ସମାଧି ମଠ

ଉଇକିପିଡ଼ିଆ‌ରୁ
ସମାଧି ମଠ

ସନ୍ଥ ମାଧବ ଦାସ ଏହି ମଠ ପ୍ରତିଷ୍ଠା କରିଥଲେ । ତାଙ୍କର ସମାଧି ପରେ ଏହି ମଠ ସ୍ଥାପନା ହୋଇଥିବାରୁ ଏହାକୁ ସମାଧି ମଠ କୁହାଯାଏ । ସମଗ୍ର ଶ୍ରୀକ୍ଷେତ୍ରରେ ତାହା ସମାଧି ମଠ ନାମରେ ପରିଚିତ ହେଲା । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ସମାଧି ମଠ ପାଇଁ ଖଞ୍ଜା ହୋଇଥିବା ମହାପ୍ରସାଦ ହାଣ୍ଡି ସମୟକ୍ରମେ ସମାଧି ହାଣ୍ଡି ଭାବେ ପ୍ରସିଦ୍ଧି ଲାଭ କରିଛି ।

ସନ୍ଥ ମାଧବ ଦାସଙ୍କ ପରିଚୟ[ସମ୍ପାଦନା]

ବଡ଼ଦାଣ୍ଡରୁ ସ୍ୱର୍ଗଦ୍ୱାରକୁ ଯିବା ରାସ୍ତା ବହୁ ଆଗରୁ ଉଆଁସଦାଣ୍ଡ ରୂପେ ପରିଚିତ । ଏହି ରାସ୍ତାରେ ଶ୍ୱେତଗଙ୍ଗା ନିକଟରେ ଶ୍ରୀମନ୍ଦିରକୁ ମୁହଁ କରି ଜଣେ ବାବାଜୀ ଛତା ପୋତି ବସି ରହୁଥିଲେ । ଚାରିପଟେ ତୁଳସୀ ବଣ । ଦୈନନ୍ଦିନ ଏହି ବଣରୁ ଜଗନ୍ନାଥଙ୍କ ପାଇଁ ତୁଳସୀ ଯାଇଥାଏ । ବାବାଜୀ ସେଇ ତୁଳସୀ ବଣ ମଝିରେ ନୀଳଚକ୍ରକୁ ଚାହିଁ ଧ୍ୟାନରେ ବସି ରହନ୍ତି । ବାବାଜୀଙ୍କ ପରିଚୟ କାହାକୁ ଜଣା ନଥାଏ । ସେ କପାଳରେ ରାମାନୁଜ ଚିତା ଧାରଣ କରୁଥିଲେ । ସେଥିରୁ ସମସ୍ତେ ଅନୁମାନ କରୁଥିଲେ ଯେ ସାଧୁ ଜନକ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟଙ୍କଦ୍ୱାରା ସୃଷ୍ଟି ହୋଇଥିବା ଶ୍ରୀ ସମ୍ପ୍ରଦାୟର ଏକ ସ୍ୱତନ୍ତ୍ର ଚିତା ରହିଛି । ଏହି ସାଧୁ ଜଣକ କେଉଁଠାରୁ ଶ୍ରୀକ୍ଷେତ୍ରକୁ ଆସିଥିଲେ ତାହା କାହାରିକୁ ଜଣା ନଥିଲା । କେବଳ ଦୁଇଜଣ ଶିଷ୍ୟ ତାଙ୍କ ସହ ରହୁଥିଲେ । ସାଧୁ ପ୍ରକୃତରେ ଗହଳ ଚହଳକୁ ପସନ୍ଦ ନକରି ପ୍ରକୃତିକ ପରିବେଶର ନିକାଞ୍ଚନ ସ୍ଥାନକୁ ପସନ୍ଦ କରୁଥିଲେ । ଶିଷ୍ୟମାନଙ୍କଠାରୁ ଜଣାପଡୁଥିଲା ସେ ସାଧୁଙ ନାମ ସନ୍ଥ ମାଧବ ଦାସ । ସେ ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ପରେ ଆଉ ଶ୍ରୀକ୍ଷେତ୍ର ଛାଡ଼ି ଯିବାକୁ ଇଛା କରିନଥିଲେ । [୧]

ସମାଧିରେ ମାଧବ ଦାସ[ସମ୍ପାଦନା]

ପ୍ରଥମେ ସବୁଦିନ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମହାପ୍ରଭୁ ଏବଂ ତାଙ୍କର ନୀଳଚକ୍ର ମଧ୍ୟରେ କୌଣସି ପ୍ରଭେଦ ଦେଖି ପାରିନଥିଲେ । ତେଣୁ ସେ ମନ୍ଦିର ଭିତରକୁ ନଯାଇ ଶୁନଶାନ ତୁଳସୀ ବଣରେ ବସି ରହି ନୀଳଚକ୍ରପତିତପାବନ ବାନାକୁ ଏକ ଲୟରେ ଚାହିଁ ରହି ଆତ୍ମନିଷ୍ଠ ହେଉଥିଲେ । କିଛିଦିନ ପରେ ସେ ଆଉ ପତିତପାବନ ବାନାକୁ ଆଖି ଖୋଲି ଦର୍ଶନ ନକରି ଆଖି ବୁଜି ଅନ୍ତର ଭିତରେ ଦର୍ଶନ କରୁଥିଲେ । ପ୍ରତିଦିନ ସକାଳେ ପ୍ରଥମେ ନୀଳଚକ୍ରକୁ ଚାହିଁ ହାତ ଯୋଡ଼ିବା ପରେ ଧ୍ୟାନସ୍ଥ ହେଉଥିଲେ ।ଠାରେ ସକାଳୁ ସେହିପରି ଦର୍ଶନ କରି ଧ୍ୟାନସ୍ଥ ହେବାପରେ ସୂର୍ଯ୍ୟାସ୍ଥ ପରେ ଆଉ ଉଠିଲେ ନାହିଁ । ଶିଷ୍ୟମାନେ ରାତିସାରା ତାଙ୍କୁ ଅପେକ୍ଷା କରି ରହିଲେ କେତେବେଳେ ତାଙ୍କର ନିଦ ଭାଙ୍ଗିବ । ଗୁରୁଦେବ କେତେବେଳେ ଧ୍ୟାନରୁ ଫେରିବେ । ମାତ୍ର ନିରାଶ ହେଲେ । ଦିନ ପରେ ଦିନ ବିତିଗଲା ସନ୍ଥ ମାଧବ ସେହିପରି ଧ୍ୟାନରେ ବସିଥାନ୍ତି । ଅନେକ ଦିନ ପରେ ଧାରଣା ହେଲା ଯେ ବୋଧେ ମାଧବ ଦାସ ଶେଷ ସମାଧି ନେଇ ଯାଇଛନ୍ତି । ଏହି ପରି କେତେକ ଲୋକଙ୍କଠାରୁ ଶୁଣିବା ପରେ ମଧ୍ୟ ଶିଷ୍ୟମାନେ ବିଶ୍ୱାସ କଲେନାହିଁ । ସେମାନେ ଗୁରୁଙ୍କ ପାଖେ ପାଖେ ରହି ତାଙ୍କୁ ଲକ୍ଷ୍ୟ କରୁଥାନ୍ତି ଓ ତାଙ୍କ ଶରୀରକୁ ସୁରକ୍ଷା ଦେବା ନିମନ୍ତେ ଜଗି ବସିଥାନ୍ତି । ସେମାନେ ଗୁରୁଙ୍କ ଶେଷ ସମାଧି ନେବା ସମ୍ଭାବନାକୁ ଏଥିପାଇଁ ଗ୍ରହଣ କରୁନଥିଲେ ଯେ, ଗୁରୁଙ୍କ ମୁହଁର ତେଜ ସାମାନ୍ୟ ମଳିନ ପଡ଼ିନଥିଲା । ସୂଚନା ଯୋଗ୍ୟ, ଧ୍ୟାନରେ ବସିଲେ ତେଜ ଯେ କମିଯାଏ ତାହା ନୁହେଁ । ସେମାନେ ତାହା ଗୁରୁଙ୍କଠାରୁ ବୁଝିଥିଲେ ଓ ଜାଣିଥିଲେ । ସେମାନେ ଏହାର ଅନ୍ୟ କିଛି ରହସ୍ୟ ରହିଛି ବୋଲି ଭାବିଥିଲେ । ତାଙ୍କ ଆତ୍ମବିଶ୍ୱାସ ଥିଲା ଯେ ଗୁରୁ ଶେଷ ସମାଧି ନେଇନାହାନ୍ତି । ଦିନେ ସୂର୍ଯ୍ୟ ଉଦୟ ପରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ସତକୁ ସତ ସେଦିନ ସନ୍ଥ ମାଧବ ଦାସ ସମାଧିରୁ ଫେରିଆସିଲେ । [୨]

ଗଜପତିଙ୍କର ସନ୍ଥଙ୍କୁ ଦର୍ଶନ ଏବଂ ସମାଧି ହାଣ୍ଡି ଖଞ୍ଜା[ସମ୍ପାଦନା]

ଶେଷ ସମାଧି ନେଇଥିବାର ପ୍ରଚାର ଶ୍ରୀକ୍ଷେତ୍ରରେ ହୋଇଥିବାରୁ ସନ୍ଥ ମାଧବ ଦାସ ଫେରି ଆସିବାର ଖବର ଚହଳ ପଡ଼ିଲା । ସମାଧି ପରେ ମାଧବ ଦାସଙ୍କ ଅଦ୍ଭୁତ ପରିବର୍ତ୍ତନ ହୋଇଥିଲା । ଏହା ସମ୍ପୁର୍ଣ୍ଣ ଶ୍ରୀକ୍ଷେତ୍ରରେ ରାଷ୍ଟ୍ର ହୋଇଯିବା ପରେ ତାଙ୍କୁ ଦେଖିବା ପାଇଁ ମଧ୍ୟ ଗହଳ ବଢିଯାଇଥିଲା । ତତ୍କାଳିନ ଗଜପତି ମହାରାଜା ମହାପ୍ରଭୁଙ ଦର୍ଶନ ପାଇଁ ଖୋର୍ଦ୍ଧା କଟକରୁ ଶ୍ରୀନଅରକୁ ବିଜେ କରି ଆସିଥିବା ସମୟରେ ଏହି କଥା ଶୁଣିଥିଲେ । ଆଗ୍ରହର ସହ ସବୁକଥା ଶୁଣିସାରି ଗଜପତି ସାଧୁଙ୍କ ଦର୍ଶନ କରିବେ ବୋଲି ଘୋଷଣା କଲେ । ତତ୍କାଳ ପାତ୍ରମନ୍ତ୍ରୀମାନେ ଉଆଁସଦାଣ୍ଡରେ ଥିବା ସାଧୁଙ୍କ ଦର୍ଶନ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରିଲେ । ସେତେବେଳେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଶ୍ୟାମାକାଳୀ ମନ୍ଦିରକୁ ଘେରି ଶ୍ରୀନଅର ଥିଲା । ଗଜପତି ଶ୍ରୀନଅରରୁ ବିଜେ କରି ଉଆଁସଦାଣ୍ଡରେ ସନ୍ଥ ମାଧବ ଦାସଙ୍କୁ ଭେଟିଥିଲେ । ସାମାନ୍ୟ କଥାବାର୍ତ୍ତା ପରେ ଗଜପତି ଫେରିବା ବେଳକୁ ସନ୍ଥ ମାଧବ ଦାସ ଜାଣି ପାରିଲେ ଯେ, ଗଜପତି କିଛି ରହସ୍ୟ ଜାଣିବାକୁ ଚାହୁଁଛନ୍ତି । ସନ୍ଥ ମାଧବ ଦାସ ନିଜ ପାଖକୁ ଘୁଞ୍ଚିଆସିବା ପାଇଁ ଗଜପତିଙ୍କୁ ଅନୁରୋଧ କଲେ । ପାଖରେ ଫିସଫିସ ଗଳାରେ ଗଜପତିଙ୍କୁ କହିଲେ ଯେ, ସ୍କନ୍ଧ ପୁରାଣ କଥା ସତ୍ୟ ଅଟେ । ମହାପ୍ରଭୁଙ୍କଠାରୁ ସବୁ ଅବତାର ସୃଷ୍ଟିହୋଇ ପୁଣି ଆସି ମିଶିଛନ୍ତି । ଏହି ଦାରୁବ୍ରହ୍ମ ହେଉଛନ୍ତି ପରଂବ୍ରହ୍ନ । ଏହି ଅନୁଭବ ମୋର ସିଦ୍ଧ ହୋଇଛି । ଏକଥା ଶୁଣି ମହାରାଜାଙ୍କ ହାତ ଯୋଡ଼ି ହୋଇଗଲା । ଭାବିଲେ ସନ୍ଥ ମହାପ୍ରଭୁଙ୍କୁ ଅନୁଭବ କରିଛନ୍ତି । ସନ୍ଥ ମାଧବ ଦାସଙ୍କୁ ପ୍ରଣାମ କଲେ । ସେହି ସ୍ଥାନଟିକୁ ମାଧବ ଦାସଙ୍କୁ ଦିଆଗଲା ବୋଲି ପାତ୍ରମନ୍ତ୍ରୀଙ୍କ ସମ୍ମୁଖରେ ଘୋଷଣା କଲେ ଆଜିଠାରୁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ମହାପ୍ରସାଦ ଏହାଙ୍କ ପାଇଁ ଖଞ୍ଜା ହେବ । ଆଶ୍ରମଟିଏ ସେହିଠାରେ ଗଢ଼ି ଉଠିଲା । [୩]

ଆଧାର[ସମ୍ପାଦନା]

  1. ମିଶ୍ର, ସୁରେନ୍ଦ୍ର କୁମାର (୨୮ ମେ). "ସମାଧି ହାଣ୍ଡି ଖଞ୍ଜା ହୋଇଥିବାରୁ ନାମ ହେଲା ସମାଧିମଠ". ଧରିତ୍ରୀ. Retrieved 18 August 2015. {{cite news}}: Check date values in: |date= (help)
  2. ମିଶ୍ର, ସୁରେନ୍ଦ୍ର କୁମାର (୨୮ ମେ). "ସମାଧି ହାଣ୍ଡି ଖଞ୍ଜା ହୋଇଥିବାରୁ ନାମ ହେଲା ସମାଧିମଠ". ଧରିତ୍ରୀ. Retrieved 18 August 2015. {{cite news}}: Check date values in: |date= (help)
  3. ମିଶ୍ର, ସୁରେନ୍ଦ୍ର କୁମାର (୨୮ ମେ). "ସମାଧି ହାଣ୍ଡି ଖଞ୍ଜା ହୋଇଥିବାରୁ ନାମ ହେଲା ସମାଧିମଠ". ଧରିତ୍ରୀ. Retrieved 18 August 2015. {{cite news}}: Check date values in: |date= (help)