ଅଂକୋର୍ ୱାଟ୍

Coordinates: 13°24′45″N 103°52′0″E / 13.41250°N 103.86667°E / 13.41250; 103.86667
ଉଇକିପିଡ଼ିଆ‌ରୁ
ଅଂକୋର୍ ୱାଟ୍
ସମ୍ମୁଖ ପଟରୁ ଅଂକୋର୍ ୱାଟ୍ ମନ୍ଦିରର ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Provinceସିଏମ୍ ରିପ୍
ଦେବାଦେବୀବିଷ୍ଣୁ
Location
ସ୍ଥାନଅଂକୋର୍
Countryକାମ୍ପୁଚିଆ / କାମ୍ବୋଡିଆ
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/Cambodia" does not exist.
ଭୌଗଳିକ ଅବସ୍ଥିତି13°24′45″N 103°52′0″E / 13.41250°N 103.86667°E / 13.41250; 103.86667
Architecture
Typeକ୍ଷ୍ମେର୍ ସ୍ଥାପତ୍ୟ ଶୈଳୀ (ଅଂକୋର୍ ୱାଟ୍ ଶୈଳୀ)
ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ସମୟରେ ପ୍ରାରମ୍ଭ ଓ ସପ୍ତମ ଜୟବର୍ମନଙ୍କ ସମୟରେ ଶେଷ
Completedଦ୍ୱାଦଶ ଶତାବ୍ଦୀ

ଅଂକୋର୍ ୱାଟ୍ ବା ଅଂଗକୋର୍ ୱତ୍ ମନ୍ଦିର କାମ୍ବୋଡିଆ ବା କାମ୍ପୁଚିଆରେସ୍ଥିତ ୧୬୨.୬ ହେକ୍ଟର୍ (୧୬୨୬୦୦୦ ବର୍ଗ ମିଟର୍ ବା ୪୦୨ ଏକର୍) କ୍ଷେତ୍ରଫଳ ବିଶିଷ୍ଟ[୧] ବିଶ୍ୱର ସର୍ବବୃହତ ଧାର୍ମିକ ଐତିହ୍ୟ ସ୍ଥଳୀ । କ୍ଷ୍ମେର୍ ବା ଖମେର୍ ଭାଷାରେ ଏହାକୁ អង្គរវត្ត ଭାବେ ଲେଖାଯାଏ ଓ ଏହାର ଅର୍ଥ ହେଲା "ମନ୍ଦିର ରାଜଧାନୀ" । ହିନ୍ଦୁ ଭଗବାନ ବିଷ୍ଣୁଙ୍କ ନିମନ୍ତେ କ୍ଷ୍ମେର୍ ରାଜବଂଶୀୟ ରାଜା ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ଦ୍ୱାରା  ଏହି ମନ୍ଦିର ନିର୍ମିତ ହୋଇଥିଲା କିନ୍ତୁ କାଳକ୍ରମେ ଦ୍ୱାଦଶ ଶତାବ୍ଦୀର ଶେଷ ଆଡକୁ ଏହା ଏକ ବୌଦ୍ଧ ମନ୍ଦିରରେ ପରିଣତ ହୋଇଥିଲା ।[୨] ଦ୍ୱାଦଶ ଶତାବ୍ଦୀର ଆରମ୍ଭ ବେଳକୁ ରାଜା ଦ୍ୱିତୀୟ ସୂର୍ଯ୍ୟବର୍ମନ କ୍ଷ୍ମେର ସାମ୍ରାଜ୍ୟର ରାଜଧାନୀ ଯଶୋଧାରାପୁର (କ୍ଷ୍ମେର ଭାଷାରେ យសោធរបុរៈ, ବର୍ତ୍ତମାନ ସମୟରେ ଅଂକୋର୍ ନାମରେ ପରିଚିତ)ଠାରେ ଏହି ମନ୍ଦିରର ନିର୍ମାଣ କରିଥିଲେ ।[୩] ଏହା ତାଙ୍କର ରାଜକୀୟ ମନ୍ଦିର ବା ଇଷ୍ଟଦେବଙ୍କ ମନ୍ଦିର ଓ ପୂଜାସ୍ଥଳୀ ଥିଲା । ପୂର୍ବ ରାଜାମାନଙ୍କଦ୍ୱାରା ଅନୁସୃତ ଶୈବ ପରମ୍ପରାର ପରିବର୍ତ୍ତେ ଏହି ମନ୍ଦିରଟିକୁ ଭଗବାନ ବିଷ୍ଣୁଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଥିଲା । ଏହି ଅଞ୍ଚଳର ପ୍ରଚୀନ ମନ୍ଦିରମାନଙ୍କ ମଧ୍ୟରେ ଏହା ଉତ୍ତମ ରୂପେ ସଂରକ୍ଷିତ ଏବଂ ଏହାର ପ୍ରତିଷ୍ଠା ସମୟରୁ ଆରମ୍ଭ କରି ଏକ ଦୀର୍ଘକାଳ ପର୍ଯ୍ୟନ୍ତ ଏହା ଧାର୍ମିକ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ମନ୍ଦିର କ୍ଷ୍ମେର ପାରମ୍ପରିକ ସ୍ଥାପତ୍ୟ କଳାର ସର୍ବଶ୍ରେଷ୍ଠ ନିଦର୍ଶନ । ବର୍ତ୍ତମାନ ସମୟରେ ଏହି ମନ୍ଦିର କାମ୍ପୁଚିଆର ଜାତୀୟ ପ୍ରତୀକଭାବେ ପରିଗଣିତ ହେଉଛି ।[୪] ଏହି ମନ୍ଦିର କାମ୍ପୁଚିଆର ଜାତୀୟ ପତାକାରେ ମଧ୍ୟ ଦୃଶ୍ୟମାନ ଏବଂ କାମ୍ପୁଚିଆକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସ୍ଥଳୀ । [୫]

ଅଂକୋର୍ ୱାଟ୍ କ୍ଷ୍ମେର୍ ମନ୍ଦିର ସ୍ଥାପତ୍ୟ କଳାର ଦୁଇଟି ମୁଖ୍ୟ ଅଂଗ ହେଲା ମେରୁ ପର୍ବତ ଢାଞ୍ଚାରେ ନିର୍ମିତ ମୁଖ୍ୟ ମନ୍ଦିର ଓ ତାହାର ଚତୁର୍ପାର୍ଶ୍ୱରେ ଅନେକ ଗ୍ୟାଲେରି ପରି ମନ୍ଦିର ପ୍ରାଙ୍ଗଣ/ଚିତ୍ରଶାଳାର ନିର୍ମାଣ । ହିନ୍ଦୁ ପୌରାଣିକ ମତାନୁସାରେ ମେରୁ ପର୍ବତରେ ଦେବଗଣ ବାସ କରନ୍ତି । ୩.୬ କିଲୋମିଟର୍ ଦୀର୍ଘ ଜଳପୂର୍ଣ୍ଣ ଖାଇ ଖୋଳାଯାଇ ତାହା ମଧ୍ୟରେ ଚିତ୍ରଶାଳା ସଜ୍ଜିତ ଆୟତାକାର ମନ୍ଦିର କାନ୍ଥ ଓ ପ୍ରାଙ୍ଗଣ ନିର୍ମାଣ କରାଯାଇଥିଲା । ପ୍ରାଙ୍ଗଣର କେନ୍ଦ୍ରରେ ମୁଖ୍ୟ ମନ୍ଦିର ଓ ପାର୍ଶ୍ୱ ମନ୍ଦିରର ଶିଖରମାନ ଅବସ୍ଥିତ ଥିଲା । ଅଂକୋର୍ ୱାଟ୍ ମନ୍ଦିରର ମୁଖ୍ୟଦ୍ୱାର ପଶ୍ଚିମ ଦିଗକୁ ମୁହାଁଇଛି ଯାହାକି ଅନ୍ୟ ଅଂକୋରୀୟ ମନ୍ଦିରଠାରୁ ଭିନ୍ନ । ଏହି ବିଶେଷତା ସମ୍ପର୍କରେ ବିଶେଷଜ୍ଞମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦିଏ । ମନ୍ଦିର କାନ୍ଥରେ ଖୋଦିତ ରାମାୟଣ ଯୁଦ୍ଧ, ମହାଭାରତ ଯୁଦ୍ଧ, ରାବଣ କୈଳାସ ପର୍ବତ ଉଠାଇବାକୁ ଚେଷ୍ଟା କରିବା, ସମୁଦ୍ର ମନ୍ଥନ, କୃଷ୍ଣ ଓ ବାଣାସୁର ଯୁଦ୍ଧ ଇତ୍ୟାଦି ପୌରାଣିକ କାହାଣୀର ନିଖୁଣ ଚିତ୍ର, ସ୍ଥାପତ୍ୟର ସୌନ୍ଦର୍ଯ୍ୟ ନିମନ୍ତେ ଏହି ମନ୍ଦିର ବିଶ୍ୱ ପ୍ରସିଦ୍ଧ । 

ନାମକରଣ[ସମ୍ପାଦନା]

କ୍ଷ୍ମେର୍ ଭାଷାରେ ଆଧୁନିକ ନାମ ଅଂକୋର୍ ୱାଟ୍‍ ଶବ୍ଦର ଅର୍ଥ ହେଲା ମନ୍ଦିର ନଗରୀ ବା ମନ୍ଦିର ରାଜଧାନୀ । ସଂସ୍କୃତ ଶବ୍ଦ “ନଗର”ରୁ କ୍ଷ୍ମେର୍ ଶବ୍ଦ “ନୋକୋର୍ (នគរ)”ର ଉତ୍ପତ୍ତି ଓ ପୁଣି ସେଥିରୁ ଆଧୁନିକ ସମୟରେ ବ୍ୟବହୃତ ଅଂକୋର୍ ଶବ୍ଦର ସୃଷ୍ଟି । କ୍ଷ୍ମେର୍ ଶବ୍ଦ “ୱାଟ୍”ର  ଅର୍ଥ ହେଲା ମନ୍ଦିର ପ୍ରାଙ୍ଗଣ ଓ ଏହି ଶବ୍ଦଟି ସଂସ୍କୃତ ଶବ୍ଦ “ୱାଟ” (ଓଡ଼ିଆରେ ବାଡ)ରୁ ଏହା ଉଦ୍ଧୃତ । ମନ୍ଦିରର ପ୍ରକୃତ ନାମ “ବରାହ ବିଷ୍ଣୁଲୋକ” ଥିଲା ବୋଲି ଜଣାଯାଏ । 

ଇତିହାସ[ସମ୍ପାଦନା]

ଅଂକୋର୍ ୱାଟ୍‍ର ନିର୍ମାତା ରାଜା ଦ୍ୱିତୀୟ ସୂର୍ଯ୍ୟବର୍ମନ

ସାମ୍ପ୍ରତିକ ସମୟର ସିଏମ୍ ରିପ୍ ସହରର ଉତ୍ତର ଦିଗରେ ପ୍ରାୟ ୩.୪ ମାଇଲ୍ ବା ୫.୫ କିଲୋମିଟର୍ ଦୂରତାରେ ଅଂକୋର୍ ୱାଟ୍ ମନ୍ଦିର ଅବସ୍ଥିତ । ବାଫୁଅନ୍ ସହରରେ ଥିବା ଏହାର ପ୍ରାଚୀନ ରାଜଧାନୀରୁ ଅଳ୍ପ ପୂର୍ବ ଦିଗରେ ଏହି ମନ୍ଦିରର ଅବସ୍ଥିତି । ଏହି ଅଞ୍ଚଳର ଆଖପାଖରେ କାମ୍ପୁଚିଆର ଅନେକ ପ୍ରାଚୀନ ମନ୍ଦିର ମଧ୍ୟ ରହିଛି । ସମସ୍ତ ପ୍ରାଚୀନ ମନ୍ଦିରମାନଙ୍କଠାରୁ ଦକ୍ଷିଣତମ ହେଲା ଅଂକୋର୍ ୱାଟ୍ ।

ପୌରାଣିକ ଲୋକକଥା ଅନୁସାରେ ଦେବଙ୍କ ରାଜା ଇନ୍ଦ୍ର ନିଜ ପୁତ୍ର ପ୍ରେଚା କେତ୍ ମେଲେଙ୍କ ପାଇଁ ଯେଉଁ ପ୍ରାସାଦ ନିର୍ମାଣ କରିବା ପାଇଁ ଆଦେଶ ଦେଇଥିଲେ ସେଇଟି ହେଉଛି ଅଂକୋର୍ ୱାଟ୍ । କେତେକ ସ୍ଥାନୀୟ ଲୋକକଥା ଅନୁସାରେ ଜଣେ ଦୈବୀ ସ୍ଥପତିଙ୍କଦ୍ୱାରା ଅଂକୋର୍ ୱାଟ୍ ଗୋଟିଏ ରାତିରେ ନିର୍ମିତ ହୋଇଥିଲା ବୋଲି ତ୍ରୟୋଦଶ ଶତାବ୍ଦୀର ଚୀନୀ ପରିବ୍ରାଜକ ଝୋଉ ଦାଗ୍ୱାନ୍‍ଙ୍କ ଲେଖିଛନ୍ତି ।

ଖ୍ରୀଷ୍ଟାବ୍ଦ ୧୧୧୩ରୁ ୧୧୫୦ ପର୍ଯ୍ୟନ୍ତ ରାଜୁତି କରିଥିବା ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ରାଜୁତି ସମୟରେ, ଅର୍ଥାତ୍ ଦ୍ୱାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଅନୁମାନ କରାଯାଏ । ଏହାକୁ ରାଜକୀୟ ମନ୍ଦିର ବା ମନ୍ଦିର ରାଜଧାନୀ ଭାବେ ବିବେଚିତ କରାଯାଉଥିଲା ଓ ଭଗବାନ ବିଷ୍ଣୁଙ୍କ ନିମନ୍ତେ ଅର୍ପିତ ହୋଇଥିଲା । ମନ୍ଦିର ସମ୍ପର୍କିତ ସେହି ସମୟର କୌଣସି ଶିଳାଲେଖ ବା ପ୍ରାଚୀନ ତଥ୍ୟର ଅନୁପସ୍ଥିତି ଯୋଗୁଁ ମନ୍ଦିରର ପ୍ରକୃତ ନାମ କଣ ଥିଲା ତାହା ଜଣାପଡିନାହିଁ । କିନ୍ତୁ ଏହାର ନାମ ବିଷ୍ଣୁଙ୍କ ନାମାନୁସାରେ ବରାହ ବିଷ୍ଣୁଲୋକ ହୋଇଥାଇପାରେ ବୋଲି କେହି କେହି ଅନୁମାନ କରନ୍ତି । କେତେକ ଶିଳାଚିତ୍ରର ଅର୍ଦ୍ଧ-ସମାପ୍ତ ଅବସ୍ଥାରୁ ରାଜାଙ୍କ ପରଲୋକର କିଛି ସମୟ ପରେ ମନ୍ଦିର କାମ ସମାପ୍ତ ହୋଇଥିବାର ଅନୁମାନ କରାଯାଏ । ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ମୃତ୍ୟୁର ପ୍ରାୟ ୨୭ ବର୍ଷ ପରେ ୧୧୭୭ ମସିହା ବେଳକୁ କ୍ଷ୍ମେର୍‍ମାନଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ “ଚାମ୍”ମାନଙ୍କଦ୍ୱାରା ଅଂକୋର୍ ଅଧିକୃତ ହେଲା । ତାହାପରେ ରାଜା ସପ୍ତମ ଜୟବର୍ମନଙ୍କଦ୍ୱାରା ଏହି ସାମ୍ରାଜ୍ୟର ପୁନରୁତ୍ଥାନ ହୋଇଥିଲା । ସପ୍ତମ ଜୟବର୍ମନ ଅଂକୋର ୱାଟ୍‍ର ଉତ୍ତର ଦିଗକୁ ଅଂକୋର୍ ଥୋମ୍ ଓ ବାୟୋନ୍‍ଠାରେ ଯଥାକ୍ରମେ ନିଜର ନୂତନ ରାଜଧାନୀ ଓ ନୂତନ ରାଜ-ମନ୍ଦିରର ସ୍ଥାପନା କରିଥିଲେ ।

ଦ୍ୱାଦଶ ଶତାବ୍ଦୀର ଶେଷ ଆଡକୁ ଅଂକୋର୍ ୱାଟ୍ କାଳକ୍ରମେ ଏକ ହିନ୍ଦୁ ଧର୍ମସ୍ଥଳୀରୁ ବୌଦ୍ଧ ଧର୍ମସ୍ଥଳୀରେ ପରିବର୍ତ୍ତିତ ହୋଇଥିଲା ଓ ଆଜି ସୁଦ୍ଧା ଏଠାରେ ଅଧିକାଂଶ ଲୋକ ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି । ଆଶ୍ଚର୍ଯ୍ୟର କଥା ଯେ ଷୋଡଶ ଶତାବ୍ଦୀ ପରଠାରୁ ସମ୍ପୂର୍ଣ୍ଣ ଭାବେ ଉପେକ୍ଷିତ ଓ ଅବହେଳିତ ହୋଇଥିଲେ ହେଁ ଅଂକୋର୍ ୱାଟ୍ ଜନଶୂନ୍ୟ ହୋଇ ଭଗ୍ନାବଶେଷରେ ପରିଣତ ହୋଇନାହିଁ । ମନ୍ଦିର ଚାରିପଟରେ ସୁରକ୍ଷା ପ୍ରଦାନ ନିମନ୍ତେ ଖନନ କରାଯାଇଥିବା ଜଳପୂର୍ଣ୍ଣ ଖାଇ ଯୋଗୁଁ ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ ଅନାବନା ଜଙ୍ଗଲ ଓ ଲଟାବୁଦା ମାଡିପାରି ନଥିଲେ ।

ପାଶ୍ଚାତ୍ୟ ନିବାସୀମାନଙ୍କ ମଧ୍ୟରେ ପର୍ତ୍ତୁଗୀଜ୍ ବୌଦ୍ଧଭିକ୍ଷୁ ଆଣ୍ଟୋନିଓ ଦା ମାଡାଲେନା ସର୍ବ ପ୍ରଥମେ ୧୫୮୬ ମସିହାରେ ଏହି ମନ୍ଦିର ପରିଭ୍ରମଣ କରିଥିଲେ ଓ ମନ୍ଦିର ସମ୍ପର୍କରେ କହିଥିଲେ ଯେ “ବିଶ୍ୱର ଅନ୍ୟ ଧର୍ମସ୍ଥଳ ବା ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଅଦ୍ୱିତୀୟ କଳାକୃତିକୁ ଲେଖନୀ ମୁନରେ ବୟାନ କରିବା ସମ୍ଭବପର ନୁହେଁ । ଜଣେ ମହାନ ଶିଳ୍ପୀ ଯାହା କାରୁକାର୍ଯ୍ୟ, ସାଜସଜ୍ଜା, ସୁନ୍ଦର ମନ୍ଦିର ଶିଖର ଓ ନିଖୁଣତାର କଳ୍ପନା କରିପାରେ ସେସବୁ ଏହି ମନ୍ଦିରରେ ବିଦ୍ୟମାନ ।”

୧୭ଶ ଶତାବ୍ଦୀ ବେଳକୁ ପୂର୍ବେ ହିନ୍ଦୁ ମନ୍ଦିର ଭାବେ ପ୍ରତିଷ୍ଠିତ ଅଂକୋର୍ ୱାଟ୍ ମାନବ ସମାଜଦ୍ୱାରା ବର୍ଜିତ ହେବା ପରିବର୍ତ୍ତେ ଏକ ବୌଦ୍ଧ ମନ୍ଦିର ରୂପେ ପରିଗଣିତ ହେଲା । ଅଂକୋର୍ ଅଞ୍ଚଳରେ ମିଳିଥିବା ସପ୍ତଦଶ ଶତାବ୍ଦୀର ୧୪ଟି ଶିଳାଲେଖର ଅନୁଶୀଳନ କଲେ ଜଣାପଡେ ଯେ ଜାପାନରୁ ଆସିଥିବା ବୌଦ୍ଧ ତୀର୍ଥଯାତ୍ରୀମାନେ କ୍ଷ୍ମେର୍‍ର ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ବସବାସ କରୁଥିଲେ । ଜାପାନୀ ତୀର୍ଥଯାତ୍ରୀଙ୍କୁ ସେ ସମୟରେ ଅଂକୋର୍ ୱାଟ୍‍ର ମନ୍ଦିର ପ୍ରାଙ୍ଗଣ ଭାରତର ମଗଧ ରାଜ୍ୟରେ ରହିଥିବା ବୁଦ୍ଧଙ୍କ ଜିତବନ ଉଦ୍ୟାନ ପରି ମନେ ହୋଇଥିଲା । ଏହି ସମସ୍ତ ଶିଳାଲେଖ ମଧ୍ୟରୁ ଗୋଟିଏରେ ଉକୋଣ୍ଡାଫୁ କାଜୁଫ୍ୟୁସା ୧୬୩୨ ମସିହାରେ ଅଂକୋର୍ ୱାଟ୍‍ଠାରେ କ୍ଷ୍ମେର୍ ନବବର୍ଷୋତ୍ସବ ପାଳନ କରିଥିବା କଥାର ଉଲ୍ଲେଖ ରହିଛି ।

ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଫରାସୀ ପ୍ରକୃତିବିତ୍ ଓ ଅନ୍ୱେଷକ ଅନ୍‍ରି ମୁହୋ ଏହି ମନ୍ଦିରର ଦର୍ଶନ କରିଥିଲେ ଓ ନିଜ ଯାତ୍ରା ବିବରଣାବଳୀଦ୍ୱାରା ଅଂକୋର୍ ୱାଟ୍‍କୁ ପାଶ୍ଚାତ୍ୟ ସମାଜରେ ଖ୍ୟାତ କରାଇଥିଲେ । ତାଙ୍କ ଭାଷାରେ “ଅଂକୋର୍‍ର ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ ମନ୍ଦିର ମାଇକେଲ୍ ଏଞ୍ଜେଲୋଙ୍କ ନିର୍ମିତ କେତେକ ସ୍ଥାପତ୍ୟ କୃତି, ସୋଲୋମୋନ୍ ଇତ୍ୟାଦିଙ୍କର ପ୍ରତିଦ୍ୱନ୍ଦୀ ଏବଂ ଆମ ଅଞ୍ଚଳର ମହାନ କଳାକୃତିଙ୍କ ସହିତ ତୁଳନା କଲେ ଏହି ମନ୍ଦିର ଏକ ସମ୍ମାନସ୍ପଦ ଆସନ ଗ୍ରହଣ କରିବ । ଆମ ପାଇଁ ଗ୍ରୀସ୍ ଓ ରୋମ୍‍ର ପ୍ରଚୀନ ଅଧିବାସୀ ଛାଡିଯାଇଥିବା ଯେକୌଣସି ଅବଶେଷ ତୁଳନାରେ ଏହା ଅଧିକ ଗୌରବମୟ ଓ ଏ ଦେଶର ସାମ୍ପ୍ରତିକ ବର୍ବର ଅବସ୍ଥାର ବିପରୀତ ସମୟର ମୂକ ସାକ୍ଷୀ ।”

ଅନ୍ୟ ବିଦେଶୀ ଭ୍ରମଣକାରୀଙ୍କ ପରି ମୁହୋ ମଧ୍ୟ ଏହା ବିଶ୍ୱାସ କରୁନଥିଲେ ଯେ କ୍ଷ୍ମେର୍‍ମାନେ ଅଂକୋର୍ ପରି ମନ୍ଦିରର ନିର୍ମାଣ କରିପାରିଥିବେ । ତେଣୁ ଏପରି ମନ୍ଦିର ରୋମାନ୍ ସମୟରେ ତିଆରି ହୋଇଥିବ ବୋଲି ଆଶା କରାଯାଉଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ମନ୍ଦିରର ପୁନରୁଦ୍ଧାର ପାଇଁ ମନ୍ଦିର ପ୍ରାଙ୍ଗଣ ସଫା କରାଗଲା, ସେତେବେଳେ ମିଳିଥିବା ସ୍ଥାପତ୍ୟ ଶୈଳୀ ଓ ଶିଳାଲେଖ ସମ୍ପର୍କୀୟ ପ୍ରମାଣରୁ ଅଂକୋର୍‍ର ପ୍ରକୃତ ଇତିହାସ ନିର୍ଦ୍ଧାରିତ ହୋଇପାରିଲା । ମନ୍ଦିରର ନିମ୍ନାଞ୍ଚଳରେ ଥିବା ସହରରୁ କୌଣସି ପ୍ରକାରର ଅସବାବପତ୍ର, ପାତ୍ର, ଶସ୍ତ୍ର, ଲୁଗାପଟାର ଅବଶେଷ ମିଳିନଥିଲା ।ସବୁ ଦିଗରେ ସ୍ଥାପତ୍ୟ କାରୁକାର୍ଯ୍ୟ ସମ୍ପର୍କୀୟ ପ୍ରମାଣ ହିଁ ମିଳିଥିଲା ।

ବିଂଶ ଶତାବ୍ଦୀରେ ଅଂକୋର୍ ୱାଟ୍ ମନ୍ଦିରର ସଂରକ୍ଷଣ ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଲା । ବିଶେଷ କରି ମନ୍ଦିର ଉପରେ ଜମା ହୋଇଥିବା ମାଟି ଓ ମନ୍ଦିର ଉପରକୁ ମାଡିଯାଇଥିବା ଗଛ, ବୁଦା ସଫା କରିବାରେ ବହୁ ସମୟ ଲାଗିଥିଲା । ୧୯୭୦ ଓ ୧୯୮୦ ଦଶକରେ କାମ୍ପୁଚିଆର ଗୃହଯୁଦ୍ଧ ଓ କ୍ଷ୍ମେର୍ ବିଦ୍ରୋହୀମାନଙ୍କ ଦେଶ ଶାସନ ସମୟରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଲା । ନିକଟବର୍ତ୍ତୀ ଜଙ୍ଗଲରେ ଅସ୍ଥାୟୀ ଶିବିର ସ୍ଥାପନ କରିଥିବା କ୍ଷ୍ମେର୍‍ର ବିପ୍ଳବୀ ଦଳମାନେ ଅଂକୋର୍‍ର ପୁନରୁଦ୍ଧାର ପାଇଁ ବ୍ୟବହୃତ ସମସ୍ତ କାଠକୁ ଜାଳେଣୀ ପାଇଁ ବ୍ୟବହାର କଲେ । ଆମେରିକୀୟ, କ୍ଷ୍ମେର୍ ଓ ଭିଏତନାମୀ ସୈନ୍ୟଙ୍କ ଗୁଳିଗୋଳାରେ ମନ୍ଦିରର କିଛି ଅଂଶ ନଷ୍ଟ ହୋଇଯାଇଛି ଓ ମନ୍ଦିର କାନ୍ଥର ଅନେକ ଶିଳାଚିତ୍ରରେ ଗୁଳିଦାଗ ମଧ୍ୟ ସୃଷ୍ଟି ହୋଇଛି । ଯୁଦ୍ଧ ପରେ ୧୯୮୦ ଓ ୧୯୯୦ ଦଶକରେ ଥାଇଲ୍ୟାଣ୍ଡର ମୂର୍ତ୍ତି ଓ କଳାକୃତି ଚୋରମାନେ ଅଧିକାଂଶ ମୂର୍ତ୍ତିର ମୁଣ୍ଡ ଲୁଣ୍ଠି ନେଇଥିଲେ ।

ସ୍ଥାପତ୍ୟ[ସମ୍ପାଦନା]

ଅଂକୋର୍ ୱାଟ୍‍ର ନକସା
ମଧ୍ୟ ମନ୍ଦିର ସହିତ ଅଂକୋର୍ ୱାଟ୍‍ର ସାଧାରଣ ନକସା
ମଧ୍ୟ ମନ୍ଦିରର ବିସ୍ତୃତ ନକସା

ସ୍ଥାନ ଓ ନକସା[ସମ୍ପାଦନା]

ଆକାଶ ମାର୍ଗରୁ ଅଂକୋର୍ ୱାଟ୍‍ର ଦୃଶ୍ୟ

୧୩° ୨୪′ ୪୫″ଉତ୍ତର ଅକ୍ଷାଂଶ ୧୦୩° ୫୨′ ୦″ପୂର୍ବ ଦ୍ରାଘିମା ହେଲା ଅଂକୋର୍ ୱାଟ୍ ମନ୍ଦିରର ପ୍ରକୃତ ଭୌଗୋଳିକ ସ୍ଥିତି । ମନ୍ଦିରର ଶିଖର ପର୍ବତ ଢାଞ୍ଚାରେ ନିର୍ମିତ ହେବା ଓ ତାହାର ଚତୁଃପାର୍ଶ୍ୱରେ ରହିଥିବା ସମକୈନ୍ଦ୍ରିକ ଚିତ୍ରଶାଳା ଅଂକୋର୍‍ର ମନ୍ଦିରମାନଙ୍କର ଏକ ବିଶେଷତ୍ତ୍ୱ । ମନ୍ଦିରର ଶିଖର ଦେବତାଙ୍କ ବାସସ୍ଥଳୀ କୁହାଉଥିବା ମେରୁ ପର୍ବତର ସୂଚକ । ମୁଖ୍ୟ ମନ୍ଦିର ପାର୍ଶ୍ୱରେ ରହିଥିବା ଉପଶିଖରଗୁଡ଼ିକ ମେରୁ ପର୍ବତର ପଞ୍ଚଶୃଙ୍ଗ ଦର୍ଶାଏ । ମନ୍ଦିରର ପାଚେରୀ ନିମ୍ନଦେଶର ପର୍ବତ ଶ୍ରେଣୀ ଭାବେ ଅଭିହିତ ହୁଅନ୍ତି । ଅନ୍ୟ ପକ୍ଷରେ ମନ୍ଦିରକୁ ଚାରି ଦିଗରୁ ପରିବେଷ୍ଟିତ କରି ରଖିଥିବା ଜଳାଶୟ ବା ଖାଇ ସମୁଦ୍ର ସହିତ ତୁଳନୀୟ । ମନ୍ଦିରର ମୁଖ୍ୟ ଶିଖରକୁ ପ୍ରବେଶ ପାଇଁ ଅଳ୍ପ ଲୋକଙ୍କୁ ଅନୁମତି ରହିଥିଲା କିନ୍ତୁ ସାଧାରଣ ଲୋକେ ତଳସ୍ତର ପର୍ଯ୍ୟନ୍ତ ଯାତାୟତ କରିପାରୁଥିବା ଅନୁମାନ କରାଯାଏ ।

ଅଂକୋର୍ ୱାଟ୍ ଏହି ଅଞ୍ଚଳର ଅନ୍ୟ ମନ୍ଦିରମାନଙ୍କଠାରୁ ଗୋଟିଏ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ । ତାହା ହେଲା ସମସ୍ତ ମନ୍ଦିରର ମୁଖ୍ୟଦ୍ୱାର ପୂର୍ବ ଦିଗରେ ଥିଲାବେଳେ ଅଂକୋର୍ ୱାଟ୍‍ ପଶ୍ଚିମ ଦିଗକୁ ମୁହଁ କରି ଦଣ୍ଡାୟମାନ । ଏପରି ଭିନ୍ନତା ଦେଖି ମୌରିସ୍ ଗ୍ଲେଜ୍ ଓ ଜର୍ଜ୍ କୋଡେ ପରି ଅନେକ ଗବେଷକମାନେ ଅନୁମାନ କରନ୍ତି ଯେ ରାଜା ସୂର୍ଯ୍ୟବର୍ମନ ବୋଧହୁଏ ଏହି ମନ୍ଦିରକୁ ନିଜର ସମାଧୀ ମନ୍ଦିର ଭାବେ ନିର୍ମାଣ କରିବା ପାଇଁ ଇଛ୍ଛା କରିଥିଲେ । ଏପରି ଅନୁମାନର ଆଉ ଏକ କାରଣ ହେଉଛି ପ୍ରସ୍ତର ଖୋଦିତ ଚିତ୍ରଗୁଡିକର କଥା ଘଡିର ବିପରୀତ ଦିଗରେ ଅଗ୍ରସର ହୋଇଛି । ବ୍ରାହ୍ମଣମାନଙ୍କ କ୍ଷେତ୍ରରେ ଶବଦାହ ସମୟରେ ସମସ୍ତ ବିଧି ବିପରୀତ ଦିଗରେ ପରିଚାଳିତ ହୁଏ । ଘଣ୍ଟାକଣ୍ଟାର ଦିଗର ବିପରୀତ ବା ପ୍ରସଭ୍ୟ ଦିଗ ସାଧାରଣ ଜନଜୀବନର ବିପରୀତ ବୋଲି ମନେ କରାଯାଉଥିବାରୁ ଏପରି ଅନୁମାନ କରାଯାଏ । ପ୍ରତ୍ନତତ୍ତ୍ୱବିତ୍ ଚାର୍ଲ୍‍ସ୍ ହିଘାମ୍ ମଧ୍ୟ ଏହି ମତକୁ ସମର୍ଥନ କରି କୁହନ୍ତି ଯେ ମଧ୍ୟ ମନ୍ଦିରରୁ ମିଳିଥିବା ଏକ ବାକ୍‍ସ ଶେଷକ୍ରିୟା ସମ୍ପର୍କିତ ବସ୍ତୁ ହୋଇଥାଇପାରେ । ଫ୍ରିମ୍ୟାନ୍ ଓ ଜ୍ୟାକ୍ ପରି କେତେକ ପ୍ରତ୍ନତତ୍ତ୍ୱବିତ୍ କିନ୍ତୁ ଏହି ମତ ସହିତ ଅସହମତ । ସେମାନଙ୍କ ଅନୁସାରେ ସେହି ସମୟର ମନ୍ଦିରମାନଙ୍କ ମଧ୍ୟରେ କେବଳ ଅଂକୋର୍ ୱାଟ୍ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବାରୁ ଓ ପଶ୍ଚିମ ଦିଗ ସହିତ ବିଷ୍ଣୁଙ୍କୁ ସମ୍ପୃକ୍ତ କରାଯାଉଥିବାରୁ ଶିଳ୍ପୀମାନେ ନିର୍ମାଣ ସମୟରେ ଏପରି ବିଶେଷତା ପ୍ରତି ଧ୍ୟାନରଖି ନିର୍ମାଣ କାର୍ଯ୍ୟ କରିଥିଲେ ।

ଏଲିଆନୋର୍ ମାନ୍ନିକା କିନ୍ତୁ ମନ୍ଦିର ସମ୍ପର୍କରେ ଏକ ଭିନ୍ନ ମତ ପୋଷଣ କରନ୍ତି । ତାଙ୍କ ଯୁକ୍ତି ଅନୁସାରେ ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ରାଜୁତି କାଳ ଏକ ସାମ୍ୟ, ଐକ୍ୟ ଓ ସଦ୍‍ଭାବନାର ପରିବେଶ ସୃଷ୍ଟି କରିଥିବାରୁ ଏପରି ନିର୍ମାଣ ହୋଇଛି । ଉଭୟ ସୌର ଓ ଚନ୍ଦ୍ର ସମୟଗଣନା ମନ୍ଦିରର ଗଠନରେ ପ୍ରତିଫଳିତ ହେବା ଏକ ଦୈବୀ ସମୟ ଆଡକୁ ଇଙ୍ଗିତ କରୁଥିଲା । ବିଷ୍ଣୁଙ୍କ ମୂର୍ତ୍ତିରେ ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ପ୍ରତିଫଳନ, ମେରୁ ପର୍ବତ ପରି ମନ୍ଦିର ଦେବତାଙ୍କ ଆସ୍ଥାନ ହେବା, ପାଚେରୀ ଓ କାନ୍ଥର ଶିଳ୍ପକଳା ରାଜାଙ୍କ ଶକ୍ତି ଓ ଗୌରବର ଗାଥା ବହନ କରୁଥିଲା । ମାନ୍ନିକାଙ୍କର ଏହି ଯୁକ୍ତି ଗବେଷକଙ୍କ ମହଲରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଗ୍ରାହାମ୍ ହାମୋକ୍‍ଙ୍କ ମତାନୁସାରେ ଅଂକୋର୍ ୱାଟ୍ ମନ୍ଦିର ଡ୍ରେକୋ ନକ୍ଷତ୍ରପୁଞ୍ଜ ଆକାରରେ ନିର୍ମିତ ।

ସ୍ଥାପତ୍ୟ ଶୈଳୀ[ସମ୍ପାଦନା]

ଏକ ପାର୍ଶ୍ୱରୁ ଅଂକୋର୍ ୱାଟ୍‍ର ଦୃଶ୍ୟ

ଅଂକୋର୍ ୱାଟ୍ ପାରମ୍ପରିକ କ୍ଷ୍ମେର୍ ସ୍ଥାପତ୍ୟ କଳାର ଉତ୍କର୍ଷତାର ସର୍ବଶ୍ରେଷ୍ଠ ଉଦାହରଣ । ଅଂକୋର୍ ୱାଟ୍‍ର ସ୍ଥାପତ୍ୟର ବିଶେଷତ୍ତ୍ୱ ଯୋଗୁଁ “ଅଂକୋର୍ ୱାଟ୍ ଶୈଳୀ” ଶବ୍ଦର ଆବିଷ୍କାର ହୋଇଛି । ଦ୍ୱାଦଶ ଶତାବ୍ଦୀ ବେଳକୁ କ୍ଷ୍ମେର୍ ସ୍ଥପତିମାନେ ମାଙ୍କଡା ପଥର ବା ଇଟା ପରିବର୍ତ୍ତେ ବାଲୁକା ପ୍ରସ୍ତରର ବ୍ୟବହାର କରି ମନ୍ଦିର ନିର୍ମାଣ କରିବାରେ ଓ ବାଲୁକା ପ୍ରସ୍ତର ଉପରେ ସୂକ୍ଷ୍ମ କାରୁକାର୍ଯ୍ୟ ଗଢିବାରେ ଅତି ନିପୁଣ ହୋଇସାରିଥିଲେ । ମନ୍ଦିର ନିର୍ମାଣ ବେଳେ ମାଙ୍କଡା ପଥର ମନ୍ଦିରର ମାଂସପେଶୀ ଓ ଅସ୍ଥି ଗଠନରେ ବ୍ୟବହୃତ ହେଲାବେଳେ କାରୁକାର୍ଯ୍ୟପୂର୍ଣ୍ଣ ବାଲୁକା ପଥର ମନ୍ଦିରର ସୁନ୍ଦର ଚର୍ମ ପରି ଶୋଭାପାଏ । ମାଙ୍କଡା ପଥର ଉପରେ ବାଲୁକା ପଥରକୁ ବାନ୍ଧି ରଖିବା ପାଇଁ କେଉଁ ପ୍ରକାରର ଦ୍ରବ୍ୟ ବ୍ୟବହାର କରାଯାଉଥିଲା ତାହା ଅସ୍ପଷ୍ଟ । କେତେକଙ୍କ ମତରେ ପ୍ରାକୃତିକ ରେଜିନ୍ ବା କଷ୍ଟିକ ଚୂନ ବ୍ୟବହାର କରାଯାଇଥାଇପାରେ ।

ନିର୍ମାଣର ଅନରୂପତା ପାଇଁ ଏହି ମନ୍ଦିର ଅନେକ ପ୍ରଶଂସା ପାଇଛି । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଅଂକୋର୍ ମନ୍ଦିରରେ ସଂରକ୍ଷକ ଭାବେ କାମ କରୁଥିବା ମୌରିସ୍ ଗ୍ଲେଜିଙ୍କ ମତରେ “ନିର୍ମାଣ ବେଳେ ସମସ୍ତ ଉପାଦାନର ସନ୍ତୁଳିତ ଓ ସଠିକ୍ ଅନୁପାତ ଯୋଗୁଁ ଅଂକୋର୍ ମନ୍ଦିରରେ ପୂର୍ଣ୍ଣତା ପରିଲକ୍ଷିତ ହୁଏ । ଶକ୍ତି, ଐକ୍ୟ ଓ ଠାଣିର ଏହା ଅଦ୍ଭୁତ ନିଦର୍ଶନ ।“

ପଦ୍ମଫୁଲର କଢ ପରି ନିର୍ମିତ ମନ୍ଦିରର ଶିଖର, ସଠିକ୍ ଅକ୍ଷରେ ରହିଥିବା ଚିତ୍ରଶାଳା, ମନ୍ଦିର ପାଚେରୀ, ସୁନ୍ଦର କାରୁକାର୍ଯ୍ୟ ମଣ୍ଡିତ ଛାତ ଇତ୍ୟାଦି ସ୍ଥାପତ୍ୟ ଦୃଷ୍ଟିକୋଣରୁ ମନ୍ଦିରର ଉତ୍କର୍ଷତା ଦର୍ଶାନ୍ତି । ପ୍ରସ୍ତର ଉପରେ ଖୋଦିତ ଚିତ୍ର, ପୌରାଣିକ କଥାଚିତ୍ର, ଫୁଲମାଳା, ଦେବତା, ଅପ୍‍ସରା ମନ୍ଦିରର ଶୋଭା ଦ୍ୱିଗୁଣିତ କରନ୍ତି । କମ୍ ଭାବଭଙ୍ଗୀ ଓ ଭାବନାରେ ସ୍ଥିରତା କିଛି ଗବେଷକ ଅଂକୋର୍ ୱାଟ୍‍ର ମୂର୍ତ୍ତିକଳାକୁ ଋଢିବାଦୀ ବା ଅନୁଦାରପନ୍ଥୀ ଶ୍ରେଣୀଭୁକ୍ତ କରନ୍ତି । ଅତିବାହିତ ସମୟ ଓ ବାରମ୍ବାର ଲୁଣ୍ଠନ ଯୋଗୁଁ ମନ୍ଦିରର ଅନେକ ଶିଖରର, କେତେକ ମୂର୍ତ୍ତି ତଥା କେତେକ ଛାତର କେତେକ ଅଂଶ ଓ କେତେକ ଦ୍ୱାରବନ୍ଧରେ ଚଢାଯାଇଥିବା ସୁନାପାଣିର ପରସ୍ତ ବର୍ତ୍ତମାନ ସମୟରେ ଅନୁପସ୍ଥିତ ।

ଗଠନାତ୍ମକ ବିଶେଷତା[ସମ୍ପାଦନା]

ବାହ୍ୟ ପରିସୀମା[ସମ୍ପାଦନା]

ଅଂକୋର୍ ୱାଟ୍‍ର ପଶ୍ଚିମ ପଟର ବାହ୍ୟ ପାଚେରୀର ଦୃଶ୍ୟ
ଉତ୍ତର ପାର୍ଶ୍ୱରେ ଥିବା ପାଠାଗାର

ବାହାର ପଟର ପାଚେରୀଟି ମାପରେ ୩୩୬୦′ × ୨୬୩୧′ (୧୦୨୪ ମି. × ୮୦୨ ମି.)ର ଆୟତାକାର କ୍ଷେତ୍ର । ଏହା ପ୍ରାୟ ୧୫ ଫୁଟ୍ ବା ୪.୫ ମିଟର୍ ଉଚ୍ଚତା ବିଶିଷ୍ଟ । ବାହାର ପଟର ପାଚେରୀ ୩୦ ମି. (୯୮ ଫୁଟ୍) ଖୋଲା ପଡିଆଦ୍ୱାରା ଆବଦ୍ଧ । ତାହାକୁ ଚାରିପଟରୁ ୧୯୦ ମି. (୬୨୦ ଫୁଟ୍) ପ୍ରସ୍ଥବିଶିଷ୍ଟ ମନୁଷ୍ୟକୃତ ଜଳାଶୟ ବା ଖାଇ ଘେରି ରହିଛି । ମନ୍ଦିରକୁ ଯିବା ପାଇଁ ପୂର୍ବପଟରେ ଏକ ମାଟିବନ୍ଧ ଓ ପଶ୍ଚିମ ପଟେ ବାଲୁକା ପ୍ରସ୍ତର ନିର୍ମିତ ପୋଲ ରହିଛି । ପ୍ରଥମେ ତିଆରି ହୋଇଥିବା ଏକ କାଠ ପୋଲ ସ୍ଥାନରେ ପରବର୍ତ୍ତୀ ସମୟରେ ପଥର ନିର୍ମିତ ପୋଲ ତିଆରି ହୋଇଥିବା ଅନୁମାନ କରାଯାଏ । ପ୍ରତ୍ୟେକ ଦିଗରେ ଗୋପୁର ରହିଥିଲା । ପଶ୍ଚିମ ପଟର ଗୋପୁର ସବୁଠାରୁ ବଡ଼ ମନେ ହୁଏ ଓ ଏହାର ଅନ୍ୟ ଶିଖରଗୁଡିକ ବର୍ତ୍ତମାନ ଭଗ୍ନାବସ୍ଥାରେ ରହିଛନ୍ତି । ଗ୍ଲେଜ୍‍ଙ୍କ ମତରେ ଅଂକୋର୍ ୱାଟ୍‍ର ଗୋପୁର ମନ୍ଦିରର ପ୍ରକୃତ ରୂପର କିଛି ଅଂଶ ଦର୍ଶାଏ ଓ କିଛି ଅଂଶ ଲୁଚାଇ ରଖେ । ଦକ୍ଷିଣ ଗୋପୁର ତଳେ ଭଗବାନ ବିଷ୍ଣୁଙ୍କର “ତା ରିଚ୍” ନାମକ ଏକ ପ୍ରତିମୂର୍ତ୍ତି ରହିଛି । ଏହି ପ୍ରତିମୂର୍ତ୍ତିଟି ଏକଦା ମୁଖ୍ୟ ମନ୍ଦିରର ଶୋଭା ବଢାଉଥିବାର ଅନୁମାନ କରାଯାଏ । ସମସ୍ତ ଗୋପୁର ଚିତ୍ରଶାଳାର ପାଚେରୀଦ୍ୱାରା ସଂଯୁକ୍ତ । ଗୋପୁରର ଦୁଇ ପାର୍ଶ୍ୱରେ ତୋରଣ ଏବଂ ପ୍ରବେଶ ଦ୍ୱାର ରହିଛି । ଏହି ପ୍ରବେଶ ଦ୍ୱାର ଆକାରରେ ପ୍ରଶସ୍ତ, ଉଚ୍ଚ ଯେପରିକି ହାତୀ ପରି ବଡ଼ ଜୀବ ମଧ୍ୟ ଏହି ଦ୍ୱାର ଦେଇ ପ୍ରବେଶ କରିପାରିବେ ଓ ସେଥିପାଇଁ ଏମାନଙ୍କୁ “ହସ୍ତୀ ଦ୍ୱାର” ବୋଲି ମଧ୍ୟ କୁହାଯାଏ । ଚିତ୍ରଶାଳା ବା ଅଗଣାର ବାହାର ପଟେ ବର୍ଗାକାର ସ୍ତମ୍ଭ ରହିଥିବାବେଳେ ଭିତରପଟେ କାନ୍ଥ ରହିଛି । ସ୍ତମ୍ଭମାନଙ୍କ ମଧ୍ୟରେ ଛାତରେ ପଦ୍ମ ପାଖୁଡା ପରି ଫୁଲ ପଥରରେ ଖୋଦିତ ହୋଇଛି । କାନ୍ଥର ପଶ୍ଚିମ ପଟେ ନୃତକମାନଙ୍କ ମୂର୍ତ୍ତି ରହିଛି ଓ ପୂର୍ବ ପଟେ କାରୁକାର୍ଯ୍ୟବିଶିଷ୍ଟ ଝରକା, ଦେବତା ଇତ୍ୟାଦିଙ୍କ ମୂର୍ତ୍ତି ରହିଛି ।

ବାହାରପଟର ପାଚେରୀ ୮୨୦୦୦୦ ବର୍ଗମିଟର (୨୦୩ ଏକର) କ୍ଷେତ୍ର ଆବଦ୍ଧ କରି ରଖିଛି । ଏହିସବୁ ଅଞ୍ଚଳ ପୂର୍ବେ ମନ୍ଦିର ବ୍ୟତୀତ ନଗର ଓ ରାଜପ୍ରାସାଦଦ୍ୱାରା ମଧ୍ୟ ଅଧିକୃତ ଥିଲା । ଏହିସବୁ ଘର ପ୍ରସ୍ତର ହୀନ ଥିଲା ଓ କ୍ଷୟଶୀଳ ପଦାର୍ଥରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । କାରଣ ବର୍ତ୍ତମାନ ପୂର୍ବ କାଳର ସଡକ ଓ ସାହିର ଚିହ୍ନକୁ ଛାଡିଦେଲେ ଆଉ କିଛି ରହିନାହିଁ । ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ଜଙ୍ଗଲ, ଲଟାବୁଦା ମାଡିଯାଇଛି । ୩୫୦ ମିଟର (୧୧୫୦ ଫୁଟ୍) ଦୀର୍ଘ ଏକ ବାରଣ୍ଡା ପଶ୍ଚିମ ପଟର ଗୋପୁରକୁ ମୁଖ୍ୟ ମନ୍ଦିର ସହିତ ସଂଯୋଜିତ କରେ । ଏହାର ଉଭୟ ପାର୍ଶ୍ୱରେ ନାଗ ସଦୃଶ ଆଲମ୍ବ ରହିଥିଲା ଓ ୬ଟି ସ୍ଥାନରେ ତଳକୁ ଓହ୍ଲାଇଥିବା ପାହାଚ ନଗରର ସଡକରେ ମିଶୁଥିଲେ । ଉଭୟ ପାର୍ଶ୍ୱରେ ଦୁଇଟି ପାଠାଗାର ରହିଛି ଓ ପାଠାଗାର ଓ ମୁଖ୍ୟ ମନ୍ଦିର ମଧ୍ୟରେ ଦୁଇଟି ବିରାଟ ପୋଖରୀ ମଧ୍ୟ ରହିଛି । ସିଂହଦ୍ୱାର ପଛରେ ରହିଥିବା ଛୋଟ ମନ୍ଦିର ଓ ପୋଖରୀ ଦୁଇଟି ପରବର୍ତ୍ତୀ ସମୟରେ ମନ୍ଦିରର ନକସାରେ ଅନ୍ତର୍ଭୁକ୍ତ କରାଯାଇଥିବାର ଅନୁମାନ କରାଯାଏ ।

ମନ୍ଦିରର ବାହାର ପଟର କାନ୍ଥରେ ଗୃହଯୁଦ୍ଧ ସମୟରୁ ଅନେକ ଗୁଳି ଚିହ୍ନ ରହିଛି । ସ୍ଥାନେ ସ୍ଥାନେ ଏହି ଗୁଳି ଚିହ୍ନ ମଧ୍ୟରେ ଆଜିସୁଦ୍ଧା କେତୋଟି ଗୁଳି ଲାଖି ରହିଥିବା ଦେଖାଯାଏ ।

ମଧ୍ୟ ମନ୍ଦିର[ସମ୍ପାଦନା]

ଅଂଗୋର୍ ୱାଟ୍ ମନ୍ଦିରର ମଧ୍ୟରେ ଥିବା ମୁଖ୍ୟ ମନ୍ଦିର ମେରୁ ପର୍ବତ ପରି ନିର୍ମାଣ କରାଯାଇଛି

ନଗରଠାରୁ ସାମାନ୍ୟ ଉଚ୍ଚ ପ୍ରସ୍ତର ଭିତ୍ତି ଉପରେ ମନ୍ଦିରର ନିର୍ମାଣ ହୋଇଛି । ତିନୋଟି ସମକୈନ୍ଦ୍ରିକ ଆୟତାକାର ଚିତ୍ରଶାଳା କ୍ରମଶଃ ସୋପାନରେ ଉପରକୁ ଉଠି ସେମାନଙ୍କ କେନ୍ଦ୍ରରେ ମୁଖ୍ୟ ମନ୍ଦିର ବା ମଧ୍ୟ ମନ୍ଦିରର ଶିଖର ରହିଛି । ଭିତର ପଟର ସମକୈନ୍ଦ୍ରିକ ଆୟତାକାର କ୍ଷେତ୍ର ବାହାର ପଟର ଆୟତାକାର କ୍ଷେତ୍ରଠାରୁ ଉଚ୍ଚରେ ରହିଛି ଓ ତେଣୁ ଏମାନଙ୍କୁ ବିଭିନ୍ନ ସୋପାନ ରୂପେ ପରିଗଣିତ କରାଯାଇପାରିବ । ମନ୍ନିକା ଅନୁମାନ କରିଛନ୍ତି ଯେ, ଚିତ୍ରଶାଳାଗୁଡିକ ରାଜା, ବ୍ରହ୍ମା, ଚନ୍ଦ୍ର ଓ ବିଷ୍ଣୁଙ୍କ ନିମନ୍ତେ ନିର୍ମିତ ହୋଇଛି । ପ୍ରତ୍ୟେକ ଚିତ୍ରଶାଳା ବା ବାରଣ୍ଡାର ଉଭୟ ପାର୍ଶ୍ୱରେ ଗୋପୁର ରହିଛି ।

ବାହ୍ୟତମ ଚିତ୍ରଶାଳାଟିର ମାପ ପ୍ରାୟ ୧୮୭ ମି. × ୨୧୫ ମି. (୬୧୪ ଫୁଟ୍ × ୭୦୫ ଫୁଟ୍) । ମନ୍ଦିରର ପଶ୍ଚିମ ଦିଗରେ ବାହ୍ୟ ଚିତ୍ରଶାଳା ଓ ଦ୍ୱିତୀୟ ପାଚେରୀ “ପ୍ରେଆଃ ପୋଆନ୍” ନାମକ ଏକ ବାରଣ୍ଡାଦ୍ୱାରା ସଂଯୋଜିତ । ଏହାର ନାମର ଅର୍ଥ ହେଲା ସହସ୍ର ଭଗବାନଙ୍କ ମଣ୍ଡପ । ଏଠାରେ ତୀର୍ଥଯାତ୍ରୀମାନେ ବହୁ ପ୍ରାଚୀନ ସମୟରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖି ଆସୁଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତ ମୂର୍ତ୍ତି ବର୍ତ୍ତମାନ ହଟାଇ ଦିଆଯାଇଛି । ଏଠାରେ କ୍ଷ୍ମେର୍, ବ୍ରହ୍ମଦେଶୀୟ, ଜାପାନୀ ଇତ୍ୟାଦି ବିଭିନ୍ନ ଭାଷାରେ ଲିଖିତ ଶିଳାଲେଖ ମଧ୍ୟ ରହିଛି ।

ଦ୍ୱିତୀୟ ଓ ଅନ୍ତଃ ଚିତ୍ରଶାଳାର ବାହାରପଟକୁ ଦୁଇଟି ପାଠାଗାର ରହିଛି । ଏହା ମଧ୍ୟ ପ୍ରଥମେ ନିର୍ମିତ ମନ୍ଦିରର ଅଂଶ ନଥିବା ଅନୁମାନ କରାଯାଏ । ଦ୍ୱିତୀୟ ସୋପାନରୁ ଉପରକୁ ମନ୍ଦିରର କାନ୍ଥରେ ଅନେକ ଦେବତାଙ୍କ ଚିତ୍ର ରହିଛି । ମେରୁ ପର୍ବତର ଚାରିପଟେ ରହିଥିବା ସମୁଦ୍ରର ପ୍ରଭାବ ସୃଷ୍ଟି କରିବା ପାଇଁ ପୂର୍ବେ ୧୦୦ ମି. × ୧୧୫ ମି. ଆକାରବିଶିଷ୍ଟ ଦ୍ୱିତୀୟ ସୋପାନର ବାଡକୁ ଜଳପୂର୍ଣ୍ଣ କରି ରଖାଯାଇ ଥାଇପାରେ ବୋଲି ଅନୁମାନ କରାଯାଏ । ମୁଖ୍ୟ ମନ୍ଦିରକୁ ଚଢିବା ପାଇଁ ଥିବା ପାହାଚ ଆକାରରେ କମ୍ ଓସାରିଆ ଓ ଢାଲୁଆ । “ଦେବତାମାନେ ବସବାସ କରୁଥିବା ପର୍ବତ ଚଢିବା କଷ୍ଟସାଧ୍ୟ” ବୋଲି ଏପରି ଛୋଟ ଓ ଢାଲୁଆ ପାହାଚ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ଭିତର ପାଖର ଚିତ୍ରଶାଳାକୁ “ବକାନ” ବୋଲି କୁହାଯାଏ । ଚିତ୍ରଶାଳାର ଛାତରେ ଗରୁଡ ବା ସିଂହର ମୁହଁ ଓ ସାପର ଦେହବିଶିଷ୍ଟ ପ୍ରାଣୀଦ୍ୱାରା ସଜ୍ଜିତ ହୋଇଛି । ମଧ୍ୟ ମନ୍ଦିରର ଶିଖର ପାର୍ଶ୍ୱ ମନ୍ଦିରମାନଙ୍କଠାରୁ ଉଚ୍ଚତର ଓ ଭୂମିରୁ ପ୍ରାୟ ୬୫ ମିଟର ବା ୨୧୩ ଫୁଟ୍ ଉଚ୍ଚ । ମଧ୍ୟ ମନ୍ଦିରର ଶିଖର ତଳେ ପ୍ରଥମେ ବିଷ୍ଣୁଙ୍କ ଆସ୍ଥାନ ଥିଲା । ଏହି ଆସ୍ଥାନଟିସବୁ ଦିଗକୁ ଖୋଲୁଥିଲା । ମନ୍ଦିରଟି ବୌଦ୍ଧମାନଙ୍କଦ୍ୱାରା ଅଧିକୃତ ହେବା ପରେ ଶିଖର ତଳେ ଚାରୋଟି କାନ୍ଥ ନିର୍ମିତ ହୋଇ ସେଥିରେ ବୁଦ୍ଧଙ୍କ ଚାରୋଟି ମୂର୍ତ୍ତି ପ୍ରତିଷ୍ଠିତ ହେଲା । ମଧ୍ୟ ମନ୍ଦିରର ଆସ୍ଥାନ ତଳେ ମନ୍ଦିରର ଧନ ଗଛ୍ଛିତ ରଖିବା ପାଇଁ ଏକ ବଡ଼ ଗର୍ତ୍ତ ରହିଥିଲା । ୧୯୩୪ ମସିହାରେ ଜର୍ଜ୍ ଟ୍ରୁଭ୍ ଏହି ଗର୍ତ୍ତରୁସବୁ ଧନ ଲୁଣ୍ଠିତ ହୋଇ ତା’ ସ୍ଥାନରେ ବାଲି ଓ ପାଣି ଭର୍ତ୍ତି କରାଯାଇଥିବା ଦେଖିବାକୁ ପାଇଲେ ।

ସାଜସଜ୍ଜା[ସମ୍ପାଦନା]

ପ୍ରଥମ ଓ ଦ୍ୱିତୀୟ ସୋପାନରେ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବା କାରୁକାର୍ଯ୍ୟ, ପ୍ରସ୍ତର କଳା, ସାଜସଜ୍ଜା ମନ୍ଦିରର ସ୍ଥାପତ୍ୟ କଳା ସହିତ ସମ୍ମିଶ୍ରିତ ହୋଇ ମନ୍ଦିରକୁ ଅଧିକ ଖ୍ୟାତିସମ୍ପନ୍ନ କରାଇଛି । ରାମାୟଣ, ମହାଭାରତ ପରି ହିନ୍ଦୁ ମହାକାବ୍ୟ ଓ ପୌରାଣିକ କଥାମାନଙ୍କର ଦୃଶ୍ୟାବଳୀ ମନ୍ଦିରର କାନ୍ଥରେ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି । ହିଘାମ୍ ଏହି ପ୍ରସ୍ତର ଖୋଦିତ ଚିତ୍ରଗୁଡିକୁ ତାଙ୍କ ଜ୍ଞାତସାରରେ ଥିବା ରୈଖିକ ପ୍ରସ୍ତର ଚିତ୍ରମାନଙ୍କ ମଧ୍ୟରେ ସର୍ବୋତ୍କୃଷ୍ଟ ବୋଲି କହିଥିଲେ । ଉତ୍ତର-ପଶ୍ଚିମ କୋଣରୁ ବାମାବର୍ତ୍ତ ଦିଗରେ ପରିକ୍ରମା ଆରମ୍ଭ କଲେ ପ୍ରଥମେ ପଶ୍ଚିମ ପଟର ଚିତ୍ରଶାଳାରେ ରାମ-ରାବଣଙ୍କ ଲଙ୍କା ଯୁଦ୍ଧ ଓ ପରେ କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ସଂଘଟିତ ମହାଭାରତ ଯୁଦ୍ଧର ବିବରଣୀ ଚିତ୍ରିତ ହୋଇଛି । ଦକ୍ଷିଣ ପାର୍ଶ୍ୱର ଚିତ୍ରଶାଳାରେ ରାଜା ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ଏକ ଶୋଭାଯାତ୍ରା, ହିନ୍ଦୁ ଧର୍ମରେ ବର୍ଣ୍ଣିତ ୩୨ଟି ନର୍କ ଓ ୩୭ଟି ସ୍ୱର୍ଗ ମଧ୍ୟ ଦର୍ଶିତ ହୋଇଛି ।

ପୂର୍ବ ପଟର ଚିତ୍ରଶାଳାର କାନ୍ଥରେ ବିଷ୍ଣୁଙ୍କ ନିର୍ଦ୍ଦେଶକ୍ରମେ ୮୮ ଜଣ ଦେବତା ଓ ୯୨ଜଣ ଅସୁର ବାସୁକୀ ନାଗକୁ ମେରୁ ପର୍ବତର ଚାରିପଟେ ଗୁଡାଇ କ୍ଷୀରସାଗରକୁ ମନ୍ଥନ କରୁଥିବାର ଅତ୍ୟନ୍ତ ମନୋରମ ଚିତ୍ର ଖୋଦିତ ହୋଇଛି । ମାନ୍ନିକା କିନ୍ତୁ ୯୧ଟି ଅସୁର ରହିଥିବା ମତ ପୋଷଣ କରନ୍ତି । ତାଙ୍କ ମତାନୁସାରେ ଏହି ଅଖାଡୁଆ ୯୧ ସଂଖ୍ୟା ଦକ୍ଷିଣାୟନ ଆରମ୍ଭରୁ ବସନ୍ତ ବିଷୁବ ପର୍ଯ୍ୟନ୍ତ ଓ ବସନ୍ତ ବିଷୁବଠାରୁ ଉତ୍ତରାୟଣ ପର୍ଯ୍ୟନ୍ତ ସମୟ ବ୍ୟବଧାନର ସୂଚକ । ଏହା ପରେ ୧୬ଶ ଶତାବ୍ଦୀରେ ଖୋଦିତ ହୋଇଥିବା ଏକ ଚିତ୍ରରେ ବିଷ୍ଣୁ ଅସୁରମାନଙ୍କୁ ପରାସ୍ତ କରୁଛନ୍ତି । ଉତ୍ତର ପଟର ଚିତ୍ରଶାଳାର କାନ୍ଥରେ ଶ୍ରୀକୃଷ୍ଣ ବାଣାସୁର ନାମକ ଏକ ଅସୁରକୁ ପରାସ୍ତ କରୁଥିବାର ଦୃଶ୍ୟ ଓ ଓ ଦେବାସୁର ସଂଗ୍ରାମର ଏକ ଚିତ୍ର ଖୋଦିତ ହୋଇଛି । ଗ୍ଲେଜ୍‍ଙ୍କ ମତରେ ଅନ୍ୟ ଶିଳାଚିତ୍ର ଅପେକ୍ଷା କୃଷ୍ଣ-ବାଣାସୁର ଯୁଦ୍ଧରେ କରାଯାଇଥିବା କାରୁକାର୍ଯ୍ୟର ମାନ ଅତି ଖରାପ । ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ କୋଣରେ ଖୋଦିତ ଶିଳାଚିତ୍ରରେ ରାମାୟଣର କେତେକ କଥା, କୃଷ୍ଣଙ୍କ ଜୀବନ ସମ୍ପର୍କିତ ଓ କେତେକ ଅଜଣା ଚିତ୍ରମାନ ଖୋଦିତ ହୋଇଛି ।

ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଅନେକ ଅପ୍‍ସରାମାନଙ୍କର ଅନେକ ଚିତ୍ର ଓ ଦେବତାମାନଙ୍କର ୧୭୯୬ରୁ ଅଧିକ ଚିତ୍ର ରହିଛି । ଅଂକୋର୍‍ର ଶିଳ୍ପୀମାନେ ମନ୍ଦିରର କାନ୍ଥ ଓ ସ୍ତମ୍ଭମାନଙ୍କରେ ପ୍ରାୟ ୩୦-୪୦ ସେଣ୍ଟିମିଟର (୧୨-୧୬ ଇଞ୍ଚ) ଉଚ୍ଚତାର ଅପ୍‍ସରା ମୂର୍ତ୍ତି ବା ଚିତ୍ର ରହିଛି । ଦେବତାଙ୍କ ଚିତ୍ରଗୁଡିକ ୯୫-୧୧୦ ସେଣ୍ଟିମିଟର (୩୭-୪୩ ଇଞ୍ଚ) ଉଚ୍ଚତାବିଶିଷ୍ଟ ।

ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଖୋଦିତ ହୋଇଥିବା ଚିତ୍ରରେ ସ୍ଥାନ ପାଇଥିବା କେତେକ ପ୍ରମୁଖ ପୌରାଣିକ ବିଷୟବସ୍ତୁ ହେଲେ :

  • ଦେବତା ଓ ଅସୁରମାନଙ୍କଦ୍ୱାରା କ୍ଷୀରସାଗର ମନ୍ଥନ କଥା
  • କୃଷ୍ଣଙ୍କ ଜୀବନ ବୃତ୍ତାନ୍ତ
  • ରାବଣ କୈଳାସ ପର୍ବତ ଦୋହଲାଇବା
  • ଶିବଙ୍କଦ୍ୱାରା କାମଦେବ ଭସ୍ମ ହେବା ବୃତ୍ତାନ୍ତ
  • ରାମଙ୍କଦ୍ୱାରା ବାନରରାଜ ବଳୀ ବଧ ହେବା
  • କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠାଇବା
  • ରାମ ସୁନା ହରିଣ ବେଶରେ ଥିବା ମାରୀଚକୁ ଗୋଡାଇବା
  • ଲଙ୍କାରେ ରାମ ଓ ରାବଣଙ୍କ ସେନା ମଧ୍ୟରେ ହୋଇଥିବା ଯୁଦ୍ଧ
  • କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ମହାଭାରତ ଯୁଦ୍ଧ
  • ଶିବ ଓ ଋଷିମାନଙ୍କ କାହାଣୀ

ଏହା ବ୍ୟତୀତ ଧ୍ୟାନମଗ୍ନ ଶିବଙ୍କ ଚିତ୍ର, ରାଜା ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ଐତିହାସିକ ଶୋଭାଯାତ୍ରା, ଦ୍ୱାରବତୀର ଜଳ ଉତ୍ସବ, ଯମରାଜଙ୍କଦ୍ୱାରା ନିର୍ଣ୍ଣିତ ୩୨ଟି ନର୍କ ଓ ୩୭ଟି ସ୍ୱର୍ଗ ଇତ୍ୟାଦିର ଚିତ୍ର ମଧ୍ୟ ମନ୍ଦିର କାନ୍ଥରେ ଖୋଦିତ ହୋଇଛି ।

ଅଂକୋର୍ ୱାଟ୍ ମନ୍ଦିର କାନ୍ଥରେ ଖୋଦିତ ଚିତ୍ର[ସମ୍ପାଦନା]

ଅଂକୋର୍ ୱାଟ୍ ମନ୍ଦିରର କାନ୍ଥରେ ଖୋଦିତ ବିଭିନ୍ନ ଶିଳାଚିତ୍ର
ଯୁଦ୍ଧରତ ଗୁରୁ ଦ୍ରୋଣଙ୍କ ଚିତ୍ର ଅଂକୋର୍ ୱାଟ୍‍ର ପ୍ରସ୍ତର କାନ୍ଥରେ ଖୋଦିତ । ଗୁରୁ ଦ୍ରୋଣଙ୍କ ମୁଣ୍ଡର ଜଟାଦ୍ୱାରା ତାଙ୍କୁ ଅସଂଖ୍ୟ ଯୋଦ୍ଧାଙ୍କ ମଧ୍ୟରେ ସହଜରେ ଚିହ୍ନଟ କରିହେବ
ଯୁଦ୍ଧରତ ଗୁରୁ ଦ୍ରୋଣଙ୍କ ଚିତ୍ର ଅଂକୋର୍ ୱାଟ୍‍ର ପ୍ରସ୍ତର କାନ୍ଥରେ ଖୋଦିତ । ଗୁରୁ ଦ୍ରୋଣଙ୍କ ମୁଣ୍ଡର ଜଟାଦ୍ୱାରା ତାଙ୍କୁ ଅସଂଖ୍ୟ ଯୋଦ୍ଧାଙ୍କ ମଧ୍ୟରେ ସହଜରେ ଚିହ୍ନଟ କରିହେବ 
ଶରଶଯ୍ୟାରେ ପଡିରହିଥିବା ଭୀଷ୍ମଙ୍କ ଚିତ୍ର ଅଂକୋର୍ ୱାଟ୍‍ ମନ୍ଦିରର କାନ୍ଥରେ ଖୋଦିତ ହୋଇଛି
ଶରଶଯ୍ୟାରେ ପଡିରହିଥିବା ଭୀଷ୍ମଙ୍କ ଚିତ୍ର ଅଂକୋର୍ ୱାଟ୍‍ ମନ୍ଦିରର କାନ୍ଥରେ ଖୋଦିତ ହୋଇଛି 
ଦେବାସୁର ଯୁଦ୍ଧର ଚିତ୍ର
ଦେବାସୁର ଯୁଦ୍ଧର ଚିତ୍ର 
ମନ୍ଦିର କାନ୍ଥରେ ଖୋଦିତ ଅପ୍‍ସରାମାନଙ୍କ ଚିତ୍ର
ମନ୍ଦିର କାନ୍ଥରେ ଖୋଦିତ ଅପ୍‍ସରାମାନଙ୍କ ଚିତ୍ର 
ଅଂକୋର୍ ମନ୍ଦିର କାନ୍ଥରେ ଖୋଦିତ ଜଣେ ରଥାରୋହୀଙ୍କ ଚିତ୍ର
ଅଂକୋର୍ ମନ୍ଦିର କାନ୍ଥରେ ଖୋଦିତ ଜଣେ ରଥାରୋହୀଙ୍କ ଚିତ୍ର 
ଅଂକୋର୍ ମନ୍ଦିର କାନ୍ଥର ଶିଳାଚିତ୍ର
ଅଂକୋର୍ ମନ୍ଦିର କାନ୍ଥର ଶିଳାଚିତ୍ର 

ନିର୍ମାଣ ବିଧି ଓ ଶୈଳୀ[ସମ୍ପାଦନା]

ସାମ୍ପ୍ରତିକ ସମୟରେ ଅଂକୋର୍ ୱାଟ୍[ସମ୍ପାଦନା]

ସଂରକ୍ଷଣ ଓ ପୁନରୁଦ୍ଧାର[ସମ୍ପାଦନା]

କାମ୍ବୋଡିଆର ଅନ୍ୟାନ୍ୟ ମନ୍ଦିର ପରି ଅଂକୋର୍ ୱାଟ୍‍କୁ ମଧ୍ୟ ଲଟାବୁଦା ମାଡିଯିବା, ପଥର ଶରୀର ଉପରେ ଶିଉଳି ମାଡିଯିବା, ଭୂମିର ଭୌଗୋଳିକ ପରିବର୍ତ୍ତନ, ମନୁଷ୍ୟଙ୍କଦ୍ୱାରା ଲୁଣ୍ଠନ ତଥା ଯୁଦ୍ଧ ଇତ୍ୟାଦି ସହ୍ୟ କରିବାକୁ ପଡିଛି । ଅନ୍ୟ ମନ୍ଦିରମାନଙ୍କ ସହ ତୁଳନା କଲେ ଅଂକୋର୍ ୱାଟ୍‍କୁ ଏଥିପାଇଁ ଅପେକ୍ଷାକୃତ ଭାବେ କମ୍ କ୍ଷତି ସହିବାକୁ ପଡିଛି ଓ ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ମଧ୍ୟ ଖୁବ୍ ଯତ୍ନଶୀଳ ହୋଇ କାମ କରିଛନ୍ତି ।

୧୯୦୮ ମସିହାରେ ଇକୋଲ୍ ଫ୍ରାଂକୋଇଜ୍ ଡି-ଏକ୍ସ୍‍ଟ୍ରିମ୍ ଓରିଏଣ୍ଟ୍ (École française d'Extrême-Orient - EFEO) ନାମକ ଏକ ସଂସ୍ଥାଦ୍ୱାରା କଞ୍ଜର୍ଭେସନ୍ ଡି-ଅଂକୋର୍ (Conservation d'Angkor - ଅଂକୋର୍ ସଂରକ୍ଷଣ)ର ସ୍ଥାପନା କରାଯାଇ ଏହି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା । ଏହା ପୂର୍ବରୁ ଅଂକୋର୍ ୱାଟ୍ ମନ୍ଦିରର ଭଗ୍ନାବଶେଷ ମଧ୍ୟରେ କେବଳ ଅନ୍ୱେଷଣମୂଳକ କାମ କରାଯାଉଥିଲା । ୧୯୬୦ ମସିହାରେ ଅଂକୋର୍‍ରେ ପୁନରୁଦ୍ଧାର ପାଇଁ କେତେକ ବିଶେଷ ପଦକ୍ଷେପ ନିଆଯାଇଥିଲା ଓ ୧୯୭୦ ଦଶକର ପ୍ରାରମ୍ଭ ପର୍ଯ୍ୟନ୍ତ କଞ୍ଜର୍ଭେସନ୍ ଡି-ଅଂକୋର୍ ସଂସ୍ଥା ଗବେଷଣା, ସଂରକ୍ଷଣ, ପୁନରୁଦ୍ଧାରର ଦାୟିତ୍ୱ ବହନ କରୁଥିଲା । ସେହି ସମୟରେ କ୍ଷ୍ମେର୍‍ରେ ବିଦ୍ରୋହ କାଳର ଆରମ୍ଭ ହେଲା ଓ କଞ୍ଜର୍ଭେସନ୍ ଡି-ଅଂକୋର୍ ସଂସ୍ଥାକୁ ବନ୍ଦ କରିଦିଆଗଲା । ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ଫରାସୀ ସରକାର କାମ୍ବୋଡିଆର ସରକାରକୁ ମାନ୍ୟତା ନ ଦେବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନେକ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିଥିଲା । କିନ୍ତୁ ପୁନରୁଦ୍ଧାର ସମୟରେ ବହୁଳ ରାସାୟନିକ ପଦାର୍ଥ ଓ ସିମେଣ୍ଟ୍ ବ୍ୟବହାର କରି ମନ୍ଦିର ପଥରଗୁଡିକ କିଛିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରି କେତେକ ମହଲରୁ ଫରାସୀ ଓ ଭାରତୀୟ ଅଧିକାରୀଙ୍କ ଏହି ପ୍ରଚେଷ୍ଟାର ସମାଲୋଚନା କରାଯାଇଥିଲା ।

ନରୋଦମ ସିହାନୌକଙ୍କ ଅନୁରୋଧ ପରେ ୧୯୯୨ ମସିହାରେ ଅଂକୋର୍ ୱାଟ୍‍କୁ UNESCOର ବିପଦମୁଖରେ ରହିଥିବା ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା । ଅଂକୋର୍‍ର ସୁରକ୍ଷା ପ୍ରତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା, କିନ୍ତୁ ପରେ ୨୦୦୪ ମସିହାରେ ପୁନରୁଦ୍ଧାର କାର୍ଯ୍ୟର ସନ୍ତୋଷଜନକ ସଫଳତା ପରେ ଏହାକୁ ବିପଦ ସୂଚକ ତାଲିକାରୁ ବାହାର କରିଦିଆଗଲା । ୧୯୯୪ ମସିହାରେ ଅଂକୋର୍ ଅଞ୍ଚଳକୁ ବିଭିନ୍ନ ଜୋନ୍ (Zone)ରେ ବିଭକ୍ତ କରାଗଲା, ୧୯୯୫ ମସିହାରେ ଅଂକୋର୍‍ର ରକ୍ଷଣାବେକ୍ଷଣ ପାଇଁ ଅପସରା (APSARA) ସଂସ୍ଥାର ଗଠନ କରାଗଲା ଏବଂ ୧୯୯୬ ମସିହାରେ କାମ୍ବୋଡିଆର ଏହି ଐତିହ୍ୟ ସ୍ଥଳର ସୁରକ୍ଷା ପାଇଁ ସରକାରୀ ନିୟମର ପ୍ରଚଳନ କରାଗଲା । ଫ୍ରାଂସ୍, ଜାପାନ୍ ଓ ଚୀନ ପରି ଅନେକ ଦେଶ ଅଂକୋର୍ ୱାଟ୍‍ର ସୁରକ୍ଷାରେ ସହାୟତା କରୁଛନ୍ତି । ଜର୍ମାନ୍ ଅପସରା ସୁରକ୍ଷା ପ୍ରକଳ୍ପ (German Apsara Conservation Project - GACP) ମନ୍ଦିର କାନ୍ଥରେ ଖୋଦିତ ଚିତ୍ର ଓ ପ୍ରତିମୂର୍ତ୍ତିର ସୁରକ୍ଷା କାର୍ଯ୍ୟର ତଦାରଖ କରୁଛି । ଏହି ସଂସ୍ଥାର ସର୍ବେକ୍ଷଣ ଅନୁଯାୟୀ ସମସ୍ତ ଦେବତା ପ୍ରତିମୂର୍ତ୍ତିମାନଙ୍କ ପ୍ରାୟ ୨୦% ପ୍ରାକୃତିକ ଅବକ୍ଷୟ ଓ ପୂର୍ବ ସମୟରେ ପୁନରୁଦ୍ଧାର ପାଇଁ କରାଯାଇଥିବା ରାସାୟନିକ ବ୍ୟବହାର ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ରହିଛି । ଏହା ସହିତ ମନ୍ଦିରର ଅନ୍ୟ ଅଂଶଗୁଡିକର ମରାମତି, ଅବକ୍ଷୟ ହେବାରୁ ସୁରକ୍ଷା କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଇଛି । ମନ୍ଦିରର ପଶ୍ଚିମ ପଟର କାନ୍ଥ ନ ଭୁଷୁଡିବା ପାଇଁ ୨୦୦୨ ମସିହାରେ କରାଯାଇଥିଲା । ସେହିପରି ୨୦୦୫ ମସିହାରେ ଏକ ଜାପାନୀ ପ୍ରତ୍ନତତ୍ତ୍ୱ ବୈଜ୍ଞାନିକ ଦଳ ପାଠାଗାରର ପୁନରୁଦ୍ଧାର କରିବାରେ ସଫଳ ହୋଇଥିଲା । ଅନେକ ବର୍ଷ ଗବେଷଣା ଓ ପରୀକ୍ଷଣ କରି ସାରିବା ପରେ ୨୦୦୮ ମସିହାରେ ଅଂକୋର୍ ୱାଟ୍ ମନ୍ଦିର କାନ୍ଥରେ ଖୋଦିତ କ୍ଷୀରସାଗର ମନ୍ଥନର ଏକ ଚିତ୍ରର ସଂରକ୍ଷଣ କାର୍ଯ୍ୟ ବିଶ୍ୱ ସ୍ମାରକ କୋଷ (World Monuments Fund - WMF) ହାତକୁ ନେଇଥିଲା । ପୂର୍ବରୁ ପୁନରୁଦ୍ଧାର ପାଇଁ କରାଯାଇଥିବା ସମୟରେ ସିମେଣ୍ଟ୍‍ର ବ୍ୟବହାର ଫଳରେ ଏହି ପ୍ରସ୍ତର ଉପରେ ଖୋଦିତ ଚିତ୍ରଶାଳାର ରଙ୍ଗ ନଷ୍ଟ ହେବା, ଲୁଣ ଜମିଯିବା ଓ ପ୍ରସ୍ତର ଚିତ୍ର ନଷ୍ଟ ହେବା ଆରମ୍ଭ ହୋଇଥିଲା ଯାହାକୁ ପାରମ୍ପରିକ କ୍ଷ୍ମେର୍ ସ୍ଥାପତ୍ୟ କଳାର ଛାତ ପକାଇବା ବିଧିର ବ୍ୟବହାର କରି ପୁନରୁଦ୍ଧାର କରାଯାଇପାରିଲା । ଏହି ପ୍ରକଳ୍ପ ୨୦୧୩ରେ ସମାପ୍ତ ହୋଇଥିଲା ।

ଶିଉଳି ଓ ଫିମ୍ପି ପରି ଜୀବଙ୍କଦ୍ୱାରା କାମ୍ବୋଡିଆର ଅଂକୋର୍ ୱାଟ୍, ପ୍ରେହା ଖାନ୍, ବାୟୋନ୍, ପଶ୍ଚିମ ପ୍ରାସାତ୍ ପରି ମନ୍ଦିରର ବାଲୁକା ପଥର କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଥିବା କୀଟାଣୁ ଜୈବାମ୍ଳ ନିର୍ଗତ କରି ପଥରକୁ ନଷ୍ଟ କରିଦିଏ । ପୁନରୁଦ୍ଧାର ସମୟରେ କେତେକ କାରୁକାର୍ଯ୍ୟର ଅବିକଳ ନକଲ ତିଆରି କରି ମନ୍ଦିରମାନଙ୍କରେ ଖଞ୍ଜିଦିଆ ଯାଇଛି ।

ପର୍ଯ୍ୟଟନ[ସମ୍ପାଦନା]

ଅଂକୋର୍ ୱାଟ୍ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ

୧୯୯୦ ମସିହା ପରଠାରୁ ଅଂକୋର୍ ୱାଟ୍ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି । ଗଣନାନୁସାରେ ୧୯୯୩ ମସିହାରେ ଏହି ମନ୍ଦିରର ପର୍ଯ୍ୟଟକଙ୍କ ସଂଖ୍ୟା କେବଳ ୭୬୫୦ ଥିଲା । କିନ୍ତୁ ୨୦୦୪ ମସିହାର ସରକାରୀ ଗଣନା ଅନୁସାରେ ସିଏମ୍ ରିପ୍ ଅଞ୍ଚଳରେ ସେ ବର୍ଷ ୫୬୧୦୦୦ ବିଦେଶୀ ପର୍ଯ୍ୟଟକ ଆସି ପହଞ୍ଚିଥିଲେ । ୨୦୦୭ ମସିହାରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବା ବେଳେ, ୨୦୧୨ ଓ ୨୦୧୩ ମସିହାର ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା । ସିଏମ୍ ରିପ୍‍କୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ପ୍ରାୟତଃ ଅଂକୋର୍ ୱାଟ୍ ଦର୍ଶନ କରିବା ଉଦ୍ଦେଶ୍ୟ ନେଇ ଆସିଥାନ୍ତି । ସୋକିମେକ୍ସ୍ (SOKIMEX) ନାମକ ଏକ ବେସରକାରୀ ସଂସ୍ଥା ୧୯୯୦ ପରଠାରୁ ଏହି ମନ୍ଦିର ସ୍ଥଳପାଇଁ କାମ୍ପୁଚିଆର ସରକାରଙ୍କୁ ଭଡା ପ୍ରଦାନ କରିଆସୁଛି ଓ ମନ୍ଦିରଟି ଏହି ସଂସ୍ଥାର ତତ୍ତ୍ୱାବଧାନରେ ରହିଛି । ମନ୍ଦିର ପ୍ରାଙ୍ଗଣମଧ୍ୟକୁ ଏତେ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ, ସେମାନଙ୍କ ବାରମ୍ବାର ସ୍ପର୍ଶ ଓ ଘର୍ଷଣଦ୍ୱାରା ମନ୍ଦିର କାନ୍ଥରେ ଅଙ୍କିତ କିଛି କାରୁକାର୍ଯ୍ୟ ନଷ୍ଟ/ନିଶ୍ଚିହ୍ନ ମଧ୍ୟ ହୋଇଛି । ତେଣୁ ମନ୍ଦିର ଚଟ୍ଟାଣ ଓ କାନ୍ଥରେ ଖୋଦିତ ଚିତ୍ରର ସୁରକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ କାଠ ପାହାଚ ଓ ଦଉଡିଦ୍ୱାରା ବେଷ୍ଟିତ କରି ପର୍ଯ୍ୟଟକ ଓ କଳାକୃତି ମଧ୍ୟରେ ବିଭାଜନ ସୃଷ୍ଟି କରାଯାଇଛି । ପର୍ଯ୍ୟଟନର ଅଭିବୃଦ୍ଧି ଫଳରେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ଖଜଣା ମିଳିବା ମଧ୍ୟ ସମ୍ଭବପର ହୋଇପାରିଛି । ଅନ୍ୟ ଦେଶ ଯଥା ଚୀନ, ଭାରତ ମଧ୍ୟ କାମ୍ବୋଡିଆର ମନ୍ଦିରମାନଙ୍କର ସୁରକ୍ଷାପାଇଁ କିଛି ଖର୍ଚ୍ଚ ବହନ କରୁଛନ୍ତି । ଉଦାହରଣ ସ୍ୱରୂପ : “ତା ପ୍ରୋମ୍” ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ଭାରତ ସରକାର ଓ “ବାୟୋନ୍” ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ଚୀନ ସରକାର କାମ୍ବୋଡିଆ ସରକାରଙ୍କ ସାହାଯ୍ୟ କରୁଛନ୍ତି । ୨୦୦୦ ମସିହା ବେଳକୁ ପର୍ଯ୍ୟଟନରୁ ଆଦାୟ ହୋଇଥିବା ଅର୍ଥର ୨୮% ମନ୍ଦିରମାନଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରାଯାଇଥିଲା ।

ଅଂକୋର୍ ୱାଟ୍‍ର ପର୍ଯ୍ୟଟକ ସଂଖ୍ୟାରେ ଏପରି କ୍ରମାଗତ ବୃଦ୍ଧି ଯୋଗୁଁ ସଂଯୁକ୍ତ ରାଷ୍ଟ୍ର ଶୈକ୍ଷିକ ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (UNESCO), ଅଂକୋର୍‍ର ସୁରକ୍ଷା ତଥା ବିକାଶ ପାଇଁ ଗଠିତ UNESCOର ସହଯୋଗୀ ଅନ୍ତର୍ଜାତୀୟ ସମିତି (International Coordination Committee - ICC), କାମ୍ବୋଡିଆ ସରକାରଙ୍କ ବିଭାଗ ଓ ଅପସରା ସଂସ୍ଥା ଅଂକୋର୍‍ରେ “ସାଂସ୍କୃତିକ ପର୍ଯ୍ୟଟନ”ର ବିକାଶ ପାଇଁ ସଚେତନତା ସୃଷ୍ଟି କରିଥିଲେ । ବ୍ୟାବସାୟିକ ଓ ଅତ୍ୟଧିକ ପର୍ଯ୍ୟଟନରୁ ଦୂରେଇ ରହିବା, ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ଆବାସସ୍ଥଳୀ ଓ ସେବା ଯୋଗାଇଦେବାଦ୍ୱାରା କାମ୍ବୋଡିଆର ସରକାରଙ୍କୁ ଅର୍ଥନୈତିକ ଲାଭ ମିଳିବା ସହିତ କାମ୍ବୋଡିଆର ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ ହୋଇଥାଏ । ୨୦୦୧ ମସିହାରେ କ୍ଷ୍ମେର୍ ସ୍ଥାପତ୍ୟ କଳାକୁ ଆଖି ଆଗରେ ରଖି “ଅଂକୋର୍ ପର୍ଯ୍ୟଟନ ନଗର”ର ମଧ୍ୟ କଳ୍ପନା କରାଯାଇଥିଲା ଯଦ୍ଦ୍ୱାରା ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଉନ୍ନତ ସେବା, ସୁବିଧା ଯୋଗାଇ ଦିଆଯାଇପାରିବ ।

କିନ୍ତୁ ନିର୍ମାଣ ପାଇଁ ଉଦ୍ଦିଷ୍ଟ ନିୟମର ପାଳନ ନକରି ପର୍ଯ୍ୟଟନର ବିକାଶ ନିମନ୍ତେ ବହୁଳ ମାତ୍ରାରେ ପୂର୍ବରୁ କରାଯାଇଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳର ଅବସ୍ଥା ଆହୁରି ଖରାପ ହୋଇଛି ବୋଲି ଅପସରା ଓ ICC ପରି ସଂସ୍ଥାମାନେ ଉଦ୍‍ବେଗ ପ୍ରକାଶ କରିଛନ୍ତି । ଏସବୁ ପ୍ରକଳ୍ପଦ୍ୱାରା ସହରର ଭୂତଳ ଜଳ, ଆବର୍ଜନା ନିଷ୍କାସନ, ବୈଦ୍ୟୁତିକ ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଭୂତଳ ଜଳସ୍ତର ବଦଳିବା ଫଳରେ ଅଂକୋର୍ ୱାଟ୍‍ର ସନ୍ତୁଳିତ ଗଠନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା କଥା ଗବେଷକମାନେ ଜଣାଇଛନ୍ତି । ପର୍ଯ୍ୟଟନର ବିକାଶ ହେତୁ ତାଙ୍କ ସହରର ପରିବେଶ ଓ ଆକର୍ଷଣ ନଷ୍ଟ ହୋଇଛି ବୋଲି ସିଏମ୍ ରିପ୍‍ର ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରି ଆସୁଛନ୍ତି । ସ୍ଥାନୀୟ ରାଜନୈତିକ ଓ ପ୍ରାକୃତିକ ଜଳବାୟୁ ପର୍ଯ୍ୟଟନ କେନ୍ଦ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସ୍ଥାନୀୟ ଲୋକଙ୍କ ସଂସ୍କୃତି, ସଭ୍ୟତାର ବଳିଦାନ ନଦେଇ କିପରି ପର୍ଯ୍ୟଟନର ବିକାଶ ହୋଇପାରିବ ସେଥିପ୍ରତି ଅଧିକାରୀମାନେ ସଚେତନ ରହିଛନ୍ତି । ୨୦୧୨ ଏସିଆନ୍ (ASEAN) ପର୍ଯ୍ୟଟନ ଫୋରମ୍‍ରେ ବୋରୋବୁଦୁର୍ ଓ ଅଂକୋର୍ ୱାଟ୍‍କୁ ଭଗିନୀ ପର୍ଯ୍ୟଟନ କେନ୍ଦ୍ର ଭାବେ ବିବେଚିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଆଧାର[ସମ୍ପାଦନା]

  1. "Largest religious structure". Guinness World Records. Archived from the original on 15 September 2017. Retrieved 29 April 2016.
  2. Ashley M. Richter (8 September 2009). "Recycling Monuments: The Hinduism/Buddhism Switch at Angkor". CyArk. Archived from the original on 30 June 2019. Retrieved 7 June 2015.
  3. Higham, C. (2014). Early Mainland Southeast Asia. Bangkok: River Books Co., Ltd. pp. 372, 378–379. ISBN 978-616-7339-44-3.
  4. "Government ::Cambodia". CIA World Factbook. Archived from the original on 2010-12-29. Retrieved 2017-10-27.
  5. "Cambodia's Angkor Wat Breaking Records for Visitors Again | News from Tourism Cambodia". Tourism of Cambodia. Archived from the original on 2017-12-16. Retrieved 2017-10-27.