Jump to content

ଜାନୁଘଣ୍ଟିଆ

ଉଇକିପିଡ଼ିଆ‌ରୁ

ଜାନୁଘଣ୍ଟିଆ ଓଡ଼ିଶାର ଏକ ପାରମ୍ପରିକ ପ୍ରାଚୀନ ଲୋକ କଳା ଚରିତ୍ର ବା ବେଶ । ସେ ଜାନୁଘଣ୍ଟ ପର୍ଶୁରାମ ନାମରେ ମଧ୍ୟ ଚିହ୍ନା ହୁଅନ୍ତି । ଓଡ଼ିଶାର ଦକ୍ଷିଣାଞ୍ଚଳରେ ପର୍ଶୁରାମଗୋତ୍ରୀ ବ୍ରାହ୍ମଣମାନେ ଅଧିକାଂଶ ସମୟରେ ଜାନୁଘଣ୍ଟିଆ ବେଶ ଆପଣାଇ ଗାଁକୁ ଗାଁ ବୁଲି ଜନପଦରୁ ଆହାର ସଂଗ୍ରହ କରିଥାନ୍ତି । ଓଡ଼ିଶାର ଗଞ୍ଜାମ, କଟକ ଓ ପୁରୀ ଜିଲ୍ଲାଗୁଡ଼ିକରେ ଜାନୁଘଣ୍ଟିଆମାନେ ଅପେକ୍ଷାକୃତ ଅଧିକ ସଂଖ୍ୟାରେ ମିଳନ୍ତି ।[]

ପରମ୍ପରା ଅନୁଯାୟୀ ଜାନୁଘଣ୍ଟିଆମାନେ ସାଧାରଣ ଭିକ୍ଷୁକ ବା ଯୋଗୀ ଭିକାରି ପରି ଭିକ୍ଷା ମାଗନ୍ତି ନାହିଁ । ଜାନୁଘଣ୍ଟ ପର୍ଶୁରାମ ଭିକ୍ଷୁକ କ୍ଷତ୍ରିୟୋଚିତ ସ୍ୱାଭିମାନ ଯୋଗୁଁ କାହାକୁ କିଛି ମାଗନ୍ତି ନାହିଁ । କାହା ଦୁଆରେ ଛିଡ଼ା ହୁଅନ୍ତି ନାହିଁ କି କାହାରି ଛାତ ତଳକୁ ଯାଆନ୍ତି ନାହିଁ ।

ପ୍ରାବନ୍ଧିକ ଗୋପୀନାଥ ମହାନ୍ତି ଓଡ଼ିଆ ସାରଳା ମହାଭାରତର କିଛି ତଥ୍ୟରୁ ଅନୁମାନ କରି ତାଙ୍କ ଗ୍ରନ୍ଥରେ ଉଲ୍ଳେଖକରିଛନ୍ତି ଯେ, ଜାନୁଘଣ୍ଟ ନାମେ ଏକଦା ଓଡ଼ିଶାର ଜଣେ ଶକ୍ତିଶାଳୀ ରଜା ଥିଲେ । ଯିଏ ଭିକ୍ଷାବୃତ୍ତି କରି ବାକି ଜୀବନ କାଟିଥିଲେ । ସର୍ବଦା ନିରାଡ଼ମ୍ବର ଓ ଉଲଗ୍ନ(ଦିଗମ୍ବର) ରହିଥିଲେ ଏବଂ ଅହିଂସା ପଥ ଅନୁସରଣ କରିଥିଲେ । ଏଭଳି ପ୍ରଥା ଜୈନ ଧର୍ମର ବିଶ୍ୱାସ ଓ ରୀତିନୀତି ସହ ପ୍ରାୟ ସମାନ ଥିଲା । ଏହି ରାଜାଙ୍କ ଅନୁଗାମୀମାନେ ଓଡ଼ିଶାର ପୁରପଲ୍ଲୀରେ ଜାନୁଘଣ୍ଟିଆ ବୋଲାଇଥାନ୍ତି ।[]

ଜାନୁଘଣ୍ଟିଆଙ୍କ ନିର୍ଦ୍ଦିଷ୍ଟ ବେଶ ତଥା ପରିଧାନ ରହିଛି । ପର୍ଶୁରାମ ମୁଣ୍ଡରେ ଖିଡ଼୍କୀ ପାଗ ଓ ଚିତା ପୋଷାକ ପିନ୍ଧିଥାନ୍ତି । କପାଳରେ ରାମାନନ୍ଦୀ ତିଳକ ଅଙ୍କାଯାଏ । ତନୁର ଉପର ଭାଗ ବସନଶୂନ୍ୟ ଥାଏ ।[] ଦକ୍ଷିଣ ଜଙ୍ଘରେ ଗୋଟିଏ ଘେର ବନ୍ଧା ହୋଇଥାଏ । ପର୍ଶୁ କୁଠାର, ହାତରେ ଲାଉ ତୁମ୍ବା, ଏବଂ ଜାନୁ (ଜଙ୍ଘ)ରେ ଘଣ୍ଟି ବାନ୍ଧିଥାନ୍ତି ଯେଉଁଥିରେ ସୁନ୍ଦର ଦଶାବତାର ଚିତ୍ର ଅଙ୍କିତ ହୋଇଥାଏ । ରାମନାମ ଉଚ୍ଚାରି ଜାନୁଘଣ୍ଟିଆମାନେ ବାଟରେ ବେଗରେ ଚାଲିଯାଆନ୍ତି ।[]

ପ୍ରଥା

[ସମ୍ପାଦନା]

ହିନ୍ଦୁ ଧର୍ମୀୟ ବିଶ୍ୱାସ ଅନୁଯାୟୀ ବିଷ୍ଣୁଙ୍କ ଷଷ୍ଠ ଅବତାର ହେଉଛି ପର୍ଶୁରାମ । କଥିତ ଅଛି ପର୍ଶୁରାମ ପୃଥିବୀରୁ ଏକବିଂଶବାର କ୍ଷତ୍ରିୟଙ୍କୁ ନିପାତ କରିବା ସମୟରେ ଜାନୁରେ ଘଣ୍ଟି ବାନ୍ଧିଥିଲେ । ସେହି ଘେର ଶବ୍ଦ ଶୁଣିଲେ ଶତ୍ରୁମାନେ ଭୟରେ ଶିହରୀ ଉଠୁଥିଲେ । ତେଣୁ ତାଙ୍କୁ ଜାନୁଘଣ୍ଟ ପର୍ଶୁରାମ କୁହାଯାଉଥିଲା । ଜାନୁଘଣ୍ଟିଆମାନେ ନିଜକୁ ପର୍ଶୁରାମଙ୍କ ବଂଶଜ ବୋଲି ଚିହ୍ନିତ କରିଥାନ୍ତି ।

ରାମପର୍ଶୁରାମ ବେଶ ହୋଇ ପଡ଼ା ମଧ୍ୟକୁ ଦୁଇଜଣ ବ୍ରାହ୍ମଣ ଏକାଠି ଆସନ୍ତି । ରାମଙ୍କ ହାତରେ ଥାଏ ଧନୁଶର ଓ ପର୍ଶୁରାମଙ୍କ ହାତରେ ଥାଏ ପର୍ଶୁ କୁଠାର । ଗ୍ରାମର ବା ସାହିର ଦୁଇମୁଣ୍ଡରୁ ଦୁଇଜଣ ପ୍ରବେଶ କରନ୍ତି । ଯେଉଁଠାରେ ଭେଟହୁଏ ସେଠାରେ ଯୁଦ୍ଧର ଆହ୍ୱାନ ଭଳି ଅଭିନୟ କରନ୍ତି । ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଶେଷରେ ପର୍ଶୁରାମ ବେଶଧାରୀ ଭିକ୍ଷୁ ହାରିଯାଇ ଶ୍ରୀରାମ ବେଶଧାରୀ ଭିକ୍ଷୁଙ୍କ ନିକଟରେ ଶରଣ ପଶନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୁଅନ୍ତି । ସେମାନେ ରାମ ଓ ପର୍ଶୁରାମ ବେଶଧାରୀ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅନ୍ତି ।

  1. India's communities, Singh K S Oxford University Press, 1998
  2. "A STUDY OF JAIN ACTIVITY IN WESTERN ORISSA (From c.B.C. 200–600A.D.) By: Tirtharaj Bhoi". ତୀର୍ଥରାଜ ଭୋଇ. Archived from the original on 7 February 2017. Retrieved 24 December 2016.
  3. ୩.୦ ୩.୧ Sidelights on History and Culture of Orissa, Manmath Nath Das Vidyapuri, 1977