ଭାରତୀୟ କୋକିଶିଆଳ

ଉଇକିପିଡ଼ିଆ ରୁ
Jump to navigation Jump to search


ଭାରତୀୟ କୋକିଶିଆଳ
Bengal Fox in its habitat.jpg
କଚ୍ଛ ଲବଣମରୁର ଏକ କୋକିଶିଆଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
Kingdom: Animalia
Phylum: Chordata
Class: Mammalia
Order: Carnivora
Suborder: Caniformia
Family: Canidae
Genus: Vulpes
ଜାତି: V. bengalensis
ବାଇନୋମିଆଲ ନାମ
Vulpes bengalensis
(ଜର୍ଜ୍ ଶ, ୧୮୦୦)
Vulpes-bengalensis-map.png
ଭାରତୀୟ କୋକିଶିଆଳର ଭୌଗୋଳିକ ବ୍ୟାପ୍ତି
Synonyms

କ୍ୟାନିସ୍ କୋକ୍ରି (Canis kokree)
କ୍ୟାନିସ୍ ରୁଫେଶିନ୍ସ (Canis rufescens)
କ୍ୟାନିସ୍ ଇଣ୍ଡିକସ୍ (Canis indicus)
ଭଲପେସ୍ ଜାନ୍ଥୁରା (Vulpes xanthura)

ଭାରତୀୟ କୋକିଶିଆଳ ବା ଭାରତୀୟ କୋକିଶିଆଳୀ (ଇଂରାଜୀରେ Bengal fox ବା Indian fox, ଜୀବବିଜ୍ଞାନ ନାମ Vulpes bengalensis) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା ସ୍ଥାନୀୟ କୋକିଶିଆଳ ପ୍ରଜାତି । ଏହି ପ୍ରଜାତି ଉତ୍ତରରେ ହିମାଳୟ ପର୍ବତମାଳା ପାଦଦେଶସ୍ଥ ନେପାଳର ତେରାଇ ଅଞ୍ଚଳରୁ ନେଇ ଦକ୍ଷିଣ-ଭାରତ ପର୍ଯ୍ୟନ୍ତ[୨] ଓ ପଶ୍ଚିମରେ ଦକ୍ଷିଣ ଓ ପୂର୍ବ ପାକିସ୍ତାନରୁ ପୂର୍ବ-ଭାରତ ଓ ଦକ୍ଷିଣ-ପୂର୍ବ ବଙ୍ଗଳାଦେଶ ପର୍ଯ୍ୟନ୍ତ ଦେଖିବାକୁ ମିଳନ୍ତି ।[୩][୪][୫]

ଆକୃତି ଓ ରୂପ[ସମ୍ପାଦନା]

ଭାରତୀୟ କୋକିଶିଆଳ ଖପୁରୀ ହାଡ଼

ଭାରତୀୟ କୋକିଶିଆଳ ଆକାରରେ ଏକ କ୍ଷୁଦ୍ର ଜନ୍ତୁ । ଏହାର ମୁହଁଟି ଗୋଜିଆ ହୋଇ ଆଗକୁ ବାହାରିଥାଏ; ଏହାର କାନ ଦୁଇଟି ଲମ୍ବା ଓ ଗୋଜିଆ; ଏହାର ଲାଞ୍ଜଟି ଘନ ଲୋମଶ ଏବଂ ଲାଞ୍ଜର ଦୈର୍ଘ୍ୟ ମୁଣ୍ଡରୁ ନିତମ୍ବ ପର୍ଯ୍ୟନ୍ତ ଶରୀରର ଦୈର୍ଘ୍ୟର ଶତକଡ଼ା ୫୦-୬୦ ପ୍ରତିଶତ । ଏହାର ଶରୀରର ଛାଲ ଭିନ୍ନ ଭିନ୍ନ ରଙ୍ଗର ହୋଇପାରେ, କିନ୍ତୁ ଅଧିକାଂଶ କୋକିଶିଆଳଙ୍କ ଶରୀରର ରଙ୍ଗ ପାଉଁଶିଆ ବା ଅବସନ୍ନ ରଙ୍ଗର ହୋଇଥାଏ । ଏହାର ଗୋଡ଼ଗୁଡ଼ିକ ମାଟିଆ ବା ନାଲିମିଶା ମାଟିଆ ରଙ୍ଗର ହୋଇଥାଏ । ଗାଠନିକ ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଉତ୍ତର ଗୋଲାର୍ଦ୍ଧରେ ଦେଖାଯାଉଥିବା ନାଲି କୋକିଶିଆଳ ଅପେକ୍ଷା ଭାରତୀୟ କୋକିଶିଆଳ ଉନ୍ନତତର ।[୬] ଭାରତୀୟ କୋକିଶିଆଳର ଲାଞ୍ଜଟି ଅତି ଝଙ୍କାଳିଆ ଭାବେ ଲୋମଶ ଏବଂ ଏହାର ଶେଷ ଭାଗଟି କଳା ରଙ୍ଗର । ନାଲି କୋକିଶିଆଳ ଓ ଭାରତୀୟ କୋକିଶିଆଳଙ୍କ ଲାଞ୍ଜ ମଧ୍ୟରେ ଏହା ଏକ ମୁଖ୍ୟ ତଫାତ । ଭାରତୀୟ କୋକିଶିଆଳର କାନ ପଛପଟ ଗାଢ଼ ମାଟିଆ ରଙ୍ଗର ଏବଂ ଏହା ଉପରେ କଳା ରଙ୍ଗର ପଟିଦାଗ ରହିଥାଏ । ଏହାର ନାସାଗ୍ର ଲୋମହୀନ ଏବଂ ଓଠଟି କଳା । ମୁହଁର ଗୋଜିଆ ଅଂଶ ଓ ଆଖି ପାଖ ଅଂଶରେ କଳା ରଙ୍ଗର ଅଳ୍ପ ଲୋମ ରହିଥାଏ । କାନର ରଙ୍ଗ ମୁଣ୍ଡର ପଶ୍ଚାତ ଭାଗର ରଙ୍ଗ ପରି କିମ୍ବା ତାହାଠାରୁ ଅଳ୍ପ ଗାଢ଼ ହୋଇପାରେ । ନାଲି କୋକିଶିଆଳ ପରି ଭାରତୀୟ କୋକିଶିଆଳଙ୍କ କାନ ପଛରେ କଳା ଦାଗ ନଥାଏ । ଯଦିଓ ସ୍ଥାନ ଓ ସମୟାନୁସାରେ ଏମାନଙ୍କ ଛାଲର ରଙ୍ଗରେ ବିଭିନ୍ନତା ଦେଖାଯାଏ, ତଥାପି ଏମାନଙ୍କ ରଙ୍ଗ ପାଉଁଶିଆ ବା ଫିକା ମାଟିଆ ରଙ୍ଗର ହୋଇଥାଏ । ମୁଣ୍ଡକୁ ମିଶାଇ ଭାରତୀୟ କୋକିଶିଆଳର ଶରୀରର ଦୈର୍ଘ୍ୟ ୪୬ ସେଣ୍ଟିମିଟର (୧୮ ଇଞ୍ଚ) ଏବଂ ଏହାର ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୨୫ ସେଣ୍ଟିମିଟର (୧୦ ଇଞ୍ଚ) । ଏମାନଙ୍କ ଓଜନ ହାରାହାରି ୨.୩-୪.୧ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।[୩]

ଭାରତୀୟ ଉପମହାଦେଶରେ କପାଳର ଆକାରର ଭିନ୍ନତା ଯୋଗୁଁ ଭଲପେସ୍ ପ୍ରଜାତି, କ୍ୟାନିସ୍ଚୁଅନ୍ ପ୍ରଜାତିଠାରୁ ସହଜରେ ବାରି ହୋଇପଡ଼ନ୍ତି । କୋକିଶିଆଳମାନଙ୍କ ଗୋଜିଆ ମୁଖାଗ୍ର ହାଡ଼ ଅବତଳ ହୋଇଥିବା ବେଳେ ଅନ୍ୟ କ୍ୟାନିଡ୍ ଶ୍ୱାନ ପ୍ରଜାତିର ଜୀବଙ୍କ କ୍ଷେତ୍ରରେ ଏହି ହାଡ଼ଟି ଉତ୍ତଳ । କୋକିଶିଆଳମାନଙ୍କ ଶ୍ୱାନଦାନ୍ତ ଅପେକ୍ଷାକୃତ ଲମ୍ବା ।[୭]

ରାଜକୋଟର ଏକ କୋକିଶିଆଳ
କଚ୍ଛ ଲବଣମରୁରେ ୨-୩ ସପ୍ତାହ ବୟସର କୋକିଶିଆଳ ଶାବକ; ଲାଞ୍ଜର କଳା ଅଗ୍ରଭାଗ ଏଠାରେ ସ୍ପଷ୍ଟ ରୂପେ ଦେଖିହେବ

ଭୌଗୋଳିକ ବିତରଣ ଓ ପରିବାସ[ସମ୍ପାଦନା]

କଚ୍ଛ ଲବଣମରୁର ଏହି ମାଈ କୋକିଶିଆଳ ନିଜ ଗାତ ପାଖରେ ବସି ରହିଛି
ଏକ ଅଣ୍ଡିରା ଭାରତୀୟ କୋକିଶିଆଳ

ଭାରତୀୟ କୋକିଶିଆଳ ଆର୍ଦ୍ର ଅରଣ୍ୟ ଓ ଅତ୍ୟନ୍ତ ଶୁଷ୍କ ସ୍ଥାନମାନଙ୍କ ବ୍ୟତୀତ ଭାରତୀୟ ଉପମହାଦେଶରେ ପ୍ରାୟ ସବୁ ସ୍ଥାନରେ ବ୍ୟାପ୍ତ । ଉତ୍ତରରେ ହିମାଳୟ ପର୍ବତମାଳା ଓ ଉତ୍ତର-ପଶ୍ଚିମରେ ସିନ୍ଧୁ ନଦୀ ଏମାନଙ୍କ ଭୌଗୋଳିକ ବ୍ୟାପ୍ତିକ୍ଷେତ୍ରର ସୀମା । ମୁକ୍ତ ତୃଣଭୂମି, ବୁଦାଳିଆ ବା କଣ୍ଟାଗଛ ଜଙ୍ଗଲ ଏହି ଜୀବର ମୁଖ୍ୟ ପରିବାସ । ଏମାନେ ଅତି ଢାଲୁଆ ଭୂମି ଓ ଉଚ୍ଚ ଘାସ ଥିବା ତୃଣଭୂମି ଅଞ୍ଚଳଠାରୁ ଦୂରରେ ରୁହନ୍ତି ।[୩] ଏହି ଜୀବ ସବୁ ପ୍ରକାରର ପରିବାସରେ ଖାପଖୁଆଇ ରହିପାରେ କିନ୍ତୁ ଅଳ୍ପ ଶୁଷ୍କ, କ୍ଷୁଦ୍ର ଘାସଯୁକ୍ତ ତୃଣଭୂମିରେ ରହିବା ଅଧିକ ପସନ୍ଦ କରିଥାଏ ।[୮]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ଭାରତୀୟ କୋକିଶିଆଳର ଛାଲ

ଭାରତୀୟ କୋକିଶିଆଳମାନେ ପ୍ରାୟ ଭୋର (ପାହାନ୍ତା) କିମ୍ବା ଗୋଧୂଳି ସମୟରେ ବିଚରଣ କରିଥାନ୍ତି ଓ ସକ୍ରିୟ ରୁହନ୍ତି । ଦିନବେଳା ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷା ପାଇବା ପାଇଁ ଏମାନେ କୌଣସି ବୁଦା ତଳେ ଅଥବା ନିଜେ ଖୋଳିଥିବା ଗାତ ଭିତରେ ଲୁଚି ରହିଥାନ୍ତି । କୋକିଶିଆଳ ଖୋଳିଥିବା ଗାତ ବଡ଼ ଓ ତାହା ମଧ୍ୟରେ ଅନେକ ଗୁଡ଼ିଏ ପ୍ରକୋଷ୍ଠ ଓ ବିପଦ ପଡ଼ିଲେ ଖସିଯିବା ପାଇଁ ଗଳାବାଟ ପ୍ରଭୃତି ମଧ୍ୟ ରହିଥାଏ । । ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ସମୟରେ ଏକ ସାମାନ୍ୟ ଉଚ୍ଚ ସ୍ଥାନରେ ବସି ଏମାନେ ଖରା ପୋଇଁବା ମଧ୍ୟ ଦେଖିବାକୁ ମିଳିଥାଏ ।[୯] ଚିଡ଼ିଆଖାନାରେ ରଖାଯାଇଥିବା କୋକିଶିଆଳମାନଙ୍କ ଜୀବନକାଳ ୬-୮ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।[୩]

ଆହାର[ସମ୍ପାଦନା]

ଭାରତୀୟ କୋକିଶିଆଳ

ବିଭିନ୍ନ ପ୍ରକାରର ମୂଷା, ସରୀସୃପ, କଙ୍କଡ଼ା, ଊଈ, କୀଟପତଙ୍ଗ, ଛୋଟ ପକ୍ଷୀ ଓ ଫଳ ଇତ୍ୟାଦି ଭାରତୀୟ କୋକିଶିଆଳର ମୁଖ୍ୟ ଆହାର ।[୧୦] ଶାବକମାନଙ୍କ ବର୍ଯ୍ୟବସ୍ତୁର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏମାନେ ଅଧିକାଂଶ ସମୟରେ ମୂଷାମାନଙ୍କୁ ମାରି ଖାଇଥାନ୍ତି ।[୧୧] ପ୍ରକୃତରେ ଏମାନେ ଅତି ସୁବିଧାବାଦୀ ଶିକାରୀ ।[୯]


କୋକିଶିଆଳ ଡାକ[ସମ୍ପାଦନା]

କୋକିଶିଆଳମାନେ ବିଭିନ୍ନ ପ୍ରକାରର ଡାକଦ୍ୱାରା ଯୋଗାଯୋଗ ଓ ବାର୍ତ୍ତା ବିନିମୟ କରିଥାନ୍ତି । ଦବା ଗଳାରେ ଗର୍ଜନ କରିବା, ଦବାଗଳାରେ କିମ୍ବା ଉଚ୍ଚ ସ୍ୱରରେ ରୋଦନ କରିବା ଏବଂ ଭୁକିବା ଇତ୍ୟାଦି । ଅନ୍ୟ କିଛି ଶ୍ୱାନ ଜାତୀୟ ଜୀବଙ୍କ ପରି କୋକିଶିଆଳ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମଳତ୍ୟାଗ କରନ୍ତି ନାହିଁ ।[୯] ଦଳବଦ୍ଧ ଭାବେ ରାତିରେ କୋକିଶିଆଳ ବୋବାଇବା ମଧ୍ୟ ଶୁଣିବାକୁ ମିଳିଥାଏ ।

ପ୍ରଜନନ[ସମ୍ପାଦନା]

ଭାରତୀୟ କୋକିଶିଆଳ ପ୍ରଜାତିରେ ଏକ ଯୁଗଳ ପ୍ରାୟତଃ ନିଜର ସମ୍ପୂର୍ଣ୍ଣ ଜୀବନକାଳ ପାଇଁ ପରସ୍ପର ପ୍ରତି ଅନୁରକ୍ତ ରହିଥାନ୍ତି । କିଛି କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଘଟିବା ମଧ୍ୟ ଦେଖାଯାଇଛି । ଶରତ ଓ ହେମନ୍ତ ଋତୁ (ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର-ନଭେମ୍ବର ମାସ) ଏମାନଙ୍କ ମିଳନର ପ୍ରକୃଷ୍ଟ ସମୟ । ମାଈ କୋକିଶିଆଳର ଗର୍ଭଧାରଣ ସମୟ ପ୍ରାୟ ୫୦ରୁ ୬୦ ଦିନ ପର୍ଯ୍ୟନ୍ତ ହୋଇଥାଏ । ମାଈ କୋକିଶିଆଳ ଏକା ଥରକେ ୨-୪ଟି ଶାବକଙ୍କୁ ନିଜ ଗାତରେ ଜନ୍ମ ଦେଇଥାଏ । ଶାବକଙ୍କ ଲାଳନପାଳନର ଦାୟିତ୍ତ୍ୱ ଉଭୟ ମାଈ ଓ ଅଣ୍ଡିରା କୋକିଶିଆଳ ମିଳିତ ଭାବେ ନିର୍ବାହ କରିଥାନ୍ତି । ୩ରୁ ୪ ମାସରେ ଶାବକମାନେ ମା’ କ୍ଷୀର ଖାଇବା ଛାଡ଼ନ୍ତି । ଜନ୍ମର ପ୍ରାରମ୍ଭିକ ମାସମାନଙ୍କରେ କୋକିଶିଆଳ ଶାବକଙ୍କ ମୃତ୍ୟୁହାର ଅଧିକ ଥିବା ଜଣାପଡ଼ିଛି ।[୧୨] ମା’ ବ୍ୟତୀତ ଅନ୍ୟ ମାଈ କୋକିଶିଆଳମାନେ ଶାବକମାନଙ୍କ ଯତ୍ନ ନେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।[୯] ଦିନ ବେଳେ ଶାବକମାନେ ବୁଦାମୂଳରେ ଆଶ୍ରୟ ନେବା ଦେଖାଯାଏ, କିନ୍ତୁ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ପାଇଁ ଶାବକମାନେ ଗାତ ଭିତରେ ଲୁଚି ରୁହନ୍ତି ।

କୋକିଶିଆଳଙ୍କ ପ୍ରତି ରହିଥିବା ବିପଦ[ସମ୍ପାଦନା]

ପରିବାସ କ୍ଷୟ ଭାରତୀୟ କୋକିଶିଆଳଙ୍କ ଅସ୍ଥିତ୍ୱ ପାଇଁ ଏକ ମହାନ ସଙ୍କଟ ସୃଷ୍ଟି କରିଛି । ଉଦାହରଣ ସ୍ୱରୂପ, ଦକ୍ଷିଣ ଭାରତର କର୍ଣ୍ଣାଟକଆନ୍ଧ୍ର ପ୍ରଦେଶ ରାଜ୍ୟମାନଙ୍କରେ ସମ୍ପୂର୍ଣ୍ଣ କୋକିଶିଆଳ ପରିବାସର କେବଳ ୨% ସଂରକ୍ଷିତ ଅଞ୍ଚଳର ଅନ୍ତର୍ଗତ ।[୧୩] ଛାଲ ଓ ମାଂସ ପାଇଁ କୋକିଶିଆଳମାନଙ୍କୁ ଶିକାର କରାଯାଇଥାଏ । କୃଷିକାର୍ଯ୍ୟ, ଶିଳ୍ପୋଦ୍ୟୋଗ, ଜୈବିକ ଇନ୍ଧନ ପ୍ରସ୍ତୁତି ପାଇଁ ଏମାନଙ୍କ ତୃଣଭୂମି ପରିବାସର ଅଧିକାଂଶ ଭାଗ କ୍ଷୟପ୍ରାପ୍ତ ହୋଇଥାଏ ଓ ଏମାନଙ୍କ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି । ଏହାର ଶରୀରର କିଛି ଅଂଶ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୁଏ ଓ କିଛି ସ୍ଥାନରେ ଲୋକେ କୋକିଶିଆଳ ମାଂସ ମଧ୍ୟ ଖାଇଥାନ୍ତି । ଦକ୍ଷିଣ ଭାରତର ନାରିକୁରୁୱା ଜନଜାତି କୋକିଶିଆଳଙ୍କ ଶିକାର କରିବାର ଉଲ୍ଲେଖ ମିଳେ ।[୯] ସଂକ୍ରାନ୍ତି ଉତ୍ସବ ପାଳନର ପରମ୍ପରା ପାଇଁ କର୍ଣ୍ଣାଟକରେ କିଛି ସ୍ଥାନରେ କୋକିଶିଆଳଙ୍କୁ ଫାସ ପକାଇ ଧରାଯିବା ବିଷୟର ମଧ୍ୟ ଉଲ୍ଲେଖ ମିଳେ ।[୩] ଭାରତୀୟ କୋକିଶିଆଳଙ୍କ ପାଇଁ କ୍ୟାନାଇନ୍ ଡିଷ୍ଟେମ୍ପର୍ ଭୂତାଣୁ ସଂକ୍ରମଣ ଓ ଜଳାତଙ୍କ ରୋଗ ଆଉ ଏକ ବିପଦ । ଏହି ରୋଗ ସଂକ୍ରମଣ ମୁଖ୍ୟତଃ କୋକିଶିଆଳ ବାସ କରୁଥିବା ଅଞ୍ଚଳର ସ୍ଥାନୀୟ ବୁଲା କୁକୁରଙ୍କ ଯୋଗୁଁ ବ୍ୟାପିଥାଏ ।[୧୪]

ଆଧାର[ସମ୍ପାଦନା]

  1. Jhala, Y.V. (2016). "Vulpes bengalensis": e.T23049A81069636. Cite journal requires |journal= (help)
  2. Vanak, A.T. (2005). "Distribution and status of the Indian fox Vulpes bengalensis in southern India" (PDF). Canid News. 8 (1).
  3. ୩.୦ ୩.୧ ୩.୨ ୩.୩ ୩.୪ Gompper, ME & A.T. Vanak (2006). "Vulpes bengalensis" (PDF). Mammalian Species. 795: 1–5. doi:10.1644/795.1.
  4. Wozencraft, W.C. (2005). "Order Carnivora". In Wilson, D.E.; Reeder, D.M (eds.). Mammal Species of the World: A Taxonomic and Geographic Reference (3rd ed.). Johns Hopkins University Press. pp. 532–628. ISBN 978-0-8018-8221-0. OCLC 62265494.CS1 maint: ref=harv (link)
  5. Mivart, St George (1890). "Dogs, jackals, wolves and foxes: A monograph of the Canidae". R H Porter, London: 126–131. Cite journal requires |journal= (help)
  6. Menon, Vivek (2009). Mammals of India. Princeton Field Guides. Princeton University Press. ISBN 978-0-691-14067-4.
  7. Pocock RI (1937). "The foxes of British India". J. Bombay Nat. Hist. Soc. 39 (1): 36–57.
  8. Vanak, A.T. & Gompper, M. E. (2010). "Multiscale resource selection and spatial ecology of the Indian fox in a human-dominated dry grassland ecosystem". Journal of Zoology. 281 (2): 140–148. doi:10.1111/j.1469-7998.2010.00690.x.
  9. ୯.୦ ୯.୧ ୯.୨ ୯.୩ ୯.୪ Johnsingh, A.J.T. (1978). "Some aspects of the ecology and behaviour of the Indian fox Vulpes bengalensis Shaw". J. Bombay Nat. Hist. Soc. 75: 397–405.
  10. Lua error in ମଡ୍ୟୁଲ:Citation/CS1/Identifiers at line 1124: attempt to index field 'keywords' (a nil value).
  11. Manakadan, R & A R Rahmani (2000). "Population and ecology of the Indian fox Vulpes bengalensis at Rollapadu wildlife sanctuary, Andhra Pradesh, India". J. Bombay Nat. Hist. Soc. 97 (1): 3–14.
  12. Vanak, A.T. & Gompper, M.E. (2007). "Effectiveness of non-invasive techniques for surveying activity and habitat use of the Bengal fox Vulpes bengalensis in southern India". Wildlife Biology. 13: 219–224. doi:10.2981/0909-6396(2007)13[219:eontfs]2.0.co;2.
  13. Vanak, A.T.; Irfan-Ullah, M. & Peterson, T. (2008). "Gap analysis of Indian fox conservation using ecological niche modeling". Journal of the Bombay Natural History Society. 105 (1): 49–54.
  14. Belsare, A. V., A. T. Vanak, and M. E. Gompper (2014). "Epidemiology of viral pathogens of free‐ranging dogs and Indian foxes in a human‐dominated landscape in central India." Transboundary and emerging diseases 61.s1 : 78-86. PDF

ବାହ୍ୟ ଲିଂକ୍[ସମ୍ପାଦନା]