ଦାରୁ

ଉଇକିପିଡ଼ିଆ‌ରୁ
ଜଗନ୍ନାଥଙ୍କ ଦାରୁ, ନବକଳେବର ୨୦୧୫

ଦାରୁ, କାଠ ବା କାଷ୍ଠକୁ ବୁଝାଏ । ଗଛ କାଟିବା ଭୂମିରେ ଲୀନ କରିବା ପରେ ଆବଶ୍ୟକ ଅନୁସାରେ ତାକୁ କଟାଯାଇ କାଠ ଗଣ୍ଡିମାନ ନିର୍ମାଣ କରାଯାଏ । ଏହାକୁ ଦାରୁ କୁହାଯାଏ ।

ନବକଳେବରରେ ଦାରୁ[ସମ୍ପାଦନା]

ଯେଉଁ ବର୍ଷ ନବକଳେବର ହୁଏ, ସେହିବର୍ଷ ଚୈତ୍ରମାସ ଶୁକ୍ଳ ଦଶମୀଠାରୁ ଶ୍ରୀଜଗନ୍ନାଥଙ୍କ ବଂଶଧର ଦଇତାପତି, ପତି ମହାପାତ୍ର ଅର୍ଥାତ୍ ବିଦ୍ୟାପତି ବ୍ରାହ୍ମଣ, ସ୍ୱାଇଁ ମହାପାତ୍ର ୪ଜଣ ବିଶ୍ୱକର୍ମା, ତିନିବାଡ଼ର ତିନିଜଣ, ଜଣେ ଲେଙ୍କା, ଜଣେ ଦେଉଳକରଣ, ମନ୍ଦିର ସିପାହୀ ଇତ୍ୟାଦି ବନଯାଗ ବିଧିରେ ଶ୍ରୀମନ୍ଦିରର ମଧ୍ୟାହ୍ନ ଧୂପ ସରିଲା ପରେ ପତି ମହାପାତ୍ର ଶ୍ରୀଜୀଉଙ୍କଠାରୁ ଆଜ୍ଞାମାଳ ଗ୍ରହଣ କରି ଓ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡ଼ିଆ ବିଶ୍ୱାବସୁ ରାଜଗୁରୁଙ୍କଠାରୁ ଗ୍ରହଣ କରି ଦାରୁ ଅନେ୍ୱଷଣରେ ଯାଆନ୍ତି ।[୧][୨] ଏହା ପୂର୍ବରୁ ପତି ମହାପାତ୍ର ଓ ଦଇତାଙ୍କ ମୁଣ୍ଡରେ ଶାଢ଼ୀବନ୍ଧା କାର୍ଯ୍ୟ ସମ୍ପନ୍ନ ହୋଇଥାଏ ଏବଂ ବ୍ରାହ୍ମଣମାନେ କୋଇଲି ବୈକୁଣ୍ଠରେ ଯଜ୍ଞଶାଳା ନିର୍ମାଣ ମଣ୍ଡପ ଓ ଦାରୁଗୃହ ଇତ୍ୟାଦିର ଶୁଭ ଦେଇଥାନ୍ତି ।[୨] ଦାରୁ ଅନ୍ୱେଷଣକାରୀମାନେ ପଦଯାତ୍ରା ପୂର୍ବକ କାକଟପୁରରେ ପହଞ୍ଚି ପ୍ରଥମେ ଦେଉଳି ମଠରେ ଅବସ୍ଥାନ କରନ୍ତି । ଲୋକମୁଖରେ ଶୁଣାଯାଏ ଯେ, କାକଟପୁରର ମଙ୍ଗଳା ପ୍ରଥମେ ଏହି ମଠରେ ପୂଜା ପାଉଥିଲେ । ପରେ ଏଠାରୁ ୨କିଲୋମିଟର ଦୂରରେ ଥିବା ମନ୍ଦିରକୁ ସ୍ଥାନାନ୍ତରିତ ହୋଇ ସେଠାରେ ପୂଜା ପାଇଆସୁଛନ୍ତି । ତେଣୁ ଦାରୁ ଅନେ୍ୱଷଣକାରୀମାନେ ପ୍ରଥମେ ଦେଉଳି ମଠରେ ରହନ୍ତି ଏବଂ ତା'ପରଦିନ ପ୍ରାଚୀ ନଦୀରେ ସ୍ନାନ ସାରି ମଙ୍ଗଳାଙ୍କୁ ମାଜଣା କରିବାକୁ ଯାଆନ୍ତି । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ମଙ୍ଗଳାକୁ ସମର୍ପିତ ହୋଇଥାଏ । ଜନଶ୍ରୁତି ଅନୁସାରେ ସେମାନେ ମଙ୍ଗଳାଙ୍କ ମନ୍ଦିରରେ ସ୍ୱପ୍ନାଦେଶ ପାଇବା ପର୍ଯ୍ୟନ୍ତ ଅଧିଆ ପଡ଼ନ୍ତି । ସ୍ୱପ୍ନାଦେଶ ଅନୁସାରେ ଦାରୁ ଚୟନ ହୋଇଥାଏ ।

ଶ୍ରୀଜୀଉଙ୍କ ଦାରୁର ଲକ୍ଷଣ[ସମ୍ପାଦନା]

ନିମ୍ନଲିଖିତ ଲକ୍ଷଣମାନ ଦେଖି ଚତୁର୍ଥାମୂର୍ତ୍ତିଙ୍କ ଦାରୁ ଚୟନ କରାଯାଏ ।[୨]

ଶ୍ରୀଜଗନ୍ନାଥଙ୍କ ଦାରୁ[ସମ୍ପାଦନା]

୧. ବୃକ୍ଷଟି ପୁରାତନ ହୋଇଥିବ ।
୨. ଏଥିରେ ୪ରୁ ୭ ପର୍ଯ୍ୟନ୍ତ ଶାଖା ଥିବ ।
୩. ବୃକ୍ଷଟି ମୂଳରୁ ୧୦/୧୨ ପୁଟ ପର୍ଯ୍ୟନ୍ତ ନିଦା ହୋଇଥିବ ।
୪. ଏହି ବୃକ୍ଷରେ କୌଣସି ପକ୍ଷୀ ବସା କରିନଥିବେ ।
୫. ଏହି ଦାରୁର ବର୍ଣ୍ଣ ଶ୍ୟାମଳ ବା କଳା ହୋଇଥିବ ।
୬. କୌଣସି ନଦୀ ବା ପୁଷ୍କରିଣୀ ନିକଟରେ ଥିବ ।
୭. ବୃକ୍ଷ ନିକଟରେ ଶ୍ମଶାନ ଥିବ ।
୮. ବୃକ୍ଷ ନିକଟରେ ଗୁଳ୍ମ ବିଶେଷଭାବେ ବରୁଣ ବୃକ୍ଷ ଥିବ ।
୯. ବୃକ୍ଷରେ କୌଣସି କୀଟ ଦ୍ରଂଷ୍ଟ ଚିହ୍ନ ବା ବଜ୍ରପାତର ଚିହ୍ନ ନଥିବ ।
୧୦. ବୃକ୍ଷ ନିକଟରେ ଉCହୁଙ୍କା ଥିବ ।
୧୧. ଗୋଟିଏ କିମ୍ବା ଦୁଇଟି ବିଷଧର ସର୍ପ ଏହି ବୃକ୍ଷରେ ବା ବୃକ୍ଷ ମୂଳରେ ଥିବେ ।
୧୨. ବୃକ୍ଷରେ ବିଷ୍ଣୁଙ୍କ ୪ ଆୟୁଧ ଅର୍ଥାତ୍ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ମଧ୍ୟରୁ ଅନ୍ତତଃ ପକ୍ଷେ ୨ଟି ଆୟୁଧର ଚିହ୍ନ ବା ସଙ୍କେତ ଥିବ ।

ଶ୍ରୀବଳଭଦ୍ରଙ୍କ ଦାରୁ[ସମ୍ପାଦନା]

୧. ବୃକ୍ଷର ରଙ୍ଗ ପ୍ରାୟ ଧଳା ହୋଇଥିବ ।
୨. ଏହାର ୭ ଗୋଟି ଶାଖା ଥିବ ।
୩. ବୃକ୍ଷର ଶାଖା ପତ୍ର ଇତ୍ୟାଦି ଚାନ୍ଦୁଆ ଭଳି ଉପରେ ବିସ୍ତାରିତ ହୋଇଥିବ । ବଳଭଦ୍ରଙ୍କୁ ଶେଷନାଗ ବୋଲି ବିବେଚନା କରାଯାଇଥିବାରୁ ଗଛର ଉପରିଭାଗ ଛତ୍ରାକୃତି ଫଣା ଭଳି ଦେଖାଯାଉଥିବ ।
୪. ହଳ ମୂଷଳ ପବିତ୍ର ଆୟୁଧ ଚିହ୍ନ ଏହି ବୃକ୍ଷରେ ଥିବ ।

ଦେବୀସୁଭଦ୍ରାଙ୍କ ଦାରୁ[ସମ୍ପାଦନା]

୧. ଦାରୁର ରଙ୍ଗ ପୀତବର୍ଣ୍ଣ ହେବା ଆବଶ୍ୟକ ।
୨. ଏହି ବୃକ୍ଷରେ ମୁଖ୍ୟତଃ ୫ଗୋଟି ଶାଖା ଥିବ ।
୩. ବୃକ୍ଷର ଗଣ୍ଡିରେ ୫ଟି ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲର ଚିହ୍ନ ଥିବ ।

ଶ୍ରୀ ସୁଦର୍ଶନଙ୍କ ଦାରୁ[ସମ୍ପାଦନା]

୧. ସୁଦର୍ଶନଙ୍କ ଦାରୁ ବୃକ୍ଷରେ ତିନୋଟି ଶାଖା ଥିବ ।
୨. ଗଣ୍ଡିର ଉପର ଅଂଶରେ ନାଭିଚକ୍ରର ଲକ୍ଷଣ ପ୍ରକାଶ ପାଉଥିବ ।
୩. ସୁଦର୍ଶନଙ୍କ ଦାରୁବର୍ଣ୍ଣ Cଷତ୍ ଲାଲ୍ ହୋଇଥିବ ।
୪. ଦାରୁବୃକ୍ଷ ନିକଟରେ ବର ଓ ବିଲ୍ୱ ବୃକ୍ଷ ଥିବା ଆବଶ୍ୟକ ।

ଚୟନ[ସମ୍ପାଦନା]

ଏହି ଲକ୍ଷଣଗୁଡ଼ିକ ସାମଗ୍ରିକ ଭାବେ ନ ମିଳିଲେ ମଧ୍ୟ ଅଧିକାଂଶ ଲକ୍ଷଣ ଯେଉଁ ବୃକ୍ଷରେ ମିଳୁଥିବ ସେହି ବୃକ୍ଷକୁ ଦଇତାପତିମାନେ ପରଂପରାକ୍ରମେ ମନୋନୀତ କରିଥାନ୍ତି । କ୍ରମ ଅନୁଯାୟୀ ପ୍ରଥମେ ସୁଦର୍ଶନଙ୍କ ଦାରୁ ଠାବ ହେଲାପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ଦାରୁ ଚିହ୍ନଟ ହୋଇଥାଏ । ପରିଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁବୃକ୍ଷ ଚିହ୍ନଟ ହୋଇଥାଏ ।

ଦାରୁ ଛେଦନ[ସମ୍ପାଦନା]

ଦାରୁ ଚିହ୍ନଟ ହେଲାପରେ ବନଯାଗ ପାଇଁ ଏକ ଯଜ୍ଞଶାଳା ନିର୍ମିତ ହୁଏ । ଏହି ଯଜ୍ଞବେଦୀ ନିକଟରେ ସୁଦର୍ଶନ ଚକ୍ରକୁ ସ୍ଥାପନା କରାଯାଇ ଯଜ୍ଞକାର୍ଯ୍ୟ ଆରମ୍ଭ ହୁଏ । ମହାନୃସିଂହ ମନ୍ତ୍ରରେ ଘୃତାହୂତି ଦିଆଯାଏ । ଯଜ୍ଞ ସମାପନ ପରେ ବ୍ରାହ୍ମଣ, ପତି ମହାପାତ୍ର ଓ ଦଇତା ପ୍ରଜ୍ୱଳିତ ଅଗ୍ନିର ଚାରିପାଖେ ପ୍ରଦକ୍ଷିଣ କରନ୍ତି । ଏହାପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଏହି ବୃକ୍ଷରେ ଲାଗିହୁଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଯଜ୍ଞକର୍ମ ବେଳେ ସୁନା, ରୂପା ଓ ଲୁହାର ତିନୋଟି କୁରାଢ଼ି ପୂଜାହୁଏ । ଯଜ୍ଞାଦି ବିଧି ସହ ପ୍ରଦକ୍ଷିଣ ଓ ଆଜ୍ଞାମାଳ ଲାଗିସାରିଲା ପରେ ବିଦ୍ୟାପତିଙ୍କ ଦାୟାଦ ପତିମହାପାତ୍ର ପ୍ରଥମେ ବୃକ୍ଷକୁ ତିନିଥର ପରିକ୍ରମା କରିବା ସ‌ହ ସୁନା କୁରାଢିରେ ୩ଚୋଟ ବୃକ୍ଷରେ ପକାଇଥାନ୍ତି । ଏହା ପରେ ବିଶ୍ୱାବସୁ ରୂପା କୁରାଢ଼ି ଧରି ୩ଥର ବୃକ୍ଷ ଚାରିପଟେ ପରିକ୍ରମା କରି ୩ଚୋଟ ପକାଇଥାନ୍ତି । ଏବଂ ଶେଷରେ ବାଡ଼ଗ୍ରାହୀ ବିଶ୍ୱକର୍ମା ଲୁହା କୁରାଢିରେ ଦାରୁ ଛେଦନ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଦାରୁ ଛେଦନ ପ୍ରକ୍ରିୟା ବିଶ୍ୱକର୍ମା ଦଳପତି ଏବଂ ଏବଂ ସମସ୍ତ ବନଯାଗୀ ଦଳ ଦାୟିତ୍ୱ ନେଇ ବୃକ୍ଷଟିକୁ ଭୂଲୁଣ୍ଠିତ କରାନ୍ତି ।[୩]

ବୃକ୍ଷ ଛେଦନ ସରିବା ପରେ ବିଶ୍ୱକର୍ମାମାନେ ବିଧି ଅନୁସାରେ ଚଉପାଟ ନିମନ୍ତେ ଦାରୁ ମୂଳଠାରୁ ନିର୍ଦ୍ଧିଷ୍ଟ ମାପର ବକଳ ଛଡ଼ାଇ ଗଣ୍ଡିକୁ କାଟିଥାନ୍ତି । ଚଉପାଟ ଏକ ଗୁପ୍ତ ଏବଂ ବିଶେଷ କାର୍ଯ୍ୟ ହୋଇଥିବାରୁ ଦଳପତିଙ୍କ ଉପସ୍ଥିତରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏଥି ନିମନ୍ତେ ବୃକ୍ଷର ଚାରିପଟେ କପଡ଼ା ଘେରା ଯାଇଥାଏ । ଦରକାରୀ ଦାରୁ ବ୍ୟତୀତ ଅବଶିଷ୍ଟ ଦାରୁ ତ‌ଥା ଡାଳ, ପତ୍ର, ଚେର ବକଳ ଆଦିକୁ ଏକ ସୁଗଭୀର ଗର୍ତରେ ସମାଧିସ୍ଥ କରାଯାଇଥାଏ । ଶାସ୍ତ୍ରାନୁସାରେ ଏହି ଗର୍ତକୁ ମାଟିଦ୍ୱାରା ଆବୃତ କରାଯିବା ପରେ ତା' ଉପରେ ପରମ୍ପରା ଅନୁସାର ଏକ ତୁଳସୀ ବୃକ୍ଷ ରୋପଣ କରାଯାଏ ।[୪]

ଦାରୁ ପ୍ରବେଶ[ସମ୍ପାଦନା]

ଦାରୁ ଆଣିବା ପାଇଁ ଏକ ଚାରିଚକ ବିଶିଷ୍ଟ ସ୍ୱତନ୍ତ୍ର ଶଗଡ଼ି ତିଆରି ହୁଏ ଯାହାକୁ ଦାରୁ ଶଗଡ଼ି କୁହାଯାଏ । ପାଟ ଡୋରିରେ ଦାରୁକୁ ଦାରୁ ଶଗଡ଼ି ସହ ବନ୍ଧାହୁଏ ଏବଂ ଏହାକୁ କୌଣସି ପଶୁ ନ ଟାଣି ମଣିଷମାନେ ହିଁ ଟାଣିଥାନ୍ତି । ଉତ୍ତରପାଶ୍ୱର ଦ୍ୱାରରେ ଦାରୁଗୁଡ଼ିକ କୋଇଲି ବୈକୁଣ୍ଠକୁ ନିଆଯାଏ । ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏଠାରେ ଦାରୁ ପୂଜା ପାଆନ୍ତି । ସେହି ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହଙ୍କ ସ୍ନାନ ପରେ ଦାରୁଙ୍କୁ ମଧ୍ୟ ସ୍ନାନ କରାଯାଏ ।

ଆଧାର[ସମ୍ପାଦନା]

  1. "ରବିବାରଠୁ ଦାରୁ ଅନ୍ୱେଷଣ". ସର୍ବସାଧାରଣ. 5 April 2015. Retrieved 20 July 2016.[permanent dead link]
  2. ୨.୦ ୨.୧ ୨.୨ Mohapatra, Dr. Hemanta (July 2015). "Navakalebar : Ritual and History" (PDF). Odisha Review: 26. Retrieved 20 July 2016.
  3. "ସୁନା, ରୂପା ଓ ଲୁହା କୁରାଢ଼ୀରେ ଦାରୁ ଛେଦନ". ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର. 18 April 2015. p. ୧୧. Archived from the original on 7 July 2015. Retrieved 20 July 2016.{{cite news}}: CS1 maint: bot: original URL status unknown (link) CS1 maint: unrecognized language (link)
  4. "ଆରମ୍ଭ ହେଲା ମହାଦାରୁ ଚଉପଟ". ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର. 19 April 2015. p. ୧୨. Archived from the original on 7 July 2015. Retrieved 20 July 2016.{{cite news}}: CS1 maint: bot: original URL status unknown (link) CS1 maint: unrecognized language (link)