ଗାନ୍ଧୀ ତିରୋଧାନ
ଗାନ୍ଧୀ ତିରୋଧାନ | |
---|---|
ସ୍ଥାନ | ନୂଆଦିଲ୍ଲୀ |
ତାରିଖ | ୩୦ ଜାନୁଆରୀ ୧୯୪୮ ଭାରତୀୟ ମାନକ ସମୟ (ସନ୍ଧ୍ୟା ୫:୧୭) |
ଲକ୍ଷ୍ୟ | ମୋହନଦାସ କରମଚାନ୍ଦ ଗାନ୍ଧୀ |
ଅସ୍ତ୍ରଶସ୍ତ୍ରs | Beretta M 1934 Semi-automatic pistol |
ମୃତ୍ୟୁ | ୧ (ଗାନ୍ଧୀ) |
Perpetrators | ନାଥୁରାମ ବିନାୟକ ଗଡସେ |
ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବିରଳା ଭବନଠାରେ (ବର୍ତ୍ତମାନର ନୂଆଦିଲ୍ଲୀର ଗାନ୍ଧୀ ସ୍ମୃତି) ଗୁପ୍ତ ଭାବରେ ହତ୍ୟା କରାଯାଇଥିଲା । ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣିସ୍ଥଳ ବିରଳା ଭବନକୁ ନିଆଯାଇଥିଲା । ପୁର୍ବରୁ "ନାଥୁରାମ ଗଡସେ" ୫ ଥର ହତ୍ୟା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ପ୍ରଥମେ ୧୯୩୪ରେ ହତ୍ୟା ପାଇଁ ପ୍ରୟାସ କରିଥିଲେ ।
ମହାତ୍ମାଙ୍କ ହତ୍ୟା
[ସମ୍ପାଦନା]୧୯୪୮ ମସିହା ଜାନୁଆରୀ ୩୦ ତାରିଖ , ଶୁକ୍ରବାର ସନ୍ଧ୍ୟା ସମୟ ୫:୧୭ ମିନିଟ୍ । ପ୍ରାର୍ଥନା ସଭାରେ "ନାଥୁରାମ ବିନାୟକ ଗଡସେ" ନାମକ ଜଣେ ମରହଟ୍ଟା ଯୁବକ ବାପୁଜୀଙ୍କ ସମ୍ମୁଖ ଭାଗରୁ ଗୁଳି କରି ତାଙ୍କୁ ହତ୍ୟା କଲେ । ବାପୁଙ୍କ ନିକଟରେ ସେତେବେଳେ ଥିଲେ ତାଙ୍କ ପ୍ରିୟ ନାତୁଣୀ "ମନୁ ଗାନ୍ଧୀ" । ପାଦ ଛୁଇଁବା ଆଳରେ "ନାଥୁରାମ" ଅତି ନିକଟରୁ ବାପୁଜୀଙ୍କୁ ଗୁଳି କରିଥିଲେ । ପ୍ରଥମ ଗୁଳିଟି ତାଙ୍କ ପେଟରେ ବାଜିଥିଲା । ସେ ସେହିମୁହୁର୍ତ୍ତରେ ଚିତ୍କାର କରି "ହେ' ରାମ" ଉଚ୍ଚାରଣ କରିବା କାଳରେ ଆଉ ଦୁଇଟି ଗୁଳି ତାଙ୍କ ଛାତିରେ ବିଦ୍ଧ ହୋଇଥିଲା । ଘଟଣାଟି ଏତେ ଅପ୍ରତ୍ୟାଶିତ ଥିଲା ଯେ , "ମନୁ ଗାନ୍ଧୀ" ଏବଂ ଅନ୍ୟମାନେ କିଛି ଜାଣିବା ଓ ବୁଝିବା ପୂର୍ବରୁ ଭାରତର ସୂର୍ଯ୍ୟଙ୍କୁ ଅସ୍ତମିତ କରିଦିଆଗଲା । ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ , ସଂଜ୍ଞାହୀନ ବାପୁଙ୍କୁ ତାଙ୍କ ରହଣୀସ୍ଥଳ ବିରଳା ଭବନକୁ ନିଆଗଲା । ସେଠାରେ ଗାନ୍ଧୀଙ୍କ ଶରୀରକୁ ଏକ ସଫା ଚଦରରେ ଘୋଡ଼ାଇ ଦିଆଯାଇଥିଲା । କିନ୍ତୁ ଯେତେବେଳେ , ତାଙ୍କ ସାନ ପୁତ୍ର "ଦେବଦାସ ଗାନ୍ଧୀ" ସେଠାରେ ପହଞ୍ଚିଲେ । ସେ ତୁରନ୍ତ ମହାତ୍ମାଙ୍କ ଉପରୁ ସେ ସଫା ଚଦର କାଢ଼ିନେଲେ । କାରଣ , ଏ ସମସ୍ତ ସମାଜ ଶାନ୍ତି ଆଉ ଅହିଂସାର ପୂଜାରୀଙ୍କ ସହ ହୋଇଥିବା ହିଂସାକୁ ଦେଖିପାରନ୍ତୁ ।[୧]ମାତ୍ର ୨୦ ମିନିଟ୍ ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।
ଶୋକାତୁର ଜନତା
[ସମ୍ପାଦନା]ବ୍ରିଟିଶ ଶାସକମାନଙ୍କଦ୍ୱାରା ବନ୍ଦିନୀ ଭାରତମାତାଙ୍କୁ ମୁକ୍ତ କରି ଦେଶରେ ସ୍ୱାଧୀନତା ଫେରାଇ ଆଣିଥିବା ମହାନ ଯୋଦ୍ଧା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ଦେଶ ସ୍ୱାଧୀନତାର ୬ମାସ ନ ପୁରୁଣୁ ଶୋଚନୀୟ ମହାପ୍ରୟାଣ ଦେଶ ଓ ବିଶ୍ୱର କୋଣ ଅନୁକୋଣରେ ବିଷାଦର କରୁଣଛାୟା ଖେଳାଇ ଦେଇଥିଲା । ଦେଶ ଓ ମାନବ ଜାତି ପାଇଁ ୭୮ ବର୍ଷ , ୩ ମାସ , ୨୮ ଦିନର ସଂଗ୍ରାମମୟ ଜୀବନର ଅବସାନ ଘଟିଲା । ଅହିଂସାର ପୂଜାରୀ ହିଂସାର ଅଗ୍ନିବାଣରେ ନିହତ ହେବା ଖବର କ୍ଷଣିକ ମଧ୍ୟରେ ବିଶ୍ୱସାରା ବ୍ୟାପିଗଲା । ବିଶ୍ୱ ସମୁଦାୟ ଚକିତ , ମର୍ମାହତ ହୋଇ ଏପରି ବର୍ବରୋଚିତ କାଣ୍ଡକୁ ଘୋର ନିନ୍ଦା କରିଥିଲେ । ଜାତିର ପିତା ଆଉ ନାହାନ୍ତି , ଏହି ବାର୍ତ୍ତା ଶୁଣିବା ମାତ୍ରେ ଦେଶବାସୀଙ୍କର ହଂସା ଉଡିଯାଇଥିଲା । ସେ ରାତି ସାରା ଦେଶର ଲୋକେ ଖାଇବା , ଶୋଇବା ଭୁଲିଯାଇଥିଲେ । ଦିଲ୍ଲୀ ପାଖାପାଖି ଦୁଇଶହ କିଲୋମିଟର ଦୂରଦୂରାନ୍ତରୁ ହଜାର ହଜାର ଲୋକ ଅନ୍ତିମ ଦର୍ଶନ ନିମନ୍ତେ ରୁଣ୍ଡ ହୋଇଥିଲେ । ସୈନ୍ୟବାହିନୀ ବିରଳା ଭବନ ଚତୁଃପାର୍ଶ୍ୱ ଜଗି ରହିଥାନ୍ତି । ରାତିସାରା ବାପୁଙ୍କ ମରଶରୀର ନିକଟରେ ବେଦପାଠ , ଗୀତାପାଠ , ଭଜନ ଓ ସ୍ତୃତି ଚାଲିଥାଏ । ତା' ପରଦିନ ସକାଳ ୬ଟାରେ ବିରଳା ଭବନର ଗେଟ୍ ଖୋଲି ଦିଆଯାଇଥିଲା । ବିପୁଳ ଦର୍ଶନାର୍ଥୀଙ୍କୁ ସେନା ପକ୍ଷରୁ ମାଇକଦ୍ୱାରା ନିବେଦନ କରାଗଲା ଯେ , ପ୍ରତ୍ୟେକ ବ୍ୟକ୍ତି ଶାନ୍ତିଶୃଙ୍ଖଳାର ସହ ଧାଡିବାନ୍ଧି ବାପୁଙ୍କୁ ଦର୍ଶନ କରି ଫେରିବେ । ସମସ୍ତ ଜନତା ସେପରି ହିଁ କଲେ । ଶୋକାତୁର ଜନତା ଧାଡିବାନ୍ଧି ମହାତ୍ମା ଗାନ୍ଧୀଙ୍କୁ ଶେଷ ଦର୍ଶନ କଲେ । ଏହିଦିନ ଅପରାହ୍ଣ ୪:୩୦ ମିନିଟ୍ ସମୟରେ ବାପୁଜୀଙ୍କ ନଶ୍ୱର ଶରୀରକୁ ଚିତାଗ୍ନି ଦିଆଯିବା ନିମନ୍ତେ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯମୁନାନଦୀ କୂଳରେ ଅନ୍ତିମ ସଂସ୍କାର କରାଯିବା ପାଇଁ ବ୍ୟବସ୍ଥା କରାଗଲା । ଯମୁନା କୂଳର ରାଜଘାଟଠାରେ ୪ଶହ ଗଜ ଲମ୍ବ ଓ ଦୁଇଶହ ଗଜ ଓସାରର ସ୍ଥାନଟିଏ ବଛା ଯାଇଥିଲା । ଚିତା ସ୍ଥଳରେ ୧୬ଫୁଟ ଲମ୍ବ , ୧୨ଫୁଟ ଚଉଡା ଓ ୩ଫୁଟ ଉଚ୍ଚରେ ଚନ୍ଦନ କାଷ୍ଠାସନ ନିର୍ମାଣ କରାଯାଇଥିଲା । ୬କୁଇଣ୍ଟାଲ ଚନ୍ଦନକାଠ , ୨ମହଣ ଗୁଆଘିଅ , ୧୫କି.ଗ୍ରା କର୍ପୁର , କେଶର ଓ କସ୍ତୂରୀ ପ୍ରସ୍ତୁତ କରି ରଖାଯାଇଥିଲା ।
ମହାତ୍ମାଙ୍କ ଶୋଭାଯାତ୍ରା
[ସମ୍ପାଦନା]ବିରଳା ଭବନଠାରୁ ଯମୁନାକୂଳର ଦୂରତ୍ୱ ୬କିଲୋମିଟର । ଏହି ସଡକ ପଥରେ ବାପୁଜୀଙ୍କ ଶବାଧାର ଯାଇ ସେଠାରେ ପହଞ୍ଚିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା । ନିର୍ଦ୍ଧାରିତ ସମୟ ଦିବା ୧୧:୪୫ ମିନିଟ୍ ସମୟରେ ବାପୁଜୀଙ୍କ ଶବକୁ ଶଙ୍ଖଧ୍ୱନିରେ ରାମଧୂନଗାଇ ଗାଇ ଏକ ସୁସଜ୍ଜିତ ସାମରିକ ଗାଡ଼ିରେ ରଖାଗଲା । "ମହାତ୍ମା ଗାନ୍ଧୀ କି ଜୟ" , "ମହାତ୍ମା ଗାନ୍ଧୀ ଅମର ରହେ" ଧ୍ୱନି ଯେମିତି ଦିଲ୍ଲୀର ଆକାଶକୁ ପ୍ରକମ୍ପିତ କରୁଥିଲା । ସବୁ ଲୋକଙ୍କ ଚକ୍ଷୁରେ ଅଶ୍ରୁ ଭରିଯାଇଥିଲା । ଶୋଭାଯାତ୍ରା ଆଗକୁ ଗଡିବା ଆରମ୍ଭ ହେଲା । ମହାତ୍ମାଙ୍କ ପଦ ପାଖେ ତାଙ୍କ ସାନପୁଅ "ଶ୍ରୀରାମ ଦାସ ଗାନ୍ଧୀ" ଓ "ସର୍ଦ୍ଦାର ପଟେଲ" ମୌନ ହୋଇ ବସିଥିଲେ । "ପଣ୍ଡିତ ନେହେରୁ" ଓ "ସର୍ଦ୍ଦାର ବଳଦେବ ସିଂହ" ମହାତ୍ମାଙ୍କ ମୁଣ୍ଡ ପାଖେ ଛିଡା ହୋଇଥାନ୍ତି । ଶବ ଉପରେ ଏକ ଶୁଭ୍ର କପଡ଼ା ଘୋଡାଇ ଦିଆଯାଇଥିଲା ଓ ତା' ଉପରେ ଏକ ବଡ଼ ଜାତୀୟ ପତାକା ଆଚ୍ଛାଦିତ କରାଯାଇଥିଲା । ଆଗ ଓ ପଛରେ ସାମରିକ ଗାଡ଼ିଗୁଡିକ ମହାତ୍ମାଙ୍କୁ ସଲାମୀ ଦେଇଚାଲିଥିଲେ । ଭାରତର ବିଶିଷ୍ଟ ନେତୃବୃନ୍ଦ ଏହି ଶୋଭାଯାତ୍ରାର ଅଗ୍ରଭାଗରେ ପାଦରେ ଚାଲି ଚାଲି ଯାଉଥିଲେ । "ଆଭା ଗାନ୍ଧୀ , ମନୁ ଗାନ୍ଧୀ , ଦେବଦାସ ଗାନ୍ଧୀ , ସରୋଜିନୀ ନାଇଡୁ , ଅମୃତ କାଉର , ରାଜ ଗୋପାଳଚାରୀ , ଚାନ୍ଦୁଲାଲ ତ୍ରିବେଦୀ , ଡ଼. ରାଜେନ୍ଦ୍ର ପ୍ରସାଦ , ଆଚାର୍ଯ୍ୟ କୃପାଳିନୀ , ପଣ୍ଡିତ ନେହେରୁ , ଲେଡି ଓ ଲର୍ଡ ମାଉଣ୍ଟବ୍ୟାଟେନ , ପଣ୍ଡିତ ଗୋବିନ୍ଦବଲ୍ଲଭ ପନ୍ଥ , ମୌଲାନା ଆଜାଦ" ଭାରତ ସରକାରଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ , ଶାସକ ପ୍ରଶାସକ ଗୋଷ୍ଠୀ , ଜଳ , ସ୍ଥଳ , ଆକାଶ ବାହିନୀର ସୈନ୍ୟ ଓ ସେନାମୁଖ୍ୟ ପ୍ରମୁଖ ଆଗରେ ଚାଲିଥାନ୍ତି । ତା' ପଛକୁ ପଦାତିକ ବାହିନୀର ସୈନିକମାନେ ବାପୁଙ୍କର ପ୍ରିୟ ରଘୁପତି ରାଘବ ରାଜାରାମ ଭଜନର କାରୁଣ୍ୟ ତାଳରେ ବାଜା ବଜାଇ ମାର୍ଚିଂ କରାଇ ଗାନ୍ଧିଜୀଙ୍କ ଶବାଧାରରେ ପୁଷ୍ପବର୍ଷା , ଗଙ୍ଗାଜଳ ସିଞ୍ଚନ କରୁଥାନ୍ତି । ଲକ୍ଷ ଲକ୍ଷ ଜନତା ସଡକ ପାର୍ଶ୍ୱରେ ଛିଡା ହୋଇ ବାପୁଜୀଙ୍କ ଶେଷ ଦର୍ଶନ କରୁଥାନ୍ତି । ଏକ ଶଙ୍ଖଳିତ ଜନସମୁଦ୍ର ଭିତରୁ ଗୁରୁଗମ୍ଭୀର ସ୍ୱରରେ ଭାସି ଆସୁଥିଲା ଗାନ୍ଧିଜୀଙ୍କ ପ୍ରିୟ ମାର୍ମିକ ଭଜନର ଅନ୍ତିମ ପଦ - "ଈଶ୍ୱର ଆଲ୍ଲା ତେରୋ ନାମ୍ , ସବକୋ ସନମତି ଦେ ଭଗବାନ୍" ।
ଗାନ୍ଧୀଙ୍କ ଅନ୍ତିମ ସଂସ୍କାର
[ସମ୍ପାଦନା]ପ୍ରାୟ ସାଢ଼େ ୪ଘଣ୍ଟା ପରେ ଶୋଭାଯାତ୍ରା ଯମୁନା କୂଳରେ ପହଞ୍ଚିଥିଲା । ଜୟ ଜୟ ଗାନ , ବେଦ ପାଠ , ଶଙ୍ଖନାଦ କରାଇ ବାପୁଙ୍କ ଶବକୁ ପୂର୍ବରୁ ପ୍ରସ୍ତୁତ ଥିବା ଚନ୍ଦନ କାଷ୍ଠ ଆସନରେ ଶୁଆଇ ଦିଆଗଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଖ୍ୟାତ ସଂସ୍କୃତ ଅଧ୍ୟାପକ "ପଣ୍ଡିତ ରାମାଧନ ଶାସ୍ତ୍ରୀ" ବେଦ , ମନ୍ତ୍ର , ସ୍ତୋତ୍ର ଆଦି ପଠନର ମୁଖ୍ୟ ଭୂମିକା ତୁଲାଇଥିଲେ । ବାପୁଙ୍କ କନିଷ୍ଠ ପୁତ୍ର "ଦେବଦାସ ଗାନ୍ଧୀ" ମୁଖାଗ୍ନି ଦେଇଥିଲେ । ଫେବୃଆରୀ ମସିହା ୧୨ ତାରିଖରେ ପବିତ୍ର ତ୍ରିବେଣୀ ସଂଗମ ଜଳରେ ବାପୁଙ୍କ ଚିତାଭସ୍ମ ବିସର୍ଜିତ ହେଲା ।
ସର୍ଦ୍ଦାର ପଟେଲଙ୍କ ସହ ଶେଷ ଦେଖା
[ସମ୍ପାଦନା]ଦେଶକୁ ଆଜାଦ ହେବାର ମାତ୍ର ୫ମାସ ହିଁ ବିତିଛି , ମିଡ଼ିୟାରେ "ପଣ୍ଡିତ ନେହେରୁ" ଏବଂ "ସର୍ଦ୍ଦାର ପଟେଲ"ଙ୍କ ମଧ୍ୟରେ ମତଭେଦ , ମତାନ୍ତରର ଖବର ଆସିବାରେ ଲାଗିଲା । ଗାନ୍ଧୀଙ୍କ ପାଖକୁ ଏହିପରି ଖବର ଆସିବା ହେତୁ ସେ ବହୁ ଦୁଃଖୀ ଥିଲେ ଏବଂ ସେ ଏସବୁର ଜବାବ ଦେବାକୁ ଚାହୁଁଥିଲେ । ସେ ଏହା ମଧ୍ୟ ଚାହୁଁଥିଲେ କି , ନିଜେ ସ୍ୱୟଂ "ସର୍ଦ୍ଦାର ପଟେଲ"ଙ୍କୁ ଇସ୍ତଫା ଦେବାପାଇଁ କହିବେ ଯାହା ଫଳରେ କି , "ନେହେରୁ" ସରକାରଙ୍କ ପୁରା କାମକାର୍ଯ୍ୟ ଦେଖନ୍ତୁ । କିନ୍ତୁ ଏହିପରି କିଛି ମଧ୍ୟ ହେଲାନାହିଁ । ମହାତ୍ମା ୩୦ ଜାନୁଆରୀ ୧୯୪୮ ମସିହା ଦିନ ପଟେଲଙ୍କ ସହ କଥାବାର୍ତ୍ତା ହେବ ପାଇଁ ସନ୍ଧ୍ୟା ୪ଟାରେ ଡାକିଥିଲେ ଏବଂ ପ୍ରାର୍ଥନା ଶେଷ ହେବାପରେ ଏହି ବିଷୟରେ କଥାବାର୍ତ୍ତା ହେବାପାଇଁ କହିଲେ । କିନ୍ତୁ ପ୍ରକୃତିକୁ ଏହା ଇଚ୍ଛା ନଥିଲା । ପଟେଲ ନିଜ ଝିଅ "ମଣିବେନ"ଙ୍କ ସହ ସେହି ସମୟରେ ଗାନ୍ଧୀଙ୍କ ପାଖେ ପହଞ୍ଚିଯାଇଥିଲେ । ପଟେଲଙ୍କ ସହ ଆଲୋଚନା କରିବା ପରେ ପ୍ରାର୍ଥନା ପାଇଁ ଯିବା ସମୟରେ ମହାତ୍ମା ଗାନ୍ଧୀ "ଗଡେସ୍"ଙ୍କ ଗୁଳିର ଶିକାର ହୋଇଥିଲେ ।[୨]
ସୁରକ୍ଷା
[ସମ୍ପାଦନା]ଗାନ୍ଧୀ କହୁଥିଲେ ଯେ , ତାଙ୍କ ଜୀବନ ଈଶ୍ୱରଙ୍କ ହାତରେ ଅଛି ଏବଂ ଯଦି ତାଙ୍କୁ ମରିବାକୁ ହୁଏତ କେହି ମଧ୍ୟ ବଞ୍ଚେଇପାରିବେନି । ସେ ଗୋଟେଥର କହିଥିଲେ କି - "ଯାହାକୁ ଆଜାଦୀରେ ବଞ୍ଚିବା ହେତୁ ସୁରକ୍ଷା ଦରକାର ସେମାନଙ୍କୁ ବଞ୍ଚିବା ପାଇଁ କିଛିବି ଅଧିକାର ନାହିଁ ।" ଯାହା ହେଲେବି "ବିରଳା ଭବନ"ର ଗେଟ୍ ବାହାରେ ପ୍ରତ୍ୟେକଦିନ ଗୋଟେ ଜଗୁଆଳୀ ରହୁଥିଲା । ତତ୍କାଳରେ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ ମଧ୍ୟ ବିରଳା ଭବନ ବାହାରେ ଜଣେ ହେଡ଼ କନସ୍ଟ୍ରେବଳ ଏବଂ ୪ କନସ୍ଟ୍ରେବଳଙ୍କୁ ଜଗିରହିବା ପାଇଁ ଆଦେଶ ଦେଇଥିଲେ। ଗାନ୍ଧୀଙ୍କ ପ୍ରାର୍ଥନା ସମୟରେ ପୁଲିସ ବିରଳା ଭବନ ସାମ୍ନାରେ ସାଧା ବସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖୁଥିଲେ ଏବଂ ସନ୍ଦେହ ବ୍ୟକ୍ତିଙ୍କ ଉପରେ ତନାଘନା କରୁଥିଲେ । ଏହାମଧ୍ୟ ପୋଲିସ ଚିନ୍ତା କଲେକି , ଯଦି ପ୍ରାର୍ଥନା ସଭାରେ ଯୋଗଦାନ କରୁଥିବା ଲୋକମାଙ୍କର ସଠିକ ତଦାରଖ କରି ଭିତରକୁ ପଠାଯାଏ ତେବେ ଅଧିକ ଭଲ ହୁଅନ୍ତା । କିନ୍ତୁ ମହାତ୍ମାଙ୍କୁ ପୋଲିସ ମାନଙ୍କ ଏହି ପ୍ରସ୍ତାବ ଗ୍ରହଣ କରିନଥିଲେ । ପୋଲିସ ଡ଼ି. ଆଇ.ଜି.ର ଅଫିସର ମଧ୍ୟ ଗାନ୍ଧୀଙ୍କ ସହ ଏହିବିଷୟରେ କଥା ହେଲେ ଏବଂ କହିଲେ ତାଙ୍କ ଜୀବନ ପ୍ରତି ବିପଦ ଥାଇପାରେ , କିନ୍ତୁ ମହାତ୍ମା ତାଙ୍କ କଥା ମାନିଲେ ନାହିଁ । ବାପୁଙ୍କ ହତ୍ୟା ପରେ "ନନ୍ଦଲାଲ ମେହେତାଙ୍କ"ଙ୍କଦ୍ୱାରା ଜାରିକରିଥିବା ଏଫ.ଆଇ.ଆରର ମୁତାବିକ ତାଙ୍କ ମୁଖରୁ ବାହାରିଥିବା ଅନ୍ତିମ ଶବ୍ଦ "ହେ'ରାମ" ଥିଲା । କିନ୍ତୁ ସ୍ୱତନ୍ତ୍ରତା ସେନା ଏବଂ ଗାନ୍ଧୀଙ୍କ ନିଜର ସଚିବଙ୍କ କଥା ଅନୁସାରେ ଏବଂ ତାଙ୍କ ପାଖେ କାର୍ଯ୍ୟ କରୁଥିବା "କଲ୍ୟାଣମ୍"ଙ୍କ କଥା ଅନୁସାରେ ଏହିକଥା ସତ୍ୟ ନୁହେଁ ।[୨] ସେହି ଘଟଣା ସମୟରେ ଗାନ୍ଧୀଙ୍କ ଠିକ ପଛରେ ଠିଆ ହୋଇଥିବା "କଲ୍ୟାଣମ୍"କହିଲେ କି , ଗୁଳି ମହାତ୍ମାଙ୍କ ଶରୀରରେ ବାଜିବା ପରେ ତାଙ୍କ ମୁଖରୁ ଗୋଟେ ବି ଶବ୍ଦ ବାହାରିବାର ପ୍ରଶ୍ନ ହିଁ ଉଠୁନି । ହୁଏତ ଗାନ୍ଧୀ ସର୍ବଦା କୁହନ୍ତି କି , ଯେବେ ସେ ମରିବେ ସେବେ ତାଙ୍କ ମୁଖରୁ କେବଳ "ରାମନାମ" ହିଁ ଥିବ । ଯଦି ତାଙ୍କର କିଛି ଦେହ ଖରାପ ହେଲା କି , ସେ ଶଯ୍ୟାରେ ଖାଲି ପଡିକରି ରହିଲେ ତ ତାଙ୍କ ମୁହଁରୁ ନିଶ୍ଚୟ "ରାମନାମ" ବାହାରିଥା'ନ୍ତା । ଗାନ୍ଧୀଙ୍କ ହତ୍ୟାର ଯାଞ୍ଚ ପାଇଁ ଗଠିତ ଆୟୋଗ ସେ ଦିନ ରାଷ୍ଟପିତାଙ୍କ ପାଖ ଲୋକଙ୍କୁ ପଚାରିବା ପାଇଁ ମଧ୍ୟ ଜରୁରୀ ଭାବିଲେନି । ଏହାସତ୍ତ୍ୱେ ବି ଏ କଥା ଦୁନିଆରେ ପ୍ରଚଳିତ ହେଇଗଲା କି , ଗାନ୍ଧୀଙ୍କ ମୁହଁରୁ ବାହାରିଥିବା ଅନ୍ତିମ ଶବ୍ଦ "ହେ'ରାମ" ଥିଲା । କିନ୍ତୁ ଏହାକୁ କେବେ ବି ପ୍ରମାଣ କରାଯାଇପାରିଲା ନାହିଁ ।[୨] ଏହି କଥାର ମଧ୍ୟ କିଛି କାରଣ ଖୋଜାଗଲାନି କି , ଗୁଳି ବାଜିବା ପରେ ମଧ୍ୟ ତାଙ୍କୁ ଡାକ୍ତରଖାନା ନେବା ବଦଳରେ "ବିରଳା ଭବନ"କୁ ହିଁ କାହିଁକି ଫେରାଇ ନିଆଗଲା ?[୧]
ଆହୁରି ମଧ୍ୟ ଏକ ସତ୍ୟତା ଜଣାପଡିଛି ଯେ , ମହାତ୍ମା ଗାନ୍ଧୀଙ୍କ ଜଣେ ପାରିବାରିକ ମିତ୍ର ; ତାଙ୍କ 'ଅସ୍ଥି'କୁ ହାରାହାରି ୬୨ ବର୍ଷ ପର୍ଯ୍ୟନ୍ତ ଗୋପନୀୟ ସ୍ଥାନରେ ରଖିଥିଲେ । ପରେ ୩୦ ଜାନୁଆରୀ ୨୦୧୦ ଶନିବାର ଦିନ ପବିତ୍ର ସମୁଦ୍ରରେ ବିସର୍ଜନ କରାଗଲା ।
ଆଲବର୍ଟ ଆଇନଷ୍ଟାଇନ
[ସମ୍ପାଦନା]ଆଇନଷ୍ଟାଇନ ବାପୁଙ୍କ ନାମରେ ଲେଖିଥିଲେ କି , ମହାତ୍ମା ଗାନ୍ଧୀଙ୍କ ଉପଲବ୍ଧିଗୁଡ଼ିକ ରାଜନୈତିକ ଇତିହାସରେ ଉଦ୍ଧୃତ ହୋଇଛି । ସେ ଦେଶକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ସଂଘର୍ଷର ଏମିତି ଏକ ମାର୍ଗ ବାଛିଲେ ଯାହା ମାନବୀୟ ଏବଂ ଅତି ଆଶ୍ଚର୍ଯ୍ୟଜନକ ଅଟେ । ଏହା ଏମିତି ଏକ ମାର୍ଗ ଅଟେ ଯିଏ ପୁରା ସଂସାରର ସଭ୍ୟ ସମାଜକୁ ମାନବିକତା ପାଇଁ ଚିନ୍ତା କରିବାରେ ବାଧ୍ୟ କରାଇ ଦିଏ । ସେ ଲେଖିଥିଲେ କି , ଆମକୁ ପ୍ରସନ୍ନ ହେବ ଦରକାର କି ,ଭାଗ୍ୟ ଆମକୁ ଆମ ସମୟରେ ଜଣେ ଏମିତି ବ୍ୟକ୍ତିଙ୍କୁ ଉପହାରରେ ଦେଲେ ଯିଏ , ଆସୁଥିବା ପିଢ଼ି ପାଇଁ ପଥ ପ୍ରଦର୍ଶକ ହେବେ ।
କଂଗ୍ରେସ
[ସମ୍ପାଦନା]କଂଗ୍ରେସ ଗାନ୍ଧୀଙ୍କୁ ନିଜ ଆଦର୍ଶ ବୋଲି କହିପାରିବେନି , ଯେପରି କି ସେହି ପାର୍ଟିର ଲୋକମାନେ ଗାନ୍ଧୀ ବଞ୍ଚିଥିବା ଅବସ୍ଥାରେ ସର୍ବଦା ତାଙ୍କର ନିନ୍ଦା ଅପବାଦ କରୁଥିଲେ । ବିହାରର ତତ୍କାଳୀନ ଗଭର୍ନରଙ୍କ ଏକ ସଂକ୍ଷିପ୍ତ ବିବରଣୀରୁ ଏହା ସ୍ପଷ୍ଟ ହୋଇଯାଏ ।
"ଯଦି ମୋତେ କୌଣସି ପାଗଳ ମଣିଷର ଗୁଳିରେ ମରିବାକୁ ହୁଏ ତ ମତେ ହସି ହସି ମରିବା ଦରକାର । ମୋ ହୃଦୟ ଏବଂ ଓଠରେ କେବଳ ଭଗବାନଙ୍କ ନାମ ରହିବା ହିଁ ଦରକାର । ଆଉ ଯଦି ଏମିତି କେବେ କିଛି ହୁଏ ତ, ତୁମ୍ଭେମାନେ ଆଖିରୁ ବୁନ୍ଦାଟିଏ ବି ଲୁହ ଝରାଇବନି ।"(ଇଂରାଜୀ: If I’m to die by the bullet of a mad man, I must do so smiling. God must be in my heart and on my lips. And if anything happens, you are not to shed a single tear.)
— ମୋହନଦାସ କରମଚାନ୍ଦ ଗାନ୍ଧୀ ୨୮ ଜାନୁଆରୀ ୧୯୪୮
ନେହେରୁ ଏବଂ ପଟେଲ ଦୋଷୀ
[ସମ୍ପାଦନା]କ'ଣ ଏ ଦାୟିତ୍ୱ ଜବାହରଲାଲ ନେହେରୁ ଯିଏ ଦେଶର ପ୍ରଧାନମନ୍ତ୍ରୀ ଥିଲେ , ଅଥବା ସରଦାର ପଟେଲ ଯିଏ ଗୃହମନ୍ତ୍ରୀ ଥିଲେ ତାଙ୍କର ନ ଥିଲା ? ଶେଷରେ ୨୦ ଜାନୁଆରୀ ୧୯୪୮ ମସିହାରେ ପାହବାଦ୍ୱାରା ଗାନ୍ଧିଜୀଙ୍କ ପ୍ରାର୍ଥନା ସଭାରେ ବୋମା-ବିସ୍ଫୋଟକର ଠିକ ୧୦ ଦିନ ପରେ ସେହି ପ୍ରାର୍ଥନା ସଭାରେ ସେହି ସମୂହରେ ଏକ ସଦସ୍ୟ ନାଥୁରାମ ଗଡସେ ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇ ତାଙ୍କୁ ସଦା ସର୍ବଦା ପାଇଁ ସମାପ୍ତ କରିଦେଲେ । ହତ୍ୟାରିଣ ରାଜନୀତି[୩] ଶୀର୍ଷକରେ ଲିଖିତ ଏକ କବିତାରେ ଏହି ପ୍ରଶ୍ନ ("ସାଜିସର ପ୍ରଥମ ଶିକାର "ସୁଭାଷ"ହେଲେ , ଯାହାଙ୍କୁ ବିମାନ-ଦୁର୍ଘଟଣାରେ ମାରିଦିଆଗଲା ; ପରେ ମତ-ବିଭ୍ରାନ୍ତ କାରଣରୁ ଗାନ୍ଧୀଙ୍କ ଶରୀରକୁ ବନ୍ଧୁକରୁ ଗୁଳି ମାରି ହତ୍ୟା କରିଦେଲା ?") ବହୁ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ପରେ ୧୯୮୪ ମସିହା [୪][୫]ରେ ହିଁ ଉଠାଯାଇଥିଲା ଯାହା ଆଜିବି ଅନୁନ୍ତରିତ ଅଛି ।
ଷଡଯନ୍ତ୍ର କାରୀ
[ସମ୍ପାଦନା]ନ୍ୟାୟାଳୟରେ ନାଥୁରାମ ଗଡସେଙ୍କଦ୍ୱାରା ଦିଆଯାଇଥିବା ସମସ୍ତ ଶାକ୍ଷ ଏବଂ ପ୍ରମାଣକୁ ଭିତ୍ତି କରି କୁହାଯାଇଥିଲା ଯେ , ଯେଉଁ ବନ୍ଧୁକରୁ ସେ "ମହାତ୍ମା"ଙ୍କୁ ଗୁଳି ଚଳାଇଥିଲେ ତାକୁ ସେ ଦିଲ୍ଲୀର ଜଣେ ବ୍ୟବସାୟୀ ଯେକି' ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ବିକ୍ରୟ କରୁଥିଲେ , ତାଙ୍କଠାରୁ କିଣିଥିଲେ ।[୬]
ଗାନ୍ଧୀଙ୍କ ହତ୍ୟାକରିବା ଅପରାଧରେ ମୁଖ୍ୟ ଅଭିଯୁକ୍ତ "ନାଥୁରାମ ଗଡସେ"ଙ୍କ ସହ ଆହୁରି ୮ଜଣ ବ୍ୟକ୍ତିଙ୍କୁ ହତ୍ୟାକାରୀ ରୂପେ ଦୋଶୀ ସାବ୍ୟସ୍ତ କରାଯାଇଥିଲା । ସେମାନଙ୍କ ନାମ ହେଲା :
- ବୀର ସାବରକର (ପ୍ରମାଣ ନ ମିଳିବା କାରଣରୁ ଅଦାଲତ ଦୋଷରୁ ମୁକ୍ତ କଲା)
- ଶଙ୍କର କିସ୍ତୌୟା (ଉଚ୍ଚ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯିବାରୁ ଛାଡିଦିଆଗଲା)
- ଦିଗମ୍ବର ବଡ଼ଗେ (ସରକାରୀ ସାକ୍ଷୀ ହୋଇଥିବାରୁ ଛାଡିଦିଆଗଲା)
- ଗୋପାଳ ଗୌଡ଼ସେ (ଆଜୀବନ କାରାଦଣ୍ଡ)
- ମଦନଲାଲ ପାହବା (ଆଜୀବନ କାରାଦଣ୍ଡ)
- ବିଷ୍ଣୁ ରାମକୃଷ୍ଣ କରକରେ (ଆଜୀବନ କାରାଦଣ୍ଡ)
- ନାରାୟଣ ଆପ୍ଟେ (ଫାଶୀ ଦିଆଗଲା)
- ନାଥୁରାମ ବିନାୟକ ଗଡସେ (ଫାଶୀ ଦିଆଗଲା)
ଅଦାଲତ'ର ଅନ୍ତିମ ଶୁଣାଣୀ
[ସମ୍ପାଦନା]ଅଦାଲତର ଏହି ମୁକଦମାରେ "ଶଙ୍କର କିସ୍ତୌୟା , ଗୋପାଳ ଗୌଡ଼ସେ , ମଦନଲାଲ ପାହବା , ଦିଗମ୍ବର ବଡ଼ଗେ , ନାରାୟଣ ଆପ୍ଟେ , ବୀର ସାବରକର , ବିଷ୍ଣୁ ରାମକୃଷ୍ଣ କରକରେ ଏବଂ ନାଥୁରାମ ବିନାୟକ ଗଡସେ" ସମ୍ପୂର୍ଣ୍ଣ ୮ ଜଣ ବ୍ୟକ୍ତିଙ୍କୁ ହତ୍ୟା ଯୋଜନାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ୮ଜଣ ହତ୍ୟାକାରୀଙ୍କ ମଧ୍ୟରୁ "ଦିଗମ୍ବର ବଡ଼ଗେ"ଙ୍କୁ ସରକାରୀ ସାକ୍ଷୀ ହୋଇଥିବାରୁ ଛାଡିଦିଆଗଲା । "ବୀର ସାବରକର"ଙ୍କ ନାମରେ କୌଣସି ପ୍ରମାଣ ନମିଳିବା କାରଣରୁ ତାଙ୍କୁ ମଧ୍ୟ ଛାଡିଦିଆଗଲା । "ଶଙ୍କର କିସ୍ତୌୟା"ଙ୍କୁ ଆଜୀବନ କାରାଦଣ୍ଡର ଶୁଣାଣୀ ହୋଇଥିଲା କିନ୍ତୁ ଉଚ୍ଚ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରାଯିବାରୁ ତାଙ୍କ ଦୋଷ କ୍ଷମା କରିଦିଆଗଲା । ଶେଷରେ ବଞ୍ଚିଥିବା ୫ଜଣ ଦୋଷୀଙ୍କ ମଧ୍ୟରୁ "ଗୋପାଳ ଗୌଡ଼ସେ ,ବିଷ୍ଣୁ ରାମକୃଷ୍ଣ କରକରେ , ମଦନଲାଲ ପାହବା"ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । "ନାଥୁରାମ ବିନାୟକ ଗଡସେ ଏବଂ ନାରାୟଣ ଆପ୍ଟେ"ଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "क्या आप जानते हैं क्यों गोली लगने के बाद भी अस्पताल नहीं ले जाए गए राष्ट्रपिता!". दैनिक भास्कर. 30 जनवरी 2013. Retrieved 20 नवम्बर 2013.
{{cite web}}
: Check date values in:|accessdate=
and|date=
(help) - ↑ ୨.୦ ୨.୧ ୨.୨ "'हे राम' नहीं थे गांधी के आखिरी शब्द, जानिए आखिरी समय की कहानी". दैनिक भास्कर. 30 जनवरी 2013. Retrieved 20 नवम्बर 2013.
{{cite web}}
: Check date values in:|accessdate=
and|date=
(help) - ↑ हत्यारिन राजनीति
- ↑ स्वदेश (हिन्दी समाचारपत्र), ग्वालियर में प्रकाशित
- ↑ राष्ट्रधर्म (साप्ताहिक), लखनऊ में प्रकाशित
- ↑ क्रान्त, मदनलाल वर्मा (2006). स्वाधीनता संग्राम के क्रान्तिकारी साहित्य का इतिहास (in Hindi). Vol. 3 (1 ed.). नई दिल्ली: प्रवीण प्रकाशन. p. 760. ISBN 81-7783-121-6. Retrieved 23 नवम्बर 2013.
दिल्ली में मुझे एक शरणार्थी मिला जो शस्त्र बेचता था। उसने मुझे एक पिस्तौल दिखायी। मुझे वह पिस्तौल पसन्द आ गयी और मैंने उसे खरीद लिया। यही वह पिस्तौल थी जिससे मैंने गान्धीजी को अपना निशाना बनाया।
{{cite book}}
: Check date values in:|accessdate=
(help); Cite has empty unknown parameters:|laydate=
,|separator=
,|month=
,|laysummary=
,|chapterurl=
, and|lastauthoramp=
(help)CS1 maint: unrecognized language (link)