତର ରହିଛି ।[୯]

ବିଚାରପତିମାନଙ୍କ ବହିଷ୍କାର[ସମ୍ପାଦନା]

ଅଧିକ ତଥ୍ୟ ପାଇଁ ମୂଳ ଲେଖା ମହାଭିଯୋଗ ଦେଖନ୍ତୁ

ମହାଭିଯୋଗ ହେଉଛି ଭାରତୀୟ ସମ୍ବିଧାନର ଏକ ଆଇନଗତ ପ୍ରକ୍ରିୟା ଯଦ୍ୱାରା ଭାରତର ରାଷ୍ଟ୍ରପତି, ଉଚ୍ଚତମ ନ୍ୟାୟାଳୟ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ବିଭିନ୍ନ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ ଭଳି ଅଭିଯୋଗ ଆଧାରରେ ସେମାନଙ୍କର କାର୍ଯ୍ୟ ଅବଧି ପୂରଣ ପୂର୍ବରୁ ବହିଷ୍କାର କରାଯାଇପାରିବ ।

ଭାରତୀୟ ସମ୍ବିଧାନର ଧାରା ୧୨୪ ଏବଂ ଉପଧାରା ୪ରେ ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗ ବିଷୟରେ ଉଲ୍ଲେଖ ଅଛି ।[୧୦] ଏହି ଧାରା ଅନୁଯାୟୀ ଭାରତୀୟ ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଏହି ପ୍ରସ୍ତାବ ଆଗତ କରାଯାଇପାରିବ । ତେବେ ଏହି ପ୍ରସ୍ତାବଟି ରାଜ୍ୟ ସଭା ଏବଂ ଲୋକ ସଭାରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ଉପସ୍ଥିତିରେ ବହୁମତରେ ପାରିତ ହେବା ଦରକାର ।[୧୧]

ଉଚ୍ଚତମ ନ୍ୟାୟାଳୟ[ସମ୍ପାଦନା]

ଭାରତୀୟ ବିଚାର ବିଭାଗ ବ୍ୟବସ୍ଥାରେ ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ସୁପ୍ରିମ କୋର୍ଟ । ସମ୍ବିଧାନର ୧୨୪ ଧାରାରେ ସୁପ୍ରିମକୋର୍ଟ ବା ଉଚ୍ଚତମ ନ୍ୟାୟାଳୟ ଗଠନ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାର ମୁଖ୍ୟଙ୍କୁ ଭାରତର ପ୍ରଧାନ ବିଚାରପତି କୁହାଯାଏ । ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥାନ୍ତି । ସମ୍ବିଧାନର ଅଭିଭାବକ ଓ ସଂରକ୍ଷକ ହିସାବରେ କ୍ଷମତାଧାରୀ ସଂସ୍ଥାକୁ ସୀମିତ କରି ସମ୍ବିଧାନର ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା ହେଲା ସର୍ବୋଚ୍ଚ ନ୍ୟାୟାଳୟର ଧର୍ମ ।[୧୨] କୌଣସି ଆଇନ ବା ହୁକୁମନାମା ସମ୍ବିଧାନର ବିରୁଦ୍ଧାଚରଣ କଲେ, ନ୍ୟାୟାଳୟମାନେ ତାକୁ ନାକଚ କରିଦେବାର କ୍ଷମତା ରହିଛି । ସମ୍ବିଧାନର ବ୍ୟବସ୍ଥାକୁ ମାପକାଠି ରୂପେ ବ୍ୟବହାର କରି ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟମାନ ଆଇନ ବା ହୁକୁମନାମାକୁ ପୁନରାବଲୋକନ କରନ୍ତି ଓ ବିରୁଦ୍ଧାଚରଣ ହୋଇଥିଲେ ତାହା ନାକଚ ବା ରଦ୍ଦ କରିଦିଅନ୍ତି । ଏହି କ୍ଷମତାକୁ ଜୁଡ଼ିସିଆଲ ରିଭ୍ୟୁ ବା ନ୍ୟାୟାଳୟ ପୁନରାବଲୋକନ କ୍ଷମତା କୁହାଯାଏ ।

ଉଚ୍ଚ ନ୍ୟାୟାଳୟ[ସମ୍ପାଦନା]

ରାଜ୍ୟ ସ୍ତରରେ ବିଚାର ବ୍ୟବସ୍ଥାର ସର୍ବୋଚ୍ଚ ଅନୁଷ୍ଠାନ ହେଓଛି ହାଇକୋର୍ଟ ବା ଉଚ୍ଚନ୍ୟାୟଳୟ । ସମ୍ବିଧାନର ୨୧୪ ଅନୁଚ୍ଛେଦରେ ପ୍ରତ୍ୟେକରାଜ୍ୟରେ ଗୋଟିଏ ଲେଖାଏଁ ହାଇକୋର୍ଟ ରହିବ ବୋଲି ବ୍ୟବସ୍ଥା ରହିଛି । ୨୩୧ ଅନୁଚ୍ଛେଦ ଅନୁସାରେ ସଂସଦରେ ଆଇନ କରି ଦୁଇ ବା ତତୋଧିକ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗୋଟିଏ ହାଇକୋର୍ଟ ପ୍ରତିଷ୍ଠା କରାଯାଇପାରିବ । ଓଡ଼ିଶା ହାଇକୋର୍ଟ ୧୯୪୮ ମସିହାରେ କଟକଠାରେ ପ୍ରତିଷ୍ଠା ହୋଇଥିଲା ।

ସାମ୍ବିଧାନିକ ବ୍ୟବସ୍ଥାରେ ଉଚ୍ଚ ନ୍ୟାୟାଲୟର ମୌଳିକ ଅଧିକାର କ୍ଷେତ୍ର (Jurisdiction)ସବୁ ହେଉଛି ଏହିଭଳି:[୧୩]

  • ମୂଳ ଅଧିକାର କ୍ଷେତ୍ର (original jurisdiction)
ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ କୌଣସି ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମାଧ୍ୟରେ ରିଟ (writ)ମାଧମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରୀ କରିପାରିବେ ।
  • ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର (Appellate jurisdiction)
ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ(RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ ସଂପୃକ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ ।
ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।
  • ପ୍ରଶାସନିକ ଅଧିକାର କ୍ଷେତ୍ର (Administrative jurisdiction)

ରାଜ୍ୟ ଉଚ୍ଚ ନ୍ୟାୟାଳୟ ଏହା ଅଧିନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।

ଅଧସ୍ତନ ଅଦାଲତ[ସମ୍ପାଦନା]

ରାଜ୍ୟରେ ହାଇକୋର୍ଟ ବ୍ୟତୀତ ଜିଲ୍ଲାସ୍ତରରେ ଅଧସ୍ତନ ବା ନିମ୍ନ ଅଦାଲତ ରହିଅଛି । ଅଧସ୍ତନ ବିଚାରରାଳୟକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି । ଯଥା : (୧) ଦେବାନୀ ଅଦାଲତ ଓ (୨) ଫୌଜଦାରୀ ଅଦାଲତ ଏହି ଅଦାଲତଗୁଡିକ ହାଇକୋର୍ଟର ତତ୍ତ୍ୱାବଧାନରେ ପରିଚାଳିତ ହୋଇଥାନ୍ତି । ଦେବାନୀ ଓ ଫୌଜଦାରୀ ମକଦ୍ଦମା ପାଇଁ ଯଥାକ୍ରମେ ଦେୱାନୀ କାର୍ଯ୍ୟବିଧି ସଂହିତା ଓ ଫୌଜଦାରୀ କାର୍ଯ୍ୟବିଧି ସଂହିତା ଅନୁସରଣ କରାଯାଏ । ରାଜ୍ୟ ହାଇକୋର୍ଟର ସୁପାରିଶ କ୍ରମେ ରାଜ୍ୟପାଳ ଜିଲ୍ଲା ଜଜଙ୍କୁ ନିଯୁକ୍ତି ଦେଇଥାନ୍ତି ।

ଦେବାନୀ ଅଦାଲତ[ସମ୍ପାଦନା]

ଯେଉଁ ଅଦାଲତରେ ଜମିବାଡି, ଧନ ସଂପତ୍ତି, ସୀମା ଓ ଚୁକ୍ତି ଜନିତ ମକଦ୍ଦମା ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।

ଦେବାନୀ ଅଦାଲତର ସ୍ତର[ସମ୍ପାଦନା]

ଏହି ଅଦାଲତରେ ବିଚାରପତିମାନେ ସାଧାରଣତଃ ଦେୱାନୀ ଆଇନ ସମ୍ବନ୍ଧୀୟ ମକଦ୍ଦମାଗୁଡିକୁ ବିଚାର କରିଥାନ୍ତି । ଉକ୍ତ ଅଦାଲତ ଗଠନ ନିମ୍ନ ପ୍ରକାରର ।

(କ) ଜିଲ୍ଲା ଜଜ୍- ଜିଲ୍ଲାର ମୁଖ୍ୟ ବିଚାରପତିଙ୍କୁ ଜିଲ୍ଲା ଜଜ୍ କୁହାଯାଏ । ଜିଲ୍ଲା ମୁଖ୍ୟାଳୟରେ ଏହି ଅଦାଲତ ଅବସ୍ଥିତ । ସମସ୍ତ ଦେୱାନୀ ମକଦ୍ଦମାର ପ୍ରଥମ-ଅପିଲ୍ ଏହି ଜିଲ୍ଲା ଜଜ୍ ଅଦାଲତରେ ହୁଏ । ହତ୍ୟା ଭଳି ସଂଗୀନ ମାମଲାକୁ ବିଚାର କରୁଥିବାରୁ,ତାକୁ ମଧ୍ୟ ଦୌରାଜଜ୍ ଅଦାଲତ କୁହାଯାଏ ।

(ଖ) ସିନିୟର୍ ସିଭିଲ୍ ଜଜ୍-ଟ.୫୦,୦୦୦ଙ୍କାରୁ ଅଧିକ ମୁଲ୍ୟର ସମ୍ପତ୍ତି ସଂକ୍ରାନ୍ତ ବିବାଦ ଗୁଡିକ ବରିଷ୍ଠ ଦେୱାନୀ ବିଚାରପତି (ସିନିୟର୍ ସିଭିଲ୍ ଜଜ୍)ଙ୍କ ଅଦାଲତରେ ବିଚାର କରାଯାଏ ।

(ଗ) ସିଭିଲ୍ ଜଜ୍-ଟ.୫୦,୦୦୦ଙ୍କା ପର୍ଯ୍ୟନ୍ତ ମୁଲ୍ୟ ସମ୍ପତ୍ତି ସଂକ୍ରାନ୍ତ ମାମଲା ଗୁଡିକର ବିଚାର ସିଭିଲ୍ ଜଜ୍‌ଙ୍କ ଅଦାଲତରେ କରାଯାଏ ।

ଫୌଜଦାରୀ ଅଦାଲତ[ସମ୍ପାଦନା]

ଯେଉଁ ଅଦାଲତରେ ଡକାୟତି, ନରହତ୍ୟା ଓ ମାଡପିଟ ଇତ୍ୟାଦି ମକଦ୍ଦମା ବିଚାର କରାଯାଏ, ତାହାକୁ ଫୌଜଦାରୀ ଅଦାଲତ କୁହାଯାଏ ।

ଫୌଜଦାରୀ ଅଦାଲତର ସ୍ତର[ସମ୍ପାଦନା]

ଏହି ଅଦାଲତରେ ଫୌଜଦାରୀ ସଂକ୍ରାନ୍ତ ତଥା ମାନବ ଶରୀରରେ ଆଘାତ, ସମ୍ପତ୍ତି ଜନିତ ଫୌଜଦାରୀ, ଆର୍ଥିକ ଅପରାଧ, ଯୌନ ଅପରାଧ, ହତ୍ୟା ଜନିତ ଅପରାଧର ବିଚାର କରାଯାଏ ।

(କ) ଦୌରା ଜଜ୍/ଅତିରିକ୍ତ ଦୌରାଜଜ୍- ଭାରତୀୟ ଦଣ୍ଡବିଧି ଆଇନରେ ବର୍ଣ୍ଣିତ ସର୍ବୋଚ୍ଚ ଦଣ୍ଡଯୁକ୍ତ ଅପରାଧ ଯଥା- ନରହତ୍ୟା, ଧର୍ଷଣ, ଲୁଣ୍ଠନ ତଥା ନିଶାଦ୍ରବ୍ୟ ଚାଲାଣ ଭଳି ଅପରାଧର ବିଚାର ଏହି ଅଦାଲତରେ ହୁଏ । ଏହି ଅଦାଲତ ଆଜୀବନ କାରାଦଣ୍ଡ ତଥା ଫାଶି ଦଣ୍ଡ ଦେଇପାରିବେ । ତେବେ ଫାଶି ଦଣ୍ଡ ଉଚ୍ଚ ନ୍ୟାୟାଳୟଙ୍କଦ୍ୱାରା ପୁଷ୍ଟିକରଣ ହେବା ଦରକାର ।

(ଖ) ସହକାରୀ ଦୌରା ଜଜ୍-ଦଣ୍ଡବିଧି ଆଇନ ଅନୁସାରେ ଅଧିକ ଦଣ୍ଡ ଓ ମଧ୍ୟମ ଧରଣର ଅପରାଧ ଏହି କୋର୍ଟରେ ବିଚାର ହୁଏ । ଏହି ଅଦାଲତ ସର୍ବାଧିକ ଦଶ ବର୍ଷ କାରାଦଣ୍ଡ ତଥା ଜୋରିମାନା ଭଳି ଦଣ୍ଡ ଦେଇପାରିବେ ।

(ଖ) ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧୀକାରୀ-ଏହି ଅଦାଲତ ସର୍ବାଧିକ ସାତ ବର୍ଷ କାରାଦଣ୍ଡ ତଥା ଜୋରିମାନା ଭଳି ଦଣ୍ଡ ଦେଇପାରିବେ ।

(ଗ) ଅନୁବିଭାଗୀୟ ବିଚାର ବିଭାଗୀୟ ଦଣ୍ଡାଧୀକାରୀ/ବିଚାର ବିଭାଗୀୟ ଦଣ୍ଡାଧୀକାରୀ ପ୍ରଥମ ଶ୍ରେଣୀ-ସବଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଅତିବେଶୀରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭଳି ଦଣ୍ଡ ବିଧାନ କରିପାରନ୍ତି ।

(ଘ) ବିଚାର ବିଭାଗୀୟ ଦଣ୍ଡାଧୀକାରୀ ଦ୍ୱିତୀୟ ଶ୍ରେଣୀ-ଅତିବେଶୀରେ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭଳି ଦଣ୍ଡ ବିଧାନ କରିପାରନ୍ତି ।

କେଉଁ ସବୁ ଅପରାଧ କେଉଁ ଅଦାଲତରେ ବିଚାର ହେବ ତାହାର ଏକ ତାଲିକା ଫୌଜଦାରୀ କାର୍ଯ୍ୟବିଧି ସଂହିତାର ତଫସିଲରେ ଉଲ୍ଲେଖ ଅଛି ।[୧୪]

ଏହା ବ୍ୟତୀତ ସ୍ୱତନ୍ତ୍ର ନ୍ୟାୟାଳୟ, ପାରିବାରିକ ନ୍ୟାୟାଳୟ, ଶ୍ରମ ଅଦାଲତ, ପ୍ରଶାସନିକ ନ୍ୟାୟଳୟ ଏବଂ କର ସମ୍ବନ୍ଧୀୟ ନ୍ୟାୟଳୟ ମାନ ମଧ୍ୟ ଅଛି । ରାଜସ୍ୱ ସମ୍ବନ୍ଧୀୟ ବିବାଦ ଓ ମାମଲା ତହସିଲଦାର, ଉପ ଜିଲ୍ଲାପାଳ, ଜିଲ୍ଲା ମାଜିଷ୍ଟ୍ରେଟ/ଜିଲ୍ଲପାଳ, ରାଜସ୍ୱ ଆୟୋଗ, ବନ୍ଦୋବସ୍ତ ଆୟୋଗ, ଭୂସଂସ୍କାର ଆୟୋଗ, ଚକବନ୍ଦୀ ଆୟୋଗ, ରାଜସ୍ୱ ପାର୍ଷଦ ସଦସ୍ୟଙ୍କ ଦପ୍ତର ଗୁଡିକରେ ବିଚାର କରାଯାଏ ।

ଗ୍ରାମ ନ୍ୟାୟାଳୟ[ସମ୍ପାଦନା]

ପିଡୀତ ବ୍ୟକ୍ତି ବିଶେଷଙ୍କୁ ତ୍ୱରିତ ନ୍ୟାୟପ୍ରଦାନ କ୍ଷେତ୍ରରେ ଆଉ ଏକ ଅଭିନବ ନ୍ୟାୟିକ ବ୍ୟବସ୍ଥା ଅନ୍ତର୍ଗତ ଗ୍ରାମ ନ୍ୟାୟାଳୟ ଅଧିନିୟମ, ୨୦୦୮ [୧୫]ଅନ୍ତର୍ଗତ ଗ୍ରାମ ନ୍ୟାୟାଳୟ ସବୁ ପ୍ରତିଷ୍ଠା ହୋଇଛି ।[୧୬] ଏହି ବ୍ୟବସ୍ଥାରେ ଭ୍ରାମ୍ୟମାଣ ଅଦାଲତ ପଞ୍ଚାୟତ ତଥା ବ୍ଳକ ସ୍ତରରେ ପହଞ୍ଚି ଅଭିଯୋଗର ତ୍ୱରିତ ବିଚାର କରି ନ୍ୟାୟ ପ୍ରଦାନ କରିଥାଏ । ତେବେ ଏହି ବ୍ୟବସ୍ଥା ପ୍ରତି ବ୍ଳକ ସ୍ତରରେ ଅଦ୍ୟାବଧି ଲାଗୁ ହୋଇପାରିନାହିଁ ।

ଇ-ଅଦାଲତ[ସମ୍ପାଦନା]

ଭାରତୀୟ ବିଚାର ବିଭାଗରେ ସୂଚନା ଏବଂ ସଂଚାର ଟେକ୍‌ନୋଲୋଜିର (ICT) ବ୍ୟବହାର ପୂର୍ବକ ବିଚାର ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ନିମନ୍ତେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଗଠିତ କମିଟିର (National Policy and Action Plan for Implementation of Information and communication Technology in the Indian Judiciary-2005) କାର୍ଯ୍ୟ ଯୋଜନା ମୁତାବକ ଇ-ଅଦାଲତ ପରିଯୋଜନା ଲାଗୁହୋଇଛି । ଇ-ଅଦାଲତ ପରିଯୋଜନାର ପରିକଳ୍ପନା ୨୦୦୫ ମସିହାରେ ହୋଇଥିଲେ ସୁଦ୍ଧା ପ୍ରାଥମିକ ଭାବେ ୯୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଇ-ଅଦାଲତ ପରିଯୋଜନା ଅନ୍ତର୍ଗତ ମିଶନ୍ ମୋଡ୍ ପ୍ରୋଜେକ୍ଟ (Mission Mode Project-Phase-1)ରେ ଦେଶର ୧୪,୨୪୯ ଉଚ୍ଚ ନ୍ୟାୟାଳୟ ତଥା ଜିଲ୍ଲା ଓ ନିମ୍ନ ଅଦାଲତ ଗୁଡିକର କମ୍ପୁଟରୀକରଣ କରାଗଲା ।[୧୭] ଇତିମଧ୍ୟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଇ-କମିଟି ଇ-ଅଦାଲତ ପରିଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି ।[୧୮] ଏହି ପରିଯୋଜନାର ମୂଳ ଲକ୍ଷ୍ୟ ହେଲା :

  1. କୁଶଳ ତଥା ସମୟବଦ୍ଧ ଜନ କୈନ୍ଦ୍ରିକ ଆଇନ ସେବା ପ୍ରଦାନ ।
  2. ନ୍ୟାୟାଳୟରେ ନ୍ୟାୟୀକ ଫୈସଲା ମୁତାବକ ଅଦାଲତ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀୟ ଏକ ନ୍ୟାୟୀକ ପ୍ରଣାଳୀର ବିକାଶ ଏବଂ ଉପଯୋଗ ।
  3. ବିଚାର ବିଭାଗର ସମସ୍ତ ହିତଧାରକଙ୍କୁ (Stakeholders) ସ୍ୱୟଂଚାଳିତ ତଥ୍ୟ ପ୍ରଦାନରେ ସ୍ୱଚ୍ଛତା ଏବଂ ପାରଦର୍ଶୀତାର ପ୍ରୟୋଗ ।
  4. ନ୍ୟାୟ ପ୍ରଦାନ ପ୍ରକ୍ରୀୟାର ଗୁଣାତ୍ମକ ମାନ ତଥା ଉତ୍ପାଦକତା ବୃଦ୍ଧି କରିବା ସହ ନ୍ୟାୟ ପ୍ରଦାନ ପ୍ରକ୍ରୀୟାକୁ ସହଜ ଲବ୍ଧ କରିବା ।
  5. ବକେୟା ମାମଲାର ତ୍ୱରିତ ବିଚାର ନିମନ୍ତେ ସହାୟକ ହେବା ସହ ନ୍ୟାୟାଳୟରେ ଦୈନନ୍ଦିନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ।
  6. ମହକିଲଙ୍କୁ ଆବଶ୍ୟକୀୟ ତଥ୍ୟ ଯୋଗାଇବାରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ବିଚାର ପତିଙ୍କୁ ନ୍ୟାୟୀକ ଡେଟାବେସ୍‌ରୁ ତଥ୍ୟ ଯୋଗାଇବାରେ ସହାୟତା କରିବା ।

ନ୍ୟାୟୀକ ସେବା କେନ୍ଦ୍ର[ସମ୍ପାଦନା]

ଇ-ଅଦାଲତ ପରିଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଅଦାଲତ ପରିସରରେ ଏକ ନ୍ୟାୟୀକ ସେବା କେନ୍ଦ୍ର ଖୋଲାଯାଇଛି । ଏଠାରେ ସାଧାରଣ ଲୋକେ ମାମଲା ଦାଖଲ କରିବା ସହ ମାମଲା ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ଯଥା ପରବର୍ତ୍ତୀ ତାରିଖ, ରେଜିଷ୍ଟ୍ରେସନ ସଂଖ୍ୟା ଇତ୍ୟାଦି ତଥ୍ୟ ପାଇଥାଆନ୍ତି । ଏହି ସବୁ ସେବା ନିଃଶୁଳ୍କ ଯୋଗାଇ ଦିଆ ଯାଇଥାଏ । ଏହି ସେବା ମାଧ୍ୟମରେ ଆବେଦନକାରୀଙ୍କ ମୋବାଇଲ ମାଧ୍ୟମରେ ମାମଲାର ପରବର୍ତ୍ତୀ ତାରିଖ ମଧ୍ୟ ଜଣାଇଦିଆଯାଇଥାଏ ।[୧୯]

ଆଧାର[ସମ୍ପାଦନା]

  1. "India: the biggest democracy in the world" (PDF). Retrieved 28 February 2016.
  2. "Judiciary system in India". Retrieved 28 February 2016.
  3. ୩.୦ ୩.୧ Verma (for the majority), J S. "Supreme Court Advocates-on-Record Association v. Union of India". indiankanoon.org. Indian Kanoon. Retrieved 20 June 2018.
  4. Venkatesan, V. "Interview with Justice J.S. Verma, former Chief Justice of India (The Judiciary: 'Honesty Matters')". Frontline (Volume 25 – Issue 20 :: Sep. 27-Oct. 10, 2008). Retrieved 2015-11-08.
  5. Krishna Iyer, V. R. (7 August 2001). "Higher judicial appointments – II". The Hindu. Retrieved 2015-11-08.
  6. Thomas, K. T. (13 August 2014). "In defence of the collegium". The Indian Express. Retrieved 2015-11-08.
  7. Bhagwati, P. "S. P. Gupta v. President of India". indiankanoon.org. Indian Kanoon. Retrieved 20 June 2018.
  8. Barucha, S. P. "In re Special Reference 1 of 1998". indiankanoon.org. Indian Kanoon. Retrieved 20 June 2018.
  9. "SC Bench strikes down NJAC Act as 'unconstitutional and void'". Retrieved 20 June 2018.
  10. "The Process Of Impeachment Of Judges". Retrieved 21 June 2018.
  11. "Article 124 of Constitution of India". Retrieved 22 April 2018.
  12. Mehta, Pratap Bhanu (2002). Hasan, Zoya; Sridharan, E.; Sudarshan, R., eds. Article - The Inner Conflict of Constitutionalism: Judicial Review and the 'Basic Structure' (Book - India's Kiving Constitution: Ideas, Practices, Controversies) ((2006)Second Impression (2002)First ed.). Delhi: Permanent Black. p. 187. ISBN 81-7824-087-4. Retrieved 9 November 2015.
  13. "Jurisdiction, Powers and Control of High Court". Retrieved 23 June 2018.
  14. "Code of Criminal Procedure". Retrieved 5 March 2016.
  15. "THE GRAM NYAYALAYAS ACT, 2008". Retrieved 18 June 2018.
  16. "Gram Nyayalayas". Retrieved 18 June 2018.
  17. "E-Courts Mission Mode Project". www.pib.nic.in. Retrieved 1 May 2016.
  18. "POLICY AND ACTION PLAN DOCUMENT" (PDF). www.supremecourtofindia.nic.in. Retrieved 1 May 2016.
  19. "Judicial service centres inaugurated". Retrieved 20 June 2018.

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଓଡ଼ିଶା ଉଚ୍ଚ ନ୍ୟାୟାଳୟ