ନୀଳଶୈଳ (ଉପନ୍ୟାସ)

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନୀଳଶୈଳ  
ଲେଖକ ସୁରେନ୍ଦ୍ର ମହାନ୍ତି
ଦେଶ ଭାରତ (ଓଡ଼ିଶା)
ଭାଷା ଓଡ଼ିଆ
ଧାରାବାହିକ ପ୍ରଥମ ( ଦ୍ଵିତୀୟଟି ହେଲା ନୀଳାଦ୍ରି ବିଜୟ )
ବିଭାଗ ଉପନ୍ୟାସଐତିହାସିକ ଉପନ୍ୟାସ
ପ୍ରକାଶକ କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର (ବାଲୁବଜାର , କଟକ)

ନୀଳଶୈଳ , ବିଖ୍ୟାତ କଥାକାର ସୁରେନ୍ଦ୍ର ମହାନ୍ତିଙ୍କଦ୍ଵାରା ରଚନା କରାଯାଇଥିବା ଏକ କାଳଜୟୀ ଉପନ୍ୟାସ ଅଟେ । ଓଡ଼ିଶାର ଏକ ଗୌରବମୟ ଅତୀତ ଓ ତା'ର ସ୍ଵାଭିମାନ ରକ୍ଷା ପାଇଁ ରାଜା ରାମଚନ୍ଦ୍ର ଦେବଙ୍କର ସଂଘର୍ଷମୟ ଜୀବନର କଥା, ଏହି ଉପନ୍ୟାସର ବିଷୟ ବସ୍ତୁ ।

ପୁସ୍ତକ ସମୀକ୍ଷା[ସମ୍ପାଦନା]

କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ‘ନୀଳଶୈଳ’ ଓଡ଼ିଆ ଐତିହାସିକ ଉପନ୍ୟାସ ରଚନା କ୍ଷେତ୍ରରେ ଏକ ଅବିସ୍ମରଣୀୟ ସୃଷ୍ଟି । ଓଡ଼ିଆ ସମାଜ, ସଂସ୍କୃତି ଓ ଜାତୀୟ ଜୀବନର ଚିରନ୍ତନ ଗର୍ବ ଶ୍ରୀଜଗନ୍ନାଥଙ୍କୁ ଭିତ୍ତିକରି ଏହି ଉପନ୍ୟାସଟି ରଚିତ । ଏଥିରେ ଓଡ଼ିଶା ଜାତିର ଅତୀତ ଗୌରବ ଗାଥା ସହିତ ମୈତ୍ରୀ, ପ୍ରୀତି, ସମତା ଓ ବିଶୃଭାତୃତ୍ବର ଦେବତା ଶ୍ରୀଜଗନ୍ନାଥଙ୍କ ଇତିହାସ ସାହିତ୍ୟିକ ସୌନ୍ଦର୍ଯ୍ୟ ବୋଧନେଇ ଲିପିବଦ୍ଧ । ଏହି ଉପନ୍ୟାସର ଭୂମିକାରେ ଲେଖକ ଲେଖିଛନ୍ତି- “ଏପରି ଉପନ୍ୟାସ ଲେଖିବା ମୋ କଳ୍ପନାରେ ଆଦୌ ନଥିଲା । ମାତ୍ର ୧୯୬୪ ସାଲରେ ସେଥର ରଥଯାତ୍ରା ବେଳେ ଅତିନିକଟରୁ ଜଗନ୍ନାଥଙ୍କର ପହଣ୍ଡିବିଜେ ଦେଖିବାର ସୌଭାଗ୍ୟ ମୋର ଘଟିଥିଲା । ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର କିପରି ଅନ୍ତରଙ୍ଗ ସେହିଦିନ ସେ ଜନସମୁଦ୍ର ମଧ୍ୟରେ ଠିଆ ହୋଇ ମୁଁ ଲକ୍ଷ୍ୟ କରିଥିଲି । ବସ୍ତୁତଃ ମୋ ମତରେ ସମଗ୍ର ପୃଥିବୀରେ ଏହା ଏକ ଶ୍ରେଷ୍ଠ ବର୍ଣ୍ଣାଢ଼୍ୟ ଓ ପ୍ରେରଣାମୟ ଦୃଶ୍ୟର ଗୌରବ ଦାବୀ କରେ । କାଦମ୍ବରୀ ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତେକୀ ଟାହିଆର ଠାଣି ଓ ବିଜେ କାହାଳୀ, ଘଣ୍ଟନାଦ ମଧ୍ୟରେ ମୋର ଦୃଷ୍ଟିପଥରେ ଉଦ୍‌ଭାସିତ ହୋଇ ଉଠିଥିଲା, ଇତିହାସର ବହୁ କ୍ଷତବିକ୍ଷତ ସେଇ ଅରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ ! ସେ ଦିନର ସେଇ ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା, ‘ନୀଳଶୈଳ’ ତାହାର ପରିଣତି । [୧]

ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ‘ନୀଳଶୈଳ’ ଉପନ୍ୟାସ ଏକ ମନୋଜ୍ଞ ସୃଷ୍ଟି । ଏ ଉପନ୍ୟାସଟି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ଜୀବନ ଇତିହାସକୁ ଉପଜୀବ୍ୟ କରି ଗଢ଼ିଉଠିଛି । ଇତିହାସର ରାମଚନ୍ଦ୍ର ଦେବ ଏଠି ଏକ ଭିନ୍ନ ଭୂମିକାରେ ବିଦ୍ୟମାନ । ସମଗ୍ର ‘ନୀଳଶୈଳ’ ଉପନ୍ୟାସର କଥାବସ୍ତୁ ଭିତରେ ସେ ଏକ ନିରବଚ୍ଛିନ୍ନ, ନିଃସଙ୍ଗ, ସଂଗ୍ରାମୀ ଚରିତ୍ର । ତାଙ୍କର କ୍ଷତ୍ରିୟସୁଲଭ ସଂଗ୍ରାମଶୀଳ ନିଷ୍ଠାପର କର୍ମକୃତିର ଆଭାସ ଏହି ଉପନ୍ୟାସରେ ନାଟକୀୟ ରୀତିରେ ପରିକୀର୍ତ୍ତିତ । ଔପନ୍ୟାସିକ ଶ୍ରୀମହାନ୍ତି ତାଙ୍କୁ ଉତ୍କଳର ଭାଗ୍ୟବିଧାତା, ଜଗନ୍ନାଥ ସେବକ, ଅଭୂତପୂର୍ବ ବୀର ରୂପେ ଚିତ୍ରଣ କରିଛନ୍ତି । ପୂର୍ବ ସ୍ମୃତିର ରୋମନ୍ଥନରେ ଅତୀତର ଗବାକ୍ଷଦ୍ବାର ଉନ୍ମୁକ୍ତ ହୋଇ ଇତିହାସର ଆଲୋକରେ ‘ନୀଳଶୈଳ’ର ପୃଷ୍ଠା ଆଲୋକିତ ହୋଇଛି । ଅତୀତରେ ଅନ୍ଧକାର ତଳୁ ଇତିହାସ ମୁଣ୍ଡ ଟେକିଛି । କଳାପାହାଡ଼ ଚମ ଦଉଡ଼ିରେ ବାନ୍ଧି ଶ୍ରୀଜଗନ୍ନାଥଙ୍କୁ ଟାଣି ନେଇଥିଲା ବଡ ଦାଣ୍ଡରେ । ଅତୀତର ସେହି ମର୍ମାନ୍ତିକ ଜାତୀୟ ଓ ଧର୍ମୀୟ ଅଧଃପତନ ଏବଂ ଅପମାନର ପୁନରାବୃତ୍ତି ନଘଟାଇବା ପାଇଁ ରାଜା ରାମଚନ୍ଦ୍ର ଦେବ ଓରଫ ହାଫିଜ୍‌ କାଦର ବେଗଙ୍କର ଜୀବନମୂର୍ଚ୍ଛା ସଂଗ୍ରାମ ଉପରେ ଏହି ଉପନ୍ୟାସର କଥାବସ୍ତୁ ଆଧାରିତ । ଦୁଃଖର କଷାଘାତରେ ରାମଚନ୍ଦ୍ର ଦେବ କ୍ଷତବିକ୍ଷତ, ଶୋକର ଉଚ୍ଛ୍ବାସରେ ଆତ୍ମା ତାଙ୍କର ବିଭ୍ରାନ୍ତ । ତଥାପି ଲକ୍ଷ୍ୟ ଓ ସଙ୍କଳ୍ପର ମହାମେରୁ ପରି ସେ ଅଚଳ, ଅଟଳ ଓ ଦୃଢ଼ । ଇତିହାସ ପୃଷ୍ଠାରୁ ଲେଖକ ଏପରି ଏକ ନରପତିଙ୍କୁ ବାଛିଛନ୍ତି ଯାହାଙ୍କ ଚରିତ୍ର ଦ୍ବୈତସତ୍ତା ଓ ବ୍ୟକ୍ତିତ୍ବର ବହୁବିଚି଼ତ୍ର ଅଧ୍ୟାୟରେ ପୂର୍ଣ୍ଣ । ଓଡ଼ିଶା ଇତିହାସରେ ରାମଚନ୍ଦ୍ର ଦେବ ଏକମାତ୍ର ବ୍ୟତିକ୍ରମ । ମୁସଲମାନ ଧର୍ମଗ୍ରହଣ କରି ମଧ୍ୟ ଜଗନ୍ନାଥଙ୍କ ପ୍ରତି ଏପରି ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ଅର୍ଘ୍ୟର ଅର୍ପଣ ଆହୁରି ବିସ୍ମୟକର । ରେଜିୟା ବେଗମ୍‌ଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ପ୍ରବଳ, କିନ୍ତୁ ଲଳିତା ପାଟଦେଈଙ୍କ ପ୍ରତି ସେ ତିଳେମାତ୍ର ଅବିଚାର କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ରାମଚନ୍ଦ୍ର ଦେବ ଥିଲେ ଓଡ଼ିଶା ଇତିହାସର ଚମକପ୍ରଦ ଆକର୍ଷଣୀୟ ଚରିତ୍ର ।[୧]

ସଂକ୍ଷୀପ୍ତ କାହାଣୀ[ସମ୍ପାଦନା]

ଓଡ଼ିଶାର ଆଧ୍ୟମିତ୍କ ଓ ସାଂସ୍କୁତିକ ଇତିହାସରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବବିଦିତ । କୋଣସି ନିଦ୍ଦିଷ୍ଟ ଧର୍ମ , ମତବାଦ ବା ସାଂପ୍ରଦାୟର ପରିସର ମଧ୍ୟ୍ୟରେ ଜଗନ୍ନାଥ ଆବଦ୍ଧ ନୁହନ୍ତି । ତକି ଖାଁ , କଟକ ନାଏବ ନାଜିମ ହୋଇ ଆସିବା ପରଠାରୁ ଚାହୁଁ ଥିଲା ଯେ ଓଡ଼ିଆଙ୍କ ଇଷ୍ଟ ଜଗନ୍ନାଥଙ୍କୁ ଗାଦିଚ୍ୟୁତ କରିବ । ସେ ଠିକ ବୁଝିଥିଲାଯେ ଜଗନ୍ନାଥ ହେଉଛନ୍ତି ଅପରାଜୟ ଓଡ଼ିଆ ଜାତିର ଆତ୍ମା ଓ ଓଡ଼ିଆଙ୍କ ଏକତ୍ଵର ପ୍ରତୀକ । ତୃତୀୟ ଅନଙ୍ଗଭୀମଦେବଙ୍କ ପରଠାରୁ ଜଗନ୍ନାଥ ହିଁ ଓଡ଼ିଶାର ରାଜା ଥିଲେ । ଖୋର୍ଦ୍ଧା ରାଜା କେବଳ ତାଙ୍କ ପ୍ରତିନିଧି ରୂପେ କାର୍ଯ୍ୟ କରୁଥିଲେ । [୨]
ପ୍ରଥମ ଆକ୍ରମଣ ସମୟରେ ସେନାପତି ବେଣୁ ଭ୍ରମରବରଙ୍କ ବିଶ୍ଵାସଘାତକତା ଯୋଗୁଁ , ସୁପରିକଳ୍ପିତ ରଣନୀତି ସତ୍ଵେ ରାଜା ବନ୍ଦୀ ହୋଇଛନ୍ତି । ପରେ ତକି ଖାଁର ଭଗିନୀ 'ରିଜିଆ'ଙ୍କୁ ବିବାହ କରିଛନ୍ତି ଓ ମୁସଲମାନ ଧର୍ମ ଗ୍ରହଣ କରି ହାଫିଜ କାଦର ହୋଇଛନ୍ତି ଓ ଫେରି ଆସିଛନ୍ତି ଖୋର୍ଦ୍ଧା । ...

ଚରିତ୍ର[ସମ୍ପାଦନା]

ଏହି ଉପନ୍ୟାସର ପୃଷ୍ଠଭୂମିରେ, ଓଡ଼ିଶାର ଇତିହାସ ଓ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ କିମ୍ବଦନ୍ତୀ ସହ ସଂଶ୍ଲିଷ୍ଟ ଅନେକ ଚରିତ୍ରର ଅବତାରଣା ହୋଇଛି । କିଛି ପ୍ରମୁଖ ଚରିତ୍ର ହେଲେ-

  • ରାଜା ରାମଚନ୍ଦ୍ର ଦେବ / ହାଫିଜ୍ କାଦର୍
  • ପାଟରାଣୀ ଲଳିତା ମହାଦେଇ
  • ଭାଗୀରଥୀ କୁମାର
  • ସରଦେଇ
  • ରିଜିଆ
  • ଜଗୁନି
  • ସେନାପତି ବେଣୁ ଭ୍ରମରବର
  • ତକିଖାଁ
  • ରାଜଗୁରୁ ଲକ୍ଷ୍ମୀ ପରମଗୁରୁ
  • ଅମିନ୍‌ଚାନ୍ଦ୍

ଆଧାର[ସମ୍ପାଦନା]

  1. ୧.୦ ୧.୧ ଓଡ଼ିଆ ଉପନ୍ୟାସର ଇତିହାସ
  2. ନୀଳଶୈଳ ଭୂମିକା , ନବମ ସଂସ୍କରଣ (ସୁରେନ୍ଦ୍ର ମହାନ୍ତି)

ବାହାର ଲିଙ୍କ[ସମ୍ପାଦନା]

  1. http://www.odiasahitya.com/odia-language-literature-discussion/itihasara-pattabhumire/