ପଞ୍ଚତୀର୍ଥ, ପୁରୀ
ହିନ୍ଦୁଧର୍ମାବଲମ୍ବୀମାନେ ପୁରୀରେ ଥିବା ପବିତ୍ର ପଞ୍ଚ ତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରଖନ୍ତି । [୧][୨][୩] ସେହି ପାଞ୍ଚଟି ପବିତ୍ର ଜଳାଶ୍ରୟ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ,ରୋହିଣୀ କୁଣ୍ଡ,ମାର୍କଣ୍ଡେୟ ପୁଷ୍କରିଣୀ,ଶ୍ୱେତଗଙ୍ଗା ପୁଷ୍କରିଣୀ ଏବଂ ମହୋଦଧି ।
'ବ୍ରହ୍ମପୁରାଣ'ରେ ଏହି ପଞ୍ଚତୀର୍ଥ ହେଲା- ମାର୍କଣ୍ଡେୟ ପୁଷ୍କରିଣୀ, ବଟମନ୍ଦିର କୃଷ୍ଣ (ଅର୍ଥାତ୍ ଜଗନ୍ନାଥ), ରୋହିଣେୟ (ବଳଭଦ୍ର), ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ । ଏହି ରୋହିଣେୟ 'ରୋହିଣୀକୁଣ୍ଡ' ମଧ୍ୟ ହୋଇପାରେ । 'ସ୍କନ୍ଧ ପୁରାଣ'ରେ ଲେଖାଅଛି ମାର୍କଣ୍ଡେୟ, କଳ୍ପବୃକ୍ଷ, ଦାରୁବ୍ରହ୍ମ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । 'ମୁକ୍ତି ଚିନ୍ତାମଣି' ଓ ହଳଧରକୃତ 'ସ୍ମରତି ଦର୍ପଣ' ଅନୁସାରେ ପଞ୍ଚତୀର୍ଥ ହେଲା- ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । ସାରଳା ଦାସଙ୍କ ମହାଭାରତ (ବନପର୍ବ)ରେ ଉଲ୍ଲେଖ ପ୍ରକାରେ ପଞ୍ଚତୀର୍ଥ ହେଉଛି- ମହୋଦଧି, ରୋହିଣୀକୁଣ୍ଡ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟମ୍ନ ଓ ମାର୍କଣ୍ଡେୟ ସରୋବର । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ସମୁଦ୍ର ସ୍ୱର୍ଗଦ୍ୱାର, ଚକ୍ରତୀର୍ଥ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ କୁହାଯାଇଛି ।[୪]
ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ
[ସମ୍ପାଦନା]ଏହା ଗୁଣ୍ଡିଚା ମନ୍ଦିର ପାଖରେ ଅବସ୍ଥିତ । ଇତିହାସରୁ ଜଣାଯାଏ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଏବଂ ଜଗନ୍ନାଥସଂସ୍କୃତିର ଜଗନ୍ନାଥଙ୍କ ସମେତ ଚାରି ବିଗ୍ରହ ସ୍ଥାପନ କରିଥିଲେ । [୫] ଏହି ପୁଷ୍କରିଣୀ କିପରି ପବିତ୍ର ତାହା ଏହାର ସ୍ଥାପନାରୁ ଜଣାଯାଏ । ରାଜା ଇନ୍ଦ୍ରଦ୍ୟୁମ୍ନ ହଜାରେ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଇ ଏହି ଜମିକୁ କିଣିଥିଲେ । ସେହି ଦିନଠୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପବିତ୍ର ତୀର୍ଥ ନାମରେ ପରିଗଣିତ ହେଲା ।
ରୋହିଣୀ କୁଣ୍ଡ
[ସମ୍ପାଦନା]ଜଗନ୍ନାଥ ମନ୍ଦିର ପରିସର ବିମଳା ମନ୍ଦିର ନିକଟରେ ଥିବା ଏକ ପବିତ୍ର କୁଣ୍ଡ । [୨] ଏହା ନାରାୟଣଙ୍କର ନିବାସ ଭାବେ ବିଶ୍ୱାସ କରାଯାଏ । ଏଠାରେ ଥିବା ପବିତ୍ର ଅଶ୍ୱତ୍ଥ ଗଛ ପୁରାଣ ଅନୁସାରେ ଅକ୍ଷୟ କଳ୍ପବଟ ଭାବରେ ପୂଜା କରାଯାଏ ।[୬] ଶିକାରୀ ଜରା ଶବର ଦୁର୍ଘଟନାବଶତଃ କୃଷ୍ଣଙ୍କୁ ତୀର ବିଦ୍ଧ କରିଥିଲା ଏବଂ ତାଙ୍କ ଶବ ସତ୍କାର କରିଥିଲା । କୃଷ୍ଣ ଏକ ଗଣ୍ଡିରୂପେ ପରିବର୍ତ୍ତିତ ହୋଇ ସାଗରରୁ ରୋହିଣୀ କୁଣ୍ଡ ପର୍ଯ୍ୟନ୍ତ ଭାସିବେ ବୋଲି ଜରା ଶବରକୁ ସ୍ୱପ୍ନ କଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଜରା ଶବରଙ୍କ ସହାୟତାରେ ସେହି ଦାରୁର ସନ୍ଧାନ ପାଇଥିଲେ ଏବଂ ସେଥିରୁ ଜଗନ୍ନାଥଙ୍କର ବିଗ୍ରହ ଖୋଦିତ ହୋଇଥିଲେ ।
ମାର୍କଣ୍ଡେୟ ପୁଷ୍କରିଣୀ
[ସମ୍ପାଦନା]ପୁରୀ ତୀର୍ଥ ଭ୍ରମଣର ଆଦ୍ୟ ସ୍ଥଳ ଭାବେ ଜଣା ।[୨] ଚାରି ଏକର ବ୍ୟାପି ପୁଷ୍କରିଣୀ ସହ ମାର୍କଣ୍ଡେଶ୍ୱର ମନ୍ଦିର ଅବସ୍ଥିତ । ଏହା ଶିବଙ୍କର ଅତି ପୁରାତନ ମନ୍ଦିର ଭାବରେ ପ୍ରସିଦ୍ଧ ।
ଶ୍ୱେତଗଙ୍ଗା ପୁଷ୍କରିଣୀ
[ସମ୍ପାଦନା]ନୀଳାଚଳ ଧାମର ଦକ୍ଷିଣରେ ଅବସ୍ଥିତ । [୨] ବିଷ୍ଣୁଙ୍କର ମତ୍ସ୍ୟ ଅବତାର ଏବଂ ରାଜା ସ୍ୱେତଙ୍କର ମୂର୍ତ୍ତି ପୁଷ୍କରିଣୀର କୂଳରେ ଅବସ୍ଥିତ ।
ମହୋଦଧି
[ସମ୍ପାଦନା]ଶ୍ରୀକ୍ଷେତ୍ରର ସମୁଦ୍ରକୁ ମହୋଦଧି କୁହାଯାଏ । ବ୍ରହ୍ମପୁରାଣ, ସ୍କନ୍ଧପୁରାଣ, ବାମଦେବ ସଂହିତା, କପିଳ ସଂହିତା ଅାଦି ଗ୍ରନ୍ଥରେ ମହୋଦଧିର ମାହାତ୍ମ୍ୟ ଉଲ୍ଲେଖ ଅଛି । ଏହି ସାଗରରେ ବିଷ୍ଣୁଙ୍କର ପ୍ରଥମ ଅବତାର ଅର୍ଥାତ୍ ମତ୍ସ୍ୟ ଅବତାର ପ୍ରକଟ ହୋଇଥିଲା ବୋଲି କୁହାଯାଇଛି । ଏଠାରେ ପିଣ୍ଡଦାନ ଓ ବୁଡ଼ ପକାଇଲେ ମୁକ୍ତି ମିଳେ ବୋଲି କଥିତ । ଶ୍ରୀମନ୍ଦିରର କଳ୍ପବୃକ୍ଷଠାରୁ ମହୋଦଧି ପର୍ଯ୍ୟନ୍ତ ସ୍ଥାନ 'ଅନ୍ତର୍ବେଦୀ' ନାମରେ କଥିତ । ଏହି ସ୍ଥାନରେ ଦେହତ୍ୟାଗ କଲେ ମୋକ୍ଷ ଗତି ହୁଏ । ମହୋଦଧିର ଗୋଟିଏ ଘାଟ ବା ସ୍ଥାନ ସ୍ୱର୍ଗଦ୍ୱାର । ଏଠାରେ ଦାହସଂସ୍କାର କାର୍ଯ୍ୟକଲେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ । ଶ୍ରୀଜଗନ୍ନାଥଙ୍କର ସାଗରବିଜେ ବା ଅମାବାସ୍ୟା ନୀତି ଏହି ସ୍ୱର୍ଗଦ୍ୱାର ଅଞ୍ଚଳରେ ପାଳନ କରାଯାଏ । [୭]
ସ୍ୱର୍ଗ ଦ୍ୱାର ଅଞ୍ଚଳରେ ସମୁଦ୍ର ସ୍ନାନ ଅତ୍ୟନ୍ତ ପବିତ୍ର ବୋଲି ହିନ୍ଦୁଧର୍ମାବଲମ୍ବୀମାନେ ମନେକରନ୍ତି ।
ଆଧାର
[ସମ୍ପାଦନା]- ↑ "Panch Tirtha of Puri". Shreekhetra. Retrieved 5 December 2012.
- ↑ ୨.୦ ୨.୧ ୨.୨ ୨.୩ "Panch Tirtha of Puri". Shreekhetra. Retrieved 5 December 2012.
- ↑ "Panch Tirtha of Puri". Shreekhetra. Retrieved 5 December 2012.
- ↑ [[୧]]
- ↑ "Panch Tirtha of Puri". Shreekhetra. Retrieved 5 December 2012.
- ↑ "Panch Tirtha of Puri". Shreekhetra. Retrieved 5 December 2012.
- ↑ [[୨]]