କୃପାଚାର୍ଯ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

କୃପାଚାର୍ଯ୍ୟ (ସଂସ୍କୃତ: कृपाचार्य) (କୃପ ନାମରେ ମଧ୍ୟ ଜଣାଶୁଣା) କୌରବ ଏବଂ ପାଣ୍ଡବଙ୍କର ଗୁରୁ ତଥା ମହାଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର । ସେ ମଧ୍ୟ ସପ୍ତ ଚିରଞ୍ଜୀବିଙ୍କ ମଧ୍ୟରୁ ଜଣେ । ତାଙ୍କୁ ବ୍ରହ୍ମାଙ୍କର ଚତୁର୍ଥ ଅବତାର ତଥା କଳୀ ଯୁଗରେ ଥିବା ଋଷିମାନଙ୍କ ମଧ୍ୟରେ ଅଗ୍ରଣୀ ବୋଲି ବିଶ୍ୱାସ କରାଯାଏ ।[୧]

ତାଙ୍କ ଭଉଣୀ କୃପୀ, ଦ୍ରୋଣାଚାର୍ଯ୍ୟଙ୍କୁ ବିବାହ କରିଥିଲେ । ତାଙ୍କ ପିତାଙ୍କ ପରି କୃପାଚାର୍ଯ୍ୟ ମଧ୍ୟ ପ୍ରବୀଣ ଧନୁର୍ଦ୍ଧର ଥିଲେ । ସେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ସହିତ ଥିଲେ ଏବଂ ଯେତେବେଳେ ସେମାନେ ଧ୍ୱଂସ ହୋଇଗଲେ ସେ ପାଣ୍ଡବଙ୍କ ନିକଟକୁ ଆସିଲେ । ପରେ ସେ ପରୀକ୍ଷିତଙ୍କୁ ଜ୍ୟୋତିଷ ଶାସ୍ତ୍ର ଶିକ୍ଷା ଦେଇଥିଲେ ।

ଜନ୍ମ[ସମ୍ପାଦନା]

ଗୌତମ ମହର୍ଷିଙ୍କର ଶରଦ୍ୱାନ ନାମକ ଏକ ନାତି ଥିଲେ । ଜନ୍ମ ବେଳକୁ ତାଙ୍କ ଦେହ ତୀରଯୁକ୍ତ ହୋଇଥିବାରୁ ଏକଥା ସ୍ପଷ୍ଟ ହୋଇଥିଲା ଯେ ସେ ଜନ୍ମରୁ ଜଣେ ଧନୁର୍ଦ୍ଧର । ବଡ ହେବା ପରେ ସେ ଜଣେ ମହାନ ଧନୁର୍ଦ୍ଧର ହେଲେ ଏବଂ ଧନୁର୍ବିଦ୍ୟାରେ ଅଜେୟ ହେବାପାଇଁ ତପସ୍ୟା କରିବା ଆରମ୍ଭ କଲେ । ଏହା ଦେବତାମାନଙ୍କୁ ବିଶେଷ କରି ଇନ୍ଦ୍ରଙ୍କୁ ଭୟଭୀତ କରିଥିଲା । ତେଣୁ ଇନ୍ଦ୍ର ତାଙ୍କର ତପସ୍ୟା ଭଙ୍ଗ କରିବା ପାଇଁ ସ୍ୱର୍ଗରୁ ଜନପଦୀ ନାମ୍ନୀ ଏକ ସୁନ୍ଦର ଅପସରା ପଠାଇଲେ । ଶରଦ୍ୱାନ ଏପରି ଏକ ସୁନ୍ଦର ନାରୀକୁ ଦେଖି ବିବ୍ରତ ହୋଇ କାମନା ଉପରେ ନିୟନ୍ତ୍ରଣ ହରାଇ ଅସ୍ତ୍ରଶସ୍ତ୍ର ଛାଡ଼ି ଜଙ୍ଗଲକୁ ଫେରିଗଲେ । କାମ ବାସନାରେ ତାଙ୍କର କିଛି ବୀର୍ଯ୍ୟ ସ୍ଖଳନ ହୋଇ ପଥ ପ୍ରାନ୍ତର କିଛି ତୃଣ ଉପରେ ପଡ଼ିଗଲା । ଫଳରେ ତୃଣ ଦୁଇ ଭାଗରେ ବିଭକ୍ତ ହୋଇଗଲା, ଯେଉଁଠାରୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ହେଲେ । ଉକ୍ତ ସମୟରେ ହସ୍ତିନାପୁର ନରେଶ ଶାନ୍ତନୁ ସେହି ପଥ ଦେଇ ଯାଆନ୍ତେ, ରାସ୍ତା କଡ଼ରେ ପିଲା ଦୁଇଟିକୁ ଦେଖିଲେ । ସେ ସେମାନଙ୍କୁ କୃପ ଏବଂ କୃପୀ ନାମ ଦେଲେ ଏବଂ ପୋଷ୍ୟ ସନ୍ତାନ ରୂପେ ସେମାନଙ୍କୁ ତାଙ୍କ ପ୍ରାସାଦକୁ ଆଣିବାକୁ ସ୍ଥିର କଲେ । ପରେ ଶରଦ୍ୱାନ ଏ କଥା ଜାଣିବା ପରେ ରାଜାଙ୍କ ନିକଟକୁ ଆସି ସେମାନଙ୍କର ପରିଚୟ ଦେବା ସହିତ ସେମାନଙ୍କର ଜନ୍ମ ସଂସ୍କାର କରାଇ ବେଦ ଶିକ୍ଷା ମଧ୍ୟ ପ୍ରଦାନ କରିଥିଲେ ।

ପରବର୍ତ୍ତୀ ସମୟରେ କୃପାଚାର୍ଯ୍ୟ ହସ୍ତିନାପୁରର କୁଳଗୁରୁ ହୋଇଥିଲେ । ତାଙ୍କୁ ମଧ୍ୟ ଯୁବ ରାଜକୁମାରମାନଙ୍କୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେବା ଦାୟିତ୍ୱ ଦିଆଯାଇଥିଲା । ତାଙ୍କର ଯାଆଁଳା ଭଉଣୀ କୃପୀ ମହାରଥୀ ଦ୍ରୋଣଙ୍କୁ ବିବାହ କରିଥିଲେ । କୁରୁକ୍ଷେତ୍ର ଯୁଦ୍ଧ ପରେ ଯେଉଁ ତିନିଜଣ ମାତ୍ର ଜୀବିତ ରହିଥିଲେ, ତନ୍ମଧ୍ୟରୁ ଅନ୍ୟତମ ଥିଲେ କୃପାଚାର୍ଯ୍ୟ । ଏହା ପରେ ସେ ଅର୍ଜୁନଙ୍କ ନାତି ପରୀକ୍ଷିତଙ୍କ ଗୁରୁ ତଥା ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ ।

ଯୋଦ୍ଧା ଭାବରେ[ସମ୍ପାଦନା]

ହିନ୍ଦୁ ମହାକାବ୍ୟ ମହାଭାରତର ଉଦ୍ୟୋଗ ପର୍ବରେ ଭୀଷ୍ମ କୃପାଚାର୍ଯ୍ୟଙ୍କୁ ଜଣେ ଶକ୍ତିଶାଳୀ ମହାରଥୀ ଭାବରେ ପ୍ରଶଂଶା କରିଥିଲେ । ମହାଭାରତର ପୌରାଣିକ ଗାଥା ଅନୁସାରେ ଏକକାଳୀନ ଷାଠିଏ ହଜାର ଯୋଦ୍ଧାଙ୍କ ସହିତ ଲଢି଼ବାକୁ ସକ୍ଷମ ଏକ ଯୋଦ୍ଧା ଭାବରେ ତାଙ୍କୁ ବର୍ଣ୍ଣନା କରାଯାଇଛି । ସେ ମଧ୍ୟ ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ର ଚାଳନା ତଥା ଯୁଦ୍ଧ କୌଶଳରେ ପ୍ରବୀଣ ଥିଲେ ।[୨]

ଆଧାର[ସମ୍ପାଦନା]

  1. "The Vishnu Purana: Book III: Chapter II". www.sacred-texts.com. Retrieved 2 January 2021.
  2. "The Mahabharata, Book 5: Udyoga Parva: Uluka Dutagamana Parva: section CLXVIII". www.sacred-texts.com. Retrieved 2 January 2021.