ପଣ୍ଡା ହଂସ

ଉଇକିପିଡ଼ିଆ‌ରୁ

ପଣ୍ଡା ହଂସ
Brahminy Duck
ପଣ୍ଡା ହଂସ ଯୁଗଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Anseriformes
Family: Anatidae
Genus: Tadorna
ଜାତି: T. ferruginea
ବାଇନୋମିଆଲ ନାମ
Tadorna ferruginea
ପିଟର୍ ସିମୋନ୍ ପାଲାସ୍, ୧୭୬୪
Synonyms

Casarca ferruginea
Anas ferruginea
Casarca rutila

ପଣ୍ଡା ହଂସ (ଈଂରାଜୀରେ Ruddy Shelduck ବା Tadorna Ferruginea) ଏନାଟିଡାଏ ପରିବାରର ଏକ ଜଳପକ୍ଷୀ । ଭାରତରେ ଏହି ପକ୍ଷୀକୁ Brahminy Duck (ବ୍ରାହ୍ମଣୀ ବତକ) ବୋଲି ମଧ୍ୟ କୁହାଯାଇଥାଏ । ଓଡ଼ିଆ ଭାଷାରେ ଏହି ପକ୍ଷୀର ଅନ୍ୟ କିଛି ସ୍ଥାନୀୟ ନାମ ହେଲା : ଚକୁଆ, ଚକ୍ରବାକ ପକ୍ଷୀ, ରଥାଙ୍ଗ ପକ୍ଷୀଚକୋଆ । ଏହି ପକ୍ଷୀର ଦୈର୍ଘ୍ୟ ପ୍ରାୟ ୫୮-୭୦ ସେଣ୍ଟିମିଟର୍ । ଡେଣା ଖୋଲି ରଖିଲେ ଏହାର ପ୍ରସ୍ଥ ପ୍ରାୟ ୧୧୦-୧୩୫ ସେଣ୍ଟିମିଟର୍ ହୋଇଥାଏ । ଏହାର ଶରୀର କମଳା-ମାଟିଆ-ବାଦାମୀ ରଙ୍ଗର, ମୁଣ୍ଡଟି ଧଳା ମିଶା ଫିକା ମାଟିଆ ରଙ୍ଗର ଓ ଲାଞ୍ଜ-ପର ଇତ୍ୟାଦି କଳା ରଙ୍ଗର । ଡେଣାର ବାହୁରେ ଧଳା ରଙ୍ଗର ଛାପଟିଏ ଲୁଚି ରହିଥାଏ ଯାହା ଡେଣା ଖୋଲିଲେ ଦେଖାଯାଏ । ପଣ୍ଡା ହଂସ ଏକ ପ୍ରବାସୀ ପକ୍ଷୀ । ଏମାନେ କେନ୍ଦ୍ରୀୟ ଏସିଆ, ଦକ୍ଷିଣ-ପୂର୍ବ ୟୁରୋପ୍ ଓ ଉତ୍ତର ଆଫ୍ରିକାରେ ବାସ କରନ୍ତି, କିନ୍ତୁ ଶୀତ ଦିନରେ ଭାରତୀୟ ଉପମହାଦ୍ୱୀପକୁ ଚାଲି ଆସନ୍ତି । ପଣ୍ଡା ହଂସ ଉଚ୍ଚ ସ୍ୱରରେ “ହଂକ୍” ଆୱାଜ କରି ସତର୍କ ସୂଚନା ଦିଏ ।

ହ୍ରଦ, ନଦୀ, ଜଳାଶୟ ଇତ୍ୟାଦି ସ୍ଥାନରେ ଏମାନେ ରହିବା ପସନ୍ଦ କରନ୍ତି । ଅଣ୍ଡିରା ଏବଂ ମାଈ ପଣ୍ଡା ହଂସଙ୍କ ଯୁଗଳ ଆଜୀବନ ସାଥୀ ହୋଇ ରହନ୍ତି । ପାଣିରୁ ଯଥେଷ୍ଟ ଦୂରରେ କୌଣସି ଗଛ, କୋରଡ଼ ବା ପାହାଡ଼ ଖୋଲରେ ଏମାନେ ନିଜର ବସା ତିଆରି କରନ୍ତି । ଏକା ବେଳକେ ମାଈ ହଂସ ପ୍ରାୟ ୮ଟି ଅଣ୍ଡା ଦିଏ ଏବଂ ୪ ସପ୍ତାହ ପର୍ଯ୍ୟନ୍ତ ଅଣ୍ଡା ଉଷୁମାଉଥାଏ । ଛୁଆଙ୍କର ଲାଳନ ପାଳନରେ ଉଭୟ ମାଈ ଓ ଅଣ୍ଡିରା ପଣ୍ଡା ହଂସ ଯୋଗଦାନ କରନ୍ତି । ଜନ୍ମ ହେବାର ପ୍ରାୟ ୮ ସପ୍ତାହ ପର୍ଯ୍ୟନ୍ତ ଶିଶୁ ପଣ୍ଡା ହଂସମାନେ ମାତାପିତାଙ୍କ ଯତ୍ନରେ ରହନ୍ତି ଓ ତାହା ପରେ ନିଜେ ଉଡ଼ିବା ଆରମ୍ଭ କରିଦିଅନ୍ତି ।

କେନ୍ଦ୍ରୀୟ ଓ ପୂର୍ବ ଏସିଆରେ ଏମାନଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ୟୁରୋପ୍ ମହାଦେଶରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ବିଶ୍ୱରେ ଏମାନଙ୍କ ସଂଖ୍ୟା ଏବଂ ବ୍ୟାପ୍ତି ଅଧିକ । ତେଣୁ IUCN ସଂସ୍ଥା ଏହି ପକ୍ଷୀଙ୍କୁ ବର୍ତ୍ତମାନ ସମୟରେ "Least Concern" ଶ୍ରେଣୀଭୁକ୍ତ କରିଛି ।

ବର୍ଗୀକରଣ[ସମ୍ପାଦନା]

Ruddy Shelduck
ଚିଲିକା ହ୍ରଦର ମଙ୍ଗଳାଯୋଡ଼ିରେ ଏକ ପ୍ରବାସୀ ପଣ୍ଡା ହଂସ

ପଣ୍ଡା ହଂସ ଶେଲ୍‍ଡକ୍ ପ୍ରଜାତିର ଏଣ୍ଟିଡାଏ ପରିବାରରେ ଗଣା । ପ୍ରଥମେ ୧୭୬୪ ମସିହାରେ ଜର୍ମାନ୍ ଜୀବବିଜ୍ଞାନୀ ପିଟର୍ ସିମୋନ୍ ପାଲାସ୍‍ଙ୍କଠାରୁ ଏହି ପକ୍ଷୀର ଉଲ୍ଲେଖ ମିଳେ । ସେ ଏହାକୁ Anas ferruginea ବୋଲି ବିବେଚିତ କରିଥିଲେ । ପରବର୍ତ୍ତୀ କାଳରେ ଏହି ପକ୍ଷୀକୁ ଅନ୍ୟ ଶେଲ୍‍ଡକ୍‍ମାନଙ୍କ ସହିତ Tadorna ପ୍ରଜାତିରେ ସ୍ଥାନିତ କରାଗଲା ।[୨][୩][୪] କିଛି ବିଶେଷଜ୍ଞ ପଣ୍ଡା ହଂସକୁ ଦକ୍ଷିଣ-ଆଫ୍ରିକୀୟ ଶେଲ୍‍ଡକ୍ (T. cana), ଅଷ୍ଟ୍ରେଲୀୟ ଶେଲ୍‍ଡକ୍ (T. tadornoides) ଓ ପାରାଡାଇଜ୍ ଶେଲ୍‍ଡକ୍ (T. variegata) ଇତ୍ୟାଦିଙ୍କ ସହିତ Casarca ପ୍ରଜାତିରେ ସ୍ଥାନିତ କରିଛନ୍ତି । ଫାଇଲୋଜେନେଟିକ୍ ବିଶ୍ଳେଷଣରୁ ଜଣା ପଡ଼ିଛି ଯେ ପଣ୍ଡା ହଂସ ଦକ୍ଷିଣ-ଆଫ୍ରିକୀୟ ଶେଲ୍‍ଡକ୍‍ ପ୍ରଜାତିର ନିକଟତମ ସମ୍ପର୍କୀୟ । ଟେଡ୍ରୋନା, ଏନାସ୍ ଓ ମିଶରୀୟ ବତକ (Alopochen aegyptiaca) ପରି ଅନ୍ୟ ପ୍ରଜାତିର ପକ୍ଷୀଙ୍କ ସହିତ ପୋଷା ମନାଇ ରଖିଲେ ପଣ୍ଡା ହଂସ ସେହି ପ୍ରଜାତିର ପକ୍ଷୀଙ୍କ ସହ ମିଳନ କରିବା ଓ ଏଥରୁ ବିଭିନ୍ନ ସଂକର ପକ୍ଷୀ ସୃଷ୍ଟି ହେବା ମଧ୍ୟ ଦେଖାଯାଇଛି । ଏଯାବତ୍ ପଣ୍ଡାହଂସମାନଙ୍କର କୌଣସି ଉପ-ପ୍ରଜାତି ଚିହ୍ନଟ କରାଯାଇନାହିଁ ।[୫]

ସାଧାରଣ ଶେଲ୍‍ଡକ୍‍ର ଫରାସୀ ନାମ ହେଲା "tadorne" ଓ ଏଥିରୁ ଏମାନଙ୍କ ପ୍ରଜାତିର ନାମ Tadorna ଶବ୍ଦଟି ଗୃହୀତ ହୋଇଛି ।[୬] ପଣ୍ଡା ହଂସର ପ୍ରଜାତିର ନାମ ଏକ ପୁରାତନ ସେଲ୍‍ଟିକ୍ ଶବ୍ଦରୁ ମଧ୍ୟ ଉଦ୍ଧୃତ ହୋଇଥାଇପାରେ, ଯାହାର ଅର୍ଥ "pied waterfowl" ବା “ବହୁରଙ୍ଗୀ ପାଣିକୁକୁଡ଼ା” । ଏହି ପକ୍ଷୀର ଈଂରାଜୀ ନାମ "sheld duck" ପ୍ରାୟ ୧୭୦୦ ଖ୍ରୀଷ୍ଟାବ୍ଦ ବେଳକୁ ଆରମ୍ଭ ହୋଇଥିଲା ଓ ଏହାର ଅର୍ଥ ମଧ୍ୟ ସେଲ୍‍ଟିକ୍ ଶବ୍ଦାର୍ଥର ଅନୁରୂପ ।[୭] ପଣ୍ଡା ହଂସର ପ୍ରଜାତି ନାମରେ ରହିଥିବା ferruginea ଶବ୍ଦର ଅର୍ଥ ହେଲା କଳଙ୍କିତ । କଳଙ୍କ ଲାଗିବା ଆରମ୍ଭ ହେଲେ ଯେପରି ଦେଖାଯାଏ, ପଣ୍ଡା ହଂସର ଶରୀରର ମାଟିଆ ରଙ୍ଗର ଛାପ ଠିକ୍ ସେହିପରି ଦେଖାଯାଉଥିବାରୁ ଏହି ନାମ ଦିଆଯାଇଥାଇପାରେ ।[୮]

ବିବରଣୀ[ସମ୍ପାଦନା]

ପଣ୍ଡା ହଂସ ବଡ଼ ହୋଇ ପ୍ରାୟ ୫୮-୭୦ ସେଣ୍ଟିମିଟର୍ ଦୈର୍ଘ୍ୟ ପ୍ରାପ୍ତ କରେ । ଡେଣା ଦୁଇଟି ଖୋଲି ରଖିଲେ ଏହାର ପ୍ରସ୍ଥ ପ୍ରାୟ ୧୧୦-୧୩୫ ସେଣ୍ଟିମିଟର୍ ହୋଇଥାଏ । ଅଣ୍ଡିରା ପଣ୍ଡା ହଂସର ଶରୀର କମଳା-ମାଟିଆ ରଙ୍ଗର, ମୁଣ୍ଡଟି ଫିକା ମାଟିଆ ବା ଧଳା ରଙ୍ଗର ଏବଂ ବେକ ପାଖରେ କଳା ରଙ୍ଗର ଏକ ପତଳା ବେକପଟି ରହିଥାଏ । ଡେଣାର ଶେଷଭାଗ ଓ ଲାଞ୍ଜ କଳା ରଙ୍ଗର ହୋଇଥିବା ବେଳେ, ଡେଣାର ପ୍ରଥମାର୍ଦ୍ଧର କିଛି ଅଂଶ ଧଳା ଓ କିଛି ଅଂଶ ସବୁଜ ରଙ୍ଗର ହୋଇଥାଏ । ଡେଣାର ଧଳା ଅଂଶର ପର ଉଭୟ ଉପର ଓ ଭିତର ପଟେ ଏକା ରଙ୍ଗର । ପଣ୍ଡା ହଂସ ବସି ରହିଥିବା ବେଳେ ଏହି ଧଳା ଅଂଶ ଦେଖାଯାଏ ନାହିଁ, କିନ୍ତୁ ଉଡ଼ିବା ବେଳେ କିମ୍ବା ଡେଣା ଖୋଲିଲେ ଏହି ଧଳା ଅଂଶ ସ୍ପଷ୍ଟ ଭାବେ ଦିଶେ । ପଣ୍ଡା ହଂସର ଥଣ୍ଟ କଳା ରଙ୍ଗର ଏବଂ ଗୋଡ଼ଗୁଡ଼ିକ ଗାଢ଼ ଧୁସର ରଙ୍ଗର । ମାଈ ପଣ୍ଡା ହଂସ ଦେଖିବାକୁ ପ୍ରାୟ ଏକା ପରି କିନ୍ତୁ ଏହାର ଶରୀରର ରଙ୍ଗ ଅଣ୍ଡିରାଠାରୁ ଟିକେ ଫିକା । ମାଈ ହଂସର ମୁଣ୍ଡ ଓ ବେକ ଧଳା ଏବଂ ଏହାର ବେକରେ ପଟି ଦାଗ ନଥାଏ । ବୟସ ବଢ଼ିବା ସହ ପଣ୍ଡା ହଂସଙ୍କ ଶରୀରର ରଙ୍ଗ ଫିକା ପଡ଼ିଯାଏ । ପ୍ରଜନନ ଋତୁ ଶେଷରେ ପଣ୍ଡା ହଂସମାନଙ୍କର ପର ଝଡ଼ିଯାଏ । ଏହି ସମୟରେ ଅଣ୍ଡିରାମାନଙ୍କ ବେକର ପଟି ଲିଭିଯାଏ । ପୁଣି ଡିସେମ୍ବର ଓ ଅପ୍ରେଲ୍ ମାସ ମଧ୍ୟରେ ନିଜର ବେକ ପଟି ଫେରି ପାଆନ୍ତି । ଶିଶୁ ବା ଅଳ୍ପବୟସ୍କ ପଣ୍ଡା ହଂସ ପ୍ରାୟ ମାଈ ହଂସ ପରି, ତେବେ ଏମାନଙ୍କ ଶରୀରର ରଙ୍ଗ ଗାଢ଼ ମାଟିଆ ।[୯]

ପଣ୍ଡା ହଂସ ଉଚ୍ଚ ସ୍ୱରରେ “ହଂକ୍-ହଂକ୍” ପରି ଶବ୍ଦ ସୃଷ୍ଟି କରି ଡାକିଥାଏ । ମାଈ ଓ ଅଣ୍ଡିରା ହଂସଙ୍କ ଶବ୍ଦରେ ସାମାନ୍ୟ ତଫାତ୍ ଥାଏ ଯାହା ବାରି ହୋଇଯାଏ । ପରିସ୍ଥିତି ଅନୁସାରେ ଏମାନେ ଭୂମିରେ ଥିବା ବେଳେ ଏବଂ ଉଡ଼ିବା ବେଳେ ମଧ୍ୟ ଶବ୍ଦ କରନ୍ତି । ତେବେ ଭିନ୍ନ ପରିସ୍ଥିତିରେ ଡାକ ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ ।[୯]

ଫଟୋ ଗ୍ୟାଲେରି[ସମ୍ପାଦନା]

ଭୌଗୋଳିକ ବ୍ୟାପ୍ତି ଓ ପରିବାସ[ସମ୍ପାଦନା]

ଉତ୍ତର-ପୂର୍ବ ଆଫ୍ରିକାଇଥିଓପିଆରେ ଖୁବ୍ କମ୍ ପଣ୍ଡା ହଂସ ପକ୍ଷୀ ରହୁଛନ୍ତି । ଦକ୍ଷିଣ-ପୂର୍ବ ୟୁରୋପ୍‍ରୁ ନେଇ କେନ୍ଦ୍ରୀୟ ଏସିଆ, ବୈକାଳ ହ୍ରଦ, ମଙ୍ଗୋଲିଆ ଓ ଉତ୍ତର ଚୀନ ପର୍ଯ୍ୟନ୍ତ ପଣ୍ଡା ହଂସଙ୍କ ଏକ ସକ୍ରିୟ ଓ ପ୍ରଜନନଶୀଳ ପକ୍ଷୀଦଳ ଦେଖିବାକୁ ମିଳେ ।[୧୦] ପୃଥିବୀର ପୂର୍ବ ପଟର ପଣ୍ଡା ହଂସମାନେ ମୁଖ୍ୟତଃ ପ୍ରବାସୀ ପକ୍ଷୀ ଓ ଶୀତ ଦିନରେ ଭାରତୀୟ ଉପମହାଦ୍ୱୀପକୁ ଉଡ଼ି ଆସନ୍ତି ।[୧୧] କ୍ୟାନାରୀ ଦ୍ୱୀପପୁଞ୍ଜରେ ୧୯୯୪ ମସିହାରେ ପ୍ରବାସ ଆରମ୍ଭ କରିଥିବା ପଣ୍ଡା ହଂସମାନେ ଏଠାରେ ବସବାସ କରିବା ଆରମ୍ଭ କଲେ ଓ କ୍ରମେ ଏମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ୨୦୦୮ ବେଳକୁ ପ୍ରାୟ ୫୦ ହଂସ ଯୁଗଳ ହୋଇଯାଇଥିଲା ।[୧୨] ଭାରତକୁ ଶୀତ ଦିନରେ ଆସୁଥିବା ଅନେକ ପ୍ରବାସୀ ଚଢ଼େଇଙ୍କ ମଧ୍ୟରେ ପଣ୍ଡା ହଂସ ବହୁ ମାତ୍ରାରେ ଦେଖାଯାନ୍ତି । ଏମାନେ ଅକ୍ଟୋବର ମାସ ବେଳକୁ ଭାରତରେ ପହଞ୍ଚି ଅପ୍ରେଲ୍ ମାସ ସମୟରେ ବାହୁଡ଼ି ଯାଆନ୍ତି । ବଡ଼ ଜଳାଶୟ, ନଦୀ, ନଦୀକୂଳ ଓ ସନ୍ତସନ୍ତିଆ ଜମି ଏମାନଙ୍କ ପ୍ରିୟ ବସବାସ ଓ ପ୍ରଜନନ କ୍ଷେତ୍ର । ଜମ୍ନୁ ଓ କାଶ୍ମୀରର ଉଚ୍ଚ ହ୍ରଦମାନଙ୍କ ନିକଟରେ ମଧ୍ୟ ଏମାନେ ରହିବା ଓ ଅଣ୍ଡା ଦେବା ଦେଖାଯାଇଛି ।[୧୧] ପ୍ରଜନନ ଋତୁକୁ ବାଦ୍ ଦେଲେ ଏମାନେ ନଦୀ, ହ୍ରଦ, ପୋଖରୀ, ଜଳଭଣ୍ଡାର ଓ ଲୁଣିଆ ହ୍ରଦମାନଙ୍କ ନିକଟରେ ଘୁରି ବୁଲୁଥାନ୍ତି ।[୧୩]

ଦକ୍ଷିଣ-ପୂର୍ବ ୟୁରୋପ୍‍ ଓ ଦକ୍ଷିଣ ସ୍ପେନ୍‍ରୁ କ୍ରମଶଃ କମି ଆସୁଥିବା ପଣ୍ଡା ହଂସ ଏସିଆରେ କିନ୍ତୁ ବହୁ ସଂଖ୍ୟାରେ ପରିଲକ୍ଷିତ ହୁଅନ୍ତି । ଆଇସ୍‍ଲ୍ୟାଣ୍ଡ୍, ଆୟାର୍ଲ୍ୟାଣ୍ଡ୍ ଓ ବ୍ରିଟେନ୍ ପରି ଦେଶମାନଙ୍କୁ ପୂର୍ବ ପଟରୁ ଅନେକ ପଣ୍ଡା ହଂସ ଯାଇ ବସବାସ କରୁଥିବା ସମ୍ଭବପର । ୟୁରୋପ୍‍ରେ ଏହି ପକ୍ଷୀଙ୍କ ସଂଖ୍ୟା କମୁଥିବାରୁ ପ୍ରଜନନ କେନ୍ଦ୍ରରେ ଜାତ ଅଧିକାଂଶ ପକ୍ଷୀ ସ୍ୱାଧୀନ ଭାବେ ପଶ୍ଚିମ ୟୁରୋପ୍‍କୁ ଯାଇ ବସବାସ କରୁଥିବା ମଧ୍ୟ ଅନୁମାନ କରାଯାଏ । ଉତ୍ତର ଆମେରିକାର ପୂର୍ବ ଉପକୂଳରେ ମଧ୍ୟ ଏହି ପକ୍ଷୀ ଅନେକ ସମୟରେ ଦେଖାଯାଇଛନ୍ତି ।[୧] ସ୍ଥାନୀୟ ପକ୍ଷୀ ପ୍ରଜାତିଙ୍କ ସ୍ଥାନ ନେଇଯାଉଥିବାରୁ ସୁଇଜରଲ୍ୟାଣ୍ଡ୍ ଦେଶରେ ପଣ୍ଡା ହଂସକୁ ଏକ ଅନୁପ୍ରବେଶକାରୀ ପକ୍ଷୀ ରୂପେ ବିବେଚନା କରାଯାଏ । ୨୦୦୬ରୁ ୨୦୧୬ ମଧ୍ୟରେ ସୁଇଜରଲ୍ୟାଣ୍ଡରେ ଏହି ପକ୍ଷୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଅନେକ ଚେଷ୍ଟା କରାଯାଇଛି, କିନ୍ତୁ ଏମାନଙ୍କ ସଂଖ୍ୟା ଏହି ଦଶନ୍ଧିରେ ୨୧୧ରୁ ୧୨୫୦ ହୋଇଯାଇଥିଲା ।[୧୪]

ପାଣିରୁ ଦୂର ବଣ ଜଙ୍ଗଲରେ ପଣ୍ଡା ହଂସ ପ୍ରାୟ ଦେଖିବାକୁ ମିଳନ୍ତି ନାହିଁ । ତେବେ ନଦୀ, ହ୍ରଦ, ପୋଖରୀ, ଜଳଭଣ୍ଡାର ଓ ମଧୁର ବା ଲୁଣିଆ ହ୍ରଦମାନଙ୍କରେ ଏମାନେ ପ୍ରାୟ ଦେଖିବାକୁ ମିଳନ୍ତି । ସମୁଦ୍ର ପତନରୁ ବହୁ ଉଚ୍ଚରେ ଥିବା ହ୍ରଦମାନଙ୍କରେ ମଧ୍ୟ ଏମାନଙ୍କୁ ଅନ୍ୟ ପ୍ରଜାତିର ଜଳପକ୍ଷୀଙ୍କ ମେଳରେ ଦେଖାଯାଇଛି ।[୭]

ବ୍ୟବହାର[ସମ୍ପାଦନା]

WWT ସ୍ଲିମ୍‍ବ୍ରିଜ୍ (ଗ୍ଲୌଶେଷ୍ଟର୍‍ଶାୟାର୍)ର ଏକ ପଣ୍ଡା ହଂସ
ହ୍ରଦ ଉପରେ ଉଡ଼ିଯାଉଥିବା ପଣ୍ଡା ହଂସ

ପଣ୍ଡା ହଂସ ଏକ ରାତ୍ରିଚର ପକ୍ଷୀ ।[୧୩] ଏହା ସର୍ବଭକ୍ଷୀ । ଘାସ, ପତ୍ର, କଅଁଳ ଗଛ, ଶସ୍ୟ, ଜଳଜ ଉଦ୍ଭିଦ, ଜଳରେ ବସବାସ କରୁଥିବା କୀଟପତଙ୍ଗ ଓ ଛୋଟ ଅମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଦ୍ୟ ରୂପେ ଆହରଣ କରିଥାଏ । ଭୂମିରେ ତୃଣମୟ ଓ ବୁଦାପୂର୍ଣ୍ଣ ଅଞ୍ଚଳରେ ଏମାନେ ଖାଦ୍ୟ ଖୋଜୁଥିବା ଦେଖାଯାଇପାରିବ । ଏମାନେ ପାଣିରେ ଖାଦ୍ୟ ଅନ୍ୱେଷଣ କରିବା ସମୟରେ ଅଗଭୀର ପାଣିରେ ଏବଂ ଗଭୀର ପାଣିରେ ମଧ୍ୟ ବୁଲନ୍ତି କିନ୍ତୁ ପାଣିରେ ବୁଡ଼ ପକାନ୍ତି ନାହିଁ ।[୭]

ପଣ୍ଡା ହଂସଙ୍କୁ ମୁଖ୍ୟତଃ ଯୁଗଳ ବା ଯୋଡ଼ା ରୂପେ ଦେଖିବାକୁ ମିଳେ । ଏମାନେ ଏକ ବଡ଼ ଦଳରେ ରହିବା କ୍ୱଚିତ୍ ଦେଖାଯାଏ । ତେବେ ପ୍ରବାସ ସମୟରେ ବା ପରଝଡ଼ା ଦେଉଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଜଳାଶୟ ନିକଟରେ ବହୁସଂଖ୍ୟକ ପଣ୍ଡା ହଂସ ଏକତ୍ରିତ ହେବା ଦେଖାଯାଇଛି । ନେପାଳର କୋଶୀ ବ୍ୟାରେଜ୍ ନିକଟରେ ରହିଥିବା କୋଶୀ-ଟାପୁ ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକାଥରକେ ୪୦୦୦ରୁ ଅଧିକ ପକ୍ଷୀ ଏକତ୍ରିତ ହେବା ଦେଖାଯାଇଛି । ସେହିପରି ତୁର୍କୀର ଗୋଲୁ ହ୍ରଦରେ ଦଶ ହଜାରରୁ ଅଧିକ ପଣ୍ଡା ହଂସ ଏକତ୍ରିତ ହେବାର ଦେଖାଯାଇଛି ।[୭] ଶୀତଦିନରେ ଓଡ଼ିଶାର ଭିତର କନିକା, ଚିଲିକା ଆଦି ସ୍ଥାନରେ ବହୁ ସଂଖ୍ୟକ ପଣ୍ଡା ହଂସ ପ୍ରବାସ କରୁଥିବା ଦେଖିବାକୁ ମିଳେ ।

ମାର୍ଚ୍ଚ ଓ ଅପ୍ରେଲ୍ ମାସବେଳକୁ ଏହି ପକ୍ଷୀମାନେ କେନ୍ଦ୍ରୀୟ ଏସିଆର ମୁଖ୍ୟ ମିଳନ ସ୍ଥଳକୁ ଉଡ଼ି ଆସନ୍ତି । ଏକ ଯୁଗଳ ପଣ୍ଡା ହଂସ ସାରା ଜୀବନ ପରସ୍ପର ପ୍ରତି ଅନୁଗତ ରହନ୍ତି । ମିଳନ ଋତୁରେ ପଣ୍ଡା ହଂସମାନେ ନିଜ ଓ ଅନ୍ୟ ଜାତିର ପକ୍ଷୀଙ୍କ ପ୍ରତି ସାମାନ୍ୟ ଆକ୍ରାମକ ମନୋଭାବ ପ୍ରଦର୍ଶନ କରନ୍ତି । ମାଈମାନେ ମୁଖ୍ୟତଃ ରାଗରେ ଗର୍ଜନ କରି, ମୁଣ୍ଡ ଆଗକୁ କରି ଓ ବେକ ଲମ୍ବାଇ ଅନ୍ୟ ପକ୍ଷୀଙ୍କୁ ଗୋଡ଼ାଇ ତଡ଼ିବାକୁ ଚେଷ୍ଟା କରନ୍ତି । ଯଦି ଅନୁପ୍ରବେଶକାରୀ ପକ୍ଷୀ ପଛଘୁଞ୍ଚା ନ ଦିଏ, ତେବେ ମାଈ ଚଢ଼େଇ ଅଣ୍ଡିରା ଚଢ଼େଇ ପାଖକୁ ଫେରିଆସି ତାହା ଚାରିପଟେ ବୁଲେ ଓ ଅନୁପ୍ରବେଶକାରୀକୁ ଆକ୍ରମଣ କରିବାକୁ ଉସୁକାଏ । ଅଣ୍ଡିରା ଚଢ଼େଇ ଅନୁପ୍ରବେଶକାରୀକୁ ତଡ଼ିବାକୁ ଚେଷ୍ଟା କରିପାରେ କିମ୍ବା ନ କରିପାରେ ମଧ୍ୟ ।[୯] ବେକ ଲମ୍ବାଇବା, ପାଣିରେ ମୁଣ୍ଡ ଅଳ୍ପ ବୁଡ଼ାଇବା, ଲାଞ୍ଜ ଉପରକୁ ଉଠାଇ ରଖିବା ଏପରି ଅନେକ କ୍ରୀଡ଼ା ପରେ ପଣ୍ଡା ହଂସ ଯୁଗଳ ପାଣିରେ ରତିକ୍ରୀଡ଼ା କରନ୍ତି ।[୭] ଏମାନଙ୍କ ବସା ସାଧାରଣତଃ ପାଣିରୁ ଯଥେଷ୍ଟ ଦୂରରେ ଥିବା କୌଣସି କୋରଡ଼, ଭଙ୍ଗା ଘର, ପାହାଡ଼ ଗୁମ୍ଫା ଇତ୍ୟାଦିରେ ରହିଥାଏ । ପର ଓ ଘାସ ବ୍ୟବହାର କରି ମାଈ ପଣ୍ଡା ହଂସ ଏହି ବସାଟି ତିଆରି କରିଥାଏ ।[୯]

ଅପ୍ରେଲ୍ ଶେଷ ଓ ଜୁନ୍ ଆରମ୍ଭରେ ପଣ୍ଡା ହଂସମାନେ ୬ଟିରୁ ୧୨ଟି (ପ୍ରାୟ ୮ଟି) ଅଣ୍ଡା ଦେଇଥାନ୍ତି । ଏହି ଅଣ୍ଡାଗୁଡ଼ିକ ଦେଖିବାକୁ ମଇଳା ଧଳା ଏବଂ ଚିକ୍କଣିଆ । ଅଣ୍ଡାଗୁଡ଼ିକ ୬୮×୪୭ ମି.ମି. ଆୟତକ୍ଷେତ୍ରରେ ଆବଦ୍ଧ ହୋଇଯିବ । ମାଈ ପଣ୍ଡା ହଂସ ମୁଖ୍ୟତଃ ଅଣ୍ଡା ଉଷୁମାଇବା କାମ କରିଥାଏ ଓ ଅଣ୍ଡିରା ପଣ୍ଡା ହଂସ ମାଈ ପାଖରେ ଜଗି ରହିଥାଏ । ଅଣ୍ଡା ଦେବାର ପ୍ରାୟ ୨୮ ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରନ୍ତି । ଉଭୟ ମାଈ ଓ ଅଣ୍ଡିରା ପଣ୍ଡା ହଂସ ଛୁଆଙ୍କ ଲାଳନ ପାଳନରେ ସହଯୋଗ କରନ୍ତି । ପ୍ରାୟ ୫୫ ଦିନ ପରେ ଛୁଆମାନେ ନିଜେ ଉଡ଼ିବା ଆରମ୍ଭ କରନ୍ତି ।[୭] ପ୍ରଜନନ ପରେ ପଣ୍ଡା ହଂସ ପରଝଡ଼ା ଦିଏ, ତେଣୁ ପ୍ରାୟ ଏକ ମାସ ପାଇଁ ଦୂରକୁ ଉଡ଼ିବାର ସାମର୍ଥ୍ୟ ହରାଏ । ପରଝଡ଼ା ଦେବା ପୂର୍ବରୁ ଏମାନେ କୌଣସି ବଡ଼ ହ୍ରଦକୁ ଚାଲିଯାଆନ୍ତି ଯେଉଁଠାରେ ଅନ୍ୟ ମାଂସାସୀ ଜୀବଙ୍କଠାରୁ ସୁରକ୍ଷିତ ରହିପାରିବେ ।[୧୩] ପଣ୍ଡା ହଂସ ପରିବାର କିଛିଦିନ ପାଇଁ ଏକତ୍ରିତ ହୋଇ ରହନ୍ତି । ଶରତ ଋତୁରେ ସେପ୍ଟମ୍ବର ମାସ ବେଳକୁ ଏମାନଙ୍କ ପ୍ରବାସ ଆରମ୍ଭ ହୁଏ । ଛୁଆମାନେ ଦ୍ୱିତୀୟ ବର୍ଷରେ ପରିପକ୍ୱତା ଲାଭ କରନ୍ତି । ଉତ୍ତର-ଆଫ୍ରିକୀୟ ପଣ୍ଡା ହଂସମାନେ ପ୍ରାୟ ୫ ସପ୍ତାହ ଆଗରୁ ପ୍ରଜନନ ଆରମ୍ଭ କରିଦିଅନ୍ତି । ଅଳ୍ପ ଗରମ ହେଉଥିବା ଆର୍ଦ୍ର ଗ୍ରୀଷ୍ମ ଋତୁରେ ଏମାନଙ୍କ ପ୍ରଜନନ ହାର ସର୍ବାଧିକ ହୋଇଥିବାର ଦେଖାଯାଇଛି ।[୭]

ସ୍ଥିତି[ସମ୍ପାଦନା]

ବୌଦ୍ଧ ଧର୍ମାବଲମ୍ବୀମାନେ ପଣ୍ଡା ହଂସକୁ ଏକ ପବିତ୍ର ପକ୍ଷୀ ରୂପେ ବିବେଚନା କରିଥାନ୍ତି । ତେଣୁ କେନ୍ଦ୍ରୀୟ ଓ ପୂର୍ବ ଏସିଆର ଅନେକ ସ୍ଥାନରେ ଏମାନଙ୍କୁ ଶିକାର କରାଯାଏ ନାହିଁ । ଏହି କାରଣରୁ ଏସିଆରେ ସଂରକ୍ଷଣ ହେବା ସହ ଏମାନଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ତିବ୍ୱତର ପେମ୍ବୋ କଳା-ବେକିଆ ବଗ ଅଭୟାରଣ୍ୟରେ ବହୁ ପଣ୍ଡା ହଂସ ଶୀତଋତୁରେ ପ୍ରବାସ ପାଇଁ ଆସନ୍ତି ଓ ସେମାନଙ୍କୁ ଏହି ଅଭୟାରଣ୍ୟର ସୁରକ୍ଷିତ ପରିବେଶ ମିଳେ । ୟୁରୋପ୍‍ର କିଛି ଅଞ୍ଚଳରେ ଆର୍ଦ୍ର ଭୂମି କମ୍ ହେଉଥିବାରୁ ଓ ଶିକାର କରାଯାଉଥିବାରୁ ପଣ୍ଡା ହଂସଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ନୂଆ ପରିବେଶରେ ପଣ୍ଡା ହଂସମାନେ ସହଜରେ ଖାପ ଖୁଆଇ ଚଳିବାରେ ସମର୍ଥ, ତେଣୁ ଅନ୍ୟ ଜଳ କୁକୁଡ଼ାଙ୍କ ଅପେକ୍ଷା ଏମାନେ ସହଜରେ ତିଷ୍ଠି ରହିପାରନ୍ତି ।[୭]

ପଣ୍ଡା ହଂସଙ୍କ ଭୌଗୋଳିକ ବ୍ୟାପ୍ତି ଅତ୍ୟନ୍ତ ବିସ୍ତୃତ । ଏମାନଙ୍କ ସମୁଦାୟ ସଂଖ୍ୟା ୧୭୦୦୦୦ରୁ ୨୨୫୦୦୦ ହୋଇଥିବା ଅନୁମାନ କରାଯାଏ । ପ୍ରତି ସ୍ଥାନର ସଂଖ୍ୟାର କମିବା ବଢ଼ିବାର ହାର ବଦଳୁଥାଏ, ତେଣୁ ଏହି ହାରର ମାନ ଜାଣିବା କଷ୍ଟ । ସଙ୍କଟାପନ୍ନ ପ୍ରଜାତିର କୌଣସି ସୂଚନା ବା ସ୍ଥିତି ନଥିବାରୁ IUCN ଏହାକୁ Least Concern (LC) ତାଲିକାରେ ସ୍ଥାନ ଦେଇଛି ।[୧] Agreement on the Conservation of African-Eurasian Migratory Waterbirds (AEWA) ରାଜିନାମା ଏହି ପକ୍ଷୀ କ୍ଷେତ୍ରରେ ପ୍ରଯୁଜ୍ୟ ।[୧୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Tadorna ferruginea". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. Mayr, Ernst; Cottrell, G. William (1979). Check-list of Birds of the World. Volume 1 (2nd ed.). Cambridge, Massachusetts: Museum of Comparative Zoology. p. 450.
  3. Sherborn, C. Davies (1905). "The new species of birds in Vroeg's catalogue, 1764". Smithsonian Miscellaneous Collections. 47: 332–341 [339 No. 258]. Includes a transcript of the 1764 text.
  4. Rookmaaker, L.C.; Pieters, F.F.J.M. (2000). "Birds in the sales catalogue of Adriaan Vroeg (1764) described by Pallas and Vosmaer". Contributions to Zoology. 69 (4): 271–277.
  5. Carboneras, C.; Kirwan, G.M. (2014). "Ruddy Shelduck (Tadorna ferruginea)". Handbook of the Birds of the World Alive. Lynx Edicions, Barcelona. Retrieved 20 October 2015.
  6. Jobling, James A (2010). The Helm Dictionary of Scientific Bird Names. London: Christopher Helm. p. 377. ISBN 978-1-4081-2501-4.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ ୭.୭ Kear, Janet (2005). Ducks, Geese and Swans: General chapters, species accounts (Anhima to Salvadorina). Oxford University Press. pp. 420–430. ISBN 978-0-19-861008-3.
  8. Jobling, James A (2010). The Helm Dictionary of Scientific Bird Names. London: Christopher Helm. p. 159. ISBN 978-1-4081-2501-4.
  9. ୯.୦ ୯.୧ ୯.୨ ୯.୩ Witherby, H. F., ed. (1943). Handbook of British Birds, Volume 3: Hawks to Ducks. H. F. and G. Witherby Ltd. pp. 227–231.
  10. Bouglouan, Nicole. "Ruddy Shelduck: Tadorna ferruginea". oiseaux-birds.com. Retrieved 21 October 2015.
  11. ୧୧.୦ ୧୧.୧ Stockley, C.H. (1923). "Some notes on Indian game birds". The Journal of the Bombay Natural History Society. 29: 278–279.
  12. Garcia del Rey, Eduardo; Rodriguez-Lorenzo, Juan Antonio (2010). "Breeding status of the Ruddy Shelduck Tadorna ferruginea at Fuerteventura, Canary Islands: natural colonisation of two habitat types on an oceanic island". Ostrich. 81 (2): 93–96. doi:10.2989/00306525.2010.488376.
  13. ୧୩.୦ ୧୩.୧ ୧୩.୨ "Ruddy Shelduck: Tadorna ferruginea". BirdLife International. 2015. Retrieved 24 October 2015.
  14. Müller, Werner (2 April 2017). "Rechtzeitig handeln". Ornis: 12–14. Archived from the original on 22 September 2018. Retrieved 3 May 2018.
  15. "AEWA Species". Agreement on the Conservation of African-Eurasian Migratory Waterbirds. Retrieved 22 October 2015.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]