Topic on ଉଇକିପିଡ଼ିଆ:ଆଲୋଚନା ସଭା

"ୟୁନିଭର୍ସାଲ କୋଡ ଅଫ କଣ୍ଡକ୍ଟ" ବାବଦରେ ଆଲୋଚନା ଆରମ୍ଭ କରୁଛି ।

15
Jnanaranjan sahuଙ୍କ ଲିଖିତ ସାରାଂଶ

ଆଲୋଚନା ଆରମ୍ଭ କରିଥିବା ସଭ୍ୟ ଏହାକୁ ସମାଧିତ କରିଛନ୍ତି

Chinmayee (WMF) (ଆଲୋଚନାଅବଦାନ)

ସାଦର ପ୍ରଣାମ,

ଆଗରୁ ମୁଁ "ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ ଫେସିଲିଟେଟର" ଭାବରେ କାମ ଆରମ୍ଭ କରୁଛି ବୋଲି ଲେଖିଥିଲି । ଏବେ ଏହି "ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ" ବାବଦରେ ଆଲୋଚନାଟି ଏଠି ଆରମ୍ଭ କରୁଛି । ଉଇକିମିଡିଆ ପ୍ରକଳ୍ପ ଗୁଡିକ ଆରମ୍ଭ ହେବା ଦିନଠାରୁ, ଅଲଗା ଅଲଗା ପ୍ରକଳ୍ପରେ ଅନେକ ଗୁଡିଏ ବିବାଦୀୟ ବିଷୟ ଉପରେ ଆଲୋଚନା ହୋଇଛି, କିଛି ବ୍ୟବହାରକାରୀଙ୍କ ମନଇଛା ବ୍ୟବହାର କିମ୍ବା କେହି ଉଇକିଆଳିଙ୍କୁ ଅଯଥା ଆକ୍ଷେପ କରିବା, ବ୍ୟକ୍ତିଗତ ଭାବେ କୌଣସି ପ୍ରକାର ହଇରାଣ କରିବା (ଯାହାକୁ ଆମେ ଇଂରାଜୀରେ Personal attacks ବୋଲି କହିଥାଉ ), ଛୋଟିଆ ଦଳ ଭିତରେ ବି କିଛି ଉଇକିଆଳିଙ୍କୁ ନେଇ ଭେଦଭାବ କରିବା (Discrimination) ଭଳି ମଧ୍ୟ ଘଟଣା ନଜରକୁ ଆସିଛି । ଏସବୁ ଭିତରୁ କିଛି ଘଟଣାର ସମାଧାନ ହୋଇପାରିଛି, ତ କିଛି ଏବେ ବି ଅମୀମାଂସିତ ରହିଛି , ଓ କିଛି ଘଟଣାର / ଆଲୋଚନାରେ ଅସନ୍ତୁଷ୍ଟ ହୋଇ ଅନେକ ଉଇକିଆଳି ସବୁଦିନ ପାଇଁ ସେମାନଙ୍କ ଅବଦାନ ବନ୍ଦ କରିଦେଇଛନ୍ତି ।

ଏସବୁ ବିଷୟରେ ଦୀର୍ଘଦିନ ଧରି ବିଚାର-ବିମର୍ଷ ପରେ ଏକ "ସାଧାରଣ ସୂଚନା ଓ ନିୟମ ତାଲିକା' (a standard set of behavioural guidelines) ପ୍ରଣୟନ କରିବାକୁ ଉଇକିମିଡିଆ ଫାଉଣ୍ଡେସନର ସଞ୍ଚାଳକ ମାନେ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଯାହା ସବୁ ନିୟମ ରହିବ, ସେଗୁଡିକ ସବୁ ଭାଷାର ଉଇକିଆଳି, ପରିଚ୍ଛା ଗୋଷ୍ଠୀ, କୌଣସି ଆଫିଲିଏଟ ଏପରିକି ସବୁ ଉଇକିମିଡିଆ ଚାପ୍ଟର ଓ ଉଇକିମିଡିଆ ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କ ପାଇଁ ମଧ୍ୟ ଲାଗୁ ହେବ । ସେଥିପାଇଁ ଏହାକୁ "ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ" ଭାବରେ ନାମିତ କରାଯାଇଛି । ଭବିଷ୍ୟତରେ ଉଇକିମିଡିଆ ମୁଭମେଣ୍ଟର ସମସ୍ତ ଦିଗ ତଥା ପ୍ରକଳ୍ପ ଗୁଡିକରେ ଏକ ଶୃଙ୍ଖଳିତ ବାତାବରଣ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏ ନେଇ ବିସ୍ତୃତ ବିବରଣୀ ଏଇଠି ଦେଖିପାରିବେ ।

ଆଗରୁ ମେଟାରେ ଓ ଅନ୍ଯାନ୍ଯ ଜାଗାରେ ହୋଇଥିବା ଆଲୋଚନାରେ ସାଧାରଣତଃ ସଂଖ୍ୟାଗରିଷ୍ଠ ଉଇକିପିଡିଆ (ଅଧିକ ଉଇକିଆଳି ଥିବା) ର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ ଓ ନିଜର ମତ ଦେଇଥିଲେ ଫଳରେ ସେମାନଙ୍କ ସୁବିଧା, ଅସୁବିଧା ଅବା ଦରକାରୀ ଜିନିଷ ବିଷୟରେ ଧାରଣା ମିଳିପାରିଥିଲା । କିନ୍ତୁ କିଛି କିଛି ସଂଖ୍ୟାଲଘୁ ଉଇକିପିଡିଆ ଏଥିରେ ଅଂଶଗ୍ରହଣ କରିପାରିନଥିଲେ, ଓ ସେମାନଙ୍କ ଆବଶ୍ୟକତା, ସୁବିଧା ଅସୁବିଧା ଗୁଡିକ ଅଣଦେଖା ହୋଇ ରହିଯାଇଥିଲା । ବର୍ତ୍ତମାନ ଏଥିପାଇଁ ମୁଁ ଆମ ଓଡିଆ ଉଇକିପିଡିଆର ମତାମତ ଓ ଆବଶ୍ୟକତା ଗୁଡିକୁ ଏହି ପ୍ରକଳ୍ପରେ ସାମିଲ କରିବାକୁ ଯାଉଛି । ଏଥିରେ ଆପଣ ସମସ୍ତ ଉଇକିଆଳିମାନଙ୍କ ସାହାଯ୍ୟ ଲୋଡା । ସମସ୍ତେ ନିଜ ନିଜର ମତାମତ ଦେଇ ଏହି ଆଲୋଚନାଟିକୁ ସଫଳ କରିବାକୁ ଅନୁରୋଧ କରୁଛି ।

Hellohappy (ଆଲୋଚନାଅବଦାନ)

ଆଦରର ଚିନ୍ମୟୀ, ଏ କରୋଣା ସଂକ୍ରମଣ ଭଳି ଦାରୁଣ ଦୁଃଖ ସମୟରେ ତମେ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ କାମ ହାତକୁ ନେଇଛ ଜାଣି ଖୁସି ହେଲି । ଅଭିନନ୍ଦନ । ଯାହା ତମେ ପ୍ରଥମ ପାରାରେ ଲେଖିଛ, ତାହା କଣ ଆମ ଓଡ଼ିଆ ଉଇକିମିଡ଼ିଆ ଗୋଷ୍ଠୀରେ ଘଟିଛି ନା ତୁମେ ସମ୍ପୂର୍ଣ୍ଣ ବିଶ୍ୱ ଉଇକିଆଳିଙ୍କ କଥା କହୁଛ ? ବଡ଼ ବଡ଼ ଶବ୍ଦ ସେଥିରେ ବ୍ୟବହାର କରିଛ ତୁମେ । ଏମିତି କିଛି ଆମର ରିପୋର୍ଟ ହେଇଛି କି ?

Chinmayee (WMF) (ଆଲୋଚନାଅବଦାନ)

ବହୁତ ବହୁତ ଧନ୍ୟବାଦ ଭାଇ । ଏହା ଉଇକିମିଡିଆ ଫାଉଣ୍ଡେସନରେ ମୋର ପ୍ରଥମ କାମ, ସେଥିପାଇଁ ନିଜକୁ ବି ଗୁଡେ ଜିନିଷ ପଢିବାକୁ ଶିଖିବାକୁ ମିଳୁଛି ।

ଆଜ୍ଞା ଭାଇ, ଉପର ପରାଟି ମୁଁ ସମ୍ପୂର୍ଣ୍ଣ ବିଶ୍ୱ ଉଇକିଆଳିଙ୍କ କଥା ଲେଖିଛି । ଏଥିରୁ ଗୋଟେ ଦୁଇଟା ଜିନିଷ ଆମ ଉଇକିରେ ବି ଦେଖିଛି । କିନ୍ତୁ ସଠିକ ସୁବିଧା ଓ ନିୟମ ନଥିବା ହେତୁ କେବେ ରିପୋର୍ଟ ହେଇପରିନି/ କିମ୍ବା ବିନା ଆଲୋଚନାରେ ଦବିଯାଇଛି । ବଡ ବଡ ଶବ୍ଦଗୁଡିକ ମୋ ପାଇଁ ମଧ୍ୟ ନୂଆ ପ୍ରୀତି ଭାଇ । ଯଦି କିଛି ଭୁଲ ଭଟକା ହେଇଯାଏ, ପ୍ରଥମ କାମ ଭାବି କ୍ଷମା କରିଦେବାକୁ ସଭିଙ୍କୁ ଅନୁରୋଧ କରୁଛି ।

Coldbreeze16 (ଆଲୋଚନାଅବଦାନ)

ମୋର ଏହି ପ୍ରସ୍ତାବ ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ଅଛି +1

ତେବେ ପ୍ରତୀକ କହିଥିବା କଥା ଦୋହରାଇବି ଯେ ନିୟମଗୁଡିକ ବେଦର ଗାର ହୋଇ ନ ରହୁ। ବିଶେଷତଃ ଯେହେତୁ ନିୟମଗୁଡିକ ସବୁ ଭାଷାର ଉଇକିପାଇଁ ହେଉଛି, ସେଗୁଡିକ ଯଥାସମ୍ଭବ ସାର୍ବଜନୀନ ହେଲେ ଭଲ।

Jnanaranjan sahu (ଆଲୋଚନାଅବଦାନ)

ନିତୀ ଏବଂ ନିୟମାବଳିର ଆବଶ୍ୟକତା ଅଛି । ମୋ ବ୍ୟକ୍ତିଗତ ମତରେ ସେମିତି କିଛି ବଡ ଅସୁବିଧା ଦେଖା ଦେଇନି ହେଲେ ନିତୀ ନିୟମ ହେଲେ ସେଗୁଡିକ ଆଖିରେ ରଖି କାମ କରିବା ସମସ୍ତଙ୍କ ପାଇଁ ସୁରକ୍ଷା ପ୍ରଦାନକାରୀ ଭାବେ କାମ କରିବ ଏବଂ ଯେହେତୁ ଆଜି ନ ହେଲେ କାଲି ଗୋଷୀ ବଢିବ ତେଣୁ କିଛି ବ୍ୟବସ୍ଥା ରହିବା ଭଲ । ଆଗରୁ ବି ମୁଁ କ‌ହିଥିଲି କଣ କଣ ନୂଆ ଜିନିଷ ରଖାଯାଇ ପାରିବ କଣ କଣ କରାଯାଇପାରିବ ସେ ବିଷୟରେ ଆମକୁ କିଛି ମତାମତ ଦେଲେ ଭଲ ହେବ । ଆମଠାରୁ କେଊଁ ବାବଦରେ ମତାମତ ଲୋଡୁଛ ସେଇଟା କ‌ହିଲେ ବି ଭଲ ହେବ ।

ଆମର କେଉଁ ପୃଷ୍ଠା ନାହିଁ ଯାହା ଅନ୍ୟ ଉଇକିରେ ଅଛି ତାହା ତିଆରି କରିପାରିବା । କେହି କିଛି ଅସୁବିଧା (ତାଙ୍କ ପ୍ରତି ବ୍ୟବହାର, ଆକ୍ଷେପ ଇତ୍ୟାଦି) ପାଇଁ କାହକୁ ଯୋଗାଯୋଗ କରିବେ କିମ୍ବା କେଉଁଠି ଲେଖିଲେ ଶିଘ୍ର ପଦକ୍ଷେପ ନେଇ ହେବ ସେମିତି ବି କରିବାକୁ ପଡିବ ।

Chinmayee (WMF) (ଆଲୋଚନାଅବଦାନ)

@Jnanaranjan sahu ଆପଣଙ୍କ ଆଗ୍ରହ ପାଇଁ ଧନ୍ୟବାଦ । ଏହାର ପ୍ରଥମ ପର୍ଯ୍ୟାୟରେ ଆଗାମୀ ୭ ଦିନ ଭିତରେ ଆମ ମାନଙ୍କୁ ଆଲୋଚନା କରି କିଛି ଦରକାରୀ ଜିନିଷ ଗୁଡିକୁ ସ୍ଥିର କରିବାକୁ ଅଛି । ମୁଁ ନିଜ ତରଫରୁ ଏହାକୁ ତଳେ ୬ ଟି ବିଭାଗରେ ରଖୁଛି ଓ ସମସ୍ତଙ୍କୁ ଏହି ବିଭାଗ ଗୁଡିକରେ ନିଜ ନିଜ ମତ ଯୋଡିବାକୁ ଅନୁରୋଧ କରୁଛି ।

୧ ) କେଉଁସବୁ ନିୟମକୁ ସମସ୍ତେ ସମାନ ଭାବେ ମାନିବା ?

୨ ) କେଉଁସବୁ ବ୍ୟବହାର କୌଣସି ବି ଭାଷାର ଉଇକିଆଳି କିମ୍ବା ଉଇକିମିଡିଆ ମୁଭମେଣ୍ଟ ସହ ଜଡିତ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଗ୍ରାହଣଯୋଗ୍ୟ ନୁହେଁ ?

୩ ) କୌଣସି ପ୍ରକାରର ଅସୁବିଧା ବା ଅଭିଯୋଗକୁ କିପରି/କାହାକୁ ରିପୋର୍ଟ କରିବା ? (ବିଭିନ୍ନ ଉପାୟ ଓ ମତାମତ ଉଭୟ ଦରକାରୀ)

୪ ) ବିଭିନ୍ନ କ୍ଷେତ୍ରରେ ଆସିଥିବା ଅଭିଯୋଗ ଗୁଡିକୁ କିପରି ଭାବରେ ସମାଧାନ କରିପାରିବା (ସାମୁହିକ / ବ୍ୟକ୍ତିଗତ ଭାବରେ) ସେ ନେଇ ଏକ ଲିଖିତ ନିୟମାବଳୀ , ଆମ ନିଜ ଭାଷାରେ ପ୍ରସ୍ତୁତ କରିବା । ଏଥିରେ କଣ ସବୁ ଉପାୟ ରହିପାରିବ ? ଏବୋଂ ଏ ନେଇ ଯଦି ଜଣେ ଦୁଇଜଣଙ୍କୁ ଦାୟିତ୍ଵ ନେବାକୁ ଦରକାର ପଡେ ତାହାଲେ କିଏ ଏହି ଦାୟିଦ୍ଵ ନେଇପାରିବେ ? (ନିଜ ନାମ କିମ୍ବା ଅନ୍ୟ ଉଇକିଆଲିଙ୍କ ନାମ ଏଥିପାଇଁ ଦେଇପାରିବେ)

୫ ) "ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ" କଣ ହେବ , କିପରି କମ କରିବା ଓ ଏହାର ଉଦ୍ଦେଶ୍ୟ ମୁଁ ଉପରେ ଲେଖିସାରିଛି । ଓଡିଆ ଉଇକିଆଳି ଭାବେ ଏଥିରେ ଆପଣ କେଉଁସବୁ ନିୟମକୁ ଦେଖିବାକୁ ଚାହାନ୍ତି ?

୬) ଓଡିଆ ଉଇକିଆଳି ଭାବେ ଏଥିରେ ଆପଣ କେଉଁସବୁ ନିୟମକୁ ଦେଖିବାକୁ ଚାହାନ୍ତି ନାହିଁ ? କିମ୍ବା କଣ କଣ ବିଷୟରେ ବିଶେଷ ଧ୍ୟାନ ରଖାଯିବା ଜରୁରୀ ବୋଲି ଭାବୁଛନ୍ତି ?


  • ଦୀର୍ଘ ୧୭ ବର୍ଷର ଉଇକିପିଡିଆ ହୋଇ ମଧ୍ୟ ଏବେ ଯାଏଁ ଆମ ନିଜର ନିଯମାବଳୀ କିଛି ତିଆରି ହୋଇପାରିନି। ତେବେ ଏହି ପ୍ରକଳ୍ପଟି ଭବିଷ୍ୟତରେ ସମସ୍ତଙ୍କ ପାଇଁ ଅନେକ ଉପାଦେୟ ହେବ ବୋଲି ମୋର ଆଶା । @Jnanaranjan sahu@Psubhashish@Subas Chandra Rout@MKar @Hpsatapathy@Aditya Mahar@Hellohappy@Saileshpat @Aliva Sahoo @Pmsarangi @Abha S Pradhan @Radhadwibedi @Ssgapu22 @Soumendrak ଓ ଅନ୍ୟ ସମସ୍ତଙ୍କୁ ଅନୁରୋଧ, କିଛି ସମୟ ବାହାର କରି ଏହି ଆଲୋଚନାରେ ନିଜର ମତାମତ ଯୋଡିବେ ।

    ଏହି "ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ" ପ୍ରକଳ୍ପକୁ ସମର୍ଥନ / ବିରୋଧ କରି ପାରିବେ ।ମୋ ପାଇଁ କିଛି ପ୍ରଶ୍ନ ଥିଲେ ପଚାରିପାରିବେ ।
Aliva Sahoo (ଆଲୋଚନାଅବଦାନ)

ମୋ ମତରେ ଏଥିପାଇଁ କିଛି ଆବଶ୍ୟକୀୟ ନୀତି ଓ ନିୟମାବଳୀ ର ଆବଶ୍ୟକ ଜରୁରୀ ରହିଛି । ମୋର ନିଜସ୍ୱ ବ୍ୟକ୍ତିଗତ କ୍ଷେତ୍ରରେ ମୁଁ କିଛି ଅସୁବିଧାରେ ସମ୍ମୁଖୀନ ହୋଇଛି ।

* କୌଣସି ବିଷୟ ବାବଦରେ ଜାଣିବାକୁ କି କୌଣସି କ୍ଷେତ୍ରରେ ବୁଝି ନପାରିଲେ, ଏହି ବାବଦରେ ପ୍ରଶ୍ନ ପଚାରିଲେ ଉତ୍ତର ଆବଶ୍ୟକ ସମୟରେ ମିଳି ନଥାଏ ।

* ମୋର ଲେଖାରେ ମାନୁଚି ଏବେ ଭୁଲ ରହୁଛି, କିନ୍ତୁ ମୁଁ ସମୟ ମାଗି ସୁଧାରିବାକୁ ବି ଚେଷ୍ଟା କରିଚି, କିନ୍ତୁ ମୋର ଭୁଲ ଆର୍ଟିକିଲ କୁ ସୁଧାରିବା ଯାଗାରେ ସମୟ ବାହାରକରି ଲେଖିଥିବା ଏମିତି ବହୁ ଆର୍ଟିକିଲ କୁ ଡିଲେଟ ମରିଦିଆ ଯାଇଛି, ଯାହା କି ମୁଁ ପରେ ଦେଖିକି ଜାଣେ ।

* ମୋ ଲେଖାକୁ ନେଇ ଏମିତି କିଛି କିଛି ବ୍ୟକ୍ତିଗତ ଭାବେ ମୁଁ ଫେସ ଭି କରିଛି । * ଆଉ ହଁ ଗୋଟିଏ ଅନୁରୋଧ, ସମ୍ପୂର୍ଣ୍ଣ ଆର୍ଟିକିଲ ଗୁଡିକୁ ଡିଲେଟ ମାରିବା ଆଗରୁ ପ୍ରଥମେ ବହୁ ପୁରୁଣାରୁ ଯାହା ବି ଅଧା ଲେଖା କି ଭୁଲ ଲେଖା ଆର୍ଟିକିଲ ଅଛି ତାକୁ ସୁଧାରିବାକୁ କିମ୍ବା ଡିଲେଟ ମାରିବାକୁ ଅନୁରୋଧ ।

ମୁଁ କାହାକୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁନାହିଁ । ଯାହା ଫେସ କରିଛି ତାକୁ ହିଁ ଲେଖିଛି । କ୍ଷମା କରିବେ । ଆଉ ସଭିଙ୍କ ପାଇଁ ସମାନ ସହାୟତା ମିଳୁ । ଯଦି ଆମେ ଗୋଟିଏ କମ୍ୟୁନିଟିରେ କାମ କରୁଛେ ତ ସଭିଙ୍କୁ ମଧ୍ୟ ସମାନ ଦେଖିବାକୁ ଅନୁରୋଧ ।ମୋ ଦ୍ୱାରା ଯାହା ସାହାଯ୍ୟ ମିଳିପାରିବ ମୁଁ କରିବାକୁ ପ୍ରସ୍ତୁତ

Jnanaranjan sahu (ଆଲୋଚନାଅବଦାନ)

ମୋ ଉତ୍ତର ଗୁଡିକ

୧: ନୁଆ, ପୁରୁଣା ଉଇକିଆଳିମାନଙ୍କୁ ସମାନ ଭାବେ ଦେଖାଯିବ।ପୁରୁଷ ମ‌ହିଳା ସମସ୍ତେ ସମାନ । ସବୁ ବ‌ୟସ ବର୍ଗର ଲୋକଙ୍କୁ ମଧ୍ୟ ସମାନ ଭାବେ ଦେଖଯିବା ।ସବୁ ଜାତି, ଧର୍ମ ଏବଂ ବର୍ଣକୁ ସମାନ ଭାବେ ଦେଖାଯିବ ।

୨: ବ୍ୟକ୍ତିଗତ ଆକ୍ଷେପ ।କାହର ରଙ୍ଗ, ଶରୀର ଗଠନ, ଇଚ୍ଚତା କିମ୍ବା ଅକ୍ଷମତାକୁ ନେଇ ଥଟ୍ଟା ପରିହାସ ଜଦି ସେ ଲୋକଙ୍କୁ ସେଇଟା ଅଗ୍ରାହ୍ୟ ତେବେ। କାହାର ବ୍ୟକ୍ତିଗତକୁ ସମସ୍ୟା କିମ୍ବା ସମ୍ପର୍କକୁ ନେଇ ଆଲୋଚନା ଏବଂ ସମାଲୋଚନା । କେହି କିଛି କାମ କରୁଥିଲେ କିମ୍ବା ଭାଗ ନଉଥିବେ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅକ୍ରମଣ କରିବା । ବାକ୍ ବିତର୍କ କରିବା । ପରସ୍ପରକୁ ସମ୍ମାନ ନ କରିବା । କାହା ଉପରେ ଶାରିରୀକ ଆକ୍ରମଣ ।

୩: ଅଭିଯୋଗକୁ ଆଲୋଚନା ସଭାରେ ଲେଖିପାରିବେ । ଗୋଟେ ପୃଷ୍ଠା(ଡେଡିକେଟେଡ ପେଜ ଫର ରିପୋର୍ଟିଙ୍ଗ) ଯେଉଁଠି ଜଣେ ସିଧାସଳଖ ଲଖିପାରିବେ । ଏକ ଜଣେ ଦୁଇ କିମ୍ବା ଅଧିକ ଜଣିଆ ଦଳ ବା ଟିମ୍ (ପରିଚାଳକ ନଥିବା ଦଳ) ଯିଏ ଏମିତି ସବୁ ଅଭିଯୋଗକୁ ବୁଝିପାରିବେ ଏବଂ ଅଲୋଚନା କରି ପାରିବେ । କିଛି ଲୋକ ସର୍ବସାଧାରଣରେ ବା ବାହରେ ନିଜ ମନ କଥା ଲେଖବା ପାଇଁ ସ‌ହଜ ଅନୁଭବ କରିନ୍ତି ନାହିଁ ତେଣୁ ଏକ ଇମେଲ ଆଡି କିମ୍ବା ଅନ୍ୟ ମାଧ୍ୟମ ଯେଉଁଠି ଜଣେ ନିଜ ପରିଚୟ ଦେବା ବିନା କାହା ବିରୁଦ୍ଧରେ ଲେଖି ପାରିବେ କିନ୍ତୁ ଯଥେଷ୍ଟ ପ୍ରମାଣ ନ ଥିଲେ ତା ଅଣଦେଖା କରାଯିବା କାରଣ ବ୍ୟକ୍ତିଫତ କାରଣରୁ କେହି ସ୍ପାମ କରି ପାରନ୍ତି ।

୪: ସାଧରଣତଃ ଅଲୋଚନା ସଭାରେ ସମାଧାନ କଲେ ଭଲ କାରଣ ଭବିଷ୍ୟତ ପାଇଁ ସେଇଟା କାମରେ ଆସିବ । ହେଲେ ଯେମିତି ଉପରେ ଲେଖିଲି ଅନୁ ଉଇକିଆଳି ଯିଏକି ପରିଚାଳକ ହୋଇନେଥିବେ(ପରିଚାଳକମାନଙ୍କୁ ଅଧିକା ଦାୟିତ୍ୱ ନ ଦେବା ଏବଂ ଅଧିକ ଶକ୍ତି ନ ଦେବା ପାଇଁ) ସେମିତି ଗୋଟେ ଦଳ ଗଠନ କରି ପାରିବେ ଯେଊଁମାନେ ଏଇ କଥା ଅଲୋଚନାରେ ଲେଖିପାରିବେ ଏବଂ ସମାଧାନ କରିପାରିବେ ଅଧିକ ଗୁରୁତ୍ୱପୁର୍ଣ ହେଲେ ଗ୍ଲୋବାଲ କମ୍ୟୁନିଟିରେ କଥା ଉଠେଇପାରିବେ ।

୫: ସାଧରଣ ନିୟମ ଯାହା ସବୁ ଉଇକିରେ ପ୍ରଣ‌ୟନ କରାଯାଇଛି ସେଗୁଡିକ ରଖିଲେ ଭଲ ।

୬: ମୁଁ ଉପରେ ୨ ନମ୍ବରରେ ଲେଖିଥିବା ଜିନିଷଗୁଡିକୁ ଧ୍ୟାନ ଦେଲେ ଭଲ ହୁଅନ୍ତା

୭: ଭଲ ଜିନିଷଟେ, ମୋ ବ୍ୟକ୍ତିଗତ ମତ ହେଉଛି ଯେ ବର୍ତ୍ତମାନ ଆମ ଉଇକି ଏକ ଅଳ୍ପସଂଖ୍ୟକ ଲୋକଙ୍କ ଭିତରେ ସିମୀତ ଏବଂ ଆମ ସମସ୍ତେ ଆନ୍ତିରକ ଭାବେ ଜଡିତ । ବଡ ଅସୁବିଧା କିଛି ହେଇନି । ଯାହା ହେଇଛି ଉଇକିରେ ଅଲୋଚନା ନ ହେଇ ସମାଧାନ ହେଇଛି । କିନ୍ତୁ ଭବିଷ୍ୟତକୁ ଦେଖିଲେ ଏକ ନିୟମାବଳୀ ରହିବା ଜରୁରୀ । ଆମେ ତ କାହାକୁ କିଛି ଦଣ୍ଡ ଦେଇ ପାରିବାନି ହେଲେ ନିୟମ ମାନିବାକୁ କ‌ହିପାରିବା । ଆଗକୁ ଆମ ଭିତରୁ କିଏ ଥିବ ନ ଥିବ । ଆମ ଉଇକି ପରିବାର ଏତେ ବଡ ହେଇଯିବ ଯେ ବ୍ୟକ୍ତିଗତ ଭାବେ ଯୋଡି ହେଇ ରହିବା ଅସୁବିଧା ହେବେ ସେତେବେଳେ ଏହି ନିୟମଗୁଡିକ ଆମ କାମରେ ଆସିବ ।

ମୁଁ ଏହି ପ୍ରକଳ୍ପକୁ  ସମର୍ଥନ କରୁଛି ।

Ssgapu22 (ଆଲୋଚନାଅବଦାନ)

କିଛି ନିଜସ୍ୱ ଅସୁବିଧା ପାଇଁ ମୁଁ ଟିକେ ବିଳମ୍ବରେ ପଢ଼ୁଛି, ତେଣୁ କ୍ଷମା ଚାହୁଁଛି । ଏ ବିଷୟରେ ଆଲୋଚନା ନିହାତି ଆବଶ୍ୟକ ଥିଲା, ଯଦିଓ ଆମେ ସେତେ ବଡ଼ ହେଇନେ, ସଭିଏଁ ଗୋଟିଏ ବା ଦୁଇଟି ଗ୍ରୁପ୍‌ରେ ରହିପାରୁଛେ, ତଥାପି କିଛିଟା ନିୟମ ରହିବା ଆବଶ୍ୟକ, ଆଉ ଭବିଷ୍ୟତରେ ଏହି ନିୟମ ସବୁ ବି ବାରମ୍ବାର ବିଚାରବିମର୍ଶ ହେବା ଆବଶ୍ୟକ ।

- ଏଠାରେ ଲେଖୁଥିବା ସମସ୍ତ ଉଇକିଆଳୀ ଉପଯୋଗୀ, ତେଣୁ ନୂଆ ଆଉ ପୁରୁଣା ବା ଅଭିଜ୍ଞ ଭାବରେ ନ ଦେଖି, ସଭିଙ୍କର ଭୁଲ୍‌କୁ ଭୁଲ୍ ଆଉ ଠିକ୍‌କୁ ଠିକ୍ ବୋଲି ଧରିବା ଆବଶ୍ୟକ । - ପ୍ରାୟତଃ ନୂଆ ନୂଆ ଲେଖୁଥିବା ବା ସମ୍ପାଦନା ଆରମ୍ଭ କରୁଥିବା ସମସ୍ତେ ସବୁକଛି ଜାଣିନଥାନ୍ତି (ମୁଁ ନିଜେ ମଧ୍ୟ ଏହି ପାଞ୍ଚ ବର୍ଷ ମଧ୍ୟରେ ବହୁତ କିଛି ଜାଣିନାହିଁ), ତେଣୁ ସେମାନଙ୍କୁ କେମିତି କେଉଁଠି ସବୁ ଉଲ୍ଲେଖ ଅଛି ସେ ବିଷୟରେ ଜଣାଇବା ଆବଶ୍ୟକ ଆଉ ସେହିଭଳି ଅନ୍ୟାନ୍ୟ ଜିନିଷକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ।

  • ପୁରୁଣା ଉଇକିଆଳି ଲେଖୁଥିବା ପ୍ରସଙ୍ଗଟି ଯେ ସମ୍ପୂର୍ଣ୍ଣ ଠିକ୍ ତାହା ନୁହେଁ, କେବେ କବେ ନୂଆ ପିଲା ଲେଖୁଥିବା ଲେଖାଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ଆଉ ସେଗୁଡ଼ିକୁ ଡିଲିଟ୍ କରି ପୁଣିଥରେ ସେ ପ୍ରସଙ୍ଗ ଲେଖିବା ବଦଳରେ ତାକୁ ସୁଧାରିଲେ ଭଲ ହେବ ବୋଲି ମୋତେ ଲାଗେ ।

- କିଛିଦିନ ତଳେ ଏକ ଆଲୋଚନାରେ ମୁଁ ଯାହା ଅନୁଭବ କଲି କି, କାହାକୁ କାହା ସହ ତୁଳନା କରିବା ହୁଏତ ଗୋଟିଏ ଭୁଲ୍ । ଯଦିଓ ଆମେ ସକାରତ୍ମକ ଢଙ୍ଗରେ କାହାକୁ ତୁଳନା କଲେ ସେ ଖୁସି ହୁଅନ୍ତି, କିନ୍ତୁ କେବେ କେବେ ଟିକିଏ ଶବ୍ଦର ଏପାଖ ସେପାଖ ମଧ୍ୟ ସେମାନଙ୍କୁ ଆଘାତ ଦେଉଛି । ତେଣୁ ଉଭୟ ଢଙ୍ଗରେ କାକାକୁ ତୁଳନା ନ କଲେ ଭଲ ହେବ ।

ଏବେ ଅଧିକ ପ୍ରାୟ ମୁଣ୍ଡରେ ଜୁଟୁନାହିଁ, ହୁଏତ ଆଗାମୀ ଦିନରେ ଯେତେବେଳେ ସେମିତି କିଛି ଘଟଣା ଘଟିବ, ସେତେବେଳେ ତା'ଉପରେ ପୁଣି ଆଲୋଚନା ହେଇପାରେ ଆଉ ଅନ୍ୟମାନେ ମଧ୍ୟ ଅଧିକ ବିଷୟରେ ଜାଣିଥିବେ, ସେ ଉପରେ ମଧ୍ୟ ଆଲୋଚନା କରିଲେ ଭଲ ହେବ ।

Psubhashish (ଆଲୋଚନାଅବଦାନ)

ବହୁ ଲୋକରେ ମୂଷା ମରନ୍ତି ନାହିଁ କଥାଟି ଉଇକିପିଡ଼ିଆରେ କାମ କରେନି । ଏଠି ବହୁ ଲୋକ ଲୋଡ଼ା । ବହୁ ପ୍ରକାରର (ସାମାଜିକ/ନୈତିକ/ରାଜନୈତିକ ମତ, ଲିଙ୍ଗଗତ ଭିନ୍ନତା ଓ କାମକୁଶଳତା ଆଦି) ଲୋକ ଲୋଡ଼ା । ବିବିଧତା ଉଇକିପିଡ଼ିଆର ଚେର । ତେଣୁ ବିବିଧତା ବିରୋଧରେ ହେଉଥିବା ସବୁ ବିଷୟର ଆଲୋଚନା ଓ ନିର୍ଯ୍ୟାସ ଲୋଡ଼ା । ଜ୍ଞାନ ଲେଖିଥିବା ସବୁ ବିଷୟରେ ମୁଁ ଏକମତ ହେଲେ ବି ଆନ୍ତରିକ ଭାବେ ଜଡ଼ିତ ହୋଇଥିବାରୁ ଆଲୋଚନା ନ ହେବା ଏକ ଭଲ କାରଣ ଭାବୁନି । ଏମିତି କେବେ ନ ହେଉ । ହେଲେ କାଲି ଯଦି କାହା ଉପରେ ଶାରିରୀକ/ମାନସିକ ନିର୍ଯ୍ୟାତନା ହୁଏ ତାହେଲେ ଆମେ ମୁହ୍ଲାଜା ଦେଖାଇ ଚୁପ ରହିବା କି? ତେବେ ଅନେକ ସମୟରେ ସମ୍ବେଦନଶୀଳ ବିଷୟ ଆଲୋଚନା ସଭାରେ ଆଲୋଚିତ ହୁଏନା ଆଉ ହେବା କଥା ନୁହେଁ । ଏଭଳି ଆଲୋଚନା ପାଇଁ ଅଲଗା ବାଟ ରହିବା ଲୋଡ଼ା ଆଉ UCoCରେ ସେ ବାବଦରେ କିଛି ପରାମର୍ଶ ରହିଲେ ଭଲ । ସମସ୍ତେ ସବୁ ଜାଣନ୍ତି ନାହିଁ । ସମସ୍ତେ ସବୁ ଜିନିଷ ଆବଶ୍ୟକ ମଣନ୍ତି ନାହିଁ । ଅନେକେ ବିଭିନ୍ନ ସାମାଜିକ ନ୍ୟାୟ (social justice) ବିଷୟରେ ଜାଣିନଥିବାରୁ ତାହାର ଆବଶ୍ୟକତା ମଣନ୍ତି ନାହିଁ । ଛୋଟ କମ୍ୟୁନିଟିରେ ଅନେକେ ଭାବନ୍ତି ଆମେ ସବୁ ଚିହ୍ନାଜଣା ତ । କାହିଁକି ଲିଖିତ ନିୟମ ରଖିବା । ଇଏ କରୋନାଭୂତାଣୁ ପାଇଁ ଅତ୍ୟାବଶ୍ୟକୀୟ ଡାକ୍ତରୀ ଉପକରଣର ଅଭାବ ବା ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା ପାଇଁ କୌଣସି ଯୋଗାଡ଼ର ଅଭାବ ଭଳି । ସବୁ ଭଲରେ ଚାଲୁଥିଲେ UCoC କରିବାର ଆବଶ୍ୟକତା ପଡ଼ିନଥାନ୍ତା ମୂଳରୁ । ଆଉ ସେଥିରେ ଯେଉଁ ମୁଖ୍ୟ ବିଷୟସବୁ ରହିଛି ସେସବୁ ସାମାଜିକ ବିଷୟ । ମୋବାଇଲର ଅପରେଟିଂ ସିଷ୍ଟମ ଭର୍ସନ ନୁହେଁ ଯେ ପୁରୁଣା ହୋଇଯିବ କାଲି । ସମ୍ବେଦନଶୀଳ ବିଷୟ ବ୍ୟକ୍ତିଗତ ଆରୋପ ବିନା ଆଲୋଚନା ହେବା କଥା । ସମସ୍ତେ ଉପରେ ଅନେକ ଜିନିଷ ଉଲ୍ଲେଖ କରିଛନ୍ତି ଆଉ ମେଟା ଲିଙ୍କରେ ବି ଅନେକ କଥା ଉଲ୍ଲେଖ ହୋଇଛି । କିଛି ଜିନିଷ ତଳେ ମୁଁ ଖାଲି ଆଉଥରେ ଗାର ଟାଣିଦେବାକୁ ଚାହେଁ । ତାହା ହୁଏତ ଆଗରୁ କେଉଁଠି ଥିବ ।

  • ଗୋପନୀୟ, ସମ୍ବେଦନଶୀଳ ବିଷୟ ଆଦିର ଆଲୋଚନା ପାଇଁ ସୁରକ୍ଷିତ ଓ encrypted platform ବିଷୟରେ ପରାମର୍ଶ ଓ ସେସବୁ ବିଷୟ ଆଲୋଚନା କରିବା ବେଳେ କିଛି ଜାଣିବା କଥା (କଣ କରିବେ କଣ କରିବେ ନାହିଁ) ।
  • ଅନେକ ଉଇକିଆଳି ବ୍ୟକ୍ତିଗତ ସ୍ତରରେ ସମ୍ବନ୍ଧିତ । ସେ କ୍ଷେତ୍ରରେ ସାମାଜିକ/ନୈତିକ/ରାଜନୈତିକ ମତଭେଦ ଉପୁଜିଲେ ଜଣେ ଆଉ ଜଣଙ୍କୁ ଆକ୍ରମଣ କରିବାର ବହୁ ଉଦାହରଣ ରହିଛି । କିପରି ଉଇକିପିଡ଼ିଆ ଜୀବନ ଆଉ ବ୍ୟକ୍ତିଗତ ଜୀବନ ଅଲଗା ରଖିହେବ ସେ ବାବଦରେ କିଛି ଆଲୋଚନା/ପରାମର୍ଶ । ଜଣେ ଉଇକିଆଳି ଉଇକିପିଡ଼ିଆ ବାହାରେ ସେଭଳି କାମରେ ଲିପ୍ତ ରହିଲେ କି ପଦଃକ୍ଷେପ ନିଆଯିବ (ବା ନିଆଯିବନି) ଓ ଯାହା ଉପରେ କୌଣସି ପ୍ରକାର ଆକ୍ରମଣ ହେଉଛି ତାଙ୍କର ନିରାପତ୍ତା ବାବଦରେ ଆଲୋଚନା ।
  • ଜଣେ ଖୁବ ଉଚ୍ଚକୋଟୀର ଲେଖା ଲେଖିବା ବେଳେ ବ୍ୟକ୍ତି-ବ୍ୟକ୍ତି ଭିତରେ ବ୍ୟବହାରରେ ତ୍ରୁଟି (କାହାର ରୂପ, gender ଓ ଅନ୍ୟାନ୍ୟ ବ୍ୟକ୍ତିଗତ ବିଷୟକୁ ଆଧାର କରି) ଉପୁଜିଲେ ତା'ର ସମାଧାନ ।
  • କେହି ଗୋପନୀୟ, ବ୍ୟକ୍ତିଗତ, ସମ୍ବେଦନଶୀଳ ବିଷୟ ସାଧାରଣରେ ପ୍ରଘଟ କଲେ କଣ ପଦଃକ୍ଷେପ ନିଆଯିବ ।
  • ଅନେକ ସମୟରେ "ଆମ ସମାଜରେ ଏସବୁ ଚଳେ । ଆଉ କେଉଁଠି/ବିଦେଶରେ ଚଳୁନଥିବ ।" ଭଳି ଉକ୍ତି ବ୍ୟବହାର କରି ଫେମିନିଜିମ, ଲିବେରାଲିଜିମ, ଧର୍ମନିରପେକ୍ଷତା, ଲିଙ୍ଗଗତ ନିରପେକ୍ଷତା ଓ ସେଥି ସମ୍ବନ୍ଧିତ ବ୍ୟବହାରଗତ ତ୍ରୁଟିକୁ ଲୁଚାଇ ଦିଆଯାଏ । ମୋ ମତରେ ଯେଉଁ ସମାଜରେ "rape culture" ଭଲି ବିଷୟ ସାଧାରଣ ସେଠି ଏସବୁ sensitization ଅତି ଜରୁରୀ । ଅର୍ଥାତ ସୁଇଡେନରେ ଲିଙ୍ଗଗତ ନିରପେକ୍ଷତା ବାବଦରେ ଆଲୋଚନା ଯେତେ ଲୋଡ଼ା ନାହିଁ ଆମ ସମାଜରେ ତାହା ଖୁବ ବେଶୀ ଲୋଡ଼ା । କାରଣ "ହିଞ୍ଜଡ଼ା/ମାଇଚିଆ" ଭଳି ଶବ୍ଦ ଗାଳି ଭାବେ ବ୍ୟବହାର ହେବା, ଭିନ୍ନ ଭିନ୍ନ genderର ଲୋକଙ୍କୁ ସମାଜରେ ସମାନ ଭାବେ ସମ୍ମାନ ଓ ଅଧିକାର ନ ଦେବା ଆମର ନିତିନିଦିନିଆ ଘଟଣା ।

ସାମାଜିକ ଅସୁବିଧା ମଣିଷର ବ୍ୟାବହାରିକ ଓ ଚାରିତ୍ରିକ ପ୍ରତିଫଳନ । ତେଣୁ ମୋ ମତରେ କମ୍ୟୁନିଟି ୨ ଜଣ ଲୋକଙ୍କୁ ନେଇ ତିଆରି ହେଲେ ବି ନିୟମାବଳୀ ଲୋଡ଼ା । ଆଉ ସମସ୍ତଙ୍କ ଅସୁବିଧାକୁ ସ୍ଥାନ ଦେଲେ Code of Conduct ଆପେ ଆପେ ୟୁନିଭର୍ସାଲ ହେବ । ପୂରା ନ ହେଲେ ବି ମୋଟାମୋଟି ହେବ । ବାକି ଇଏ ବି ଉଇକି ଭଳିଆ । ଆଜି "ମୁଣ୍ଡିଆ" ଲେଖା ହେଲେ କାଲିକି "ବଛା" ହେବ ।

Radhadwibedi (ଆଲୋଚନାଅବଦାନ)

ଧନ୍ୟବାଦ ଚିନୁ ।

ମୋ ମତରେ ଆମେ ସମସ୍ତେ ବ‌ହୁତ କମ୍ ସମୟ ଏଥିରେ ଦଉଛୁ । ଏହାକୁ ବଢାଇବାକୁ ପଡିବ ।

ମଣିଷ ମାତ୍ରରେ ଭୁଲ୍ ତେଣୁ ଏହାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ ।

This post was hidden by Radhadwibedi (history)
Chinmayee (WMF) (ଆଲୋଚନାଅବଦାନ)

ସାଦର ପ୍ରଣାମ,
ନିଜର ମୂଲ୍ଯବାନ ସମୟ ଦେଇ ଏହି ଆଲୋଚନାରେ ଭାଗ ନେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ । ଏତିକି ଦିନ ଭିତରେ ଏହି ଉଇକିପିଡିଆ ଆଲୋଚନା ସଭା ଛଡା ମୁଁ କିଛି ଉଇକିଆଳିଙ୍କ ଠାରୁ ବ୍ୟକ୍ତିଗତ ଭାବରେ ମଧ୍ୟ ମତାମତ ପାଇଛି । ମତେ ମଧ୍ୟ ଏହି କିଛି ଦିନ ଭିତରେ ଅଳ୍ପବହୁତେ ସଭିଙ୍କ ଠାରୁ କିଛି କିଛି ଜାଣିବାକୁ ଓ ଶିଖିବାକୁ ମିଳିଛି । ସେଥିପାଇଁ ସବୁ ଉଇକିଆଳିଙ୍କୁ ଧନ୍ୟବାଦ ଦେଉଛି ।
ଏବେ ଏହି ପ୍ରକଳ୍ପ ସହିତ ଜଡିତ ଥିବା ସମ୍ପ୍ରଦାୟିକ ଅନୁଶୀଳନ ପ୍ରକ୍ରିୟାଟି (Community consultation process) ଏହାର ଶେଷ ଭାଗରେ ପହଞ୍ଚିଛି । ଆସନ୍ତା ୨୯ ତାରିଖରେ ଏହାକୁ ଶେଷ କରିବାକୁ ନିର୍ଦ୍ଦେଶ ମିଳିଛି । ତେଣୁ ସଭିଙ୍କୁ ଅନୁରୋଧ, ଏହି ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ ପ୍ରକଳ୍ପକୁ ନେଇ ଯଦି ଆଉ କେହି କିଛି ମତାମତ ଯୋଡିବାକୁ ଚାହୁଥିବେ କିମ୍ବା କିଛି ପ୍ରଶ୍ନ ପଚାରିବାକୁ ଚାହୁଥିବେ, ୨୯ ତାରିଖ ଭିତରେ ଏହି ଆଲୋଚନାରେ ଯୋଡ଼ିପାରିବେ , କିମ୍ବା ମତେ ବ୍ୟକ୍ତିଗତ ଭାବରେ ପଠେଇଦେଇପାରିବେ ।

Prateek Pattanaik (ଆଲୋଚନାଅବଦାନ)

ସମସ୍ତେ ପ୍ରାୟ ସବୁ ବିଷୟ ଉପରେ କିଛି କିଛି କହିଲେଣି ; ମୁଁ ଏଠି ଗୋଟିଏ କଥା ଯୋଡ଼ି ରଖିବାକୁ ଚାହେଁ ।

  • ଯଦି କେଉଁଠି କୌଣସି ପ୍ରକାର ହାରାସମେଣ୍ଟ / ଟ୍ରୋଲିଂ / ଆକ୍ଷେପ କରାଯାଏ ଓ ତାହା କୋଡ ଅଫ କଣ୍ଡକ୍ଟ ମତେ ଅଗ୍ରାହ୍ୟ ପ୍ରମାଣିତ ହୁଏ, ତେବେ ୱାର୍ନିଂ ମେକାନିଜିମ କିଭଳି କାମ କରିବ ଏହା ସ୍ପଷ୍ଟ ହେବା କଥା । କଣ ପଦକ୍ଷେପ ନିଆଯିବ? କେତେଥର ସତର୍କ କରାଯିବ / ୱାର୍ନିଂ ଦିଆଯିବ? କେତେଥର ୱାର୍ନିଂ ମିଳିଲା ପରେ ଜଣେ ବ୍ୟବହରକାରୀ ଉପରେ ଆଡମିନମାନଙ୍କୁ ନିରନ୍ତର ନଜର ରଖିବାକୁ ହେବ? କେତେଥର ଅବମାନନା କଲେ ଉଇକିରୁ ବାସନ୍ଦ ହେବ? ଏସବୁ ସ୍ପଷ୍ଟ ଲିଖିତ ହେବା ଆବଶ୍ୟକ । ଅମାନିଆ ହୋଇ କୋଡ ଅଫ କଣ୍ଡକ୍ଟକୁ ଯେଉଁମାନେ ଭ୍ରୂକ୍ଷେପ କରିବେ ନାହିଁ ସେମାନଙ୍କୁ ଦଳଗତ ନିଷ୍ପତ୍ତି ଦ୍ୱାରା ବହିଷ୍କୃତ କରାଯିବା ବ୍ୟବସ୍ଥା ରହିବା କଥା ।
  • ହୋଇପାରେ କି ପରବର୍ତ୍ତୀ ସମୟରେ ଅଧିକାଂଶ ଲୋକଙ୍କ ଏକ ପ୍ରକାର ମନ୍ତବ୍ୟ ରହିବ । ଏଭଳି ପରିସ୍ଥିତିରେ ଯେଉଁମାନେ ମତ ଅଲଗା, ସେମାନେ କୌଣସି ସମୟରେ ମଧ୍ୟ ଯେପରି ନ ଭାବନ୍ତି ଯେ ତାଙ୍କ ବିଚାରଧାରାକୁ ଶମିତ କରାଯାଉଛି, କି ଦଳଗତ ଭାବେ ତାଙ୍କ ମତର ଓଜନ ରହୁନି । ସମସ୍ତଙ୍କ ମତ ଯେପରି ସମାନ ଭାବେ ପରିଗଣିତ ହେବ ଏବଂ ଉପଯୁକ୍ତ ନିଷ୍ପତ୍ତି ନିଆଯିବ । କାହାର ମତକୁ ଯେପରି ଅଣଦେଖା ନ କରାଯିବ ।
  • ହୋଇପାରେ କି କେତେକ ସଦସ୍ୟଙ୍କୁ କୌଣସି ସମୟରେ କୋଡ ଅଫ କଣ୍ଡକ୍ଟ ଅନୁଚିତ ଲାଗିବ । ଏପରି ପରିସ୍ଥିତିରେ ଯେପରି କୋଡ ଅଫ କଣ୍ଡକ୍ଟ ଅପଡେଟ କରିବା ପାଇଁ ପ୍ରସ୍ତାବ ଦେଇପାରିବେ । କୋଡ ଅଫ କଣ୍ଡକ୍ଟ ଯେପରି ପଥର ଗାର ହେଇ ନ ରହେ । ପଛେ ସେହି ସଦସ୍ୟ ଉଇକିରୁ ବାସନ୍ଦ ହୁଅନ୍ତୁ ନ ହୁଅନ୍ତୁ, ଏହି କେତେକ ପ୍ରାବଧାନ ସମସ୍ତଙ୍କ ପାଇଁ ସଦାବେଳେ ଖୋଲା ରହିବା ଉଚିତ । ଅନ୍ୟଥା ଗୋଟିଏ ମତ ସମସ୍ତଙ୍କ ଉପରେ ଲଦାଯିବା ସମ୍ଭାବନା ଉପୁଜିପାରେ । ଉଇକିର ନିଉଟ୍ରାଲିଟି ରହିବ ନାହିଁ ।
  • ଉଇକି ସମ୍ବନ୍ଧୀୟ କୋଡ ଅଫ କଣ୍ଡକ୍ଟ ଭାୟୋଲେସନ / ଉଲ୍ଲଙ୍ଘନ ଯଦି ଉଇକିରେ ନ ହୋଇ ଅନ୍ୟତ୍ର ହୁଏ (ଟୁଇଟର, ଫେସବୁକ, ଆଦି) ତାହେଲେ ମଧ୍ୟ ତାହା ଅଗ୍ରାହ୍ୟ । ପ୍ରମାଣ ସହିତ ପଦକ୍ଷେପ ନିଆଯଇପାରିବା ଆବଶ୍ୟକ ।
  • ରାଜନୈତିକ ମତବାଦ ନେଇ ଅନେକ ଗଣ୍ଡଗୋଳ । କିନ୍ତୁ ଏତଦ୍ଦ୍ୱାରା ଯେପରି ଉଇକିର ଛବି ଉପରେ ଆଞ୍ଚ ନ ଆସେ । ଏହା କୌଣସି ପଲିଟିକାଲ ଏଜେଣ୍ଡା ପାଇଁ ନୁହେଁ, ମୁକ୍ତ ଜ୍ଞାନ ବିତରଣ ପାଇଁ ଏକ ପ୍ରୋଜେକ୍ଟ । କେତେଜଣ ରାଜନୈତିକ ଏଜେଣ୍ଡା ଚିତ୍ରିତ କରି ଉଇକି ନାମରେ ଅପପ୍ରଚାର କରୁଛନ୍ତି । ଏଭଳି ପରିସ୍ଥିତିରେ ମଧ୍ୟ କଣ୍ଟ୍ରୋଲ ମେକାନିଜମ ରହିବା ଆବଶ୍ୟକ । ଉଇକିର ଧାର୍ମିକ, ରାଜନୈତିକ, ସାମାଜିକ ଆଦି ସମସ୍ତ ଦିଗରୁ ସମଦୃଷ୍ଟି ରହିବ, ପକ୍ଷପାତିତା ରହିବ ନାହିଁ ।
Chinmayee (WMF) (ଆଲୋଚନାଅବଦାନ)

ସମସ୍ତ ଉଇକିଆଳିଙ୍କୁ ମୋର ସାଦର ପ୍ରଣାମ,
ଆମ ଉଇକିପିଡିଆ ପାଇଁ ମୁଁ ଏକ ଜରୁରୀ ପ୍ରକଳ୍ପକୁ ନେଇ ମୁଁ ଏହି ଆଲୋଚନାଟି ଆରମ୍ଭ କରିଥିଲି । ଏକ ମହାମାରୀ ସମୟରେ ମଧ୍ୟ ଆପଣ ମାନେ ନିଜର ସମୟ ବାହାର କରି ଅଳ୍ପ ବହୁତେ ନିଜର ମତାମତ ଏଥିରେ ଯୋଡିଛନ୍ତି ଓ ଆଲୋଚନାଟିକୁ ସଫଳ କରିଛନ୍ତି । ଏହି ୩ ମାସ ସମୟ ଭିତରେ ମତେ ମୋ କାମରେ ବହୁତ ଜିନିଷ ଶିଖିବାକୁ ମିଳିଛି ଓ ଆପଣ ମାନଙ୍କ ଠାରୁ ବହୁତ କିଛି ଜାଣିବାକୁ ମିଳିଛି । ସେଥିପାଇଁ ମୁଁ ଆପଣମାନଙ୍କୁ କେବଳ ଧନ୍ୟବାଦ କହିବାଟା ଯଥେଷ୍ଟ ହେବନାହିଁ । ଜଣେ ଓଡିଆ ଉଇକିଆଳି ଭାବରେ ଗତ ୪ ବର୍ଷ ଭିତରେ ଯେତିକି ଜିନିଷ ଶିଖିବାକୁ ପାଇଥିଲି ବା ଯାହା ସବୁ ଅଭିଜ୍ଞତା ସାଉଁଟି ଥିଲି, ଉଇକିମିଡିଆ ଫାଉଣ୍ଡେସନ ସହିତ ଏହି ୩ ମାସ କାମ କରି, ସେଥିରେ ମୋ ପାଇଁ ଆଉ ଗୋଟେ ଶିକ୍ଷଣୀୟ ଫର୍ଦ୍ଦ ଯୋଡିହେଇଯାଇଛି । ଏସବୁରେ ଆପଣ ମାନଙ୍କ ଅବଦାନ ପାଇଁ ମୁଁ ଚିରଋଣୀ ରହିବି । ବର୍ତ୍ତମାନ ପାଇଁ ମୁଁ ଏହି ଆଲୋଚନାଟିକୁ ସମାପ୍ତ କରୁଛି, ଏହି ପ୍ରକଳ୍ପର ପରବର୍ତ୍ତୀ ବିବରଣୀ ଜୁନ ମାସ ଶେଷ ସୁଦ୍ଧା ମେଟାରେ ପ୍ରକାଶ ପାଇବାର ଆଶା ରହିଛି । ଆପଣ ମାନଙ୍କ ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ, ଆଶା କରୁଛି ଆଗକୁ ଆମେମାନେ ଆହୁରି ଆଗେଇବା ।