ବିକଳାନନ୍ଦ କର
ବିକଳାନନ୍ଦ କର | |
---|---|
ଜନ୍ମ |
(କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ ତିଥି) ଚନ୍ଦ୍ରାଦେଇପୁର | ୧୪ ନଭେମ୍ବର ୧୯୦୨
ମୃତ୍ୟୁ | ୧୨ ଅଗଷ୍ଟ ୧୯୭୧ | (ବୟସ ୬୮)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ବିକଳି କର |
ପ୍ରସିଦ୍ଧି | ସାଲେପୁର ରସଗୋଲା |
ପିତାମାତା(s) | ନିଧି କର, ସାବିତ୍ରୀ ଦେବୀ |
ବିକଳାନନ୍ଦ କର (ବିକଳି କର), ସାଲେପୁର ମିଠାର ଜନକ । ଓଡ଼ିଶାର ରସଗୋଲା ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିବାର ଶ୍ରେୟ ବିକଳାନନ୍ଦଙ୍କୁ ହିଁ ଯାଏ ।[୧]
ବାଲ୍ୟଜୀବନ
[ସମ୍ପାଦନା]ବିକଳାନନ୍ଦ ୧୯୦୨ ମସିହା ନଭେମ୍ବର ୧୪ ତାରିଖ (କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥି)ରେ ଚନ୍ଦ୍ରାଦେଇପୁର ଗ୍ରାମର ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନିଧି କର ଓ ମାତାଙ୍କ ନାମ ସାବିତ୍ରୀ ଦେବୀ । ତାଙ୍କ ଜନ୍ମର ପନ୍ଦର ବର୍ଷ ପୂର୍ବରୁ ତାଙ୍କ ଜଣେ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା । ବହୁ ତପସ୍ୟା ଓ କାଳାଗ୍ନିରୁଦ୍ରଙ୍କ ଆଶୀର୍ବାଦରୁ ବିକଳାନନ୍ଦ କର ଜନ୍ମଗ୍ରହଣ କରିଥଲେ । ପିତାମାତା ତାଙ୍କ ନାମ ଦେଇଥିଲେ ବିକଳା । ସେବେଠାରୁ ତାଙ୍କୁ ବିକଳି କର ପରିଚୟ ମିଳିଥିଲା ।
ବିକଳି କରଙ୍କ ବାଲ୍ୟଜୀବନ ଦୁଃଖରେ ବିତିଥିଲା । ଅଳ୍ପ ବୟସରୁ ସେ ତାଙ୍କ ପିତାମାତାଙ୍କୁ ହରେଇଥିଲେ । ମାତ୍ର ଷଷ୍ଠ ଶ୍ରେଣୀରେ ପାଠରେ ଡୋରୀ ବନ୍ଧା ହୋଇଥିଲା ଓ ସେ କାମ ଅନ୍ୱେଷଣରେ କଲିକତା ପଳେଇ ଯାଇଥିଲେ । କଲିକତାରେ ଜଣେ ରେଳବାଇ ଅଫିସରଙ୍କ ପରିବାରରେ ମାସକୁ ୧୫ଟଙ୍କା ବେତନରେ ରୋଷେୟା ଭାବେ ନିଯୁକ୍ତ ହୋଇଥିଲେ । ସେ, ସେହି ପରିବାରର ଜଣେ ସଦସ୍ୟ ଭଳି ଶ୍ରଦ୍ଧା ସମ୍ମାନ ପାଇଥିଲେ । କ୍ରମେ ରୋଷେଇ ବିଦ୍ୟାରେ ପାରଙ୍ଗମ ହୋଇଥିଲେ ଓ ବିଭିନ୍ନ ମିଠା ପ୍ରସ୍ତୁତ କରିବା ଶିକ୍ଷା କରିଥିଲେ । ସେହି ପରିବାରରେ ୭/୮ ବର୍ଷ ଚାକିରୀ କରିବା ପରେ, ସେ ଏକ ମିଠା ଦୋକାନରେ ଚାକିରୀ କରି ବିଭିନ୍ନ ମିଠା ତିଆରି କରିବା ଶିଖିଲେ । ସେ ଦୋକାନରେ ମାଲିକଙ୍କ ବ୍ୟବହାର ଓ ଅନିୟମିତ ବେତନରେ ଅତିଷ୍ଠ ହୋଇ, ସେ ୧୯୨୮ ମସିହାରେ ସାଲେପୁର ଫେରି ଆସିଥିଲେ ।
ସାଲେପୁର ରସଗୋଲାର ଇତିହାସ
[ସମ୍ପାଦନା]ସାଲେପୁର ବଜାର ସେତେବେଳେ ଖୁବ ଛୋଟ ଥିଲା । ମାତ୍ର ଗୋଟିଏ ଦୁଇଟି କ୍ୟାବିନରେ ଚା’ ଦୋକାନ, ୨/୩ଟି ତେଜରାତି ଦୋକାନ ଓ କେତୋଟି ପାନ ଦୋକାନ ହିଁ ଥିଲା । ତାଙ୍କ ସମ୍ପର୍କୀୟ ବଡ଼ଭାଇ ରାମଚନ୍ଦ୍ର କରଙ୍କର ଏକ ଜଳଖିଆ ଦୋକାନ ସାଲେପୁର ବଜାର ବରଗଛ ମୂଳେ ଥଲା । ରାମଚନ୍ଦ୍ର ଦୋକାନଟିକୁ ଚଳାଇ ନପାରି ବିକଳାନନ୍ଦଙ୍କୁ ସମର୍ପିଦେଇ ସନ୍ନ୍ୟାସୀ ହୋଇଗଲେ । ଏହିଠାରୁ ଆରମ୍ଭ ହୋଇଥିଲା ସାଲେପୁର ରସଗୋଲାର ଜୟଯାତ୍ରା । ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ ସାଲେପୁର ରସଗୋଲା ମିଷ୍ଟାନ୍ନ ସଂସ୍ଥାଟିର କଳେବର ବୃଦ୍ଧି ପାଇଛି । ଛୋଟ ସାଲେପୁରରୁ ଆରମ୍ଭ ହୋଇଥିବା ମିଷ୍ଟାନ୍ନଟି ଆଜି ସମଗ୍ର ବିଶ୍ୱ ଦରବାରରେ ଆଦୃତ ହୋଇପାରିଛି ।
ବିକଳି କର, ସାଲେପୁର ଅଞ୍ଚଳର ଜଣେ ବଦାନ୍ୟ, ନିରଳସ ଓ ଈଶ୍ୱରପ୍ରେମୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଉଦବୁଦ୍ଧ ହୋଇ ସ୍ନାନୀୟ ଅଞ୍ଚଳର ଅନେକ ସଂଗ୍ରାମୀ ସୁରେନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ଆକୁଳାନନ୍ଦ ବେହେରା, ପ୍ରାଣକୃଷ୍ଣ ପଢ଼ିଆରୀ, ବିରଜାପ୍ରସାଦ ରାୟ ପ୍ରମୁଖ ସଂଗ୍ରାମୀଙ୍କୁ ନିଜ ଘରେ ଅଜ୍ଞାତବାସରେ ରଖୁଥିଲେ । ସେମାନଙ୍କୁ ଆର୍ଥିକ ଓ ମାନସିକ ସହଯୋଗ ମଧ୍ୟ ପ୍ରଦାନ କରୁଥଲେ । ପୋଲିସ ବାହିନୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ମଝିରେ ସେ ଏକ ଢାଲ ରୂପେ ରହିଥଲେ । ନିଜେ ବିଶେଷ ପଢ଼ି ପାରିନଥିଲେ ମଧ୍ୟ ଶିକ୍ଷା ପ୍ରତି ତାଙ୍କର ଶ୍ରଦ୍ଧା ରହିଥିଲା । ୧୯୬୪ରେ ଗୁରୁଚରଣ ମହାନ୍ତି, ନରେନ୍ଦ୍ରଚନ୍ଦ୍ର ମଲ୍ଲ, ବାମନ ଚରଣ ପରିଡ଼ା, ବିରଜା ପ୍ରସାଦ ରାୟ, ଡାକ୍ତର ବୈକୁଣ୍ଠନାଥ ଦେବତା, ବ୍ରଜକିଶୋର ଜେନାଙ୍କ ସହ ମିଶି ସେ ସାଲେପୁର କଲେଜ ପ୍ରତିଷ୍ଠା କରିଥିଲେ ।[୨]
ବିକଳାନନ୍ଦ କର ୧୯୭୧ ଅଗଷ୍ଟ ୧୨ତାରିଖ ଦିନ ମୃତ୍ୟୁବରଣ କରିଥିଲେ ।[୩] ତାଙ୍କ ସ୍ମୃତିରେ ୨୦୦୪ରୁ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଉଛି । ଭାରତବର୍ଷରେ ପ୍ରଥମକରି ବିକଳାନନ୍ଦ କର ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇ, ମିଷ୍ଟାନ୍ନ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଉଛି ।[୪]
ଆଧାର
[ସମ୍ପାଦନା]- ↑ http://indianexpress.com/article/lifestyle/food-wine/the-food-story-how-indias-favourite-sweet-dish-rosugulla-was-born/
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-09-05.
{{cite web}}
: Cite has empty unknown parameter:|1=
(help) - ↑ "ନିରଳସ, ଇଶ୍ୱରପ୍ରେମୀ ବିକଳାନନ୍ଦ". ପ୍ରଗତିବାଦୀ ୦୪/୦୯/୨୦୧୫ ପୃଷ୍ଠା ୪. 4 September 2015.
{{cite news}}
:|access-date=
requires|url=
(help) - ↑ http://www.telegraphindia.com/1110804/jsp/orissa/story_14330339.jsp