ନୀଳାଦ୍ରି ବିଜୟ (ଉପନ୍ୟାସ)

ଉଇକିପିଡ଼ିଆ‌ରୁ


ନୀଳାଦ୍ରି ବିଜୟ  
ଲେଖକସୁରେନ୍ଦ୍ର ମହାନ୍ତି
ଦେଶଭାରତ (ଓଡ଼ିଶା)
ଭାଷାଓଡ଼ିଆ
ଧାରାବାହିକଦ୍ୱିତୀୟ ( ପ୍ରଥମଟି ହେଲା ନୀଳଶୈଳ )
ବିଭାଗଉପନ୍ୟାସଐତିହାସିକ ଉପନ୍ୟାସ
ପ୍ରକାଶକକଟକ ଷ୍ଟୁଡେଣ୍ଟସ୍ ଷ୍ଟୋର
ବାଲୁବଜାର , କଟକ
ପ୍ରକାଶ ତାରିଖ୧୯୮୦, ୧୯୮୩, ୧୯୮୮, ୧୯୯୮
ମାଧ୍ୟମ ପ୍ରକାରଛପାବହି,
ବନ୍ଧେଇ ଓ କାଗଜ ମଲାଟ
ପୃଷ୍ଠା୧୯୨

ନୀଳାଦ୍ରି ବିଜୟ , ପ୍ରଖ୍ୟାତ ଓଡ଼ିଆ ଉପନ୍ୟାସ ନୀଳଶୈଳର ଦ୍ୱିତୀୟ ଭାଗ ଅଟେ । କଥାକାର ସୁରେନ୍ଦ୍ର ମହାନ୍ତି[୧] ଏହି ଉପନ୍ୟାସର ରଚନା ନିମନ୍ତେ ଜଗନ୍ନାଥ ସଂସ୍କୃତି ଉପରେ ବହୁତ ଗବେଷଣା କରିଥିଲେ । ଲେଖକ ନିଜର ଜଣେ ବନ୍ଧୁଙ୍କ ଅନୁରୋଧ କ୍ରମେ ଦ୍ୱିତୀୟ ଭାଗର ଲେଖା ଆରମ୍ଭ କରିଥିଲେ । [୨]

ପୁସ୍ତକ ସମୀକ୍ଷା[ସମ୍ପାଦନା]

ନୀଳଶୈଳ ଉପନ୍ୟାସରେ , ତକି ଖାଁ ଆକ୍ରମଣରୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ରାଜା ରାମଚନ୍ଦ୍ର ଦେବ , ତିନି ଜୀଉଙ୍କୁ ଚିଲିକା ମଧ୍ୟସ୍ଥ ଗୁରୁବାଇ ଦ୍ୱୀପକୁ ନେଇଯାଇଥିଲେ । ସେହି ନୀଳ ମରୁଭୂମି ମଧ୍ୟରେ ହିଁ , ପାଠକଙ୍କୁ ଏକ ସୀମାହୀନ ଉନ୍ମାଦନାରେ ଭସାଇ ନୀଳଶୈଳ ଉପନ୍ୟାସ ଶେଷ ହୋଇଥିଲା । ନୀଳାଦ୍ରି ବିଜୟରେ ମୁଖ୍ୟତଃ ଜଗନ୍ନାଥଙ୍କ ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ କଥା ଲେଖାଯାଇଛି । ସେହି ସମୟର ଓଡ଼ିଶାର ଗ୍ରାମ୍ୟ ଜୀବନର ଏକ ସୁନ୍ଦର ଚିତ୍ର ଓ ଜଗନ୍ନାଥଙ୍କୁ ନେଇ ସାଧାରଣ ଲୋକଙ୍କ ଚିନ୍ତାଧାରା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ତକି ଖାଁ ଓ ଅମିନ ଚାନ୍ଦର ସମସ୍ତ ଚକ୍ରାନ୍ତକୁ ପଣ୍ଡ କରି , ଓଡ଼ିଶାର ବହୁତ ସାମନ୍ତ ରାଜା ଓ ଜମିଦାରମାନଙ୍କ ଏକତ୍ର କରିବାରେ ରାମଚନ୍ଦ୍ର ଦେବ ସଫଳ ହୋଇଛନ୍ତି । କେତେକ ଜମିଦାର ଓ ଖୋଦ ଭାଗିରଥ କୁମାରଙ୍କ ଅସହଯୋଗ ସତ୍ତ୍ୱେ ଜଗନ୍ନାଥଙ୍କୁ ଫେରେଇ ଆଣିବାରେ ସଫଳ ହୋଇଛନ୍ତି । ଜଗନ୍ନାଥ ଫେରୁଥିବା ବେଳେ ସାଧାରଣ ଜନସାଧାରଣଙ୍କ ଆପ୍ରାଣ ସହଯୋଗ ଓ ଶେଷରେ ଯୁଦ୍ଧ ସମୟରେ ରାଜା ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦରଙ୍କ ପତ୍ନୀ ରେଜିଆଙ୍କ ସହାୟତା ବଳରେ ଏହା ସମ୍ଭବ ହୋଇପାରିଛି । ଏହି ଉପନ୍ୟାସ ଶେଷ ଭାଗରେ ଲେଖକ କିଛି ସାମାଜିକ ପ୍ରଥାର ବିରୋଧ କରିଛନ୍ତି । ଜଗନ୍ନାଥଙ୍କ ପ୍ରତି ପୂର୍ଣ୍ଣ ରୂପେ ସମର୍ପିତ ରିଜିଆଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ ସମୟରେ ପଣ୍ଡାଙ୍କର ବିରୋଧକୁ, ରାମଚନ୍ଦ୍ର ଦେବଙ୍କ ରୂପେ ଲେଖକ ଏକ ବିଡମ୍ବନା ବୋଲି ଚିତ୍ରଣ କରିଛନ୍ତି । ରିଜିଆ ଛାଡି ଯାଇଥିବା ନୀଳ-ଇନ୍ଦ୍ରମଣି ବସା ମୁଦ୍ରିକାର ଅଧିକାର ପାଇଁ ପଣ୍ଡାଙ୍କ ବଚସାକୁ ଦେଖି , ଲେଖକ ଦୁଃଖ ପ୍ରକାଶ କରିଛନ୍ତି ।
ଅନେକଙ୍କ ମତରେ କାହାଣୀ ଓ ଚରିତ୍ରର କ୍ରମିକତା ବ୍ୟତୀତ ଏହି ଉପନ୍ୟାସରେ ନୀଳଶୈଳ ଭଳି ମନାଛୁଆଁ ଆବେଗ ନାହିଁ ।[୩] ଏହି ଉପନ୍ୟାସଟି ପାଠକଙ୍କ ନିକଟରେ ନୀଳଶୈଳ ଭଳି ଆଦୃତ ହୋଇପାରି ନାହିଁ ।

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 547–. ISBN 978-81-7201-798-9.
  2. ନୀଳାଦ୍ରି ବିଜୟ , ପ୍ରକାଶକଙ୍କ ବାର୍ତ୍ତା/ଉପକ୍ରମ
  3. ନୀଳାଦ୍ରି ବିଜୟ ଓ ନୀଳଶୈଳ ମଧ୍ୟରେ ତୁଳନା

ବାହାର ତଥ୍ୟ[ସମ୍ପାଦନା]

  1. http://www.odiasahitya.com/odia-language-literature-discussion/itihasara-pattabhumire/