ଗ୍ରାସନଳୀ

ଉଇକିପିଡ଼ିଆ ରୁ
Jump to navigation Jump to search
Esophagus/ଗ୍ରାସନଳୀ
Tractus intestinalis esophagus.svg
The digestive tract, with the esophagus marked
ଲାଟିନ ଭାଷାରେ Oesophagus
ବିଭାଗ ପରିପାକ ବିଭାଗର digestive system ଏକ ଅଂଶ ।
ଧମନୀ oesophageal arteries/ଗ୍ରାସନଳୀ ଧମନୀ
ଶିରା oesophageal veins/ଗ୍ରାସନଳୀ ଶିରା
ସ୍ନାୟୁ Sympathetic trunk/ସିମ୍ପାଥେଟିକ ଟ୍ରଙ୍କ, vagus/ଭେଗସ ସ୍ନାୟୁ
Precursor Foregut

ଗ୍ରାସନଳୀ (ଇଂରାଜୀରେ Oesophagus/ଏସୋଫେଗସ, ଗଲେଟ ବା ଫୁଡ ପାଇପ) ନାମ ଦିଆଯାଏ ଯେଉଁ ନଳୀରେ ଗଳାରୁ ପାକସ୍ଥଳୀକୁ ଉକ୍ତ ନଳୀରେ ଜାତ ହେଉଥିବା ପେରିସ୍ଟାଲସିସ (peristaltic contractions) ଯୋଗୁ ଖାଦ୍ୟ ଯାଏ । ବୟସ୍କ ଲୋକ ଦେହରେ ଏହା ଏକ ଫାଇବ୍ରୋମସ୍କୁଲାର ନଳୀ, ପ୍ରାୟ ୨୫ ସେ:ମି: ଲମ୍ବ, ଯାହା ଟ୍ରାକିଆ ଓ ହୃତ୍‌ପିଣ୍ଡ ପୃଷ୍ଠ ଭାଗରେ ଯାଇ ଡାଏଫ୍ରମ ଭେଦ କରିବା ପରେ ପାକସ୍ଥଳୀ ସ‌ହିତ ସଂଯୁକ୍ତ ହୁଏ ଓ ଖାଦ୍ୟ ପ‌ହୁଞ୍ଚାଏ । ଖାଦ୍ୟ ଗିଳିବା ବେଳେ ଏପିଗ୍ଲିଟିସ ପଛକୁ ନଇଁ ଯାଇ ଶ୍ୱାସନଳୀର ଉପର ଭାଗ ବନ୍ଦ କରିଦେବା ଫଳରେ ଲାରିଙ୍କ୍ସ ଓ ଫୁସଫୁସକୁ ଖାଦ୍ୟ ପଶିବା ବାଟ ବନ୍ଦ ହୋଇଯାଏ ।


ଗ୍ରାସନଳୀର କାନ୍ଥରେ ଭିତରୁ ବାହାରକୁ ଯଥାକ୍ରମେ ମ୍ୟୁକୋସା, ସବ୍‌ମ୍ୟୁକୋସା, ଫାଇବ୍ରସ ତନ୍ତୁ ମଧ୍ୟରେ ମାଂସପେଶୀ ସ୍ତର ଓ ବ‌ହିସ୍ଥ କନେକ୍ଟିଭ ତନ୍ତୁର ସ୍ତରମାନ ଥାଏ । ମ୍ୟୁକୋସାରେ ତିନି ସ୍ତର ସ୍କ୍ୱାମସ ଜୀବକୋଷ ଥାଏ ଯାହାକୁ ସ୍ଟ୍ରାଟିଫାଏଡ ସ୍କ୍ୱମସ ଏପିଥେଲିଅମ କୁହାଯାଏ, କିନ୍ତୁ ପାକସ୍ଥଳୀର ଏହି ସ୍ଥାନରେ ଗୋଟୋଏ କଲମନାର ସ୍ତର ଥାଏ । ଏହି ଦୁଇ ପ୍ରକାର ସ୍ତର ଏକ ଜିଗଜାଗ ଲାଇନରେ ଦେଖାଯାଏ । ଏହାର ଉପର ଏକ ତୃତୀୟାଂଶରେ ସ୍ଟ୍ରାଏଟେଡ ପେଶୀ ଥାଏ ଓ ବାକି ଅଂଶରେ ସ୍ମୁଥ ପେଶୀ ଥାଏ । ଏହାର ସବା ଉପରେ ଓ ସବା ତଳେ ଦୁଇ ମୁଣ୍ଡରେ ସ୍ଫିଙ୍କଟର ବା ପେଶୀ ମୁଦ୍ରିକା ଥାଏ । ପାକସ୍ଥଳୀରେ ଥିବା ଅମ୍ଳ ଗ୍ରାସନଳୀରେ ପଶିବାକୁ ତଳ ସ୍ଫିଙ୍କଟର ରୋକିଦିଏ । ଗ୍ରାସନଳୀରେ ପ୍ରଚୁର ଧମନୀ ଓ ଶିରା ରକ୍ତ ଯୋଗାଣ ହୋଇଥାଏ ।

ଏହାର ସ୍ମୁଥ ପେଶୀକୁ ସିମ୍ପାଥେଟିକ ଟ୍ରଙ୍କ ମାଧ୍ୟମରେ ସିମ୍ପାଥେଟିକ ଓ ଭେଗସ ସ୍ନାୟୁ ମାଧ୍ୟମରେ ପାରାସିମ୍ପାଥେଟିକ ସ୍ନାୟୁ ସଂଯୁକ୍ତ ହୋଇଥାଏ । ଭେଗସ ସ୍ନାୟୁ ଦେଇ କିଛି ଲୋଅର ମୋଟୋର ନିଉରନ ଆସି ସ୍ଟ୍ରାଏଟେଡ ପେଶୀ ସ‌ହିତ ସଂଯୁକ୍ତ ହୋଇଥାଏ ।

ଗ୍ରାସନଳୀରେ ହେଉଥିବା ବେମାରୀମାନଙ୍କର ନାମ ଯଥାକ୍ରମେ ଗ୍ୟାସ୍ଟ୍ରକ ରିଫ୍ଲକ୍ସ, ଗ୍ରାସନଳୀ କର୍କଟ, ସ୍ଫିତ ଓ ଦୃଷ୍ଟିଗୋଚର ରକ୍ତନଳୀ ଯାହାକୁ ଏସୋଫେଜିଆଲ ଭାରିସେସ କୁହାଯାଏ ଓ ଏଥିରୁ ପ୍ରଚୁର ରକ୍ତସ୍ରାବ ହୋଇପାରେ, ମାଲୋରି-ୱେସ ସିଣ୍ଡ୍ରୋମ, ସଙ୍କୋଚନ ଓ ଗତିଶୀଳତା ବେମାରୀ । ଗ୍ରାସନଳୀରେ ରୋଗ ହେଲେ ଗିଳିବା ଅସୁବିଧା ବା ଡିସଫେଜିଆ, ଗିଳିଲା ବେଳକୁ ଯନ୍ତ୍ରଣା ବା ଓଡିନୋଫେଜିଆ, ଛାତି ଯନ୍ତ୍ରଣା ହୋଇପାରେ ବା କିଛି ଲକ୍ଷଣ ନଥାଇପାରେ । ଏହି ରୋଗ ହେଲେ ବେରିଅମ ସ୍ୱାଲୋ ଏକ୍ସ‌ରେ, ଏଣ୍ଡୋସ୍କୋପି (endoscopy) ଓ ସିଟି ସ୍କାନ କରାଯାଏ । ଏହାର ସ୍ଥାନ ଯୋଗୁ ଗ୍ରାସନଳୀକୁ ଅପରେଶନ କରିବାରେ ଅସୁବିଧା ହୁଏ ।[୧]

କାର୍ଯ୍ୟ[ସମ୍ପାଦନା]

ଗିଳିବା[ସମ୍ପାଦନା]

ଖାଉଥିବା ଖାଦ୍ୟ ଗିଳିବା ପରେ ପାଟିରୁ ଯାଇ ପ୍ରଥମେ ଫାରିଙ୍କ୍ସ (pharynx) ବା ଗ୍ରସନୀ ମଧ୍ୟ ଦେଇ ଗ୍ରାସନଳୀକୁ ଯାଏ । ଏହା ପରେ ଏହି ଯାଇ ପାକସ୍ଥଳିରେ ପ‌ହଞ୍ଚେ ।[୨] ଖାଦ୍ୟ ଗିଳିବା ସମୟରେ ଏପିଗ୍ଲଟିସ ପଛକୁ ଘୁଞ୍ଚିଯାଇ ଟ୍ରାକିଆର ଉପର ଭାଗକୁ ବନ୍ଦ କରିଦେବା ଫଳରେ ଖାଦ୍ୟ ଟ୍ରାକିଆ ଭିତରେ ପଶିପାରେ ନାହିଁ । ଠିକ୍ ଏହି ସମୟରେ ଉପର ଗ୍ରାସନଳୀ ସ୍ଫିଙ୍କଟର ଢିଲା ହୋଇଯିବାଦ୍ୱାରା ଖାଦ୍ୟ ଗ୍ରାସନଳୀ ଭିତରକୁ ଯାଇ ପେରିସ୍ଟାଲଟିକ ଚଳନ ସାହାଯ୍ୟରେ ଆଗକୁ ଆଗକୁ ଯାଏ । ଖାଦ୍ୟ ପାଟିରେ ଓ ଗ୍ରାସନଳୀ ଭିତରେ ଥିଲାବେଳେ ସ୍ୱତଃସ୍ଫୁର୍ତ୍ତ ଭାବରେ ଏହି ରିଦମିକ ସଙ୍କୋଚନ ହୁଏ । ଶେଷରେ ଏହି ପେରିସ୍ଟାଲସିସ ସ‌ହିତ ତଳ ଏସୋଫେଜିଆଲ ସ୍ଫିଙ୍କଟର ଖୋଲିଯାଏ ଓ ଖାଦ୍ୟ ପାକସ୍ଥଳୀରେ ପ୍ରବେଶ କରେ । [୨]

ଆଧାର[ସମ୍ପାଦନା]

  1. Jacobo, Julia (24 November 2016). "Thanksgiving Tales From the Emergency Room". ABC News.
  2. ୨.୦ ୨.୧ Hall, Arthur C. Guyton, John E. (2005). Textbook of medical physiology (11th ed.). Philadelphia: W.B. Saunders. pp. 782–784. ISBN 978-0-7216-0240-0.