କନକ ଚଢ଼େଇ

ଉଇକିପିଡ଼ିଆ‌ରୁ

କନକ ଚଢ଼େଇ
ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ଏକ କନକ ଚଢ଼େଇ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Rhipiduridae
Genus: Rhipidura
ଜାତି: R. albicollis
ବାଇନୋମିଆଲ ନାମ
Rhipidura albicollis
ଲୁଇ ଜ୍ୟନ୍ ପିଏରେ ୱିଲଟ୍ (୧୮୧୮)

କନକ ଚଢ଼େଇ (ଇଂରାଜୀ ଭାଷାରେ White-throated Fantail, ଜୀବବିଜ୍ଞାନ ନାମ Rhipidura albicollis) ଚଟିଆ ପରି ଦେଖାଯାଉଥିବା ଏକ କ୍ଷୁଦ୍ରାକାର ପକ୍ଷୀ । ଏହି ପକ୍ଷୀ ଦକ୍ଷିଣ ଏସିଆର କ୍ରାନ୍ତୀୟ ଅଞ୍ଚଳରେ ହିମାଳୟରୁ ଆରମ୍ଭ କରି ଭାରତ, ବଙ୍ଗଳାଦେଶରୁ ପୂର୍ବ ଦିଗରେ ଇଣ୍ଡୋନେସିଆ ପର୍ଯ୍ୟନ୍ତ ବିଭିନ୍ନ ବୁଦାଳିଆ ଜଙ୍ଗଲ, ଘଞ୍ଚ ଜଙ୍ଗଲ ଓ କୃଷିକ୍ଷେତ୍ର ଆଦି ଅଞ୍ଚଳରେ ଦେଖିବାକୁ ମିଳେ । ଛାତିରେ ଧଳା ଛିଟଦାଗଯୁକ୍ତ ଆଉ ଏକ ଫ୍ୟାନଟେଲ୍ ଚଢ଼େଇ ପ୍ରଜାତି ଧୋବଚମ୍ପା (R. albogularis) ବହୁ ଦିନ ପର୍ଯ୍ୟନ୍ତ କନକ ଚଢ଼େଇର ଏକ ଉପପ୍ରଜାତି ବୋଲି ଧାରଣା ରହିଥିଲା ।

ବିବରଣୀ[ସମ୍ପାଦନା]

ପୂର୍ଣ୍ଣବୟସ୍କ ଏକ କନକ ଚଢ଼େଇର ଶରୀର ହାରାହାରି ୧୯ ସେଣ୍ଟିମିଟର ଲମ୍ବା । ଏହାର ଲାଞ୍ଜର ରଙ୍ଗ ଗାଢ଼ ଓ ତାହା ବିଞ୍ଛଣା ପରି ମେଲାଇ ହୋଇଥାଏ । କନକ ପକ୍ଷୀର ଲାଞ୍ଜର ଅଗ, ଭ୍ରୂଲତା ଓ କଣ୍ଠ ଧଳା ରଙ୍ଗର ହୋଇଥାଏ । କନକ ଚଢ଼େଇର ବିଭିନ୍ନ ଉପପ୍ରଜାତିର ରଙ୍ଗରେ କିଛି ତାରତମ୍ୟ ଦେଖାଦେଇପାରେ । ହିମାଳୟ ଅଞ୍ଚଳରେ ପରିଲକ୍ଷିତ R. a. canescans ଉପପ୍ରଜାତିର ପକ୍ଷୀଙ୍କ ଦେହ ସିଲଟ ପରି ରଙ୍ଗର, ଆଖି ନିକଟରେ ଚସମା ପରି ଆବରଣ, ଧଳା ଭ୍ରୂଲତା ଓ ଧଳା କଣ୍ଠ ରହିଥାଏ ।

ଭାରତରେ ଏହି ପକ୍ଷୀକୁ ବିଭିନ୍ନ ସ୍ଥାନୀୟ ନାମ ଦିଆଯାଇଛି; ଯଥା - ଆସାମୀ ଭାଷାରେ ଏହି ପକ୍ଷୀର ନାମ ହେଉଛି ନାସୋନି ସୋରାଇ

ବ୍ୟବହାର[ସମ୍ପାଦନା]

ଗଛରେ ନିଜର ନୀଡ଼ ବାନ୍ଧି କନକ ପକ୍ଷୀ ସେଥିରେ ୩ଟି ଅଣ୍ଡା ଦେଇଥାଏ । ଏହାର ଅଣ୍ଡାଗୁଡ଼ିକ ପ୍ରାୟ ୨ ସେଣ୍ଟିମିଟର ଲମ୍ବା । ଅଣ୍ଡାଗୁଡ଼ିକର ରଙ୍ଗ ଧଳା ଓ ତାହା ମଝି ଆଡ଼କୁ ମାଟିଆ ରଙ୍ଗର ଛିଟ ଦାଗ ରହିଥାଏ ।

କନକ ଚଢ଼େଇ ଏକ କୀଟଭକ୍ଷୀ ପକ୍ଷୀ । ଭୂମିରେ ବା ବୁଦା ଭିତରେ ବିଚରଣ କରୁଥିବା ବେଳେ ଏହା ନିଜର ଲାଞ୍ଜର ପରଗୁଡ଼ିକୁ ବିଞ୍ଛଣା ପରି ଖୋଲି ରଖିଥାଏ ।

ଏହି ପକ୍ଷୀ ପ୍ରତି ବର୍ଷ ନିଜ ଗୋଟିଏ ପ୍ରକାରର ରାବ ବା ଗୀତର ସ୍ୱରକୁ ଏକ ଅନୁକ୍ରମରେ ଟିକିଏ ଲେଖାଏଁ ବଦଳାଉଥାଏ । ୪-୫ ବର୍ଷ ପରେ ପକ୍ଷୀର ଗୀତ ଅନେକାଂଶରେ ବଦଳିଯାଏ । ଡେଣାରେ ଛିଟଦାଗ ରହିଥିବା ଆଉ ଏକ ଫ୍ୟାନଟେଲ୍ ପକ୍ଷୀ ପ୍ରଜାତି R. aureola ସହିତ କନକ ପକ୍ଷୀ ଏକା ପରିବାସରେ ରହିଥାନ୍ତି । ଅଣ୍ଡିରା କନକ ପକ୍ଷୀର ଡାକରୁ ଏମାନଙ୍କୁ ଠଉରାଇବା ସହଜ ହୋଇଥାଏ । ବେଳେବେଳେ ରିପିଡ୍ୟୁରା ଅରିଓଲା ପ୍ରଜାତିର ଡାକ କନକ ପକ୍ଷୀର ଡାକର ଭ୍ରମ ସୃଷ୍ଟି କରିଥାଏ । କିନ୍ତୁ ଅରିଓଲା ପକ୍ଷୀର ଶରୀରର ନିମ୍ନାଂଶ ଧଳା ଓ ତାହାର ଡେଣାରେ ଦୁଇ ଧାଡ଼ି ଧଳା ଦାଗ ରହିଥାଏ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. BirdLife International. 2016. Rhipidura albicollis. The IUCN Red List of Threatened Species 2016: e.T103709726A94090200. https://dx.doi.org/10.2305/IUCN.UK.2016-3.RLTS.T103709726A94090200.en. Downloaded on 10 December 2018.
  • Birds of India by Grimmett, Inskipp and Inskipp, ISBN 0-691-04910-6