କନ୍ହେଇଲାଲ ଦାସ
କହ୍ନେଇଲାଲ ଦାସ | |
---|---|
ଜନ୍ମ | |
ମୃତ୍ୟୁ | ୨୭ ଜୁଲାଇ ୧୯୭୫ | (ବୟସ ୨୮)
ଶିକ୍ଷାନୁଷ୍ଠାନ | ମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ |
ପିତାମାତା(s) | କ୍ଷେତ୍ରମୋହନ ଦାସ, ଅନିଲାବାଲା ମାଇତି |
କହ୍ନେଇଲାଲ ଦାସ, ଲେଖନୀନାମ କନ୍ହେଇଲାଲ ଦାସ ନାମରେ ଜଣା, (୨୭ ଜୁନ ୧୯୪୭ - ୨୭ ଜୁଲାଇ ୧୯୭୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ ଥିଲେ ।[୧] ତାଙ୍କର ପ୍ରଥମ ଗପ ବିବର୍ତ୍ତନବାଦ ୧୯୬୮ରେ ଓ ଶେଷ ଗପ ଧୃତରାଷ୍ଟ୍ରର ଆଖି ୧୯୭୫ରେ ପ୍ରକାଶ ପାଇଥିଲା । ଜୀବନକାଳ ମଧ୍ୟରେ ତାଙ୍କର କୌଣସି ପୁସ୍ତକ ଛପାଯାଇ ପାରିନଥିଲା ଓ ମୃତ୍ୟୁ ପରେ ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ ଏବଂ କନ୍ହେଇ କଥାଘର ନାମକ ଦୁଇଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା ।
୧୯୭୫ ମସିହାର ଜୁଲାଇ ୨୭ ତାରିଖରେ ୨୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]କହ୍ନେଇଲାଲ ଦାସ ୧୯୪୭ ମସିହାରେ ପଶ୍ଚିମବଙ୍ଗର କଲିକତାଠାରେ ଜନ୍ମଲାଭ କରିଥିଲେ । ପିତା କ୍ଷେତ୍ରମୋହନ ଦାସ ଓ ମାତା ଅନିଲାବାଲା ମାଇତିଙ୍କର ସେ ଜ୍ୟେଷ୍ଠ ପୁତ୍ର ଥିଲେ ଓ ତାଙ୍କ ଡାକ ନାମ ଥିଲା ଭାନୁ ଓ କୁନା । ତାଙ୍କର ଆଉ ଚାରି ଜଣ ଭାଇଭଉଣୀ ଥିଲେ । କ୍ଷେତ୍ରମୋହନ କଲିକତାର ଏକ କାର୍ଯ୍ୟାଳୟରେ ରେକର୍ଡ଼ କିପର ଭାବରେ କାର୍ଯ୍ୟ କରୁଥିଲେ । ପିଲାଟି ଦିନରୁ ସେ ଦାରିଦ୍ର୍ୟ ଭିତରେ ବଢ଼ିଥିଲେ । କମର୍ଦ୍ଦାରେ ପ୍ରାଥମିକ ସ୍କୁଲ ଶିକ୍ଷା ସମାପ୍ତକରି ସେ ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଗ୍ରହଣ କରିଥିଲେ । ଏହି ସମୟରୁ ସେ ଟିଉସନ କରି ପାଠ ଖର୍ଚ୍ଚ ଭରଣା କରୁଥିଲେ ।
ସାହିତ୍ୟ ରଚନା
[ସମ୍ପାଦନା]ସ୍କୁଲ ସମୟରେ ସାହିତ୍ୟ ଅନୁରାଗରୁ ସେ ଶୁଭ୍ରାବରଣୀ ପାଠାଗାର ଗଢ଼ିଥିଲେ । ବାଲେଶ୍ୱରରେ ଉଚ୍ଚଶିକ୍ଷା ସମୟରେ ପ୍ରଥମେ ରମ୍ୟରଚନା ଓ ପରେ କ୍ଷୁଦ୍ରଗଳ୍ପମାନ ଲେଖୁଥିଲେ । ତାଙ୍କର ଗପସବୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା ।[୨]
ବୃତ୍ତିଗତ ଜୀବନ
[ସମ୍ପାଦନା]ଉଚ୍ଚଶିକ୍ଷା ପରେ ସେ ପଶ୍ଚିମ ବଙ୍ଗର ପାନ୍ନାଗଡ଼ଠାରେ ପ୍ରତିରକ୍ଷା ବିଭାଗରେ ଚାକିରି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଏ.ଜି. ଅଫିସରେ ଚାକିରି ପାଇ ଭୁବନେଶ୍ୱର ଚାଲିଆସିଥିଲେ ।
ସାହିତ୍ୟ ରଚନା
[ସମ୍ପାଦନା]କଲେଜ ପଢୁଥିବା ବେଳେ ପ୍ରଥମକରି ସେ ଚକ୍କର ନାମରେ ଏକ ରମ୍ୟରଚନା ଲେଖିଥିଲେ । କହ୍ନେଇଲାଲ ଦାସଙ୍କ ମୋଟ ଗଳ୍ପ ରଚନାକାଳ ସାତବର୍ଷ ସାତମାସ । ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ବିବର୍ତ୍ତନବାଦର ପ୍ରକାଶକାଳ ଫେବୃଆରି ୧୯୬୮ ଏବଂ ମୃତ୍ୟୁ ପରେ ପରେ ପ୍ରକାଶିତ ଶେଷଗଳ୍ପ ଧୃତରାଷ୍ଟ୍ରର ଆଖିର ପ୍ରକାଶକାଳ ଅଗଷ୍ଟ ୧୯୭୫ ।[୩] ଜୀବକାଳ ମଧ୍ୟରେ ତାଙ୍କର କୌଣସି ପୁସ୍ତକ ଛପାଯାଇ ପାରିନଥିଲା । ମୃତ୍ୟୁ ପରେ ତାଙ୍କର ଘନିଷ୍ଠ ବନ୍ଧୁ ରତି ରଞ୍ଜନ ମିଶ୍ର ଉଲ୍ଲେଖ କରିଥିଲେ ଯେ କନ୍ହେଇଲାଲ ଜୀବିତ ଥିବା ବେଳେ ଚାରୋଟି ଗଳ୍ପ ସଂକଳନର ଯୋଜନା କରିଥିଲେ: ମାନସାଙ୍କ, ସାଙ୍କେତିକ, ଜୀବନଯାପନ, ଯାହା ଯେମିତି ହୁଏ । ୧୯୬୪ରେ ସେ ଏକ ପର୍ଯ୍ୟାୟରେ ନଅଟି କବିତା ଏବଂ ୧୯୬୭ରେ ଦ୍ୱିତୀୟ ପର୍ଯ୍ୟାୟରେ ଚାରୋଟି କବିତା ମଧ୍ୟ ରଚନା କରିଥିଲେ । ମୃତ୍ୟୁ ପରେ ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ ଏବଂ କନ୍ହେଇ କଥାଘର ନାମକ ଦୁଇଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା ।[୪] ୧୯୮୬ ଜୁଲାଇ ୨୭ରେ କନ୍ହେଇଲାଲଙ୍କ ଗପଗୁଡ଼ିକୁ ଏକାଠି କରି ଅସିତ ମହାନ୍ତି ଓ ପ୍ରଦୀପ୍ତ ଶ୍ରୀଚନ୍ଦନ କନ୍ହେଇ କଥାଘର ନାମକ ଗଳ୍ପସଂକଳନ ପ୍ରକାଶ କରିଥିଲେ । ପରେ ଓଡ଼ିଶା ସାହିତ୍ୟ ଏକାଡେମୀ କନ୍ହେଇ କଥାଘରରେ ସଂକଳିତ ୩୩ଟି ଗଳ୍ପକୁ ନେଇ ବହିଟିଏ ପ୍ରକାଶ କରିଥିଲେ । କନ୍ହେଇଲାଲଙ୍କ ରଚନା ଉପରେ କେତେଜଣ ଗବେଷକ ଗବେଷଣା କରି ଡକ୍ଟରେଟ ଲାଭକରିଛନ୍ତି ବୋଲି ଅସିତ ମହାନ୍ତି ଓ ପ୍ରଦୀପ୍ତ ଶ୍ରୀଚନ୍ଦନ କନ୍ହେଇ କଥାଘରର ଦ୍ୱିତୀୟ ସଂକଳନ (୨୦୧୪)ରେ ଉଲ୍ଲେଖ କରିଛନ୍ତି ।[୫]
କନ୍ହେଇ ଦିନଲିପି ଓ କନ୍ହେଇ କଥାଘର
[ସମ୍ପାଦନା]କନ୍ହେଇ କଥାଘରର ସଂକଳକମାନେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କନ୍ହେଇଲାଲଙ୍କ ମୃତ୍ୟୁ ପରେ ଶତାଧିକ ଗଳ୍ପ ପାଣ୍ଡୁଲିପି ଥିବା ଫାଇଲଟିଏ ନିଖୋଜ ହୋଇ ତା'ର ସନ୍ଧାନ ଆଉ ମିଳିନାହିଁ । କନ୍ହେଇଲାଲଙ୍କ ଚାରୋଟି ଡାଏରି, ତାଙ୍କୁ ଲେଖା ୨୮ଟି ଚିଠି, ତାଙ୍କ ଲେଖା ଚାରୋଟି ଚିଠି ଏବଂ ୧୫୭ଟି ଫଟୋ ସେମାନେ ପାଇପାରିଥିଲେ । ପରେ ସେମାନେ ଆଉ ତିନୋଟି ଡାଏରି ସଂଗ୍ରହ କରି ତାର ନିର୍ବାଚିତ ଅଂଶବିଶେଷକୁ ନେଇ କନ୍ହେଇ ଦିନଲିପି ନାମକ ସ୍ୱତନ୍ତ୍ର ପ୍ରସ୍ତ ପ୍ରସ୍ତୁତ କରିଥିଲେ । ସେଦିନ “କନ୍ହେଇ କଥାଘର!ର ସ୍ୱତନ୍ତ୍ର ପ୍ରସ୍ତ ‘କନ୍ହେଇ ଦିନଲିପି” ପ୍ରସ୍ତୁତ କରିଥିଲୁ । ତା' ପରେ ପଚିଶ ବର୍ଷ ଧରି କନ୍ହେଇଲାଲଙ୍କ ଅନ୍ୟାନ୍ୟ ଲେଖାକୁ ଏହି ସଂକଳକମାନେ ଖୋଜିବାକୁ ଚେଷ୍ଟା କରିଥିଲେ । ଖବରକାଗଜରେ ବିଜ୍ଞାପନ ଦେଇଥିଲେ । ସେମାନଙ୍କ ମତରେ ଗୋଟିଏ ଡାଏରି ସମ୍ବଳିତ ଲେଖା ଓ ଚିଠି ଏବଂ ଫଟୋସବୁ ନିଖୋଜ । କନ୍ହେଇଲାଲଙ୍କର ଦୁଷ୍ପାପ୍ୟ ଲେଖା ଓ ତାଙ୍କ ସଂପର୍କିତ ଅନ୍ୟାନ୍ୟ ତଥ୍ୟ ଯୋଗାଇ ଦେବାରେ ସାହାଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବ୍ରଜନାଥ ରଥ ଅନ୍ୟତମ । ବ୍ରଜନାଥ ରୋଗଶଯ୍ୟାରେ ଥିବା ବେଳେ ଆଉ ପନ୍ଦରଟି ଗଳ୍ପ ଓ ଗୋଟିଏ ମିନିଗଳ୍ପ, ଚିଠିପତ୍ର, ଡାଏରିର ଲେଖା, ସମୀକ୍ଷା, ଆଲୋଚନା, ଅଭିଭାଷଣ ଓ ଆଲେଖ୍ୟ ଆଦିକୁ ଏକାଠି କରି କନ୍ହେଇ କଥାଘରର ୨୦୧୪ ସଂସ୍କରଣ ପ୍ରକାଶ ପାଇଥିଲା ।[୫]
ମୃତ୍ୟୁ
[ସମ୍ପାଦନା]୨୭ ଜୁନ ୧୯୭୫ ମସିହାରେ, ୨୮ ବର୍ଷ ବୟସରେ ଭୁବନେଶ୍ୱରଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।[୬]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]କହ୍ନେଇଲାଲଙ୍କ ମୃତ୍ୟ ପରେ ତାଙ୍କ ପ୍ରତି ନିବେଦନ କରାଯାଇଥିବା ସନ୍ଦେଶଗୁଡ଼ିକୁ ନେଇ ନାଟ୍ୟକାର ରତି ରଞ୍ଜନ ମିଶ୍ର କନହେଇଲାଲ ଦାସଙ୍କୁ ଅନ୍ତରଙ୍ଗ ସ୍ମୃତିର ଆଲେଖ୍ୟ ପୁସ୍ତକ ପ୍ରକାଶ କରିଛନ୍ତି ।[୭] ତାଙ୍କ ସ୍ମୃତିରେ ଗଠିତ ସଂଗଠନ କନ୍ହେଇଲାଲ ଦାସ କଥା ସଂସଦ ତରଫରୁ ତାଙ୍କ ଜନ୍ମବାର୍ଷିକୀରେ ପ୍ରତିବର୍ଷ କନ୍ହେଇ କଥା ପୁରସ୍କାର ପ୍ରଦାନ କରାଯାଏ ।[୮]
ଆଧାର
[ସମ୍ପାଦନା]- ↑ Malayalam Literary Survey. Kerala Sahitya Akademi. 1993.
- ↑ Jagannātha Prasāda Dāsa (1983). Oriya Short Stories. Vikas. ISBN 978-0-7069-2289-9.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ୨୭/୦୬/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. ଇଷ୍ଟର୍ଣ୍ଣ ମିଡିଆ. Retrieved 27 June 2019.[permanent dead link]
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5.
- ↑ ୫.୦ ୫.୧ କନ୍ହେଇଲାଲ ଦାସ; ଅସିତ ମହାନ୍ତି, ପ୍ରଦୀପ୍ତ ଶ୍ରୀଚନ୍ଦନ (1986). କନ୍ହେଇ କଥାଘର.
- ↑ Prachi: A Literary Digest of East Indian Languages. Sahitya Akademi. 1990.
- ↑ ଧରିତ୍ରି ଛୁଟିଦିନ ୨୭ ଜୁଲାଇ- ୨ ଅଗଷ୍ଟ ୨୦୧୪ ପୃଷ୍ଟା ୬
- ↑ "Writer Biswal to get Kanhei Katha Puraskar". www.dailypioneer.com. The Pioneer. Retrieved 27 June 2019.