ପଣ୍ଡା ହଂସ

ଉଇକିପିଡ଼ିଆ ରୁ
Jump to navigation Jump to search
{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/ଛାଞ୍ଚ:Taxonomy/Tadorna|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}
ପଣ୍ଡା ହଂସ
Brahminy Duck
A couple of Tadorna ferruginea.jpg
ପଣ୍ଡା ହଂସ ଯୁଗଳ
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Unrecognized taxon (fix): Tadorna
ଜାତି: T. ferruginea
ବାଇନୋମିଆଲ ନାମ
Tadorna ferruginea
ପିଟର୍ ସିମୋନ୍ ପାଲାସ୍, ୧୭୬୪
Synonyms

Casarca ferruginea
Anas ferruginea
Casarca rutila

ପଣ୍ଡା ହଂସ (ଈଂରାଜୀରେ Ruddy Shelduck ବା Tadorna Ferruginea, ହିନ୍ଦୀରେ चक्रवाक ବା सुरखाब) ଏନାଟିଡାଏ ପରିବାରର ଏକ ଜଳପକ୍ଷୀ । ଭାରତରେ ଏହି ପକ୍ଷୀକୁ Brahminy Duck (ବ୍ରାହ୍ମଣୀ ବତକ) ବୋଲି ମଧ୍ୟ କୁହାଯାଇଥାଏ । ଓଡ଼ିଆ ଭାଷାରେ ଏହି ପକ୍ଷୀର ଅନ୍ୟ କିଛି ସ୍ଥାନୀୟ ନାମ ହେଲା : ଚକୁଆ, ଚକ୍ରବାକ ପକ୍ଷୀ, ରଥାଙ୍ଗ ପକ୍ଷୀଚକୋଆ । ଏହି ପକ୍ଷୀର ଦୈର୍ଘ୍ୟ ପ୍ରାୟ ୫୮-୭୦ ସେଣ୍ଟିମିଟର୍ । ଡେଣା ଖୋଲି ରଖିଲେ ଏହାର ପ୍ରସ୍ଥ ପ୍ରାୟ ୧୧୦-୧୩୫ ସେଣ୍ଟିମିଟର୍ ହୋଇଥାଏ । ଏହାର ଶରୀର କମଳା-ମାଟିଆ-ବାଦାମୀ ରଙ୍ଗର, ମୁଣ୍ଡଟି ଧଳା ମିଶା ଫିକା ମାଟିଆ ରଙ୍ଗର ଓ ଲାଞ୍ଜ-ପର ଇତ୍ୟାଦି କଳା ରଙ୍ଗର । ଡେଣାର ବାହୁରେ ଧଳା ରଙ୍ଗର ଛାପଟିଏ ଲୁଚି ରହିଥାଏ ଯାହା ଡେଣା ଖୋଲିଲେ ଦେଖାଯାଏ । ପଣ୍ଡା ହଂସ ଏକ ପ୍ରବାସୀ ପକ୍ଷୀ । ଏମାନେ କେନ୍ଦ୍ରୀୟ ଏସିଆ, ଦକ୍ଷିଣ-ପୂର୍ବ ୟୁରୋପ୍ ଓ ଉତ୍ତର ଆଫ୍ରିକାରେ ବାସ କରନ୍ତି, କିନ୍ତୁ ଶୀତ ଦିନରେ ଭାରତୀୟ ଉପମହାଦ୍ବୀପକୁ ଚାଲି ଆସନ୍ତି । ପଣ୍ଡା ହଂସ ଉଚ୍ଚ ସ୍ବରରେ “ହଂକ୍” ଆୱାଜ କରି ସତର୍କ ସୂଚନା ଦିଏ ।

ହ୍ରଦ, ନଦୀ, ଜଳାଶୟ ଇତ୍ୟାଦି ସ୍ଥାନରେ ଏମାନେ ରହିବା ପସନ୍ଦ କରନ୍ତି । ଅଣ୍ଡିରା ଏବଂ ମାଈ ପଣ୍ଡା ହଂସଙ୍କ ଯୁଗଳ ଆଜୀବନ ସାଥୀ ହୋଇ ରୁହନ୍ତି । ପାଣିରୁ ଯଥେଷ୍ଟ ଦୂରରେ କୌଣସି ଗଛ, କୋରଡ଼ ବା ପାହାଡ଼ ଖୋଲରେ ଏମାନେ ନିଜର ବସା ତିଆରି କରନ୍ତି । ଏକା ବେଳକେ ମାଈ ହଂସ ପ୍ରାୟ ୮ଟି ଅଣ୍ଡା ଦିଏ ଏବଂ ୪ ସପ୍ତାହ ପର୍ଯ୍ୟନ୍ତ ଅଣ୍ଡା ଉଷୁମାଉଥାଏ । ଛୁଆଙ୍କର ଲାଳନ ପାଳନରେ ଉଭୟ ମାଈ ଓ ଅଣ୍ଡିରା ପଣ୍ଡା ହଂସ ଯୋଗଦାନ କରନ୍ତି । ଜନ୍ମ ହେବାର ପ୍ରାୟ ୮ ସପ୍ତାହ ପର୍ଯ୍ୟନ୍ତ ଶିଶୁ ପଣ୍ଡା ହଂସମାନେ ମାତାପିତାଙ୍କ ଯତ୍ନରେ ରୁହନ୍ତି ଓ ତାହା ପରେ ନିଜେ ଉଡ଼ିବା ଆରମ୍ଭ କରିଦିଅନ୍ତି ।

କେନ୍ଦ୍ରୀୟ ଓ ପୂର୍ବ ଏସିଆରେ ଏମାନଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ୟୁରୋପ୍ ମହାଦେଶରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ବିଶ୍ବରେ ଏମାନଙ୍କ ସଂଖ୍ୟା ଏବଂ ବ୍ୟାପ୍ତି ଅଧିକ । ତେଣୁ IUCN ସଂସ୍ଥା ଏହି ପକ୍ଷୀଙ୍କୁ ବର୍ତ୍ତମାନ ସମୟରେ "Least Concern" ଶ୍ରେଣୀଭୁକ୍ତ କରିଛି ।

ବର୍ଗୀକରଣ[ସମ୍ପାଦନା]

Ruddy Shelduck
ଚିଲିକା ହ୍ରଦର ମଙ୍ଗଳାଯୋଡ଼ିରେ ଏକ ପ୍ରବାସୀ ପଣ୍ଡା ହଂସ

ପଣ୍ଡା ହଂସ ଶେଲ୍‍ଡକ୍ ପ୍ରଜାତିର ଏଣ୍ଟିଡାଏ ପରିବାରରେ ଗଣା । ପ୍ରଥମେ ୧୭୬୪ ମସିହାରେ ଜର୍ମାନ୍ ଜୀବବିଜ୍ଞାନୀ ପିଟର୍ ସିମୋନ୍ ପାଲାସ୍‍ଙ୍କଠାରୁ ଏହି ପକ୍ଷୀର ଉଲ୍ଲେଖ ମିଳେ । ସେ ଏହାକୁ Anas ferruginea ବୋଲି ବିବେଚିତ କରିଥିଲେ । ପରବର୍ତ୍ତୀ କାଳରେ ଏହି ପକ୍ଷୀକୁ ଅନ୍ୟ ଶେଲ୍‍ଡକ୍‍ମାନଙ୍କ ସହିତ Tadorna ପ୍ରଜାତିରେ ସ୍ଥାନିତ କରାଗଲା ।[୨][୩][୪] କିଛି ବିଶେଷଜ୍ଞ ପଣ୍ଡା ହଂସକୁ ଦକ୍ଷିଣ-ଆଫ୍ରିକୀୟ ଶେଲ୍‍ଡକ୍ (T. cana), ଅଷ୍ଟ୍ରେଲୀୟ ଶେଲ୍‍ଡକ୍ (T. tadornoides) ଓ ପାରାଡାଇଜ୍ ଶେଲ୍‍ଡକ୍ (T. variegata) ଇତ୍ୟାଦିଙ୍କ ସହିତ Casarca ପ୍ରଜାତିରେ ସ୍ଥାନିତ କରିଛନ୍ତି । ଫାଇଲୋଜେନେଟିକ୍ ବିଶ୍ଳେଷଣରୁ ଜଣା ପଡ଼ିଛି ଯେ ପଣ୍ଡା ହଂସ ଦକ୍ଷିଣ-ଆଫ୍ରିକୀୟ ଶେଲ୍‍ଡକ୍‍ ପ୍ରଜାତିର ନିକଟତମ ସମ୍ପର୍କୀୟ । ଟେଡ୍ରୋନା, ଏନାସ୍ ଓ ମିଶରୀୟ ବତକ (Alopochen aegyptiaca) ପରି ଅନ୍ୟ ପ୍ରଜାତିର ପକ୍ଷୀଙ୍କ ସହିତ ପୋଷା ମନାଇ ରଖିଲେ ପଣ୍ଡା ହଂସ ସେହି ପ୍ରଜାତିର ପକ୍ଷୀଙ୍କ ସହ ମିଳନ କରିବା ଓ ଏଥରୁ ବିଭିନ୍ନ ସଂକର ପକ୍ଷୀ ସୃଷ୍ଟି ହେବା ମଧ୍ୟ ଦେଖାଯାଇଛି । ଏଯାବତ୍ ପଣ୍ଡାହଂସମାନଙ୍କର କୌଣସି ଉପ-ପ୍ରଜାତି ଚିହ୍ନଟ କରାଯାଇନାହିଁ ।[୫]

ସାଧାରଣ ଶେଲ୍‍ଡକ୍‍ର ଫରାସୀ ନାମ ହେଲା "tadorne" ଓ ଏଥିରୁ ଏମାନଙ୍କ ପ୍ରଜାତିର ନାମ Tadorna ଶବ୍ଦଟି ଗୃହୀତ ହୋଇଛି ।[୬] ପଣ୍ଡା ହଂସର ପ୍ରଜାତିର ନାମ ଏକ ପୁରାତନ ସେଲ୍‍ଟିକ୍ ଶବ୍ଦରୁ ମଧ୍ୟ ଉଦ୍ଧୃତ ହୋଇଥାଇପାରେ, ଯାହାର ଅର୍ଥ "pied waterfowl" ବା “ବହୁରଙ୍ଗୀ ପାଣିକୁକୁଡ଼ା” । ଏହି ପକ୍ଷୀର ଈଂରାଜୀ ନାମ "sheld duck" ପ୍ରାୟ ୧୭୦୦ ଖ୍ରୀଷ୍ଟାବ୍ଦ ବେଳକୁ ଆରମ୍ଭ ହୋଇଥିଲା ଓ ଏହାର ଅର୍ଥ ମଧ୍ୟ ସେଲ୍‍ଟିକ୍ ଶବ୍ଦାର୍ଥର ଅନୁରୂପ ।[୭] ପଣ୍ଡା ହଂସର ପ୍ରଜାତି ନାମରେ ରହିଥିବା ferruginea ଶବ୍ଦର ଅର୍ଥ ହେଲା କଳଙ୍କିତ । କଳଙ୍କ ଲାଗିବା ଆରମ୍ଭ ହେଲେ ଯେପରି ଦେଖାଯାଏ, ପଣ୍ଡା ହଂସର ଶରୀରର ମାଟିଆ ରଙ୍ଗର ଛାପ ଠିକ୍ ସେହିପରି ଦେଖାଯାଉଥିବାରୁ ଏହି ନାମ ଦିଆଯାଇଥାଇପାରେ ।[୮]

ବିବରଣୀ[ସମ୍ପାଦନା]

ପଣ୍ଡା ହଂସ ବଡ଼ ହୋଇ ପ୍ରାୟ ୫୮-୭୦ ସେଣ୍ଟିମିଟର୍ ଦୈର୍ଘ୍ୟ ପ୍ରାପ୍ତ କରେ । ଡେଣା ଦୁଇଟି ଖୋଲି ରଖିଲେ ଏହାର ପ୍ରସ୍ଥ ପ୍ରାୟ ୧୧୦-୧୩୫ ସେଣ୍ଟିମିଟର୍ ହୋଇଥାଏ । ଅଣ୍ଡିରା ପଣ୍ଡା ହଂସର ଶରୀର କମଳା-ମାଟିଆ ରଙ୍ଗର, ମୁଣ୍ଡଟି ଫିକା ମାଟିଆ ବା ଧଳା ରଙ୍ଗର ଏବଂ ବେକ ପାଖରେ କଳା ରଙ୍ଗର ଏକ ପତଳା ବେକପଟି ରହିଥାଏ । ଡେଣାର ଶେଷଭାଗ ଓ ଲାଞ୍ଜ କଳା ରଙ୍ଗର ହୋଇଥିବା ବେଳେ, ଡେଣାର ପ୍ରଥମାର୍ଦ୍ଧର କିଛି ଅଂଶ ଧଳା ଓ କିଛି ଅଂଶ ସବୁଜ ରଙ୍ଗର ହୋଇଥାଏ । ଡେଣାର ଧଳା ଅଂଶର ପର ଉଭୟ ଉପର ଓ ଭିତର ପଟେ ଏକା ରଙ୍ଗର । ପଣ୍ଡା ହଂସ ବସି ରହିଥିବା ବେଳେ ଏହି ଧଳା ଅଂଶ ଦେଖାଯାଏ ନାହିଁ, କିନ୍ତୁ ଉଡ଼ିବା ବେଳେ କିମ୍ବା ଡେଣା ଖୋଲିଲେ ଏହି ଧଳା ଅଂଶ ସ୍ପଷ୍ଟ ଭାବେ ଦିଶେ । ପଣ୍ଡା ହଂସର ଥଣ୍ଟ କଳା ରଙ୍ଗର ଏବଂ ଗୋଡ଼ଗୁଡ଼ିକ ଗାଢ଼ ଧୁସର ରଙ୍ଗର । ମାଈ ପଣ୍ଡା ହଂସ ଦେଖିବାକୁ ପ୍ରାୟ ଏକା ପରି କିନ୍ତୁ ଏହାର ଶରୀରର ରଙ୍ଗ ଅଣ୍ଡିରାଠାରୁ ଟିକେ ଫିକା । ମାଈ ହଂସର ମୁଣ୍ଡ ଓ ବେକ ଧଳା ଏବଂ ଏହାର ବେକରେ ପଟି ଦାଗ ନଥାଏ । ବୟସ ବଢ଼ିବା ସହ ପଣ୍ଡା ହଂସଙ୍କ ଶରୀରର ରଙ୍ଗ ଫିକା ପଡ଼ିଯାଏ । ପ୍ରଜନନ ଋତୁ ଶେଷରେ ପଣ୍ଡା ହଂସମାନଙ୍କର ପର ଝଡ଼ିଯାଏ । ଏହି ସମୟରେ ଅଣ୍ଡିରାମାନଙ୍କ ବେକର ପଟି ଲିଭିଯାଏ । ପୁଣି ଡିସେମ୍ବର ଓ ଅପ୍ରେଲ୍ ମାସ ମଧ୍ୟରେ ନିଜର ବେକ ପଟି ଫେରି ପାଆନ୍ତି । ଶିଶୁ ବା ଅଳ୍ପବୟସ୍କ ପଣ୍ଡା ହଂସ ପ୍ରାୟ ମାଈ ହଂସ ପରି, ତେବେ ଏମାନଙ୍କ ଶରୀରର ରଙ୍ଗ ଗାଢ଼ ମାଟିଆ ।[୯]

ପଣ୍ଡା ହଂସ ଉଚ୍ଚ ସ୍ବରରେ “ହଂକ୍-ହଂକ୍” ପରି ଶବ୍ଦ ସୃଷ୍ଟି କରି ଡାକିଥାଏ । ମାଈ ଓ ଅଣ୍ଡିରା ହଂସଙ୍କ ଶବ୍ଦରେ ସାମାନ୍ୟ ତଫାତ୍ ଥାଏ ଯାହା ବାରି ହୋଇଯାଏ । ପରିସ୍ଥିତି ଅନୁସାରେ ଏମାନେ ଭୂମିରେ ଥିବା ବେଳେ ଏବଂ ଉଡ଼ିବା ବେଳେ ମଧ୍ୟ ଶବ୍ଦ କରନ୍ତି । ତେବେ ଭିନ୍ନ ପରିସ୍ଥିତିରେ ଡାକ ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ ।[୯]

ଫଟୋ ଗ୍ୟାଲେରୀ[ସମ୍ପାଦନା]

ଭୌଗୋଳିକ ବ୍ୟାପ୍ତି ଓ ପରିବାସ[ସମ୍ପାଦନା]

ଉତ୍ତର-ପୂର୍ବ ଆଫ୍ରିକାଇଥିଓପିଆରେ ଖୁବ୍ କମ୍ ପଣ୍ଡା ହଂସ ପକ୍ଷୀ ରହୁଛନ୍ତି । ଦକ୍ଷିଣ-ପୂର୍ବ ୟୁରୋପ୍‍ରୁ ନେଇ କେନ୍ଦ୍ରୀୟ ଏସିଆ, ବୈକାଳ ହ୍ରଦ, ମଙ୍ଗୋଲିଆ ଓ ଉତ୍ତର ଚୀନ ପର୍ଯ୍ୟନ୍ତ ପଣ୍ଡା ହଂସଙ୍କ ଏକ ସକ୍ରିୟ ଓ ପ୍ରଜନନଶୀଳ ପକ୍ଷୀଦଳ ଦେଖିବାକୁ ମିଳେ ।[୧୦] ପୃଥିବୀର ପୂର୍ବ ପଟର ପଣ୍ଡା ହଂସମାନେ ମୁଖ୍ୟତଃ ପ୍ରବାସୀ ପକ୍ଷୀ ଓ ଶୀତ ଦିନରେ ଭାରତୀୟ ଉପମହାଦ୍ବୀପକୁ ଉଡ଼ି ଆସନ୍ତି ।[୧୧] କ୍ୟାନାରୀ ଦ୍ବୀପପୁଞ୍ଜରେ ୧୯୯୪ ମସିହାରେ ପ୍ରବାସ ଆରମ୍ଭ କରିଥିବା ପଣ୍ଡା ହଂସମାନେ ଏଠାରେ ବସବାସ କରିବା ଆରମ୍ଭ କଲେ ଓ କ୍ରମେ ଏମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ୨୦୦୮ ବେଳକୁ ପ୍ରାୟ ୫୦ ହଂସ ଯୁଗଳ ହୋଇଯାଇଥିଲା ।[୧୨] ଭାରତକୁ ଶୀତ ଦିନରେ ଆସୁଥିବା ଅନେକ ପ୍ରବାସୀ ଚଢ଼େଇଙ୍କ ମଧ୍ୟରେ ପଣ୍ଡା ହଂସ ବହୁ ମାତ୍ରାରେ ଦେଖାଯାନ୍ତି । ଏମାନେ ଅକ୍ଟୋବର ମାସ ବେଳକୁ ଭାରତରେ ପହଞ୍ଚି ଅପ୍ରେଲ୍ ମାସ ସମୟରେ ବାହୁଡ଼ି ଯାଆନ୍ତି । ବଡ଼ ଜଳାଶୟ, ନଦୀ, ନଦୀକୂଳ ଓ ସନ୍ତସନ୍ତିଆ ଜମି ଏମାନଙ୍କ ପ୍ରିୟ ବସବାସ ଓ ପ୍ରଜନନ କ୍ଷେତ୍ର । ଜମ୍ନୁ ଓ କାଶ୍ମୀରର ଉଚ୍ଚ ହ୍ରଦମାନଙ୍କ ନିକଟରେ ମଧ୍ୟ ଏମାନେ ରହିବା ଓ ଅଣ୍ଡା ଦେବା ଦେଖାଯାଇଛି ।[୧୧] ପ୍ରଜନନ ଋତୁକୁ ବାଦ୍ ଦେଲେ ଏମାନେ ନଦୀ, ହ୍ରଦ, ପୋଖରୀ, ଜଳଭଣ୍ଡାର ଓ ଲୁଣିଆ ହ୍ରଦମାନଙ୍କ ନିକଟରେ ଘୁରି ବୁଲୁଥାନ୍ତି ।[୧୩]

ଦକ୍ଷିଣ-ପୂର୍ବ ୟୁରୋପ୍‍ ଓ ଦକ୍ଷିଣ ସ୍ପେନ୍‍ରୁ କ୍ରମଶଃ କମି ଆସୁଥିବା ପଣ୍ଡା ହଂସ ଏସିଆରେ କିନ୍ତୁ ବହୁ ସଂଖ୍ୟାରେ ପରିଲକ୍ଷିତ ହୁଅନ୍ତି । ଆଇସ୍‍ଲ୍ୟାଣ୍ଡ୍, ଆୟାର୍ଲ୍ୟାଣ୍ଡ୍ ଓ ବ୍ରିଟେନ୍ ପରି ଦେଶମାନଙ୍କୁ ପୂର୍ବ ପଟରୁ ଅନେକ ପଣ୍ଡା ହଂସ ଯାଇ ବସବାସ କରୁଥିବା ସମ୍ଭବପର । ୟୁରୋପ୍‍ରେ ଏହି ପକ୍ଷୀଙ୍କ ସଂଖ୍ୟା କମୁଥିବାରୁ ପ୍ରଜନନ କେନ୍ଦ୍ରରେ ଜାତ ଅଧିକାଂଶ ପକ୍ଷୀ ସ୍ବାଧୀନ ଭାବେ ପଶ୍ଚିମ ୟୁରୋପ୍‍କୁ ଯାଇ ବସବାସ କରୁଥିବା ମଧ୍ୟ ଅନୁମାନ କରାଯାଏ । ଉତ୍ତର ଆମେରିକାର ପୂର୍ବ ଉପକୂଳରେ ମଧ୍ୟ ଏହି ପକ୍ଷୀ ଅନେକ ସମୟରେ ଦେଖାଯାଇଛନ୍ତି ।[୧] ସ୍ଥାନୀୟ ପକ୍ଷୀ ପ୍ରଜାତିଙ୍କ ସ୍ଥାନ ନେଇଯାଉଥିବାରୁ ସୁଇଜରଲ୍ୟାଣ୍ଡ୍ ଦେଶରେ ପଣ୍ଡା ହଂସକୁ ଏକ ଅନୁପ୍ରବେଶକାରୀ ପକ୍ଷୀ ରୂପେ ବିବେଚନା କରାଯାଏ । ୨୦୦୬ରୁ ୨୦୧୬ ମଧ୍ୟରେ ସୁଇଜରଲ୍ୟାଣ୍ଡରେ ଏହି ପକ୍ଷୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଅନେକ ଚେଷ୍ଟା କରାଯାଇଛି, କିନ୍ତୁ ଏମାନଙ୍କ ସଂଖ୍ୟା ଏହି ଦଶନ୍ଧିରେ ୨୧୧ରୁ ୧୨୫୦ ହୋଇଯାଇଥିଲା ।[୧୪]

ପାଣିରୁ ଦୂର ବଣ ଜଙ୍ଗଲରେ ପଣ୍ଡା ହଂସ ପ୍ରାୟ ଦେଖିବାକୁ ମିଳନ୍ତି ନାହିଁ । ତେବେ ନଦୀ, ହ୍ରଦ, ପୋଖରୀ, ଜଳଭଣ୍ଡାର ଓ ମଧୁର ବା ଲୁଣିଆ ହ୍ରଦମାନଙ୍କରେ ଏମାନେ ପ୍ରାୟ ଦେଖିବାକୁ ମିଳନ୍ତି । ସମୁଦ୍ର ପତନରୁ ବହୁ ଉଚ୍ଚରେ ଥିବା ହ୍ରଦମାନଙ୍କରେ ମଧ୍ୟ ଏମାନଙ୍କୁ ଅନ୍ୟ ପ୍ରଜାତିର ଜଳପକ୍ଷୀଙ୍କ ମେଳରେ ଦେଖାଯାଇଛି ।[୭]

ବ୍ୟବହାର[ସମ୍ପାଦନା]

WWT ସ୍ଲିମ୍‍ବ୍ରିଜ୍ (ଗ୍ଲୌଶେଷ୍ଟର୍‍ଶାୟାର୍)ର ଏକ ପଣ୍ଡା ହଂସ
ହ୍ରଦ ଉପରେ ଉଡ଼ିଯାଉଥିବା ପଣ୍ଡା ହଂସ

ପଣ୍ଡା ହଂସ ଏକ ରାତ୍ରିଚର ପକ୍ଷୀ ।[୧୩] ଏହା ସର୍ବଭକ୍ଷୀ । ଘାସ, ପତ୍ର, କଅଁଳ ଗଛ, ଶସ୍ୟ, ଜଳଜ ଉଦ୍ଭିଦ, ଜଳରେ ବସବାସ କରୁଥିବା କୀଟପତଙ୍ଗ ଓ ଛୋଟ ଅମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଦ୍ୟ ରୂପେ ଆହରଣ କରିଥାଏ । ଭୂମିରେ ତୃଣମୟ ଓ ବୁଦାପୂର୍ଣ୍ଣ ଅଞ୍ଚଳରେ ଏମାନେ ଖାଦ୍ୟ ଖୋଜୁଥିବା ଦେଖାଯାଇପାରିବ । ଏମାନେ ପାଣିରେ ଖାଦ୍ୟ ଅନ୍ବେଷଣ କରିବା ସମୟରେ ଅଗଭୀର ପାଣିରେ ଏବଂ ଗଭୀର ପାଣିରେ ମଧ୍ୟ ବୁଲନ୍ତି କିନ୍ତୁ ପାଣିରେ ବୁଡ଼ ପକାନ୍ତି ନାହିଁ ।[୭]

ପଣ୍ଡା ହଂସଙ୍କୁ ମୁଖ୍ୟତଃ ଯୁଗଳ ବା ଯୋଡ଼ା ରୂପେ ଦେଖିବାକୁ ମିଳେ । ଏମାନେ ଏକ ବଡ଼ ଦଳରେ ରହିବା କ୍ବଚିତ୍ ଦେଖାଯାଏ । ତେବେ ପ୍ରବାସ ସମୟରେ ବା ପରଝଡ଼ା ଦେଉଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଜଳାଶୟ ନିକଟରେ ବହୁସଂଖ୍ୟକ ପଣ୍ଡା ହଂସ ଏକତ୍ରିତ ହେବା ଦେଖାଯାଇଛି । ନେପାଳର କୋଶୀ ବ୍ୟାରେଜ୍ ନିକଟରେ ରହିଥିବା କୋଶୀ-ଟାପୁ ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକାଥରକେ ୪୦୦୦ରୁ ଅଧିକ ପକ୍ଷୀ ଏକତ୍ରିତ ହେବା ଦେଖାଯାଇଛି । ସେହିପରି ତୁର୍କୀର ଗୋଲୁ ହ୍ରଦରେ ଦଶ ହଜାରରୁ ଅଧିକ ପଣ୍ଡା ହଂସ ଏକତ୍ରିତ ହେବାର ଦେଖାଯାଇଛି ।[୭] ଶୀତଦିନରେ ଓଡ଼ିଶାର ଭିତର କନିକା, ଚିଲିକା ଆଦି ସ୍ଥାନରେ ବହୁ ସଂଖ୍ୟକ ପଣ୍ଡା ହଂସ ପ୍ରବାସ କରୁଥିବା ଦେଖିବାକୁ ମିଳେ ।

ମାର୍ଚ୍ଚ ଓ ଅପ୍ରେଲ୍ ମାସବେଳକୁ ଏହି ପକ୍ଷୀମାନେ କେନ୍ଦ୍ରୀୟ ଏସିଆର ମୁଖ୍ୟ ମିଳନ ସ୍ଥଳକୁ ଉଡ଼ି ଆସନ୍ତି । ଏକ ଯୁଗଳ ପଣ୍ଡା ହଂସ ସାରା ଜୀବନ ପରସ୍ପର ପ୍ରତି ଅନୁଗତ ରୁହନ୍ତି । ମିଳନ ଋତୁରେ ପଣ୍ଡା ହଂସମାନେ ନିଜ ଓ ଅନ୍ୟ ଜାତିର ପକ୍ଷୀଙ୍କ ପ୍ରତି ସାମାନ୍ୟ ଆକ୍ରାମକ ମନୋଭାବ ପ୍ରଦର୍ଶନ କରନ୍ତି । ମାଈମାନେ ମୁଖ୍ୟତଃ ରାଗରେ ଗର୍ଜନ କରି, ମୁଣ୍ଡ ଆଗକୁ କରି ଓ ବେକ ଲମ୍ବାଇ ଅନ୍ୟ ପକ୍ଷୀଙ୍କୁ ଗୋଡ଼ାଇ ତଡ଼ିବାକୁ ଚେଷ୍ଟା କରନ୍ତି । ଯଦି ଅନୁପ୍ରବେଶକାରୀ ପକ୍ଷୀ ପଛଘୁଞ୍ଚା ନ ଦିଏ, ତେବେ ମାଈ ଚଢ଼େଇ ଅଣ୍ଡିରା ଚଢ଼େଇ ପାଖକୁ ଫେରିଆସି ତାହା ଚାରିପଟେ ବୁଲେ ଓ ଅନୁପ୍ରବେଶକାରୀକୁ ଆକ୍ରମଣ କରିବାକୁ ଉସୁକାଏ । ଅଣ୍ଡିରା ଚଢ଼େଇ ଅନୁପ୍ରବେଶକାରୀକୁ ତଡ଼ିବାକୁ ଚେଷ୍ଟା କରିପାରେ କିମ୍ବା ନ କରିପାରେ ମଧ୍ୟ ।[୯] ବେକ ଲମ୍ବାଇବା, ପାଣିରେ ମୁଣ୍ଡ ଅଳ୍ପ ବୁଡ଼ାଇବା, ଲାଞ୍ଜ ଉପରକୁ ଉଠାଇ ରଖିବା ଏପରି ଅନେକ କ୍ରୀଡ଼ା ପରେ ପଣ୍ଡା ହଂସ ଯୁଗଳ ପାଣିରେ ରତିକ୍ରୀଡ଼ା କରନ୍ତି ।[୭] ଏମାନଙ୍କ ବସା ସାଧାରଣତଃ ପାଣିରୁ ଯଥେଷ୍ଟ ଦୂରରେ ଥିବା କୌଣସି କୋରଡ଼, ଭଙ୍ଗା ଘର, ପାହାଡ଼ ଗୁମ୍ଫା ଇତ୍ୟାଦିରେ ରହିଥାଏ । ପର ଓ ଘାସ ବ୍ୟବହାର କରି ମାଈ ପଣ୍ଡା ହଂସ ଏହି ବସାଟି ତିଆରି କରିଥାଏ ।[୯]

ଅପ୍ରେଲ୍ ଶେଷ ଓ ଜୁନ୍ ଆରମ୍ଭରେ ପଣ୍ଡା ହଂସମାନେ ୬ଟିରୁ ୧୨ଟି (ପ୍ରାୟ ୮ଟି) ଅଣ୍ଡା ଦେଇଥାନ୍ତି । ଏହି ଅଣ୍ଡାଗୁଡ଼ିକ ଦେଖିବାକୁ ମଇଳା ଧଳା ଏବଂ ଚିକ୍କଣିଆ । ଅଣ୍ଡାଗୁଡ଼ିକ ୬୮×୪୭ ମି.ମି. ଆୟତକ୍ଷେତ୍ରରେ ଆବଦ୍ଧ ହୋଇଯିବ । ମାଈ ପଣ୍ଡା ହଂସ ମୁଖ୍ୟତଃ ଅଣ୍ଡା ଉଷୁମାଇବା କାମ କରିଥାଏ ଓ ଅଣ୍ଡିରା ପଣ୍ଡା ହଂସ ମାଈ ପାଖରେ ଜଗି ରହିଥାଏ । ଅଣ୍ଡା ଦେବାର ପ୍ରାୟ ୨୮ ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରନ୍ତି । ଉଭୟ ମାଈ ଓ ଅଣ୍ଡିରା ପଣ୍ଡା ହଂସ ଛୁଆଙ୍କ ଲାଳନ ପାଳନରେ ସହଯୋଗ କରନ୍ତି । ପ୍ରାୟ ୫୫ ଦିନ ପରେ ଛୁଆମାନେ ନିଜେ ଉଡ଼ିବା ଆରମ୍ଭ କରନ୍ତି ।[୭] ପ୍ରଜନନ ପରେ ପଣ୍ଡା ହଂସ ପରଝଡ଼ା ଦିଏ, ତେଣୁ ପ୍ରାୟ ଏକ ମାସ ପାଇଁ ଦୂରକୁ ଉଡ଼ିବାର ସାମର୍ଥ୍ୟ ହରାଏ । ପରଝଡ଼ା ଦେବା ପୂର୍ବରୁ ଏମାନେ କୌଣସି ବଡ଼ ହ୍ରଦକୁ ଚାଲିଯାଆନ୍ତି ଯେଉଁଠାରେ ଅନ୍ୟ ମାଂସାସୀ ଜୀବଙ୍କଠାରୁ ସୁରକ୍ଷିତ ରହିପାରିବେ ।[୧୩] ପଣ୍ଡା ହଂସ ପରିବାର କିଛିଦିନ ପାଇଁ ଏକତ୍ରିତ ହୋଇ ରୁହନ୍ତି । ଶରତ ଋତୁରେ ସେପ୍ଟମ୍ବର ମାସ ବେଳକୁ ଏମାନଙ୍କ ପ୍ରବାସ ଆରମ୍ଭ ହୁଏ । ଛୁଆମାନେ ଦ୍ବିତୀୟ ବର୍ଷରେ ପରିପକ୍ବତା ଲାଭ କରନ୍ତି । ଉତ୍ତର-ଆଫ୍ରିକୀୟ ପଣ୍ଡା ହଂସମାନେ ପ୍ରାୟ ୫ ସପ୍ତାହ ଆଗରୁ ପ୍ରଜନନ ଆରମ୍ଭ କରିଦିଅନ୍ତି । ଅଳ୍ପ ଗରମ ହେଉଥିବା ଆର୍ଦ୍ର ଗ୍ରୀଷ୍ମ ଋତୁରେ ଏମାନଙ୍କ ପ୍ରଜନନ ହାର ସର୍ବାଧିକ ହୋଇଥିବାର ଦେଖାଯାଇଛି ।[୭]

ସ୍ଥିତି[ସମ୍ପାଦନା]

ବୌଦ୍ଧ ଧର୍ମାବଲମ୍ବୀମାନେ ପଣ୍ଡା ହଂସକୁ ଏକ ପବିତ୍ର ପକ୍ଷୀ ରୂପେ ବିବେଚନା କରିଥାନ୍ତି । ତେଣୁ କେନ୍ଦ୍ରୀୟ ଓ ପୂର୍ବ ଏସିଆର ଅନେକ ସ୍ଥାନରେ ଏମାନଙ୍କୁ ଶିକାର କରାଯାଏ ନାହିଁ । ଏହି କାରଣରୁ ଏସିଆରେ ସଂରକ୍ଷଣ ହେବା ସହ ଏମାନଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତିବ୍ବତର ପେମ୍ବୋ କଳା-ବେକିଆ ବଗ ଅଭୟାରଣ୍ୟରେ ବହୁ ପଣ୍ଡା ହଂସ ଶୀତଋତୁରେ ପ୍ରବାସ ପାଇଁ ଆସନ୍ତି ଓ ସେମାନଙ୍କୁ ଏହି ଅଭୟାରଣ୍ୟର ସୁରକ୍ଷିତ ପରିବେଶ ମିଳେ । ୟୁରୋପ୍‍ର କିଛି ଅଞ୍ଚଳରେ ଆର୍ଦ୍ର ଭୂମି କମ୍ ହେଉଥିବାରୁ ଓ ଶିକାର କରାଯାଉଥିବାରୁ ପଣ୍ଡା ହଂସଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ନୂଆ ପରିବେଶରେ ପଣ୍ଡା ହଂସମାନେ ସହଜରେ ଖାପ ଖୁଆଇ ଚଳିବାରେ ସମର୍ଥ, ତେଣୁ ଅନ୍ୟ ଜଳ କୁକୁଡ଼ାଙ୍କ ଅପେକ୍ଷା ଏମାନେ ସହଜରେ ତିଷ୍ଠି ରହିପାରନ୍ତି ।[୭]

ପଣ୍ଡା ହଂସଙ୍କ ଭୌଗୋଳିକ ବ୍ୟାପ୍ତି ଅତ୍ୟନ୍ତ ବିସ୍ତୃତ । ଏମାନଙ୍କ ସମୁଦାୟ ସଂଖ୍ୟା ୧୭୦୦୦୦ରୁ ୨୨୫୦୦୦ ହୋଇଥିବା ଅନୁମାନ କରାଯାଏ । ପ୍ରତି ସ୍ଥାନର ସଂଖ୍ୟାର କମିବା ବଢ଼ିବାର ହାର ବଦଳୁଥାଏ, ତେଣୁ ଏହି ହାରର ମାନ ଜାଣିବା କଷ୍ଟ । ସଙ୍କଟାପନ୍ନ ପ୍ରଜାତିର କୌଣସି ସୂଚନା ବା ସ୍ଥିତି ନଥିବାରୁ IUCN ଏହାକୁ Least Concern (LC) ତାଲିକାରେ ସ୍ଥାନ ଦେଇଛି ।[୧] Agreement on the Conservation of African-Eurasian Migratory Waterbirds (AEWA) ରାଜିନାମା ଏହି ପକ୍ଷୀ କ୍ଷେତ୍ରରେ ପ୍ରଯୁଜ୍ୟ ।[୧୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Tadorna ferruginea". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. 
  2. Mayr, Ernst; Cottrell, G. William (୧୯୭୯). Check-list of Birds of the World. Volume ୧ (୨nd ed.). Cambridge, Massachusetts: Museum of Comparative Zoology. p. ୪୫୦. 
  3. Sherborn, C. Davies (1905). "The new species of birds in Vroeg's catalogue, 1764". Smithsonian Miscellaneous Collections. 47: 332–341 [339 No. 258].  Includes a transcript of the 1764 text.
  4. Rookmaaker, L.C.; Pieters, F.F.J.M. (2000). "Birds in the sales catalogue of Adriaan Vroeg (1764) described by Pallas and Vosmaer". Contributions to Zoology. 69 (4): 271–277. 
  5. Carboneras, C.; Kirwan, G.M. (2014). "Ruddy Shelduck (Tadorna ferruginea)". Handbook of the Birds of the World Alive. Lynx Edicions, Barcelona. Retrieved 20 October 2015. 
  6. Jobling, James A (୨୦୧୦). The Helm Dictionary of Scientific Bird Names. London: Christopher Helm. p. ୩୭୭. ISBN ୯୭୮-୧-୪୦୮୧-୨୫୦୧-୪. 
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ ୭.୭ Kear, Janet (୨୦୦୫). Ducks, Geese and Swans: General chapters, species accounts (Anhima to Salvadorina). Oxford University Press. pp. ୪୨୦–୪୩୦. ISBN ୯୭୮-୦-୧୯-୮୬୧୦୦୮-୩. 
  8. Jobling, James A (୨୦୧୦). The Helm Dictionary of Scientific Bird Names. London: Christopher Helm. p. ୧୫୯. ISBN ୯୭୮-୧-୪୦୮୧-୨୫୦୧-୪. 
  9. ୯.୦ ୯.୧ ୯.୨ ୯.୩ Witherby, H. F., ed. (୧୯୪୩). Handbook of British Birds, Volume ୩: Hawks to Ducks. H. F. and G. Witherby Ltd. pp. ୨୨୭–୨୩୧. 
  10. Bouglouan, Nicole. "Ruddy Shelduck: Tadorna ferruginea". oiseaux-birds.com. Retrieved 21 October 2015. 
  11. ୧୧.୦ ୧୧.୧ Stockley, C.H. (1923). "Some notes on Indian game birds". The Journal of the Bombay Natural History Society. 29: 278–279. 
  12. Garcia del Rey, Eduardo; Rodriguez-Lorenzo, Juan Antonio (2010). "Breeding status of the Ruddy Shelduck Tadorna ferruginea at Fuerteventura, Canary Islands: natural colonisation of two habitat types on an oceanic island". Ostrich. 81 (2): 93–96. doi:10.2989/00306525.2010.488376. 
  13. ୧୩.୦ ୧୩.୧ ୧୩.୨ "Ruddy Shelduck: Tadorna ferruginea". BirdLife International. 2015. Retrieved 24 October 2015. 
  14. Müller, Werner (2 April 2017). "Rechtzeitig handeln". Ornis: 12–14. 
  15. "AEWA Species". Agreement on the Conservation of African-Eurasian Migratory Waterbirds. Retrieved 22 October 2015. 

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]