କିଶୋରୀମଣି ସିଂହ

ଉଇକିପିଡ଼ିଆ‌ରୁ
(Kishorimani Singhରୁ ଲେଉଟି ଆସିଛି)
କିଶୋରୀମଣି ସିଂହ
ବିଧାୟିକା: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୧ – ୧୯୯୫
ପୂର୍ବ ଅଧିକାରୀନିକୁଞ୍ଜ ବିହାରୀ ସିଂହ
ପର ଅଧିକାରୀରିପୁନାଥ ସେଠ
ନିର୍ବାଚନ ମଣ୍ଡଳୀବିଜେପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-11-25)୨୫ ନଭେମ୍ବର ୧୯୨୮
ମୃତ୍ୟୁ୨୭ ମଇ ୨୦୦୭(2007-05-27) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀନିକୁଞ୍ଜ ବିହାରୀ ସିଂହ
ବାପା/ବୋଉଜଗନ୍ନାଥ ପ୍ରସାଦ ସିଂହ ଠାକୁର (ବାପା)
ବୃତ୍ତିରାଜନୀତିଜ୍ଞ

କିଶୋରୀମଣି ସିଂହ (୨୫ ନଭେମ୍ବର ୧୯୨୮ - ୨୭ ମଇ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ୧୯୯୧ ମସିହାରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ ।[୧] ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ବିଧାୟକ ଥିବା ନିକୁଞ୍ଜ ବିହାରୀ ସିଂହଙ୍କର ମୃତ୍ୟପରେ ତାଙ୍କ ପତ୍ନୀ କିଶୋରୀମଣି ଉପ ନିର୍ବାଚନରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

କିଶୋରୀମଣି ସିଂହ ୧୯୨୮ ମସିହାର ନଭେମ୍ବର ମାସ ୨୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ଜଗନ୍ନାଥ ପ୍ରସାଦ ସିଂହ ଠାକୁର । ସେ ଶିକ୍ଷାଗତ ଯୋଗ୍ୟତାରେ ମ୍ୟାଟ୍ରିକ୍ ପାଶ୍ କରିଥିଲେ ।[୧] ସେ ନିକୁଞ୍ଜ ବିହାରୀ ସିଂହଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ତିନୋଟି ପୁଅ ଓ ତିନୋଟି ଝିଅ ଅଛନ୍ତି । କିଶୋରୀମଣିଙ୍କର ପତି ନିକୁଞ୍ଜ ବିହାରୀ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଅଖିଳ ଭାରତୀୟ ଗଣ ପରିଷଦ ଓ ଜନତା ଦଳ ଭଳି ରାଜନୈତିକ ଦଳ ସହ ମିଶି ରାଜନୀତିରେ ସକ୍ରିୟ ଥିଲେ ।[୪] ନିକୁଞ୍ଜ ୧୯୫୭ ମସିହାରେ ଅଖିଳ ଭାରତୀୟ ଗଣପରିଷଦର ପ୍ରତିନିଧି ଭାବରେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହାପରେ ସେ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ୧୯୮୫ ଓ ୧୯୯୦ ମସିହାରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

କିଶୋରୀମଣି ତାଙ୍କ ପତିଙ୍କ ପାଇଁ, ସେ ଲଢ଼ିଥିବା ବିଭିନ୍ନ ନିର୍ବାଚନ ସମୟରେ ପ୍ରଚାରରେ ଯୋଗ ଦେଉଥିଲେ ଓ ବିଭିନ୍ନ ସଭା ସମିତି ଗୁଡ଼ିକରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଏବଂ ରାଜନୀତିରେ ଆଂଶିକ ସକ୍ରିୟ ଥିଲେ । ତାଙ୍କ ପତି ନିକୁଞ୍ଜ ବିହାରୀ ସିଂହ ୧୯୯୧ ମସିହାର ଅଗଷ୍ଟ ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ସେତେବେଳକୁ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ୧୦ମ ଓଡ଼ିଶା ବିଧାନ ସଭାର ସଭ୍ୟ ଥିଲେ ।[୨] ଫଳରେ ତାଙ୍କ ମୃତ୍ୟୁ ପରେ ସେହି ବିଧାନ ସଭା ଆସନଟି ଖାଲି ପଡ଼ିଥିଲା ।

ଏହି ଖାଲି ପଡ଼ିଥିବା ଆସନଟି ପାଇଁ ୧୯୯୧ ମସିହାରେ ବିଜେପୁରରେ ଉପ ନିର୍ବାଚନ ହୋଇଥିଲା । ଏହି ଉପ ନିର୍ବାଚନରେ କିଶୋରୀମଣି ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ।[୭] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭][୨] ଏହି ବିଧାନ ସଭାରେ ସେ ୧୬ ନଭେମ୍ବର ୧୯୯୧ ମସିହାରୁ ୧୯୯୫ ମସିହାରେ ସେହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

କିଶୋରୀମଣି ସିଂହ ୨୦୦୭ ମସିହାର ମଇ ମାସ ୧୭ ତାରିଖରେ ମୃତ୍ୟବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Late Kishorimani Singh". odishaassembly.nic.in. Odisha Assembly. Retrieved 9 March 2019.
  2. ୨.୦ ୨.୧ ୨.୨ "ବିକାଶ ତରାଜୁରେ ବିଜେପୁର". ସମ୍ବାଦ. Archived from the original on 4 March 2019. Retrieved 8 March 2019.
  3. ୩.୦ ୩.୧ "MLA Kishorimani Singh(Bye) Profile | BIJEPUR Constituency". naveenpatnaik.com. Archived from the original on 2022-09-20. Retrieved 2019-03-09.
  4. ୪.୦ ୪.୧ "MLA Nikunja Bihari Singh Profile | BIJEPUR Constituency". www.odishahelpline.com. Retrieved 2019-03-09.
  5. "MLA Nikunja Bihari Singh Profile | BIJEPUR Constituency". naveenpatnaik.com. Archived from the original on 2017-10-01. Retrieved 2019-03-09.
  6. "Late Nikunja Bihari Singh". odishaassembly.nic.in. Retrieved 2019-03-09.
  7. ୭.୦ ୭.୧ "MLA Kishorimani Singh(Bye) Profile | BIJEPUR Constituency". www.odishahelpline.com. Retrieved 2019-03-09.