ଉତ୍ତରପାର୍ଶ୍ୱ ମଠ

ଉଇକିପିଡ଼ିଆ ରୁ
(ଉତ୍ତରପାର୍ଶ୍ବ ମଠ ରୁ ଲେଉଟି ଆସିଛି)
Jump to navigation Jump to search
ବଡ଼ଦାଣ୍ଡ ଉପରେ ଥିବା ଅନ୍ନପୂର୍ଣ୍ଣା ଥିଏଟରର ଦ୍ୱାର । ଏହି ଦ୍ୱାରଟି ଓ ସଂଲଗ୍ନ ଅଞ୍ଚଳ ପ୍ରକୃତରେ ଉତ୍ତରପାର୍ଶ୍ୱ ମଠର ସମ୍ପତ୍ତି ବୋଲି ବିବାଦ ଉପୁଜିଛି ।

ଜଗନ୍ନାଥଙ୍କ ନବକଳେବର ଲୀଳାରେ ବନଯାଗଠାରୁ ବ୍ରହ୍ମ ସଂସ୍ଥାପନ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଷୋଳଟି ମଠ ସମ୍ପୃକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଉତ୍ତରପାର୍ଶ୍ୱ ମଠ ଅନ୍ୟତମ । ରାମାନୁଜ ସମ୍ପ୍ରଦାୟର ଶ୍ରୀକ୍ଷେତ୍ରରେ ରହିଥିବା ୧୮ଟି ମଠ ମଧ୍ୟରୁ ଶ୍ରୀମନ୍ଦିର ଉତ୍ତର ଦିଗରେ ରହିଛି ଉତ୍ତରପାର୍ଶ୍ୱ ମଠ । ଜଗନ୍ନାଥଙ୍କ ଉପାସନା ସହିତ ବର୍ଷ ସାରା ଏହି ମଠ ଜଡ଼ିତ ରହିଛି । ତେଣୁ ଏହାକୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଖଞ୍ଜା ହୋଇଛି ।[୧][୨]

ଭୂମିକା[ସମ୍ପାଦନା]

ମହାପ୍ରଭୁଙ୍କର ଚାରି ଦାରୁ ଶଗଡ଼ି ଦେବଯାନ ମାର୍ଗଦେଇ କୋଇଲି ବୈକୁଣ୍ଠକୁ ବିଜେ ସମୟରେ ଏହି ମଠର ଦ୍ୱାରାଦେଶରେ ଶଗଡ଼ି ସମ୍ମୁଖରେ ପଣାଭୋଗ କରାଯାଇଥାଏ । ମହାପ୍ରଭୁଙ୍କ ଗୋଲକ ବିଶ୍ରାମ ପରେ ଅଶୌଚପାଳନ ପରିସମାପ୍ତିରେ ଦଇତାମାନେ ତେର ଦିନ ମହାପ୍ରସାଦ ସେବନ କରିଥାନ୍ତି । ଏହି ମଠ ପକ୍ଷରୁ କେତେ ହାଣ୍ଡି ମହାପ୍ରସାଦ ଯୋଗାଇ ଦିଆଯାଏ । ଶ୍ରୀମନ୍ଦିର ବାହାରେ ଦେଶବିଦେଶରୁ ଆସିଥିବା ଭକ୍ତ ବା ତୀର୍ଥଯାତ୍ରୀମାନଙ୍କୁ ଏହି ମଠ ସେବା ଯୋଗାଇଥାଏ । ପ୍ରତିଦିନ ମୋହନଭୋଗ ସହ ବଲ୍ଲଭଭୋଗ ମଧ୍ୟ ଠାକୁରଙ୍କ ପୂଜା ନିମନ୍ତେ ଦିଆଯାଏ।[୩]

ପ୍ରସିଦ୍ଧି[ସମ୍ପାଦନା]

ମରହଟ୍ଟା ଛତ୍ରପତି ଶିବାଜୀଙ୍କ ସେନାପତି ବାବୁରାଓ ଏହି ମଠକୁ ଦାନ ଦେଇଥିଲେ । ମଠ ପ୍ରତିଷ୍ଠା ହେବା ପରେ ମହନ୍ତମାନଙ୍କ ସାଧୁତା ଏବଂ ସିଦ୍ଧିରେ ଉଦ୍‌ବୁଦ୍ଧ ହୋଇ ସେହି ସମୟରେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହି ମଠ ପ୍ରତି ଆକୃଷ୍ଟ ହୋଇଥିଲେ । ସେମାନେ ମଥାର ଶିଷ୍ୟତ୍ୱ ମଧ୍ୟ ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ମହାପ୍ରଭୁଙ୍କର ସେବାପୂଜା ନିମନ୍ତେ ଏହି ମଠକୁ ସ୍ଥାବର ଅସ୍ଥାବର ସମ୍ପତ୍ତି ଦାନ ସୂତ୍ରରେ ଦେଇଥିଲେ । ଦିନ ଥିଲା ଏହି ମଠ ସମଗ୍ର ଭାରତ ବର୍ଷର ଶ୍ରୀସମ୍ପ୍ରଦାୟର ଅର୍ଥାତ ରାମାନୁଜଚାର୍ଯ୍ୟଙ୍କ ସମ୍ପ୍ରଦାୟର ପ୍ରସିଦ୍ଧ ମଠ ଭାବେ ସୁନାମ ଅର୍ଜନ କରିଥିଲା ।[୪]

ଦାନ ଏବଂ ଖଞ୍ଜା[ସମ୍ପାଦନା]

ରାଜା ମାନ ସିଂ ଏହି ମଠକୁ ମଧ୍ୟ ଦାନ କରିଥିଲେ । ଯେଉଁ ତୀର୍ଥଯାତ୍ରୀ, ଭକ୍ତ, ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସୁଥିଲେ ସେମାନଙ୍କୁ ଖାଦ୍ୟ ଯୋଗାଇଦେବା ତାଙ୍କ ଦାନର ଉଦ୍ଦେଶ୍ୟ ଥିଲା । ସେତେବେଳେ ଶ୍ରୀକ୍ଷେତ୍ର ଧାମକୁ ଆସିବା ନିମନ୍ତେ ପକ୍କା ରାସ୍ତା ନଥିଲା । ଯାନବାହନର ସୁବିଧା ନଥିଲା । ଭକ୍ତମାନେ ଚାଲି ଚାଲି ଆସିବାଦ୍ୱାରା ବହୁ ଦିନ ଲାଗୁଥିଲା । ରାସ୍ତାରେ ପ୍ରଧାନ ସମସ୍ୟା ଥିଲା ଖାଦ୍ୟପେୟ । ଖାଦ୍ୟାଭାବରୁ ଶ୍ରଦ୍ଧାଳୁ କଲବଲ ହେଉଥିଲେ । ଏହି ସମସ୍ୟା ତଥା ଶ୍ରଦ୍ଧାଳୁଙ୍କ ଦୁଃଖକୁ ରାଜା ମାନସିଂ ସ୍ୱଚକ୍ଷୁରେ ଦେଖିବା ପରେ ଏହାର ନିରାକରଣ ନିମନ୍ତେ ଉତ୍ତରପାର୍ଶ୍ୱ ମଠ ଦାୟିତ୍ୱରେ ସ୍ଥାୟୀ ସମ୍ପତି ଖଞ୍ଜି ଦେଇଥିଲେ । ପରବର୍ତ୍ତୀକାଳରେ ଏହି ମଠକୁ ବାଲେଶ୍ୱର ଜିଲ୍ଲାର ନୀଳଗିରି ମାହଲ ଦାନ ଦେଇଥିଲେ । ଗୋସୁରକ୍ଷା ପାଇଁ ମୋଗଲ ରାଜା ଔରଙ୍ଗଜେବ ପୁରୀ ଜିଲ୍ଲାର ଛଇତନା ନିକଟସ୍ଥ ଗଈଣ୍ଡଳ ଗ୍ରାମର ଏକ ଘାସ ମାହଲ ଦାନସୂତ୍ରରେ ଏହି ମଠକୁ ପ୍ରାଦାନ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା, ଏହି ମଠ ପକ୍ଷରୁ ପ୍ରତିଦିନ ଶ୍ରୀମନ୍ଦିର ଆଖପାଖରେ ତଥା ବଡ଼ଦାଣ୍ଡରେ ବୁଲୁଥିବା ଗୋରୁମାନଙ୍କୁ ଘାସ ଖାଇବାକୁ ଦିଆଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମଠ ପକ୍ଷରୁ ଗୋରୁଗାଈମାନଙ୍କୁ ଘାସ ଖାଇବାକୁ ଦିଆଯିବାର ବ୍ୟବସ୍ଥା ଚାଲୁରହିଛି । ଏହି ମଠ ପ୍ରତି ଆକୃଷ୍ଟ ହୋଇ ରାଣୀ ଭିକ୍ଟୋରିଆ ମଧ୍ୟ ସ୍ଥାବର ସମ୍ପତ୍ତି ଦାନ କରିଥିଲେ । ମହାପ୍ରଭୁଙ୍କ ନିକଟରେ ପ୍ରତିଦିନ ମହନଭୋଗ ପୂଜା କରିବା ପାଇଁ ଭିକ୍ଟୋରିଆ ଏହି ଦାନ ଦେଇଥିଲେ । ଏହି ମହନଭୋଗ ସହିତ ବଲ୍ଲଭଭୋଗ ମଧ୍ୟ ତାଙ୍କ ଇଚ୍ଛା ଥିଲା । ସେହିଦିନ ଠାରୁ ମୋହନଭୋଗ ପୂଜା ହେଉଛି । ଏହି ମୋହନଭୋଗ ସହ ବଲ୍ଲଭଭୋଗ ମଧ୍ୟ ଠାକୁରଙ୍କ ପୂଜା ନିମନ୍ତେ ଦିଆଯାଏ । ଏଥି ନିମନ୍ତେ ଉତ୍ତରପର୍ଶ୍ୱ ମଠକୁ କାକଟପୁରଠାରେ ଥିବା ଡେରୁଣିଆ ମୌଜା ରାଣୀ ଭିକ୍ଟୋରିଆ ଦାନ ସୂତ୍ରରେ ଦେଇଥିଲେ ।[୫]

ଆଧାର[ସମ୍ପାଦନା]

  1. ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବର ଲୀଳାରେ ଉତ୍ତରପାର୍ଶ୍ୱ ମଠ". ଧରିତ୍ରୀ. Retrieved 19 August 2015.
  2. "ashram and matha". travel to puri. Retrieved 19 August 2015.
  3. ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବର ଲୀଳାରେ ଉତ୍ତରପାର୍ଶ୍ୱ ମଠ". ଧରିତ୍ରୀ. Retrieved 19 August 2015.
  4. ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବର ଲୀଳାରେ ଉତ୍ତରପାର୍ଶ୍ୱ ମଠ". ଧରିତ୍ରୀ. Retrieved 19 August 2015.
  5. ମିଶ୍ର, ସୁରେନ୍ଦ୍ର କୁମାର. "ନବକଳେବର ଲୀଳାରେ ଉତ୍ତରପାର୍ଶ୍ୱ ମଠ". ଧରିତ୍ରୀ. Retrieved 19 August 2015.