ଧଳା ହାତୀ
ଧଳା ହାତୀ (ଇଂରାଜୀରେ white elephant ବା albino elephant) ଏକ ବିରଳ ହାତୀର ବର୍ଗ କିନ୍ତୁ ଏମାନେ ଏକ ସ୍ୱତନ୍ତ୍ର ହାତୀ ପ୍ରଜାତି ନୁହନ୍ତି । ଚିତ୍ର ଓ ମୂର୍ତ୍ତିରେ ଏମାନଙ୍କୁ ସମ୍ପୂର୍ଣ୍ଣ ଧଳା ରଙ୍ଗର ବୋଲି ଦର୍ଶାଯାଇଥାଏ କିନ୍ତୁ ପ୍ରକୃତରେ ଏମାନଙ୍କ ଶରୀର ଶୁଖିଲା ଥିବାବେଳେ ଲାଲିମିଶା ମାଟିଆ ଓ ଓଦା ଥିବାବେଳେ ଫିକା ଗୋଲାପୀ ରଙ୍ଗର ।[୧] ଏମାନଙ୍କ ଆଖିପତା ଓ ନଖ ଧଳା ରଙ୍ଗର । ପାରମ୍ପରିକ ଧଳା ହାତୀକୁ ଜୀବବିଜ୍ଞାନର ରଙ୍ଗହୀନତା ପ୍ରକୃତିବିଶିଷ୍ଟ ହାତୀ ବୋଲି ଧରିନେବା ଭୁଲ ଧାରଣା । ଥାଇ ସଂସ୍କୃତିରେ ଧଳା ହାତୀ ପାଇଁ ବ୍ୟବହୃତ ଚାଂଗ୍ ସମ୍ଖାନ୍ ଶବ୍ଦର ପ୍ରକୃତ ଅର୍ଥ ହେଲା ଶୁଭଙ୍କର ହାତୀ । ଏଠାରେ ଧଳା ଶବ୍ଦ ରଙ୍ଗ ପାଇଁ ନୁହେଁ ବରଂ ଶୁଦ୍ଧତା ଓ ପବିତ୍ରତା ଅର୍ଥରେ ଉପଯୋଗ କରାଯାଏ ।[୨]
ଧଳା ହାତୀମାନେ ସମ୍ପୂର୍ଣ୍ଣ ଶ୍ୱେତ ବର୍ଣ୍ଣର ନୁହଁନ୍ତି । ଜେନେରାଲ୍ ଥାନ୍ ଶ୍ୱେ ନିଜକୁ ବ୍ରହ୍ମଦେଶୀୟ ଶାସକମାନଙ୍କ ଉତ୍ତରାଧିକାରୀ କୁହନ୍ତି ଓ ତାଙ୍କଠାରେ ଥିବା ଧଳା ହାତୀମାନଙ୍କ ମଧ୍ୟରୁ ଗୋଟିଏ ପାଉଁଶିଆ ଓ ଅନ୍ୟ ତିନୋଟି ଫିକା ଗୋଲାପୀ ରଙ୍ଗର । ଥାଇଲାଣ୍ଡର ରାଜାଙ୍କ ପାଖରେ ମଧ୍ୟ ଅନେକ ଧଳା ହାତୀ ଥିଲେ ଯାହା ମଧ୍ୟରୁ ୧୧ଟି ଧଳା ହାତୀ ଜୀବିତ ଅଛନ୍ତି ।[୩] ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି କାମ୍ବୋଡିଆର ରାଜା ନୋରୋଦୋମ ସିହାନୌକଙ୍କୁ ଏକ ଧଳା ହାତୀ ଉପହାର ଦେଇଥିଲେ ।
ପାରସ୍ୟରେ ଧଳା ହାତୀ
[ସମ୍ପାଦନା]ସାସାନୀ ସାମ୍ରାଜ୍ୟର ରାଜା ଖୁସ୍ରୁ (ଦ୍ୱିତୀୟ) ନିଜ ସେନାବାହିନୀରେ ଧଳା ହାତୀ ରଖିଥିଲେ । ଅଲ୍-ତବରୀଙ୍କ ବର୍ଣ୍ଣନା ଅନୁସାରେ ଆରବ ମୁସଲିମ ଓ ସାସାନୀ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏକ ଧଳା ହାତୀ ମୁସଲିମ ସେନାଧ୍ୟକ୍ଷ ଅବୁ ଉବୈଦ ଅଲ୍-ତକାଫିଙ୍କୁ ହତ୍ୟା କରିଥିଲା ।
କିମ୍ବଦନ୍ତୀରେ ଧଳାହାତୀ
[ସମ୍ପାଦନା]ହିନ୍ଦୁ ପୌରାଣିକ କଥାନୁସାରେ ଇନ୍ଦ୍ରଙ୍କ ବାହନ ଐରାବତ ଧଳା ରଙ୍ଗର ଓ ଏହା ଉଡ଼ିପାରେ । ଇନ୍ଦ୍ର ଐରାବତୀକୁ ହାତୀମାନଙ୍କ ରାଜା ବୋଲି ଘୋଷିତ କରିଥିଲେ ।
ରାଜା ବିମ୍ବିସାରଙ୍କର ମଧ୍ୟ ଏକ ଧଳା ହାତୀ ଥିଲା । ଏହି ଯୌବନୋନ୍ମତ୍ତ ହାତୀକୁ ସେ ଜଙ୍ଗଲରୁ ଧରିଥିବାର କୁହାଯାଇଛି । ଏହି ଅଣ୍ଡିରା ହାତୀକୁ ସେ ସେଚନକ ନାମ ଦେଇଥିଲେ କାରଣବିନା କୌଣସି ତାଲିମରେ ହାତୀଟି ଗଛମୂଳରେ ପାଣି ଦେଉଥିଲା । ତାଙ୍କ ହାତୀର ମୂଲ୍ୟ ମଗଧ ରାଜ୍ୟର ଅଧା ଭାଗରୁ ଅଧିକତର ଥିଲା ବୋଲି କୁହାଯାଏ । ସେ ଏହି ହାତୀକୁ ନିଜ ପୁତ୍ର ବିହଲ୍ଲକୁମାରଙ୍କୁ ଦେଇଥିଲେ ଯାହା ଫଳରେ ବିମ୍ବିସାରଙ୍କ ଅନ୍ୟ ପୁତ୍ର ଅଜାତଶତ୍ରୁ ଈର୍ଷ୍ୟାନ୍ୱିତ ହୋଇ ଉଠିଥିଲେ । ଅଜାତଶତ୍ରୁ ଏହି ହାତୀକୁ ଚୋରି କରିନେବା ପାଇଁ ଅନେକ ଚେଷ୍ଟା କରିଥିଲେ ଓ ଏହା ଫଳରେ ମହାଶିଳକଣ୍ଟକ ଓ ରଥମୂଷଳ ଯୁଦ୍ଧ ଘଟିଥିଲା ।
ଥାଇଲ୍ୟାଣ୍ଡରେ ଧଳାହାତୀ
[ସମ୍ପାଦନା]ବ୍ରାହ୍ମଣ ବିଶ୍ୱାସ ଅନୁସାରେ, ଯଦି ସମ୍ରାଟଙ୍କ ପାଖରେ ଏକ ବା ତତୋଧିକ ଧଳା ହାତୀ ରହିଥାନ୍ତି ତେବେ ତାହା ଗୌରବ ଓ ଆନନ୍ଦର ସୂଚକ" । ରାଜା ତ୍ରୈଲୋକଙ୍କ ପାଖରେ ପ୍ରଥମ ଧଳା ହାତୀ ଥିଲା । ଥାଇ ଭାଷାରେ ଧଳା ହାତୀଙ୍କୁ ଆଲବିନୋ (albino) କୁହାଯାଏ । ଅର୍ଥାତ୍ ଏମାନଙ୍କ ଆଖି ଫିକା ହଳଦିଆ, ନଖ ଧଳା ଓ ଲୋମ ଧଳା । ଏହି ହାତୀମାନଙ୍କ ଶରୀରରେ ଠାଏଠାଏ ଗୋଲାପୀ ଦାଗ ଥାଏ ବା ପୁରା ଶରୀର ଗୋଲାପୀ ରଙ୍ଗର ହୋଇଥାଏ । ଧଳା ହାତୀମାନେ ସ୍ୱତନ୍ତ୍ର ଭାବେ ପୂଜିତ ହେଉନଥିଲେ କିନ୍ତୁ ରାଜାଙ୍କ ମାନ ଓ ଗୌରବ ବୃଦ୍ଧି କରୁଥିଲେ ।[୪]:39
ଥାଇଲାଣ୍ଡରେ ଧଳା ହାତୀ (ช้างเผือก, ଚାଂଗ୍ ଫ୍ୱେକ୍) ବା ଗୋଲାପୀ ହାତୀ ପବିତ୍ର ଜୀବ ବୋଲି ଧାରଣା ରହିଛି ଏବଂ ଏହି ହାତୀ ରାଜକୀୟ ଶକ୍ତିର ସୂଚକ । ଜଙ୍ଗଲରେ ଠାବ ହୋଇଥିବା ସମସ୍ତ ଧଳା ହାତୀ ପ୍ରାୟ ରାଜାମାନଙ୍କୁ ଉପହାର ଭାବେ ଦିଆଯାଏ । ଏକ ପୂଜା ବା ଉତ୍ସବ ଉପଲକ୍ଷେ ଉପହାର ଦିଆଯାଉଥିଲା ଏବଂ ତାହା ପୂର୍ବରୁ ଧଳା ହାତୀଟିକୁ ବନ୍ଦୀ କରାଯାଏ ନାହିଁ । ପ୍ରାଚୀନ କାଳରେ ରାଜାଙ୍କ ମାନ ତାଙ୍କ ପାଖରେ କେତୋଟି ଧଳା ହାତୀ ଥିଲେ ସେଥିରୁ ଜଣାପଡ଼ୁଥିଲା । ରାଜା ଭୂମିବଳ ଅତୁଲ୍ୟତେଜଙ୍କ ପାଖରେ ୨୧ଟି ଧଳା ହାତୀ ଥିଲେ । ଏପରି ଆଗରୁ କେବେ ଦେଖାଯାଇ ନଥିଲା ଓ ଥାଇଲାଣ୍ଡ ଇତିହାସରେ ରାଜା ଭୂମିବଳଙ୍କର ସର୍ବାଧିକ ଚାଂଗ୍ ଫ୍ୱେକ୍ ରହିଥିଲେ ।[୫] ରାଜା ଭୂମିବଳଙ୍କ ଶାସନ କାଳରେ ମିଳିଥିବା ପ୍ରଥମ ଧଳା ହାତୀ ଏହି ସମସ୍ତଙ୍କ ମଧ୍ୟରେ ଆଦରଣୀୟ ଓ ପ୍ରିୟ ଥିଲା । ଏହି ହାତୀକୁ ଫ୍ରା ଶୱେତ୍ ଅଦୁଲ୍ୟଦେଜ୍ ପହୋଲ୍ ଭୂମିବୋଲ୍ ନବନତ୍ତ-ପରମି (พระเศวตอดุลยเดชพาหล ภูมิพลนวนาถบารมี) ନାମ ଦିଆଯାଇଥିଲା ।[୬] ରାଜା ନିଜ ଅନ୍ୟ ହାତୀମାନଙ୍କୁ କିନ୍ତୁ କୌଣସି ନାମ ଦେଇନଥିଲେ । ବର୍ତ୍ତମାନ ସମୟରେ ୧୧ଟି ହାତୀ ଜୀବିତ ରହିଛନ୍ତି ଓ ତନ୍ମଧ୍ୟରୁ ୫ଟି ରାଜକୀୟ ନାମ ବହନ କରୁଛନ୍ତି ।[୬]
ଥାଇଲ୍ୟାଣ୍ଡର ଧଳା ହାତୀଙ୍କଠାରେ ରଙ୍ଗହୀନତା ଦେଖାଯାଏ ନାହିଁ । ଅବଶ୍ୟ ସେମାନଙ୍କ ଦେହର ରଙ୍ଗ ଅଳ୍ପ ଅବସନ୍ନ । ଠାବ ହେବା ପରେ ରାଜାଙ୍କୁ ଦେବା ପୂର୍ବରୁ ସେମାନଙ୍କୁ ୪ଟି ବର୍ଗ ମଧ୍ୟରୁ ଗୋଟିଏରେ ସ୍ଥାନିତ କରାଯାଏ । ନିମ୍ନତମ ବର୍ଗର ଧଳାହାତୀ ଅନେକ ସମୟରେ ରାଜାଙ୍କଦ୍ୱାରା ଗ୍ରହଣୀୟ ହୋଇ ନଥାଏ ।
ପୂର୍ବେ ଏହି ନିମ୍ନତମ ବର୍ଗର ଧଳା ହାତୀମାନଙ୍କୁ ରାଜାଙ୍କ ବନ୍ଧୁ ଓ ମିତ୍ର ରାଷ୍ଟ୍ରମାନଙ୍କୁ ଦାନ କରାଯାଉଥିଲା । ଏହି ହାତୀମାନଙ୍କୁ ପବିତ୍ର ବୋଲି ବିଚାର କରିବା ଯୋଗୁଁ ଏମାନଙ୍କୁ ଅନ୍ୟ ହାତୀଙ୍କ ପରି କୌଣସି କାମରେ ଲଗାଯାଏ ନାହିଁ । ଏମାନଙ୍କୁ ବହୁତ ଯତ୍ନର ସହିତ ପାଳନ କରାଯାଇଥାଏ । ତେଣୁ ଧଳା ହାତୀର ମାଲିକ ଉପରେ ଏହାର ଲାଳନପାଳନର ଦାୟିତ୍ୱ ଏକ ବଡ଼ ଆର୍ଥିକ ବୋଝ । ରାଜା ଓ ଅତି ଧନୀ ଲୋକେ ହିଁ ଏପରି ବୋଝ ବୋହିବାକୁ ସକ୍ଷମ ଥିବାରୁ ତାଙ୍କ ପାଖରେ ଧଳା ହାତୀ ରହିଥାନ୍ତି । ଏକ ଲୋକକଥା ଅନୁସାରେ କୌଣସି ଶତ୍ରୁ ବା ରାଜା ଯେଉଁ ମନ୍ତ୍ରୀ, ସାମନ୍ତ ଇତ୍ୟାଦିଙ୍କ ଉପରେ ଖୁସି ନଥାନ୍ତି, ସେମାନଙ୍କୁ ଧଳା ହାତୀ ଉପହାର ଭାବେ ଦିଆଯାଏ । ଏପରି ଉପହାରରୁ କିଛି ଲାଭ ମିଳେ ନାହିଁ ବରଂ ପାଳନପୋଷଣ ଯୋଗୁଁ ଅର୍ଥ ବ୍ୟୟ ହୁଏ ଏବଂ ବ୍ୟକ୍ତି ଜଣକର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସେ ନଷ୍ଟ ଯାଏ ।[୭]
ବ୍ରହ୍ମଦେଶରେ ଧଳାହାତୀ
[ସମ୍ପାଦନା]ବ୍ରହ୍ମଦେଶରେ ଧଳା ହାତୀଙ୍କୁ ଶକ୍ତି ଓ ସୌଭାଗ୍ୟର ପ୍ରତୀକ ବୋଲି ମନେ କରାଯାଏ । ୨୦୦୧ ମସିହାରେ ବ୍ରହ୍ମଦେଶରେ ସାମରିକ ଶାସନ କାଳରେ ଧଳା ହାତୀମାନଙ୍କୁ ଖୋଜିବାର ଆଦେଶ ଦିଆଯାଇଥିଲା ।[୮] ଓ ୨୦୦୨ରେ ମଧ୍ୟ ଏପରି କରାଯାଇଥିଲା ।[୯] ସାମରିକ ଏକଛତ୍ରବାଦୀ ଶାସନକୁ ସୁଦୃଢ଼ କରିବା ପାଇଁ ଏପରି କରାଯାଇଥିଲା ବୋଲି ବିରୋଧୀମାନେ ମତ ରଖିଥିଲେ । ୨୦୧୦ ମସିହା ବେଳକୁ ବ୍ରହ୍ମଦେଶରେ ୯ଟି ଧଳା ହାତୀ ରହିଥିଲେ । ୨୦୧୫ ଫେବୃଆରୀ ୨୭ ତାରିଖ ଦିନ ବାସେଇନ୍ ଅଞ୍ଚଳରେ ଶେଷ ଥର ପାଇଁ ଧଳା ହାତୀ ଦେଖାଯାଇଥିଲା । ୟାଂଗୁନ୍ ବାହାରେ ଏକ ସ୍ଥାନରେ ତିନୋଟି ଧଳା ହାତୀଙ୍କୁ ରଖାଯାଇଛି ।[୧୦] ନେପ୍ୟିଦରେ ଆଉ କିଛି ଧଳାହାତୀ ରଖାଯାଇଛି ।
ଆଫ୍ରିକାରେ ଧଳାହାତୀ
[ସମ୍ପାଦନା]ଏସିଆ ଅପେକ୍ଷା ଆଫ୍ରିକାରେ ରଙ୍ଗହୀନତାଯୁକ୍ତ ହାତୀ ବା ଧଳା ହାତୀ ଅଧିକ ବିରଳ । ଆଫ୍ରିକାର ଏପରି କିଛି ହାତୀଙ୍କ ରଙ୍ଗ ନାଲିମିଶା ମାଟିଆ ବା ଗୋଲାପୀ ରଙ୍ଗର । ଆଫ୍ରିକାରେ ଅତ୍ୟଧିକ ସୂର୍ଯ୍ୟ କିରଣ ଯୋଗୁଁ ଏହି ହାତୀମାନଙ୍କ ଶରୀରରେ ଚର୍ମରୋଗ ବା ଚକ୍ଷୁହୀନତା ପରି ଲକ୍ଷଣ ଦେଖାଯାଏ ।[୧୧]
ପାଶ୍ଚାତ୍ୟ ସାହିତ୍ୟରେ ଧଳା ହାତୀର ଉଲ୍ଲେଖ
[ସମ୍ପାଦନା]ଇଂରାଜୀ ଭାଷାରେ "ହ୍ୱାଇଟ୍ ଏଲିଫ୍ୟାଣ୍ଟ୍ (white elephant)" ଶବ୍ଦର ସାହିତ୍ୟିକ ପ୍ରୟୋଗର ଅନୁଧ୍ୟାନ କଲେ ଦେଖାଯିବ ଯେ କୌଣସି ସୁନ୍ଦର ବା ବଡ଼ ବସ୍ତୁ ଯାହାର ରକ୍ଷଣାବେକ୍ଷଣ ବା ପାଳନ କରିବାର ଦାୟିତ୍ୱ ବସ୍ତୁର ପ୍ରକୃତ ମୂଲ୍ୟଠାରୁ ଅଧିକ ବା କଷ୍ଟଦାୟକ । ବସ୍ତୁଟି ଯଦିଓ ଅନ୍ୟ କାହା ପାଇଁ ଦରକାରୀ ହୋଇପାରେ, ତାହାର ବର୍ତ୍ତମାନର ମାଲିକ କିନ୍ତୁ ସେ ବସ୍ତୁକୁ ବିକି ବା ଦାନ କରି ଅଧିକ ଖୁସି ହେବ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Men ride albino elephants, Reuters via The Atlantic, 1 March 2012.
- ↑ "Royal Elephant Stable". Thai Elephant Conservation Center. Retrieved 7 September 2014.
- ↑ "งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)". www.tnews.co.th.
- ↑ Chakrabongse, C., 1960, Lords of Life, London: Alvin Redman Limited
- ↑ "งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)". www.tnews.co.th.
- ↑ ୬.୦ ୬.୧ Ibid
- ↑ "Home : Oxford English Dictionary". Oed.com. Retrieved 2013-01-07.
- ↑ 'Lucky' white elephant for Burma, BBC, 9 November 2001.
- ↑ "Second White Elephant Found". Archived from the original on June 23, 2002. Retrieved 2007-03-11.
{{cite web}}
: CS1 maint: bot: original URL status unknown (link) - ↑ "White Elephants Snubbed by Junta". Archived from the original on June 6, 2011. Retrieved 2010-06-07.
{{cite web}}
: CS1 maint: bot: original URL status unknown (link) - ↑ Rebecca Morelle. Pink elephant is caught on camera, BBC News, 20 March 2009
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- "Royal Elephant Stables". Thai Elephant Conservation Center. – Story and history of Royal White Elephants
- The Royal White Elephants, 2002, Mahidol University