ଶକୁନି (ମହାଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search

ଶକୁନି (ସଂସ୍କୃତ: शकुनि) ବା ଗାନ୍ଧାର ନରେଶ (ସଂସ୍କୃତ: गान्धारराज, ଗାନ୍ଧାରାର ରାଜା) ହିନ୍ଦୁ ମହାକାବ୍ୟ ମହାଭାରତର ଏକ ପ୍ରମୁଖ ଚରିତ୍ର । ଗାନ୍ଧର ରାଜ୍ୟର ଏହି ରାଜକୁମାର, ପରେ ପିତାଙ୍କ ମୃତ୍ୟୁ ପରେ ସେ ଗନ୍ଧାର ରାଜ୍ୟର ରାଜା ହୋଇଥିଲେ । ମହାଭାରତର ମୁଖ୍ୟ ଖଳନାୟକ ଭାବେ ତାଙ୍କୁ ଚିତ୍ରଣ କରାଯାଇଛି ।[୧] ସେ ଥିଲେ ଗାନ୍ଧାରୀଙ୍କ ଭାଇ ତଥା ଏବଂ ଦୁର୍ଯ୍ୟୋଧନଙ୍କ ମାମୁଁ ।

ପଶାଖେଳରେ ଶକୁନି

ପୌରାଣିକ ଗାଥା[ସମ୍ପାଦନା]

ଶକୁନି ଥିଲେ ଗାନ୍ଧାର ଦେଶର ରାଜା ସୁବଳଙ୍କ ପୁତ୍ର ତଥା ଗାନ୍ଧାର ରାଜକୁମାର । ତାଙ୍କର ଗାନ୍ଧାରୀ ନାମକ ଏକ ଭଉଣୀ ଥିଲେ, ଯିଏ ଶକୁନିଙ୍କ ଅତି ପ୍ରିୟ ଥିଲେ । ମହାଭାରତ ମହାକାବ୍ୟରେ ସେ ଜଣେ ଅତ୍ୟନ୍ତ ବୁଦ୍ଧିମାନ, ଚତୁର ଖଳନାୟକ ଭାବରେ ଚିତ୍ରିତ । ଏପରିକି ଶକୁନିଙ୍କୁ କୁରୁକ୍ଷେତ୍ର ଯୁଦ୍ଧ ପଛରେ ମୁଖ୍ୟ କାରଣ ବୋଲି ମଧ୍ୟ କୁହାଯାଏ । ଶକୁନି ଅର୍ଶୀଙ୍କୁ ବିବାହ କରିଥିଲେ ଏବଂ ଉଲୁକ, ବୃକାସୁର ଏବଂ ବିପ୍ରଚିତ୍ତି ନାମକ ତାଙ୍କର ତିନି ପୁତ୍ର ଥିଲେ । ମହାଭାରତର ମୂଳ ଗ୍ରନ୍ଥଗୁଡ଼ିକରେ ଶକୁନିଙ୍କୁ ଦ୍ୱାପର ଯୁଗର ବ୍ୟକ୍ତିତ୍ୱ ବୋଲି ଉଲ୍ଲେଖ କରାଯାଇଛି ।

ଶକୁନି ଚାହୁଁ ନ ଥିଲେ ଯେ ତାଙ୍କ ପ୍ରିୟ ଭଉଣୀ ଗାନ୍ଧାରୀଙ୍କ ବିବାହ ଅନ୍ଧ ଧୃତରାଷ୍ଟ୍ରଙ୍କ ସହ ହେଉ । ତେବେ ପରିସ୍ଥିତି ଚକ୍ରରେ ଏହି ବିବାହ ଘଟିଯିବା ପରେ କୌରବଙ୍କ ପ୍ରତି ଶକୁନିଙ୍କ ଘୃଣାର ବୀଜ ବପନ ହୋଇଥିଲା । ପୁଣି ହସ୍ତିନାପୁର ସହ ଏକ ଯୁଦ୍ଧରେ ଗାନ୍ଧାର ନରେଶଙ୍କୁ ଅପମାନିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶକୁନିଙ୍କର ସମସ୍ତ ଭାଇଙ୍କୁ ହତ୍ୟା କରାଯାଇଥିଲା । ଏଭଳି କ୍ଷେତ୍ରରେ ଶକୁନି ତାଙ୍କର ସ୍ନେହର ଭଉଣୀକୁ ଏକ ଅନ୍ଧ ଲୋକ ସହ ବିବାହ କରାଇଦେବାକୁ ଚାହୁଁ ନ ଥିଲେ । ତେଣୁ ଏଭଳି ଅନିଚ୍ଛାକୃତ ବିବାହରେ ଶକୁନି ଭୀଷଣ ଅପମାନିତ ବୋଧ କରି କୁରୁ ରାଜବଂଶକୁ ଧ୍ୱଂସ କରିବାକୁ ଶପଥ କରିଥିଲେ ଏବଂ କୁରୁ ସମ୍ପର୍କୀୟମାନଙ୍କ ମଧ୍ୟରେ ବିବାଦର ନିଆଁକୁ ଜାଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।[୨] ଶକୁନି ତାଙ୍କ ବଡ ଭଣଜା ଦୁର୍ଯ୍ୟୋଧନଙ୍କୁ ପିଲାଦିନରୁ ପ୍ରଭାବିତ କରି ପାଣ୍ଡବଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ । ପରେ ସେ ପଶାଖେଳର ଯୋଜନା କରିଥିଲେ, ଯାହା ଏକ ମହାଭାରତର କଥାବସ୍ତୁର ମୋଡ ବଦଲାଇଦେଇଥିଲା । କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଶକୁନି ସହଦେବଙ୍କଦ୍ୱାରା ନିହତ ହୋଇଥିଲେ ।

ଖଳନାୟକ ଭୂମିକାରେ[ସମ୍ପାଦନା]

କୁରୁକ୍ଷେତ୍ର ଯୁଦ୍ଧ ପଛରେ ଖଳନାୟକ ଭାବେ ଶକୁନିଙ୍କର ପ୍ରମୁଖ ଭୂମିକା ରହିଥିଲା । ଭୀଷ୍ମଙ୍କ ଅପମାନର ପ୍ରତିଶୋଧ ନେବା ଥିଲା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଶକୁନିଙ୍କର ଶତ୍ରୁତା ମୁଖ୍ୟତଃ ଭୀଷ୍ମଙ୍କ ସହ ଥିଲା, ଯିଏ ତାଙ୍କ ପ୍ରିୟ ଭଉଣୀ ଗାନ୍ଧାରୀଙ୍କ ସହ ଧୃତରାଷ୍ଟ୍ରଙ୍କ ବିବାହ ପ୍ରସ୍ତାବ ଆଣିଥିଲେ । ଏହାକୁ ଶକୁନି ଗାନ୍ଧାରାର ଅପମାନ ବୋଲି ଭାବିଥିଲେ । ଶକୁନି ତେଣୁ ଶପଥ କରିଥିଲେ ଯେ ସେ କୁରୁ ରାଜ୍ୟକୁ ଧ୍ୱଂସ କରିବେ ଏବଂ ପରେ ସେ ନିଜର ଶପଥ ବଦଳାଇ ଦୁର୍ଯ୍ୟୋଧନଙ୍କୁ କୁରୁ ରାଜ୍ୟର ସମ୍ରାଟ କରିବାକୁ ପ୍ରତିଜ୍ଞା କରିଥିଲେ କିନ୍ତୁ ତାଙ୍କର ଏହି ଶପଥ କେବେ ସଫଳ ହୋଇପାରିଲା ନାହିଁ ।

ସେ ମୁଖ୍ୟତଃ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିବା କାର୍ଯ୍ୟ କରିଥିଲେ; ତାଙ୍କର ଯୋଜନା ଇତିହାସର ସବୁଠାରୁ ବଡ ଯୁଦ୍ଧ- କୁରୁକ୍ଷେତ୍ରରେ ଶେଷ ହୋଇଥିଲା । ଯଦିଓ ସେ ପାଣ୍ଡବଙ୍କ ବିରୁଦ୍ଧରେ ନିଜର କୌଶଳରେ ପ୍ରାୟତଃ ବିଫଳ ହୋଇଥିଲେ, ତଥାପି ସେ କୁରୁଙ୍କ ବଂଶକୁ ଧ୍ୱଂସ କରିବାର କ୍ଷମତା ଉପରେ ବିଶ୍ୱାସ ହରାଇ ନଥିଲେ । ସେ ଚାହୁଁଥିଲେ ଯେ କୁରୁ ବଂଶର ଶାଖାଗୁଡ଼ିକ ମଧ୍ୟରେ ଏକ ପୂର୍ଣ୍ଣ-ଗୃହଯୁଦ୍ଧ ହେଉ, ଯାହା ତାଙ୍କର ପ୍ରତିଶୋଧ ପୂରଣ କରି ସମଗ୍ର ପରିବାରକୁ ଧ୍ୱଂସ କରିବ । ସେ କୃଷ୍ଣଙ୍କ ବ୍ୟତୀତ ଅନ୍ୟ କାହାକୁ ଭୟ କରୁନଥିଲେ । କାରଣ ସେ ଜାଣିଥିଲେ ଯେ କେବଳ କୃଷ୍ଣଙ୍କର ହିଁ ତାଙ୍କ ଯୋଜନାକୁ ଖଣ୍ଡନ କରିବାର ଶକ୍ତି ଏବଂ ପ୍ରଭାବ ରହିଛି । ଯେତେବେଳେ ଦ୍ରୌପଦୀ କୁରୁ ରାଜସଭାରେ ଅପମାନିତ ହୋଇଥିଲେ ଏବଂ ଦୁର୍ଯ୍ୟୋଧନଙ୍କଦ୍ୱାରା ଶାନ୍ତି କଥାବାର୍ତ୍ତା ପ୍ରତ୍ୟାଖ୍ୟାନ କରାଯାଇଥିଲା, କୃଷ୍ଣ ମଧ୍ୟ ମନେକଲେ ଅଧର୍ମ ଉପରେ ଧର୍ମର ଜୟ ନିମିତ୍ତ ଯୁଦ୍ଧ ଅବଶ୍ୟମ୍ଭାବି । ଏଣେ ଶକୁନି ଚାହୁଁଥିଲେ ଯେ ଦୁଇ ଭାତୃବଂଶ ମଧ୍ୟରେ ଯୁଦ୍ଧଦ୍ୱାରା ତାଙ୍କ ଭଉଣୀର ଅପମାନର ପ୍ରତିଶୋଧ ସେ ନେବେ ।

ଶକୁନି ତାଙ୍କର କୁଟିଳ ବୁଦ୍ଧି ପ୍ରୟୋଗ କରି କୌରବ ଏବଂ ପାଣ୍ଡବଙ୍କୁ ଯୁଦ୍ଧ ଆଡକୁ ଟାଣିନେବାକୁ ଅନେକ ଅନୈତିକ ଉପାୟ ଅବଲମ୍ବନ କରିଥିଲେ; ଯେପରିକି:

  • କିଶୋର ଦୁର୍ଯ୍ୟୋଧନକୁ ପ୍ରବର୍ତ୍ତାଇ ଭୀମକୁ ବିଷଲଡୁ ଖୁଆଇଦେବା ।[୩]
  • ଜତୁଗୃହ ବା ମହମରେ ନିର୍ମିତ ଘରେ ପାଣ୍ଡବଙ୍କୁ ହତ୍ୟା କରିବା ପାଇଁ ପୁରୋଚନଙ୍କୁ ନିଯୁକ୍ତ କରିବା ।
  • କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ପଶାଖେଳର ବ୍ୟବସ୍ଥା କରି ଦ୍ରୌପଦୀଙ୍କ ଅପମାନ କରିବା ସହ ପାଣ୍ଡବଙ୍କୁ ବନବାସରେ ପଠାଇବା ସହ ଏଭଳି ଅନେକ ଉଦାହରଣ ରହିଅଛି ।

ଶକୁନିଙ୍କର ଏକମାତ୍ର ଭଲଗୁଣ ହେଉଛି ତାଙ୍କ ଭଉଣୀ ଗାନ୍ଧାରୀଙ୍କ ପ୍ରତି ତାଙ୍କର ଅତ୍ୟଧିକ ପ୍ରେମ । ଗାନ୍ଧାରୀ ଯେତେବେଳେ ଛୋଟ ଥିଲେ ସେ ଅନ୍ଧାରକୁ ଭୟ ଅକରୁଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ ପତ୍ନୀ ହୋଇ, ସେ ସ୍ବେଚ୍ଛାକୃତ ଭାବରେ ନିଜ ଆଖିରେ ଅନ୍ଧପୁଟୁଳି ବାନ୍ଧିଦେଲେ । ଅନ୍ଧାରକୁ ଭୟ ପାଉଥିବା ନିଜର ପ୍ରିୟ ଭଉଣୀଙ୍କୁ ପ୍ରତି ମୁହୂର୍ତ୍ତରେ ଅନ୍ଧକାରରେ ବିତାଉଥିବାର ଦେଖି ଶକୁନି ଅତ୍ୟନ୍ତ ଦୁଃଖି ହୋଇଥିଲେ ଏବଂ ଅନେକ ସମୟରେ ସେ ଗାନ୍ଧାରୀଙ୍କୁ ଅନ୍ଧ ପୁଟୁଳି ଖୋଲି ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଗାନ୍ଧାରୀଙ୍କ ଏହି ଦୁଃଖପୁର୍ଣ୍ନ ଜୀବନ ବିରୁଦ୍ଧରେ ସେ ନେଇଥିବା ପ୍ରତିଶୋଧ ହିଁ ତାଙ୍କୁ ମହାଭାରତ ଖଳନାୟକ ଭାବେ ଚିତ୍ରିତ କରିଛି ।[୪]

ପଶାଖେଳ[ସମ୍ପାଦନା]

ଶକୁନି ପଶାଖେଳରେ ଖୁବ୍ ପାରଦର୍ଶୀ ଥିଲେ କାରଣ ପଶାଖେଳର ଗୋଟି ତାଙ୍କ ସ୍ୱର୍ଗୀୟ ପିତାଙ୍କ ହାଡରୁ ତିଆରି କରାଯାଇଥିଲା ଯାହାକୁ ସେ ନିଜ ଇଚ୍ଛାରେ ନିୟନ୍ତ୍ରଣ କରିପାରୁଥିଲେ । କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ଶକୁନି ଏକ ପଶାଖେଳ ଆୟୋଜନ କରିଥିଲେ, ଯେହେତୁ ସେ ଜାଣିଥିଲେ ଯେ ଯୁଧିଷ୍ଠିରଙ୍କର ସବୁଠାରୁ ବଡ ଦୁର୍ବଳତା ହେଉଛି ଏହାକୁ ଖେଳିବାକୁ ଭଲ ପାଇବା । ସ୍ଥିର କରାଯାଇଥିବା ନିୟମ ଅନୁସାରେ ଦୁର୍ଯୋଧନଙ୍କ ପକ୍ଷରୁ ଶକୁନି ପଶା ଖେଳିଥିଲେ । ଫଲରେ ଶକୁନି ନିଜ କୁଟିଳମତି ପ୍ରୟୋଗକରି ଯୁଧିଷ୍ଠିରଙ୍କ ରାଜ୍ୟ ସହ ଯୁଧିଷ୍ଠିର, ତାଙ୍କ ଭାଇ- ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କୁ ମଧ୍ୟ ଜିତିଥିଲେ । ପରେ, ସେ ଦ୍ରୌପଦୀଙ୍କୁ ମଧ୍ୟ ଜିତିଥିଲେ । ଦୁର୍ଯ୍ୟୋଧନଙ୍କ ନିର୍ଦ୍ଦେଶରେ ଦୁଃଶାସନ ଦ୍ରୌପଦୀଙ୍କୁ ଅସମ୍ମାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୃଷ୍ଣ ତାଙ୍କୁ ରକ୍ଷା କରିଥିଲେ । ଶକୁନିଙ୍କର ଏହି ଖେଳ ହିଁ ଥିଲା ମହାଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହା କୌରବ ଏବଂ ପାଣ୍ଡବ ମଧ୍ୟରେ କୁରୁକ୍ଷେତ୍ର ଯୁଦ୍ଧର କାରଣ ହୋଇଥିଲା ।[୫]

ଆଧାର[ସମ୍ପାଦନା]

  1. "Shakuni: The Master Conspirator". Glorious Hinduism. 12 December 2019. Retrieved 13 December 2020.
  2. "The Mahabharata, Book 1: Adi Parva: Sambhava Parva: Section CX". www.sacred-texts.com. Retrieved 13 December 2020.
  3. Menon, [translated by] Ramesh (2006). The Mahabharata : a modern rendering. New York: iUniverse, Inc. p. 103. ISBN 9780595401871.
  4. "The Mahabharata, Book 1: Adi Parva: Sambhava Parva: Section CX". www.sacred-texts.com. Retrieved 13 December 2020.
  5. Chatterjee, Mallar. "Shakuni & The Dice of Doom". www.books.google.co.in (in ଇଂରାଜୀ). Readomania. Retrieved 13 December 2020.