ଡୋଡୋ
ଡୋଡୋ ଜୀବାଶ୍ମ କାଳ: Holocene
| |
---|---|
ଡୋଡୋ ପକ୍ଷୀର କଂକାଳ ଛାଞ୍ଚ ଓ ମଡେଲ (ଆଧୁନିକ ଗବେଷଣା ଅନୁସାରେ), ସ୍ଥାନ - ଅକ୍ସଫୋର୍ଡ ପ୍ରାକୃତିକ ଇତିହାସ ମ୍ୟୁଜିୟମ, ଇଂଲଣ୍ଡ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
ଗଣ: | କଲୁମ୍ବିଫୋର୍ମ୍ସ |
କୁଳ: | କୋଲୁମ୍ବିଡେ |
Subfamily: | †Raphinae |
Genus: | †Raphus Brisson, 1760 |
ଜାତି: | †R. cucullatus |
ବାଇନୋମିଆଲ ନାମ | |
†Raphus cucullatus (Linnaeus, 1758)
| |
ମରିସସ ଦ୍ୱୀପର ଅବସ୍ଥିତି (ନୀଳ ରଂଗରେ) | |
Synonyms | |
|
ଡୋଡୋ ସପ୍ତଦଶ ଶତାବ୍ଦୀରେ ବିଲୁପ୍ତ ହୋଇଥିବା ଏକ ପକ୍ଷୀ ଯାହା କେବଳ ଭାରତ ମହାସାଗରରେ ଥିବା ମରିସସ ଦ୍ୱୀପରେ ଦେଖାଯାଉଥିଲା [୨]। ଏହି ପକ୍ଷୀ ଉଡିପାରୁନଥିଲା ଏବଂ କେବଳ ଭୂମି ଉପରେ ହି ରହୁଥିଲା ।
ବଂଶାବଳୀ ବର୍ଗୀକରଣ
[ସମ୍ପାଦନା]ଏହାର ଆଧୁନିକ ଜୀବ ବିଜ୍ଞାନ ଅନୁସାରେ ଏହାର ନାମ ହେଉଛି "ରାଫସ କ୍ୟୁକୁଲାଟସ୍" । ପ୍ରାଥମିକ ଜୀବ ବିଜ୍ଞାନୀମାନେ ଡୋଡୋକୁ ଓଟପକ୍ଷୀ ବା ଆଲବାଟ୍ରୋସ ବା ଶାଗୁଣା ଜାତୀୟ ପକ୍ଷୀ ବୋଲି ଧାରଣା କରୁଥିଲେ । ହେଲେ ୧୮୪୨ ମସିହାରେ ଡେନମାର୍କର ପ୍ରାକୃତିକ ବିଜ୍ଞାନ ମ୍ୟୁଜିୟମରେ ଥିବା ଏକ ଡୋଡୋର ଖପୁରି ହାଡ ଉପରେ ଅଧ୍ୟୟନ ପରେ ଜୀବ ବିଜ୍ଞାନୀ ଜୋହାନସ ଥିଓଡୋର ରାଇଂହାର୍ଡ ଏହାକୁ ପାରା / କପୋତ ଶ୍ରେଣୀୟ ପକ୍ଷୀ ବୋଲି ଅଭିହିତ କରିଥିଲେ ।
ଶାରୀରିକ ବିବରଣୀ
[ସମ୍ପାଦନା]ଯେହେତୁ ଡୋଡୋର କୌଣସି ପୂର୍ଣ ନମୁନା ବା ପ୍ରତିରୂପ ନାହିଁ, ତେଣୁ ଏହାର ଏହାର ରୂପ ଓ ଆକାର ବିବରଣୀ ପାଇଁ ସପ୍ତଦଶ ଶତାବ୍ଦୀର କିଛି ଲେଖା ତଥା ଚିତ୍ର ଉପରେ ନିର୍ଭର କରାଯାଇଥାଏ । ପରେ ଆବିଷ୍କାର ହୋଇଥିବା କିଛି ଫସିଲରୁ ମଧ୍ୟ ଏହାର ଶରୀର ବିଷୟ୍ରେ ସୂଚନା ମିଳେ । ସେସବୁରୁ ମିଳୁଥିବା ତଥ୍ୟ ଅନୁଯାୟୀ ଏ ପକ୍ଷୀର ରଂଗ ଧୂସର ବା ମାଟିଆ ବର୍ଣ ଥିଲା । ଉଚ୍ଚତାରେ ଏହା ପ୍ରାୟ ୧ ମିଟର ଯାଁଏ ଓ ଓଜନରେ ପ୍ରାୟ ୨୧ କିଲୋଗ୍ରାମ ଯାଁଏ ବଢୁଥିବା ଆକଳନ ହୋଇଛି । ଅଣ୍ଡିରା ଚଢେଇଗୁଡ଼ିକ ମାଈ ଚଢେଇ ମାନଂକଠାରୁ ବଡ଼ ହେଉଥିଲେ ଓ ତାଙ୍କର ଲମ୍ବା ଥଣ୍ଟ ହେଉଥିଲା । ଏମାନଙ୍କର ଡେଣା ନଥିଲା ଓ ତା ସ୍ଥାନରେ କେବଳ ତିନି ଚାରୋଟି ଛୋଟ ପର ରହୁଥିଲା ।
ଖାଦ୍ୟ
[ସମ୍ପାଦନା]ମୁଖ୍ୟତଃ ଏହି ପକ୍ଷୀ ତଳେ ପଡିଥିବା ଫଳ ହିଁ ଖାଉଥିଲା । ତାହା ସହିତ ଏହା ହୁଏତ ବିଭିନ୍ନ ମଞ୍ଜି, ଗଛ ମୂଳ ତଥା କନ୍ଦ ଆଦି ଖାଉଥିଲା । ହଜମ ନିମଂତେ ଏ ପକ୍ଷୀ ପଥର ଗୋଡି ଖାଉଥିବା ମଧ୍ୟ ଜଣା ଅଛି ।
ବିଲୁପ୍ତି
[ସମ୍ପାଦନା]ମନ୍ୟୁଷମାନେ ମରିସସ ଦ୍ୱୀପରେ ସପ୍ତଦଶ ଶତାବ୍ଦୀ ଯାଏଁ ବସବାସ ଆରମ୍ଭ କରିନଥିଲେ ଯଦିଓ ଆରବ ସାମୁଦ୍ରିକ ବଣିକମାନେ ଏହି ଦ୍ୱୀପକୁ ମଧ୍ୟ ଯୁଗରେ ଯାଇଥିବା ଜଣାଅଛି । ୧୫୦୭ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକମାନେ ଡୋଡୋ ପକ୍ଷୀର ଏକ ମାତ୍ର ବାସ ସ୍ଥଳୀ ଏହି ଦ୍ୱୀପରେ ପ୍ରଥମ ୟୁରୋପୀୟ ଭାବରେ ପାଦ ଦେଇଥିଲେ | ୧୫୯୮ ଡଚ (ହଲାଣ୍ଡ୍) ସାମ୍ରାଜ୍ୟ ଏହି ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇଥିଲା ଏବଂ ସେବେଠାରୁ ସେଠାରେ ମନ୍ୟୁଷ ବସତି ସ୍ଥାପନ ହୋଇଥିଲା । ସେତେବେଳେ ନାବିକମାନେ ଏହି ଉଡାଣହୀନ ପକ୍ଷୀମାନଂକୁ ମାରି ଖାଉଥିଲେ, ଯଦିଓ ତାହାର ମାଂସ ସେମାନଙ୍କୁ ବେଶୀ ସ୍ୱାଦିଷ୍ଟ ଲାଗୁନଥିଲା । ଏ ଚଢେଇଗୁଡ଼ିକ ମଣିଷକୁ ଆଦୌ ଭୟ କରୁନଥିଲେ, ତେଣୁ ଅତି ସହଜରେ ସେମାନେ ଧରା ପଡୁଥିଲେ ।
ସପ୍ତଦଶ ଶତାବ୍ଦୀରେ ମରିସସରେ ସ୍ଥାଯୀ ଜନସଂଖ୍ୟା ୫୦ରୁ ଅଧିକ ନଥିଲା । ହେଲେ ସେମାନଂକ ସହ ଆସିଥିବା ଘୁଷୁରି, କୁକୁର, ବିଲେଈ, ମୂଷା ଓ ମାଂକଡମାନେ ଡୋଡୋ ମାନଂକର ଅଭୂତ କ୍ଷତି ଘଟାଇଲେ । ଡୋଡୋ ମାନଂକ ପାଇଁ ମିଳୁଥିବା ସୀମିତ ଖାଦ୍ୟ ପଦାର୍ଥକୁ ଏହି ବାହାରର ପ୍ରାଣୀମାନେ ଖାଇଲେ । ତା ସହ ଡୋଡୋମାନଂକ ବସାଗୁଡ଼ିକ ନଷ୍ଟ କରିଦେଲେ । ଏ ସବୁ ସହିତ ମଣିଷମାନେ ଏ ଦ୍ୱୀପର ଜଂଗଲ ସଫା କଲେ ଓ ଡୋଡୋ ଶିକାର କଲେ । ଏ ସବୁର ଫଳରେ କେଉଁ ଆଦିମ କାଳରୁ ମରିସସରେ ରହିଆସିଥିବା ଡୋଡୋମାନେ ନିୟମିତ ମଣିଷ ବସତି ସ୍ଥାପନର ୬୦-୭୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ନିଶ୍ଚିହ୍ଣ ହୋଇଗଲେ ।
ନିର୍ଭରଯୋଗ୍ୟ ତଥ୍ୟ ଅନୁସାରେ ମଣିଷମାନେ ଶେଷ ଥର ପାଇଁ ଜୀବଂତ ଡୋଡୋ ୧୬୬୨ ମସିହାରେ ମରିସସର ସନ୍ନିକଟସ୍ଥ ଅମ୍ବର ଦ୍ୱୀପରେ ଦେଖିଥିଲେ । ଆଉ କିଛି ତଥ୍ୟ ଅନୁସାରେ ୧୬୮୮ରେ ଶେଷ ତିନୋଟି ଡୋଡୋ ଧରା ହୋଇଥିଲେ[୩] ।
ଡୋଡୋର ବିଲୁପ୍ତି ଆଧୁନିକ ମଣିଷ ମାନଂକ ବିଧ୍ୱଂସକାରୀ ଜୀବନଶୈଳୀ ଓ କାର୍ଯ୍ୟକଳାପ ଯୋଗୁଁ ହୋଇଥିବା ସବୁଠାରୁ ଜଣାଶୁଣା ତଥା ପ୍ରଥମ ପ୍ରାଣୀ ବିଲୁପ୍ତି ଭାବରେ ଗଣାଯାଏଁ ।[୪]
ବିଦେଶକୁ ଚାଲାଣ
[ସମ୍ପାଦନା]ଏକ ବିସ୍ମୟକର ତଥା ବିରଳ ପକ୍ଷୀ ଭାବରେ କିଛି ଜୀବଂତ ଡୋଡୋଂକୁ ଜଳ ଜାହାଜର ନାବିକମାନେ ୟୁରୋପ ତଥା ପ୍ରାଚ୍ୟ ଦେଶମାନଂକୁ ନେଇଥିବାର କିଛି ପ୍ରମାଣ ଅଛି । ପିଟର ମୁଣ୍ଡି ବୋଲି ଜଣେ ଇଂରେଜ ବଣିକ ଭାରତର ସୁରଟଠାରେ ୧୬୨୮ରୁ ୧୬୩୪ ଖ୍ରୀଷ୍ଟାବ୍ଦ ଭିତରେ ଦୁଇଟି ଡୋଡୋ ଦେଖିଥିଲେ । ବୋଧହୁଏ ଏଥିରୁ ଗୋଟିଏକୁ ଦେଖି ଉସ୍ତାଦ ମନସୁର (ଯିଏ କି ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ଦରବାରର ଜଣେ ରାଜ ଚିତ୍ରକର ଥିଲେ) ଏକ ରଙ୍ଗୀନ ଚିତ୍ର ଆଂକିଥିଲେ । ଏହି ଚିତ୍ରଟି ପ୍ରାଣୀବିଜ୍ଞାନୀ ମାନଂକ ପାଇଁ ଡୋଡୋ ବିଷୟରେ ଜାଣିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଅଟେ ।[୫] ୧୬୪୭ ମସିହାରେ ଗୋଟିଏ ଜୀବଂତ ଡୋଡୋ ଜାପାନ ଦେଶର ନାଗାସାକୀ ସହରକୁ ପଠାଯାଇଥିବାର ଐତିହାସିକ ପ୍ରମାଣ ଅଛି ।[୬]
ଆଧାର
[ସମ୍ପାଦନା]- ↑ IUCN Red List 2012.
- ↑ "Dodo". ଇଂରାଜୀ ଉଇକିପିଡ଼ିଆ. Retrieved 29 April 2018.
- ↑ "Isaac Johannes Lamotius". ଇଂରାଜୀ ଉଇକିପିଡ଼ିଆ. Retrieved 5 May 2018.
- ↑ "Dodo EXTINCT BIRD". ENCYCLOPÆDIA BRITANNICA. Retrieved 16 May 2018.
{{cite web}}
:|first=
has generic name (help);|first=
missing|last=
(help) - ↑ "Ustad Mansur". ଇଂରାଜୀ ଉଇକିପିଡ଼ିଆ. Wikipedia. Retrieved 16 May 2018.
- ↑ "The dodo, the deer and a 1647 voyage to Japan". Journal Historical Biology. Retrieved 16 May 2018.