ତାଳଦଣ୍ଡା କେନାଲ
ତାଳଦଣ୍ଡା କେନାଲ, ଓଡ଼ିଶାର ଏକ ପ୍ରମୂଖ କେନାଲ । ଏହା କଟକର ଜୋବ୍ରାଠାରେ ମହାନଦୀରୁ ବାହାରି ପାରାଦ୍ୱୀପଠାରେ ବଙ୍ଗୋପସାଗରରେ ମିଶିଥାଏ । ଏହା ଓଡ଼ିଶାର ସବୁଠାରୁ ବଡ଼ କେନାଲ । ଅବିଭକ୍ତ କଟକ ଜିଲ୍ଲାର ୬ଟି ବ୍ଲକ ଯଥା କଟକ ସଦର, ଜଗତସିଂହପୁର, ରଘୁନାଥପୁର, ବାଲିକୁଦା, ତିର୍ତ୍ତୋଲ ଓ ଏରସମା ଜନସାଧାରଣ ଏହି କେନାଲ ଉପରେ ଜଳସେଚନ ଓ ପାନୀୟ ଜଳ ପାଇଁ ନିର୍ଭର କରନ୍ତି ।[୧]
ଇତିହାସ
[ସମ୍ପାଦନା]୧୮୬୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ଏହି କେନାଲ ଖନନ ଆରମ୍ଭ ହୋଇଥିଲା । ପରେ ବ୍ରିଟିଶ ସରକାର ଏହି କାମକୁ ଆଗକୁ ନେଇ ୧୮୬୯ ମସିହାରେ ଏହାର ଖନନ ଶେଷ କରିଥିଲେ । କେନାଲଟି ପ୍ରତିଷ୍ଠା କରେଇବାରେ ରେଭେନ୍ସା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ତତ୍କାଳୀନ କଟକ କମିଶନର ସାର ଥୋମାସ୍ ଏଡ଼ୱାର୍ଡ ରେଭେନ୍ସାଙ୍କର ଅବଦାନ ଥିଲା ।
ଅବସ୍ଥିତି
[ସମ୍ପାଦନା]ତାଳଦଣ୍ଡା କେନାଲ, କଟକର ଜୋବ୍ରାଠାରେ ମହାନଦୀରୁ ବାହାରି କଟକ ସହର ମଧ୍ୟଦେଇ ବିରିବାଟି(ଫକୀରପଡ଼ା) ପର୍ଯ୍ୟନ୍ତ ଯାଇଛି । ସେଠାରୁ ତାଳଦଣ୍ଡା କେନାଲ ଦୁଇ ଭାଗ ହୋଇଛି, ଗୋଟିଏ ଭାଗ ମାଛଗାଁ କେନାଲ ନାମରେ ନାମିତ ହୋଇଛି । ବିରିବାଟିଠାରୁ ଏହି କେନାଲ ଶୁକପାଇକା ଓ ମହାନଦୀର ଦକ୍ଷିଣ ଦିଗରେ ୫୨ ମାଇଲା ଯାଇ ବଙ୍ଗୋପସାଗରରେ ମିଶିଛି । ମାଛଗାଁ କେନାଲ ଫକୀରପଡ଼ାରୁ କାଠଯୋଡ଼ି ଓ ଅଳକା ନଦୀର ଉତ୍ତରରେ ୩୨ ମାଇଲ ପର୍ଯ୍ୟନ୍ତ ଯାଇ ମାଛଗାଁଠାରୁ ୬ ମାଇଲ ଦୁରରେ ବଙ୍ଗୋପସାଗରରେ ମିଶିଛି ।
ତାଳଦଣ୍ଡା କେନାଲରେ ମହାନଦୀରୁ ସେକେଣ୍ଡ ପ୍ରତି ୧୩୪୨ କ୍ୟୁବିକ ଫୁଟ ଜଳ ନିଷ୍କାସିତ ହୋଇଥାଏ । ବିରିବାଟିଠାରୁ ଏଥିରୁ ଅଧାଜଳ ମାଛଗାଁ କେନାଲ ମାଧ୍ୟମରେ ପ୍ରବାହିତ ହୋଇଥାଏ । ଏହି କେନାଲଦ୍ୱାରା ମହାନଦୀ ଓ କାଠଯୋଡ଼ି ନଦୀ ମଧ୍ୟରେ ଥିବା ୫୦ ହଜାର ଏକର ଜମିରେ ଜଳସେଚନ କରା ଯାଇଥାଏ । ମାଛଗାଁ କେନାଲରେ ସେକେଣ୍ଡ ପ୍ରତି ୭୭୬ କ୍ୟୁବିକ ଫୁଟ ଜଳ ନିଷ୍କାସିତ ହୋଇଥାଏ । ଏହି କେନାଲଦ୍ୱାରା ଜଗତସିଂହପୁର ଓ ପାରାଦ୍ୱୀପ ଅଞ୍ଚଳର ୮୨ ହଜାର ଏକର ଜମିରେ ଜଳସେଚନ କରାଯାଇଥାଏ ।[୨]
ପୁନରୁଦ୍ଧାର
[ସମ୍ପାଦନା]କଟକ ସହର ମଝିରେ ଏହି କେନାଲଟି ଯାଇଥିବାରୁ, କେନାଲ କଡ଼େ କଡ଼େ କ୍ରମେ ଜନବସତି ଓ ଅନ୍ୟ ଦୋକାନ ବଜାର ଗଢ଼ି ଉଠିଥିଲା । ଏହାବ୍ୟତିତ କଟକ ମାଲଗୋଦାମ, ବଡ଼ ଡାକ୍ତରଖାନାର ବର୍ଜ୍ୟବସ୍ତୁ ଏହି କେନାଲରେ ପକାଯାଉଥିଲା । ଧିରେ ଧିରେ କେନାଲଟି ବୁଜି ହେଇ ଯାଇଥିଲା । ଏହି ସବୁ ଅସୁବିଧାକୁ ନଜରରେ ଓଡ଼ିଶା ସରକାର ଏହି କେନାଲର ପୁନରୁଦ୍ଧାର ପାଇଁ ନିଷ୍ପତି ନେଇଥିଲେ । ଜଳସେଚନ ବିଭାଗ ଅଧିନରେ ଏହି ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ସିମେଣ୍ଟସ କମ୍ପୋଜିଟ ଜିଓ ସିନ୍ଥେଟିକ ମାଟ୍ରିସ ଭଳି ବିଭିନ୍ନ ବିଶ୍ୱସ୍ଥରୀୟ ଟେକ୍ନୋଲିଜି ବ୍ୟବହାର କରି ଏହି କେନାଲର ପୁନରୁଦ୍ଧାର କରାଯାଇଥିଲା ।[୩]
ବର୍ତ୍ତମାନ ତାଳଦେଣ୍ଡା କେନାଲ କଟକ ସହରର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଭାବରେ ପରିଗଣିତ ହୋଇଛି । ଏଠାରେ ବୋଟିଂ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି ।[୪]
ଆଧାର
[ସମ୍ପାଦନା]- ↑ Patnaik, Lalmohan (16 February 2011). "Taladanda to regain old look - Asian Development Bank funded project to revitalise state's oldest canal". Telegraph India. Retrieved 10 October 2023.
- ↑ Patnaik, N.R. (1997). Economic History of Orissa. Indus Publishing Company. p. 297. ISBN 978-81-7387-075-0. Retrieved 10 October 2023.
- ↑ Swarup, Anil (31 August 2021). "Making it happen: Transformation of Taladanda canal". The Daily Guardian. Retrieved 10 October 2023.
- ↑ Barik, Ramakrushna (30 September 2023). "ଗୋଟେ କେନାଲର ପୁନର୍ଜନ୍ମ". Kanak News. Retrieved 10 October 2023.