ସିଂହଳୀ କଲରାପତରିଆ ବାଘ

ଉଇକିପିଡ଼ିଆ‌ରୁ


ସିଂହଳୀ କଲରାପତରିଆ ବାଘ
ୱିଲପଟ୍ଟୁ ଜାତୀୟ ଉଦ୍ୟାନର ଏକ ସିଂହଳୀ କଲରାପତରିଆ ବାଘ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ବର୍ଗ: କାର୍ନିଭୋରା
Suborder: Feliformia
Family: Felidae
Genus: Panthera
ଜାତି: P. pardus
ଉପଜାତି: P. p. kotiya
ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା, ୧୯୫୬
ଟ୍ରାଇନୋମିଆଲ ନାମ
Panthera pardus kotiya
ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା, ୧୯୫୬
ସିଂହଳୀ କଲରାପତ୍ରିଆ ବାଘଙ୍କ ଭୌଗୋଳିକ ବିତରଣ

ସିଂହଳୀ କଲରାପତରିଆ ବାଘ (ଇଂରାଜୀରେ Sri Lankan leopard, ଜୀବବିଜ୍ଞାନ ନାମ Panthera pardus kotiya) ଶ୍ରୀଲଙ୍କା ଦେଶରେ ଦେଖାଯାଉଥିବା କଲରାପତରିଆ ବାଘଙ୍କର ଏକ ଉପପ୍ରଜାତି । ୧୯୫୬ ମସିହାରେ ଜୀବବିଜ୍ଞାନୀ ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା ପ୍ରଥମେ ଏହି ପ୍ରଜାତିର ବିବରଣୀ ପ୍ରଦାନ କରିଥିଲେ ।[୧]

୨୦୦୮ ମସିହାରେ ସିଂହଳୀ କଲରାପତ୍ରିଆ ବାଘର ସଂରକ୍ଷଣ ସ୍ଥିତିକୁ “ସଙ୍କଟାପନ୍ନ” ବୋଲି ବିବେଚନା କରାଯାଇ ଏହାକୁ IUCN ସଂସ୍ଥାର ନାଲି ତାଲିକାର (IUCN Red List) ଅନ୍ତର୍ଭୁକ୍ତ କରାଗଲା । ୨୦୧୫ ମସିହା ବେଳକୁ ବଣରେ ଆନୁମାନିକ ୭୦୦-୯୫୦ଟି ସିଂହଳୀ କଲରାପତ୍ରିଆ ବାଘ ରହିଥିବା ବିଷୟ ପ୍ରକାଶ ପାଇଥିଲା ।[୨]

ଗଠନ ଓ ପ୍ରକୃତି[ସମ୍ପାଦନା]

ୟାଲା ଜାତୀୟ ଉଦ୍ୟାନର ଏକ ମାଈ ସିଂହଳୀ କଲରାପତ୍ରିଆ

ସିଂହଳୀ କଲରାପତ୍ରିଆର ଛାଲ କମଳାମିଶା ହଳଦିଆ ରଙ୍ଗର ହୋଇଥାଏ ଯେଉଁଥିରେ କଳା କଲରାପତ୍ର ଦାଗ ରହିଥାଏ । ଭାରତୀୟ କଲରାପତରିଆ ବାଘଙ୍କ ତୁଳନାରେ ଏମାନଙ୍କ କଲରାପତ୍ର ଦାଗ ଛୋଟ । ବିଂଶ ଶତାବ୍ଦୀର ଆରମ୍ଭରେ ହୋଇଥିବା ଏକ ଶୌଧ ଅନୁସାରେ ୭ଟି ମାଈ କଲରାପତ୍ରିଆଙ୍କ ହାରାହାରି ଓଜନ ୨୯ କିଲୋଗ୍ରାମ୍ (୬୪ ପାଉଣ୍ଡ), ମୁଣ୍ଡ-ଦେହ ଦୈର୍ଘ୍ୟ ୩’ ୫” (୧.୦୪ ମିଟର୍), ଲାଞ୍ଜର ଦୈର୍ଘ୍ୟ ୨’ ୬.୫” (୭୭.୫ ସେ.ମି.) ବାହାରିଥିଲା । ଏମାନଙ୍କ ମଧ୍ୟରୁ ବୃହତ୍ତମ ଜୀବଟି ୩’ ୯” (୧.୧୪ ମିଟର୍) ଲମ୍ବା ଥିଲା ଯାହାର ଲାଞ୍ଜଟି ୨’ ୯” (୮୪ ସେ.ମି.) ଲମ୍ବ ଥିଲା । ସେହିପରି ୧୧ଟି ଅଣ୍ଡିରାଙ୍କ ହାରାହାରି ଓଜନ ୫୬ କି.ଗ୍ରା. (୧୨୪ ପାଉଣ୍ଡ) ଓ ସେମାନଙ୍କ ମଧ୍ୟରେ ସର୍ବବୃହତ ଜୀବଟି ୭୭ କି.ଗ୍ରା. (୧୭୦ ପାଉଣ୍ଡ) ଓଜନର ଥିଲା । ସେମାନଙ୍କ ଶରୀର ଓ ଲାଞ୍ଜର ହାରାହାରି ଦୈର୍ଘ୍ୟ ଯଥାକ୍ରମେ ୪’ ୨” (୧.୨୭ ମି.) ଓ ୨’ ୧୦” (୮୬ ସେ.ମି.) ହୋଇଥିବା ବେଳେ ସର୍ବବୃହତ ଜୀବ ପାଇଁ ଏହି ଦୁଇଟି ମାପ ଯଥାକ୍ରମେ ୪’ ୮” (୧.୪୨ ମି.) ଓ ୩’ ୨” (୯୭ ସେ.ମି.) ହୋଇଥିଲା ।[୩]

ବିବିସିଦ୍ୱାରା ପ୍ରକାଶିତ ଏକ ତଥ୍ୟାନୁସାରେ, ସିଂହଳୀ କଲରାପତ୍ରିଆ ଉପପ୍ରଜାତି ବିବର୍ତ୍ତିତ ହୋଇ ବଡ଼ ଆକାରବିଶିଷ୍ଟ ହୋଇଛି । ଏହି ଉପପ୍ରଜାତିର କିଛି ଅଣ୍ଡିରା ଜୀବ ୧୦୦ କି.ଗ୍ରା. (୨୨୦ ପାଉଣ୍ଡ) ପର୍ଯ୍ୟନ୍ତ ବଢ଼ିବା ଦେଖାଯାଇଛି । ଅନ୍ୟ କୌଣସି ବଡ଼ ବିଡ଼ାଳ ପ୍ରଜାତିଠାରୁ ପ୍ରତିଯୋଗିତା ନଥିବାରୁ ଏବଂ ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚ ଜୀବ ହୋଇଥିବାରୁ ଏପରି ବିବର୍ତ୍ତନ ଘଟିଛି ।[୪]

ପରିବାସ ଓ ଭୌଗୋଳିକ ବିତରଣ[ସମ୍ପାଦନା]

ନିଜ ପ୍ରାକୃତିକ ଘରେ ସିଂହଳୀ କଲରାପତ୍ରିଆ ବାଘ
ୱିଲପଟ୍ଟୁ ଜାତୀୟ ଉଦ୍ୟାନର ଏକ ସିଂହଳୀ କଲରାପତ୍ରିଆ

ଶ୍ରୀଲଙ୍କା ଦ୍ୱୀପର ସମସ୍ତ ପ୍ରକାରର ଅଧିବାସରେ ସିଂହଳୀ କଲରାପତ୍ରିଆ ବାଘ ଦେଖାଯାନ୍ତି । ଏମାନଙ୍କ ଅଧିବାସଗୁଡ଼ିକୁ ମୋଟାମୋଟି ୩ଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ :[୫]

  • ଅତି ଶୁଷ୍କ ଅଞ୍ଚଳ (ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୦୦ ମି.ମି.ରୁ କମ୍);
  • ଶୁଷ୍କ ଅଞ୍ଚଳ (ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୦୦-୨୦୦୦ ମି.ମି.);
  • ଆର୍ଦ୍ର ଅଞ୍ଚଳ (ବାର୍ଷିକ ହାରାହାରି ବୃଷ୍ଟିପାତ ୨୦୦୦ ମି.ମି.ରୁ ଅଧିକ)

କେନ୍ଦ୍ରୀୟ ଶ୍ରୀଲଙ୍କାର ପାହାଡ଼ିଆ ଅଞ୍ଚଳର ଜଙ୍ଗଲ, ଚା’ ବଗିଚା, ତୃଣଭୂମି, ଉଦ୍ୟାନ, ପାଇନ୍ ଜଙ୍ଗଲ, ୟୁକାଲିପଟାସ୍ ଉଦ୍ୟାନ ପ୍ରଭୃତିରେ ସିଂହଳୀ କଲରାପତ୍ରିଆ ବାଘ ରହିବା ଦେଖାଯାଏ ।[୬]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ସିଂହଳୀ କଲରାପତ୍ରିଆ

ୟାଲା ଜାତୀୟ ଉଦ୍ୟାନରେ କରାଯାଇଥିବା ଏକ ପରୀକ୍ଷଣ ଅନୁଯାୟୀ ଅନ୍ୟ କଲରାପତ୍ରିଆ ପ୍ରଜାତିଙ୍କ ପରି ସିଂହଳୀ କଲରାପତ୍ରିଆ ମଧ୍ୟ ସାମାଜିକ ଜୀବ ନୁହଁନ୍ତି ଓ ଏକଲା ରହିବା ପସନ୍ଦ କରନ୍ତି । ମା’ ଓ ଶାବକଙ୍କୁ ଛାଡ଼ିଦେଲେ ସମସ୍ତ ସିଂହଳୀ କଲରାପତ୍ରିଆ ବାଘ ଏକାକୀ ଶିକାର କରନ୍ତି । ଏମାନେ ନିଜ ନିଜ ଇଲାକା ନିୟନ୍ତ୍ରଣ କରନ୍ତି ଏବଂ ଗୋଟିଏ ଅଣ୍ଡିରାର ନିୟନ୍ତ୍ରଣ କ୍ଷେତ୍ର ଏକାଧିକ ମାଈଙ୍କ ନିୟନ୍ତ୍ରଣ କ୍ଷେତ୍ରକୁ ଛେଦ କରୁଥାଏ । ଏମାନେ ରାତିରେ ଶିକାର କରିବା ପସନ୍ଦ କରନ୍ତି, କିନ୍ତୁ ଭୋର, ଗୋଧୂଳି ଓ ଦିନ ବେଳେ ମଧ୍ୟ ସକ୍ରିୟ ଥାଆନ୍ତି । ଅନ୍ୟ ପ୍ରତିଯୋଗୀ ଶିକାରୀ ପ୍ରଜାତିର ଅନୁପସ୍ଥିତି ଓ ଶିକାର ଜୀବଙ୍କ ଆଧିକ୍ୟ କାରଣରୁ ସିଂହଳୀ କଲରାପତ୍ରିଆ ବାଘମାନେ ନିଜ ଶିକାରକୁ ଗଛ ଉପରକୁ ଉଠାଇ ନିଅନ୍ତି ନାହିଁ । ଶ୍ରୀଲଙ୍କାରେ କଲରାପତ୍ରିଆ ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚ ଜୀବ ହୋଇଥିବାରୁ ଏହାକୁ ନିଜର ଶିକାର ଲୁଚାଇବାର ଆବଶ୍ୟକତା ନଥାଏ ।[୭] ୨୦୦୧ରୁ ୨୦୦୨ ମସିହାରେ ଶ୍ରୀଲଙ୍କାର ଦକ୍ଷିଣ-ପୂର୍ବ ଶୁଷ୍କ ଉପକୂଳ ଅଞ୍ଚଳରେ ପ୍ରତିଷ୍ଠିତ ୟାଲା ଜାତୀୟ ଉଦ୍ୟାନର ପ୍ରଥମ ବ୍ଲକରେ ପ୍ରତି ୧୦୦ ବର୍ଗ କି.ମି. ଅଞ୍ଚଳରେ ୧୭.୯ଟି କଲରାପତ୍ରିଆ ରହୁଥିବା ଦେଖାଯାଇଥିଲା । ଏହି ବ୍ଲକଟି ସମୁଦାୟ ୧୪୦ ବର୍ଗ କି.ମି. ଅଞ୍ଚଳରେ ବ୍ୟାପ୍ତ ଯେଉଁଠାରେ ଉପକୂଳସ୍ଥ ସମଭୂମି, ପ୍ରାକୃତିକ ଓ କୃତ୍ରିମ ଜଳାଶୟ ଏବଂ ଶିକାର ଜୀବଙ୍କ ସଂଖ୍ୟା ଅଧିକ ଘନତା ଦେଖାଯାନ୍ତି ।[୨]

ଶିକାର ପଛରେ ନିଃଶବ୍ଦରେ ଛକି ଛକି ଏକ ନିର୍ଦ୍ଦିଷ୍ଟ ଦୂରତା ପର୍ଯ୍ୟନ୍ତ ଯାଇ ସେଠାରୁ ଅତର୍କିତ ଭାବେ ଆକ୍ରମଣ କରି କଲରାପତ୍ରିଆ ବାଘ ଶିକାର କରିଥାଏ । ବେକ ବା ତଣ୍ଟିରେ କଲରାପତ୍ରିଆର ଗୋଟିଏ କାମୁଡ଼ାରେ ଶିକାରର ମୃତ୍ୟୁ ଘଟେ । ଅନ୍ୟ ବଡ଼ ବିଡ଼ାଳଙ୍କ ପରି ସିଂହଳୀ କଲରାପତ୍ରିଆମାନେ ଛୋଟ ସ୍ତନ୍ୟପାୟୀ, ପକ୍ଷୀ, ସରୀସୃପ, ମୃଗ, ସମ୍ବର, କୁଟୁରା, ବାରହା ଓ ମାଙ୍କଡ଼ ପରି ବିବିଧ ଜୀବଙ୍କ ଶିକାର କରି ଭକ୍ଷଣ କରନ୍ତି । ଶ୍ରୀଲଙ୍କାର ମୃଗ ଏମାନଙ୍କ ଖାଦ୍ୟର ସର୍ବାଧିକ ପ୍ରତିଶତ ଭାଗ ହୋଇଥାଏ ।[୮]

ସିଂହଳୀ କଲରାପତ୍ରିଆଙ୍କ ନିର୍ଦ୍ଦିଷ୍ଟ ପ୍ରଜନନ ଋତୁ ନଥାଏ ।[୭] ସିଂହଳୀ କଲରାପତ୍ରିଆ ବାଘୁଣୀ ଏକାଥରକେ ୨-୪ଟି ଛୁଆଙ୍କୁ ଜନ୍ମ ଦେଇଥାଏ ।

ସିଂହଳୀ ସ୍ଲଥ୍ ଭାଲୁ ଓ ସିଂହଳୀ କଲରାପତ୍ରିଆ ବାଘ ସମପରିବାସରେ ରହନ୍ତି ।[୯][୧୦]

ସଂରକ୍ଷଣ[ସମ୍ପାଦନା]

ଚିଡ଼ିଆଘରେ ସିଂହଳୀ କଲରାପତ୍ରିଆ

ପ୍ରାଥମିକ ଭାବେ ଅଧିବାସ କ୍ଷୟ ସହ ଅବୈଧ ଶିକାର ଓ ମନୁଷ୍ୟଙ୍କ ସହିତ ସଂଘର୍ଷ ସିଂହଳୀ କଲରାପତ୍ରିଆଙ୍କର ମୃତ୍ୟୁ ଓ ସଂଖ୍ୟା ହ୍ରାସର କାରଣ ।[୨]

ସଂରକ୍ଷଣ ଯୋଜନା ସବୁର ପୂର୍ଣ୍ଣାଙ୍ଗ ସଫଳତା ପାଇଁ ସିଂହଳୀ କଲରାପତ୍ରିଆ ବାଘଙ୍କ ଉପରେ ଅଧିକ ଗବେଷଣା କରାଯିବା ଜରୁରୀ । ୱିଲ୍‍ଡର୍ନେସ୍ ଓ ୱାଇଲ୍‍ଡ୍‍ଲାଇଫ୍ କଞ୍ଜର୍ଭେସନ୍ ଟ୍ରଷ୍ଟ (WWCT) ନାମକ ସଂସ୍ଥା ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଏକ କଲରାପତ୍ରିଆ ପ୍ରକଳ୍ପ ଆରମ୍ଭ କରିଥିଲା । ଶ୍ରୀଲଙ୍କା ବନ୍ୟଜୀବ ସଂରକ୍ଷଣ ସମାଜ (Sri Lanka Wildlife Conservation Society) ନାମକ ସଂସ୍ଥା ମଧ୍ୟ କିଛି ଗବେଷଣାତ୍ମକ ଅଧ୍ୟୟନ କରୁଛି । WWCT ସମ୍ପୂର୍ଣ୍ଣ ଦ୍ୱୀପରେ ଅଧ୍ୟୟନ କରୁଛି ଏବଂ କେନ୍ଦ୍ରୀୟ ଶ୍ରୀଲଙ୍କାର ପାହାଡ଼ିଆ ଅଞ୍ଚଳରେ କଲରାପତ୍ରିଆ ଅଧିବାସ ସର୍ବାଧିକ ବିଖଣ୍ଡିତ ହେଉଥିବାରୁ ଏଠାରେ ସେମାନଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିଲା ।[୧୧]

ଚିଡ଼ିଆଘରେ, ସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିବା କଲରାପତ୍ରିଆ[ସମ୍ପାଦନା]

୨୦୧୧ ମସିହା ଡିସେମ୍ବର ମାସ ସୁଦ୍ଧା ବିଶ୍ୱର ସମସ୍ତ ଚିଡ଼ିଆଖାନାରେ ୭୫ଟି ସିଂହଳୀ କଲରାପତ୍ରିଆ ବାଘ ରହିଥିଲେ । ୟୁରୋପୀୟ ସଙ୍କଟାପନ୍ନ ପ୍ରଜାତି ପ୍ରକଳ୍ପରେ ୨୭ଟି ଅଣ୍ଡିରା, ୨୯ଟି ମାଈ ଓ ୮ଟି ଅଲିଙ୍ଗୀ ସିଂହଳୀ କଲରାପତ୍ରିଆ ବାଘଙ୍କୁ ରଖା ଯାଇଥିଲା ।[୧୨] EEP ପ୍ରଜନନ ଯୋଜନା ଫ୍ରାନ୍ସର ସେର୍ଜା ଚିଡ଼ିଆଖାନାଦ୍ୱାରା ପରିଚାଳିତ ହେଉଛି ।

ସାଂସ୍କୃତିକ ମହତ୍ତ୍ୱ[ସମ୍ପାଦନା]

ସ୍ଥାନୀୟ ନାମ[ସମ୍ପାଦନା]

କଲରାପତ୍ରିଆ ବାଘକୁ ଶ୍ରୀଲଙ୍କାର ସିଂହଳୀ ଭାଷାରେ කොටියා (କୋଟିୟା) ଏବଂ ତାମିଲ ଭାଷାରେ சிறுத்தை (ଚିରୁତୈ) ବୋଲି କୁହାଯାଏ ।[୩] ତେଣୁ ସିଂହଳୀ କଲରାପତ୍ରିଆର ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡୁସ୍ କୋଟିୟା (Panthera pardus kotiya)[୧୩]

୧୯୮୦ ଦଶନ୍ଧିର ଶେଷ ଭାଗରେ ଓ ୧୯୯୦ ଦଶନ୍ଧିର ଆରମ୍ଭରେ ଶ୍ରୀଲଙ୍କାର ଗଣମାଧ୍ୟମରେ ଏହି କୋଟିୟା ଶବ୍ଦକୁ ବାରମ୍ବାର ‘ବାଘ’ ଅର୍ଥରେ ବ୍ୟବହାର କରାଯାଇଥିଲା । ଶ୍ରୀଲଙ୍କାର ତତ୍କାଳୀନ ବନ୍ୟଜୀବ ବିଭାଗ ମୁଖ୍ୟଙ୍କ ବୟାନରୁ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । "ଶ୍ରୀଲଙ୍କାରେ କୋଟିୟା ନାହାନ୍ତି, ବରଂ ଦିୱିୟା ଅଛନ୍ତି" ବୋଲି ସେ କହିଥିଲେ । P. p. kotiyaକୁ ବାଘ ଭାବିବା ଭୁଲ ବୋଲି ସେ ଦିୱିୟା ଶବ୍ଦ ବ୍ୟବହାର କଲେ । ଜଙ୍ଗଲରେ ରହୁଥିବା ବଣଭୁଆ, ମାଛରଙ୍କା ବିରାଡ଼ି ପ୍ରଭୃତିକୁ ଦିୱିୟା ବୋଲି କୁହାଯାଏ । ପାରମ୍ପରିକ ସିଂହଳୀ ଋଢ଼ି 'ଜଙ୍ଗଲରେ ପରିବର୍ତ୍ତନ ହେଲେ ମଧ୍ୟ “କୋଟିୟା”ର ଦାଗ ଚିହ୍ନ ବଦଳିବ ନାହିଁ’ରୁ ଜଣାପଡ଼େ ଯେ ପ୍ରାଚୀନ କାଳରୁ କୋଟିୟା ଶବ୍ଦକୁ “ବାଘ” ପାଇଁ ନୁହେଁ ବରଂ ଦାଗଯୁକ୍ତ ଜୀବ (କଲରାପତ୍ରିଆ) ପାଇଁ ବ୍ୟବହାର କରାଯାଏ ।

ପ୍ରତୀକବାଦ[ସମ୍ପାଦନା]

ଏଲ୍. ଟି. ଟି. ଇ. (Liberation Tigers of Tamil Eelam - LTTE) ବା ତାମିଲ ଟାଇଗର୍ସଙ୍କୁ ସିଂହଳୀ ଭାଷାଭାଷୀ ଲୋକେ “କୋଟି” ବୋଲି ଡାକୁଥିଲେ (କୋଟି ଶବ୍ଦଟି କୋଟିୟା ଶବ୍ଦର ବହୁବଚନ) । ଏହି ତାମିଲ ଟାଇଗର୍ସମାନେ ନିଜ ଆକାଂକ୍ଷିତ ତାମିଲ ଦେଶ (ତାମିଲ ଇଲମ୍) ଗଠନ ହେଲେ ସିଂହଳୀ କଲରାପତ୍ରିଆ ବାଘକୁ ତାହାର ଜାତୀୟ ପଶୁ[୧୪] ଏବଂ ଚୋଳ ବାଘ ପତାକାକୁ ନିଜର ପତାକା ରୂପେ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ । ତାମିଲ ଇଲମ୍ ଜାତୀୟ ଫୁଟବଲ୍ ଦଳ କୋନିଫା (Confederation of Independent Football Associations – ConIFA) ପ୍ରତିଯୋଗିତାରେ ଭାଗ ନେଇଥାଏ ଓ ଏହି ଦଳ ସିଂହଳୀ କଲରାପତ୍ରିଆକୁ ନିଜ ଚିହ୍ନ ରୂପେ ବ୍ୟବହାର କରନ୍ତି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Deraniyagala, P. E. P. (1956). "The Ceylon leopard, a distinct subspecies". Spolia Zeylanica. 28: 115–116.
  2. ୨.୦ ୨.୧ ୨.୨ Stein, A. B.; Athreya, V.; Gerngross, P.; Balme, G.; Henschel, P.; Karanth, U.; Miquelle, D.; Rostro, S.; Kamler, J.F.; Laguardia, A. (2016). "Panthera pardus". The IUCN Red List of Threatened Species. IUCN. 2016: 15954/102421779. doi:10.2305/IUCN.UK.2016-1.RLTS.T15954A50659089.en. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  3. ୩.୦ ୩.୧ Pocock, R.I. (1939). "Panthera pardus (Linnaeus). The Leopard or Panther". The Fauna of British India, including Ceylon and Burma. Mammalia. Vol. 1. London: Taylor and Francis. pp. 222–231. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  4. "Yala's giant leopards". BBC Earth. 2014-10-13. Retrieved 2018-01-16.
  5. Phillips, W. W. A. (1984). Manual of the mammals of Sri Lanka. Vol. Part III (Second revised ed.). Colombo: Wildlife and Nature Protection Society of Sri Lanka.
  6. Kittle, A. M.; Watson, A. C.; Chanaka Kumara, P. H.; Nimalka Sanjeewani, H. K. (2014). "Status and distribution of the leopard in the central hills of Sri Lanka". Cat News. 56: 28−31.
  7. ୭.୦ ୭.୧ Kittle, A.; Watson, A. (2005). "A short report on research of an arid zone leopard population (Panthera pardus kotiya), Ruhuna (Yala) National Park, Sri Lanka". The Wilderness and Wildlife Conservation Trust, Sri Lanka. Archived from the original on 2012-03-14. Retrieved 2019-12-07.
  8. Kittle, A. M.; Watson, A. C.; Kumara, P. H. C.; Sandanayake, S. D. K.; Sanjeewani, H. K. N.; Fernando, S. (2014). "Notes on the diet, prey and habitat selection of the Sri Lankan leopard in the central highlands of Sri Lanka". Journal of Threatened Taxa. 6 (9): 6214–6221. doi:10.11609/jott.o3731.6214-21.
  9. Hadley, B. (2008). The Sloth Bear (PDF). IUCN/SSC Bear Specialist Group. Archived from the original (PDF) on 2008-12-21.
  10. Brown, G. (1993). The Great Bear Almanac. Lyons & Burford. ISBN 1558212108.
  11. Kittle, A. M.; Watson, A. C.; Fernando, S. (2012). "Notes on the status, distribution and abundance of the Sri Lankan leopard in the central hills of Sri Lanka". Cat News (56).
  12. International Species Information System (2011). "ISIS Species Holdings: Panthera pardus kotiya, December 2011". Archived from the original on 2021-02-01. Retrieved 2019-12-07.
  13. "Panthera pardus kotiya". Integrated Taxonomic Information System.
  14. "தமிழீழத்தேசிய-சின்னங்கள translated: National symbols of Tamil Eelam". tccnorway.no.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]