ତା ପ୍ରୋମ୍‍

Coordinates: 13°26′06″N 103°53′21″E / 13.43500°N 103.88917°E / 13.43500; 103.88917
ଉଇକିପିଡ଼ିଆ‌ରୁ
ତା ପ୍ରୋମ୍‍
ରାଜବିହାର ମନ୍ଦିର
ଟୁମ୍ବ୍ ରେଡର୍ ମନ୍ଦିର
ତା-ପ୍ରୋମ୍‍
ସମ୍ମୁଖ ପଟରୁ ତା ପ୍ରୋମ୍‍ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Provinceସିଏମ୍ ରିପ୍
ଦେବାଦେବୀପ୍ରଜ୍ଞାପରମିତା
Location
ସ୍ଥାନଅଂକୋର୍
Countryକମ୍ବୋଡ଼ିଆ (ବା କମ୍ବୋଜ)
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/Cambodia" does not exist.
ଭୌଗଳିକ ଅବସ୍ଥିତି13°26′06″N 103°53′21″E / 13.43500°N 103.88917°E / 13.43500; 103.88917
Architecture
Typeକ୍ଷ୍ମେର୍ ସ୍ଥାପତ୍ୟ ଶୈଳୀ
ଜୟବର୍ମନ (ସପ୍ତମ)
Completed୧୧୮୬ ଖ୍ରୀଷ୍ଟାବ୍ଦ

ତା ପ୍ରୋମ୍ ବା ତା-ପ୍ରୋମ୍ (ସ୍ଥାନୀୟ କ୍ଷ୍ମେର୍ ଭାଷାରେ ប្រាសាទតាព្រហ្ម (ଉଚ୍ଚାରଣ – ପ୍ରସତ୍ ତାପ୍ରୋମ୍), ଇଂରାଜୀରେ Ta Prohm) ହେଉଛି କାମ୍ବୋଡ଼ିଆର ସିଏମ୍ ରିପ୍ ପ୍ରାନ୍ତର ଅଂକୋର୍ ନିକଟସ୍ଥ ଏକ ପ୍ରାଚୀନ ମନ୍ଦିର । ଦ୍ୱାଦଶ ଶତାବ୍ଦୀର ଶେଷ କିମ୍ବା ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭରେ ବାୟୋନ୍ ମନ୍ଦିରର ନିର୍ମାଣ ଶୈଳୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା । ନିର୍ମାଣ କାଳରେ ଏହି ମନ୍ଦିରର ନାମ ସ୍ଥାନୀୟ କ୍ଷ୍ମେର୍ ଭାଷାରେ រាជវិហារ (ରାଜବିହାର) ଥିଲା । ଅଂକୋର୍ ଥୋମ୍‍ରୁ ପୂର୍ବ ଦିଗକୁ ପ୍ରାୟ ୧ କିଲୋମିଟର୍ ଦୂରରେ ତା-ପ୍ରୋମ୍ ଅବସ୍ଥିତ । କ୍ଷ୍ମେର୍ ସାମ୍ରାଜ୍ୟର ରାଜା ସପ୍ତମ ଜୟବର୍ମନଙ୍କଦ୍ୱାରା ଏହି ମନ୍ଦିରର ନିର୍ମାଣ କରାଯାଇଥିଲା ।[୧]:125[୨]:388 ଏହାକୁ ମହାଯାନ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏକ ବିହାର ଓ ବିଶ୍ୱବିଦ୍ୟାଳୟ ନିମନ୍ତେ ବ୍ୟବହାର କରାଯାଉଥିଲା । ଅନ୍ୟ ଅଂକୋର୍ ମନ୍ଦିରଙ୍କ ତୁଳନାରେ ତା-ପ୍ରୋମ୍ ବହୁ ବର୍ଷ ହେଲା ପ୍ରାୟ ସମାନ ସ୍ଥିତିରେ ରହିଛି । ଏଠାକାର ପରିବେଶ, ଭଗ୍ନାବଶେଷ ଉପରେ ବଢ଼ିଥିବା ପରଜୀବୀ ଗଛର ଶୋଭା, ଚତୁଃପାର୍ଶ୍ୱରେ ରହିଥିବା ଜଙ୍ଗଲ ଯୋଗୁଁ ଏହା ପର୍ଯ୍ୟଟକଙ୍କ ଚିତ୍ର ଉତ୍ତୋଳନ ପାଇଁ ଉତ୍ତମ ସ୍ଥାନ । ୧୯୯୨ ମସିହାରେ ତା-ପ୍ରୋମ୍‍କୁ UNESCO ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଥିଲା । ଅଂକୋର୍‍ ଅଞ୍ଚଳର ଲୋକପ୍ରିୟ ମନ୍ଦିର ପରିସର ମଧ୍ୟରେ ତା-ପ୍ରୋମ୍ ଅନ୍ୟତମ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (Archaeological Survey of India) ଏବଂ ଅପସରା (Authority for the Protection and Management of Angkor and the Region of Siem Reap) ମିଳିତ ଭାବେ ତା-ପ୍ରୋମ୍‍ର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିଥାନ୍ତି ।[୩]

ଇତିହାସ[ସମ୍ପାଦନା]

ନିର୍ମାଣ ଓ ପ୍ରସାରଣ[ସମ୍ପାଦନା]

ଖ୍ରୀଷ୍ଟାବ୍ଦ ୧୧୮୬ରେ ଜୟବର୍ମନ (ସପ୍ତମ) ରାଜପରିବାର ଓ ସର୍ବସାଧାରଣଙ୍କ ପାଇଁ ଅନେକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମେ ଆରମ୍ଭ କରାଯାଇଥିବା ନିର୍ମାଣ କାର୍ଯ୍ୟ ମଧ୍ୟରେ "ରାଜବିହାର" (ଯାହା ଅଧୁନା ତା-ପ୍ରୋମ୍ ବା "ପୂର୍ବଜ (ପରମପିତା) ବ୍ରହ୍ମା" ନାମରେ ପରିଚିତ) ଅନ୍ୟତମ ଥିଲା । ମନ୍ଦିରର ଭିତ୍ତିପ୍ରସ୍ତରରୁ ଏହା ୧୧୮୬ ମସିହାରେ ସ୍ଥାପିତ ବୋଲି ଜଣାଯାଏ ।[୪]

ନିଜ ପରିବାର ଉଦ୍ଦେଶ୍ୟରେ ସପ୍ତମ ଜୟବର୍ମନ ରାଜବିହାରର ନିର୍ମାଣ କରାଇଥିଲେ । ମନ୍ଦିରର ମୁଖ୍ୟ ଆଧ୍ୟାତ୍ରୀ ପ୍ରତିମୂର୍ତ୍ତିର ନାମ ପ୍ରଜ୍ଞାପରମିତା (ଜ୍ଞାନରୂପୀ ଦେବୀ) ଥିଲା, ଯାହା ଜୟବର୍ମନଙ୍କ ମାତାଙ୍କ ପରି ନିର୍ମିତ ହୋଇଥିଲା । ଉତ୍ତର ଓ ଦକ୍ଷିଣରେ କିଛି ଦୂରରେ ତୃତୀୟ ବନ୍ଧନୀରେ ନିର୍ମିତ ଦୁଇଟି ମନ୍ଦିର ରାଜାଙ୍କ ଗୁରୁ ଜୟମଙ୍ଗଳାର୍ଥ[୫]:174 ଓ ତାଙ୍କ ବଡ଼ ଭାଇଙ୍କ ଉଦ୍ଦେଶ୍ୟରେ ସମର୍ପିତ ଥିଲା । ଏଠାକାର ଆଉ ଏକ ମନ୍ଦିର “ପ୍ରିହା ଖାନ୍” ତା-ପ୍ରୋମ୍‍ର ପରିପୂରକ ବା ଯମଜ ମନ୍ଦିର ପରି । ସେହି ମନ୍ଦିରରେ କରୁଣାର ବୋଧିସତ୍ତ୍ୱ ଲୋକେଶ୍ୱରଙ୍କ ମୂର୍ତ୍ତି ରହିଥିଲା ଯାହା ରାଜାଙ୍କ ପିତାଙ୍କ ଅନୁକରଣ କରି ନିର୍ମିତ ହୋଇଥିଲା ।[୬]

ମନ୍ଦିରର ଭିତ୍ତିଶିଳାର ଅଭିଲେଖରୁ ଜଣାପଡ଼େ ଯେ ମନ୍ଦିର ଆଖପାଖରେ ୧୨,୫୦୦ରୁ ଅଧିକ ଲୋକ ବାସ କରୁଥିଲେ ଯେଉଁଥିରେ ୧୮ ଜଣ ମୁଖ୍ୟ ପୂଜକ ଏବଂ ୬୧୫ ନର୍ତ୍ତକୀ ଅନ୍ୟତମ । ମନ୍ଦିର ନିକଟରେ ରହିଥିବା ବିଭିନ୍ନ ଗ୍ରାମର ୮୦,୦୦୦ ଲୋକ ମନ୍ଦିର ପାଇଁ ଆବଶ୍ୟକୀୟ ସେବା ଓ ଜିନିଷ ଯୋଗାଇ ଦେଉଥିଲେ । ଆହୁରି ମଧ୍ୟ ମନ୍ଦିରରେ ବିଭିନ୍ନ ଉତ୍ସରୁ ପ୍ରାପ୍ତ ବହୁ ପରିମାଣର ଧନ, ସୁବର୍ଣ୍ଣ, ମୋତି, ରେଶମ ପ୍ରଭୃତି ଗଚ୍ଛିତ ଥିବା ବିଷୟ ଅଭିଲେଖରେ ବର୍ଣ୍ଣିତ ଅଛି ।[୭] ଖ୍ରୀ.ଅ. ପଞ୍ଚଦଶ ଶତାବ୍ଦୀରେ ଶ୍ରୀଇନ୍ଦ୍ରବର୍ମନ ରାଜାଥିବା ସମୟ ପର୍ଯ୍ୟନ୍ତ ତା-ପ୍ରୋମ୍ ମନ୍ଦିରରେ ଅତିରିକ୍ତ ଓ ନୂତନ ନିର୍ମାଣ କାର୍ଯ୍ୟ ଚାଲିଥିଲା ।

ପରିତ୍ୟକ୍ତ ତା-ପ୍ରୋମ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ[ସମ୍ପାଦନା]

ମନ୍ଦିରର ଦ୍ୱିତୀୟ ବନ୍ଧନୀ ମଧ୍ୟରେ ଏହାର ଭଗ୍ନ କାୟା ଉପରେ ମାଳିଯାଇଥିବା ଏକ ପରଜୀବୀ ଗଛର ଚେର
ମନ୍ଦିର କାନ୍ଥରେ ଖୋଦିତ ଚିତ୍ରରେ ଧ୍ୟାନମଗ୍ନା ମହିଳା

କ୍ଷ୍ମେର୍ ସାମ୍ରାଜ୍ୟର ଅବସାନ ପରେ ୧୫ଶ ଶତାବ୍ଦୀରେ ତା-ପ୍ରୋମ୍ ମନ୍ଦିର ପରିତ୍ୟକ୍ତ ହେଲା ଓ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା । ୨୧ଶ ଶତାବ୍ଦୀରେ “ସୁଦୂର ପ୍ରାଚ୍ୟ ଅଧ୍ୟୟନର ଫରାସୀ ବିଦ୍ୟାଳୟ (École française d'Extrême-Orient)” ତା-ପ୍ରୋମ୍‍ର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କଲେ । ସେମାନେ ଅନୁଭବ କଲେ ଯେ ସବୁଜିମା ଘେରା ତା-ପ୍ରୋମ୍‍କୁ ସେପରି ଅବସ୍ଥାରେ ରଖାଗଲେ ଏବଂ ଗଛ ପତ୍ର କାଟି ସଫା ନ କରିବା ଠିକ୍ ହେବ । ବିଶିଷ୍ଟ ଅଂକୋର୍ ଗବେଷକ ମୌରିସ୍ ଗ୍ଲେଜ୍‍ଙ୍କ ମତରେ ତା-ପ୍ରୋମ୍‍କୁ ସେପରି ଛଡ଼ାଯିବାର କାରଣ ହେଲା ଏହା ଚାରିପଟେ ବଢ଼ି ଉଠିଥିବା ଜଙ୍ଗଲ ମନ୍ଦିରକୁ ସମ୍ପୂର୍ଣ୍ଣ ଗ୍ରାସ କରିପାରିନାହିଁ ଏବଂ ମନ୍ଦିରଟି ଏହି ସବୁଜିମା ମଧ୍ୟରେ ସୁନ୍ଦର ଭାବେ ମିଳିତ ହୋଇ ପୂର୍ଣ୍ଣ ଗୌରବର ସହିତ ଦଣ୍ଡାୟମାନ[୮] ତେବେ "ଅବହେଳା ପରି ପ୍ରତୀତ ହେଉଥିବା ଏପରି ଅବସ୍ଥା ଓ ପୃଷ୍ଠଭୂମି" ମଧ୍ୟରେ ମନ୍ଦିରକୁ ଭୁଷୁଡ଼ିବାରୁ ରକ୍ଷା କରିବା ପାଇଁ, ମନ୍ଦିର ମଧ୍ୟକୁ ପର୍ଯ୍ୟଟକଙ୍କ ଯିବା ପାଇଁ ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ।[୬]

୨୦୧୩ ମସିହା ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ତା-ପ୍ରୋମ୍‍ ମନ୍ଦିର ପ୍ରାଙ୍ଗଣର ବହୁ ଅଂଶର ପୁନରୁଦ୍ଧାର ଓ ସଂରକ୍ଷଣ କରିଅଛନ୍ତି ।[୩] ପ୍ରତିଦିନ ବହୁ ପର୍ଯ୍ୟଟକ ଦେଖିବାକୁ ଆସୁଥିବାରୁ କାଠନିର୍ମିତ ପଦଚାରଣ ପଥ, ଉଚ୍ଚ ପିଣ୍ଡା, ଲୌହ ଜାଲି ଆଦି ଲଗାଇ ଅଧିକ କ୍ଷତି ହେବାରୁ ରକ୍ଷା କରିବା ପାଇଁ ଚେଷ୍ଟା କରାଯାଇଛି ।

ସ୍ଥାନ[ସମ୍ପାଦନା]

ତା-ପ୍ରୋମ୍ ମନ୍ଦିରର ନକସା ଓ ମୁଖ୍ୟ ଅଂଶ

ନକସା[ସମ୍ପାଦନା]

ତା-ପ୍ରୋମ୍‍ ମନ୍ଦିରର ନକସା ସମତଳରେ ନିର୍ମିତ ଅନ୍ୟ କ୍ଷ୍ମେର୍ ମନ୍ଦିରର ନକସା ପରି । ଉଚ୍ଚତର ସ୍ତରରେ ମେରୁ ପର୍ବତ ପରି ମୁଖ୍ୟ ମନ୍ଦିର ନିର୍ମାଣ କରିବାର କ୍ଷ୍ମେର୍ ଶୈଳୀ ଏହି ମନ୍ଦିରରେ ନାହିଁ । ତା-ପ୍ରୋମ୍ ମନ୍ଦିରରେ ୫ଟି ଆୟତାକାର ପାଚେରୀ କେନ୍ଦ୍ରୀୟ ପ୍ରାଙ୍ଗଣକୁ ଘେରି ରହିଛନ୍ତି । ଅଧିକାଂଶ କ୍ଷ୍ମେର୍ ମନ୍ଦିର ଭଳି ତା-ପ୍ରୋମ୍‍ର ମୁଖ୍ୟ ଦ୍ୱାର ପୂର୍ବ ଦିଗକୁ ମୁହଁ କରିଛି । ୧୦୦୦ ମି. × ୬୫୦ ମି. ମାପର ବାହ୍ୟ ପାଚେରୀ ୬୫୦,୦୦୦ ବର୍ଗ ମିଟର୍ କ୍ଷେତ୍ରଫଳ ମଧ୍ୟରେ ପୂର୍ବେ ବହୁ ଲୋକ ବସବାସ କରୁଥିବେ ଯାହା ଅଧୁନା ଅରଣ୍ୟାବୃତ । ପ୍ରତି ଦିଗରୁ ପ୍ରବେଶ ସ୍ଥାନ ଉପରେ ଏକ ଗୋପୁର ରହିଛି । କିନ୍ତୁ ବର୍ତ୍ତମାନ ସମୟରେ କେବଳ ପୂର୍ବ ଓ ପଶ୍ଚିମ ପଟରୁ ପ୍ରବେଶର ଅନୁମତି ରହିଛି । ୧୩ଶ ଶତାବ୍ଦୀରେ ତା-ପ୍ରୋମ୍ ଗୋପୁରମାନଙ୍କରେ ବାୟୋନ୍ ମନ୍ଦିର ପରି ମୁଖବିଶିଷ୍ଟ ପ୍ରସ୍ତରସ୍ତମ୍ଭ ଲଗାଯାଇଥିଲା ଯେଉଁଥିରୁ କିଛି ଏବେ ଭଗ୍ନାବସ୍ଥାରେ ରହିଛି । ଏକଦା ମନ୍ଦିରର ତୃତୀୟ ଓ ଚତୁର୍ଥ ପ୍ରାଙ୍ଗଣରେ ଖାଇ ରହିଥିଲା । ୨ଟି ଖାଇ ଦେଖି କିଛି ଐତିହାସିକ ମତ ଦେଇଥିଲେ ଯେ ତା-ପ୍ରୋମ୍ ହେଉଛି ଏଠାରେ ପୂର୍ବରୁ ରହିଥିବା ଅଧିକ ପ୍ରାଚୀନ ଆଉ ଏକ ବୌଦ୍ଧ ମନ୍ଦିରର ପ୍ରସାରିତ ଶାଖା ।[୯]

ଭିତର ପଟର ତିନୋଟି ପ୍ରାଙ୍ଗଣରେ ଗ୍ୟାଲେରି ବା ଅଗଣା ନିର୍ମିତ ହୋଇଥିବା ବେଳେ ପ୍ରଥମ ପ୍ରାଙ୍ଗଣର ପାଚେରୀର ଚାରି ବିନ୍ଦୁରେ କୋଣ-ମନ୍ଦିର (Quincunx) ରହିଛି । ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକମାନେ ମନ୍ଦିର ମଧ୍ୟକୁ ବୁଲାଣିଆ ରାସ୍ତାରେ ପ୍ରବେଶ କରନ୍ତି, ତେଣୁ ମନ୍ଦିରର ପ୍ରକୃତ ନକସା ପର୍ଯ୍ୟଟକଙ୍କୁ ଭ୍ରମରେ ପକାଇପାରେ । ମନ୍ଦିର ପରିସରରେ ଥିବା ଅନେକ ଛୋଟ ବଡ଼ ନିର୍ମାଣ ଓ କାରୁକାର୍ଯ୍ୟ ମନ୍ଦିରର ପ୍ରସାରଣ ସମୟର । ପ୍ରଥମ ଓ ତୃତୀୟ ପ୍ରାଙ୍ଗଣର ଦକ୍ଷିଣ-ପୂର୍ବ କୋଣରେ ଥିବା ପୁସ୍ତକାଳୟ, ତୃତୀୟ ପ୍ରାଙ୍ଗଣର ଉତ୍ତର ଓ ଦକ୍ଷିଣରେ ଥିବା ମନ୍ଦିର, ପୂର୍ବ ପଟର ତୃତୀୟ ଓ ଚତୁର୍ଥ ଗୋପୁର ମଧ୍ୟରେ ରହିଥିବା ନର୍ତ୍ତକୀ ଗ୍ୟାଲେରି, ପୂର୍ବ ପଟର ଚତୁର୍ଥ ଗୋପୁରର ପୂର୍ବକୁ ରହିଥିବା ଅଗ୍ନିଗୃହ ଇତ୍ୟାଦି ଏହି ସବୁ ଅତିରିକ୍ତ ନିର୍ମାଣମାନଙ୍କ ମଧ୍ୟରେ ଉଲ୍ଲେଖନୀୟ ।

କଳା[ସମ୍ପାଦନା]

ତା-ପ୍ରୋମ୍ ମନ୍ଦିରର ଏକ ପ୍ରସ୍ତର କଳା
ତା-ପ୍ରୋମ୍‍ର ଏହି ପ୍ରସ୍ତର କଳା ଷ୍ଟେଗୋସରସ୍ ନାମକ ଡାଇନାସୋର୍ ପ୍ରଜାତି ପରି ଦେଖାଯାଏ । କିନ୍ତୁ ବିଶେଷଜ୍ଞମାନଙ୍କ ଅନୁସାରେ ପତ୍ରର ପୃଷ୍ଠଭୂମିରେ ଏକ ଗଣ୍ଡା ବା ବାରହା ଛିଡ଼ା ହୋଇଥିବା ଏଥିରେ ପ୍ରଦର୍ଶିତ ହୋଇଛି ।

ଅଂକୋର୍ ୱାଟ୍ ବା ଅଂକୋର୍ ଥୋମ୍ ତୁଳନାରେ ତା-ପ୍ରୋମ୍‍ ମନ୍ଦିରରେ ଅନେକ ପ୍ରସ୍ତରଖୋଦିତ ମୂର୍ତ୍ତି ନାହିଁ । ସପ୍ତମ ଜୟବର୍ମନଙ୍କ ମୃତ୍ୟୁ ପରେ ହିନ୍ଦୁ ମୂର୍ତ୍ତି ଉପାସକମାନେ ମୂଳ ବୌଦ୍ଧ ମୂର୍ତ୍ତିମାନଙ୍କୁ ନଷ୍ଟ କରିଦେଇଥିବେ ଯାହା ତା-ପ୍ରୋମ୍‍‍ଠାରେ କମ୍ ମୂର୍ତ୍ତି ରହିଥିବାର ଏକ କାରଣ ହୋଇପାରେ । ଶିଳାମୂର୍ତ୍ତି ମାଧ୍ୟମରେ ବୌଦ୍ଧ ପୌରାଣିକ କଥାର କିଛି ବର୍ଣ୍ଣନା ଏବେ ମଧ୍ୟ ଜୀବିତ ଅଛି । ଅବକ୍ଷୟପ୍ରାପ୍ତ ଏକ ଶିଳାମୂର୍ତ୍ତିରେ ନିଜ ପିତାଙ୍କ ରାଜ ମହଲକୁ ସିଦ୍ଧାର୍ଥ ପରିତ୍ୟାଗ କରି ଗୌତମ ବୁଦ୍ଧ ହେବା ଅଭିମୁଖେ "ମହା ଯାତ୍ରା" କରିବାର କାହାଣୀ ପ୍ରଦର୍ଶିତ ।[୧୦] ମନ୍ଦିରର ଅନ୍ୟ ସବୁ ଖୋଦିତ ମୂର୍ତ୍ତିରେ ଅପସରା, ଦେବତା, ଧ୍ୟାନମଗ୍ନ ସାଧୁ ଓ ବୌଦ୍ଧ ଭିକ୍ଷୁ ତଥା ଦ୍ୱାରପାଳ ଇତ୍ୟାଦିଙ୍କୁ ଦେଖିବାକୁ ମିଳେ ।

ମନ୍ଦିର ପ୍ରାଙ୍ଗଣ ଓ ଚତୁଃପାର୍ଶ୍ୱସ୍ଥ ଗଛ[ସମ୍ପାଦନା]

ତା-ପ୍ରୋମ୍ ମନ୍ଦିରର ଭଗ୍ନାବଶେଷ ଉପରେ ବଢ଼ି ଉଠିଥିବା ବୃକ୍ଷମାନେ ବୋଧହୁଏ ଏହି ମନ୍ଦିରର ବିଶେଷ ଶୋଭା ଏବଂ ଏହି ବିଶେଷତ୍ୱ ଯୋଗୁଁ ଲେଖକମାନେ ରହସ୍ୟମୟୀ ମନ୍ଦିରର ଅନ୍ୟ ବର୍ଣ୍ଣନା ଭୁଲିଯାଆନ୍ତି ।[୬] ଏହି ଗଛମାନଙ୍କ ପ୍ରଜାତି ସମ୍ବନ୍ଧୀୟ ତଥ୍ୟରେ ମତାନ୍ତର ରହିଛି, କିନ୍ତୁ ଉଚ୍ଚା ଗଛଟି ଧଳା ଶିମିଳି (Ceiba pentandra) ଟେଟ୍ରାମେଲିସ୍ ନ୍ୟୁଡିଫ୍ଲୋରା (Tetrameles nudiflora)[୧୧] ଓ ସାନ ଗଛଟି ପରଜୀବୀ ଡିମିରି (Ficus gibbosa).[୧୨] ବା ସୁନେଲି ସେଓ (Diospyros decandra)[୧୧] ହୋଇପାରେ । ଅଂକୋର୍ ବିଶାରଦ ମୌରିସ୍ ଗ୍ଲେଜ୍ ଲେଖନ୍ତି ସବୁଜିମାର ପୃଷ୍ଠଭୂମିରେ ଧଳା ଶିମିଳି ଗଛଟି ଗଗନମୁଖୀ ହୋଇ ବଢ଼ିଯାଇଛି ଓ ଲୁଗା ପରି ବାହାରିଥିବା ତାହାର ଚେର ସରୀସୃପ ପରି ଭଗ୍ନାବଶେଷକୁ ଗୁଡ଼େଇ ରଖିଛି ।

ଲୋକପ୍ରିୟ ଗଣମାଧ୍ୟମରେ ତା-ପ୍ରୋମ୍[ସମ୍ପାଦନା]

ଲାରା କ୍ରଫ୍ଟ : ଟୁମ୍ବ୍ ରେଡର୍ ଚଳଚ୍ଚିତ୍ରର କିଛି ଅଂଶ ଏହି ମନ୍ଦିରର ପ୍ରାଙ୍ଗଣରେ ନିର୍ମିତ ହୋଇଥିଲା । ଅଂକୋରର ବହୁ ମନ୍ଦିର ଏହି ଚଳଚ୍ଚିତ୍ରରେ ସ୍ଥାନ ପାଇଥିଲେ । ଅନ୍ୟ ସବୁ ମନ୍ଦିରର ଚିତ୍ରକୁ ଅଳ୍ପ ବହୁତ ବଦଳାଇ ଦେଖାଯାଇଥିବା ବେଳେ ତା-ପ୍ରୋମ୍‍ର ରହସ୍ୟମୟୀ ପ୍ରାଙ୍ଗଣର ଅଧିକାଂଶ ଚିତ୍ରକୁ ଯଥାବତ ରଖାଯାଇଥିଲା ।

ତା-ପ୍ରୋମ୍ ମନ୍ଦିରର ଏକ କମ୍ୟୁଟର ରୂପାନ୍ତରିତ ଚିତ୍ରକୁ କ୍ରିଡ୍ ନାମକ ରକ୍ ବ୍ୟାଣ୍ଡର ତୃତୀୟ ଆଲବମ୍ ୱିଦର୍ଡ୍‍ର ଏକ ପୁସ୍ତିକାରେ ବ୍ୟବହାର କରାଯାଇଥିଲା ।

ଚିତ୍ର ଗ୍ୟାଲେରି[ସମ୍ପାଦନା]

 
 
 
 
 
 
 
 
 
 

ଆଧାର[ସମ୍ପାଦନା]

  1. Higham, C., 2001, The Civilization of Angkor, London: Weidenfeld & Nicolson, ISBN 9781842125847
  2. Higham, C., 2014, Early Mainland Southeast Asia, Bangkok: River Books Co., Ltd., ISBN 9786167339443
  3. ୩.୦ ୩.୧ http://www.thehindu.com/arts/history-and-culture/article3700248.ece
  4. Glaize, p.143. For the text of the foundational stele and its translation into French, see Coèdes, "La stèle de Ta-Prohm."
  5. Coedès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. ISBN 978-0-8248-0368-1.
  6. ୬.୦ ୬.୧ ୬.୨ Freeman and Jacques, p.136.
  7. Glaize, p.143.
  8. Glaize, p.141.
  9. Jacques, Claude (2008). "Chapter 1: Moats and Enclosure Walls of the Khmer Temples". In Bacus, Elisabeth A; Glover, Ian; Sharrock, Peter D; Guy, John; Pigott, Vincent C (eds.). Interpreting Southeast Asia's past: monument, image and text : selected papers from the 10th International Conference of the European Association of Southeast Asian Archaeologists. Singapore: NUS Press. pp. 3–8. ISBN 9789971694050.
  10. Glaize, p.145.
  11. ୧୧.୦ ୧୧.୧ Dehra Dun, "ASI to conserve trees at Cambodian temple", 13 June 2008, The Tribune, Chandigarh, India, accessed 2009-05-09
  12. Freeman and Jacques, p.137.

ପୁସ୍ତକ ଆଧାର[ସମ୍ପାଦନା]

  • Albanese, Marilia (2006). The Treasures of Angkor (Paperback). Vercelli: White Star Publishers. ISBN 88-544-0117-X.
  • Coèdes, George. "La stèle de Ta-Prohm," in Bulletin de l'École française d'Extrême-Orient, Vol.6, No.1-2 (1906), pp. 44–86. This article, written in French by Angkor-scholar Coedes, gives the original text of the foundational stele at Ta Prohm, as well as a French translation of the text. The article is available online at gallica.bnf.fr, the website for the Bibliothèque nationale de France.
  • Freeman, Michael and Jacques, Claude. Ancient Angkor. River Books, 1999. ISBN 0-8348-0426-3.
  • Glaize, Maurice. The Monuments of the Angkor Group. Revised 1993 and published online at theangkorguide.com.
  • Jessup, Helen Ibbitson; Brukoff, Barry (2011). Temples of Cambodia - The Heart of Angkor (Hardback). Bangkok: River Books. ISBN 978-616-7339-10-8.
  • Rooney, Dawn. Angkor: An Introduction to the Temples. Odyssey Publications 3rd edition 1999. ISBN 962-217-601-1.