ଆଛୁ

ଉଇକିପିଡ଼ିଆ ରୁ
ଆଛୁ
ଆଛୁ ଗଛର ଫୁଲ ଓ ଫଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Asterids
ଗଣ: Gentianales
କୁଳ: Rubiaceae
ପ୍ରଜାତି: Morinda
ଜାତି: M. citrifolia
ବାଇନୋମିଆଲ ନାଆଁ
Morinda citrifolia
L.

ଆଛୁ (ଇଂରାଜୀ ନାମ – ଇଣ୍ଡିଆନ ମଲ୍ବେରୀ, ନୋନି, ଗ୍ରେଟ୍ ମୋରିଣ୍ଡା, କାନେରି ଉଡ଼) ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ଫୁଲ ଧଳା ରଙ୍ଗର ଓ ସୁଗନ୍ଧଯୁକ୍ତ । ଏହାର କାଠ ହଳଦିଆ । ଏହା ରୁବିଏସୀ (Rubiaceae) ବା ମଞ୍ଜିଷ୍ଠା କୁଳର ଏକ ବୃକ୍ଷ ।

ଆଛୁ ଗଛର ପତ୍ର ଓ ଫଳ

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପିଣ୍ଡ୍ରେ, ଆଛୁ
ସଂସ୍କୃତ ରଞ୍ଜନଦ୍ରୁ, ଆଚ୍ଛକ, ରଞ୍ଜନଦ୍ରୁମ, ସୌବର୍ଣ୍ଣିକ
ହିନ୍ଦୀ ଆଲ, ଆଛ
କନ୍ନଡ଼ ମଡ୍ଡି
କୋଙ୍କଣୀ ସୁରଙ୍ଗୀ, ବର୍ତୋଣ୍ଡି
ଗୁଜରାଟୀ ସୁରଙ୍ଗୀ
ତାମିଲ ମଞ୍ଚନାରି, ମଞ୍ଚତ୍ପବତ୍ତାଇ,ନୁନା
ତେଲୁଗୁ ମଡ୍ଡି ଚେକ୍କା, ତଗରା, ଟୋଗାରୁ, ଆଚ୍ଛୁ
ବଙ୍ଗଳା ଆଚ, ହୃଦି
ମରାଠି ଆଲ, ବର୍ତୋଣ୍ଡି
ମାଲୟାଲମ ସେରୁମଞ୍ଜ୍ଜାନାଥ୍ଥୀ

ଭୌଗଳିକ ପ୍ରାପ୍ତି ସ୍ଥାନ[ସମ୍ପାଦନା]

ଆଛୁ ଫୁଲ

ଏହା ପଥୁରିଆ ଏବଂ ଘଞ୍ଚ ଛାୟାଯୁକ୍ତ ଜଙ୍ଗଲରେ ତଥା ସମୁଦ୍ର ଉପକୂଳବର୍ତ୍ତୀ ଲୁଣା ମାଟିରେ ମଧ୍ୟ ଭଲ ଭାବରେ ବଢି ପାରେ । ଏହି ବୃକ୍ଷଟି ରୋପଣର ୧୮ ମାସ ପରେ ପରିପକ୍ଵ ହୋଇ ଫଳ ଧାରଣ କରିଥାଏ । ଏହା ଆଗ୍ନେୟଗିରୀ ଉପତ୍ୟକା ଏବଂ ଚୂନ ପଥର ଖଣି ଅଞ୍ଚଳରେ ମଧ୍ୟ ଖୁବ ଭଲ ଭାବେ ଉପଯୋଜିତ ହୋଇ ବଢି ପାରେ । ଏହା ୩୦ଫୁଟ ପର୍ଯ୍ୟନ୍ତ ବଢିପାରେ । ବର୍ତମାନ ଏହା ବିଶ୍ଵର ସମଗ୍ର ଅଞ୍ଚଳରେ ବ୍ୟବସାୟୀକ ଭିତ୍ତିରେ ଚାଷ କରାଯାଉଛି । ଦକ୍ଷୀଣପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ ମହାଦେଶରେ ଏହା ବହୁଳ ପରିମାଣରେ ଦେଖା ଯାଏ । ଏହାକୁ ବେଳେ ବେଳେ ଦୁର୍ଭିକ୍ଷ ଫଳ ବୋଲି ଆଖ୍ୟା ଦିଆଯାଏ । କିଛି ପ୍ରଶାନ୍ତ ମହାସାଗରୀୟ ଦ୍ଵୀପ ସମୂହରେ ଏହାକୁ ପ୍ରଧାନ ଖାଦ୍ୟ ସହିତ କଞ୍ଚା କିମ୍ବା ରନ୍ଧନ ପରେ ଏକ ତରକାରୀ ଭାବେ ଖିଆ ଯାଇ ଥାଏ । ଅଷ୍ଟ୍ରେଲିଆରେ ଏହାକୁ କିଛି ଜାତି ସମୁଦାୟ ଏହି କଞ୍ଚା ଫଳକୁ ଲୁଣ ସହିତ ଖାଇଥାଆନ୍ତି । ଆମ ଭାରତରେ ଅନେକ ରାଜ୍ୟରେ ଏହାକୁ ବ୍ୟବସାୟୀକ ସ୍ତରରେ ଚାଷ କରାଯାଉଥିବାବେଳେ, ଓଡ଼ିଶାରେ ଏହି ବୃକ୍ଷର ଉପସ୍ଥିତି ବିଷୟରେ ପ୍ରାୟ କେହି ଜାଣନ୍ତି ନାହିଁ । ଆମ ଓଡ଼ିଶାର ଅନେକ ପୁର ପଲ୍ଲୀରେ ଏହି ବୃକ୍ଷଟି ଦେଖାଯାଏ କିନ୍ତୁ ଏହାର ଔଷଧୀୟ ଚମତ୍କାରିତା ଏବଂ ଏହାର ପୃଥିବୀ ବ୍ୟାପୀ ବ୍ୟବସାୟୀକ ଓ ଶିଳ୍ପ ଭିତ୍ତିକ ବ୍ୟବହାର ବିଷୟରେ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ଅଜ୍ଞ । ଏହା ବାଲେଶ୍ଵରର ନୀଳଗିରୀ ଜଙ୍ଗଲ ଅଞ୍ଚଳରେ ତଥା ମୟୂରଭଞ୍ଜ, ଭଦ୍ରକ ଅଞ୍ଚଳରେ ଅନେକ ସ୍ଥାନରେ ଏହି ବୃକ୍ଷ ଦେଖାଯାଏ ।

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା[ସମ୍ପାଦନା]

ଆଛୁ ଫଳ ଓ ମଞ୍ଜି

ଆଛୁ ଏକ ଚିର ହରିତ ବୃକ୍ଷ ଏବଂ ଏହା ୩ ରୁ ୧୦ ମିଟର ଯାଏଁ ଉଚ୍ଚ ହୋଇଥାଏ । ବୃକ୍ଷର ପ୍ରଜାତି ଅନୁଯାୟୀ ଏହାର ଫଳ, ମଞ୍ଜି, ରସ ଗନ୍ଧ, ସ୍ଵାଦ ଭିନ୍ନ ଭିନ୍ନ ହୋଇପାରି ଥାଏ ।

  • ପୁଷ୍ପ – ପୁଷ୍ପ ସମୂହ ୭୫-୯୦ସଂଖ୍ୟା ଗୁଛ ରେ ପେଣ୍ଡୁ ଆକାର ମଞ୍ଜରି ରେ ଥାଏ । ପୁଷ୍ପ ଦଳ ଗୁଡିକ ଦେଖିବାକୁ ଧଳା । ପୁଷ୍ପ ଦଣ୍ଡ ଗୁଡିକ ୧୦ -୩୦ ମିଲିମିଟର । ଅନ୍ତର୍ଦଳ ୫ ଖଣ୍ଡୀୟ, ଧଳା
  • ପତ୍ର- ଅଭିମୁଖ ସ୍ଥିତି, ମସୃଣ, ଅଣ୍ଡାକାର ୨୦-୪୫ସେଣ୍ଟିମିଟର, ପତ୍ରଡେମ୍ଫ ଟାଣ ୧.୫ ରୁ ୨ ସେଣ୍ଟିମିଟର
  • ଫଳ- ଈଷତ ହଳଦିଆ, ମାଂସାଳ, ୫-୧୦ ସେଣ୍ଟିମିଟର, ୩-୪ ସେଣ୍ଟିମିଟର ବ୍ୟାସାର୍ଦ୍ଧ । ପାଚିବା ପରେ କୋମଳ ଏବଂ ମାଂସାଳ ହୋଇଥାଏ । ଏହାର ରସରୁ ଏକ ପ୍ରକାର ଶଢା ଗନ୍ଧ ନିର୍ଗତ ହୋଇଥାଏ ।
  • ମଞ୍ଜି/ ବୀଜ – ମଞ୍ଜିଗୁକରେ ବାୟୁ କୋଟର ଭାରି ରହିଥାଏ ଯାହାକି ବୀଜବପନରେ ସାହାଯ୍ୟ କରିଥାଏ । ମାସ ମାସ ପାଣିରେ ଭାସି ରହିବା ପରେ ମଧ୍ୟ ବିଜରୁ ଚାରା ଅଙ୍କୁରିତ ହୋଇଥାଏ ।
  • ଚେର – ଏହାର ଚେର ପ୍ରତାନ ପ୍ରଣାଳୀ ଲେମ୍ବୁ ଏବଂ କଫି ଗଛର ଚେର ପରି । ଏକ ମୁଖ୍ୟ ଚେର ସହିତ ପାର୍ଶ୍ଵ ଶାଖା ଚେର ମାତି ଥାଏ ।
  • ପ୍ରଜାତି – ମୋରିଣ୍ଡା ଟିଙ୍କଚୋରିଆ, ମୋରିଣ୍ଡା ବ୍ରାକ୍ଟେଟା, ମୋରିଣ୍ଡା ପୋଟ୍ଟେରୀ

ପୋଷାକ ତତ୍ତ୍ଵ ଏବଂ ଉଦ୍ଭିଦ ରସାୟନ[ସମ୍ପାଦନା]

ଆଛୁ ଫଳ

ଆଛୁ ଫଳ ଗୁଣ୍ଡରେ ଶ୍ଵେତସାର ଏବଂ ତନ୍ତୁ ଜାତୀୟ ତତ୍ତ୍ଵ ମଧ୍ୟମ ପରିମାଣରେ ଥାଏ । ମୁଖ୍ୟ ପୋଷାକ ତତ୍ତ୍ଵ ଗୁଡିକ ହେଲା ; ଭିଟାମିନ –ସି ,ନିଆସିନ (ବି-୩),ଆଇରନ୍(ଲୌହ), ପୋଟାସିୟମ, ଭିଟାମିନ-ଏ, କ୍ୟାଲ୍କିଅମ, ସୋଡିୟମ ଇତ୍ୟାଦି ମଧ୍ୟମ ପରିମାଣରେ ଥାଏ । ଉଦ୍ଭିଦ ରସାୟନ - ଲିଗ୍ନାନ, ଓଲିଗୋ ଏବଂ ପୋଲୀ ସାକାରଇଡ, ଫ୍ଲାଭୋନୋ ଇଡ, ଇରିଡୋଇଡ, ଫେଟିଏସିଡ, ସ୍କୋପୋଲେଟିନ, କାଟେଚୀନ, ବିଟା-ସାଇଟୋଷ୍ଟେରୋଲ, ଡାମ୍ନାକାନ୍ଥାଳ ଏବଂ ଆଲ୍କାଲୋଇଡ଼

ବ୍ୟବହାର[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧୀୟ କାମରେ ଆସେ । ରକ୍ତାତିସାର, ଅତିସାର, ରକ୍ତସ୍ରାବ, ରକ୍ତପିତ୍ତ ଓ ବ୍ରଣାଦିର ନିବାରଣ ପାଇଁ ଏହାର ପ୍ରୟୋଗ କରା ଯାଇଥାଏ । ଏହାର ପତ୍ରକୁ ବାଟି ଗୋରୁଙ୍କ ଦେହଲେ ଲେପିଲେ ସେମାନଙ୍କ କାନ୍ଧଫଟା ଦରଜ ନିବାରିତ ହୁଏ । ଏହାର ଚେରର ଛାଲିକୁ ଜଳରେ ସିଝାଇ, ଚାଉଳଧୁଆ ପାଣି ସହିତ ସେବନ କଲେ ପ୍ରଦର ଭଲହୁଏ । ଏହାର ପତ୍ର ରସ ସହିତ ମୁଥା ପତ୍ରର ରସ ସେବନ କଲେ ଅତିସାର ଭଲହୁଏ । ଏହାର ପତ୍ରର ରସ ସହିତ ହଳଦୀଗୁଣ୍ଡ ମିଶାଇ ଖୁଆଇଲେ ବାଛୁରୀ ନୀରୋଗ ରୁହେ। ବିଭିନ୍ନ ଚର୍ମ ରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି ଲଗାଯାଏ । ଏହାର ଛେଲିକୁ ସିଝାଇ ସେହି ପାଣିରେ ଧୋଇଲେ ଅନେକ ପ୍ରକାର ଚର୍ମରୋଗ ପ୍ରଶମିତ ହୁଏ । ଆଛୁ ଫଳକୁ ରସୁଣ ମିଶାଇ ବାଟି ତାହାକୁ ବ୍ରଣରେ ଲେପଦେଲେ ତାହା ଭଲହୁଏ ।

ପାରମ୍ପରିକ ଚିକିତ୍ସା ରେ ବ୍ୟବହାର[ସମ୍ପାଦନା]

ଏହାର ପତ୍ରସିଦ୍ଧ କ୍ଵାଥ ଏବଂ ଫଳରସ ଉପଯୋଗରେ ଜ୍ଵର, ବିଷମ ଜ୍ଵର (ମେଲେରିଆ), କାମଳ, ଉଚ୍ଚ ରକ୍ତ ଚାପ, ଦୁଷ୍ଟ ବ୍ରଣ, ସଂକ୍ରମଣ ଜନିତ ଘା ଇତ୍ୟାଦି ଆରୋଗ୍ୟ ହୋଇଥାଏ । ବୀଜ ତୈଳରୁ ଆମାଶୟ ବ୍ରଣ, ମୁଣ୍ଡ ଉକୁଣି, ଚର୍ମ ଉକୁଣି ଇତ୍ୟାଦି ଚିକିତ୍ସା କରାଯାଇଥାଏ । ପତ୍ର ରସ କିମ୍ବା ପତ୍ର କଳ୍କ ଏବଂ ଫଳମଜ୍ଜାର ଗରମ ସେକ ଦ୍ଵାରା ଗଣ୍ଠିବାତ, ହାଡ଼ ଏବଂ ମାଂସପେଶୀ ଆଘାତ ଏବଂ ମକଚା, ଗହିର କ୍ଷତ ଇତ୍ୟାଦି ଆରୋଗ୍ୟ ହୋଇ ଥାଏ । ଏହାର ଫୁଲ ଏବଂ ପତ୍ରର ଉଷ୍ମ ଭାମ୍ପ ଦ୍ଵାରା ଚକ୍ଷୁପତା ବ୍ରଣ ଭଲ ହୋଇଥାଏ । ତାଜା ଫଳ ରସରୁ ଦାନ୍ତମାଢି ଫୁଲା, ମୁଖ ଦୁର୍ଗନ୍ଧ ଓ ରକ୍ତ ବାହାରିବା ଇତ୍ୟାଦି ରୋଗ ଭଲ ହୋଇଥାଏ ।ସମଗ୍ର ଫଳ ଏବଂ ବୀଜରେ ଆନ୍ତ କୃମୀ ମାରକ କ୍ଷମତା ଥାଏ ଓ ଏହା ମୃଦୁ ବିରେଚକ । ଏହାଛଡା ଏହା ମଧୁମେହ, ହାର୍ନିଆ, ହାଡ଼ଭଙ୍ଗା, ଅରୁଚି, ମୂତ୍ରାଶୟ ସଂକ୍ରମଣ, ପେଟ ଫୁଲା ରୋଗରେ ଖୁବ ବ୍ୟବହାର ହୁଏ ।

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ତିକ୍ତ ରସ ମିଶ୍ରିତ କଟୁରସ, ଚକ୍ଷୁ ହିତକର, ଉଷ୍ଣବୀର୍ଯ୍ୟ। ମାତ୍ରା ଦୁଇ ଅଣାରୁ ଆଠଅଣା।

ଚିକିତ୍ସା ବିଜ୍ଞାନ ଦ୍ଵାରା ପ୍ରମାଣିତ ତଥ୍ୟ[ସମ୍ପାଦନା]

  1. ଏହାର ଫଳ ବିଜରୁ ପ୍ରସ୍ତୁତ ତୈଳରେ ଲିନୋଲେଇକ୍ ଏସିଡ୍ ମହଜୁଦ ଥିବା ହେତୁ ଏହା ଗଣ୍ଠିବାତ ଏବଂ କୈଶୋର ଅବସ୍ତାରେ ଚେହେରାରେ ହେଉଥିବା ବ୍ରଣ ଆରୋଗ୍ୟ କରେ ।
  2. ଏବେ ଗବେଷଣାରୁ ପ୍ରମାଣିତ ଯେ ଆଛୁ ଫଳ ରସ କର୍କଟ ରୋଗ କୁ ବହୁପରିମାଣରେ ପ୍ରତିହତ ଓ ପ୍ରତିରୋଧ କରିଥାଏ ।
  3. ଆଛୁ ଫଳ ରସ ଯକୃତ ଦୌର୍ବଲ୍ୟ ଏବଂ କ୍ଷୟଶୀଳ ଜର୍ଜରୀତ ଯକୃତକୁ ସଂପୂର୍ଣ୍ଣ ଭାବେ ପୁନର୍ଜୀବିତ କରିବାର କ୍ଷମତା ଥାଏ ।
  4. ଏହା ଶିରା ଧମନୀ ବିସ୍ତାରକ ହୋଇଥିବା ହେତୁ ଏହା ଉଚ୍ଚ ରକ୍ତ ଚାପ କୁ ନିୟନ୍ତ୍ରଣ କରିଥାଏ ଏହାଛଡା ଅତିସାର ଓ ପେଟମୋଡା ତରଳ ଝାଡାରେ ଏହାର ଉପଯୋଗ ଦ୍ଵାରା ଅନେକ ଉପଶମ ଦେଇଥାଏ ।
  5. ଏହାର ଫଳ ମଜ୍ଜାରେ ଯଥେଷ୍ଟ ପରିମାଣରେ ବେଦନା ନାଶକ ଓ ଶୋଥହର ଉପାଦାନ ରହିଛି ଯାହା ବେଦନା ଓ ପୀଡା ହ୍ରାସ କରିବା ସହିତ ତୀବ୍ର ଫୁଲା କମାଇଥାଏ ।
  6. ଏକ ଗବେଷଣା ଅନୁଯାୟୀ ଆଛୁ ଫଳ ମସ୍ତିସ୍କପିଣ୍ଡ କୁ ରକ୍ତ ସଞ୍ଚାଳନ ବୃଦ୍ଧି କରାଇ ସ୍ମୃତି ବିଭ୍ରଂଶ ଓ ସ୍ମୃତିନାଶରୁ ସ୍ଵାଭାବିକ ସ୍ଥିତିକୁ ଆଣି ଥାଏ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  1. ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  2. Scot C. Nelson - Species Profiles for Pacific Island Agroforestry www.traditionaltree.org April 2006 ver. 4
  3. Wang MY, Su C. Cancer preventive effect of Morinda citrifolia (Noni). Ann N Y Acad Sci. 2001 Dec;952:161-8.Department of Pathology, UIC College of Medicine, Rockford, Illinois 61107, USA. mianwang@uic.edu.
  4. Basar S, Uhlenhut K, Högger P, Schöne F, Westendorf J.- Analgesic and antiinflammatory activity of Morinda citrifolia L. (Noni) fruit.(Institute of Experimental and Clinical Pharmacology and Toxicology, University Clinic Hamburg, Germany)-Phytother Res. 2010 Jan;24(1):38-42.
  5. Pachauri SD, Tota S, Khandelwal K, Verma PR, Nath C, Hanif K, Shukla R, Saxena JK, Dwivedi AK.- Protective effect of fruits of Morinda citrifolia L. on scopolamine induced memory impairment in mice: a behavioral, biochemical and cerebral blood flow study. (Division of Pharmaceutics, CSIR-Central Drug Research Institute, Lucknow, India)- J Ethnopharmacol. 2012 Jan 6;139(1):34-41. Epub 2011 Nov 15.