ଜ୍ଵର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜ୍ୱର
Clinical thermometer 38.7.JPG
ଆନାଲଗ ତାପାମାନ ଯନ୍ତ୍ରରେ ଉତ୍ତାପ ଦେଖାଉଛି ୩୮.୮°ସେ କିମ୍ବା ୧୦୧.୮°ଫା
ICD-10 R50.
ICD-9 780.6
DiseasesDB 18924
MedlinePlus 003090
eMedicine med/785
MeSH D005334

ଜ୍ଵର, (ଇଂରାଜୀ ଭାଷାରେ ଫିଭର ବା ପାଇରେକଶିଆ ଯଥାକ୍ରମେ Fever ବା pyrexia),[୧] ରୋଗର ସଂଜ୍ଞା: ଦେହର ଉତ୍ତାପ ସାଧାରଣ ତାପମାନରୁ ବୃଦ୍ଧି ପାଇଲେ ଜ୍ଵର ନାମ ଦିଆଯାଏ । [୨][୩] ଶରୀରର ସାଧାରଣ ତାପମାନର ସର୍ବାଧିକ ମାନ ଉପରେ ମତୈକ୍ୟ ନାହିଁ ଓ ଏହାକୁ ୩୭.୫ ରୁ ୩୮.୩ ସେ (୯୯.୫ ରୁ ୧୦୦.୯) ମଧ୍ୟରେ ଧରାଯାଏ ।[୧][୪] ନିର୍ଦ୍ଧାରିତ ତାପମାତ୍ରାରୁ ଉତ୍ତାପ ଅଧିକ ହେଲେ ମାଂସପେଶୀ ସଂକୋଚନ ଅଧିକ ହୋଇ ଶୀତ ଅନୁଭବ ହୁଏ । [୫] ଏହାଦ୍ଵାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଓ ଉତ୍ତାପ ସଂରକ୍ଷଣ ଚେଷ୍ଟା ହୁଏ । [୬] ବର୍ଦ୍ଧିତ ଉତ୍ତାପ କମିବାକୁ ଆରମ୍ଭ ହେଲେ ଦେହକୁ ଉଷୁମ ଲାଗେ, ଲାଲ ଦେଖାଯାଏ ଝାଳ ବାହାରେ । [୬] କ୍ୱଚିତ ଜ୍ୱରଦ୍ୱାରା ଜ୍ୱରବାତ ସୃଷ୍ଟି ହୁଏ । ଏହା ଯୁବପିଲାଙ୍କର ଅଧିକ ହୁଏ । [୭] ସ୍ଵାଭାବିକ ଭାବେ ଜ୍ଵର ୪୧ ରୁ ୪୨ °ସେ (୧୦୫.୮ ରୁ ୧୦୭.୬ ଫା)ରୁ ଅଧିକ ହୁଏ ନାହିଁ । [୩]

ଅନେକ ମେଡ଼ିସିନ ସମ୍ପର୍କୀୟ ରୋଗରେ ଜ୍ଵର ହୁଏ ଓ ଏହା ଆଦୌ ସମସ୍ୟା ନ କରି ପାରେ ବା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଏହା ଭୂତାଣୁ, ଜୀବାଣୁ, ପରଜୀବୀ, ମୂତ୍ରନଳୀ ସଂକ୍ରମଣ ଯେପରିକି ସାଧାରଣ ଥଣ୍ଡା, ମେନିଞ୍ଜାଇଟିସ, ମ୍ୟାଲେରିଆ ଓ ଆପେଣ୍ଡିସାଇଟିସ ରୋଗ ଯୋଗୁ ହୁଏ । ସଂକ୍ରମଣ ବିହୀନ ରୋଗ ମଧ୍ୟରେ ଭାସ୍କୁଲାଇଟିସ, ଗଭୀର ଶିରା ଥ୍ରୋମ୍ବୋସିସ, ଔଷଧ ପ୍ରତିକ୍ରିୟା ଓ କର୍କଟ ଅନ୍ୟତମ । [୮] ଜ୍ଵର ଓ ହାଇପରଥରମିଆ ପୃଥକ ଅଟେ, ହାଇପରଥର୍ମିଆ ରୋଗରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୁଏ ବା ଉତ୍ତାପ ହ୍ରାସ ନିୟନ୍ତ୍ରଣ ହୋଇପାରେ ନାହିଁ । [୧]

ସାମାନ୍ୟ ଉତ୍ତାପ ବୃଦ୍ଧି ନିମନ୍ତେ ଚିକିତ୍ସା ଆବଶ୍ୟକ ନୁହେଁ । [୫] କିନ୍ତୁ ଚିକିତ୍ସା କଲେ ରୋଗୀକୁ ଆରାମ ଲାଗେ ଓ ବିଶ୍ରାମ ମିଳେ । କପାଳ ଉପରେ ଥଣ୍ଡା ଓଦା କପଡ଼ା ରଖିଲେ ଓ ଉଷୁମ ପାଣିରେ ସ୍ନାନ କଲେ ଉପକାର ମିଳେ । [୭] ଆଇବୁପ୍ରୋଫେନ ବା ପାରାସେଟାମଲ ଔଷଧ ଦେଲେ ଉତ୍ତାପ କମିଯାଏ । [୯] ତିନି ମାସରୁ କମ ବଯସର ଶିଶୁକୁ ଜ୍ଵର ହେଲେ ଡାକ୍ତରୀ ପରୀକ୍ଷା ଆବଶ୍ୟକ । [୭] ହାଇପରଥର୍ମିଆ ହେଲେ ଚିକିତ୍ସା ଆବଶ୍ୟକ ହୁଏ । [୫]

ଜ୍ଵର ଏକ ଅତି ସାଧାରଣ ଡାକ୍ତରୀ ଚିହ୍ନ । ପରାମର୍ଶ ନିମନ୍ତେ ଆସୁଥିବା ଶିଶୁଙ୍କ ମଧ୍ୟରୁ ୩୦ % ଏହା ଯୋଗୁ ଆସନ୍ତି, [୫] ଗମ୍ଭୀର ଅସୁସ୍ଥ ଥିବା ଲୋକଙ୍କ ମଧ୍ୟରୁ ୭୫ % ଏହା ଯୋଗୁ ହୁଏ । [୧୦] ଜ୍ଵର ଏକ ପ୍ରତିରକ୍ଷାକାରୀ କ୍ରିୟା ହେଲେ ମଧ୍ୟ ଏହାର ଚିକିତ୍ସା କଲେ ଅବସ୍ଥା ଖରାପ ହୁଏ ନାହିଁ ।[୧୧][୧୨] ପିତାମାତା ଜ୍ଵରକୁ ଆବଶ୍ୟକତାଠାରୁ ଅଧିକ ଗମ୍ଭୀରତାର ସହ ଚିନ୍ତା କରନ୍ତି ଯାହାକୁ ଇଂରାଜୀ ଭାଷାରେ ଫିଭର ଫୋଭିଆ ବା “ଅହେତୁକ ଜ୍ଵର ଭୟ” କୁହାଯାଏ । [୫]


ପ୍ରକୃତରେ ଜ୍ଵର ହୁଏ କାହିଁକି ?[ସମ୍ପାଦନା]

ଜ୍ଵର ହେଉଛି ଆମ ଦେହର ଏକ ପ୍ରାକୃତିକ ପ୍ରତିକ୍ଷେପ କ୍ରିୟା । ଆମ ଦେହ ଭିତରେ କୌଣସି ରୋଗ ସୃଷ୍ଟି ହେବାପାଇଁ କିଛି ନା କିଛି ବାହ୍ୟ ଶକ୍ତି ଦରକାର । ଏହି ବାହ୍ୟ ଅଣୁଜୀବ (ବୀଜାଣୁ ଶକ୍ତି ବା ଭୂତାଣୁ ଆଦି) ହୋଇପାରେ କିମ୍ବା ଅନ୍ୟ କିଛି ବିଷାକ୍ତ ରାସାୟନିକ ପଦାର୍ଥ ମଧ୍ୟ ହୋଇପାରେ । କୌଣସି କାରଣରୁ ଏହି ବାହ୍ୟ ଶକ୍ତି ଆମ ଶରୀର ଭିତରେ ପ୍ରବେଶ କଲେ ଆମ ଶରୀରର ପ୍ରତିରକ୍ଷାକାରୀ ଶକ୍ତି ସେହି ବାହ୍ୟ ଶକ୍ତିକୁ ତଡ଼ିଦେବା ନିମନ୍ତେ ନିଜର ପ୍ରତିକ୍ରିୟା ଦେଖାଇ ସେମାନଙ୍କ ସହିତ ସଂଘର୍ଷ କରେ। ବାହ୍ୟ ଶକ୍ତି ସହିତ ଶରୀରର ଜୈବିକ ଶକ୍ତିର ଏହି ପ୍ରତିକ୍ରିୟା ବା ସଂଘର୍ଷ ଫଳରେ ଦେହ ଭିତରେ ଏକ ବିଷାକ୍ତ ଉପାଦାନ ସୃଷ୍ଟି ହୋଇଥାଏ, ଯାହାର ନାଁ ହେଉଛି "ପାଇରୋଜେନ" ଏହି ଉପାଦାନଟି ମସ୍ତିଷ୍କର ତାପକେନ୍ଦ୍ରକୁ ଉତ୍ତେଜିତ କରେ ଓ ଦେହର ତାପମାତ୍ରା ବଢ଼ିଯାଏ । ସେତିକିବେଳେ ଆମକୁ ଜ୍ଵର ହୁଏ । ସେଇଥିପାଇଁ ଜ୍ଵରକୁ ଡାକ୍ତରୀ ଭାଷାରେ "ପାଇରେକସିଆ" ବୋଲି କୁହାଯାଏ । ଏହି ସଂଘର୍ଷରେ ବାହ୍ୟ ଶକ୍ତି ପରାଜିତ ହେଲେ ସେହି ପ୍ରାଥମିକ ଜ୍ଵର ଅବସ୍ଥାରୁ ହିଁ ରୋଗ ଆଉ ନବଢ଼ି ଭଲ ହୋଇଯାଏ । କିନ୍ତୁ ଦେହର ପ୍ରତିରକ୍ଷା ଶକ୍ତି ପରାଜିତ ହେଲେ ବାହ୍ୟ ଶକ୍ତି ସକ୍ରିୟ ହୋଇଥାଏ ଓ ରୋଗ ଉତ୍କଟ ରୂପ ନିଏ ।

ଜ୍ଵର କ'ଣ ଏକ ରୋଗ ?[ସମ୍ପାଦନା]

ସମସ୍ତଙ୍କର ଧାରଣା ଯେ ଜ୍ଵର ଗୋଟିଏ ରୋଗ । କିନ୍ତୁ ପ୍ରକୃତରେ ଏହା ଠିକ ନୁହେଁ । ଜ୍ଵର ହେଉଛି କୌଣସି ରୋଗର ଲକ୍ଷଣ ମାତ୍ର। ସାମାନ୍ୟ ଥଣ୍ଡା, ସର୍ଦ୍ଦି ଠାରୁ ଆରମ୍ଭ କରି ନିମୋନିଆ, ଯକ୍ଷ୍ମା, ଟାଇଫଏଡ, ମ୍ୟାଲେରିଆ, ବାତଜ୍ଵର, ଡେଙ୍ଗୁ ଜର, ମିଳିମିଳା, ହାଡ଼ଫୁଟି, ତରଳଝାଡ଼ା, କ୍ୟାନସର, ପୋଲିଓ, ଏଡସପରି ପ୍ରାୟ ପ୍ରତ୍ୟେକ ରୋଗରେ ଜ୍ଵର ହୋଇଥାଏ । ତେବେ ପ୍ରତ୍ୟେକ ରୋଗ ପାଇଁ ଜ୍ଵରର ରୂପ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଜ୍ଵରକୁ ଏକ ରୋଗ ବୋଲି ଭାବି ସାଧାରଣ ଭାବରେ ତା'ର ଚିକିତ୍ସା କରି ମୂଳ ରୋଗ ପ୍ରତି ଧ୍ୟାନ ନଦେଲେ ଜ୍ଵର ତ ଭଲ ହୁଏନାହିଁ, ବରଂ ଉପଯୁକ୍ତ ଚିକିତ୍ସା ଅଭାବରୁ ମୂଳ ରୋଗଟି ବଢ଼ିଚାଲେ ।

ଦେହରେ ଜ୍ଵର ଅଛି ବୋଲି ଜାଣିବେ କେମିତି ?[ସମ୍ପାଦନା]

ଦେହର ତାପମାତ୍ରା ବଢ଼ିଗଲେ ଜ୍ଵର ହୋଇଛି ବୋଲି ଜଣାପଡେ଼ । ସାଧାରଣତଃ ହାତ ପାପୁଲିର ପଛପଟ ଦ୍ଵାରା କପାଳ, ବେକ, ଗାଲ, ପିଠି କିମ୍ବା ପେଟକୁ ଛୁଇଁ ଦେହରେ ତାତି ଅଛି କି ନା ତାହା ଜାଣି ହୋଇଯାଏ। ତେବେ ପ୍ରକୃତରେ ଦେହର ତାପମାତ୍ରା କେତେ ଅଛି ତାହା ଠିକ ଭାବରେ ଜାଣିବା ପାଇଁ ଏକ ଯନ୍ତ୍ର ବ୍ୟବହାର କରାଯାଏ । ଏହି ଯନ୍ତ୍ରର ନା ହେଉଛି "ଜ୍ଵର ତାପମାନ ଯନ୍ତ୍ର" ବା "କ୍ଲିନିକାଲ ଥର୍ମୋମିଟର"। ଜ୍ଵର ମାପିବା ପାଇଁ ଦୁଇ ପ୍ରକାର ମାନକ ବିଶିଷ୍ଟ ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ । ଗୋଟିଏ ହେଲା "ଫାରେନହିଟ" ମାନକ ଓ ଅନ୍ୟଟି ହେଲା "ସେଣ୍ଟିଗ୍ରେଡ଼" ବା "ସେଲସିୟସ" ମାନକ। ତେବେ ଜ୍ଵର ମାପିବା ପାଇଁ ଫାରେନହିଟ ମାନକ ହିଁ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ରୋଗୀର ଜିଭତଳେ, କାଖ ଖୋଲରେ, ଜଙ୍ଘ ସନ୍ଧିରେ ଅଥବା ମଳଦ୍ଵାର ଭିତରେ ତାପମାନ ଯନ୍ତ୍ରକୁ ରଖି ଦେହର ତାପମାତ୍ରା ନିର୍ଣ୍ଣୟ କରାଯାଏ ।

ଜ୍ଵରର ପ୍ରକାର ଭେଦ[ସମ୍ପାଦନା]

ଦୁଇଟି ବିଷୟକୁ ଆଖି ଆଗରେ ରଖି ଜ୍ଵରର ପ୍ରକାରଭେଦ କରାଯାଇଥାଏ। ଗୋଟିଏ ହେଲା ତାପମାତ୍ରାର ପରିମାଣ ଓ ଅନ୍ୟଟି ହେଲା ଜ୍ଵରର ପ୍ରକୃତି।

ତାପମାତ୍ରାର ପରିମାଣ ଅନୁଯାୟୀ ଜ୍ଵରର ପ୍ରକାର ଭେଦ [୧୩][ସମ୍ପାଦନା]

ସଂ. ତାପମାତ୍ରାର ପରିମାଣ ଜ୍ଵରର ପ୍ରକାର ଭେଦ
୯୭ ଡିଗ୍ରୀ ଫା.ରୁ ୯୯ ଡି.ଫା.(ହାରାହାରି ୯୮.୪ ଡି.ଫା.) ସ୍ଵାଭାବିକ ତାପମାତ୍ରା
୯୯ ଡି.ଫା. ରୁ ୧୦୧ ଡି.ଫା. ସାମାନ୍ୟ ଜ୍ଵର
୧୦୧ ଡି.ଫା. ରୁ ୧୦୩ ଡି.ଫା. ମଧ୍ୟମ ଧରଣର ଜ୍ଵର
୧୦୩ ଡି.ଫ।. ରୁ ୧୦୬ ଡି.ଫା. ସାଙ୍ଘ।ତିକ ଜ୍ଵର
୧୦୬ ଡି.ଫ।. ରୁ ଅଧିକ ଅତି ସାଙ୍ଘାତିକ ଜ୍ଵର

ଜ୍ଵରର ପ୍ରକୃତି ଅନୁଯାୟୀ ପ୍ରକାରଭେଦ[ସମ୍ପାଦନା]

ଦିନ ଭିତରେ ଦେହରେ ରହୁଥିବା ତାପମାତ୍ରାର ଗତି ଓ ପ୍ରକୃତିକୁ ବିଚାର କରି ମଧ୍ୟ ଜ୍ଵରର ବିଭିନ୍ନ ପ୍ରକାର ନାମକରଣ କରାଯାଇଥାଏ । ଯଥା:-

  1. ଯେଉଁ ଜ୍ଵରରେ ଦେହର ତାପମାତ୍ରା ଦିନକ ଭିତରେ ଦେଢ଼ ଡିଗ୍ରୀ ଫାରେନହଟ ଭିତେର କମ ବେଶୀ ହୁଏ, ତାକୁ "ଅବିରାମ ଜ୍ଵର" ବୋଲି କୁହାଯାଏ । ଟାଇଫଏଡନିମୋନିଆ ପରି ରୋଗରେ ଏହି ଜ୍ଵର ହୋଇଥାଏ ।
  2. ଯେଉଁ ଜ୍ଵରରେ ଦିନ ଭିତରେ ଦେହର ତାପମାତ୍ରା ଦେଢ଼ ଡିଗ୍ରୀରୁ ଅଧିକ କମ ବେଶୀ ହୁଏ, ତାହାକୁ "ସ୍ଵଳ୍ପ ବିରାମ ଜ୍ଵର" ବୋଲି କୁହାଯାଏ।
  3. ଆଉ କେତେକ ଜ୍ଵର ଅଛି, ଯେଉଁଥିରେ ଜ୍ଵର ଦିନେ ଭିତରେ କିଛି ଘଣ୍ଟା ପାଇଁ ଛାଡ଼ିଯାଇ ଦେହର ତାପମାତ୍ରା ସାଧାରଣ ହୋଇଯାଏ ତା'ପରେ ପୁଣି ଜ୍ଵର ଆସେ। ଏହି ପ୍ରକାର ଜ୍ଵରକୁ "ସବିରାମ ଜ୍ଵର" ବୋଲି କୁହାଯାଏ । ମ୍ୟାଲେରିଆବାତଜ୍ଵର ପରି ରୋଗରେ ଏହି ପ୍ରକାର ଜ୍ଵର ହୁଏ । ଦିନରେ ଏକ ନିର୍ଦ୍ଦିଷ୍ଟ ସମୟରେ କିମ୍ବା ଦିନେ ଦୁଇଦିନ ଛଡ଼ାରେ ଆସୁଥିବାରୁ ଏହାକୁ "ପାଳିଜ୍ଵର" ବୋଲି ମଧ୍ୟ କୁହାଯାଏ । ପାଳି ଅନୁସାରେ ମଧ୍ୟ ଏହାର ବିଭିନ୍ନ ନାମକରଣ କରାଯାଇଥାଏ । ଜ୍ଵର ପ୍ରତିଦିନ ଆସୁଥିଲେ ତାକୁ "କେ୍ଵାଟିଡିଆନ" ଜ୍ଵର ବୋଲି କୁହାଯାଏ । ସେହିପରି ଦିନେ ଛଡ଼ା ଦିନେ ଅନ୍ତରରେ ଆସୁଥିଲେ "ଟର୍ସିଆନ" ଓ ଚାରିଦିନରେ ଥରେ ଆସୁଥିଲେ "କ୍ଵାର୍ଟାନ" ଜ୍ଵର ବୋଲି କୁହାଯାଏ ।
  4. ଯେଉଁ ଜ୍ଵର କୌଣସି ନିୟମ କାନୁନ ମାନେ ନାହିଁ, ତାକୁ "ଅନିୟମିତ ଜ୍ଵର" ବୋଲି କୁହାଯାଏ ।

ଜ୍ଵର ହେଲେ କ'ଣ ହୁଏ ?[ସମ୍ପାଦନା]

ଜ୍ଵର ହେଲେ ଦେହ ତାତିବାତ ଏକ ସାଧାରଣ କଥା। ତା'ଛଡ଼ା ଏଥିରେ ମୁଣ୍ଡବ୍ୟଥା ହୁଏ, ଦେହ ହାତ ଘୋଳା ବିନ୍ଧା କରେ ଓ ଦରଜ ହୋଇଯାଏ । ଶୀତ, କଂପ ଆଦି ହୁଏ । ଜ୍ଵର ଛାଡ଼ିଗଲା ପରେ ଦେହରୁ ଝାଳ ବାହାରେ । ଦେହ ଅଳସୁଆ ଲାଗେ । କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ । ସବୁବେଳେ ଶୋଇ ରହିବାକୁ ଇଚ୍ଛା ହୁଏ । ଭୋକ କମି ଯାଏ। ଖାଇବାକୁରୁଚି ଆସେନାହିଁ । ବେଳେବେଳେ ଅଇ, ବାନ୍ତି ମଧ୍ୟ ହୁଏ । ସର୍ଦ୍ଦି, ଥଣ୍ଡା ହୋଇଥିଲେ ନାକରୁ ପାଣିଗଡେ଼, ଛିଙ୍କ ହୁଏ । କାଶ ବି ହୋଇପାରେ । ଏସବୁ ବ୍ୟତୀତ ଯେଉଁ ରୋଗ ପାଇଁ ଜ୍ଵର ହୋଇଥାଏ, ସେହି ରୋଗର ନିର୍ଦ୍ଦିଷ୍ଟ ଲକ୍ଷଣ ସବୁ ମଧ୍ୟ ପ୍ରକାଶ ପାଇ ଥାଏ । ଜ୍ଵର ଅଧିକ ହୋଇଗଲେ ବାତ ମାରେ । ପିଲାମାନଙ୍କ ଠାରେ ଜ୍ଵର ହୋଇ ବାତ ମାରିଲେ ତାକୁ "ପିହୁଳା ମାରିବା" ବୋଲି କୁହାଯାଏ । ଅତି ସାଙ୍ଘାତିକ ଜ୍ଵରରେ ରୋଗୀ ବେହୋସ ମଧ୍ୟ ହୋଇଯାଇପାରେ ।

କ'ଣ କରିବେ ?[ସମ୍ପାଦନା]

ଜ୍ଵରର ପ୍ରାଥମିକ ଚିକିତ୍ସା ଅତି ସହଜ । ଦେହରେ ବଢ଼ି ଯାଇଥିବା ତାପମାତ୍ରାକୁ ସ୍ଵାଭାବିକ ଅବସ୍ଥାକୁ ଆଣିବା ହେଉଛି ଜ୍ଵର ଚିକିତ୍ସାର ମୂଳ ଲକ୍ଷ୍ୟ । ତେଣୁ ଘରେ କାହାକୁ ଜ୍ଵର ହେଲେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହୋଇ ନିମ୍ନଲିଖିତ ଚିକିତ୍ସା ପ୍ରଣାଳୀ ଅନୁସରଣ କରିବା ଉଚିତ ।

ପ୍ରାଥମିକ ପ୍ରତିବିଧାନ[ସମ୍ପାଦନା]

  • ରୋଗୀ ଦେହରେ ଥିବା ଲୁଗାପଟାକୁ ପତଳା କରି ଦିଅନ୍ତୁ ବା କାଢ଼ି ଦିଅନ୍ତୁ । ଛୋଟପିଲା ହୋଇଥିଲେ ତାକୁ ସଂପୂର୍ଣ୍ଣ ଲଙ୍ଗଳା କରିଦିଅନ୍ତୁ ।
  • ରୋଗୀକୁ ଆଦୌ ଘୋଡ଼ାଇ ରଖନ୍ତୁ ନାହିଁ । ଏହାଦ୍ଵାରା ଦେହର ତାପମାତ୍ରା ଆହୁରି ବଢ଼ିଯାଏ ।
  • ରୋଗୀ ଦେହରେ ଯେମିତି ଖୋଲାପବନ ବାଜି ପାରିବ, ସେ ବ୍ୟବସ୍ଥା କରନ୍ତୁ । ଘରର ଦୁଆର ଝରକା ଆଦି ଖୋଲିଦିଅନ୍ତୁ ଏବଂ ପଙ୍ଖାଚଲାନ୍ତୁ । ରୋଗୀ ଦେହରେ ପବନ ବାଜିଲେ ରୋଗୀର କୌଣସି କ୍ଷତି ହୁଏନାହିଁ ବରଂ ଦେହର ତାପମାତ୍ରା କମିଯାଏ ।
  • ରୋଗୀ କପାଳରେ ପାଣି ପଟି ପକାନ୍ତୁ । ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଓଦା ଗାମୁଛାରେ ରୋଗୀ ଶରୀରକୁ ପୋଛିଦିଅନ୍ତୁ । ତେବେ ଏଥି ମଧ୍ୟରୁ ଥରକେ କେବଳ ଗୋଟିଏ ପ୍ରଣାଳୀ ଅନୁସରଣ କରନ୍ତୁ ।
  • ଦରକାରପଡ଼ିଲେ ରୋଗୀକୁ ପାଣିରେ ସଂପୂର୍ଣ୍ଣ ବୁଡ଼ାଇ ଗାଧୋଇ ଦିଅନ୍ତୁ । ଅନେକଙ୍କ ଧାରଣା, ଜ୍ଵର ହୋଇଥିବା ବ୍ୟକ୍ତିକୁ ଗାଧୋଇ ଦେଳେ ସନ୍ନିପାତ ହୋଇଯାଏ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଏହାଦ୍ଵାରା ଦେହର ତାପମାତ୍ରା କମିଯାଇ ଉପକାର ମିଳିଥାଏ ।
  • କୌଣସି ପରିସ୍ଥିତିରେ ଜ୍ଵର କମାଇବା ପାଇଁ ବରଫ କିମ୍ବା ବରଫ ମିଶା ପାଣି ବ୍ୟବହାର କରନ୍ତୁ ନାହିଁ । ଏହା ବିପରୀତ କ୍ରିୟା କରିଥାଏ, ବରଫ କିମ୍ବା ବରଫ ମିଶା ପାଣି ଦେହରେ ବାଜି ରୋଗୀକୁ ଶୀତଲାଗେ ଓ ତା'ର ଦେହହାତ ଥରେ । ଏହି ଥରିବା ଯୋଗୁଁ ତା'ର ଦେହର ତାପମାତ୍ରା ଆହୁରି ବଢ଼ିଯାଇପାରେ ।
  • ରୋଗୀକୁ ଟିକେ ଘଷା ଆଉଁସା କରନ୍ତୁ । ଦେହପୀଡ଼ା ହେଉଥିଲେ ଏହା ଦ୍ଵାରା ଆରାମ ମିଳିଥାଏ ।
  • ରୋଗୀର ଲୁଗାପଟା, ବିଛଣାଚଦର ଆଦିକୁ ସଫ। ସୁତୁରା ରଖନ୍ତୁ । ରୋଗୀ ଶୋଉଥିବା ଘରକୁ ମଧ୍ୟ ସଫ। ସୁତୁରା ରଖି ଫିନାଇଲ ମିଶା ପାଣିରେ ପୋଛା ପୋଛି କରନ୍ତୁ।

ଜ୍ଵର ପାଇଁ ଖାଦ୍ୟ[ସମ୍ପାଦନା]

  • ଜ୍ଵର ଭୋଗୁଥିବା ବ୍ୟକ୍ତିର ଖାଦ୍ୟପେୟ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଅନ୍ତୁ । କାରଣ ଜ୍ଵର ହେଲେ ଦେହରୁ ଶ୍ଵେତସାର, ପୁଷ୍ଟିସାର, ଭିଟାମିନଜଳର ପରିମାଣ କମିଯାଇଥାଏ । ତେଣୁ ରୋଗୀକୁ ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ । ସାଧାରଣ ପାଣି ସହିତ ପଇଡ଼ ପାଣି, ଓ.ଆର.ଏସ. ଚିନି ବା ମିଶ୍ରିର ସର୍ବତ, ଲେମ୍ବୁ ସର୍ବତ, ଫଳରସ ଇତ୍ୟାଦି ମଧ୍ୟ ଦିଅନ୍ତୁ । କିନ୍ତୁ ଥଣ୍ଡା କୋମଳ ପାନୀୟ ବା ଆଇସକ୍ରିମ ଆଦି ଦିଅନ୍ତୁ ନାହିଁ ।
  • ପାଣି ସହିତ ଉତ୍ତମ ଲଘୁପାକ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ । ଅନେକ କହନ୍ତି, ଜ୍ଵରରେ ଭାତ ଖାଇବା କଥା ନୁହେଁ । ଭାତ ଖାଇଲେ ଜ୍ଵର ଲେଉଟେ । କିନ୍ତୁ ଏହା ଏକ ଭୁଲ ଧାରଣା । ବରଂ ଭଲଭାବରେ ଖିଆ ପିଆ କଲେ ଜ୍ଵରରେ ଦେହ ଦୁର୍ବଳ ହୋଇଯାଏ ନାହିଁ ।
  • ଜ୍ଵର ହେଲେ କେତେକ ରୋଗୀକୁ କେବଳ ସାଗୁ, ବାର୍ଲି ଇତ୍ୟାଦି ଖାଇବାକୁ ଦିଅନ୍ତି । କିନ୍ତୁ କେବଳ ଏହା ଦେବା ଉଚିତ ନୁହେଁ । ସାଗୁ, ବାର୍ଲି ଦିଅନ୍ତୁ, ତା' ସହିତ କ୍ଷୀର, ନରମ ଭାତ (ଦୋରନ୍ଧା ବା ଘଡ଼ି ଭାତ ହେଲେ ଭଲ), ନରମ ରୁଟି, ପାଉଁରୁଟି, ବିସ୍କୁଟ, ଛେନା, ପରିବା ସୁପ, ପରିବା ସିଝା, ପାଣି ସନ୍ତୁଳା, ଡାଲି ପାଣି, ଅଣ୍ଡା, ମାଛ କିମ୍ବା ମାଂସର ବିନା ମସଲାର ଝୋଳ, ଚୁନାମାଛ ଭଜା, ଚୁଡ଼ାଭଜା, ମୁଡ଼ି, ହୁଡୁମ୍ବ ଇତ୍ୟାଦି ମଧ୍ୟ ଦିଅନ୍ତୁ । ଅନେକ ଲୋକ ଜ୍ଵର ହେଲେ ଆଇଁଷ ଦେବାକୁ ବାରଣ କରିଥାନ୍ତି । କିନ୍ତୁ ଏହା ଠିକ ନୁହେଁ । ଜ୍ଵର ହେଲେ ଦେହରୁ ପୁଷ୍ଟିସାରର ପରିମାଣ କମିଯାଇ ଥାଏ । ତେଣୁ ଆଇଁଷ ଜାତୀୟ ଖାଦ୍ୟ ଦେଲେ ଦେହ ଆବଶ୍ୟକ କରୁଥିବା ପୁଷ୍ଟିସାର ପାଇଯାଇଥାଏ । ତେବେ ଖାଦ୍ୟ ଦେବାବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ, ରୋଗୀକୁ ଯେଉଁ ଖାଦ୍ୟ ଦେବେ, ଏକାବେଳକେ ପେଟ ପୂରାଇ ନଦେଇ ଅଳ୍ପ ଅଳ୍ପ ପରିମାଣରେ ଦିନ ଭିତରେ ପାଞ୍ଚ ଛଅ ଥର କରି ଦିଅନ୍ତୁ । ବେଶି ତେଲ, ମସଲା ଓ ରାଗ ହୋଇଥିବା ଖାଦ୍ୟ ଦିଅନ୍ତୁ ନାହିଁ ।

ଔଷଧ ଚିକିତ୍ସା[ସମ୍ପାଦନା]

ଜଳ ଚିକିତ୍ସାରେ ସୁଫଳ ନମିଳିଲେ ଦେହର ତାପମାତ୍ରାକୁ କମାଇ ବା ପାଇଁ "ପାରାସିଟାମଲ" ଜାତୀୟ ଔଷଧ ମଧ୍ୟ ଦିଆଯାଇ ପାରେ । କିନ୍ତୁ ଏହାକୁ ଦେବା ପୂର୍ବରୁ ଏହାର ମାତ୍ରା ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କେତେବେଳେ ଡାକ୍ତରଙ୍କୁ ଦେଖାଇବେ ?[ସମ୍ପାଦନା]

ଏସବୁ ସତ୍ବେ ଦେହର ତାପମାତ୍ରା ନ କମିଲେ କିମ୍ବା ଜ୍ଵର ଦୀର୍ଘଦିନ ଧରି ଲାଗି ରହିଲେ, ଜ୍ଵର ସହିତ କାଶ, କଫ , କଫରେ ରକ୍ତ, ନାଳରକ୍ତ ଝାଡ଼ା, ଓଜନ ହାନି, କ୍ଷୁଧା ହାନି ଇତ୍ୟାଦି ହେଲେ ରୋଗୀକୁ ଡାକ୍ତରଙ୍କୁ ଦେଖାଇ ବାର ବ୍ୟବସ୍ଥା କରନ୍ତୁ । ଡାକ୍ତର ରୋଗୀର ରକ୍ତ, ମଳ, ମୂତ୍ର, କଫ ଆଦି ପରୀକ୍ଷା କରି ଏବଂ ଆବଶ୍ୟକ ପଡ଼ିଲେ ଏକ୍ସ-ରେ, ଅଲଟ୍ରାସାଉଣ୍ଡ, ସି.ଟି.ସ୍କାନ ପରି ବିଶେଷ ଧରଣର ପରୀକ୍ଷା କରି ମୂଳ ରୋଗକୁ ଚିହ୍ନଟ କରିଥାନ୍ତି ଓ ତଦନୁଯାୟୀ ଚିକିତ୍ସା କରିଥା'ନ୍ତି ।
ଜ୍ଵର ପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଅଧିକାଂଶ ଜ୍ଵର କେବଳ ପ୍ରାଥମିକ ଚିକିତ୍ସାରେ ହିଁ ଭଲ ହୋଇଯାଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Axelrod YK, Diringer MN; Diringer (May 2008). "Temperature management in acute neurologic disorders". Neurol Clin 26 (2): 585–603, xi. doi:10.1016/j.ncl.2008.02.005. PMID 18514828. 
  2. Fever: Its Biology, Evolution, and Function. Princeton University Press. 2015. p. 57. ISBN 9781400869831. 
  3. ୩.୦ ୩.୧ Garmel, Fever in adultsGus M. (2012). An introduction to clinical emergency medicine (2nd ed.). Cambridge: Cambridge University Press. p. 375. ISBN 0521747767. 
  4. Laupland KB (July 2009). "Fever in the critically ill medical patient". Crit. Care Med. 37 (7 Suppl): S273–8. doi:10.1097/CCM.0b013e3181aa6117. PMID 19535958. 
  5. ୫.୦ ୫.୧ ୫.୨ ୫.୩ ୫.୪ Section on Clinical Pharmacology and, Therapeutics; Committee on, Drugs; Sullivan, JE; Farrar, HC (March 2011). "Fever and antipyretic use in children.". Pediatrics 127 (3): 580–7. PMID 21357332. 
  6. ୬.୦ ୬.୧ Sue E. Huether (2014). Pathophysiology: The Biologic Basis for Disease in Adults and Children (7 ed.). Elsevier Health Sciences. p. 498. ISBN 9780323293754. 
  7. ୭.୦ ୭.୧ ୭.୨ "Taking Care of Someone Who is Sick". August 13, 2010. Retrieved 8 May 2015. 
  8. Garmel, edited by S.V. Mahadevan, Gus M. (2012). An introduction to clinical emergency medicine (2nd ed.). Cambridge: Cambridge University Press. p. 5. ISBN 9780521747769. 
  9. Garmel, edited by S.V. Mahadevan, Gus M. (2012). An introduction to clinical emergency medicine (2nd ed.). Cambridge: Cambridge University Press. p. 401. ISBN 9780521747769. 
  10. Kiekkas, P; Aretha, D; Bakalis, N; Karpouhtsi, I; Marneras, C; Baltopoulos, GI (August 2013). "Fever effects and treatment in critical care: literature review.". Australian critical care : official journal of the Confederation of Australian Critical Care Nurses 26 (3): 130–5. PMID 23199670. 
  11. Schaffner, A (March 2006). "[Fever--useful or noxious symptom that should be treated?].". Therapeutische Umschau. Revue therapeutique 63 (3): 185–8. PMID 16613288. 
  12. Niven, DJ; Stelfox, HT; Laupland, KB (June 2013). "Antipyretic therapy in febrile critically ill adults: A systematic review and meta-analysis.". Journal of critical care 28 (3): 303–10. PMID 23159136. 
  13. http://www.orissabigyanacademy.nic.in/pdf/Bigyan-Diganta-January-2012.pdf Monthly Odia magazine "Bigyan Diganta"(January,2012 ) * Content Copied using OR-TTsarala2UNICODE CONVERTER

ବାହାର ତଥ୍ୟ[ସମ୍ପାଦନା]