ଭାଗବତ ଟୁଙ୍ଗି

ଉଇକିପିଡ଼ିଆ ରୁ
(ଭାଗବତ ଟୁଙ୍ଗୀ ରୁ ଲେଉଟି ଆସିଛି)
Jump to navigation Jump to search
ଭୁବନେଶ୍ୱରର ନିଳାଦ୍ରୀବିହାରସ୍ଥିତ ଶନିମନ୍ଦିର ପରିସରରେ ଥିବା ଭାଗବତ ଟୁଙ୍ଗୀ

ଭାଗବତ ଟୁଙ୍ଗି (ଭାଗବତ ଟୁଙ୍ଗୀ ମଧ୍ୟ ଲେଖାଯାଏ[୧] ) ଓଡ଼ିଶାରେ ଆଗକାଳରେ ପ୍ରଚଳିତ ଏକ କୋଠଘରକୁ ବୁଝାଇଥାଏ ଯେଉଁଠାରେ ଗାଁର ଲୋକମାନେ ସଞ୍ଜ ବେଳେ ମେଳି ହୋଇ ଭାଗବତ, ଓଡ଼ିଆ ରାମାୟଣ, ଓଡ଼ିଆ ମହାଭାରତ ତଥା ନାନାଦି ପୁରାଣ ଆଲୋଚନା, ଗାଁରେ ହେଉଥିବା ଅସୁବିଧା ଓ ତାହାର ସମାଧାନ, ନ୍ୟାୟ-ନିଶାପ ଆଦି କରୁଥିଲେ । ଏଥିରେ ଧନୀ, ଗରିବ, ପଢୁଆ, ଅପାଠୁଆ ସଭିଏଁ ଭାଗ ନେଉଥିଲେ ।[୨][୩] ପୁରୀର ସାତଲହରୀ ମଠରେ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଭାଗବତ ଟୁଙ୍ଗି ପ୍ରଥମେ ଆତ୍ମପ୍ରକାଶ କରିଥିଲା ଓ କ୍ରମେ ସମଗ୍ର ଓଡ଼ିଶାରେ ଗଢ଼ି ଉଠିଥିଲା । [୪]

ଉତ୍ପତ୍ତି[ସମ୍ପାଦନା]

ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ୍ଭାଗବତ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ଆଜି ବି ଗାଁ ଗାଁରେ ଲୋକେ ଭାଗବତ ସପ୍ତା, ପାରାୟଣହରି ହାଟ ଆଦି ମାଧ୍ୟମରେ ଏହାର ପଠନ ଓ ଶ୍ରବଣ କରିଥାନ୍ତି । ଏହି ଗ୍ରନ୍ଥକୁ ନିତ୍ୟ ପାଠ କରିବାପାଇଁ ଏକ ଲୋକୋକ୍ତି ପ୍ରଚଳିତ ।
ପରମ ଶାସ୍ତ୍ର ଭାଗବତ ।
ଅଭ୍ୟାସ କରୁଥିବ ନିତ୍ୟ॥
ଭାଗବତର ନିତ୍ୟ ଅଭ୍ୟାସକୁ ସମ୍ଭବ କରିବାପାଇଁ ଆଗକାଳରେ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ନାମରେ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଯାଉଥିଲା । ଯାହା ଆଜି ବି ଅନେକ ଗାଁରେ ଦେଖିବାକୁ ମିଳିଥାଏ । ଓଡ଼ିଶାରେ ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଭଦ୍ରକ ଜିଲ୍ଲାର କିସ୍ମତ କୃଷ୍ଣପୁର ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି ।

ଉପଯୋଗ[ସମ୍ପାଦନା]

ଉପାସନା ଘର[ସମ୍ପାଦନା]

ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଏହା ଥିଲା ସମସ୍ତଙ୍କର ଉପାସନା ଘର । ସୂର୍ଯ୍ୟ ନଇଁଲେ ଗ୍ରାମବଧୂ ଏଇଠି ଦୀପ ଜାଳୁଥିଲା । ପିଲାଏ ଘଣ୍ଟ, ମୃଦଙ୍ଗ, ଝାଞ୍ଜ, କରତାଳ ବଜାଇ କୀର୍ତ୍ତନ କରୁଥିଲେ, ଭଜନ ଗାନ କରୁଥିଲେ । ଏହାପରେ ପୁରାଣ ପଣ୍ଡା ଭାଗବତ ଓ ଅନ୍ୟାନ୍ୟ ପୁରାଣ ପାଠ କରୁଥିଲେ, ଯାହାକୁ ସଭିଏଁ ବସି ଶୁଣୁଥିଲେ । ଶେଷରେ ଦିଅଁଙ୍କ ପାଖରେ ଭୋଗ ଲଗାଯାଉଥିଲା ଓ ସମସ୍ତେ ଏଇ ପ୍ରସାଦ ପାଇ ନିଜ ନିଜ ଘରକୁ ଫେରୁଥିଲେ ।

ପାଠୁଆ-ଅପାଠୁଆ, ଯୁବକ-ବୃଦ୍ଧ ନିର୍ବିଶେଷରେ ଏଇ ଘର ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖୁଥିଲା । ଭାଗବତ ବଢ଼ା, ଭାଗବତ ସପ୍ତା ପରି ଅନେକ ଉତ୍ସବ ଗାଁର ଲୋକେ ସମବେତ ହୋଇ ଏଇ ପରିସରଲେ ପାଳନ କରୁଥିଲେ, ଜଙ୍ଘରେ ଜଙ୍ଘ ପକାଇ ବସି ପ୍ରସାଦ ସେବନ କରୁଥିଲେ । ସମନ୍ୱୟ ଚେତନାର ବାର୍ତ୍ତାବହ ଏଇ ଭାଗବତ ଘର ସମସ୍ତଙ୍କୁ ଏକ କରି ରଖିବାର ସୂକ୍ଷ୍ମ ଅଥଚ ପ୍ରଭାବଶାଳୀ ସୂତ୍ର ଥିଲା ।

କୋଠଘର[ସମ୍ପାଦନା]

ଏହା ସବୁ ଗ୍ରାମବାସୀମାନଙ୍କର କୋଠଘର ଥିଲା ଓ ଏଥିରେ ସମସ୍ତଙ୍କର ସମାନ ଅଧିକାର ଥିଲା । ଏଠାରେ ଓଡ଼ିଆ ଭାଗବତକୁ ବିଧିବତ୍ ପୂଜା କରି ରଖାଯାଉଥିଲା ଓ ପ୍ରତିଦିନ ସଞ୍ଜବେଳେ ଲୋକେ ଏକତ୍ର ହୋଇ ଏହାର ପଠନ ଓ ଶ୍ରବଣ କରୁଥିଲେ । ଭାଗବତ ଟୁଙ୍ଗୀର ଦାୟିତ୍ୱ ନେଉଥିଲେ ବାନପ୍ରସ୍ଥାଶ୍ରୟୀ ପ୍ରୌଢ଼ମାନେ । ଏହାର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ, ସାମଗ୍ରୀ ଓ ଶ୍ରମ ପ୍ରତ୍ୟେକ ଗ୍ରାମବାସୀ ସ୍ୱ-ଇଚ୍ଛାରେ ପ୍ରଦାନ କରୁଥିଲେ । ଭାଗବତ ପଢ଼ା ବ୍ୟତୀତ ଏହି ଘରକୁ ଅନ୍ୟ ସମୟରେ ପୋଥି ପଢ଼ିବା, ପୋଥି ଉତାରିବା, ବାଣି କାଟିବା, ମସିଣା ବୁଣିବା ଇତ୍ୟାଦି କାମପାଇଁ କେହି ବି ଗ୍ରାମବାସୀ ବ୍ୟବହାର କରି ପାରୁଥିଲା । ଏହି ଘର ସମସ୍ତଙ୍କ ପାଇଁ ସବୁବେଳେ ଉନ୍ମୁକ୍ତ ଥିଲା । ଏହା ଥିଲା ସମସ୍ତଙ୍କର, ସମସ୍ତଙ୍କଦ୍ୱାରା ଓ ସମସ୍ତଙ୍କପାଇଁ ।

ଅତିଥି ଶାଳା/ଧର୍ମଶାଳା[ସମ୍ପାଦନା]

ରାତି ବେଳକୁ ଗାଁରେ କେହି ପଥଚାରୀ ପହଞ୍ଚିଲେ ତାଙ୍କ ରହିବାର ବ୍ୟବସ୍ଥା ଏଇଠି କରା ଯାଉଥିଲା ଓ ଗ୍ରାମବାସୀମାନେ ତାଙ୍କ ଭୋଜନର ବ୍ୟବସ୍ଥା କରୁଥିଲେ । ସାଧୁସନ୍ଥ, ନାଗାସାଧୁ, ଜଗନ୍ନାଥଙ୍କ ପୂଜାପଣ୍ଡା, ଜାନୁ ଘଣ୍ଟିଆ, ମଙ୍ଗଳ ଘଣ୍ଟିଆ, ଚକୁଳିଆ ପଣ୍ଡା କେହି ବି ଆସିଲେ ତାଙ୍କ ରହିବା ଖାଇବାର ବ୍ୟବସ୍ଥା ଏଇଠି କରାଯାଉଥିଲା । ଖଜଣା ଆଦାୟ ପାଇଁ କୌଣସି ସରକାରି ଅଧିକାରୀ ଆସିଲେ ତାଙ୍କର ରହଣି ପାଇଁ ମଧ୍ୟ ଏଠାରେ ବ୍ୟବସ୍ଥା ହେଉଥିଲା । ବିବାହ, ବ୍ରତ ଆଦି ସାମାଜିକ ଅନୁଷ୍ଠାନରେ ଯୋଗଦେବାପାଇଁ ଆସିଥିବା କୁଣିଆଁପାଇଁ ଯଦି କୌଣସି ଗ୍ରାମବାସୀର ଘରେ ଜାଗା ନଅଣ୍ଟ ହେଉଥିଲା, ତେବେ ସେମାନେ ଏଠାରେ ରହୁଥିଲେ । ଗାଁକୁ ପାଲା, ଦାସକାଠିଆ ଆଦି ଲୋକନୃତ୍ୟକାରୀ ଓ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକାରୀ ଦଳ ଆସିଲେ ସେମାନେ ମଧ୍ୟ ଏଠାରେ ଅବସ୍ଥାନ କରୁଥିଲେ ।

ଜାଗାଘର[ସମ୍ପାଦନା]

ଗାଁର ଯୁବକମାନେ ସକାଳୁ ବ୍ୟାୟାମ କରିବାପାଇଁ ଏଇ ପରିସରକୁ ବ୍ୟବହାର କରୁଥିଲେ । ଅନୁଭବୀ ଶିକ୍ଷକଙ୍କଠାରୁ ସେମାନେ ଶରୀରଚର୍ଯ୍ୟାର କଳା ଓ ବଳିଷ୍ଠ ଶରୀର ଗଠନର ଉପାୟ ଶିଖି ତାକୁ ଅଭ୍ୟାସ କରୁଥିଲେ ।

ବିଚାରାଳୟ[ସମ୍ପାଦନା]

ଗାଁରେ କେତେବେଳେ କାହା କାହା ଭିତରେ ମନାନ୍ତର, ମତାନ୍ତର, କଳିତକରାଳ ହେଲେ ଏଇଠି ବସି ଗାଁର ମୁଖିଆ ଓ ଭଦ୍ରଲୋକେ ନ୍ୟାୟ ନିଶାପ କରି କଥା ମେଣ୍ଟେଇ ଦେଉଥିଲେ । ଗ୍ରାମପଞ୍ଚ : ପଞ୍ଚ ପରମେଶ୍ୱରଙ୍କର ଏହି ନିଷ୍ପତ୍ତିକୁ ଗାଁର ଲୋକେ ମାନୁଥିଲେ । ଏଥିପାଇଁ ସେମାନଙ୍କୁ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇ ହୀନିମାନ ହେବାକୁ ପଡୁ ନ ଥିଲା ।

ଶିକ୍ଷାୟତନ[ସମ୍ପାଦନା]

ଭାଗବତ ଟୁଙ୍ଗି ଏକ ଶିକ୍ଷାକେନ୍ଦ୍ର ରୂପେ କାମ କରୁଥିଲା ।[୫] ପିଲାଏ ଏଠାରେ ସେମାନଙ୍କର ପ୍ରଥମ ବିଦ୍ୟାଶିକ୍ଷା ମାଟି ଅବଧାନଙ୍କଠାରୁ କରୁଥିଲେ । ଏହାଛଡ଼ା ଗାଁର ସମସ୍ତଙ୍କୁ ଏଇଠୁ ନୈତିକ ଶିକ୍ଷା ମିଳୁଥିଲା, ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ଯାପନର ଗୁରୁମନ୍ତ୍ର ସେମାନେ ଏଇଠୁ ଶିଖୁଥିଲେ । ପୁରାଣ ଶାସ୍ତ୍ର ଚର୍ଚ୍ଚା ସେମାନଙ୍କର ଚେତନାର ବିକାଶ କରିବା ସହିତ ସେମାନଙ୍କୁ ଆନନ୍ଦିତ ଓ ସୁସ୍ଥ ରହିବାର ଅନେକ ସୂତ୍ର ଶିଖାଉଥିଲା । ସଙ୍ଗୀତ ଓ ଗାୟନ-କୀର୍ତ୍ତନ ଶିକ୍ଷାର ସୂତ୍ରପାତ ଏଇ ଘରୁ ହିଁ ହେଉଥିଲା ।

ସୂଚନା କେନ୍ଦ୍ର[ସମ୍ପାଦନା]

ଭାଗବତଟୁଙ୍ଗି ଏକ ସୂଚନାକେନ୍ଦ୍ର ରୂପେ ମଧ୍ୟ କାମ କରୁଥିଲା । ଦୈନିକ ପୁରାଣ ପାରାୟଣ ପରେ ପୁରୁଖା ଗ୍ରାମବାସୀମାନେ ବସି ଗାଁର ସୁବିଧା ଅସୁବିଧା ବିଷୟରେ ଚର୍ଚ୍ଚା କରୁଥିଲେ ଓ କୌଣସି ବିଶେଷ ଘଟନା ଅଘଟନ ବିଷୟରେ ସୂଚିତ କରାଯାଇ ଏହାର ପରିଣଆମ ସମ୍ବନ୍ଧରେ ଲୋକମାନଙ୍କୁ ସତର୍କ କରି ଦିଆଯାଉଥିଲା ।

ଅର୍ଥନୈତିକ କେନ୍ଦ୍ର[ସମ୍ପାଦନା]

ଭାଗବତ ଠାକୁରଙ୍କ ନାଁରେ ଏକ ସ୍ୱତନ୍ତ୍ର ସମବାୟ ପାଣ୍ଠୀ ଗଠନ କରାଯାଉଥିଲା । ଗାଁର କୋଠ ଗଛ ମାଛର ନିଲାମରୁ ଲବ୍ଧ ଅର୍ଥ, ଅନାବାଦୀ ଜମି ଚାଷରୁ ମିଳୁଥିବା ଶସ୍ୟ ଓ ତା’ର ବିକ୍ରୟଲବ୍ଧ ଅର୍ଥ, ସମସ୍ତଙ୍କ ଚାନ୍ଦାଭେଦାରୁ ପ୍ରାପ୍ତ ଅର୍ଥ ଏଠାରେ ଜମା ରହୁଥିଲା । କେହି ବି ଗ୍ରାମବାସୀ ଅଭାବ ଅସୁବିଧା ସମୟରେ ଏଠାରୁ ଋଣ ନେଉଥିଲା ଓ ଉଚିତ ସମୟରେ ପଇଠ କରୁଥିଲା । ସେଥିପାଇଁ ସାହୁକାରକୁ ମୋଟା ସୁଧଦେବାର ଆବଶ୍ୟକତା ରହୁ ନଥିଲା ।

ଏବେକାର ସ୍ଥିତି[ସମ୍ପାଦନା]

ଓଡ଼ିଶା ଇଂରେଜମାନଙ୍କ କବଳକୁ ଆସିବାଯାଏଁ ଏଇ ଭାଗବତ ଟୁଙ୍ଗି ଗୁଡ଼ିକର ପ୍ରଭାବ ରହିଥିଲା । ତେବେ ଅଧୁନା ଭାଗବତ ଟୁଙ୍ଗିର ପ୍ରଚଳନ ଖୁବ କମ ।[ଆଧାର ଲୋଡ଼ା]

ସାହିତ୍ୟରେ ସ୍ଥାନ[ସମ୍ପାଦନା]

ଓଡ଼ିଆ ସାହିତ୍ୟରେ ଭାଗବତ ଟୁଙ୍ଗିକୁ ନେଇ ରଚାଯାଇଥିବା ସାହିତ୍ୟ ମଧ୍ୟରେ ଗୋପାଳ ପ୍ରହରାଜଙ୍କ ଭାଗବତ ଟୁଙ୍ଗିରେ ସନ୍ଧ୍ୟା ଅନ୍ୟତମ ।[୨]

ଟୀକା[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର (1932). ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ଶବ୍ଦ: ସଂକୀର୍ତ୍ତନ ଆଖଡ଼ା). କଟକ: ବିଶ୍ୱନାଥ କର.
  2. ୨.୦ ୨.୧ Datta, Amaresh . Encyclopaedia of Indian Literature. Volume 2 . Sahitya Akademi, (1988). ପୃ. 913 ISBN 978-81-260-1194-0
  3. http://www}}.orissadiary.com/CurrentNews.asp?id=12022
  4. ପ୍ରମେୟ ୧୯/୦୨/୨୦୧୫ ପୃଷ୍ଠା ୨୦
  5. ମହାନ୍ତି, ଡ. କିଶୋର. "ଭାଗବତ ଟୁଙ୍ଗି ଓ ପରିବର୍ତ୍ତିତ ସମୟ". ଧରିତ୍ରୀ. Retrieved 28 September 2016.

ଆଧାର[ସମ୍ପାଦନା]

  • ଉତ୍କଳ ପ୍ରସଙ୍ଗ, ଡିସେମ୍ବର ୨୦୦୪ - ଅତୀତ ଓଡ଼ିଶାର ଭାଗବତ ଘର - ସମବାୟ ଆନ୍ଦୋଳନର ଅନ୍ତୁଡ଼ିଶାଳ