Jump to content

ନିତେଇ ଧୋବଣୀ

ଉଇକିପିଡ଼ିଆ‌ରୁ
ନିତେଇ ଧୋବଣୀ
ବୃତ୍ତିଧୋବଣୀ
କାଳଏକାଦଶ ଶତାବ୍ଦୀ
ବିରୋଧୀଆଚାର୍ଯ୍ୟ ସୋମେଶ୍ୱର

ନିତେଇ ଧୋବଣୀ ଓଡ଼ିଶାର ପ୍ରାଚୀନ ଶାବର ତନ୍ତ୍ର ସାଧିକା ଥିଲେ । ଏକାଦଶ ଶତାବ୍ଦୀରେ ଉତ୍କଳର ପ୍ରସିଦ୍ଧ ସାତ ଭଉଣୀଙ୍କ ମଧ୍ୟରୁ ନିତେଇ ସବୁଠୁଁ ପ୍ରସିଦ୍ଧ ଥିଲେ ।[]

ଜନ୍ମ ଓ ଜୀବନ

[ସମ୍ପାଦନା]

ବୌଦ୍ଧଧର୍ମର ସହଜଯାନ ମାର୍ଗର ପ୍ରବର୍ତ୍ତିକା ମହାସିଦ୍ଧ ଲକ୍ଷ୍ମୀଙ୍କରଙ୍କ ମାର୍ଗରେ ବିଶ୍ୱାସ ରଖିଥିବା ଉତ୍କଳର ସାତ ଭଉଣୀ ବା ସପ୍ତସାଧିକା ମହାନ ତନ୍ତ୍ରସାଧିକା ଥିଲେ । ସେମାନଙ୍କର ନାମ ହେଲା- ନିତେଇ ଧୋବଣୀ, ଜ୍ଞାନ ଦେଈ ମାଲୁଣୀ, ଗାଙ୍ଗୀ ଗଉଡ଼ୁଣୀ, ଶୁଆ ତେଲୁଣୀ, ଲୁହୁକୁଟି ଲୁହୁରାଣୀ, ସୁକୁଟି ଚମାରୁଣୀ ଓ ପତ୍ରପିନ୍ଧି ଶଉରୁଣୀ । ଏମାନଙ୍କୁ ସପ୍ତଭଗିନୀ, ସାତ ବହିଣୀ, ସପ୍ତସାଧିକା, ଯମ ମା' ସାତ ଭଉଣୀ ଓ ସ୍ଥାନେ ସ୍ଥାନେ ସପ୍ତମାତୃକା ଇତ୍ୟାଦି ବହୁନାମରେ ଜଣାଯାଏ । ସାତଜଣ ସମାଜର ନିମ୍ନ ଶ୍ରେଣୀଗୁଡ଼ିକରୁ ଆସିଥିଲେ ଓ ପୁରୀରେ ସମସ୍ତେ ଏହାଙ୍କ ତାନ୍ତ୍ରିକ ଶକ୍ତି ଯୋଗୁଁ ଭୟଭୀତ ହେଉଥିଲେ । ବିଶେଷ କରି ତତ୍କାଳୀନ ସମାଜର ନୀଚବର୍ଗ ଯଥା ଶବର ଓ ଦରିଦ୍ରମାନେ ଏହି ସାତ ଭଉଣୀଙ୍କୁ ବହୁ ଆଦର କରୁଥିଲେ ।[] କୁଆଁରୀପାଟଣା ଅଞ୍ଚଳର ନାମକରଣ ଏହି ସାତଜଣ କୁମାରୀଙ୍କ ପରେ ହୋଇଛି । ପରେ ପରେ ଏହାଙ୍କର ଆଶ୍ଚର୍ଯ୍ୟଜନକ ଶକ୍ତି ଯୋଗୁଁ ଏମାନେ ପୂଜିତ ହେଲେ । ଏମାନଙ୍କୁ ଆଜି ମଧ୍ୟ ଆରାଧନା କରାଯାଏ । [][]

କିମ୍ବଦନ୍ତୀ

[ସମ୍ପାଦନା]

ଓଡ଼ିଆ ଲୋକସାହିତ୍ୟରେ ନିତେଇ ଧୋବଣୀଙ୍କୁ ନେଇ ଅନେକ କାହାଣୀ ରହିଛି । ଏହି କାହାଣୀଗୁଡ଼ିକ ମୁଖ୍ୟତଃ ଗୁଣିଗାରେଡ଼ି, କା ଉଁରୀ ମନ୍ତ୍ର ଇତ୍ୟାଦି ବିଷୟରେ ଥାଏ । ମାଦଳା ପାଞ୍ଜିରେ ମଧ୍ୟ ନିତେଇ ଧୋବଣୀଙ୍କ ବିଷୟରେ ଉଲ୍ଲେଖ ରହିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ନିତେଇଙ୍କୁ ନେଇ ଅନେକ ଅଦ୍ଭୁତ ଘଟଣା ରହିଛି ।

ରାଣ୍ଡିପୁଅ ଅନନ୍ତା କାହାଣୀ

[ସମ୍ପାଦନା]

ଏହି କାହାଣୀରେ ନିତେଇ ଧୋବଣୀ ଛୋଟ ଚୋଳଗଙ୍ଗଙ୍କୁ ଉତ୍କଳର ରାଜା କରିବା କଥା ବର୍ଣ୍ଣିତ । ଏଣୁ ସାତଭ ଉଣୀଙ୍କ ସାଧନା କରି ଓଡ଼ିଶାରେ ଗଙ୍ଗବଂଶ ସ୍ଥାପନା ହୋଇଥିଲା ବୋଲି କୁହାଯାଏ ।[]

ଏହାର ଅନ୍ତରେ ଅଘୋର ମାର୍କଣ୍ଡେୟ ଶିବଙ୍କ ଉପାସକ ଆଚାର୍ଯ୍ୟ ସୋମେଶ୍ୱର ଓ ଜଗନ୍ନାଥଙ୍କ ଉପାସିକା ନିତେଇଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଏ । ଏହି ପ୍ରତିଯୋଗିତାରେ ନିତେଇ ନିଜ ଜଗନ୍ନାଥଙ୍କୁ ସ୍ମରଣ କରି ନିଜ ତନ୍ତ୍ରଶକ୍ତିରେ ବିଜୟିନୀ ହୁଅନ୍ତି ଓ ଏହାଦ୍ୱାରା ମାର୍କଣ୍ଡେୟଙ୍କ ଉପରେ ଜଗନ୍ନାଥଙ୍କ ପ୍ରାଧାନ୍ୟ ପ୍ରତିପାଦିତ ହୁଏ ।[]

ଗୁଣିଗାରେଡ଼ି

[ସମ୍ପାଦନା]

ଗାଉଁଲି ବିଶ୍ୱାସରେ ସ୍ତ୍ରୀମାନଙ୍କୁ ଡାହାଣୀ ଲାଗିଲେ ପ୍ରତିଷେଧକ ମନ୍ତ୍ରଯନ୍ତ୍ରକୁ ପ୍ରୟୋଗ କରାଯାଏ । ଏହି ବିଦ୍ୟାକୁ ଗାରେଡ଼ି ବା ଗାରୁଡ଼ି ବିଦ୍ୟା କୁହାଯାଏ । ଏହା ଶିକ୍ଷା କରିବାକୁ ହେଲେ 'କାଉଁରୀ କାମାଖ୍ୟା' ବା 'କାଉଁରୀ କାମଚଣ୍ଡୀ'ଙ୍କ ଅଞ୍ଚଳରେ ଯାଇ ଶିକ୍ଷା କରିହେବ ବୋଲି ଲୋକେ କୁହନ୍ତି । ସେହି ଅଞ୍ଚଳରେ ନିତେଇ ମା' ଧୋବଣୀ ଓ ପିତେଇ ମା' ସଉରୁଣୀ ପ୍ରଧାନ ଗୁରୁ ଥିଲେ ବୋଲି ଏ ପର୍ଯ୍ୟନ୍ତ ଝଡ଼ାଫୁଙ୍କାର ଅଧିକାଂଶ ମନ୍ତ୍ର ସେମାନଙ୍କ ନାମରେ ଭଣିତା ହୋଇଥିବା ଦେଖାଯାଏ ।[]

ମନ୍ତ୍ରଗୁଡ଼ିକ ସ୍ତ୍ରୀଙ୍କୁ ଗ୍ରାସ କରିଥିବା ଡାହାଣୀକୁ ସମ୍ବୋଧନ କରି ଲେଖାଯାଇଥାଏ । ଏହାର ଗୋଟିଏ ଉଦାହରଣ ହେଉଛି-

ଛାଡ଼ ଛାଡ଼ ବୋଲି କାହାର ଆଜ୍ଞା ?
ନିତେଇ ମା' ଧୋବଣୀ,
ପିତେଇ ମା' ସଉରୁଣୀଙ୍କ
କୋଟି କୋଟି ଆଜ୍ଞା ।

ସପ୍ତମାତୃକା ପୀଠ, ପୁରୀ

[ସମ୍ପାଦନା]

ନିତେଇ ଧୋବଣୀ ଓ ପିତେଇ ସଉରୁଣୀ ପୁରୀ ମାର୍କଣ୍ଡେଶ୍ୱର ସାହିର ସପ୍ତମାତୃକା ପୀଠରେ ରହି ଜଗନ୍ନାଥ ଓ ବିମଳାଙ୍କୁ ଭୈରବ ଓ ଭୈରବୀଙ୍କ ରୂପରେ ଉପାସନା କରୁଥିଲେ ବୋଲି ଜନଶ୍ରୁତି ରହିଛି ।[]

ବାଲି ଭୁଆସୁଣୀ ପୀଠ, କଟକ

[ସମ୍ପାଦନା]

କଟକ ଜିଲ୍ଲାର ବାଲି ଭୁଆସୁଣୀ ପୀଠରେ କିମ୍ବଦନ୍ତୀ ରହିଛି ଯେ ନିତେଇ ଧୋବଣୀ ଆରାଧ୍ୟା ଦେବୀ ମା ଭୁଆସୁଣୀଙ୍କୁ ତନ୍ତ୍ରବଳରେ ଉଡ଼ାଇ ନେଇଯାଉଥିବା ବେଳେ ପିତେଇ ସଉରୁଣୀ ନିଜ ଭକ୍ତିବଳରେ ଦେବୀଙ୍କୁ ଅଥାରେ ସ୍ଥାପନା କରାଇଥିଲେ ।

ଅଣସର ବେଳେ ଜଗନ୍ନାଥଙ୍କ ଚକା ଅସରପ ନୀତି

[ସମ୍ପାଦନା]

ଅଣସର ପୂଜା ବେଳେ ଜଗନ୍ନାଥଙ୍କୁ ଅସରପ ନାମର ଗୋଲ ତକିଆ ଲାଗି କରାଯାଏ । ଏହି ନୀତିକୁ 'ଚକା ଅସରପ ଲାଗି' କୁହାଯାଏ ।

ଅସରପ ଏକ ତାନ୍ତ୍ରିକ ମହାପୂଜାକାଳୀନ ଶବ୍ଦ । ଅସରପ ହେଉଛି ଓଡ଼ିଆ ଜନପଦୀୟ ତନ୍ତ୍ରର ଏକ ଯନ୍ତ୍ର ବିଶେଷ । ଗଜପତିଙ୍କ ପରମ୍ପରାରେ ଏହାକୁ ତୁଳୀତଳ୍ପ କୁହାଯାଏ । ଶାବରତନ୍ତ୍ରରେ ନିତେଇ ଧୋବଣୀ ମଧ୍ୟ ଅସରପ ଯନ୍ତ୍ର ଉପରେ ପୂଜା କରୁଥଲେ । ଚୂଡ଼ଙ୍ଗ ପୋଖରୀର ଅଣତୁଠରେ ଦକ୍ଷିଣ ଦିଗକୁ ମୁହଁ କରି ନିତେଇ ଧୋବଣୀ ନୀଳଚକ୍ରକୁ ଏକ ଲୟରେ ଚାହିଁ ରହି ଅସରପ ଉପରକୁ ମହାପ୍ରଭୁଙ୍କୁ ଫୁଲ ମାଧମରେ ବାଳଗୋପାଳ (ଗୋପୀଜନ) ରୂପରେ ଆବାହନ କରୁଥଲେ ।[]

ଚୂଡ଼ଙ୍ଗ ସାହି, ପୁରୀ

[ସମ୍ପାଦନା]

ପୁରୀ ଚୂଡ଼ଙ୍ଗ ସାହିର 'ବଡ଼ୁ ମହାପାତ୍ର ଜାଗା'ରେ ଚୋଳଗଙ୍ଗଦେବଙ୍କ ସହ ନିତେଇ ଧୋବଣୀଙ୍କ ବିଗ୍ରହ ଅଦ୍ୟାପି ପୂଜିତ ହେଉଛି । [] ନିତେଇ ଧୋବଣୀଙ୍କୁ ଏଠାରେ ଗାରେଡ଼ି ସୁଣୀ, ଅର୍ଥାତ 'ଡାହାଣୀ ବିଦ୍ୟାରେ ନିପୁଣା' - ଏହି ନାମରେ ଜଣାଯାଏ । ଏହି ବିଗ୍ରହରେ ନିତେଇ ଏକ ଆସନ ଉପରେ ବିରାଜିତ ହୋଇ ଉଦୁଖଳ ସହ ଖୋଦିତ ହୋଇଛନ୍ତି । ଚୋଳଗଙ୍ଗ ଦେବଙ୍କୁ ଧନୁଶର ଧରି ସିଂହାସନ ଉପରେ ବସିଥିବା ଚିତ୍ରିତ କରାଯାଇଛି । ତାଙ୍କ ଦୁଇ ପାରୁଶରେ ଛତ୍ର ଓ ଚାମର ଧରି ଦୁଇଗୋଟି ସେବକ ମଧ୍ୟ ରହିଛନ୍ତି । []

ପୂର୍ବରୁ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ନିତ୍ୟ ଏଠାରେ ଅର୍ପଣ କରାଯା ଉଥିଲା କିନ୍ତୁ ଗତ ଚାଳିଶ ବର୍ଷ ହେଲା ଏହି ପ୍ରଥା ବନ୍ଦ ହୋଇ ରହିଛି । ବିଜୟା ଦଶମୀ ଦିନ ଏଠାରେ ବାର୍ଷିକ ଉପାସନା ହୁଏ ଯହିଁରେ ବଡ଼ୁ ମହାପାତ୍ର ସେବକ ମହାପ୍ରଭୁ ବଳଭଦ୍ରଙ୍କର ପ୍ରସାଦ ଦେବୀ ବିମଳାଙ୍କୁ ଅର୍ପଣ କରାଗଲା ପରେ ଏହି ଦୁଇ ବିଗ୍ରହ ଓ ହନୁମାନଙ୍କ ଏକ ବିଗ୍ରହଙ୍କୁ ଅର୍ପଣ କରିଥାନ୍ତି ।[]

ଓଳାଶୁଣୀ ଗୁମ୍ଫା, ଯାଜପୁର

[ସମ୍ପାଦନା]

ଓଳାଶୁଣି ଗୁମ୍ଫାରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠରେ କୌଣସି ବୌଦ୍ଧଶ୍ରମଣ, ନିତେଇ ଧୋବଣୀ କିମ୍ବା ପତର ସଉରୁଣୀ ଆଦି ତନ୍ତ୍ରାଚାରୀଙ୍କର ସଙ୍କେତ ପରିଦୃଷ୍ଟ ହୁଏ ।

ଚଇତି ମଙ୍ଗଳବାର ଓଷା

[ସମ୍ପାଦନା]

ଚଇତି ମଙ୍ଗଳବାର ଓଷା ବା ଚୈତ୍ର ମଙ୍ଗଳବାର ଓଷାରେ ଉଲ୍ଲେଖ ରହିଛି ଯେ ସେହି ଓଷାବିଧିକୁ କେବଳ ସ୍ୱର୍ଗରେ ନିତେଇ ଧୋବଣୀ ଓ ମଞ୍ଚପୁରେ(ମର୍ତ୍ତ୍ୟରେ) ଚଇତି ହାଡ଼ିଆଣୀ ପାଳନ କରନ୍ତି ।

ଚଇତି ମଙ୍ଗଳବାର କେହି ନ କରନ୍ତି । ସ୍ୱର୍ଗର ନିତେଇ ଧୋବଣୀ କରେ । ମଞ୍ଚ ପୁରେ ଚଇତି ହାଡ଼ିଆଣୀ କରଇ । ରାଜା ଚଇତି ହାଡ଼ିଆଣୀଠାରୁ ଓଷା ବିଧି ଶୁଣି ରାଣୀମାନଙ୍କୁ ଓଷା କରାଇଲେ ଏବଂ ଫଳ ସ୍ୱରୂପ ପୁତ୍ର ଲାଭ କଲେ ।

ଅଧିକ ପଠନ

[ସମ୍ପାଦନା]
  1. ୧.୦ ୧.୧ ୧.୨ ୧.୩ ନିତେଇ ଧୋବଣୀ ଓ ଜ୍ଞାନଦେଈ ମାଲୁଣୀ
  2. Chitrasen Pasayat - ORAL NARRATIVE AND HINDU METHOD OF ASSIMILATION: A CASE OF MARJARAKESARI IN NARSINGHNATH, Page 21.
  3. Buddhism, PediaPress
  4. ଓଡ଼ିଶାର ଦେବୀ ପରମ୍ପରା ସମ୍ପର୍କରେ କେତୋଟି ତଥ୍ୟ, October 10 2016, Odisha.com
  5. ଗଣେଶ ପ୍ରସାଦ ପରିଜା - ଯୁଗେ ଯୁଗେ ଜଗନ୍ନାଥ, ନିତେଇ ଧୋବଣୀ କଥା ।
  6. ଗୋପାଳ ଚନ୍ଦ୍ର ପ୍ରହରାଜ - ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, 'ଡାହାଣୀ'
  7. Er. Raghunath Patra - The Cult of Saktism in Orissa. Orissa Review, September 2009, Page 31.
  8. ୮.୦ ୮.୧ ସୁରେନ୍ଦ୍ର କୁମାର ମିଶ୍ର - "ଶବରତନ୍ତ୍ରରେ ନିତେଇ ଧୋବଣୀ ଅସରପ ଉପରେ ପୂଜା କରୁଥିଲେ". ଧରିତ୍ରୀ. Retrieved 21 September 2015.