ସୂର୍ଯ୍ୟ ରଥଯାତ୍ରା

ଉଇକିପିଡ଼ିଆ ରୁ
Jump to navigation Jump to search

ସୂର୍ଯ୍ୟ ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ବହୁ ପୁରାତନ ନିଆରା ରଥଯାତ୍ରା । ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟଦେବତାଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ, ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ମାଘ ମାସର ଶୁକ୍ଳ ସପ୍ତମୀ ତିଥିରେ ପ୍ରତ୍ୟାବର୍ତ୍ତନ କରନ୍ତି ।

ଶାମ୍ବ ଦଶମୀ ତିଥିରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ନ ଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ଅଛି ।


କିମ୍ବଦନ୍ତୀ[ସମ୍ପାଦନା]

କୋଣାର୍କର ଅର୍କତୀର୍ଥ ମୈତ୍ରାୟାଖ୍ୟ ବନ, ପଦ୍ମକ୍ଷେତ୍ର ଓ କାଶ୍ୟପ ମୁନିଙ୍କ ପୁତ୍ର ମିତ୍ରାଦିତ୍ୟଙ୍କ ଜନ୍ମଭୂମି ଦ୍ୱାପର ଯୁଗରେ ମୈତ୍ରେୟ ମୁନିଙ୍କ ଆଶ୍ରମ ଥିଲା । ମୈତ୍ରେୟ ମୁନି କୃଷ୍ଣଙ୍କର ଜଣେ ଶୁଭେଚ୍ଛୁ ଥିବା ଭାଗବତ କୁହେ । କୃଷ୍ଣ ନିଜର ପୁତ୍ର ଶାମ୍ବଙ୍କୁ କୁଷ୍ଠରୋଗରୁ ମୁକ୍ତି କରିବା ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ । ଶାମ୍ବ ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ ସମୟରେ ମିତ୍ରାଦିତ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ । ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା, ଦାନବ ମାନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ପୂଜା କରୁଥିଲେ । ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରା ପ୍ରଚଳିତ କରିଥିବା ଜଣାଯାଏ ।

ଇତିହାସ[ସମ୍ପାଦନା]

ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରାରର ପ୍ରଚଳନ କରିଥିଲେ । ସମୟାନୁକ୍ରମେ ଓଡ଼ିଶାର ରାଜା ପୁରନ୍ଦର କେଶରୀଲାଙ୍ଗୁଳା ନରସିଂହ ଦେବ ଏହି ପରମ୍ପରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିବାରୁ ପୂଜାର୍ଚ୍ଚନା ବନ୍ଦହେବା ସହିତ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିବା ମାଦଳା ପାଞ୍ଜିରୁ ସୂଚନା ମିଳେ । ପୁନର୍ବାର ୧୯୯୮ ମସିହାରେ ଅନନ୍ତ ଅବଧୂତ ମଠର ଦିବଂଗତ ମହନ୍ତ ଆର୍ତ୍ତତ୍ରାଣ ଦାସ ଏହି ରଥଯାତ୍ରାକୁ ପ୍ରଚଳନ କରିଥିଲେ । ୧୯୯୮ମସିହାରୁ ପ୍ରତିବର୍ଷ ଶାମ୍ବଦଶମୀରେ ସୌର ବ୍ରାହ୍ମଣ ପରିଷଦ, ଗାୟତ୍ରୀ ପରିବାର ଓ ଅବଧୂତ ମଠ ମହନ୍ତଙ୍କଦ୍ୱାରା ଏହି ସୂର୍ଯ୍ୟ ରଥଯାତ୍ରା ପାଳିତ ହୋଇଆସୁଛି । [୧]

ଯାତ୍ରା କାର୍ଯ୍ୟକ୍ରମ[ସମ୍ପାଦନା]

ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣାହୁତି ଦିଆଯାଇଥାଏ । ସକାଳ ୬ଟାରୁ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଅର୍କବଟ ପୂଜାର୍ଚ୍ଚନା, କୋଣାର୍କ ମନ୍ଦିର ପୂଜାବିଧାନ ଅନୁଯାୟୀ ୧୦୮ ରଥର ପାର୍ଶ୍ୱଦେବୀ ଓ ସପ୍ତାଶ୍ୱଙ୍କୁ ପୂଜା ପରେ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥାଏ । ପ୍ରତ୍ୟୁଷରୁ ମଠ ମହନ୍ତ ରଥ ଉପରେ ଛେରାପହଁରା କରିବା ପରେ ଉପସ୍ଥିତ ସାଧୁସନ୍ଥ, ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ଅଭିମୁଖେ ରଥ ଟାଣିନିଅନ୍ତି ।ସୂର୍ଯ୍ୟରଥ ବାହାରି ସେହିଦିନ ଚନ୍ଦ୍ରଭାଗା ତୀର୍ଥ ନିକରେ ପହଞ୍ଚିବା ପରେ ତୀର୍ଥ ପୁଷ୍କରଣୀରେ ସ୍ନାନ କରନ୍ତି । ସ୍ନାନାନ୍ତେ ସେଠାରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମରେ ୨୭ ଦିନ ଧରି ୨୭ଟି ନକ୍ଷତ୍ରରେ ସୂର୍ଯ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଘସପ୍ତମୀ ପର୍ଯ୍ୟନ୍ତ ଜାରିରହେ । ମାଘ ସପ୍ତମୀ ତିଥିରେ ଜନ୍ମଭୂମି ଅନନ୍ତ ଅବଧୂତ ମଠକୁ ବାହୁଡ଼ି ଆସିଥାଆନ୍ତି । [୨]

ଆଧାର[ସମ୍ପାଦନା]

  1. ମଲ୍ଲିକ, ଅଜୟ କୁମାର. "ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା". ସାମାନ୍ୟ କଥନ. Retrieved 6 January 2017.
  2. ମାନସ ରଂଜନ ପାତ୍ର, ପ୍ରମେୟ, ପୃଷ୍ଠା- ୧୩, ୨୮.୧.୨୦୧୩