ବିଦ୍ୟାପତି

ଉଇକିପିଡ଼ିଆ ରୁ
Jump to navigation Jump to search

ମାଲବର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜଦରବାରରେ ବ୍ରାହ୍ମଣମସ୍ତ୍ରୀ ଥିଲେ ବିଦ୍ୟାପତି । ବିଦ୍ୟାପତି ନୀଳାଚଳରୁ ନୀଳମାଧବଙ୍କୁ ସନ୍ଧାନ କରିବାରେ ସହଯୋଗ କରିଥିଲେ ।

କିମ୍ବଦନ୍ତୀ[ସମ୍ପାଦନା]

ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀଜଗନ୍ନାଥ ପ୍ରକୃତରେ ନୀଳମାଧାବ ନାମରେ ବିଶ୍ଵାବସୁ ନାମକ ଜାଣେ ଶବର ରାଜାଙ୍କଦ୍ଵାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । ନୀଳ ମାଧବଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ବିଦ୍ୟାପତି ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା ଲଳିତାଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ଵଶୁର ବିଶ୍ଵାବସୁଙ୍କ ବିଶ୍ଵାସଭାଜନ ହୋଇଥିଲେ । [୧] ବିଶ୍ଵାବସୁ ଶେଷରେ ନିଜ ଜ୍ଵାଇଁଙ୍କ ଅନୁରୋଧ ରକ୍ଷାକରି, ବିଦ୍ୟାପତିଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀଳମାଧବ ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା । ସେଠାରୁ ଫେରିବା ପରେ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । [୨] ବିଦ୍ୟାପତି ଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ ଉତ୍କଳ ଦେଶକୁ ଯାଇଥିଲେ । ଯଦିଓ ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେଠାରେ ନୀଳମାଧବଙ୍କ ଦର୍ଶନ କରିପାରିନଥିଲେ ।

ବଂଶଧର[ସମ୍ପାଦନା]

ପତି ମହାପାତ୍ର , ସୁଦ୍ଧ ସୁଆର ଆଦି ବିଦ୍ୟାପତିଙ୍କ ବଂଶଧର ଅଟନ୍ତି ଏମାନେ ସ୍ନାନ ପୂର୍ଣ୍ଣିମା ପରେ ଜଗନ୍ନାଥଙ୍କ ଦେହରେ ଲେପ ଲଗାଇବା ପାଇଁ ଚାଉଳର ଖଳି ରାନ୍ଧନ୍ତି ଖଳି ରାନ୍ଧିବା ଯୋଗୁଁ ଏମାନେ 'ସୁପକାର' ବା 'ସୁଆର' ଓ ବ୍ରାହ୍ମଣ ଔରଷରେ ଶବରୁଣୀ ଗର୍ଭରୁ ଜାତ ହୋଇ ଥିବାରୁ 'ଶୂଦ୍ର' ନାମରେ ଆଭିହିତ

ଜଗନ୍ନାଥଙ୍କ ସେବାରେ ଯୋଗଦାନ[ସମ୍ପାଦନା]

ଦୈନିକ ନୃସିଂହଙ୍କର ସେବା କରନ୍ତି ଓ ବଡ଼ ସିଂହାର ପହୁଡ଼ ଆଳତୀ କରନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ତମାମ ସବୁ ପର୍ବପର୍ବାଣି, ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମାଂଗଳାର୍ପଣରେ କାମ କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅଁ ଫେରିବା ବେଳେ, ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ କରନ୍ତି । ଗୁଣ୍ଡିଚା ଘରୁ ରଥକୁ, ନୀଳାଦ୍ରି ବିଜେବେଳେ ସେ ତିନି ବାଡ଼ର ବନ୍ଦାପନା, କର୍ପୂର ଆଳତୀ, କର୍ପୂର ଲାଗି, ଘସା ଓ ବିଡ଼ିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମ ତିଥି ହୋମ, ସହସ୍ର କୁମ୍ଭାଭିଷେକ ଇତ୍ୟାଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି । ଅନବସର ସମୟରେ ଦକ୍ଷିଣଦ୍ଵାର ଓ ତାଟିଦ୍ଵାର ଫିଟାନ୍ତି । ଅଣସର ଘର ଭିତରେ ଭୋଗ କରନ୍ତି । ଦଇତାଙ୍କ ସହ ପ୍ରସାଦଲାଗି, ପଣା ଲାଗି, ଖଡ଼ି ଲାଗି, ଖଳି ଲାଗି, ଫୁଲୁରି ଲାଗି କାମ କରନ୍ତି । ସୁଦର୍ଶନ ଚକ୍ରର ବିଜେ ବେଳେ ସମସ୍ତ କାମ କରନ୍ତି । ଦଇତାଙ୍କ ସହ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି । ମାତ୍ର ଭିତରେ ଭୋଗ ଓ ସଂସ୍କାର ଏ ସେବକ କରନ୍ତି ।" ପୁରୁଷୋତ୍ତମ କର୍ମାଙ୍ଗୀରେ ପତି ମହାପାତ୍ରଙ୍କ ସେବା ବିଷୟରେ ନିମ୍ନମତେ ଲେଖାଯାଇଛି । "ଏ ମହାସାମନ୍ତ ବିଦ୍ୟାପତି ପୁରୋହିତ ବଉଁଶ । ଏ କ୍ଷେତ୍ର ମଣ୍ଡପେ ବାସ କଲା । ଏ ନିଯୋଗ ସାଆନ୍ତ ଅଟେ । ଖେଇ ଭାଗ ଦୁଇ ଭାଗ ଅଧିକା ହେବ । ଏ ସକଳ କାରିଯକୁ ଭାଜନ । ଏ ବିଜେ କାଳ ମଙ୍ଗଳାରୋପଣ କାଳେ ଅଭିନ୍ନିକ । ଏ ଇନ୍ଦ୍ରଦ୍ୟୁମ୍ନର ପୁରୋହିତ ମୁଦିରଥ ତୁଲେ ପ୍ରଭୁଙ୍କୁ ବନ୍ଦାଣ କରିବ । ଏମାନେ ରାଜପ୍ରସାଦ ବିଜେ କାଳେ ମହାଶ୍ରମକୁ ସିଂହଦ୍ଵାରେ ତଳୁଛ ପତି ଦଇତାପଣେ ଲଗ। ଶାଢ଼ୀ ପାଇବେ । ଦାରୁ କାଟିବାକୁ ମଙ୍ଗଳ ବିଜେ କାଳେ ଶିରେ।ପା ଘେନିବେ । ଏ ଅଣସର କାଳେ ଲାଗି ଚକଟା ଭୋଗ ଆଦି କରିବେ । କରାଳ ଲାଗି ବଢ଼ାଇବେ । ଖଳି ଲାଗି କାଳେ ରହି ରାଜପ୍ରସାଦ ଆଣି ମହାଶ୍ରମ ତୁଲେ ସଂପାଦିବ । ପରମ ଗହନ କାର୍ଯ୍ୟ କରିବ । ବ୍ରହ୍ନ ଆଣିବାକୁ ଯଥା ସୁନିଆଁ ନେବ । ବ୍ରହ୍ନ ତୁଳସୀ ଦେବ । ରଥପର ଯାତ୍ରା କାଳେ ସକଳ ବିଜେ କାଳେ ଭେଟିବେ । ଘସ। ନୈବେଦ୍ୟ କରିବେ । ଏ ନିତ୍ୟ ପହୁଡ଼ କାଳେ ପରମେଶ୍ଵର ବାଡ଼େ ଆଳତୀ କରିବେ "।

ନବକଳେବର ବିଧିରେ ଯୋଗଦାନ[ସମ୍ପାଦନା]

ପତି ମହାପାତ୍ର ନୃସିଂହଙ୍କୁ ସେବା କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ସାରା ପର୍ବପର୍ବାଣି ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମାଂଗଳାର୍ପଣରେ ମଝିବାଡ଼ରେ କାମ କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ନବକଳେବର ବେଳେ ତିନିବାଡ଼ରେ ଆଜ୍ଞାମାଳ ନେଇ ଦାରୁ ଅନ୍ଵେଷଣରେ ଯାଆନ୍ତି । ବନଯାଗରେ ବିଦ୍ୟାପତି ରୂପେ ବରଣ ହୁଅନ୍ତି । ନବକଳେବର ବେଳେ ପ୍ରଥମେ କୁରାଢ଼ି ନେଇ ଦାରୁରେ ଲଗାନ୍ତି । ପରେ ଅନ୍ୟମାନେ କାଟନ୍ତି । ସୁଦର୍ଶନଙ୍କର ସମସ୍ତ କାମ କରନ୍ତି । ବନଯାତ୍ରାରେ ଜଣେ ଦଇତା ସେବକ ବିଶ୍ଵାବସୁ ଭାବରେ ଓ ପତି ମହାପାତ୍ର ସେବକ ବିଦ୍ୟାପତି ଭାବରେ ରହିଥାନ୍ତି ।

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Mahesh Sharma (୨୦୦୫). Tales From The Puranas. Diamond Pocket Books (P) Ltd. pp. ୫୫–. ISBN ୯୭୮-୮୧-୨୮୮-୧୦୪୦-୪. 
  2. "ଇନ୍ଦ୍ରଦ୍ୟୁମ୍ନ". wikipedia. Retrieved 10 September 2015.