ଧୋବଚମ୍ପା ପକ୍ଷୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଧୋବଚମ୍ପା ପକ୍ଷୀ
White throated fantail.JPG
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Rhipiduridae
Genus: Rhipidura
ଜାତି: R. albogularis
ବାଇନୋମିଆଲ ନାମ
Rhipidura albogularis
ରେନେ ପ୍ରିମେୱେର ଲେସଁ (୧୮୩୧)

ଧୋବଚମ୍ପା ପକ୍ଷୀ ବା ଫିତା ବୁଲ୍‍ବୁଲ୍ (ଇଂରାଜୀ ଭାଷାରେ White-spotted Fantail ବା Spot-breasted Fantail, ଜୀବବିଜ୍ଞାନ ନାମ Rhipidura albogularis) ସାଧାରଣ ଚଟିଆ ପରି ଏକ କ୍ଷୁଦ୍ରାକାର ପକ୍ଷୀ । କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ବିଭିନ୍ନ ବୁଦାଳିଆ ଜଙ୍ଗଲ, ଘଞ୍ଚ ଜଙ୍ଗଲ ଓ କୃଷିକ୍ଷେତ୍ର ଆଦି ଅଞ୍ଚଳରେ ଏହି ପକ୍ଷୀ ବିଚରଣ କରିଥାନ୍ତି । ପୂର୍ବେ ଏହାକୁ କନକ ଚଢ଼େଇର ଏକ ଉପପ୍ରଜାତି ଭାବେ ବିବେଚନା କରାଯାଉଥିଲା ।[୨]

ବିବରଣୀ[ସମ୍ପାଦନା]

ପୂର୍ଣ୍ଣବୟସ୍କ ଏକ କନକ ଚଢ଼େଇର ଶରୀର ହାରାହାରି ୧୭-୧୯ ସେଣ୍ଟିମିଟର ଲମ୍ବା ଓ ୧୦ ଗ୍ରାମ୍ ଓଜନବିଶିଷ୍ଟ । ଏହାର ଦେହର ରଙ୍ଗ ଧୂଆଁଳିଆ ବାଦାମୀ । ଗାଢ଼ ପାଉଁଶିଆ ରଙ୍ଗର ଲାଞ୍ଜଟି ପଙ୍ଖା ବା ବିଞ୍ଛଣା ପରି ମେଲାଇ ହୋଇଯାଏ । ଛାତିର ପାର୍ଶ୍ୱ ଭାଗରେ ଧଳା ଛିଟାଦାଗ ରହିଥାଏ । ଏହାର ପେଟ ଓ ବେକ ଧଳା ରଙ୍ଗର ହୋଇଥାଏ । ଆଖି ଖଇରିଆ ଓ ଥଣ୍ଟ ଗାଢ଼ ଖଇରିଆ ରଙ୍ଗର ହୋଇଥାଏ । ଉଭୟ ମାଈ ଓ ଅଣ୍ଡିରା ପକ୍ଷୀ ଦେଖିବାକୁ ଏକା ପରି ।

ବ୍ୟବହାର[ସମ୍ପାଦନା]

ଧୋବଚମ୍ପା ପକ୍ଷୀ ସାଧାରଣତଃ ଯୋଡ଼ା ଯୋଡ଼ା ହୋଇ ବୁଲନ୍ତି । ଏମାନେ ଅତି ଚଞ୍ଚଳ ଓ ଫୂର୍ତ୍ତି ସ୍ୱଭାବର ପକ୍ଷୀ । ଭୂମିରେ ବା ବୁଦା ଭିତରେ ବିଚରଣ କରୁଥିବା ବେଳେ ଏହା ନିଜର ଲାଞ୍ଜର ପରଗୁଡ଼ିକୁ ବିଞ୍ଛଣା ପରି ଖୋଲି ରଖିଥାନ୍ତି । ଲାଞ୍ଜକୁ ବିଞ୍ଛଣା ପରି ମେଲାଇ ଓ ଡେଣାକୁ ଅଳ୍ପ ହଲାଇ ଏମାନେ କୌଣସି ସ୍ଥାନରେ ଯାଇ ବସନ୍ତି ।

ଏମାନେ କୀଟଭକ୍ଷୀ ପକ୍ଷୀ । ବୁଢ଼ିଆଣୀ, ଡାଆଁଶ ଓ ଅନ୍ୟାନ୍ୟ କୀଟପତଙ୍ଗ ଏମାନଙ୍କର ମୁଖ୍ୟ ଆହାର । ଆକାଶରେ ଉଡ଼ନ୍ତା ଅବସ୍ଥାରେ ଶିକାର ଧରିବା ପସନ୍ଦ କରନ୍ତି । ମାର୍ଚ୍ଚରୁ ଅଗଷ୍ଟ ମାସ ଧୋବଚମ୍ପା ପକ୍ଷୀଙ୍କ ପ୍ରଜନନ ଋତୁ । ପତଳା ଘାସ, ନଡ଼ା, ତନ୍ତୁରେ ନିର୍ମିତ ଏମାନଙ୍କ ବସା ଦେଖିବାକୁ ଏକ ଗିଲାସ ବା କପ୍ ପରି । ବସାର ବାହାର ପଟଟି ବୁଢ଼ିଆଣୀ ଜାଲ ପରି ଢିଲା ହୋଇଥାଏ । ମାଈ ଧୋବଚମ୍ପା ପକ୍ଷୀ ନିଜ ବସାରେ ତିନୋଟି ଅଣ୍ଡା ଦିଏ । ଅଣ୍ଡାଗୁଡ଼ିକ ଈଷତ୍ ହଳଦିଆ ରଙ୍ଗର ଏବଂ ଏହାର ଓସାରିଆ ପଟେ ବାଦାମୀ ରଙ୍ଗର ଛିଟା ଛିଟା ଦାଗ ଥାଏ ।[୩]

ସାଧାରଣତଃ ଗୀତ ଗାଉଥିବା ପକ୍ଷୀଙ୍କ ବର୍ଗରେ ଧୋବଚମ୍ପା ପରିଗଣିତ ହୁଏନାହିଁ । ଅଣ୍ଡିରା ଧୋବଚମ୍ପା ନିଜ କାକଳିରେ ସୁନ୍ଦର ଗୀତ ସୃଷ୍ଟି କରିଥାଏ । ଏହି ରାବର ତୀବ୍ରତା ଉଚ୍ଚ ଓ ଏହା ଦୁଇଟି ସୋପାନରେ ଶୁଭାଯାଏ । ପ୍ରଥମ ସୋପାନରେ ୫-୬ଟି ତରଙ୍ଗାୟିତ ଧ୍ୱନି ରହିଥାଏ । ଦ୍ୱିତୀୟ ସୋପାନରେ ୪-୫ଟି କ୍ରମବର୍ଦ୍ଧିଷ୍ଣୁ ଧ୍ୱନି ଶିଖରରେ ପହଞ୍ଚିବା ପରେ ପକ୍ଷୀର ରାବ ସମାପ୍ତ ହୁଏ । ଏହି ପକ୍ଷୀ ପ୍ରତି ବର୍ଷ ନିଜ ଗୋଟିଏ ପ୍ରକାରର ରାବ ବା ଗୀତର ସ୍ୱରକୁ ଏକ ଅନୁକ୍ରମରେ ଟିକିଏ ଲେଖାଏଁ ବଦଳାଉଥାଏ । ୪-୫ ବର୍ଷ ପରେ ପକ୍ଷୀର ଗୀତ ଅନେକାଂଶରେ ବଦଳିଯାଏ । ଅଣ୍ଡିରା ଧୋବଚମ୍ପା ପକ୍ଷୀର ଡାକରୁ ଏମାନଙ୍କୁ ଠଉରାଇବା ସହଜ ହୋଇଥାଏ ।

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. BirdLife International. 2017. Rhipidura albogularis (amended version of 2016 assessment). The IUCN Red List of Threatened Species 2017: e.T103709613A118756437. https://dx.doi.org/10.2305/IUCN.UK.2017-3.RLTS.T103709613A118756437.en. Downloaded on 10 December 2018.
  2. Birds of India by Grimmett, Inskipp and Inskipp, ISBN 0-691-04910-6
  3. ଡଃ ଚନ୍ଦ୍ରଶେଖର କର, ଡଃ ସଂଜତ କୁମାର ସାହୁ, ଶାରଦା ପତି, ଡଃ ବି. କେ. ସେନାପତି(୧୯୯୯) ପକ୍ଷୀ ନିରୀକ୍ଷଣ ପୁସ୍ତକ