ନକୁଳ (ମହାଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search

ହିନ୍ଦୁ ମହାକାବ୍ୟ ମହାଭାରତରେ ବର୍ଣ୍ଣିତ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ନକୁଳ ହେଉଛନ୍ତି ଚତୁର୍ଥ ପାଣ୍ଡବ । ଅଶ୍ୱିନୀକୁମାରଙ୍କ ଆଶୀର୍ବାଦରୁ ଜାତ, ମାତା ମାଦ୍ରିଙ୍କ ଦୁଇ ଯାଆଁଳା ସନ୍ତାନ ହେଉଛନ୍ତି ନକୁଳ ଏବଂ ସହଦେବ[୧] ସେମାନଙ୍କର ପିତାମାତା - ପାଣ୍ଡୁ ଏବଂ ମାଦ୍ରି ଶୀଘ୍ର ମୃତ୍ୟୁବରଣ କରିବାରୁ, ଦୁଇ ଯାଆଁଳା ଶିଶୁ ସେମାନଙ୍କ ସାବତ ମା କୁନ୍ତୀଙ୍କଦ୍ୱାରା ପାଳିତ ହୋଇଥିଲେ । ସମୟକ୍ରମେ ସେମାନେ ହସ୍ତିନାପୁରରେ ଗୁରୁ ଦ୍ରୋଣଙ୍କଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଥିଲେ ।

ଜଣେ ନିପୁଣ ଆୟୁର୍ବେଦଜ୍ଞ, ଅସୀଯୁଦ୍ଧରେ ସିଦ୍ଧହସ୍ତ ତଥା ଘୋଡା ରଖିବାରେ ପାରଙ୍ଗମ ନକୁଳଙ୍କୁ, ମହାଭାରତର ସବୁଠାରୁ ସୁନ୍ଦର ବ୍ୟକ୍ତି ଭାବରେ ବିବେଚନା କରାଯାଏ ।[୨] ତାଙ୍କର ଦୁଇଟି ପତ୍ନୀ ଥିଲେ - ପାଞ୍ଚ ଭାଇଙ୍କ ସାଧାରଣ ପତ୍ନୀ ଦ୍ରୌପଦୀ ଏବଂ ଚେଦୀରାଜ ଶିଶୁପାଳଙ୍କ ଝିଅ କରୀନୁମତି । ଯୁଧିଷ୍ଠିରଙ୍କ ରାଜାସୁୟ ଯଜ୍ଞ ପାଇଁ ସେ ଶିବି, ରୋହତକ ଏବଂ ଅନ୍ୟାନ୍ୟ ରାଜବଂଶକୁ ପରାସ୍ତ କରିଥି । ପଶାଖେଳରେ ହାରିଯାଇ ପାଣ୍ଡବମାନେ ଯେତେବେଳେ ଅଜ୍ଞାତ ବାସ କରୁଥିଲେ, ନକୁଳ ସେତେବେଳେ ନିଜକୁ ଗ୍ରନ୍ଥିକ ନାମକ ଘୋଡା ପ୍ରଶିକ୍ଷକ ଭାବରେ ଛଦ୍ମନାମରେ ପରିଚୟ ଦେଇ ଅଜ୍ଞାତବାସ ସଂପୂର୍ଣ୍ଣ କରିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ, ନକୁଳ ଶକୁନିଙ୍କ ପୁଅ ଉଲ୍ଲୁକଙ୍କ ସମେତ ଅନେକ ଯୋଦ୍ଧାଙ୍କୁ ହତ୍ୟା କରିଥିଲେ ।

ଅଷ୍ଟାଦଶ ଶତାବ୍ଦୀର ତୈଳଚିତ୍ରରେ ନକୁଳ

ଜନ୍ମ[ସମ୍ପାଦନା]

ଋଷି କିନ୍ଦମଙ୍କ ଅଭିଶାପ ଯୋଗୁଁ ପାଣ୍ଡୁ ସନ୍ତାନହୀନ ଥିଲେ । ଏ ପରିପ୍ରେକ୍ଷୀରେ ମାତା କୁନ୍ତୀଙ୍କୁ ତାଙ୍କର ତିନି ସନ୍ତାନ ଜନ୍ମ ଦେବା ପାଇଁ ଋଷି ଦୁର୍ବାସା ଦେଇଥିବା ବର ବ୍ୟବହାର କରିବାକୁ ପଡିଲା । ସେ ଅଶ୍ୱିନୀ କୁମାରଙ୍କୁ ସ୍ମରଣ କରି ତାଙ୍କରି ଆଶୀର୍ବାଦରୁ ନକୁଳ ଏବଂ ସହଦେବଙ୍କୁ ଜନ୍ମ ଦେଇଥିଲେ । ନକୁଳ କୁରୁ ବଂଶର ସବୁଠାରୁ ସୁନ୍ଦର ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ।[୩]

ବାଲ୍ୟକାଳରେ, ନକୁଳ ତାଙ୍କ ପିତା ପାଣ୍ଡୁ ଏବଂ ଶତଶୃଙ୍ଗ ଆଶ୍ରମର ଶୁକ ନାମକ ଋଷିଙ୍କ ଅଧିନରେ ଖଣ୍ଡା ଓ ଛୁରୀ ଯୁଦ୍ଧରେ ନିଜର ଦକ୍ଷତା ଅର୍ଜନ କରିଥିଲେ । ପରେ ପାଣ୍ଡୁ ଯେତେବେଳେ ତାଙ୍କ ପତ୍ନୀ ମାଦ୍ରିଙ୍କ ସହ ଦୈହିକ ମିଳନ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ଅଭିଶାପ ବଳରେ ନିଜ ଜୀବନ ହରାଇଥିଲେ । ଶେଷରେ ମାଦ୍ରି ମଧ୍ୟ ନିଜ ସ୍ୱାମୀଙ୍କ ଚିତାରେ ଝାସ ଦେଇ ସତୀ ଭାବେ ଜୀବନ ହାରିଲେ । ଏହାପରେ ନକୁଳ ତାଙ୍କ ଭାଇମାନଙ୍କ ସହିତ ହସ୍ତିନାପୁରକୁ ଚାଲିଗଲେ ଯେଉଁଠାରେ ତାଙ୍କୁ କୁନ୍ତୀ ଲାଳନପାଳନ କରିଥିଲେ । କୁନ୍ତୀ ତାଙ୍କୁ ନିଜ ପୁଅମାନଙ୍କ ପରି ଭଲ ପାଉଥିଲେ ।[୪]

ନକୁଳ ଦ୍ରୋଣଙ୍କ ତତ୍ତ୍ୱାବଧାନରେ ତୀରନ୍ଦାଜ ଏବଂ ଅସୀବିଦ୍ୟାରେ ଦକ୍ଷତା ଅର୍ଜନ କରିଥିଲେ । ଅନ୍ୟ ପାଣ୍ଡବ ଭାଇମାନଙ୍କ ସହ ନକୁଳଙ୍କୁ ଧର୍ମ, ବିଜ୍ଞାନ, ପ୍ରଶାସନ ଏବଂ ସାମରିକ କଳା ବିଷୟରେ କୁରୁ କୁଳଗୁରୁ କୃପାଚାର୍ଯ୍ୟ ଏବଂ ଦ୍ରୋଣାଚାର୍ଯ୍ୟ ତାଲିମ ଦେଇଥିଲେ । ତେବେ ସେ ଘୋଡା ଚାଳନାରେ ବିଶେଷ ପାରଙ୍ଗମ ଥିଲେ ।

ବିବାହ ଓ ସନ୍ତାନ[ସମ୍ପାଦନା]

ଯେତେବେଳେ ପାଣ୍ଡବ ଏବଂ ସେମାନଙ୍କ ମା କୁନ୍ତୀ ଲାକ୍ଷାଗୃହ ଦାହ ଘଟଣା ପରେ ଗୋପନରେ ରହିଥିଲେ, ଅନ୍ୟ ଭାଇ ମାନଙ୍କ ସହ ନକୁଳ ମଧ୍ୟ ଦ୍ରୌପଦୀଙ୍କ ସହ ବିବାହ କରିଥିଲେ । ନକୁଳଙ୍କ ଶତାନିକ ନାମରେ ଏକ ପୁତ୍ର ମଧ୍ୟ ଥିଲେ ଯିଏ କୁରୁକ୍ଷେତ୍ର ଯୁଦ୍ଧରେ ଅଶ୍ୱତଥାମାଙ୍କଦ୍ୱାରା ନିହତ ହୋଇଥିଲେ ।

ସେ ଶିଶୁପାଳଙ୍କ ଝିଅକୁ ମଧ୍ୟ ବିବାହ କରିଥିଲେ, ଯିଏ ନିରମିତ୍ର ନାମକ ଏକ ପୁତ୍ର ଜନ୍ମ ଦେଇଥିଲେ ।[୫] ପିତା ନକୁଳଙ୍କ ପରେ ପରେ ନିରମିତ୍ର ଉତ୍ତର ମାଦ୍ର ରାଜ୍ୟର ରାଜା ହୋଇଥିଲେ ।

ନିର୍ବାସନ[ସମ୍ପାଦନା]

ପଶା ଖେଳରେ ଯୁଧିଷ୍ଠିରଙ୍କ ହାରିଯିବା ପରେ ସମସ୍ତ ପାଣ୍ଡବଙ୍କୁ ୧୩ ବର୍ଷ ନିର୍ବାସନରେ ରହିବାକୁ ପଡିଥିଲା । ନିର୍ବାସନ ସମୟରେ ଥିବା ବେଳେ ଜଟାସୁର ନାମକ ରାକ୍ଷସ ଜଣେ ଛଦ୍ମ ବ୍ରାହ୍ମଣ ରୂପେ ନକୁଳ, ଦ୍ରୌପଦୀଙ୍କ୍ନା ସହିତ ସହଦେବ ଏବଂ ଯୁଧିଷ୍ଠିରଙ୍କୁ ଅପହରଣ କରି ନେଇଥିଲେ । ଶେଷରେ ଭୀମ ସେମାନଙ୍କୁ ଉଦ୍ଧାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯୁଦ୍ଧରେ ନକୁଳ କ୍ଷେମଙ୍କରା,ମହାମାହା ଏବଂ ସୁରଥଙ୍କୁ ବଧ କରିଥିଲେ । ନିର୍ବାସନର ଶେଷ ବର୍ଷରେ, ନକୁଳ ନିଜକୁ ଏକ ଅଶ୍ୱରକ୍ଷକ ଭାବେ ଗ୍ରନ୍ଥିକା ଛଦ୍ମନାମରେ ବିରାଟ ରାଜ୍ୟରେ (ନିଜ ମଧ୍ୟରେ ପାଣ୍ଡବ ତାଙ୍କୁ ଜୟସେନା ବୋଲି ଡାକିଲେ) ବିତାଇଥିଲେ । ସେ ଏକ ଘୋଡା-ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ଯିଏ ରାଜକୀୟ ଅଶ୍ୱଶାଳାରେ ଘୋଡାମାନଙ୍କର ଯତ୍ନ ନେଉଥିଲେ ।[୬]

କୁରୁକ୍ଷେତ୍ର ଯୁଦ୍ଧରେ ଭୂମିକା[ସମ୍ପାଦନା]

ନକୁଳ ଚାହୁଁଥିଲେ କି ଦ୍ରୁପଦ ପାଣ୍ଡବ ସେନାର ସେନାପତି ହୁଅନ୍ତୁ, କିନ୍ତୁ ଯୁଧିଷ୍ଠିର ଏବଂ ଅର୍ଜୁନ ସେନାପତି ଭାବେ ଧୃଷ୍ଟଦ୍ୟୁମ୍ନଙ୍କୁ ବାଛିଥିଲେ ।

ଜଣେ ଯୋଦ୍ଧା ଭାବରେ ନକୁଳ ଶତ୍ରୁ ପକ୍ଷର ବିଶିଷ୍ଟ ଯୋଦ୍ଧାମାନଙ୍କୁ ହତ୍ୟା କରିଥିଲେ । ନକୁଳଙ୍କ ରଥର ପତାକା ସୁବର୍ଣ୍ଣ ପୃଷ୍ଠ ବିଶିଷ୍ଟ ଏକ ଲୋହିତ ହରିଣର ଛବିରେ ଶୋଭା ପାଉଥିଲା । ନକୁଳ ସପ୍ତ ଅକ୍ଷହୌଣୀ ସୈନ୍ୟବାହିନୀ ମଧ୍ୟରୁ ଏକ ଅକ୍ଷହୌଣୀର ସେନାମୁଖ୍ୟ ମଧ୍ୟ ଥିଲେ ।

ଯୁଦ୍ଧର ପ୍ରଥମ ଦିନରେ ନକୁଳ ଦୁଃଶାସନଙ୍କୁ ପରାସ୍ତ କରି ତଙ୍କ ଜୀବନ ରକ୍ଷା କରିଥିଲେ ଏଇଥିପାଇଁ ଯେ ଦୁଃଶାସନଙ୍କୁ ବଧ କରି ଭୀମ ତାଙ୍କ ଶପଥ ପୂରଣ କରିପାରିବେ ।

ଏକାଦଶ ଦିନରେ ନକୁଳ ଶଲ୍ୟଙ୍କୁ ପରାସ୍ତ କରି ତାଙ୍କ ରଥକୁ ନଷ୍ଟ କରିଦେଲେ ।

ଯୁଦ୍ଧର ତ୍ରୟୋଦଶ ଦିନରେ, ଦ୍ରୋଣାଚାର୍ଯ୍ୟଙ୍କ ଚକ୍ରବ୍ୟୁହ ଭେଦ କାଳରେ ଜୟଦ୍ରଥ ତାଙ୍କୁ ବାଧା ଦେଇ ଏଥିରୁ ନିବୃତ୍ତ କରିଥିଲେ ।

ଚତୁର୍ଦ୍ଦଶ ଦିବସରେ ସେ ଶକୁନିଙ୍କୁ ପରାସ୍ତ କରିଥିଲେ ।

ପଞ୍ଚଦଶ ଦିନରେ ସେ ଦୁର୍ଯ୍ୟୋଧନଙ୍କଦ୍ୱାରା ପରାସ୍ତ ହୋଇଥିଲେ କିନ୍ତୁ ଚେକିତନ ତାଙ୍କୁ ଉଦ୍ଧାର କରିଥିଲେ ।

ଷୋଡଶ ଦିନରେ, ସେ କର୍ଣ୍ଣଙ୍କଦ୍ୱାରା ପରାସ୍ତ ହୋଇଥିଲେ, ତେବେ କର୍ଣ୍ଣ ତାଙ୍କୁ ଜୀବନ ଦାନ ଦେଇଥିଲେ ।[୭]

ସପ୍ତଦଶ ଦିବସରେ ସେ ଶକୁନିଙ୍କ ପୁଅ ବୃକାସୁରକୁ ହତ୍ୟା କରିଥିଲେ ଏବଂ ଯୁଦ୍ଧର ନିୟମ ସ୍ଥିର କରିବା ଦିନ ଗ୍ରହଣ କରିଥିବା ଶପଥ ପୂରଣ କରିଥିଲେ ।

ଯୁଦ୍ଧର ଅଷ୍ଟାଦଶ ଦିବସରେ ସେ କର୍ଣ୍ଣଙ୍କ ତିନି ପୁତ୍ର, ସୁଶେଣ, ଚିତ୍ରାସେନ ଏବଂ ସତ୍ୟସେନାଙ୍କୁ ହତ୍ୟା କରିଥିଲେ ।

ଅଧିକ ପଢନ୍ତୁ[ସମ୍ପାଦନା]

Chakravarti, Bishnupada (2007-11-13). Penguin Companion to the Mahabharata (in ଇଂରାଜୀ). Penguin UK. ISBN 978-93-5214-170-8.

ଆଧାର[ସମ୍ପାଦନା]

  1. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 73.
  2. Chakravarti 2007.
  3. "The five pandavas and the story of their birth". aumamen.com. Retrieved 24 December 2020.
  4. Fang, Liaw Yock (2013). "A History of Classical Malay Literature". www.books.google.co.in (in ଇଂରାଜୀ). Institute of Southeast Asian. Retrieved 24 December 2020.
  5. "The Mahabharata, Book 1: Adi Parva: Sambhava Parva: Section XCV". web.archive.org. 16 January 2010. Retrieved 24 December 2020.
  6. Kapoor, Subodh, ed. (2002). The Indian encyclopaedia : biographical, historical, religious, administrative, ethnological, commercial and scientific (1st ed.). New Delhi: Cosmo Publications. p. 4462. ISBN 9788177552713.
  7. "The Mahabharata, Book 8: Karna Parva: Section 48". sacred-texts.com. Retrieved 24 December 2020.