ବାୟୋନ୍ ମନ୍ଦିର
ବାୟୋନ୍ ମନ୍ଦିର | |
---|---|
ପ୍ରସତ୍ ବାୟୋନ୍ | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଗୌତମ ବୁଦ୍ଧ, ଅବଲୋକିତେଶ୍ୱର |
Location | |
ସ୍ଥାନ | ଅଂକୋର୍ ଥୋମ୍ |
Country | କାମ୍ବୋଡ଼ିଆ |
ଭୌଗଳିକ ଅବସ୍ଥିତି | 13°26′28″N 103°51′31″E / 13.44111°N 103.85861°E |
Architecture | |
Type | ବାୟୋନ୍ |
ଜୟବର୍ମନ (ସପ୍ତମ) | |
Completed | ଖ୍ରୀଷ୍ଟାବ୍ଦ ୧୨ଶ ଶତାବ୍ଦୀର ଶେଷରେ |
ବାୟୋନ୍ (ଇଂରାଜୀରେ Bayon, କ୍ଷ୍ମେର୍ ଭାଷାରେ ប្រាសាទបាយ័ន - ପ୍ରସତ୍ ବାୟୋନ୍) କାମ୍ବୋଡ଼ିଆର ଅଂକୋରରେ ଅବସ୍ଥିତ ଏକ ସୁନ୍ଦର ଓ ଭବ୍ୟ ପୁରାତନ ମନ୍ଦିର । ଦ୍ୱାଦଶ ଶତାବ୍ଦୀର ଶେଷରୁ ନେଇ ତ୍ରୟୋଦଶ ଶତାବ୍ଦୀର ଆରମ୍ଭ କାଳରେ କ୍ଷ୍ମେର୍ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିର ମହାଯାନ ବୌଦ୍ଧଧର୍ମାବଲମ୍ବୀ ରାଜା ଜୟବର୍ମନ ସପ୍ତମଙ୍କର ରାଜକୀୟ ମନ୍ଦିର ଥିଲା । ଜୟବର୍ମନଙ୍କ ରାଜଧାନୀ ଅଂକୋର୍ ଥୋମ୍ର କେନ୍ଦ୍ରରେ ବାୟୋନ୍ ଦଣ୍ଡାୟମାନ ।[୧][୨] ଜୟବର୍ମନଙ୍କ ମୃତ୍ୟୁ ପରେ ହିନ୍ଦୁ ଓ ଥେରବାଦ ବୌଦ୍ଧ ଧର୍ମାବଲମ୍ବୀ ରାଜାମାନେ ଏହି ମନ୍ଦିରକୁ ନିଜ ନିଜ ପୂଜା ପଦ୍ଧତି ପାଇଁ ବ୍ୟବହାର କରିଆସିଛନ୍ତି ।
ବାୟୋନ୍ ମନ୍ଦିରର ବିଶେଷତ୍ୱ ହେଲା ମୁଖ୍ୟ ମନ୍ଦିର ଓ ପାର୍ଶ୍ୱ ମନ୍ଦିରମାନଙ୍କର ବିମାନରେ ନିର୍ମିତ ହୋଇଥିବା ଶାନ୍ତ ଓ ସ୍ମିତହାସ୍ୟପୂର୍ଣ୍ଣ ମୁଖମଣ୍ଡଳସମୂହ । ବାୟୋନ୍ ମନ୍ଦିରର ସର୍ବୋଚ୍ଚ ସ୍ତରରେ ଥିବା ବେଢ଼ାର ପ୍ରତି ପାର୍ଶ୍ୱ ମନ୍ଦିରର ବିମାନର ଚାରି ଦିଗରେ ଏହି ମୁଖମଣ୍ଡଳମାନ ଖୋଦିତ ଏବଂ ଏମାନେ ପରିବେଷ୍ଟନ କରିଥିବା ମୁଖ୍ୟ ମନ୍ଦିର ବିମାନର ଚାରି ଦିଗରେ ମଧ୍ୟ ଏପରି ମୁଖମଣ୍ଡଳ ଖୋଦିତ ହୋଇଛି ।[୩] ମନ୍ଦିରରେ ପ୍ରଧାନତଃ ଦୁଇଟି ବର୍ଗର (ପୌରାଣିକ ଏବଂ ଐତିହାସିକ) ପ୍ରସ୍ତର କଳା ସହ କିଛି ଅନିର୍ଦ୍ଦିଷ୍ଟ ଦୃଶ୍ୟ ଖୋଦିତ ହୋଇଥିବାର ଦେଖିବାକୁ ମିଳେ । ଜାପାନ ସରକାରଙ୍କ ଅଂକୋର୍ ସଂରକ୍ଷଣ ଦଳ (JSA) ବାୟୋନ୍ ମନ୍ଦିରକୁ କ୍ଷ୍ମେର୍ ସ୍ଥାପତ୍ୟ କଳାର ବାରୁକ୍ ଶୈଳୀର ସର୍ବଶ୍ରେଷ୍ଠ ଉପସ୍ଥାପନା ବୋଲି କୁହନ୍ତି ଏବଂ ଏହି ଶୈଳୀ ଅଂକୋର୍ ୱାଟ୍ର ପାରମ୍ପରିକ କ୍ଷ୍ମେର୍ ଶୈଳୀଠାରୁ ଭିନ୍ନ ।[୪]
ଇତିହାସ
[ସମ୍ପାଦନା]ରାଜା ସପ୍ତମ ଜୟବର୍ମନଙ୍କ ପ୍ରତିଷ୍ଠିତ ବାୟୋନ୍ ମନ୍ଦିରରେ ବୌଦ୍ଧ ପ୍ରତୀକବାଦ
[ସମ୍ପାଦନା]ବାୟୋନ୍ ଅଂକୋର୍ର ଶେଷ ନିର୍ମିତ ରାଜକୀୟ ମନ୍ଦିର ଏବଂ ଏହା ଏକମାତ୍ର ରାଜମନ୍ଦିର ଯାହା ମହାଯାନ ବୌଦ୍ଧ ମତବାଦର ଆରାଧନା ପାଇଁ ନିର୍ମିତ । ପାର୍ଶ୍ୱ ମନ୍ଦିରମାନଙ୍କରେ ବହୁ ସ୍ଥାନୀୟ ଦେବାଦେବୀ ପୂଜିତ ହେଉଥିବା ବେଳେ ମୁଖ୍ୟ ମନ୍ଦିରର ଆରାଧ୍ୟ ଦେବତା ହେଉଛନ୍ତି ଗୌତମ ବୁଦ୍ଧ । ଜୟବର୍ମନ ସପ୍ତମ ଆରମ୍ଭ କରିଥିବା ନିର୍ମାଣ ପ୍ରକଳ୍ପରେ ଏହା ମୁଖ୍ୟ ଆକର୍ଷଣ ଥିଲା । ସପ୍ତମ ଜୟବର୍ମନ ଏହି ପ୍ରକଳ୍ପ କାଳରେ ବାୟୋନ୍ ସମେତ ଅଂକୋର୍ ଥୋମ୍ର ନାଗସେତୁ (អង្គរធំ), ପ୍ରିହା ଖାନ ମନ୍ଦିର (ប្រាសាទព្រះខ័ន), ତା-ପ୍ରୋମ୍ ମନ୍ଦିର (ប្រាសាទតាព្រហ្ម) ଓ ବାନ୍ତେ ଦେଇ (ប្រាសាទបន្ទាយក្តី) ପ୍ରଭୃତି ନିର୍ମାଣ କରାଇଥିଲେ ।[୬]
ମନ୍ଦିର ବିମାନର ୨୧୬ଟି ଶିଳାନିର୍ମିତ ମୁଖମଣ୍ଡଳ ଏବଂ ରାଜା ସପ୍ତମ ଜୟବର୍ମନଙ୍କ ଅନ୍ୟ ମୂର୍ତ୍ତିର ମୁଖ ପ୍ରାୟ ସମାନ, ତେଣୁ ଗବେଷକମାନେ ମତ ରଖନ୍ତି ଯେ ମନ୍ଦିରର ପ୍ରତି ମୁଖମଣ୍ଡଳ ରାଜାଙ୍କ ଅନୁକରଣ କରି ନିର୍ମିତ ହୋଇଥିଲା । ଅନ୍ୟ ଏକ ମତାନୁସାରେ ଏହି ସବୁ ମୁଖମଣ୍ଡଳ ଅବଲୋକିତେଶ୍ୱର ବା ଲୋକେଶ୍ୱର ବୋଧିସତ୍ୱଙ୍କୁ ଦର୍ଶାଇଥାନ୍ତି ।[୭] ଉଭୟ ମତକୁ ପୃଥକ୍ ମତ ଭାବେ ନ ଦେଖିବାର କାରଣ ମଧ୍ୟ ରହିଛି । ଅଂକୋର୍ ବିଶାରଦ ଜର୍ଜ୍ କୁଡେସ୍ କୁହନ୍ତି ଯେ ସପ୍ତମ ଜୟବର୍ମନ ନିଜକୁ "ଦେବରାଜା" ବୋଲି ମନେ କରୁଥିଲେ । କ୍ଷ୍ମେର୍ ରାଜବଂଶର ତାଙ୍କ ପୂର୍ବପୁରୁଷମାନେ ହିନ୍ଦୁ ଧର୍ମାବଲମ୍ବୀ ଥିଲେ ଏବଂ ନିଜକୁ ଶିବ, ଶିବଲିଙ୍ଗର ସେବକ କହୁଥିବା ବେଳେ ସପ୍ତମ ଜୟବର୍ମନ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ଏବଂ ସେ ନିଜକୁ ଗୌତମ ବୁଦ୍ଧ ବା ବୋଧିସତ୍ତ୍ୱଙ୍କ ରୂପ ବୋଲି ବିଚାର କରୁଥିଲେ ।[୮]
ସପ୍ତମ ଜୟବର୍ମନଙ୍କ ମୃତ୍ୟୁ ପରେ ମନ୍ଦିରରେ ହୋଇଥିବା ନିର୍ମାଣ
[ସମ୍ପାଦନା]ସପ୍ତମ ଜୟବର୍ମନଙ୍କ ପରେ ବାୟୋନ୍ ମନ୍ଦିର ପରବର୍ତ୍ତୀ ସମ୍ରାଟମାନଙ୍କଦ୍ୱାରା ବାରମ୍ବାର ନବୀକୃତ ତଥା ପରିବର୍ତ୍ତିତ ହୋଇଥିଲା ।[୫] ୧୩ଶ ଶତାବ୍ଦୀର ମଧ୍ୟ ଭାଗରେ ଅଷ୍ଟମ ଜୟବର୍ମନଙ୍କ ରାଜୁତି ଥିଲା ଏବଂ କ୍ଷ୍ମେର୍ ବଂଶ ପୁଣି ଥରେ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିଲେ । ତେଣୁ ମନ୍ଦିରରେ ହିନ୍ଦୁ ଉପାସନା ନିମନ୍ତେ କିଛି ପରିବର୍ତ୍ତନ ହୋଇଥିଲା । ତାହା ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ଥେରବାଦ ବୌଦ୍ଧ ଏଠାରେ ଅଧିକ ପ୍ରଚଳିତ ହେଲା ଏବଂ ମନ୍ଦିରରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଥିଲା । ତାହା ପରେ ପୁଣି ଏହି ସ୍ଥାନ ଲୋକଙ୍କଦ୍ୱାରା ପରିତ୍ୟକ୍ତ ହୋଇ ମନ୍ଦିର ମଧ୍ୟକୁ ଲଟାବୁଦା ଜଙ୍ଗଲ ମାଡ଼ି ଆସିଥିଲା । ମନ୍ଦିରର ପୂର୍ବ ପଟର ବେଢ଼ା, ଗ୍ରନ୍ଥାଳୟ, ଗ୍ୟାଲେରି, ଉପର ବେଢ଼ାର କେତେକ ଅଂଶ ମୂଳ ମନ୍ଦିର ସମୟରେ ନିର୍ମିତ ହୋଇନଥିଲା ।
ଆଧୁନିକ ପୁନରୁଦ୍ଧାର କାର୍ଯ୍ୟ
[ସମ୍ପାଦନା]ବିଂଶ ଶତାବ୍ଦୀର ପ୍ରଥମ ଭାଗରେ “ସୁଦୂର ପ୍ରାଚ୍ୟ ଅଧ୍ୟୟନର ଫରାସୀ ବିଦ୍ୟାଳୟ (École française d'Extrême-Orient)” ପ୍ରଥମେ ଏହି ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଆଗ୍ରହୀ ହେଲା ଓ ଆନାଷ୍ଟିଲୋସିସ୍ (anastylosis-ପୁନରୁତ୍ଥାନ) ପଦ୍ଧତିରେ ମନ୍ଦିରର କିଛି ଅଂଶ ସଂରକ୍ଷିତ ମଧ୍ୟ କରାଗଲା । ୧୯୯୫ ମସିହାରୁ ଜାପାନ ସରକାରଙ୍କ ଅଂକୋର୍ ସଂରକ୍ଷଣ ଦଳ (JSA) ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିଆସୁଛି ।
ବାୟୋନ୍ ନାମର ଇତିହାସ
[ସମ୍ପାଦନା]ବାୟୋନ୍ର ମୂଳ ନାମ ଜୟଗିରି ରଖାଯାଇଥିଲା । ଏହି ଅଞ୍ଚଳ ଫରାସୀମାନଙ୍କଦ୍ୱାରା ଅଧିକୃତ ହେବା ପରେ ସେମାନେ ଏହି ମନ୍ଦିରର ନାମ ବାନ୍ୟାନ୍ ମନ୍ଦିର ବୋଲି ଦେଇଥିଲେ । ବୌଦ୍ଧ ଧର୍ମରେ “ବାନ୍ୟାନ୍ ଟ୍ରି”ର (ଅର୍ଥାତ୍ – ବରଗଛର) ବିଶେଷ ଧାର୍ମିକ ଗୁରୁତ୍ୱ ରହିଛି । ବରଗଛ ତଳେ ଗୌତମ ବୁଦ୍ଧ ତପସ୍ୟା କରି ମହାଜ୍ଞାନ ଲାଭ କରିଥିଲେ । କାଳକ୍ରମେ ସ୍ଥାନୀୟ କ୍ଷ୍ମେର୍ ଭାଷାଭାଷୀ ଲୋକଙ୍କଦ୍ୱାରା ବାନ୍ୟାନ୍ ଶବ୍ଦ ଅପଭ୍ରଷ୍ଟ ହୋଇ ବାୟୋନ୍ ପାଲଟିଗଲା ଓ ସମସ୍ତ ଭାଷାରେ ବାୟୋନ୍ ଭାବେ ପ୍ରଚଳିତ ହୋଇଆସୁଛି ।[୯]
ମନ୍ଦିରର ସ୍ଥାନ
[ସମ୍ପାଦନା]ମନ୍ଦିରର ମୁଖ୍ୟ ଦ୍ୱାର ପୂର୍ବ ଦିଗକୁ ମୁହଁ କରିଛି । ଯେହେତୁ ବାୟୋନ୍ ମନ୍ଦିର ଅଂକୋର୍ ଥୋମ୍ର କେନ୍ଦ୍ରବିନ୍ଦୁରେ ଅବସ୍ଥିତ, ତେଣୁ ସହରର ପ୍ରତି ଦିଗର ପ୍ରବେଶ ପଥରୁ ସିଧା ସଡ଼କ ବାୟୋନ୍ ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ । ବାୟୋନ୍ ମନ୍ଦିରରେ ବାହ୍ୟ ପାଚେରୀ ବା ଜଳପୂର୍ଣ୍ଣ ଖାଇର ବ୍ୟବସ୍ଥା ନଥିଲା । ସହରକୁ ଘୋରି ରହିଥିବା ପାଚେରୀକୁ ହିଁ ମନ୍ଦିରର ବାହ୍ୟ ପାଚେରୀ ପରି ବିଚାର କରାଯାଉଥିଲା । ସହର-ମନ୍ଦିର ମିଶାଇ ଏହା ୯ ବର୍ଗ କି.ମି. ଅଞ୍ଚଳରେ ବ୍ୟାପ୍ତ ଥିଲା । ଏହା ଅଂକୋର୍ ୱାଟ୍ ମନ୍ଦିରର ବ୍ୟାପ୍ତି (୨ ବର୍ଗ କି.ମି.)ଠାରୁ ଢେର ଅଧିକ ।
ମନ୍ଦିର ମଧ୍ୟରେ ଦୁଇଟି (ଦ୍ୱିତୀୟ ଓ ତୃତୀୟ ବେଢ଼ା) ଗ୍ୟାଲେରିବିଶିଷ୍ଟ ବାରଣ୍ଡା ଓ ସବୁଠାରୁ ଉପର ସ୍ତରରେ ମୁଖ୍ୟ ବେଢ଼ା ରହିଛି । ରହିଛି । ଏହି ସବୁ କାରୁକାର୍ଯ୍ୟ ଏକ ସ୍ଥାନରେ ଠୁଳ ହେବା ପରି ନିର୍ମିତ ହୋଇଛନ୍ତି ଏବଂ ସେମାନଙ୍କ ପରସ୍ପରଠାରୁ ଦୂରତା ଖୁବ୍ କମ୍ । ଅଂକୋର ୱାଟ୍ ମନ୍ଦିରରେ ସମସ୍ତ କାରୁକାର୍ଯ୍ୟ ଛଡ଼ାଛଡ଼ା ହୋଇ ଏବଂ ଏକ ବଡ଼ ଖୋଲା ପ୍ରାଙ୍ଗଣରେ ରହିଥିବା ବେଳେ ବାୟୋନ୍କୁ ଦେଖିଲେ ଲାଗେ ଯେ ଏକ ଛୋଟ ସ୍ଥାନରେ ସବୁ କାରୁକାର୍ଯ୍ୟ ଏବଂ ନିର୍ମାଣ ଗୁଞ୍ଜାଗୁଞ୍ଜି କରି ରଖିଦିଆଯାଇଛି ।[୧୦]
ବାହ୍ୟ ଗ୍ୟାଲେରି : ଐତିହାସିକ ଘଟଣା ଓ ଦୈନନ୍ଦିନ ଜୀବନର ପ୍ରତିଫଳନ
[ସମ୍ପାଦନା]ବାହାର ଗ୍ୟାଲେରିର ବାହାର ପଟେ ଐତିହାସିକ ଘଟଣାବଳୀ ଓ ନିତିଦିନିଆ ଅଂକୋର୍ କ୍ଷ୍ମେର୍ ଜୀବନର ସୂଚନା ଦେଖାଉଥିବା ଅନେକ ପ୍ରସ୍ତରଖୋଦିତ ଚିତ୍ର ରହିଛି । ପ୍ରତ୍ୟେକ ଘଟଣାର ପ୍ରାଞ୍ଜଳ ତଥ୍ୟ ବହନ କରୁଥିବା ଏହି ଶିଳାଚିତ୍ରମାନଙ୍କ ନିକଟରେ କୌଣସି ଶିଳାଲେଖ ମିଳେନାହିଁ । ଏହି କାରଣରୁ ଚିତ୍ରମାନଙ୍କ କାଳ ନିର୍ଣ୍ଣୟ କରିବାରେ ଓ ଦୃଶ୍ୟମାନଙ୍କ ଐତିହାସିକ ଘଟଣା ସହ ସମ୍ପର୍କ ନିର୍ଣ୍ଣୟ କରିବାରେ ତଥା ଦୁଇଟି ଦୃଶ୍ୟ ମଧ୍ୟରେ ଥିବା ସମ୍ପର୍କ ଖୋଜି ବାହାର କରିବାରେ ଅସୁବିଧା ହୋଇଥାଏ ।[୧୧] ପୂର୍ବ ପଟର ଗୋପୁରରୁ ଘଣ୍ଟାକଣ୍ଟା ଦିଗରେ ଆଗକୁ ଗଲେ ଯେଉଁ ସବୁ କଳାକୃତି ଦେଖାଯାନ୍ତି, ସେଗୁଡ଼ିକ ହେଲେ :
- ପୂର୍ବ ପଟର ଗ୍ୟାଲେରିର ଦକ୍ଷିଣ ପଟକୁ କ୍ଷ୍ମେର୍ ସେନା, କିଛି ଚୀନୀ ସୈନିକ ଯୁଦ୍ଧ ଯାତ୍ରା କରୁଥିବାର ଦୃଶ୍ୟ ରହିଛି ।[୧୨] ସେମାନଙ୍କ ସହିତ କିଛି ବାଦକ, ଗାୟକ, ଅଶ୍ୱାରୋହୀ, ଗଜାରୋହୀ ଓ ଦ୍ରବ୍ୟବାହକ ରଥ ମଧ୍ୟ ଅଛନ୍ତି ।
- ପୂର୍ବ ଗ୍ୟାଲେରିରେ ଏକ ଶୋଭାଯାତ୍ରା, ଅଂକୋରୀୟ ଘର, ଚୀନୀ ବେପାରୀ ରହିଥିବା ଦୃଶ୍ୟଟିଏ ରହିଛି ।
- ପ୍ୟାଭିଲିଅନ୍ର ଦକ୍ଷିଣ-ପୂର୍ବରେ ଅପସରା ଓ ଲିଙ୍ଗ ଇତ୍ୟାଦି ସହିତ ଏକ ଏକ ନିର୍ମାଣାଧୀନ ଅସମ୍ପୂର୍ଣ୍ଣ ମନ୍ଦିରର ଦୃଶ୍ୟ ରହିଛି ।
- ଦକ୍ଷିଣ ଗ୍ୟାଲେରିର ପୂର୍ବ ପଟରେ କ୍ଷ୍ମେର୍ ଓ ଚାମ୍ ନୌସେନା ମଧ୍ୟରେ ସଂଘଟିତ ଯୁଦ୍ଧର ଦୃଶ୍ୟ ବର୍ଣ୍ଣିତ ।[୧୩][୧୪] ତାହା ତଳକୁ ଦୈନନ୍ଦିନ ଜୀବନର ହାଟ-ବଜାର, ଖୋଲା ସ୍ଥାନରେ ରୋଷେଇ, ଶିକାରୀ, ଛୁଆଙ୍କ ସହ ମହିଳାମାନଙ୍କ ଚିତ୍ର ରହିଛି ।
- ଦକ୍ଷିଣ ଗ୍ୟାଲେରିରେ ନିଜ ଡଙ୍ଗା ସହିତ କିଛି ମତ୍ସ୍ୟଜୀବୀ, ଗଞ୍ଜା ଲଢ଼େଇ, ନଗରରେ ରାଜକୁମାରୀ ଓ ତାଙ୍କ ପରିଚାରିକା, ଲୋକଙ୍କ ବାର୍ତ୍ତାଳାପ, କ୍ରୀଡ଼ା ଆସର, ମଲ୍ଲଯୋଦ୍ଧା, ବାରହା ସହ ଲଢ଼େଇ ପ୍ରଭୃତି ଦେଖିହେବ । ତା’ ସହିତ ଆଉ ଏକ ଯୁଦ୍ଧ ଦୃଶ୍ୟ ରହିଛି ଯେଉଁଥିରେ ଚାମ୍ ସୈନିକମାନେ ନୌକାରୁ ଅବତରଣ କରୁଥିବା, ଶରୀରରେ କବଚ ପରି ଦଉଡ଼ି ଗୁଡ଼ାଇ ଯୁଦ୍ଧ କରୁଥିବା କ୍ଷ୍ମେର୍ ସୈନିକ, ତା’ ପରକୁ କ୍ଷ୍ମେର୍ମାନେ ଯୁଦ୍ଧରେ ପ୍ରଭୁତ୍ୱ ଦେଖାଇବା ଏବଂ ଶେଷରେ ବିଜୟ ପରେ କ୍ଷ୍ମେର୍ ରାଜା ଓ ପ୍ରଜା ମିଶି ବିଜୟ ଉତ୍ସବ ପାଳନ କରିବା ଇତ୍ୟାଦି ଏହି ଗ୍ୟାଲେରିରେ ଖୋଦିତ ।
- ଦକ୍ଷିଣ ଗ୍ୟାଲେରିର ପଶ୍ଚିମ ପଟେ କ୍ଷ୍ମେର୍ ସେନା, ଚାମ୍ ସେନା, ହାତୀ, ଗୋଳା ଫିଙ୍ଗୁଥିବା ବାଟୁଳି ବା ଯୁଦ୍ଧ ଯନ୍ତ୍ର ଇତ୍ୟାଦିର ଦୃଶ୍ୟ ରହିଛି ।
- ପଶ୍ଚିମ ଗ୍ୟାଲେରିର ଦକ୍ଷିଣ ପଟେ ଜଙ୍ଗଲ ଅଭିମୁଖେ ସେନାର ଯାତ୍ରା, କ୍ଷ୍ମେର୍ ଗୋଷ୍ଠୀମାନଙ୍କ ମଧ୍ୟରେ ବଚସା ଓ କଳହ ପ୍ରଭୃତିର ଅସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଥାଏ ।[୧୫]
- ପଶ୍ଚିମ ଗ୍ୟାଲେରିରେ କ୍ଷ୍ମେର୍ ଯୋଦ୍ଧାଙ୍କ ପରସ୍ପର ସହିତ ହାତାହାତି ହେବା, ଦଳେ ଯୋଦ୍ଧା ଅନ୍ୟମାନଙ୍କୁ ଏକ ଜଳାଶୟ ପର୍ଯ୍ୟନ୍ତ ଗୋଡ଼ାଇବା, ଜଳାଶୟରେ ଏକ ବଡ଼ ମାଛ ଛୋଟ ହରିଣଟିଏକୁ ଖାଉଥିବା,[୧୬] ହାତୀ ଉପରେ ଛିଡ଼ା ହୋଇ ରାଜାଙ୍କ ରାଜକୀୟ ଶୋଭାଯାତ୍ରା, ପବିତ୍ର ଅଗ୍ନିଶିଖା ଇତ୍ୟାଦି ଦୃଶ୍ୟ ଅବସ୍ଥିତ ।
- ଉତ୍ତର ଗ୍ୟାଲେରିର ପଶ୍ଚିମ ପଟେ ରାଜାଙ୍କ ଶୋଭାଯାତ୍ରାରେ କ୍ରୀଡ଼ାବିତ୍, ଚମତ୍କାର ଖେଳ ଦେଖାଉଥିବା ମନୋରଞ୍ଜନକାରୀ, ବିଭିନ୍ନ ପଶୁମାନଙ୍କର ଶୋଭାଯାତ୍ରା, ଜଙ୍ଗଲରେ ବସିଥିବା ସାଧକ, କ୍ଷ୍ମେର୍ ଓ ଚାମ୍ ସେନା ମଧ୍ୟରେ ଯୁଦ୍ଧ ଆଦିର ଶିଳାଚିତ୍ର ରହିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛନ୍ତି ।
- ଉତ୍ତର ଗ୍ୟାଲେରିରେ ଚାମ୍ ସେନାକୁ ଦେଖି କ୍ଷ୍ମେର୍ ସେନା ଛତ୍ରଭଙ୍ଗ ଦେବା ଦୃଶ୍ୟ ମଧ୍ୟ ପ୍ରସ୍ତରକଳା ମାଧ୍ୟମରେ ପ୍ରକାଶିତ ।
- ଉତ୍ତର-ପୂର୍ବ କୋଣର ପ୍ୟାଭିଲିଅନରେ କ୍ଷ୍ମେର୍ ସେନା ଯୁଦ୍ଧଯାତ୍ରାର ଆଉ ଏକ ଦୃଶ୍ୟ ରହିଛି ।
- ପୂର୍ବ ଗ୍ୟାଲେରିରେ ଯୁଦ୍ଧ ହାତୀଙ୍କ ସହିତ ଚାମ୍ ଓ କ୍ଷ୍ମେର୍ ମଧ୍ୟରେ ଏକ ଯୁଦ୍ଧର ଚିତ୍ର ରହିଛି । ଏହି ଦୃଶ୍ୟରେ କ୍ଷ୍ମେର୍ମାନେ ବିଜୟ ଲାଭ କରିବା ପରି ପ୍ରତୀତ ହେଉଛି ।
ବାହାର ପଟର ଗ୍ୟାଲେରିରେ ଏକ ଅଗଣା ରହିଛି ଓ ସେଥିରେ ଦୁଇଟି ଗ୍ରନ୍ଥାଳୟ ରହିଛନ୍ତି । ମୂଳ ନିର୍ମାଣ ଅନୁସାରେ ଏହି ଅଗଣାରେ ୧୬ଟି କୋଠରୀ ଥିଲା କିନ୍ତୁ ହିନ୍ଦୁ ରାଜା ଅଷ୍ଟମ ଜୟବର୍ମନଙ୍କ ସମୟରେ ଏଗୁଡ଼ିକ ଭାଙ୍ଗି ଦିଆଯାଇଥିଲା ।
ଅନ୍ତଃ ଗ୍ୟାଲେରି: ପୌରାଣିକ କଥାବଳୀର ବର୍ଣ୍ଣନାକାରୀ
[ସମ୍ପାଦନା]ଭିତର ଗ୍ୟାଲେରିଟି ଭୂପୃଷ୍ଠରୁ କିଛି ଉଚ୍ଚତାରେ ରହିଛି । ପ୍ରଥମେ ଛକ ବା ଯୁକ୍ତ ଚିହ୍ନ ପରି ନିର୍ମିତ ଏହି ଗ୍ୟାଲେରିଟି ପରେ ବର୍ଗାକାରକୁ ପରିବର୍ତ୍ତିତ ହୋଇଥିଲା । ଏହାର ଶିଳାଚିତ୍ର ପରବର୍ତ୍ତୀ ସମୟରେ ଅଷ୍ଟମ ଜୟବର୍ମନଙ୍କ ରାଜୁତି ସମୟର । ତେଣୁ ବାହାର ଗ୍ୟାଲେରିର ଚିତ୍ରଠାରୁ ଏଗୁଡ଼ିକ ଯଥେଷ୍ଟ ଭିନ୍ନ । ଏହି ଗ୍ୟାଲେରିରେ ଯୁଦ୍ଧ, ଶୋଭାଯାତ୍ରା ବା ସେନାର ଦୃଶ୍ୟ ପରିବର୍ତ୍ତେ ହିନ୍ଦୁ ପୌରାଣିକ କଥାମାନ ପ୍ରଦର୍ଶିତ ହୋଇଛି । ହିନ୍ଦୁ ବିଶ୍ୱାସର ତ୍ରିମୂର୍ତ୍ତି (ଶିବ, ବିଷ୍ଣୁ ଓ ବ୍ରହ୍ମା), ଅପସରା, ଦିବ୍ୟ ନର୍ତ୍ତକୀ, ରାବଣ ଓ ଗରୁଡ଼ ପ୍ରଭୃତିଙ୍କ ଶିଳାଚିତ୍ର ବର୍ଣ୍ଣନା ଭିତର ଗ୍ୟାଲେରିର ଶୋଭା ବଢ଼ାଇଥାଏ ।[୧୭] କିଛି ଫଳକର ଚିତ୍ରଦ୍ୱାରା କଣ ବର୍ଣ୍ଣିତ ହୋଇଛି ତାହା ଅନିର୍ଦ୍ଦିଷ୍ଟ । ଯଥା : ପୂର୍ବ ଗୋପୁରର ଉତ୍ତରକୁ ଦୁଇଟି ଚିତ୍ର ରହିଛି । ଏହି ଦ୍ୱୟର ଏକାଧିକ ଅର୍ଥ ବାହାରିପାରେ - ପର୍ବତରୁ ଜଣେ ଦେବୀ ମୁକ୍ତ ହୋଇ ବାହାରିବା କିମ୍ବା ଚାମ୍ ଅନୁପ୍ରବେଶକାରୀଙ୍କ ଭଙ୍ଗାରୁଜା ।[୧୮] ରାଜା ଖାଲି ହାତରେ ଏକ ବିରାଟ ସାପ ସହ ଲଢ଼ିବା, ତା’ ପରେ ମହିଳାମାନେ ତାଙ୍କ ହାତକୁ ପରୀକ୍ଷା କରିବା ଏବଂ ଶେଷରେ ସାପର ବିଷରୁ କୁଷ୍ଠ ରୋଗାକ୍ରାନ୍ତ ହୋଇ ଅସୁସ୍ଥ ରାଜା ଖଟରେ ଶୋଇ ରହିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ ।[୧୯] ଏହା ବ୍ୟତୀତ ପଶ୍ଚିମ ଗୋପୁରର ଦକ୍ଷିଣରେ ଏକ ବୈଷ୍ଣବ ମନ୍ଦିର ତିଆରି ହେବା ଓ ପଶ୍ଚିମ ଗୋପୁରର ଉତ୍ତରରେ ସମୁଦ୍ର ମନ୍ଥନର ଦୃଶ୍ୟ ଦେଖିବାକୁ ମିଳେ ।
ସର୍ବୋଚ୍ଚ ବେଢ଼ାରେ ୨୦୦ଟି ଲୋକେଶ୍ୱର ମୁଖ
[ସମ୍ପାଦନା]ଭିତର ଗ୍ୟାଲେରି ଓ ଉପର ବେଢ଼ାରେ ଗୁଞ୍ଜି ହୋଇ ରହିଥିବା ପାର୍ଶ୍ୱ ମନ୍ଦିର ଓ ନିର୍ମାଣ ତଥା ଉପର ବେଢ଼ା ଭିତର ଗ୍ୟାଲେରିରୁ ଗୋଟିଏ ସ୍ତର ଉପରେ ଥିବାରୁ ଗବେଷକମାନେ ମତ ପୋଷଣ କରିଛନ୍ତି ଯେ ମୂଳ ନିର୍ମାଣରେ ଉପର ବେଢ଼ା ନିର୍ମାଣ କରିବାର ଯୋଜନା ନଥିଲା । କିନ୍ତୁ ନିର୍ମାଣ ଆରମ୍ଭ ହେବାର ଅଳ୍ପ କିଛି ସମୟ ପରେ ଏହାକୁ ନିର୍ମାଣ କରିବାର ନିଷ୍ପତ୍ତି ନିଆଗଲା । ସମସାମୟିକ ତା ପ୍ରୋମ୍ ଓ ବାନ୍ତେ ଦାଇ ପରି ବାୟୋନ୍ ମନ୍ଦିର ମଧ୍ୟ ଏକାଧିକ ସ୍ତର ପରିବର୍ତ୍ତେ ଗୋଟିଏ ସ୍ତରରେ ନିର୍ମିତ ହେବାର ଯୋଜନା ରହିଥିଲା ବୋଲି ବିଶ୍ୱାସ କରାଯାଏ ।[୨୦]
ଉପର ବେଢ଼ାରେ ବାୟୋନ୍ ମନ୍ଦିରର ବିଶେଷତ୍ୱ “ମୁଖବିଶିଷ୍ଟ ପାର୍ଶ୍ୱମନ୍ଦିର”ମାନ ରହିଛି । ପ୍ରତିଟି ବିମାନରେ ଦୁଇ, ତିନି କିମ୍ବା ଚାରିଟି ଲେଖାଏଁ ସ୍ମିତ ହସୁଥିବା ମୁଖମଣ୍ଡଳ ଖୋଦିତ ହୋଇଛି । “ଉପର ବେଢ଼ାରେ ଯେଉଁଆଡ଼େ ଗଲେ ବି ସର୍ବତ୍ର ଲୋକେଶ୍ୱର ବିଦ୍ୟମାନ” ବୋଲି ମୌରିସ୍ ଗ୍ଲେଜ୍ କୁହନ୍ତି ।[୨୧]
ପାର୍ଶ୍ୱ ମନ୍ଦିର ସଂଖ୍ୟା, ମୁଖମଣ୍ଡଳ ଗୁଡ଼ିକର ସର୍ବମୋଟ ସଂଖ୍ୟା ପ୍ରଭୃତି ମଧ୍ୟରେ କଣ ସମ୍ପର୍କ ଅଛି, ତାହା ଜାଣିବା ପାଇଁ ଅନେକ ଚେଷ୍ଟା କରାଯାଇଛି । କିନ୍ତୁ ଅତୀତରେ ଏମାନଙ୍କ ସଂଖ୍ୟା କ୍ରମାଗତ ବଦଳିଥିବାରୁ, ନୂତନ ନିର୍ମାଣ ଓ କିଛି ପାର୍ଶ୍ୱ ମନ୍ଦିର ଭାଙ୍ଗି ଯାଇଥିବାରୁ ଏହି ସମ୍ପର୍କ ପ୍ରତିଷ୍ଠା କରିବା କଷ୍ଟକର । ଏକଦା ଉପର ବେଢ଼ାରେ ୪୯ଟି ବିମାନ ଥିଲେ ଯାହା ଏବେ କମିଯାଇ ୩୭ଟି ବିମାନ ହୋଇଛି ।[୩] ଆନୁମାନିକ ଭାବେ ବାୟୋନ୍ ଉପର ବେଢ଼ାରେ ସର୍ବମୋଟ ପ୍ରାୟ ୨୦୦ଟି ମୁଖ ମଣ୍ଡଳ ରହିଛି ।
ମୁଖ୍ୟ ବିମାନ ଓ ମନ୍ଦିର
[ସମ୍ପାଦନା]ଭିତର ଗ୍ୟାଲେରି ପରି ମୁଖ୍ୟ ମନ୍ଦିର ମଧ୍ୟ ପୂର୍ବେ ଯୁକ୍ତାକାର ଥିଲା ଯାହାକୁ ପରେ ଗୋଲାକାରରେ ରୂପାନ୍ତରଣ କରାଯାଇଛି । ଭୂପୃଷ୍ଠରୁ ଏହା ୪୩ ମିଟର୍ ଉଚ୍ଚ । ମନ୍ଦିର ପ୍ରତିଷ୍ଠା ବେଳେ ବୁଦ୍ଧଙ୍କର ୩.୬ ଫୁଟ୍ ଉଚ୍ଚ ମୂର୍ତ୍ତି ମୁଖ୍ୟ ମନ୍ଦିରରେ ଗର୍ଭ ଗୃହରେ ରଖାଯାଇଥିଲା । ଏହି ମୂର୍ତ୍ତିରେ ବୁଦ୍ଧ ଧ୍ୟାନମଗ୍ନ ମୁଦ୍ରାରେ ବସିଥିବା ଏବଂ ନାଗରାଜ ମୁଚଳିନ୍ଦ ବୁଦ୍ଧଙ୍କ ଉପରେ ଫଣା ମେଲାଇ ତାଙ୍କୁ ସୁରକ୍ଷିତ ରଖିଥିବାର ଦୃଶ୍ୟ ରହିଥିଲା । ହିନ୍ଦୁ ରାଜା ଅଷ୍ଟମ ଜୟବର୍ମନଙ୍କ ସମୟରେ ଏହି ମୂର୍ତ୍ତିକୁ ଗର୍ଭଗୃହରୁ ବାହାରକୁ ନିଆଯାଇ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦିଆଯାଇଥିଲା । ୧୯୩୩ ମସିହାରେ ଏକ କୂପରୁ ଏହି ମୂର୍ତ୍ତିର ଖଣ୍ଡ ସବୁ ମିଳିଥିଲା, ଯାହାକୁ ଯୋଡ଼ାଯାଇ ଅଂକୋରରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ରଖାଯାଇଛି ।[୨୨]
ଚିତ୍ର ଗ୍ୟାଲେରି
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Higham, C., 2001, The Civilization of Angkor, London: Weidenfeld & Nicolson, ISBN 9781842125847, p.121
- ↑ Higham, C., 2014, Early Mainland Southeast Asia, Bangkok: River Books Co., Ltd., pp.378-382 ISBN 9786167339443
- ↑ ୩.୦ ୩.୧ Freeman and Jacques, p.78.
- ↑ The Bayon Symposium
- ↑ ୫.୦ ୫.୧ ୫.୨ Glaize, p.87.
- ↑ Coedès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. pp. 173–175. ISBN 978-0-8248-0368-1.
- ↑ Coedės, p.137.
- ↑ Coedès, p.147.
- ↑ "9 interesting facts about Cambodia".
- ↑ Glaize, p.85.
- ↑ See Glaize, pp.90 ff. and Rovedo, pp.134 ff., for detailed descriptions of the bas-reliefs.
- ↑ Freeman and Jacques, p.85-86. The Khmer are depicted as having short hair and long earlobes, and as wearing loincloths and little else. The Chinese are identified by their beards, topknots, and patterned tunics.
- ↑ Coedès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. pp. 169–170. ISBN 978-0-8248-0368-1.
- ↑ Freeman and Jacques, p.85-87. The Cham are identified by their tunics, curved shields, and distinctive crown and scarf headgear. It has been speculated that this scene represents the Cham naval attack on the Khmer capital in 1177. However, since the scene seems to have the Khmer winning, and since the Cham naval attack of 1177 was successful and led to the sack of the Khmer capital, it may be more accurate to say that the scene depicts a subsequent naval engagement from which the forces of Jayavarman VII emerged victorious.
- ↑ Freeman and Jacques, pp.91-92. The subject-matter here may be a revolt documented to have occurred in 1182.
- ↑ Glaize, p.92. Unlike most of the bas-reliefs, this one is accompanied by an inscription, albeit by one that is not particularly helpful. It says, "The deer is his nourishment."
- ↑ Glaize, pp.94 ff.
- ↑ Glaize, p.98; Rovedo, pp.148-149 (both preferring the former interpretation).
- ↑ Freeman and Jacques, p.101; Rovedo, p.149-150 (speculating that the serpent is symbolic of the disease itself).
- ↑ Coedès, p.127.
- ↑ Glaize, p.89.
- ↑ Freeman and Jacques, p.83; Glaize, p.87.
ପୁସ୍ତକ ଆଧାର
[ସମ୍ପାଦନା]- Albanese, Marilia (2006). The Treasures of Angkor (Paperback). Vercelli: White Star Publishers. ISBN 88-544-0117-X.
- Coedès, George. Pour mieux comprendre Angkor (Hanoi: Imprimerie D'Extrême-Orient, 1943), esp. Ch.6, "Le mystère du Bayon," pp. 119–148.
- Freeman, Michael and Jacques, Claude. Ancient Angkor. River Books, 1999, pp. 78 ff. ISBN 0-8348-0426-3.
- Glaize, Maurice. The Monuments of the Angkor Group. Translated into English from the French, revised 1993 and published online at theangkorguide.com. (The link takes you directly to the section of this work having to do with Angkor Thom and the Bayon.)
- Jessup, Helen Ibbitson; Brukoff, Barry (2011). Temples of Cambodia - The Heart of Angkor (Hardback). Bangkok: River Books. ISBN 978-616-7339-10-8.
- Rovedo, Vittorio. Khmer Mythology: Secrets of Angkor (New York: Weatherhill, 1998), pp. 131 ff.
- JSA Bayon Master Plan Archived 2004-12-07 at the Wayback Machine. Accessed 17 May 2005.
- JSA Bayon Symposia Accessed 17 May 2005.