ବ୍ୟବହାରକାରୀ:Abha S Pradhan/ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ

ଉଇକିପିଡ଼ିଆ‌ରୁ

ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ

ରଥ ଯାତ୍ରା ସମୟରେ ରଥାରୁଢ଼ ଜଗନ୍ନାଥ


"ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ, ରତ୍ନସିଂହାସନ ସ୍ଥମ୍
ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିରଂ, ସଂଯୁକ୍ତଂ ଚାଗ୍ରଜେନ
ଭଦ୍ରାୟାଃ ବାମ୍ଭାଗେ ରଥଚରଣ ଯୁତଂ, ବ୍ରହ୍ମାରୁଦ୍ରେନ୍ଦ୍ର ବନ୍ଦ୍ୟମ୍
ଦେବାନାଂ ସାରମେଶଂ ସ୍ୱଜନ ପରିବୃତଂ, ବ୍ରହ୍ମଦାରୁ ନମାମି ।।"


ଅର୍ଥାତ୍ ନୀଳାଚଳରେ ଶଙ୍ଖ ମଧ୍ୟସ୍ଥ ପଦ୍ମ ଫୁଲରେ ଅଛି ରତ୍ନସିଂହାସନ । ତା' ମଧ୍ୟରେ ଆପାଦମସ୍ତକ ଅଳଙ୍କାର ଶୋଭିତ ହୋଇ, ଦେବୀ ସୁଭଦ୍ରାଙ୍କ ବାମ ପାର୍ଶ୍ୱରେ ନିଜ ଲୋକଙ୍କ ମେଳରେ ଉପବେସିତ ବ୍ରହ୍ମଦାରୁ ତଥା ଜଗତର ନାଥ ଜଗନ୍ନାଥଙ୍କୁ ପ୍ରଣାମ । ନୀଳାଚଳ ନିବାସୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ, ଭକ୍ତର ମନ ଦିବ୍ୟସତ୍ତାରେ ବିଲୀନ ହୋଇଯାଏ, ଜନ୍ମମୃତ୍ୟୁର ଅର୍ଗଳିରୁ ସେ ମୁକ୍ତ ପାଏ । ତାଙ୍କର ଦାରୁ ନିର୍ମିତ ଶ୍ରୀବିଗ୍ରହରେ ସଂସ୍ଥାପିତ ରହସ୍ୟମୟୀ ବ୍ରହ୍ମ । ନା କେହି ଜାଣିଛନ୍ତି, ନା କେହି ସ୍ପର୍ଶ କରିଛନ୍ତି । ଏହି ଦାରୁବ୍ରହ୍ମଙ୍କ ଲୀଳାର ପଟ୍ଟାନ୍ତର ନାହିଁ । ତାଙ୍କର ଦାରୁ ପୁରୁଷୋତ୍ତମ, ତତ୍ତ୍ୱ ପୁରୁଷୋତ୍ତମ ଏବଂ ଲୀଳାକ୍ଷେତ୍ର ମଧ୍ୟ ପୁରୁଷୋତ୍ତମ ।

ବ୍ରହ୍ମ[ସମ୍ପାଦନା]

ସଂସ୍କୃତ ମୂଳଶବ୍ଦ ବ୍ରଃ ଧାତୁରୁ ଆସିଅଛି ବ୍ରହ୍ମ । ବ୍ରଃ ଅର୍ଥାତ୍ ପ୍ରବାହିତ ହେବା । ଯାହା ଅସୀମ ଓ ଅମାପ ତାହା ହିଁ ବ୍ରହ୍ମ । ସମସ୍ତ ଶକ୍ତିର ଉତ୍ସଚ ଏହି ବ୍ରହ୍ମ ସବୁଠାରେ ବିଦ୍ୟମାନ । ବ୍ରହ୍ମ ଅର୍ଥାତ୍ ସବୁଠାରୁ ଉଚ୍ଚ ଭାବେ ଚିନ୍ତା କରିବାର କ୍ରିୟା । ତେଣୁ ବେଦର ମନ୍ତ୍ରକୁ ମଧ୍ୟ ବ୍ରହ୍ମ ବୋଲି କୁହାଯାଏ । ଏହା ସାକାର ଓ ନିରାକାର ମଧ୍ୟ । ଏହା ଗଭୀର ଜ୍ଞାନର ପରିଚାୟକ । ଏହା ସତ୍ୟ, ସନାତନ, ନିତ୍ୟ, ନିର୍ମଳ ଓ ନିର୍ବିକାର ମଧ୍ୟ ।
ବ୍ରହ୍ମ ସଂହିତା କୁହେ, ପ୍ରଖର ଜ୍ୟୋତି ବିକୀର୍ଣ୍ଣ କରୁଥିବା ସତ୍ତା ହିଁ ବ୍ରହ୍ମ
ଆଦି ଶଙ୍କରାଚାର୍ଯ୍ୟଙ୍କ ମତରେ, ବ୍ରହ୍ମ ସତ୍ୟ ଓ ଜଗତ ମିଥ୍ୟା
ତୈତ୍ତରୀଊ ଉପନିଷଦରେ କୁହାଯାଇଛି, ଭାଷା ଓ ମନ ଯେଉଁଠାରୁ ପ୍ରତ୍ୟାବର୍ତ୍ତିତ ହୁଏ, ତଥା ଇନ୍ଦ୍ରିୟ ଯାହାକୁ ସ୍ପର୍ଶ କରିପାରେ ନାହିଁ; ତାହା ହିଁ ବ୍ରହ୍ମ
ବେଦବ୍ୟାସଙ୍କ ମତରେ, ଏ ଜଗତର ସୃଷ୍ଟି, ସ୍ଥିତି, ଲୟ ଯାହାଙ୍କ ଦ୍ୱାରା ସମ୍ଭବ, ସେ ହିଁ ବ୍ରହ୍ମ
ଅଥର୍ବ ବେଦ ଅନୁସାରେ, ବ୍ରହ୍ମ ଓ ଆତ୍ମା ଏକ
ଶ୍ରୀମଦ୍ ଭଗବତ୍ ଗୀତା କୁହେ, ବ୍ରହ୍ମ ବା ଆତ୍ମା ନିତ୍ୟ ଅବିନାଶୀ

ସନ୍ଥ ତୁଳସୀ ଦାସ କହିଛନ୍ତି,

ବିନୁ ପଦ ଚଲି ସୁନି ବିନୁ କାନା
କର ବିନୁ କରାଇ କରମ ବିଧି ନାନା ।।

ଅର୍ଥତ୍ ଯେ ପାଦ ବିନା ଚାଲିପାରେ, କାନ ବିନା ଶୁଣିପାରେ, ହାତ ବିନା ବିଭିନ୍ନ କାମ କରିପାରେ ସେହିଁ ବ୍ରହ୍ମ ।
ମୁଣ୍ଡୋକପୋନିଷଦରେ କୁହାଯାଇଛି, ବ୍ରହ୍ମ ଜ୍ୟୋତିର୍ମୟ ଓ ଅଣୁଠାରୁ ମଧ୍ୟ ସୂକ୍ଷ୍ମ । ତାହା ଅକ୍ଷର, ମନ, ପ୍ରାଣ, ବାକ୍ ସବୁକିଛି ।

ବୈଭବ[ସମ୍ପାଦନା]

ବ୍ରହ୍ମଙ୍କ ଦୁଇଟି ଅବସ୍ଥା ଥାଏ । ଅଦ୍ୱୈତ ପନ୍ଥୀ ଆଦି ଶଙ୍କରାଚାର୍ଯ୍ୟଙ୍କ ମତରେ ବ୍ରହ୍ମ ନିରାକାର ଏବଂ ଅନ୍ୟ ହିନ୍ଦୁ ଧର୍ମାବଲମ୍ବୀଙ୍କ ମତରେ ସାକାର । ଈଶୋବାସ୍ୟାପନିଷଦ୍‌ର ୧୫ତମ ଶ୍ଳୋକ ଅନୁସାରେ :

ହିରଣମୟେନ ପାତ୍ରେଣ ସତ୍ୟ ସ୍ୟାପହିତଂ ମୁଖମ୍ ।
ତତ୍ତ୍ୱଂ ପୁଷନ୍ନ ପାବୃଣୁ ସତ୍ୟ ଧର୍ମାୟ ଦୃଷୟେ ।।

ଅର୍ଥାତ୍ ବ୍ରହ୍ମ ଆଦିତ୍ୟ ମଣ୍ଡଳରେ ଏକ ଜ୍ୟୋତିର୍ମୟ ପାତ୍ରରେ ଆବରଣ ହୋଇଛନ୍ତି । ଏହାକୁ ଦେଖିବା ପାଇଁ ସେହି ଜ୍ୟୋତିର୍ମୟ ପାତ୍ରଟିକୁ ଦୂର କରିଦିଅନ୍ତୁ । ତେଣୁ ଏଥିରୁ ଜଣାପଡେ ଯେ, ବ୍ରହ୍ମ ସାକାର ଓ ସେ ଉଜ୍ଜ୍ୱଳ ଜ୍ୟୋତି ଦ୍ୱାରା ଆଚ୍ଛାଦିତ । ବ୍ରହ୍ମ ପୂର୍ଣ୍ଣ ଅଟନ୍ତି । ବୃହଦାରଣ୍ୟ କୋପନିଷଦ୍ -୫ ଅଧ୍ୟାୟ/୧ ବ୍ରାହ୍ମଣ/୧ ମନ୍ତ୍ର ଅନୁସାରେ:

ଓଁ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ।
ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ ।।

ଅର୍ଥାତ୍ ବ୍ରହ୍ମ ପୂର୍ଣ୍ଣ ଅଟନ୍ତି । ସେହି ପୂର୍ଣ୍ଣବ୍ରହ୍ମରୁ କିଛି ବାହାରିଗଲେ ଯାହା ଅବଶିଷ୍ଟ ରହେ ତାହା ମଧ୍ୟ ପୂର୍ଣ୍ଣ ଅଟେ । ବ୍ରହ୍ମ ସମ୍ପୂର୍ଣ୍ଣ, ବ୍ୟାପକ ଓ ବିସ୍ତୀର୍ଣ୍ଣ । ବ୍ରହ୍ମ ସର୍ବବ୍ୟାପକ । ସେ ସାକାର ହୋଇ ତେତିଶ କୋଟି ଦେବ-ଦେବୀଙ୍କ ରୂପ ଧାରଣ କରନ୍ତି ଏବଂ ନିରାକାର ହୋଇ ଇନ୍ଦ୍ରିୟ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରୁହନ୍ତି । ଜଗନ୍ନାଥ ଦାସଙ୍କ ତୁଳାଭିଣାରେ ବର୍ଣ୍ଣନା କରାଯାଇଛି:

ମହାଶୂନ୍ୟ ଜ୍ୟୋତିରୂପ, ଜ୍ୟୋତିରୁ ଜାତ ଠୁଳ ରୂପ ।
ଠୁଳରୁ ଅର୍ଦ୍ଧମାତ୍ରାକଲା, ମାତ୍ରାରୁ ଓଁକାର ଜନ୍ମିଲା ।
ଓଁକାର ବ୍ରହ୍ମ ଏ ଜଗତ, ଶୁଣ ପାର୍ବତୀ ଦେଇ ଚିତ୍ତ ।।

ମହାଶୂନ୍ୟରୁ ଜ୍ୟୋତି, ଜ୍ୟୋତିରୁ ଠୁଳରୂପ, ଠୁଳରୂପରୁ ବିନ୍ଦୁ, ବିନ୍ଦୁର ଅର୍ଦ୍ଧମାତ୍ରାରୁ ଓଁକାରର ସୃଷ୍ଟି । ଓଁକାର ବ୍ରହ୍ମଙ୍କର ଅନ୍ୟ ଏକ ନାମ । ଶୂନ୍ୟ ଶାନ୍ତ, ଅବ୍ୟକ୍ତ । ସେଥିରୁ ପ୍ରକାଶ ପାଇଁ ତପଃ ଆବଶ୍ୟକ ଓ ସେଥିରୁ ବ୍ରହ୍ମ । ବ୍ରହ୍ମ ତିନିଗୋଟି ଅର୍ଥରେ ବ୍ୟଭୃତ ହୁଏ ।
୧) ଅକ୍ଷର ବ୍ରହ୍ମ: ଏହା ଅଣାକାର ଓ ମହାଶୂନ୍ୟ । ଏହା ପରଂବ୍ରହ୍ମ ଦାରୁଦେବତା ତଥା ଶୂନ୍ୟ ଜ୍ୟୋତି ମଧ୍ୟ ।
୨) ମହତ୍ତ ବ୍ରହ୍ମ ବା ପ୍ରକୃତି: ଏହା ପରାଶକ୍ତି, ଅପରା ପ୍ରକୃତି । ଯୋଦମାୟା ବା ମା ସୁଭଦ୍ରିକା ।
୩) ଓଁକାର: ଶବ୍ଦ ବ୍ରହ୍ମ । ଶୂନ୍ୟରୁ ଠୁଳରୂପ ପ୍ରକାଶ ବ୍ରହ୍ମ, ବଳଭଦ୍ର ।

ଦାରୁ[ସମ୍ପାଦନା]

'ଦାରୁ ଶବ୍ଦ ଦୁଇଟି ଧାତୁ ଦାଦୋରୁ ଗଠିତ । ରୁ ପ୍ରତ୍ୟୟ ଶୀଳ ବା ସ୍ୱଭାବ ଅର୍ଥରେ ବ୍ୟଭୃତ ହୁଏ । ଦା ଅର୍ଥାତ୍ ଦାନ କରିବା, ତେଣୁ ଦାରୁ ଅର୍ଥାତ୍ ଦାନଶୀଳ ଏବଂ ଦୋ ଅର୍ଥାତ୍ ଖଣ୍ଡନ କରିବା, ତେଣୁ ଦାରୁ ଅର୍ଥାତ୍ ଖଣ୍ଡନଶୀଳ । ସ୍କନ୍ଧପୁରାଣ-ଉତ୍କଳଖଣ୍ଡ-୨୮-୩୯ ଅନୁସାରେ:

ଖଣ୍ଡନାତ୍ ସର୍ବଦୁଃଖାନାମଖଣ୍ଡାନନ୍ଦ ଦାନତଃ,
ସ୍ୱଭାବାଦ୍ ଦାରୁରେଷୋ ହି ପରଂ ବ୍ରହ୍ମାଭିଦୀୟତେ ।

ଅର୍ଥାତ୍ ସର୍ବଦୁଃଖ ଖଣ୍ଡନ କରୁଥିବା ତଥା ସର୍ବାନନ୍ଦ ପ୍ରଦାନ କରୁଥିବା ଦାରୁ ହିଁ ପରଂବ୍ରହ୍ମ । ମାତ୍ର ନବକଳେବର ସମୟରେ ରହସ୍ୟମୟୀ ବ୍ରହ୍ମକୁ ଦାରୁ ବିଗ୍ରହରେ ସ୍ଥାପନ କରାଯାଏ । ଏଥିରୁ ଜଣାଯାଏ ଯେ ଦାରୁ ହେଉଛି ଶରୀର ଓ ବ୍ରହ୍ମ ଆତ୍ମା ଅର୍ଥାତ୍ ଦେହ-ଦେହୀର ସମ୍ପର୍କ । ମାତ୍ର ଦାରୁରେ ଶଙ୍ଖ, ଚକ୍ର, ଗଦା ପ୍ରଭୃତି ଚିହ୍ନ ରହିଥାଏ ଏବଂ ସର୍ବୋପରି କାକଟପୁରର ମା' ମଙ୍ଗଳାଙ୍କ ସ୍ୱପ୍ନାଦେଶ ମଧ୍ୟ ହୋଇଥାଏ । ତେଣୁ ସ୍କନ୍ଧପୁରାଣ ଅନୁଯାୟୀ ଦାରୁରେଷୋ ହି ପରଂ ବ୍ରହ୍ମାଭିଦୀୟତ, ଅର୍ଥାତ୍ ସେହି ଦାରୁ ହିଁ ବ୍ରହ୍ମ ।

ଦାରୁବ୍ରହ୍ମ[ସମ୍ପାଦନା]

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସମସ୍ତ ଅବତାରମାନଙ୍କ ସ୍ରଷ୍ଟା, ପାଳନକର୍ତ୍ତା ଓ ବିଲୟକର୍ତ୍ତା ମଧ୍ୟ । ସେ ଅବ୍ୟକ୍ତ, ଅଣାକାର; ମାତ୍ର ମାନୁଷୀ ମାୟାରେ ପରିବ୍ୟାପ୍ତ । ନୀଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ଠାରୁ ସକଳ ସଗୁଣ ବାଦର ସୃଷ୍ଟି । ଅଖିଳ ବିଶ୍ୱକୁ ଧାରଣ କରି ଶାରିରୀକ ସମ୍ପର୍କରୁ ଉର୍ଦ୍ଧରେ ରହିବା ବେଳେ ସେ ନିର୍ଗୁଣ; ମାତ୍ର ସକଳ ଜଗତରେ ପରିବ୍ୟାପ୍ତ ରହି ବିଶ୍ୱାନୁଗତ ରୂପ ଧାରଣ କଲାବେଳେ ସେ ସଗୁଣ । ବେଦବର୍ଣ୍ଣିତ ପରମ ରହସ୍ୟ ହେଉଛି ପୁରୁଷୋତ୍ତମ ତ ତ୍ତୱ । ଅର୍ଥାତ୍ ସେ ଷଡ଼ ଐଶ୍ୱର୍ଯ୍ୟର ଅଧିକାରୀ, ବିଭୂତି ସମ୍ପନ୍ନ ଓ ପୁରୁଷୋତ୍ତମ । ପ୍ରତିମାବାଦରେ ବେଦବର୍ଣ୍ଣିତ ପରଂବ୍ରହ୍ମ ପୁରୁଷୋତ୍ତମ ଆଜି ଶ୍ରୀକ୍ଷେତ୍ରରେ ଲୀଲାମଗ୍ନ । ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ, ବେଦୋକ୍ତ ପୁରୁଷୋତ୍ତମ ହିଁ ଦାରୁବ୍ରହ୍ମ । ଦାରୁବ୍ରହ୍ମ ଗଠନ ପରେ ପୁରୁଷସୁକ୍ତ ମନ୍ତ୍ରରେ ପ୍ରାଣ ପ୍ରତିଷ୍ଠା କରାଯାଇଥାଏ । ବ୍ରହ୍ମପୁରାଣ ଅନୁସାରେ ଦାରୁବ୍ରହ୍ମ ହିଁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଭାବେ ମହିମାବନ୍ତ ।

ବୈଭବ[ସମ୍ପାଦନା]

ନବକଳେବର[ସମ୍ପାଦନା]

ଆଧାର[ସମ୍ପାଦନା]