ଜୋଗ ଜଳପ୍ରପାତ

ଉଇକିପିଡ଼ିଆ ରୁ
Jump to navigation Jump to search
ଜୋଗ ଜଳପ୍ରପାତ
(କନ୍ନଡ଼ରେ ಜೋಗ)
Jog Roarer.JPG
ବର୍ଷାଋତୁରେ ଜୋଗ ଜଳପ୍ରପାତ
ଅବସ୍ଥାନ[ସାଗର ତାଲୁକ୍, ଶିବମୋଗା ଜିଲ୍ଲା, କର୍ଣ୍ଣାଟକ, ଭାରତ]
ଦିଗବାରେଣି14°13′44″N 74°48′43″E / 14.22889°N 74.81194°E / 14.22889; 74.81194Coordinates: 14°13′44″N 74°48′43″E / 14.22889°N 74.81194°E / 14.22889; 74.81194
ଉଠାଣସମୁଦ୍ର ପତନରୁ ୪୮୮ ମିଟର୍ (୧୬୦୦ ଫୁଟ୍) ଉଚ୍ଚ
ପ୍ରକାରବିଭକ୍ତ ମହାଜଳପ୍ରପାତ
ଉଚ୍ଚତା୨୫୩ ମିଟର୍ (୮୨୯ ଫୁଟ୍)
ଦୀର୍ଘତମ ଖାଲର ଉଚ୍ଚତା୨୫୪ ମିଟର୍ (୮୨୯ ଫୁଟ୍)
ଖାଲମାନଙ୍କ ସଂଖ୍ୟା
ହାରାହାରି ଗତି ହାରସେକେଣ୍ଡ୍ ପ୍ରତି ୧୫୩ ଘନ ମିଟର୍ (୫୩୮୭ ଘନ ଫୁଟ୍) ପ୍ରବାହ
ଝରଣାଶରାବତୀ ନଦୀ

ଜୋଗ ଜଳପ୍ରପାତ (ଗେର୍ସୋପ୍ପା ଜଳପ୍ରପାତ ବା ଜୋଗ୍ ଜଳପ୍ରପାତ ଭାବେ ମଧ୍ୟ ପରିଚିତ) ଭାରତର କର୍ଣ୍ଣାଟକ ରାଜ୍ୟର ଶିବମୋଗା ଜିଲ୍ଲାର ସାଗର ତାଲୁକରେ ଅବସ୍ଥିତ ଏବଂ ଭାରତର ଉଚ୍ଚତମ ଜଳପ୍ରପାତମାନଙ୍କ ମଧ୍ୟରୁ ଗୋଟିଏ ।[୧] .[୨] ଏହି ପ୍ରପାତର ଜଳଧାରା ବିଭକ୍ତ; ବର୍ଷା ଋତୁରେ ବା ଅଧିକ ଜଳ ପ୍ରବାହ ଘଟିଲେ ଏହା ଏକ ବୁଡ଼ ବା ଲମ୍ଫ ଜଳପ୍ରପାତ (ଈଂରାଜୀରେ Plunge Waterfall) ଆକାରରେ ଦୃଶ୍ୟମାନ ହୁଏ । ବିଶ୍ୱର ଜଳପ୍ରପାତଙ୍କ ତାଲିକାରେ ୧୩ଶ ସ୍ଥାନରେ ଥିବା ଏହି ଜଳପ୍ରପାତ କର୍ଣ୍ଣାଟକର ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ । ଜୋଗ ଜଳପ୍ରପାତକୁ ଗୋର୍ସୋପ୍ପା ଜଳପ୍ରପାତ ବା ଜୋଗଦା ଗୁଣ୍ଡି ବୋଲି ମଧ୍ୟ କୁହାଯାଇଥାଏ ।[୩]

ବିବରଣୀ[ସମ୍ପାଦନା]

ଶରାବତୀ ନଦୀର ଜଳଧାରା ୨୫୩ ମିଟର୍ (୮୩୦ ଫୁଟ୍) ତଳକୁ ଲମ୍ଫ ପ୍ରଦାନ କରି ଜୋଗ ଜଳପ୍ରପାତର ସୃଷ୍ଟି କରିଛି । ନୋଃକାଲିକାଇ ଜଳପ୍ରପାତ ପରେ ଜୋଗ ଭାରତର ଦ୍ୱିତୀୟ ଉଚ୍ଚତମ ଲମ୍ଫ ଜଳପ୍ରପାତ । ମେଘାଳୟର ନୋଃକାଲିକାଇ ଜଳପ୍ରପାତ ୩୩୫ ମିଟର୍ (୧୧୦୦ ଫୁଟ୍) ଭାରତର ଉଚ୍ଚତମ ଲମ୍ଫ ଜଳପ୍ରପାତ ।[୪]

ନୋନାବୁର ନିକଟସ୍ଥ ଅମ୍ବୁତୀର୍ଥ ନାମକ ସ୍ଥାନରୁ ସୃଷ୍ଟ ଶରାବତୀ ନଦୀ ତୀର୍ଥହଲ୍ଲି ତାଲୁକ ଦେଇ ପ୍ରବାହିତ ହୁଏ, ତାହା ପରେ ଫାଟ୍ଟେ ପେଟ୍ଟା ନିକଟରେ ଉତ୍ତର-ପଶ୍ଚିମକୁ ପ୍ରବାହିତ ହୁଏ । ପଟ୍ଟାଗୁପ୍ପେର ଓ ୟେନ୍ନେ ହୋଳେର ତଳ ପଟକୁ ଉପନଦୀ ହରିଦ୍ରାବତୀ ଏହା ସହ ମିଳିତ ହୁଏ । ତାହା ପରେ ଶରାବତୀ ନଦୀ ପଶ୍ଚିମାଭିମୁଖୀ ହୋଇ ଗେରୁ-ସାପ୍ପେ ନାମକ ଏକ ଗ୍ରାମର ସୀମା ପାଖ ଦେଇ ପ୍ରବାହିତ ହୁଏ ଏବଂ ଏହି ପ୍ରପାତ ସୃଷ୍ଟି କରେ ଓ ଉତ୍ତର କର୍ଣ୍ଣାଟକର ହାନ୍ନୋୱାର୍ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୁଏ ।

ପଥୁରିଆ ଶଯ୍ୟାରେ ପ୍ରବାହିତ ହେଉଥିବା ଶରାବତୀ ନଦୀର ଅଂଶ ପ୍ରାୟ ୨୫୦ ୟାର୍ଡ୍ (୨୩୦ ମିଟର୍) । ପ୍ରପାତ ନିକଟରେ ନଦୀଟି ଚାରୋଟି ଭିନ୍ନ ଭିନ୍ନ ଜଳଧାରାରେ ବିଭକ୍ତ ହୋଇ ପ୍ରାୟ ୨୯୦ ମିଟର୍ ଉଚ୍ଚତାରୁ ଲମ୍ଫ ପ୍ରଦାନ କରେ । ଜୋଗ ଜଳପ୍ରପାତର ଚାରୋଟି ଜଳଧାରାଙ୍କୁ ରାଜା, ରୋରର୍, ରକେଟ୍ ଓ ରାଣୀ ବୋଲି ନାମିତ କରାଯାଇଛି । ପ୍ରଥମରେ ଥିବା ଓ ୨୩୦ ମି. (୮୩୦ ଫୁଟ୍) ଉଚ୍ଚତାରୁ ଲମ୍ଫ ପ୍ରଦାନ କରିଥିବା ଅବିଖଣ୍ଡିତ ଧାରାଟି ରାଜା ନାମରେ ପରିଚିତ । ରୋରର୍ ନାମକ ଜଳଧାରା ପ୍ରଥମେ ଏକ ଗହ୍ୱର ମଧ୍ୟରେ ପ୍ରବେଶ କରେ, ପରେ ରାଜାର ମଝାମଝି ଉଚ୍ଚତାରେ ବାହାରି ୪୫ ଡିଗ୍ରୀ କୋଣରେ ରାଜା ଧାରା ସହିତ ମିଳିତ ହୁଏ । ଅନେକ ଛୋଟ ଛୋଟ ଝରଣା ପରି ଜଳଧାରା ମିଶି ରକେଟ୍ ଧାରାର ସୃଷ୍ଟି ହୋଇଛି । ଚତୁର୍ଥ ଜଳଧାରା ତିନୋଟିଙ୍କଠାରୁ ଟିକିଏ ଦୂରରେ ଏକାକୀ ବହିଯାଇଛି ଯାହାକୁ ରାଣୀ ଜଳଧାରା ବୋଲି କୁହାଯାଏ । କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଜଳପ୍ରପାତର ସମ୍ମୁଖରେ ରହିଥିବା ପାହାଡ଼ରୁ ଓହ୍ଲାଇ ଜଳପ୍ରପାତ ତଳକୁ ଯିବାପାଇଁ ପ୍ରାୟ ୧୪୦୦ଟି ପାହାଚ ତିଆରି କରାଯାଇଛି । ସମ୍ମୁଖର ପାହାଡ଼ ଉପରୁ ଜୋଗ ଜଳପ୍ରପାତର ସୁନ୍ଦର ଦୃଶ୍ୟ ଦେଖିହେବ ।

ଜ୍ୟୋତି ରାଜ ନାମକ ଜଣେ ପାହାଡ଼ ଆରୋହଣକାରୀ ଜୋଗ ଜଳପ୍ରପାତର ପାହାଡ଼ ଚଢ଼ି କୀର୍ତ୍ତିମାନ ହାସଲ କରିଥିଲେ ।[୫]

ନାମକରଣ[ସମ୍ପାଦନା]

କନ୍ନଡ଼ ଭାଷାରେ ଜଳପ୍ରପାତକୁ ଜୋଗ ବୋଲି କୁହାଯାଏ । ଶୈୟାଦ୍ରି ପର୍ବତର ନିକଟବର୍ତ୍ତୀ ଅଞ୍ଚଳର (ଯଥା: ୟେଲ୍ଲାପୁର ଅଞ୍ଚଳ) ଲୋକେ ଜଳପ୍ରପାତକୁ କେବଳ ଜୋଗ ବୋଲି କହିଥାନ୍ତି । କନ୍ନଡ଼ ଶବ୍ଦ ଜାୱୁଗୁର ଅର୍ଥ ହେଲା ସନ୍ତସନ୍ତିଆ ସ୍ଥାନ ବା ଆର୍ଦ୍ର ଭୂମି ଏବଂ ଏହି ଶବ୍ଦରୁ ହିଁ ଜୋଗ ଶବ୍ଦର ସୃଷ୍ଟି ହୋଇଥାଇପାରେ ବୋଲି ଅନୁମାନ କରାଯାଏ ।

ମହତ୍ତ୍ୱ[ସମ୍ପାଦନା]

ଜୋଗ ଜଳପ୍ରପାତ ନିକଟରେ ଶରାବତୀ ନଦୀ ଶଯ୍ୟାରେ ଲିଙ୍ଗନମକ୍କି ନଦୀବନ୍ଧ (ଡ୍ୟାମ୍) ରହିଛି ।[୬] ୧୯୪୮ ମସିହାରୁ ୧୨୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଏହି ଜଳବିଦ୍ୟୁତ୍ କେନ୍ଦ୍ର କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି ଓ ସ୍ଥାପନା ସମୟରେ ଏହା ଭାରତର ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପମାନଙ୍କ ମଧ୍ୟରେ ଅନ୍ୟତମ ଥିଲା । ତେବେ ବର୍ତ୍ତମାନ ଏହା କର୍ଣ୍ଣାଟକର ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ଏକ କ୍ଷୁଦ୍ର ଭୂମିକା ମାତ୍ର ଗ୍ରହଣ କରିଥାଏ । ମହୀଶୂର ରାଜ୍ୟର ରାଜାଙ୍କ ନାମାନୁସାରେ ଏହି ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଥମେ “କୃଷ୍ଣ ରାଜେନ୍ଦ୍ର ଜଳ-ବିଦ୍ୟୁତ୍ ପ୍ରକଳ୍ପ” ବୋଲି ନାମ ଦିଆଯାଇଥିଲା । ପରେ ଏହାର ନାମ ବଦଳାଯାଇ “ମହାତ୍ମା ଗାନ୍ଧୀ ଜଳ-ବିଦ୍ୟୁତ୍ ପ୍ରକଳ୍ପ” ରଖାଗଲା । ୧୯୬୦ ମସିହା ପର୍ଯ୍ୟନ୍ତ ଏହା ହିରେଭାସ୍କର ବନ୍ଧରୁ ମିଳୁଥିବା ପାଣିର ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରୁଥିଲା । ୧୯୬୦ ପରେ ଶ୍ରୀ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟଙ୍କ ଯୋଜନା ଅନୁସାରେ ଲିଙ୍ଗନମକ୍କି ବନ୍ଧକୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଗଲା । ଅଧିକ ତଥ୍ୟ Jogfalls official website ୱେବ୍‍ସାଇଟରେ ମିଳିପାରିବ ।

ଜଳଧାରାର ପ୍ରଖରତାରେ ପରିବର୍ତ୍ତନ[ସମ୍ପାଦନା]

ମୌସୁମୀ ପ୍ରବାହ ପୂର୍ବରୁ ଲିଙ୍ଗନମକ୍କି ବନ୍ଧରେ ଅଧିକ ପାଣି ନଥାଏ ଓ ସେହି ସମୟରେ ଜୋଗ ଜଳପ୍ରପାତରେ ଚାରିଟି କ୍ଷୀଣ ଧାର ଦେଖିବାକୁ ମିଳେ । ବର୍ଷା ଋତୁରେ ବର୍ଷା ପାଣି ଯୋଗୁଁ ଜଳପ୍ରପାତର କାୟା ବହୁ ମାତ୍ରାରେ ବୃଦ୍ଧି ପାଏ ।

ବିଦ୍ୟୁତ୍ ଉତ୍ପାଦନ[ସମ୍ପାଦନା]

୧୯୪୩ ମସିହାର ମଧ୍ୟ ଭାଗରେ ମହୀଶୂର ରାଜ୍ୟ ଏହି ଜଳ-ବିଦ୍ୟୁତ୍ ପ୍ରକଳ୍ପର ପରିକଳ୍ପନା ଓ ଯୋଜନା କରିଥିଲେ । ପ୍ରଥମେ ୩୫୮ ଲକ୍ଷ ଭାରତୀୟ ମୁଦ୍ରା ବ୍ୟୟରେ ୬୪୦୦୦ ଅଶ୍ୱଶକ୍ତି (horsepower) କ୍ଷମତାସମ୍ପନ୍ନ ଜଳ-ବିଦ୍ୟୁତ୍ କେନ୍ଦ୍ରର ସ୍ଥାପନା ହେଲା ।[୭] ପରେ ଉତ୍ପାଦନ କ୍ଷମତାକୁ ବଢ଼ାଯାଇ ୬.୭ ମେଗାୱାଟ୍ କରାଗଲା ।

ପରିବହନ ଓ ଯାତାୟତ ବ୍ୟବସ୍ଥା[ସମ୍ପାଦନା]

  • ନିକଟସ୍ଥ ରେଳ ଷ୍ଟେସନ୍ :
    • ତଳଗୁପ୍ପା (୧୩ କିଲୋମିଟର୍) ଓ ସାଗର (୩୦ କିଲୋମିଟର୍)
    • ହାନ୍ନୋୱାର୍ (୬୮ କିଲୋମିଟର୍), ଭଟ୍କଲ୍ (୯୦ କିଲୋମିଟର୍) – ଏହି ରେଳ ଷ୍ଟେସନ୍‍ଗୁଡ଼ିକ ମାଙ୍ଗାଲୋର୍-ମୁମ୍ବାଇ କୋଙ୍କଣ ରେଳପଥ ଉପରେ ଅବସ୍ଥିତ ।
  • ସଡ଼କପଥ : ସାଗର, ସିଦ୍ଧପୁରା ଓ ଜୋଗ ଜଳପ୍ରପାତ ବସ୍ ଷ୍ଟାଣ୍ଡ୍ ଇତ୍ୟାଦି ନିକଟସ୍ଥ ବସ୍ ଷ୍ଟାଣ୍ଡ୍ । ଶିମୋଗା ଜିଲ୍ଲାର ସାଗରରେ ବେସରକାରୀ ଗାଡ଼ି, ଟ୍ୟାକ୍ସି ଆଦିର ସୁବିଧା ଉପଲବ୍ଧ । ଜାତୀୟ ରାଜପଥ – ୬୬ରେ ଉତ୍ତର ଦିଗକୁ ଯିବାବେଳେ ଭଟ୍କଲ୍‍ର ଶମଶୁଦ୍ଦିନ୍ ଛକରେ ଡାହାଣ ପଟକୁ ଓ ଜାତୀୟ ରାଜପଥରେ ଦକ୍ଷିଣ ଦିଗକୁ ଯିବା ବେଳେ ହାନ୍ନୋୱର୍‍ର ନ୍ୟୁ କାମତ୍ ହୋଟେଲ୍ ନିକଟରେ ବାମ ପଟକୁ ବୁଲି ପଡ଼ିଥିବା ରାସ୍ତାରେ ଗଲେ ଜୋଗ ଜଳପ୍ରପାତ ନିକଟରେ ପହଞ୍ଚି ହେବ ।
  • ନିକଟସ୍ଥ ବିମାନବନ୍ଦର :
    • ଜାତୀୟ
      • ହୁବଳି (HBX) : ୧୩୦ କିଲୋମିଟର୍
    • ଅନ୍ତର୍ଜାତୀୟ
      • ବେଙ୍ଗଳୁର୍ (BLR) : ୩୪୦ କିଲୋମିଟର୍
      • ମାଙ୍ଗାଲୋର୍ (IXE) : ୨୦୦ କିଲୋମିଟର୍
      • ଗୋଆ (GOI) : ୨୪୬ କିଲୋମିଟର୍

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. [୧]
  2. Monsoon magic: Jog Falls, nature lovers' delight TRAVEL, IBN news channel, 10 August 2008
  3. Jog Falls World Waterfall Database: World's Tallest Waterfalls
  4. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 179.
  5. Rock climber scales jog falls
  6. Karnataka Power Corporation Article Archived 19 January 2009 at the Wayback Machine.
  7. "Jog Falls Hydro-Electric Project". The Indian Express. 2 July 1943. p. 4. Retrieved 12 April 2017.

ବାହ୍ୟ ଲିଂକ୍[ସମ୍ପାଦନା]

  • Jog Falls on jogfalls.in. Jog Management Authority. Retrieved November 16, 2018.