ଦଶାବତାର

ଉଇକିପିଡ଼ିଆ ରୁ
ବିଷ୍ଣୁଙ୍କର ଦଶ ଅବତାର

ଦଶ ଅବତାର ବା ଦଶାବତାର ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ । ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ବିଷ୍ଣୁଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ (୧.୮୬.୧୦-୧୧) ଏହି ଅବତାର ମାନଙ୍କ ଉପରେ ବର୍ଣ୍ଣନା ରହିଅଛି ।

ବିଷ୍ଣୁ ନାନା ଅବତାର ଗ୍ରହଣ କରିଥିଲେ ସୁଦ୍ଧା ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପରଶୁରାମ, ରାମ, ବଳରାମ, ବୁଦ୍ଧକଳ୍କୀ ଏହି ଦଶ ଗୋଟି ଅବତାର ପ୍ରଧାନ ୤

ବିଷୟସୂଚୀ

ଐତିହାସିକ ବିବର୍ତ୍ତନ[ସମ୍ପାଦନା]

ଐତିହାସିକ ବୈଷ୍ଣବବାଦ ଏକ ନୂଆ ଓ ଜଟିଳ ବୈଷ୍ଣବବାଦ ତିଆରି କରିଥିଲା, ଯାହାକୁ ବିଷ୍ଣୁ ପୂଜନର ମୂଳ ଆଧାର ବୋଲି ଗ୍ରହଣ କରାଯାଇଥାଏ ଓ ଏହା ଭଗବତ ଗୀତାର (ଖ୍ରୀ.ପୂ. ୪ ରୁ ୩ୟ ଶତାବ୍ଦୀ ଯାଏଁ) ପ୍ରଚଳନ ସମୟରେ ପୁରାଣରେ ଲେଖାଯାଇଥିଲା । [୧]

ବାର ଜଣ ଅବତାର, ଯେଉଁମାନେ ତାଙ୍କର ମନ୍ତ୍ର ଦେଇ ଧର୍ମ ପ୍ରଚାର କରିଥିଲେ ସେମାନକ ତାଲିକାରେ ବିଷ୍ଣୁ ବା କୃଷ୍ଣଙ୍କୁ ରଖାଯାଇନଥିଲା । ତେବେ ତାମିଲ ଭାଷାରେ ବିଷ୍ଣୁ ସ୍ତୁରିସବୁ "ନାଳାଇରା" (ଦିବ୍ୟ ପ୍ରବନ୍ଧ) ଭାବରେ ଜଣା ।[୨][୩]

ତାଲିକା[ସମ୍ପାଦନା]

ମତ୍ସ୍ୟ[ସମ୍ପାଦନା]

ବିଷ୍ଣୁଙ୍କର ପ୍ରଥମ ଅବତାର ୤ ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ‘ବେଦ’ ଗ୍ରନ୍ଥକୁ ଉଦ୍ଧାର କରିଥିଲେ ୤

କଚ୍ଛପ[ସମ୍ପାଦନା]

ଦ୍ଵିତୀୟ ଅବତାରରେ କଚ୍ଛପ ରୁପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ ୤ ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ଵର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ ୤ ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁର ମାନେ ଟାଣି ସମୁଦ୍ରକୁ ମୋହିଁଲେ ୤ ମନ୍ଥନ ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା ୤ ଏ ବିଷର ଜ୍ଵାଳାରେ ସମସ୍ତେ ଅସ୍ଥିର ହୋଇ ମହାଦେବଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ ୤ ତତ୍ପରେ ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ଵ, ଐରାବତ ଗଜ, ସୁରଭୀ ଗାଈ, ଲକ୍ଷ୍ମୀ ଓ ଧନ୍ଵନ୍ତରୀ ଅମୃତଭାଣ୍ଡ ସହିତ ବାହାରିଲେ ୤ ଅସୁରମାନେ ଅମୃତଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ ବିଷ୍ଣୁ ମୋହିନୀରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ଉକ୍ତ ଅମୃତ ଦେଲେ ୤ ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା ୤ ନାରଦ ସେହି ଯୁଦ୍ଧ ନିବାରଣ କରିଥିଲେ ୤ ଦେବତାମାନଙ୍କ ଦ୍ଵାରା ହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ରାଚାର୍ଯ୍ୟ ବଞ୍ଚାଇଥିଲେ ୤

ବରାହ[ସମ୍ପାଦନା]

ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୁପେ ଆବିର୍ଭୁତ ହୋଇଥିଲେ ୤ ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ (ଧରଣୀ ଜଳତଳେ ନିମଗ୍ନ ଥିଲା)୤ ବିଷ୍ଣୁ ବରାହରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ଵାରା ଉତ୍ତୋଳନ କରିଥିଲେ ୤ ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ୤

ନରସିଂହ/ନୃସିଂହ[ସମ୍ପାଦନା]

(ନରସିଂହ: ମୁଣ୍ଡରୁ କଟି ଦେଶ ପର୍ଯ୍ୟନ୍ତ ସିଂହାକୃତି ଓ ଅବଶିଷ୍ଟ ଅର୍ଦ୍ଧାଙ୍ଗ ନରାକୃତି) ୤ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଆବିର୍ଭୁତ ହୋଇଥିଲେ ୤ ଏ ଅବତାରରେ ବିଷ୍ଣୁ ହିରଣ୍ୟକଶିପୁ ଓ ମୁରାସୁରକୁ ବଧ କରିଥିଲେ ୤

ବାମନ[ସମ୍ପାଦନା]

ଭାଦ୍ରବ ଶୁକ୍ଳଦ୍ଵାଦଶୀ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ ୤ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବକାୟ ବ୍ରାହ୍ମଣ ରୂପ ଧରି ବଳିରାଜାଙ୍କୁ ଦାନ ମାଗି ତାଙ୍କୁ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ ୤

ପରଶୁରାମ[ସମ୍ପାଦନା]

ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଋଷି ଜମଦଗ୍ନିଙ୍କ ଔରସରୁ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ ୤ ଏହାଙ୍କର ଅସ୍ତ୍ର ପରଶୁ (କୁଠାର) ଅଟେ୤ ଏ ଅବତାର ରେ ପୃଥିବୀକୁ ୨୧ ବାର ନିକ୍ଷତ୍ରିୟ କରିଥିଲେ ୤ ଏ ପିତ୍ରାଦେଶରେ ସ୍ଵୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁରରୁଜ୍ଜୀବିତା କରାଇଥିଲେ ୤ ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ ୤ ରାମଚନ୍ଦ୍ର ବିବାହ ହୋଇସାରି ସୀତାଙ୍କୁ ଘେନି ମିଥିଳାରୁ ଫେରି ଆସିବା ସମୟରେ ଏ ତାଙ୍କୁ ଭେଟି ଧନୁ ପରିକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ଵାନ କରିଥିଲେ ୤ ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କ ଦେହରେ ଥିବା ବିଷ୍ଣୁ ତେଜଃ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଓ ଏ ହତପ୍ରଭ ହୋଇ ତପସ୍ୟା କରିବାକୁ ଗଲେ ୤ ଏହାଙ୍କର ଅନ୍ୟ ଚାରିଭାଇଙ୍କ ନାମ ସମନ୍ଵାନ, ସୁଷେଣ, ବସୁ ଓ ବିଶ୍ଵାବସୁ ୤

ରାମ[ସମ୍ପାଦନା]

ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ୤ ଏହାଙ୍କ ବିଷୟ ରାମାୟଣରେ ବର୍ଣ୍ଣିତ ୤ ବଶିଷ୍ଠ ଋଷି ଏହାଙ୍କ ଗୁରୁ ୤ ଏ ବାଳକ ଥିବାବେଳେ ବିଶ୍ଵାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ ୤ ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ଵାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ଵୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ୤ ବିମାତା ରାଣି କୈକେୟୀଙ୍କ ଅନୁଜ୍ଞା ଅନୁସାରେ ଏ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ ୧୪ବର୍ଷ ବନବାସ କରିଥିଲେ ୤ ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା ୤ ଏ ବାନରାଜା ସୁଗ୍ରୀବ ଓ ହନୁମାନ ତଥା ବାନର ସୈନ୍ୟଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଓ ଅଗ୍ନିପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ ୤ ୧୪ ବର୍ଷ ବନବାସର କାଳ ପୂରିବାରୁ ସୀତାଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ଵ କଲେ ୤ କିଛିଦିନ ପରେ ରାବଣହୃତା ସୀତାଙ୍କ ସତୀତ୍ଵ ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ଵା ସୀତାଙ୍କୁ ଏ ନିର୍ବାସିତା କଲେ ୤ ନିର୍ବାସନ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ ୤ ତତ୍ପରେ ପିତା ଓ ପୁତ୍ରଦ୍ଵୟଙ୍କର ମିଳନ ହେଲା ୤ ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନିପରିକ୍ଷା ପ୍ରସ୍ତାବ କରିବାରୁ ସୀତା ଏଥିରେ ଅସମ୍ମତା ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ ୤ ପରେ ଏ ପୁତ୍ରଦ୍ଵୟଙ୍କ ମଧ୍ୟରୁ କୁଶଙ୍କୁ କୋଶଳ ରାଜ୍ୟର ଏବଂ ଲବଙ୍କୁ ଉତ୍ତର କୋଶଳ ରାଜ୍ୟର ଅଧିପତି ପଦରେ ପ୍ରତିଷ୍ଠାପିତ କରି ସରଯୁ ନଦୀରେ ପ୍ରବେଶ ପୂର୍ବକ ଯୋଗାଲମ୍ବନରେ ତନୁ ତ୍ୟାଗ କଲେ ୤

ବଳରାମ[ସମ୍ପାଦନା]

ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କର ବୈମାତୃକ ବଡ଼ ଭାଇ ଭାବେ ଶ୍ରାବଣ ପୁର୍ଣ୍ଣମୀ ଦିନ ଆବିର୍ଭୁତ ହୋଇଥିଲେ ୤

ବୁଦ୍ଧ[ସମ୍ପାଦନା]

ବର୍ତ୍ତମାନ ବିଷ୍ଣୁଙ୍କର ବୁଦ୍ଧ ଅବତାର ୤ ପୁରୀରେ ଜଗନ୍ନାଥ ସେହି ଅବତାର ବୋଲି ଅନେକଙ୍କ ମତ ୤

କଳ୍କି[ସମ୍ପାଦନା]

ପୃଥିବୀରେ ଅଧର୍ମ ଅତି ବେଶି ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ – ଏହା ମାଳିକାରେ ଲିଖିତ ତଥା ପଣ୍ଡିତମାନଙ୍କର ବିଶ୍ଵାସ ୤

ପ୍ରଚଳିତ ବିଶ୍ଵାସମତେ ପୂର୍ବୋକ୍ତ ଦଶ ଅବତାର ଛଡ଼ା ବିଷ୍ଣୁ ଅନ୍ୟାନ୍ୟ ଅନେକ ଅବତାର ଧରି ଥିଲେ ୤ (ଭାଗବତରେ ବର୍ଣ୍ଣିତ ବିଷ୍ଣୁଙ୍କର ଚବିଶଟି ଅବତାର ହେଲା: ବରାହ, ହରି, କପିଳ, ଦତ୍ତାତ୍ରେୟ, ଚତୁଃସନକ, କଚ୍ଛପ, ନୃସିଂହ, ବାମନ, ହିଂସା, ମନୁ, ଧନ୍ଵନ୍ତରୀ, ପର୍ଶୁରାମ, ରାମ, କୃଷ୍ଣ, ବଳରାମ, ବ୍ୟାସ, ବୁଦ୍ଧ, କଳ୍‌କୀ, ଧୃବ ପାଇଁ ଓ ଗଜ ଉଦ୍ଧାରଣ ପାଇଁ ଦୁଇ ଅବତାର ୤ )
ଦଶ ଅବତାର

ଅଲଗାଭାବେ[ସମ୍ପାଦନା]

ଡାରୱିନ୍ (Darwin) ଙ୍କର ବିବର୍ତ୍ତନ ବାଦ (Evolution theory) ସଙ୍ଗେ ହିନ୍ଦୁମାନଙ୍କର ଦଶ ଅବତାର ତୁଳନା କଲେ ଜୀବସୃଷ୍ଟିରେ ବିବର୍ତ୍ତନର ଭିନ୍ନ ଭିନ୍ନ ଅନୁରୂପ କ୍ରମିକ ସୋପାନ ଦେଖାଯାଏ ୤ ଯଥା – ‘ମତ୍ସ୍ୟ’ ପ୍ରଥମ ପୂର୍ଣ୍ଣ ଜଳଚର ୤ ‘ମତ୍ସ୍ୟ’ରୁ ବିବର୍ତ୍ତନ ଦ୍ବାରା ଉଭୟଚର (ବେଶି ସମୟ ଜଳରେ ଓ ଅଳ୍ପ ସମୟ ସ୍ଥଳରେ ବିଚରଣ କରୁଥିବା) ‘କଚ୍ଛପ’ ୤ ତତ୍ପରେ ସ୍ଥଳଚର (ଅଧିକାଂଶ ସମୟ ସ୍ଥଳରେ ଓ ଅତି ଅଳ୍ପକାଳ ଜଳ ବା ପଙ୍କରେ ବିଚରଣକାରୀ) ‘ବରାହ’ (ପଶୁ ସୃଷ୍ଟିର ଆରମ୍ଭ) ୤ ‘ବରାହ’ ପରେ ‘ନୃସିଂହ’ (ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) ୤ ତତ୍ପରେ ‘ବାମନ’ (ଅର୍ଥାତ ସମସ୍ତ ଅଙ୍ଗବିଶିଷ୍ଟ କିନ୍ତୁ ମନୁଷ୍ୟର ପୂର୍ଣ୍ଣାକାର ପ୍ରାପ୍ତ ହୋଇ ନ ଥିବା ମନୁଷ୍ୟ) ୤ ତତ୍ପରେ ‘ପର୍ଶୁରାମ’ (ଅର୍ଥାତ ପୂର୍ଣ୍ଣ ସଭ୍ୟତା ପାଇ ନ ଥିବା ଓ ଯୁଦ୍ଧପ୍ରିୟ ଆଦିମ ଅବସ୍ଥାର ମନୁଷ୍ୟ; ତାହାର ଅସ୍ତ୍ର ଗୋଟିଏ ଲୌହମୟ କୁଠାର) ୤ ତତ୍ପରେ ‘ରାମ’ (ସମାଜ ଓ ରାଜ୍ୟ ପରିଚାଳନରେ ଦକ୍ଷ କିନ୍ତୁ କୃଷି ବିଦ୍ୟାରେ ନିପୁଣତା ଲାଭ କରି ନ ଥିବା ଅବସ୍ଥା) ୤ ତତ୍ପରେ ‘ବଳରାମ’ (କୃଷିଜୀବୀ ଓ ସଂସାର କର୍ମରତ ମନୁଷ୍ୟ) ୤ ତତ୍ପରେ ‘ବୁଦ୍ଧ’ ଧର୍ମପ୍ରାଣତା ଯୁକ୍ତ ଓ ଆଧ୍ୟାତ୍ମିକତା (spirituality) ଯୁକ୍ତ ମନୁଷ୍ୟ ଓ ପରିଶେଷରେ କଳ୍କୀ ଅବତାର (ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ); ଏ ଜନ ସମାଜରେ ବିପ୍ଳବ ଓ ଭୟଙ୍କର ଗଣ୍ଡଗୋଳ ଓ ରକ୍ତପାତ ଘଟାଇବା ବ୍ୟକ୍ତି୤

ଆଧାର[ସମ୍ପାଦନା]

  1. Beck, Guy L. (1993). Sonic theology: Hinduism and sacred sound. Columbia, S.C: University of South Carolina Press. ପୃଷ୍ଠା. 170. ISBN 0-87249-855-7. 
  2. Annangaracariyar, P.B. (1971). Nalayira tivviyap pirapantam. Kanci: VN Tevanatan. 
  3. Seth, K.P. (1962). "Bhakti in Alvar Saints". The University Journal of Philosophy. 

ଅଧିକ ତଥ୍ୟ[ସମ୍ପାଦନା]