ସୋନୁ ନିଗମ

ଉଇକିପିଡ଼ିଆ‌ରୁ
ସୋନୁ ନିଗମ
Background information
ଜନ୍ମ (1973-07-30) ୩୦ ଜୁଲାଇ ୧୯୭୩ (ବୟସ ୫୦)
ଫରିଦାବାଦ, ହରିୟାଣା, ଭାରତ
ଶୈଳୀପପ, ପ୍ରଚ୍ଛଦପଟ୍ଟ ଗାୟନ
ପେଷାଗାୟକ, ଅଭିନେତା, ସଙ୍ଗୀତକାର, ଟେଲିଭିଜନ ଉପସ୍ଥାପକ, ରେଡିଓ ଜକି
ବାଦ୍ୟଯନ୍ତ୍ରକଣ୍ଠ
କାର୍ଯ୍ୟକାଳ୧୯୮୫ରୁ ଏବେଯାଏଁ
ୱେବସାଇଟsonuniigaam.in

ସୋନୁ ନିଗମ (ଜନ୍ମ ୩୦ ଜୁଲାଇ ୧୯୭୩ , ଫରିଦାବାଦ, ହରିୟାଣା)[୧] ଜଣେ ଭାରତୀୟ ଗାୟକ ଅଟନ୍ତି ଯେକି ଅନେକ ହିନ୍ଦୀ, ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ ଓ ବଙ୍ଗଳା ସିନେମା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ୍ ଆଲବମରେ କାମ କରିବା ସଙ୍ଗେ ସଙ୍ଗେ କିଛି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି ।

କ୍ୟାରିୟର[ସମ୍ପାଦନା]

ପ୍ରାରମ୍ଭିକ କ୍ୟାରିୟର[ସମ୍ପାଦନା]

ସୋନୁ ନିଗମ ୩ ବର୍ଷ ବୟସରେ ତାଙ୍କ ବାପାଙ୍କ ସଙ୍ଗେ ମଞ୍ଚ ଉପରେ ମହମ୍ମଦ ରଫିଙ୍କ ଗୀତ “କ୍ୟା ହୁଆ ତେରା ୱାଦା......” ଗାଇ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ତା’ ପରଠାରୁ ସୋନୁ ତାଙ୍କ ବାପାଙ୍କ ସଙ୍ଗେ ବିବାହ ଓ ପାର୍ଟି ଆଦିରେ ଗୀତ ଗାଇବାକୁ ଲାଗିଲେ । ସେ ତାଙ୍କ ସ୍ୱଳ୍ପ ବୟସ ସମୟରେ ଅନେକ ସଙ୍ଗୀତ ପ୍ରତିଯୋଗିତାରେ ସଫଳତାର ସହିତ ଭାଗନେଇଥିଲେ । ସେ ଗାୟକ ଭାବେ କ୍ୟାରିୟର ଗଢିବାଲାଗି ୧୯ ବର୍ଷ ବୟସରେ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଚାଲିଆସିଲେ । ଆରମ୍ଭରେ ମୁମ୍ବାଇରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ସେ ମହମ୍ମଦ ରଫିଙ୍କ ଗୀତ ଗାଇବାକୁ ଆରମ୍ଭକଲେ, ମୁଖ୍ୟତଃ T-Seriesର କେତେକ “ରଫି କି ୟାଦେଁ” ଆଲବମରେ । T-Series ସଂସ୍ଥାପକ ଗୁଲଶନ କୁମାର ସୋନୁଙ୍କ ଦକ୍ଷତା ଚିହ୍ନିବାରେ ଏବଂ ତାଙ୍କୁ ଅନେକ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କଣ୍ଠଶିଳ୍ପୀ ରୂପେ ସୋନୁଙ୍କ ପ୍ରଥମ ଗୀତ ଜାନମ୍ (୧୯୯୦) ଫିଲ୍ମରେ ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା । ପ୍ରସିଦ୍ଧ ଟିଭି ସୋ ସା-ରେ-ଗା-ମାରେ ଆସିବା ପୂର୍ବରୁ ସେ ଅନେକ ରେଡିଓ ବିଜ୍ଞାପନରେ ସୁଯୋଗ ପାଇଥିଲେ । ସେ ଜଣେ ଉତ୍କୃଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍ ଙ୍କଠାରୁ ତାଲିମ ନେଇଥିଲେ ।

ସୋନୁ ସା-ରେ-ଗା-ମା (ଗାୟନ ପ୍ରତିଯୋଗିତା)ର ସଞ୍ଚାଳକ ରୂପେ କାମ ଆରମ୍ଭ କରିଥିଲେ, ଯାହାର ପ୍ରଥମ ଅଧ୍ୟାୟ ୧ ମଇ ୧୯୯୫ରେ ପ୍ରସାରିତ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଭାରତୀୟ ଟେଲିଭିଜନ୍ର ଅନ୍ୟତମ ଲୋକପ୍ରିୟ ସୋ ହୋଇଗଲା । ଏହି ସୋ ସୋନୁଙ୍କୁ ନିଜ ଗାଇବାର ଦକ୍ଷତା ଓ ଦର୍ଶକଙ୍କୁ ମୁଗ୍ଧ କରିବାର କ୍ଷମତା ଦେଖାଇବାରେ ସାହାଯ୍ୟ କଲା । ଅତି ଶୀଘ୍ର ସେ ଆଲ୍‌ବମ ବେୱଫା ସନମ (୧୯୯୫)ର ଗୀତ “ଅଚ୍ଛା ସିଲା ଦିଆ...” ଗାଇଲେ, ଯାହାକି ଖୁବ୍ ସଫଳ ଥିଲା । ଏହାପରେ ଅଧିକ ସୁଯୋଗ ମିଳିବାରେ ଲାଗିଲା । ଅନୁ ମଲିକଙ୍କ ସଂଯୋଯିତ ବର୍ଡର୍(୧୯୯୭) ଫିଲ୍ମର ଗୀତ “ସନ୍ଦେଶେ ଆତେ ହେଁ...” ତାଙ୍କ ପ୍ରସିଦ୍ଧି ବଢେଇଥିଲା । ସେହି ବର୍ଷ ନଦୀମ-ଶ୍ରବଣଙ୍କ ସଂଯୋଯିତ ପରଦେଶ୍ ଫିଲ୍ମର ଗୀତ “ୟେ ଦିଲ ଦିୱାନା” ତାଙ୍କ ରଫିଙ୍କ ନକଲ ହେବାର ଛବିକୁ ବଦଳାଇଦେଲା । ତା’ପରେ ସେ ନିଜର ଭିନ୍ନ ଏକ ଶୈଳୀ ପ୍ରସ୍ତୁତ କଲେ ଓ ଭାରତର ନୂତନ କଣ୍ଠଶିଳ୍ପୀମାନଙ୍କ ଆଦର୍ଶ ପାଲଟିଗଲେ । ସମୟାନୁକ୍ରମେ ସୋନୁ ଭାରତୀୟ ସଙ୍ଗୀତ ଜଗତର ଏକ ମୁଖ୍ୟ ଶକ୍ତି ହୋଇଯାଇଛନ୍ତି । ସେ ଅନେକ ହିନ୍ଦୀ ଫିଲ୍ମର ଗୀତରେ କଣ୍ଠଦାନ କରିଛନ୍ତି ଏବଂ ଅନେକ ପୁରସ୍କାର ଜିତିଛନ୍ତି । ତାଙ୍କର “କଲ୍ ହୋ ନା ହୋ” ଓ “ମେଁ ହୁଁ ନା” ଆଦି ଚଳଚ୍ଚିତ୍ରର ଶୀର୍ଷକ ଗୀତ ଅନେକ ପ୍ରସିଦ୍ଧ । ସେ ନିଜକୁ ଏକ ପ୍ରକାର ଗୀତରେ ବାନ୍ଧି ନ ରଖି ବିଭିନ୍ନ ପ୍ରକାର(ରୋମାଣ୍ଟିକ୍, ରକ୍, ଦୁଃଖ, ଦେଶାତ୍ମବୋଧକ) ଗୀତରେ ନିଜର କଳା ନିପୁଣତାର ପ୍ରଦର୍ଶନ କରିଛନ୍ତି । ସୋନୁ ହିନ୍ଦୀ ବ୍ୟତୀତ ନିଜ ନିର୍ଭୁଲ ଉଚ୍ଚାରଣରେ ମରାଠୀ, ଓଡ଼ିଆ, ତେଲଗୁ, ତାମିଲ, କନ୍ନଡ, ବଙ୍ଗଳା, ପଞ୍ଜାବୀ, ଭୋଜପୁରୀ, ଉର୍ଦ୍ଦୁ, ନେପାଳୀ ଓ ଇଂରାଜୀ ଭାଷାରେ ଗୀତ ଗାଇଛନ୍ତି ।

ଆଧାର[ସମ୍ପାଦନା]

  1. "Sonu Nigam Biography". Archived from the original on 2007-09-27. Retrieved 2007-03-24.

ବାହାର ଆଧାର[ସମ୍ପାଦନା]